କାହ୍ନା ଜାତୀୟ ଉଦ୍ୟାନ

ଉଇକିପିଡ଼ିଆ ରୁ
Jump to navigation Jump to search
କାହ୍ନା ଜାତୀୟ ଉଦ୍ୟାନ
କାହ୍ନା ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
Royal Bengal Tiger Kanha.JPG
କାହ୍ନା ଜଙ୍ଗଲର ଏକ ମହାବଳ ବାଘ
Map showing the location of କାହ୍ନା ଜାତୀୟ ଉଦ୍ୟାନ.
Map showing the location of କାହ୍ନା ଜାତୀୟ ଉଦ୍ୟାନ.
ଅବସ୍ଥାନମଧ୍ୟ ପ୍ରଦେଶ, ଭାରତ
ପାଖ ସହରମଣ୍ଡଳ
ଦିଗବାରେଣି22°20′N 80°38′E / 22.333°N 80.633°E / 22.333; 80.633Coordinates: 22°20′N 80°38′E / 22.333°N 80.633°E / 22.333; 80.633
କ୍ଷେତ୍ରଫଳ୯୪୦ ବର୍ଗ କି.ମି.
ପରିଚାଳନାMadhya Pradesh Forest Department

କାହ୍ନା ବ୍ୟାଘ୍ର ଅଭୟାରଣ୍ୟ ବା କାହ୍ନା ଜାତୀୟ ଉଦ୍ୟାନ ଭାରତର ପ୍ରମୁଖ ଜାତୀୟ ଉଦ୍ୟାନମାନଙ୍କ ମଧ୍ୟରୁ ଗୋଟିଏ । ଏହା ମଧ୍ୟ ପ୍ରଦେଶର ସର୍ବ ବୃହତ୍ ଅଭୟାରଣ୍ୟ । ବର୍ତ୍ତମାନର କାହ୍ନା ଅଭୟାରଣ୍ୟ ହାଲୋନ୍ (୨୫୦ ବର୍ଗ କି.ମି.) ଓ ବଞ୍ଜର୍ (୩୦୦ ବର୍ଗ କି.ମି.) - ଏପରି ଦୁଇଟି ଭାଗରେ ବିଭକ୍ତ ।[୧] ୧୯୫୫ ମସିହରେ କାହ୍ନା ଜାତୀୟ ଉଦ୍ୟାନର ସ୍ଥାପନା କରାଯାଇଥିଲା ଓ ୧୯୭୩ ମସିହାରେ ଏହାକୁ ଏକ ବ୍ୟାଘ୍ର ଅଭୟାରଣ୍ୟ ଭାବେ ମାନ୍ୟତା ଦିଆଗଲା । ୯୪୦ ବର୍ଗ କି.ମି. ପରିମିତ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟ ପ୍ରଦେଶର ମଣ୍ଡଳ ଓ ବଳଘାଟ ଜିଲ୍ଲାରେ ବ୍ୟାପ୍ତ । କାହ୍ନାର କୋର୍ ଅଞ୍ଚଳ, ଅଣ-କୋର୍ ଜଙ୍ଗଲକୁ ମିଶାଇ ୧୦୬୭ ବର୍ଗ କି.ମି., ଆଖାପାଖି ୧୧୦ ବର୍ଗ କି.ମି. ଜଙ୍ଗଲ ଓ ଫେନ୍ ଅଭୟାରଣ୍ୟକୁ ମିଶାଇ କାହ୍ନା ବ୍ୟାଘ୍ର ଅଭୟାରଣ୍ୟ ବୋଲି କୁହାଯାଏ ।[୨][୩] ତେଣୁ ଏହା ମଧ୍ୟ ଭାରତର ସର୍ବ ବୃହତ୍ ବାଘ ଅଭୟାରଣ୍ୟ । ୨୦୧୫ ମସିହାର ଏକ ସର୍ବେକ୍ଷଣ ଅନୁସାରେ ପର୍ଯ୍ୟଟକଙ୍କ ତାଲିକାରେ ସର୍ବୋତ୍କୃଷ୍ଟ ୧୦ଟି ସ୍ଥାନ ମଧ୍ୟରୁ କାହ୍ନା ଅଭୟାରଣ୍ୟ ଅନ୍ୟତମ ଥିଲା ।[୪]

ଏହି ଜାତୀୟ ଉଦ୍ୟାନରେ ମହାବଳ ବାଘ, କଲରାପତରିଆ ବାଘ, ଭାଲୁ, ବାରାଶିଂଘା ହରିଣ, ବଳିଆ କୁକୁର ଆଦି ପ୍ରାଣୀ ବହୁ ସଂଖ୍ୟାରେ ଦେଖାଯାନ୍ତି । କାହ୍ନା ଓ ଆଖାପାଖି ଜଙ୍ଗଲରୁ ଅନୁପ୍ରାଣୀତ ହୋଇ ରୁଡ୍ୟାର୍ଡ୍ କିପ୍ଲିଂଗ୍‍ ପ୍ରସିଦ୍ଧ ଦ ଜଙ୍ଗଲ୍ ବୁକ୍ ପୁସ୍ତକ ଲେଖିଥିଲେ ବୋଲି କୁହଯାଏ ।[୫] ଭୁର୍‍ସିଂ ନାମକ ଏକ ବାରାଶିଂଘା ହରିଣକୁ କାହ୍ନା ଅଭୟାରଣ୍ୟର ମାସ୍କଟ୍ ରୂପେ ବ୍ୟବହାର କରାଯାଏ ଓ ଏପରି କରିବାରେ କାହ୍ନା ଭାରତର ପ୍ରଥମ ଜାତୀୟ ଉଦ୍ୟାନ ।[୬]

ଉଦ୍ଭିଦ ଜଗତ[ସମ୍ପାଦନା]

କାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ ୧୦୦୦ରୁ ଅଧିକ ପ୍ରଜାତିର ଫୁଲଗଛ ଦେଖାଯାଏ ।[୭] ଶାଳ (Shorea robusta) ଓ ଅନ୍ୟାନ୍ୟ ଜଙ୍ଗଲି ଗଛ ତଥା ତୃଣଭୂମି ସମୁଦ୍ର ପତନରୁ କମ୍ ଉଚ୍ଚତାରେ ଥିବା ଏହି ଜଙ୍ଗଲର ଶୋଭା ବୃଦ୍ଧି କରନ୍ତି । ପାହାଡ଼ିଆ ଅଞ୍ଚଳର ଉଚ୍ଚ ଜଙ୍ଗଲ କ୍ରାନ୍ତୀୟ ଆର୍ଦ୍ର ଓ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ ଶ୍ରେଣୀଭୁକ୍ତ । ପାହାଡ଼ର ବା ଉଚ୍ଚଭୂମିର ଢାଲୁଆ ଅଞ୍ଚଳରେ ବାଉଁଶ (Dendrocalamus strictus) ବୁଦାମାନ ଦେଖିବାକୁ ମିଳେ । ଏହି ବଣରେ ଏକ ସୁନ୍ଦର କପୋତ ଗଛ (Davidia involucrata) ରହିଛି ବୋଲି ଶୁଣାଯାଏ ।


କାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ ଅନେକ ଖୋଲା ତୃଣଭୂମି ରହିଛି । ଜଙ୍ଗଲ ମଧ୍ୟରୁ ସ୍ଥାନାନ୍ତରିତ ଗ୍ରାମ ଗୁଡ଼ିକର କୃଷିକ୍ଷେତ୍ର ଇତ୍ୟାଦି ବର୍ତ୍ତମାନ ବିସ୍ତୃତ ତୃଣଭୂମିର ରୂପ ବହନ କରିଛି । ଜଙ୍ଗଲର ଜୀବଙ୍କ ଅଧିବାସ ବୃଦ୍ଧି ପାଇଁ ଏଠାରେ ପୂର୍ବରୁ ରହିଆସିଥିବା କିଛି ଗ୍ରାମର ଲୋକଙ୍କର ଥଇଥାନ କରାଯାଇଥିଲା । ଏହି ଜଙ୍ଗଲରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ତୃଣ ବାରାଶିଂଘା ହରିଣ ଓ ବନ୍ୟ ଗୟଳ ପରି ପ୍ରାଣୀଙ୍କ ପ୍ରିୟ ଓ ଆବଶ୍ୟକ ଖାଦ୍ୟ । ଘଞ୍ଚ ଜଙ୍ଗଲରେ ଲତା, ବୁଦା ଓ ନାନା ଔଷଧୀୟ ବୃକ୍ଷ ବହୁ ପରିମାଣରେ ମିଳେ । ସେହିପରି ଜାତୀୟ ଉଦ୍ୟାନ ପରିସରରେ ରହିଥିବା ବିରାଟ ହ୍ରଦ ଓ ଜଳାଶୟରେ ଜଳଜ ଉଦ୍ଭିଦ ଦେଖାଯାନ୍ତି । ପ୍ରବାସୀ ଓ ଆର୍ଦ୍ର ଅଞ୍ଚଳର ପକ୍ଷୀମାନେ ଏହି ଜଳଜ ଉଦ୍ଭିଦକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି ।


ବନ୍ୟଜନ୍ତୁ[ସମ୍ପାଦନା]

କାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘ, କଲରାପତରିଆ ବାଘ, ବଳିଆ କୁକୁର, କଟାସ, ବିଲୁଆ, ଶିଆଳ ଆଦି ମାଂସାସୀ ସ୍ତନ୍ୟପାୟୀ ଜୀବ ଦେଖିବାକୁ ମିଳେ । ସନ୍ତସନ୍ତିଆ ଜମିରେ ବିଚରଣ କରୁଥିବା ବାରାଶିଂଘା ହରିଣ ଏହି ଜଙ୍ଗଲର ଗୌରବ ବା ଏକ ବିଶେଷ ହରିଣ ଜାତୀୟ ଜୀବ । ସନ୍ତସନ୍ତିଆ ଅଞ୍ଚଳର ହରିଣ ଶ୍ରେଣୀରେ ଏହା ଭାରତରେ ଦେଖିବକୁ ମିଳୁଥିବା ଏକମାତ୍ର ପ୍ରଜାତି । ଏହାକୁ ଛାଡ଼ିଦେଲେ ସନ୍ତସନ୍ତିଆ ସ୍ଥାନରେ ରହୁଥିବା ହରିଣ କେବଳ ସୁନ୍ଦରବନରେ ଦେଖିହେବ । କିନ୍ତୁ ବାରାଶିଂଘା ହରିଣ ପଥୁରିଆ ଜମିରେ ମଧ୍ୟ ଆରାମରେ ଚଲାବୁଲା କରିପାରେ । ଏହି ଜଙ୍ଗଲରେ ଆରମ୍ଭ କରାଯାଇଥିବା ପୁନରୁଦ୍ଧାର ପ୍ରଚେଷ୍ଟା ବାରାଶିଂଘା ହରିଣକୁ ଲୁପ୍ତ ଅବସ୍ଥାରୁ ପୁନରୁଦ୍ଜୀବିତ କରିଛି । ଭାରତୀୟ ବନ୍ୟ ଗୟଳ (Bos guarus) ମଧ୍ୟ କାହ୍ନାରେ ରହିଛନ୍ତି କିନ୍ତୁ କେବଳ ଶୀତଋତୁ ପରେ ଏମାନେ ଦୃଷ୍ଟିଗୋଚର ହୁଅନ୍ତି । ଗ୍ରୀଷ୍ମ ଋତୁରେ ବନ୍ୟଗୟଳମାନେ ଜଳାଶୟ ଓ ତୃଣଭୂମି ଅଞ୍ଚଳରେ ଚରାବୁଲା କରନ୍ତି ।

