ବାସୁଳାଇ ମନ୍ଦିର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଳକ ଅନ୍ତର୍ଗତ ଜୟନଗର ପଞ୍ଚାୟତର ବଜରପୁରରେ ମା ବାସୁଳାଇଙ୍କ ମନ୍ଦିର ଅବସ୍ଥିତ । ବ୍ରାହ୍ମଣୀ ଓ ବୈତରଣୀର ସଙ୍ଗମସ୍ଥଳରେ ଅବସ୍ଥିତ ବଜରପୁର ପୂର୍ବେ ବଜରଗଡ଼ ଭାବେ ପରିଚିତ ଥିଲା । ବଜଗଗଡ଼ କନିକା ରାଜବଂଶର ପ୍ରଥମ ରାଜଧାନୀ ଥିଲା । ମା’ ବାସୁଳାଇ କନିକା ରାଜାଙ୍କର ଇଷ୍ଟଦେବୀ ଥିଲେ । ଏହି ମନ୍ଦିରରେ ଅଗିରା ପୂର୍ଣ୍ଣିମାରେ ପାରମ୍ପରିକ ଭାବେ ଦେବୀ-ମାନବ ଶୁଭପରିଣୟ ଅନୁଷ୍ଠିତ ହୋଇଥାଏ ।

କିମ୍ବଦନ୍ତୀ[ସମ୍ପାଦନା]

ଦିନେ ଜଙ୍ଗଲ ମଧ୍ୟରେ ରାଜା ବଳି ନିଜ ଭାଇ ବିସୁଳି ସହିତ ମୃଗୟା ନିମନ୍ତେ ବୁଲୁଥିବା ବେଳେ ମାନବୀ ରୂପରେ ଭ୍ରମଣ କରୁଥିବା ମା’ ବାସୁଳାଇଙ୍କୁ ଦେଖିଲେ । ମା’ଙ୍କ ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ବଳୀ ତାଙ୍କୁ ବିବାହର ପ୍ରସ୍ତାବ ଦେବା ମାତ୍ରେ ଦେବୀ ନିଜ ପରିଚୟ ଦେଲେ ମଧ୍ୟ ବଳୀ ଏହା ବୁଝିବା ପାଇଁ ରାଜି ହେଲେ ନାହିଁ । ଦେବୀ ବିକଳ୍ପ ରୂପେ ସର୍ତ୍ତ ରଖିଲେ ନାମକୁ ମାତ୍ର ସେ ରାଜାଙ୍କୁ ବିବାହ କରିବେ, ତାଙ୍କୁ ଛୁଇଁବା ମାତ୍ରେ ବଳୀର ଜୀବନ ଆୟୁ ଶେଷ ହୋଇଯିବ । ଅଜ୍ଞାନ ବଳୀ ଏହାର ପରିଣାମ ବୁଝିବା ପୂର୍ବରୁ ଦେବୀଙ୍କୁ ଛୁଇଁବାରୁ ମୃତ୍ୟୁବରଣ କରିଥିଲା । ସେଦିନ ଅଗିରା ପୂର୍ଣ୍ଣିମା ଥିଲା । ଦେବୀଙ୍କ ସ୍ଵପ୍ନାଦେଶ ପରେ ସେବେଠାରୁ ପ୍ରତିବର୍ଷ ଏହି ଶାକ୍ତପୀଠରେ ଦେବୀମାନବର ଶୁଭ ପରିଣୟ ହୋଇ ଆସୁଛି । କୁମ୍ଭାର ରାଜା ବଳୀର ବଂଶଧରମାନେ ବଳୀ ଓ ବିସୁଳୀର ପ୍ରତିମୁର୍ତ୍ତି ଧରି ବାଜା ରୋଷଣୀ ସହ ବଜରପୁରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଥାଏ । ପୂଜକ ମା ବାସୁଳୀଙ୍କର ପିତା ହୋଇ ଏହି ବିବାହରେ କନ୍ୟାଦାନ କରିଥାନ୍ତି । ସାଧରଣ ବିବାହ ଉତ୍ସବର ରୀତିନୀତି ଓ ପରମ୍ପରା ଅନୁଯାୟୀ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଥାଏ । ସମ୍ବଲପୁରର ପବିତ୍ର ଶୀତଳଷଷ୍ଠିରେ ହରପାର୍ବତୀଙ୍କ ବିବାହ ପରି ସମଗ୍ର କନିକା ଅଞ୍ଚଳରେ ଏହି ବିବାହ ଏକ ସ୍ବତନ୍ତ୍ର ମାନ୍ୟତା ରଖିଥାଏ । ମା ବାସୁଳାଇ ଅଞ୍ଚଳବାସୀଙ୍କ ଜ୍ୟେଷ୍ଠା କନ୍ୟା ଭାବେ ବିବେଚିତ ହୋଇଥାନ୍ତି । ଏହି ବିବାହପୂର୍ବରୁ ଏହାକୁ ଲାଗିଥିବା ଆଖପାଖ ୨୨ଖଣ୍ଡ ଗ୍ରାମର ଲୋକମାନେ ନିଜ ପୁତ୍ରକନ୍ୟାଙ୍କ ବିବାହ ଉତ୍ସବ କରନ୍ତି ନାହିଁ ।

ପ୍ରବାଦ ଅଛି ଯେ ଦେବୀଙ୍କ ବିବାହ ପରଦିନଠାରୁ ସାତଦିନ ପର୍ଯ୍ୟନ୍ତ ଅର୍ଥାତ ଅଷ୍ଟମଙ୍ଗୁଳି ପର୍ଯ୍ୟନ୍ତ ଦେବୀଙ୍କ ଆସ୍ଥାନ ନିକଟକୁ ତଥା ପରିସୀମା ମଧ୍ୟକୁ କେହି ଯାଆନ୍ତି ନାହିଁ । ଏହି ନିଷେଧ ସମ୍ପର୍କୀୟ ଲୋକକଥାଟି ହେଲା : ଥରେ ଜଣେ ବୃଦ୍ଧ ନିଜର ହଜିଯାଇଥିବା ବଳଦଟିକୁ ବଜରପୁର ତଥା ଏହାର ଆଖପାଖରେ ଖୋଜୁଥିଲେ । ସେ ଦେବୀଙ୍କ ଦର୍ଶନ ନିମନ୍ତେ ଯିବାକୁ ଉଦ୍ୟତ ହେବାରୁ ଦେବୀଙ୍କର ବାହାଘର ସରିଥିଲେ ମଧ୍ୟ ଅଷ୍ଟମଙ୍ଗୁଳା ଯାଇନଥିବାରୁ ଲୋକମାନେ ତାଙ୍କୁ ବାରଣ କରିଥିଲେ । କିନ୍ତୁ ବୃଦ୍ଧ କୌଣସି ବାରଣ ନ ମାନି ଦେବୀଙ୍କ ଆସ୍ଥାନ ନିକଟକୁ ଯାଇଥିଲେ । ବୃଦ୍ଧ ଦେବୀଙ୍କୁ ପ୍ରଣାମ କରିବା ସମୟରେ ନିଜ ହସ୍ତରେ ଧରିଥିବା ବାଡ଼ିଟି ସାପ ହୋଇ ତାଙ୍କୁ ଦଂଶନ କରିଥିଲା । ସେହି ଦିନଠାରୁ ଦେବୀଙ୍କ ଅଷ୍ଟମଙ୍ଗୁଳା ଶେଷ ନହେବା ପର୍ଯ୍ୟନ୍ତ କେହି ସେଠାକୁ ଯାଆନ୍ତି ନାହିଁ ।