ବୁଧେଇ ଓଷା
ବୁଧେଇ ଓଷା | |
---|---|
ନାମ | ବୁଧିବାମନ ଓଷା |
ପାଳନକାରୀ | ସଧବା ନାରୀ |
ବିଶେଷତା | ସନ୍ତାନ କାମନା କରିବା ଓ ତାହାର ଶୁଭ ମନାସିବା |
ପର୍ବ ପାଳନ | ପୂଜା, ବନ୍ଦାପନା |
ଆରମ୍ଭ | ଭାଦ୍ରବ ମାସର ୪ଟି କିମ୍ବା ୫ଟି ବୁଧବାର |
୨୦୨୪ ତାରିଖ | ୨୧ ଅଗଷ୍ଟ (ବୁଧବାର) |
ବୁଧେଇ ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । [୧]କେତେକ ସ୍ଥାନରେ ୫ଟି ବୁଧବାରରେ ପାଳିତ ହୁଏ । ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତିକୁ ହିସାବକୁ ନେଇଥାନ୍ତି । ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷାରେ ବୁଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଦ୍ଧ ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ବାମନ କହିଲେ ଭୈରବ, ଯିଏ ସ୍ୱୟଂ ଜଗନ୍ନାଥ । ଅତଏବ ଏହି ଓଷାରେ ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା; କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାରେ ନାରୀରୂପୀ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ । କାରଣ ଏମାନେ ସୃଷ୍ଟିକର୍ତ୍ତା । ବୁଦ୍ଧିବାମନ ଓଷାର ପରମ୍ପରା ମତେ ପୂଜାସ୍ଥଳୀଟିକୁ ଗୋବରଲିପି ଶୁଚି କରାଯାଏ । ଏହି ପୂଜା ନିମନ୍ତେ ପାଞ୍ଚଟି ରଙ୍ଗର ଫୁଲ, ପାଞ୍ଚପ୍ରକାର ଫୁଲ, ପାଞ୍ଚପ୍ରକାର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୁବ ଓ ପାଞ୍ଚଟି ଅକ୍ଷତ ଦରକାର ହୁଏ । ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ । ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ବସାଯାଇ, ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝିପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ । ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି । [୨] ପ୍ରଥମେ ଏହି ଶିଳ ଏବଂ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରାଯାଇ, ହଳଦୀକନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଦିଆଯାଏ । ବୁଦ୍ଧିବାମନଙ୍କ ଓଷା ପାଇଁ ସ୍ୱତନ୍ତ୍ର ବହି ଅଛି । ଏହା ପାଞ୍ଚଟି କାହାଣୀକୁ ନେଇ ରଚିତ, କାହାଣିଗୁଡ଼ିକ ହେଲା: ମଗଧର ସାଧବ ସାଧବାଣୀ, ଯଯାତିନଗରର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଓ ହରିପୁରର ଜଣେ ସାଧାରଣ ନାରୀ । [୩] ବିଶ୍ୱାସ କରାଯାଏ ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟେ ଶାଢି, ପୂଜାଘର ଦୁଆର ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡା କୁହାଯାଏ ।
ପୂଜାବିଧି ଓ ଉପଚାର
[ସମ୍ପାଦନା]ଘରକୋଣ କିମ୍ବା ଓଷାକୋଠିରେ ସକାଳୁ ସ୍ନାନଶୌଚ ହୋଇ ଗ୍ରାମୀଣ ମହିଳାମାନେ ଏକାଠି ହୁଅନ୍ତି । ଶିଳ ଓ ଶିଳପୁଆ ଏହିପୂଜାରେ ଦେବାଦେବୀ ହୋଇଥିବାରୁ ଘରେ ଥିବା ଶିଳ ଓ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନକରାଯାଏ ।
ଆଧାର
[ସମ୍ପାଦନା]- ↑ "The perishing tradition of OSHA BRATA AND MELA in Odisha | Destination Odisha". destinationodisha.com. 2012. Archived from the original on 22 August 2013. Retrieved 28 September 2012.
Budhei Osha (known as Budhei- Sudhei observed on wednesdays in the month of bhadrab
- ↑ Biswamoy Pati (1 January 2001). Situating Social History: Orissa, 1800-1997. Orient Blackswan. pp. 14–. ISBN 978-81-250-2007-3. Retrieved 28 September 2012.
Budhei Bamana was worshipped in the form of a curry-stone
- ↑ ସୂର୍ଯ୍ୟପ୍ରଭା, ଗୁରୁବାର, ୨୭ ସେପ୍ଟେମ୍ବର ୨୦୧୨, ପୃଷ୍ଠା: ୮