ଗଙ୍ଗା ଦଶହରା

ଉଇକିପିଡ଼ିଆ‌ରୁ
ଗଙ୍ଗା ଦଶହରା
ଗଙ୍ଗା ଦଶରା ମହୋତ୍ସବ, 2005 ହରି କୀ ପ uri ରୀ, ହରିଦ୍ୱାରରେ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ତାରିଖଜ୍ୟୈଷ୍ଠ ଶୁକ୍ଳ ଦଶମୀ
୨୦୨୪ ତାରିଖdate missing (please add)

"ଦଶହରା" କହିଲେ ଆଶ୍ୱିନ ମାସରେ ପାଳିତ ହେଉଥିବା ଦୁର୍ଗାପୂଜାକୁ ବୁଝାଏ । ଏହା ଦଶ ଅହୋରାତ୍ର ଧରି ପାଳିତ ହେଉଥିବାରୁ ଏହାକୁ ମଧ୍ୟ ଦଶହରା କୁହାଯାଏ । ଅନ୍ୟଟି ଚୈତ୍ରମାସର ଶୁକ୍ଳ ଦଶମୀ ଯାହାକୁ ବାସନ୍ତୀ ଦୁର୍ଗାପୂଜା କୁହାଯାଏ । ଜ୍ୟୈଷ୍ଠ ଶୁକ୍ଳ ଦଶମୀ ଦିନଟି ଗଙ୍ଗାମାତାଙ୍କୁ କେନ୍ଦ୍ରକରି ଗଙ୍ଗା ଦଶହରା ଭାବେ ପାଳନ କରାଯାଏ । ଦଶଦୋଷ ବା ପାପରୁ ଯିଏ ମୁକ୍ତକରାଏ ସିଏ ଦଶହରା । [୨] ଏହି ଦିନ ଗଙ୍ଗାଘାଟରେ ବୁଡ଼ ଦେଲେ ମନୁଷ୍ୟର ସମସ୍ତ ପାପ ଧୋଇ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗଙ୍ଗାସ୍ନାନ କଲେ ଅନେକ ପୁଣ୍ୟ ମିଳିଥାଏ, କିନ୍ତୁ ଏହି ଦିନରେ ସ୍ୱତନ୍ତ୍ର ପୁଣ୍ୟ ଲାଭ ହୋଇଥାଏ । ଲୋକକଥାରୁ ଶୁଣାଯାଏ ଯେ ଆଜିର ଏହିଦିନ ସ୍ୱୟଂ ଗଙ୍ଗାମାତା ଧରାବରଣ କରିଥିଲେ । ତାଙ୍କ ଆଗମନରେ ପୃଥିବୀବାସୀ ଧନ୍ୟ ହୋଇଥିଲେ । ତେଣୁ ତାଙ୍କ ଆଗମନ ଦିନକୁ ଗଙ୍ଗା ଦଶହରା ବୋଲି କୁହାଯାଏ । ଗଙ୍ଗା ଦଶହରାରେ ଗଙ୍ଗାଙ୍କ ମନ୍ଦିର ବ୍ୟତୀତ ଅନ୍ୟ ଦେବଦେବୀଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ । ଗଙ୍ଗା ଦଶହରାରେ ଦାନପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି । [୩]

କିମ୍ବଦନ୍ତୀ[ସମ୍ପାଦନା]

