ନିକିତା
ନିକିତା | |
|---|---|
| ଜନ୍ମ | ଲକ୍ଷ୍ମୀପ୍ରିୟା ବେହେରା[୧] |
| ମୃତ୍ୟୁ | ୫ ଜାନୁଆରୀ ୨୦୧୯[୨] |
| ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୫ରୁ-୨୦୧୭[୩] |
| ବୈବାହିକ-ସାଥୀ | ଲିପନ ସାହୁ (୨୦୧୭-୨୦୧୯) |
| ପିତାମାତା | ସନାତନ ବେହେରା (ବାପା) |
ନିକିତା, ଜଣେ ଓଡ଼ିଆ କଥାଚିତ୍ର ଓ ଟେଲିଭିଜନ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ଏହାପରେ ସେ କିଛି ଓଡ଼ିଆ କଥାଚିତ୍ରରେ ନାୟିକ ଓ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ନିକିତା ଓଡ଼ିଆ କଥାଚିତ୍ର ସହ ଓଡ଼ିଆ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।[୪] ୨୦୧୯ ମସିହା ଜାନୁଆରୀ ମାସ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୨]
ପ୍ରାରମ୍ଭିକ ଜୀବନ ଏବଂ ପରିବାର
[ସମ୍ପାଦନା]ନିକିତା କଟକରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସନାତନ ବେହେରା ପୂର୍ତ୍ତ ବିଭାଗର ଜଣେ ବିତ୍ତ ଅଧିକାରୀ ।[୧] ନିକିତା ୨୦୧୭ ମସିହାରେ ଅଭିନେତା ଲିପନ ସାହୁଙ୍କୁ ବିବାହ କରିଥିଲେ । ଉଭୟଙ୍କର ୫ ମାସର ଏକ ଶିଶୁ ପୁତ୍ର ଥିବାବେଳେ ନିକିତାଙ୍କର ମୃତ୍ୟୁ ହୋଇଥିଲା ।[୫]
ଅଭିନୟ ଜୀବନ
[ସମ୍ପାଦନା]କଥାଚିତ୍ର
[ସମ୍ପାଦନା]ନିକିତା ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ଏହି କଥାଚିତ୍ରଟିରେ ନିକିତା ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଏହି କଥାଚିତ୍ରଟିରେ ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ପପୁ ପମ ପମ ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ନିକିତା ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଚୋରି ଚୋରି ମନ ଚୋରିରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୬] ଏହି କଥାଚିତ୍ରଟିରେ ନିକିତାଙ୍କ ସହ ନାୟକ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର । ରାଜୀବ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ଜୀବନ ପଣ୍ଡା, ମୀନକେତନ, ଭଗବାନ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୨ରେ ନିକିତା ଓଡ଼ିଆ କଥାଚିତ୍ର ମୁଁରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ ଦଳବେହେରା ।[୭] ଏହି କଥାଚିତ୍ରଟିରେ ସୁମନ, ମିହିର ଦାସ, ରୋମି, ରଫି, ପ୍ରଜ୍ଞା, ବୀଣା ମହାପାତ୍ର, ରବି ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ଭୂପତି ତ୍ରିପାଠୀ, ଦେବୀ ବାରିକ ଆଦି କଳାକାରମାନେ ଅଭିନୟ କରିଥିଲେ ।[୮]
୨୦୧୩ରେ ନିକିତା ମିତ ବସିଛି ମୁଁ ଭୂତ ସାଥିରେ କଥାଚିତ୍ରରେ ଅଭିନୟ କରିଥିଲେ ।[୯] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଆକାଶ ଦାସନାୟକ, ପ୍ରିୟା ଚୌଧୁରୀ, ଦୁଷ୍ମନ୍ତ ପଣ୍ଡା, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୦]
୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଗୁଣ୍ଡାରେ ନିକିତା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅଭିନୟ କରିଥିଲେ ।[୧୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୁଭାଶିଷ ପତି । ଝାନ୍ସି ରାଣୀ, ମିହିର ଦାସ, ରକ୍ ପାତ୍ର, ବାପି ରାୟ, ହିମିକା, ପ୍ରଜ୍ଞା ଖଟୁଆ, ମାମୁନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୨] ଏହି କଥାଚିତ୍ର ଥିଲା ତାଙ୍କର ଶେଷ କଥାଚିତ୍ର ।
ଟେଲିଭିଜନ
[ସମ୍ପାଦନା]ନିକିତା ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଟେଲିଭିଜନରେ କିଛି ଧାରାବାହିକରେ ଅଭିନୟ କରିଛନ୍ତି । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତପସ୍ୟାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ ।[୪]
ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏସପି ନିକିତାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ ।[୨][୧୩] ଏହି ଧାରାବାହିକଟି ଚାଲିଥିବାବେଳେ ହଠାତ୍ ଧାରାବାହିକଟିର ଅଧିକାଂଶ କଳାକାର ବଦଳି ଯାଇଥିଲେ । ନିକିତା ମଧ୍ୟ ଅଧାରୁ ଧାରାବାହିକଟି ଛାଡ଼ିଥିଲେ ଏବଂ ଅନ୍ୟ ଜଣେ ନାୟିକା ତାଙ୍କ ଭୂମିକାରେ ଅଭିନୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ନିକିତା ୪ ଜାନୁଆରୀ ୨୦୧୯ରେ ରାତି ପାଖାପାଖି ସାଢ଼େ ୧୦ଟା ବେଳେ କଟକଠାରେ ତାଙ୍କ ଘରର ୨ ମହଲା ଛାତ ଉପରୁ ତଳକୁ ଖସି ପଡ଼ିଥିଲେ, ଫଳରେ ମୁଣ୍ଡରେ ଆଘାତ ଲାଗିଥିଲା[୨] ଏବଂ ପରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ପରଦିନ ଜାନୁଆରୀ ୫ ତାରିଖରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୪][୧୫] ନିକିତାଙ୍କର ମୃତ୍ୟୁ ପରେ ତାଙ୍କୁ ତାଙ୍କର ସ୍ୱାମୀ ଲିପନ ସାହୁ ହତ୍ୟା କରିଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଥିଲେ ।[୧][୧୬] ୨୭ ଫେବୃଆରୀ ୨୦୨୬ରେ କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ ବିଚାରପତି ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ଏହି ମାମଲାର ଶୁଣାଣି କରି ଆଇପିସିର ଦଫା ୩୦୨ରେ ଲିପନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା କରିଥିଲେ ।[୧୭][୧୮] ନିକିତାଙ୍କ ଶ୍ୱଶୁର ଲିଙ୍ଗରାଜ ସାହୁ ଓ ଶାଶୂ କୁନ୍ତଳା ସାହୁଙ୍କୁ ଅଦାଲତ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।[୧୯]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୫ | ତୁ ମୋ ଆଖିର ତାରା | ନିକି | ପ୍ରଥମ ଓଡ଼ିଆ କଥାଚିତ୍ର |
| ୨୦୧୧ | ଚୋରି ଚୋରି ମନ ଚୋରି | ଖୁସି | ନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ର |
| ୨୦୧୧ | ମଥାରେ ଦେଇ ପାଟ ଓଢ଼ଣୀ | ||
| ୨୦୧୨ | ମୁଁ | ପ୍ରିୟା | |
| ୨୦୧୩ | ମିତ ବସିଛି ମୁଁ ଭୂତ ସାଥିରେ | ଲକ୍ଷ୍ମୀ | |
| ୨୦୧୬ | ଗୁଣ୍ଡା |
ଅଭିନୀତ ଧାରାବାହିକ
[ସମ୍ପାଦନା]| ଧାରାବାହିକ | ଚେନାଲ | ଭୂମିକା |
|---|---|---|
| ତପସ୍ୟା | ଇ ଟିଭି ଓଡ଼ିଆ | ତପସ୍ୟା |
| ଏସିପି ନିକିତା | ତରଙ୍ଗ ଟିଭି | ନିକିତା |
ଆଧାର
[ସମ୍ପାଦନା]- 1 2 3 "ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ". ସମାଜ (in Odia). Bhubaneswar. 7 January 2019. p. 1. Archived from the original on 7 January 2019. Retrieved 7 January 2019.