ଜାତୀୟ ଉଦ୍ୟାନ ମଧ୍ୟରେ ରହିଥିବା ଅନ୍ୟ ହରିଣ ପ୍ରଜାତିମାନ ହେଲେ : ଚିତଲ୍ ହରିଣ, ସମ୍ବର ହରିଣ, କୁଟୁରା, ଚଉଶିଂଘା ହରିଣ । ବାମନୀ ଦାଦର ଚଢ଼ାଣିରେ ଚଉଶିଂଘା ହରିଣ ଦେଖାଯାନ୍ତି । ନିକଟ ଅତୀତରେ ଜାତୀୟ ଉଦ୍ୟାନ ମଧ୍ୟରେ କସ୍ତୁରୀ ମୃଗ ରହିଥିବା ଶୁଣାଯାଇଥିଲା ।

ଏହି ଜଙ୍ଗଲରେ କୃଷ୍ଣସାର ମୃଗ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି ।[୮] ଜଙ୍ଗଲରୁ ଏହି ପ୍ରଜାତି ନିଶ୍ଚିହ୍ନ ହୋଇଯିବା ପରେ ଅନ୍ୟ ସ୍ଥାନରୁ ଅଣାଯାଇ ଏକ ତାରବାଡ଼ ଘେରା ସ୍ଥାନରେ କିଛି କୃଷ୍ଣସାର ମୃଗଙ୍କୁ ରଖାଯାଇଛି । ଜଙ୍ଗଲର ସରାହି ପ୍ରବେଶ ନିକଟରେ ନୀଳଗାଈ ଦେଖାଯାନ୍ତି । କିନ୍ତୁ ଏକଦା କାହ୍ନାରେ ବହୁ ସଂଖ୍ୟାରେ ଦେଖାଯାଉଥିବା ଗଧିଆ ବର୍ତ୍ତମାନ ଏକ ବିରଳ ଜୀବ । ହେଟା ବାଘ, ଭାଲୁ ସମୟ ସମୟରେ ଦୃଶ୍ୟମାନ ହୁଅନ୍ତି । ହନୁ ମାଙ୍କଡ଼ବାର୍‍ହା ଦେଖାଯିବା ସାଧାରଣ କଥା ହୋଇଥିବା ବେଳେ ପାତି ମାଙ୍କଡ଼ କ୍ୱଚିତ୍ ଦେଖାଯାନ୍ତି ।

କୋକିଶିଆଳୀ, ହେଟା ବାଘ, କଟାସ, ବଣଭୁଆ, ଝିଙ୍କ, ଗାଡ଼ଭାଲୁଠେକୁଆ ପରି ରାତ୍ରିଚର ପ୍ରାଣୀ ଜାତୀୟ ଉଦ୍ୟାନ ପରିସୀମାର ବାହାରେ ମଧ୍ୟ ଦେଖାଯାନ୍ତି ।

ଅଭୟାରଣ୍ୟ ମଧ୍ୟରେ ଜଣା ଅଜଣା ୩୦୦ ପ୍ରଜାତିର ପକ୍ଷୀ ଦୃଶ୍ୟମାନ ହୁଅନ୍ତି । କାଳକଣ୍ଟକ (black ibis), ବି-ଇଟର୍, ଗୋରୁସାଥୀ ବଗ, ଶୁଆ, ପୋଖରୀ ବଗ, ଡ୍ରୋଂଗୋ, ବତକ, ସାପଖିଆ ଚିଲ, କୋଚିଲାଖାଇ, ପାରା, କାଠହଣା, ମୟୂର, ମୈନା, ବଣ କୁକୁଡ଼ା, ମାଛରଙ୍କା, ନୀଳକଣ୍ଠ ଇତ୍ୟାଦି ପ୍ରଜାତିର ପକ୍ଷୀ ଏହି ଜଙ୍ଗଲରେ ଦେଖିହେବ ।

ଅଜଗର ସାପ, ନାଗ ସାପ, ଚିଟି ସାପ, ବୋଡ଼ା ସାପ, ମୂଷାଖିଆ ସାପ ଇତ୍ୟାଦି ସରୀସୃପ ମୁଖ୍ୟତଃ ରାତ୍ରିଚର । ତେଣୁ ଏମାନେ ବହୁ କମ୍ ସମୟରେ ଦେଖାଯାନ୍ତି । କଇଁଛ ଓ ଅନ୍ୟ କିଛି ଉଭୟଚର ପ୍ରାଣୀ ଜଳାଶୟମାନଙ୍କ ନିକଟରେ ଦେଖାଯାନ୍ତି ।

ଗଣ୍ଡୱାନାର ଅଂଶ କାହ୍ନା ଏବଂ ସାତପୁରା ଜାତୀୟ ଉଦ୍ୟାନ ଏବେ ବ୍ୟାଘ୍ର ଅଭୟାରଣ୍ୟରେ ପରିଣତ ହୋଇଥିଲେ ହେଁ ଏକଦା ଭାରତୀୟ ହାତୀମାନଙ୍କ ଶାସନ କ୍ଷେତ୍ର ଓ ପ୍ରିୟ ଅଧିବାସ ଥିଲା ।[୯]

ବାରାଶିଂଘା ହରିଣର ପୁନରୁତ୍ଥାନ[ସମ୍ପାଦନା]

ବାରାଶିଂଘା ହରିଣ ବଂଶର ପୁନରୁତ୍ଥାନ କରାଇବା ଏହି ଅଭୟାରଣ୍ୟରେ ନିଆଯାଇଥିବା ଏକ ରୋମାଞ୍ଚକ ପଦକ୍ଷେପ । ଏହି ଜଙ୍ଗଲରେ ଥିବା ବନ୍ୟ ଗୟଳମାନଙ୍କୁ ବାନ୍ଧବଗଡ଼ ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତରିତ କରିବାର ଯୋଜନା ରହିଥିଲା । କିଛି ବାରାଶିଂଘା ହରିଣଙ୍କୁ ନିକଟବର୍ତ୍ତୀ ସାତପୁରା ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତର କରାଇବାକୁ ମଧ୍ୟ ଯୋଜନା କରାଯାଇଥିଲା । ଏହି ଯୋଜନା ଅନୁସାରେ ପ୍ରାୟ ୫୦୦ ବାରାଶିଂଘା ହରିଣ ସାତପୁରାର ୮-୯ଟି ଭିନ୍ନ ଭିନ୍ନ ସ୍ଥାନରେ ଛଡ଼ାଯିବ । କାହ୍ନାରୁ ୨୦ଟି ବାଘଙ୍କୁ ସାତପୁରା ଜଙ୍ଗଲକୁ ଥଇଥାନ କରାଇବା ପାଇଁ ଏକ ପ୍ରକଳ୍ପ ଚାଲିଛି ।[୧୦]

ବ୍ୟାଘ୍ର ସଂରକ୍ଷଣ ଓ ବାଇଗା ଜନଜାତି[ସମ୍ପାଦନା]