ସୂର୍ଯ୍ୟବଂଶୀ ରାଜା ଭରତ୤ ତାଙ୍କ ନାମାନୁସାରେ ଆମ ଦେଶର ନାମ ଭାରତ୤ ସେତେବେଳେ ଭାରତର ରାଜଧାନୀର ଥିଲା ଅଯୋଧ୍ୟା୤ ଭରତ ଅତ୍ୟନ୍ତ ପରାକ୍ରମୀ ଏବଂ ଧର୍ମଶୀଳ ରାଜା ଥିଲେ୤ କିନ୍ତୁ ତାଙ୍କ ପୁତ୍ର ମହାରାଜ ବାହୁ ଧର୍ମଭୀରୁ ଥିଲେ ମଧ୍ୟ ପରାକ୍ରମୀ ନଥିବାରୁ ଶତ୍ରୁମାନଙ୍କଦ୍ୱାରା ପରାଜିତ ହୋଇ ବନଗାମୀ ହେଲେ୤ ତାଙ୍କର ଦୁଇରାଣୀ ଥିଲେ୤ ପାରିବାରିକ କଳହରୁ ଜଣେ ବିଷପାନ କରି ପ୍ରାଣତ୍ୟାଗ କଲେ୤ ଅନ୍ୟଜଣକ ରାଣୀଠାରୁ ସଗର ଜନ୍ମ ଗ୍ରହଣ କଲେ୤ ତାଙ୍କର ମଧ୍ୟ ଦୁଇ ପତ୍ନୀ ଥିଲେ୤ ପ୍ରଥମପତ୍ନୀ ସୁମତୀଙ୍କ ଔରସରୁ ୬୦ ହଜାର ପୁତ୍ର ଜନ୍ମ ଗ୍ରହଣ କଲେ୤ ଦ୍ୱିତୀୟ ରାଣୀ କେଶିନୀଙ୍କ ଗର୍ଭରୁ ଏକମାତ୍ର ପୁତ୍ର ସନ୍ତାନ ଅସମଞ୍ଜ ବା ଅଶମଞ୍ଜସକୁ ଜନ୍ମ ଦେଲେ, କିନ୍ତୁ ସେ ବହୁତ ଦୁଷ୍ଟ ଥିଲା୤ [୪] ସଗର ଅଶ୍ୱମେଧ ଯଜ୍ଞ ନିମନ୍ତେ ଷାଠିଏ ହଜାର ପୁତ୍ରଙ୍କୁ ଅଶ୍ୱକୁ ଅନ୍ୱେଷଣ କରିବାକୁ ନିର୍ଦ୍ଦେଶ ଦେଲେ୤ କାଳେ ଅଶ୍ୱମେଧ ଯଜ୍ଞ କରି, ସଗର ସ୍ୱର୍ଗର ରାଜା ହୋଇଯିବେ ସେ ଭୟରେ ଇନ୍ଦ୍ର କପଟ କରି ଅଶ୍ୱକୁ ପାତଳପୁରୀ କପିଳମୁନିଙ୍କ ଆଶ୍ରମରେ ବାନ୍ଧିଦେଲେ୤ ସଗର ପୁତ୍ରମାନେ ସାଗର ଖୋଳି ଅଶ୍ୱକୁ ଖୋଜିଖୋଜି ସେଠାରେ ପହଞ୍ଚିଲେ ଏବଂ ମୁନିଙ୍କୁ ଚୋର ବୋଲି କହି ଅପମାନିତ କରିବାରୁ, ସେ ଅଭିଶାପ ଦେଇ ସେମାନଙ୍କୁ ଭସ୍ମ କରିଦେଲେ୤ ଏମାନେ ନଫେରିବାରୁ ସଗର ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଅସମଜ୍ଞ ବା ଅଶମଞ୍ଜସଙ୍କ ପୁତ୍ର ଅର୍ଥାତ୍‌ ନାତି ଅଂଶୁମାନଙ୍କୁ ସେମାନଙ୍କୁ ଖୋଜିବାକୁ ପଠାଇଲେ ଏବଂସେ କପିଳଙ୍କଠାରୁ ଅଶ୍ୱଆଣି ଯଜ୍ଞ ସମ୍ପନ୍ନ କଲେ ଓ ପ୍ରକୃତ ଘଟଣାକୁ ସଗରଙ୍କୁ ଜଣାଇଲେ୤ ତେବେ ପିତୃତ୍ତ୍ୟମାନଙ୍କ ଉଦ୍ଦେଶ୍ୟରେ ଜଳତର୍ପଣ କରିବାକୁ ଗଲାବେଳେ, ଗୋଟିଏ ପକ୍ଷୀ ଅଂଶୁମାନଙ୍କୁ କହିଥିଲା ଯେ ଜଳ କି ତିଳତର୍ପଣ ନୁହେଁ, ସେମାନଙ୍କର ମୁକ୍ତି ପାଇଁ ଗଙ୍ଗାଙ୍କର ପବିତ୍ର ଧାରାର ସ୍ପର୍ଶ ଦରକାର ଅଛି୤ ସେଥିପାଇଁ ଅଂଶୁମାନ କଠୋର ତପସ୍ୟା କଲେ ମଧ୍ୟ, ତାହା ନିରର୍ଥକ ହେଲା୤ ତା’ପରେ ତାଙ୍କ ପୁତ୍ର ଦିଲ୍ଲିପ ମଧ୍ୟ ଚେଷ୍ଟା କରି ବିଫଳ ହେଲେ ୤ ସେ ନିଃସନ୍ତାନ ଥିଲେ ୤ ତାଙ୍କର ଦୁଇ ବିଧବା ପତ୍ନୀ ଭଦ୍ରା ଓ ସୁଭଦ୍ରାଙ୍କୁ ବଂଶରକ୍ଷା ନିମନ୍ତେ ପ୍ରେମାବଦ୍ଧ ହେବାକୁ ଐବଋଷି ପରାମର୍ଶ ହେଲେ୤ ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ହେଲେ ଏବଂ ମାଂସପିଣ୍ଡୁଳାଟିଏ ଜନ୍ମ ଦେଲେ୤ ପୁଣି ଋଷିଙ୍କ ପରାମର୍ଶ କ୍ରମେ ରାଣୀ ତାଙ୍କୁ ରାଜପଥରେ ଶୁଆଇ ଦେଲେ୤ ସେହି ସମୟରେ ଅଷ୍ଟବକ୍ର ଋଷି ଯାଉଥିବା ବେଳେ ମାଂସ ପିଣ୍ଡୁଳାଟି ଦୃଷ୍ଟିଗୋଚର ହେଲା୤ ସେହି ମାଂସ ପିଣ୍ଡୁଳାଟିର ଅସ୍ତିର ରୂପ ଦେଖି କାଳେ ଏହା ତାଙ୍କୁ ବିଦ୍ରୁପ କରୁଛି ବୋଲି ଭାବି ଅଭିଶାପ ହେଲେ୤ କହିଲେ: ଉପହାସ କରୁଥିଲେ ଧ୍ୱଂସ ପାଇଯାଅ, ନୋହିଲେ ଦିବ୍ୟ ପୁରୁଷ ପାଲଟିଯାଅ୤ ଅଭିଶାପ ଆଶୀର୍ବାଦ ହେଲା, ସେ ହେଲେ ଭଗୀରଥ୤ ଭଗୀରଥ ପୂର୍ବପୁରୁଷଙ୍କ କାହାଣୀ ଶୁଣିଲେ ଏବଂ ସେମାନଙ୍କ ପାପଗ୍ରସ୍ତ ଦଗ୍‌ଧ ଶରୀର ଓ ଆତ୍ମାର ମୁକ୍ତି ନିମନ୍ତେ ସେ ନିର୍ଘାତମୁନି, କପିଳାସ, ପ୍ରଜାପତି, ବୈକୁଣ୍ଠପୁରୀ, ମେରୁଗିରି, ଐରାବତ, ଇନ୍ଦ୍ରପୁରୀ, ଜହ୍ନିଋଷି, ଯମୁନା, ସରସ୍ୱତୀ ଏବଂ ମାଧବ ନାରାୟଣ ଇତ୍ୟାଦି ଧାମରେ ୧୨ବର୍ଷ ଲେଖାଏଁ ଧରି ୧୪୪ବର୍ଷ ତପଶ୍ମାରଣ କରିଛନ୍ତି: ଏହି ଦିବସଟି ଚୈତ୍ର ଶନିବାର କୃଷ୍ଣ ତ୍ରୟୋଦଶୀ ଥିଲା୤ ଏବେ ବି ଏହି ଦିବସଟିର ବାରୁଣୀ ସ୍ନାନ ବା ବୁଡ଼ ଦୃଷ୍ଟିରୁ ତାତ୍ପର୍ଯ୍ୟ ଅଛି୤ ତେବେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଭଗୀରଥ ବାଟକଢ଼ାଇ ଆଗେଆଗେ ଶଙ୍ଖ ଫୁଙ୍କି ଫୁଙ୍କି ଚାଲିଲେ୤ ତାଙ୍କ ସହିତ ଅନ୍ୟମାନେ ମିଶି ପଞ୍ଚତୀର୍ଥ ହେଲେ୤ ପୂର୍ବ ସର୍ତ୍ତାନୁସାରେ ସେଠାରେ ପ୍ରଥମେ ଭଗୀରଥ ପିତୃପୁରୁଷଙ୍କ ଅଭିଶପ୍ତ ଜ୍ୱଳନ୍ତ ଅଗ୍ନିକୁ ଲମ୍ଫପ୍ରଦାନ କଲେ୤ ପରେ ପରେ ଗଙ୍ଗାମାତା୤ କୁଳ ଉଦ୍ଧାରିଲେ ଭଗୀରଥ୤ ଗଙ୍ଗାଙ୍କର ସାଗର ସହିତ ସଙ୍ଗମସ୍ଥଳୀ ହିଁ ଗଙ୍ଗାସାଗର୤ ମକର ସଂକ୍ରାନ୍ତିରେ ଦେବୀ ଗଙ୍ଗାଙ୍କ ଧାରା ସଗରମାନଙ୍କୁ ମୁକ୍ତ କରିଥିଲା ବୋଲି ଏହା ଏକ ପବିତ୍ର ଦିବସ ୤ ଏହାକୁ ଏକ ପୂଣ୍ୟତିଥି ମନେକରି ଏଠାରେ ଓ ବିଭିନ୍ନ ନଦନଦୀରେ ମକର ବୁଡ଼ ପକାଯାଏ୤ ଭଗୀରଥଙ୍କ ତପସ୍ୟାରୁ ନାରାୟଣ ଦର୍ଶନ ଓ ପରେ ପଦଧୌତ୤ ଏହି ପଦଧୌତ ଜଳରାଶିର ଧାରା ହିଁ ଗଙ୍ଗାର ଧାରା ୤ ଏହିଠାରୁ ଆରମ୍ଭ ହୁଏ ଗଙ୍ଗାଙ୍କର ଜନ୍ମବୃତ୍ତାନ୍ତ୤ ଜ୍ୟେଷ୍ଠ ଶୁକ୍ଳ ଦଶମୀ ଗଙ୍ଗାଙ୍କର ଜନ୍ମ୤ ଏହି ଦିନଟି ଗଙ୍ଗା ଜୟନ୍ତୀ ନାମେ ବିଦିତ୤ ସେ ପୁଣି ଦଶ ପାପ ହାରିଣୀ୤ ଏଣୁ ଏହି ଦିବସକୁ ଗଙ୍ଗା ଦଶହରା ବୋଲି କୁହନ୍ତି୤ ଏହିଦିନ ଗଙ୍ଗା ନାରାୟଣ ନାମରେ ଯେ କୌଣସି ନଦୀ ବା ଜଳାଶୟରେ ସ୍ନାନ ବା ବୁଡ଼ ପକାଇଲେ ସକଳ ପାପ ଦୂରିତ ହୁଏ ବୋଲି ବିଶ୍ୱାସ୤ କିଛି ନହେଲେ ଗଙ୍ଗାଜଳ ଟୋପାଏ ମଥ ସିଞ୍ଚନ ବା ଉଦରସ୍ଥ କରିବା ଏହି ଦିନରେ ଉଚିତ୍‌ ମନେକରାଯାଏ୤[୫]

ଆଧାର[ସମ୍ପାଦନା]

  1. Adarsh Mobile Applications LLP. "2016 Ganga Dussehra Date for Bhubaneshwar, Odisha, India". Retrieved 16 February 2016.
  2. ବିପିନ ବିହାରୀ ମହାନ୍ତି, ପୃଷ୍ଠା-୪,ଦିନଲିପି, ୨୮.୫.୨୦୧୫
  3. ପ୍ରମେୟ, ପୃଷ୍ଠା-୨, ମଙ୍ଗଳବାର, ୧୮ଜୁନ୍ ୨୦୧୩
  4. ଲଚ୍ଛମନ ରାଉତ, ପୃଷ୍ଠା-୧୪,୧୪.୧.୧୫, ସଂଚାର
  5. ବିପିନ ବିହାରୀ ମହାନ୍ତି, ପୃଷ୍ଠା-୪,ଦିନଲିପି, ୨୮.୫.୨୦୧୫