{{cite news}}: CS1 maint: unrecognized language (link) - 1 2 3 4 "ଓଲିଉଡ୍ ଅଭିନେତ୍ରୀ ନିକିତାଙ୍କ ଆକସ୍ମିକ ମୃତ୍ୟୁ; ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା". Sambad.in (in Odia). Odisha. 5 January 2019. Archived from the original on 6 January 2019. Retrieved 5 January 2019.
{{cite news}}: CS1 maint: unrecognized language (link) - 1 2 3 "ବଡ଼ ନିକିତାଙ୍କ ପରେ ଏବେ ସାନ ନିକିତାଙ୍କ ପାଳି". sambad.in. 3 March 2018. Retrieved 5 March 2018.
- 1 2 "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
- ↑ "ହତ୍ୟା ଅଭିଯୋଗରେ ସ୍ୱାମୀ ଗିରିଫ (ଅବଶିଷ୍ଟାଂଶ)". ସମାଜ (in Odia). Bhubaneswar. 7 January 2019. p. 4. Archived from the original on 7 January 2019. Retrieved 7 January 2019.
{{cite news}}: CS1 maint: unrecognized language (link) - ↑ "CHORI CHORI MANA CHORI". ORIYA NEWS. Archived from the original on 8 March 2018. Retrieved 5 March 2018.
- ↑ "Odia Movie "Mun"". NewOdisha.in. 4 September 2012. Archived from the original on 5 November 2017. Retrieved 20 November 2017.
- ↑ "Mu New Oriya Movie". Incredible Orissa. 18 July 2012. Archived from the original on 8 November 2017. Retrieved 20 November 2017.
- ↑ "Mita Basichi Mu Bhuta Sathire". Incredible Orissa. 24 September 2011. Archived from the original on 10 November 2017. Retrieved 7 November 2017.
- ↑ "MITA BASICHI MU BHUTA SATHIRE". Incredbile Orissa. 20 September 2013. Archived from the original on 10 November 2017. Retrieved 7 November 2017.
- ↑ "କେଉଁଠି ଏବେ ଏହି ଓଲିଉଡ ନାୟିକା?". ସମ୍ବାଦ. 1 September 2017. Archived from the original on 3 September 2017. Retrieved 8 September 2017.
- ↑ ""ଗୁଣ୍ଡା'ରିଲିଜ୍ ପାଇଁ ପ୍ରସ୍ତୁତ". ଓଡ଼ିଶା ଟାଇମ୍. 19 September 2016. Retrieved 27 July 2017.
- ↑ NEWS, OMMCOM (2026-02-26). "Life Term For Actor Husband In Odia Tele Actress Nikita Murder Case | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2026-02-27.
- ↑ "କିଭଳି ପରିସ୍ଥିତିରେ ନିକିତା ଛାତ ଉପରୁ ତଳକୁ ପଡ଼ିଥିଲେ ଜାଣନ୍ତୁ, କ'ଣ ଘଟିଥିଲା ସେହି ସମୟରେ…". Sambad. ଓଡ଼ିଶା. 8 January 2019. Archived from the original on 9 January 2019. Retrieved 10 January 2019.
- ↑ Baliarsingh, Cassian. "'Odia actress Nikita was murdered': Husband sentenced to life imprisonment". odishatv.in (in ଇଂରାଜୀ). Retrieved 2026-02-27.
- ↑ Bureau, O. B. (2026-02-26). "Odia Actress Nikita Murder Case: Actor Husband Lipan Gets Life Term". OdishaBytes (in ଆମେରିକୀୟ ଇଂରାଜୀ). Retrieved 2026-02-27.
- ↑ Sunita (2026-02-27). "Odia actress Nikita Murder case: Husband Lipan sentenced to life imprisonment". KalingaTV (in ଆମେରିକୀୟ ଇଂରାଜୀ). Retrieved 2026-02-27.
- ↑ 31. "Actress Nikita Behera murder case: Actor-husband Lipan Sahu sentenced to life imprisonment - Prameya News". prameyanews.com. Retrieved 2026-02-27.
{{cite web}}:|last=has numeric name (help) - ↑ Mohanty, Bikash (2026-02-27). "Nikita murder case: ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା, ଲିପନ ସାହୁକୁ ଆଜୀବନ କାରାଦଣ୍ଡ". argusnews.in. Retrieved 2026-02-27.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିକିତା