ଷଠି ଓଷା
ଷଠି ଓଷା | |
---|---|
ଅନ୍ୟ ନାମ | ନେଙ୍କୁଡ଼ିଆ ଷଠି |
ପାଳନକାରୀ | ମାଆମାନଙ୍କ ଦ୍ୱାରା |
ପ୍ରକାର | ଧାର୍ମିକ, |
ତାରିଖ | ଭାଦ୍ରବ ଶୁକ୍ଳ ଷଷ୍ଠୀ |
୨୦୨୫ ତାରିଖ | |
ପୁନଃପୌନିକତା | ବାର୍ଷିକ |
ଷଠି ଓଷା (ଷଠି ବ୍ରତ ଓ ଷଷ୍ଠୀ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା ।[୧] ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ, ଜନ୍ମଦା,ଦେବସେନା ବାଳକଦା ବୋଲି କୁହାଯାଏ । ଷୋଡ଼ଶ ମାତୃକା (ଗୌରୀ ମେଧା ସଚୀ ଆଦି) ମଧ୍ୟରେ ତାଙ୍କୁ ଦେବସେନା ନାମରେ ପୂଜା କରାଯାଏ। ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠି ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି ।[୨][୩]
ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠି ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
ପାଳନ ବିଧି
[ସମ୍ପାଦନା]ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ହୁଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
ଷଠି ବାଡ଼ିଆ
[ସମ୍ପାଦନା]ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି ଏହାକୁ ଷଠିବାଡ଼ିଆ କହନ୍ତି ଏତଦ୍ୱାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ୱାସ । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି: "ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ - ବଜ୍ର ହୋ ! ବଜ୍ର ହୋ !"[୪]
ଷଠି ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କହନ୍ତି ସ୍କନ୍ଧ ପୁରାଣରେ ଏ ଷଷ୍ଠୀର ନାମ ଚପେଟା ଷଷ୍ଠୀ ଓ ତିଥି ତତ୍ତ୍ୱରେ ଏ ଷଷ୍ଠୀର ନାମ ଅକ୍ଷୟା ଷଷ୍ଠୀ । ଚପେଟୀର ଅର୍ଥ ଚାପୁଡ଼ା 'ଚପେଟୀଷଷ୍ଠୀ' ନାମରୁ ଅନୁମିତ ହୁଏ ଯେ, ବର୍ଷୀୟସୀମାନେ ପିଲାମାନଙ୍କ ପିଠିରେ ଯେଉଁ 'ଷଠି ବାଡ଼ିଆ' କରନ୍ତି ତହିଁ ସଙ୍ଗେ ଏ ନାମର କିଛି ସମ୍ପର୍କ ଅଛି ।[୫]
ଆଧାର
[ସମ୍ପାଦନା]- ↑ Cultural Heritage of Orissa: Justice Sri Harihar Mahapatra Felicitation Volume. Institute of Oriental and Orissan Studies. 1993.
- ↑ Kuñjabihāri Dāśa (1991). Folklore of Orissa. Orissa Sahitya Akademi.
- ↑ N. Patnaik; Sarat Chandra Mohanty; Tribal and Harijan Research-cum-Training Institute (Bhubaneswar, India) (1989). The Ganda, a scheduled caste weaver community of western Orissa. Tribal & Harijan Research-cum-Training Institute.
- ↑ ପଣ୍ଡିତସର୍ବସ୍ୱ, ନୂତନ ଆଠମଲ୍ଲିକ ସଂସ୍କରଣ, 116 ପୃଷ୍ଠା
- ↑ "ଷଠି ଓଷା". Retrieved 24 March 2016.[permanent dead link]