୧୯୬୮ ମସିହା ପର୍ଯ୍ୟନ୍ତ ବାଇଗା ଜନଜାତିର ଲୋକେ କାହ୍ନାର ଜଙ୍ଗଲରେ ଯାଯାବର ଜୀବନଯାପନ କରୁଥିଲେ ଓ ଜଙ୍ଗଲଜାତ ଦ୍ରବ୍ୟରୁ ନିଜର ପରିବାର ପୋଷଣ କରୁଥିଲେ । ଏହି ସମୟରେ ଏମାନଙ୍କୁ କାହ୍ନାରେ ରହିଥିବା ୨୮ଟି ଗ୍ରାମରୁ ସ୍ଥାନାନ୍ତରିତ କରାଗଲା । ବାଘମାନଙ୍କୁ ନିରଙ୍କୁଶ ଓ ଉପଯୁକ୍ତ ଅଧିବାସ ଯୋଗାଇବା ପାଇଁ ଏହି ସ୍ଥାନାନ୍ତରଣ ଅତ୍ୟନ୍ତ ଜରୁରୀ ଥିଲା ।[୧୧] ବାଇଗା ସମୁଦାୟ ଲୋକମାନଙ୍କ ନୂତନ ରହିବା ସ୍ଥାନ ଅତ୍ୟନ୍ତ ଅନୁର୍ବର ଜମି । ସେମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ନିଶାସକ୍ତି ତଥା ପୁଷ୍ଟିହୀନତାଦ୍ୱାରା କବଳିତ ଓ ଭିକ୍ଷାବୃତ୍ତି କରି ବଞ୍ଚୁଛନ୍ତି ।[୧୧] କାହ୍ନାରୁ ସବୁଠାରୁ ଶେଷରେ ସ୍ଥାନାନ୍ତରିତ ଗ୍ରାମ ଅଭୟାରଣ୍ୟର କୋର୍ ଅଞ୍ଚଳରେ ରହିଥିଲା ।[୧୧] ଗୋଣ୍ଡ ଓ ବାଇଗା ଜନଜାତିର ଲୋକଙ୍କ ପାଇଁ ଏହା ତାଙ୍କର ବଂଶଗତ ଘର ।

୨୦୧୦ ଜାନୁଆରୀ ମାସରେ ବାଇଗା ସମ୍ପ୍ରଦାୟର ଲୋକଙ୍କୁ ସରକାର କୌଣସି କ୍ଷତିପୂରଣ ନଦେଇ ଜାତୀୟ ଉଦ୍ୟାନ ମଧ୍ୟରୁ ଅବୈଧ ଉପାୟରେ ଉଠାଇଦେବା କଥା ସର୍ଭାଇଭାଲ୍ ଇଣ୍ଟର୍‍ନ୍ୟାସ୍‍ନାଲ୍ ପ୍ରକାଶ କରିଥିଲା ।[୧୨][୧୩]

ବାଘଙ୍କ ଅଧିବାସର ପୁନରୁଦ୍ଧାର ଓ ବିକାଶ ପାଇଁ ଭାରତୀୟ WWF ସଂସ୍ଥା କିଛି ସୁସଂରକ୍ଷିତ ବଳୟ ଚିହ୍ନଟ କରିଛି । ଏହି ଅଞ୍ଚଳରେ ଶିକାର ଜନ୍ତୁ ଓ ବାଘଙ୍କ ଦୈନନ୍ଦିନ ଜୀବନ ଉପରେ ଦୃଷ୍ଟି ରଖାଯାଉଥିବାରୁ ଏଠାରେ ବାଘସଂଖ୍ୟା ପ୍ରାୟ ସ୍ଥିର ହୋଇ ରହିଛି । ମନୁଷ୍ୟଙ୍କ ଜୀବନ ରକ୍ଷା, ଜଙ୍ଗଲଜାତ ସାମଗ୍ରୀ ଉପରେ ନିର୍ଭରତା କମ୍ କରିବା, ଗୋରୁଗାଈଙ୍କ ହତ୍ୟାରେ ଲୋକେ ବାଘଙ୍କ ପ୍ରତି ଯେପରି ଅତ୍ୟନ୍ତ ଅସହିଷ୍ଣୁ ନ ହୁଅନ୍ତୁ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।[୧୪]

କିଛି ଜାଣିବା କଥା[ସମ୍ପାଦନା]

କାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ :

  • କୋର୍ ଅଞ୍ଚଳର କ୍ଷେତ୍ରଫଳ : ୯୪୦ (କି.ମି.)
  • ଭୌଗୋଳିକ ରୂପ : ଶାଳ ଓ ବାଉଁଶ ଜଙ୍ଗଲ, ମାଳ ଓ ପଥୁରିଆ ଭୂମି, ତୃଣଭୂମିରେ ପୂର୍ଣ୍ଣ, ଅନେକ ଛୋଟବଡ଼ ଝରଣା ଓ ନଦୀନାଳଦ୍ୱାରା ବିଖଣ୍ଡିତ
  • ପର୍ଯ୍ୟଟନ ପାଇଁ ସର୍ବୋତ୍କୃଷ୍ଟ ସମୟ : ଫେବୃଆରୀରୁ ଜୁନ୍
  • ସକାଳେ ଅଭୟାରଣ୍ୟ ଭ୍ରମଣ ସମୟ : ପ୍ରାତଃ ୬:୩୦ରୁ ୧୧:୩୦
  • ସନ୍ଧ୍ୟାରେ ଅଭୟାରଣ୍ୟ ଭ୍ରମଣ ସମୟ : ଅପରାହ୍ନ ୩:୦୦ରୁ ସନ୍ଧ୍ୟା ୬:୦୦
  • ମୌସୁମୀ ପ୍ରବାହ ସମୟରେ ପ୍ରତିବର୍ଷ ୧ ଜୁଲାଇରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଅଭୟାରଣ୍ୟ ପର୍ଯ୍ୟଟକ, ଗବେଷକ ଓ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ବନ୍ଦ ରହେ ।

ଗମନାଗମନ[ସମ୍ପାଦନା]

କାହ୍ନା ଅଭୟାରଣ୍ୟରୁ ୧୭୫ କି.ମି. ଦୂରରେ (ପ୍ରାୟ ୪ ଘଣ୍ଟା ୩୦ ମିନିଟ୍ ଦୂରରେ) ଅବସ୍ଥିତ ଜବଲପୁର ବିମାନ ବନ୍ଦରରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ପୁଣେ, ବେଲଗାଓଁ, ଭୋପାଳ ପ୍ରଭୃତି ସହରକୁ ଦୈନିକ ବିମାନ ଚଳାଚଳ ବ୍ୟବସ୍ଥା ରହିଛି । କାହ୍ନା ଅରଣ୍ୟକୁ ନାଗପୁର (୨୬୦ କି.ମି.) ଓ ରାଇପୁର(୨୧୯ କି.ମି.) ବିମାନ ବନ୍ଦର ମାଧ୍ୟମରେ ମଧ୍ୟ ଯାଇହେବ ।

ଜବଲପୁର ହେଉଛି କାହ୍ନାର ନିକଟବର୍ତ୍ତୀ ରେଳ ଷ୍ଟେସନ । ଏହି ରେଳ ଷ୍ଟେସନରୁ ଦେଶର ଅଧିକାଂଶ ସ୍ଥାନକୁ ରେଳ ଚଳାଚଳ ହୁଏ । ଜବଲପୁରରୁ ମଣ୍ଡଳ ସହର ଦେଇ କାହ୍ନା ଅଭୟାରଣ୍ୟକୁ ସଡ଼କପଥ ରହିଛି ।

ଜାତୀୟ ଉଦ୍ୟାନରେ ପ୍ରବେଶ କରିବା ପାଇଁ ତିନୋଟି ମୁଖ୍ୟ ଦ୍ୱାର ରହିଛି । ଜବଲପୁର ପଟରୁ କିସ୍‍ଲି ଦ୍ୱାର ପହଞ୍ଚିବା ସହଜ । ଦ୍ୱିତୀୟ ପ୍ରବେଶ ପଥ ମୁକ୍କି ନିକଟରେ ଓ ସଦ୍ୟ ନିର୍ମିତ ତୃତୀୟ ପ୍ରବେଶ ଦ୍ୱାର ସେରାଇ ନିକଟରେ ଅବସ୍ଥିତ ।

କାହ୍ନା ଜଙ୍ଗଲ ଓ ପରିବେଶର ମୂଲ୍ୟାଙ୍କନ[ସମ୍ପାଦନା]

କାହ୍ନା ଅଭୟାରଣ୍ୟର ଏକ ଅର୍ଥନୈତିକ ସର୍ବେକ୍ଷଣରୁ ଜଣା ପଡ଼ିଛି ଯେ ଏହି ଅଭୟାରଣ୍ୟରୁ ପ୍ରତିବର୍ଷ ୧୬୫୦ କୋଟି ଟଙ୍କାର ଲାଭ ମିଳେ (ହେକ୍ଟର୍ ପିଛା ପ୍ରାୟ ୮୦ ହଜାର ଟଙ୍କା) । ପ୍ରତିବର୍ଷ ଜିନ୍-ପୁଲ୍ ସୁରକ୍ଷାରୁ ୧୨୪..୧ କୋଟି, ପାଣି ବଣ୍ଟନରୁ ୫୫୮୦ ଲକ୍ଷ, ଅଣ-କୋର୍ ଅଞ୍ଚଳରେ ଖାଦ୍ୟ ଯୋଗାଇବା ଫଳରେ ୫୪୬୦ ଲକ୍ଷର ଲାଭ ହୋଇଥାଏ । ପର୍ଯ୍ୟଟନ ଓ ଅନ୍ୟ ଉତ୍ସରୁ ୯୯୨୦ ଲକ୍ଷ ଲାଭ ମିଳେ ।[୧୫]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Kanha Tiger Reserve".
  2. "Kanha Tiger Reserve". Madhya Pradesh Forest Department. Archived from the original on 10 March 2011. Retrieved 14 April 2010.
  3. "Kahna Tiger Reserve: History and origin (3rd slide)". Kahna Tiger Reserve. Retrieved 21 March 2015.
  4. Williams, Sarah. "Top 10 Must Visit Tourist Places in India". Touropia. Retrieved 10 January 2015.
  5. "On 'The Jungle Book' trail at Kanha National Park". DNA India. 18 April 2016. Retrieved 18 May 2017.
  6. Neeraj Santoshi (29 March 2017). "Meet 'Bhoorsingh the Barasingha': Kanha tiger reserve becomes first in India get official mascot". Hindustan Times. Retrieved 18 May 2017.
  7. "Kanha National Park". Reservation Portal Madhya Pradesh Forest Department. MPOnline Ltd., JV between MPSEDC of Govt. of Madhya Pradesh & TATA Consultancy Services. Retrieved 14 April 2010.
  8. A. P. Dwivendi: Protected Areas of Madhya Pradesh, Government printing Press, Bhopal 2003
  9. https://web.archive.org/web/20130811081304/http://www.banglalive.com/News/SpecialNewsDetail/5966. Archived from the original on August 11, 2013. Retrieved August 22, 2013. Missing or empty |title= (help)
  10. sala Reintroduction of Barasingha: Kanha National Park – Satpura Tiger Reserve Archived 2013-07-21 at the Wayback Machine.
  11. ୧୧.୦ ୧୧.୧ ୧୧.୨ "Out of the Jungle: The Baigas - Sayantan Bera". Galli Magazine. Retrieved 21 March 2015.
  12. Survival International. "Tribespeople illegally evicted from 'Jungle Book' tiger reserve". survivalinternational.org. Retrieved 21 March 2015.
  13. "Kanha Tiger Reserve".
  14. "WWF India - WWF-India's work for tiger". wwfindia.org. Retrieved 21 March 2015.
  15. (PDF) https://web.archive.org/web/20160826050803/http://www.iifm.ac.in/sites/default/files/Newspdf/IIFM-NTCA-REPORT.compressed-min.pdf. Archived from the original (PDF) on 26 August 2016. Retrieved 14 August 2016. Missing or empty |title= (help)

ଉତ୍ସ[ସମ୍ପାଦନା]

  • K.K.Gurung, Gopal awasthi & Raj Singh: Field Guide to the Mammals of the Indian Subcontinent, Academic Press, San Diego, ISBN 0-12-309350-3

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]