ସରିସ୍କା ଜାତୀୟ ଉଦ୍ୟାନ
ସରିସ୍କା ଜାତୀୟ ଉଦ୍ୟାନ | |
---|---|
ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ | |
IUCN Category II (National Park) | |
ଅବସ୍ଥାନ | ଅଲୱର୍ ଜିଲ୍ଲା, ରାଜସ୍ଥାନ, ଭାରତ |
ପାଖ ସହର | ଅଲୱର୍ |
ଦିଗବାରେଣି | 27°19′03″N 76°26′13″E / 27.31750°N 76.43694°E |
କ୍ଷେତ୍ରଫଳ | ୮୬୬ ବର୍ଗ କିଲୋମିଟର୍ |
ସ୍ଥାପିତ | ୧୯୫୫ |
ପରିଚାଳନା | ବ୍ୟାଘ୍ର ପ୍ରକଳ୍ପ, ରାଜସ୍ଥାନ ସରକାର, ବନ୍ୟପ୍ରାଣୀ ନିରୀକ୍ଷକ (ସରିସ୍କା ଜାତୀୟ ଉଦ୍ୟାନ) |
ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ ଭାରତର ଜାତୀୟ ଉଦ୍ୟାନମାନଙ୍କ ମଧ୍ୟରୁ ଅନ୍ୟତମ ଓ ରାଜସ୍ଥାନର ଅଲୱର୍ ଜିଲ୍ଲାରେ ଅବସ୍ଥିତ । ୮୬୬ ବର୍ଗ କି.ମି. ପରିମିତ ଏହି ସଂରକ୍ଷିତ ଅଞ୍ଚଳର ଜଙ୍ଗଲ ମୁଖ୍ୟତଃ କଣ୍ଟକମୟ ଓ ବୁଦାଳିଆ, ଭୂମି ପଥୁରିଆ, ଗଛଗୁଡ଼ିକ ଶୁଷ୍କ ପର୍ଣ୍ଣମୋଚୀ ଶ୍ରେଣୀର । ଏଠାରେ ଠାଏ ଠାଏ ପଥର, ତୃଣଭୂମି ଓ ଛୋଟବଡ଼ ପାହାଡ଼ମାନ ମଧ୍ୟ ରହିଛନ୍ତି । ଏହି ଜଙ୍ଗଲ ପୂର୍ବେ ଅଲୱର୍ ରାଜ୍ୟର ଶିକାର କ୍ଷେତ୍ର ରୂପେ ପରିଚିତ ଥିଲା । ୧୯୫୫ ମସିହାରେ ଏହାକୁ ଏକ ଅଭୟାରଣ୍ୟର ମାନ୍ୟତା ପ୍ରାପ୍ତ ହେଲା । ବ୍ୟାଘ୍ର ପ୍ରକଳ୍ପ (ପ୍ରୋଜେକ୍ଟ୍ ଟାଇଗର୍) ଆରମ୍ଭ ହେବାପରେ ୧୯୭୮ ମସିହାରେ ଏହା ଏକ ବ୍ୟାଘ୍ର ଅଭୟାରଣ୍ୟ ଭାବେ ପରିଗଣିତ ହେଲା । ୧୯୮୨ ମସିହାରେ ଏହି ଅଭୟାରଣ୍ୟ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା । ଜାତୀୟ ଉଦ୍ୟାନର କ୍ଷେତ୍ରଫଳ ପ୍ରାୟ ୨୭୩.୮ ବର୍ଗ କି.ମି. ।[୧] ଅନ୍ୟ ଜଙ୍ଗଲରୁ ସ୍ଥାନାନ୍ତରିତ ବାଘଙ୍କ ପୁନର୍ବିକାଶ ଓ ବଂଶବୃଦ୍ଧିରେ ସଫଳ ପ୍ରଚେଷ୍ଟା କରିଥିବା ବିଶ୍ୱର ପ୍ରଥମ ଅଭୟାରଣ୍ୟ ହେଉଛି ସରିସ୍କା ।
ଏହି ଜାତୀୟ ଉଦ୍ୟାନ ହିନ୍ଦାଉଁଠାରୁ ୧୦୬ କିଲୋମିଟର୍, ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ୧୦୭ କିଲୋମିଟର୍ ଓ ଦେଶର ରାଜଧାନୀ ଦିଲ୍ଲୀଠାରୁ ୨୦୦ କିଲୋମିଟର୍ ଦୂରରେ ଅବସ୍ଥିତ ।[୨] ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳ ଆରାବଳୀ ପର୍ବତଶ୍ରେଣୀର ଏବଂ କାଥିଆୱାଡ୍-ଗିର୍ ପର୍ଣ୍ଣମୋଚୀ ଜଙ୍ଗଲର ଅଂଶ ।[୩] ତମ୍ବା ପରି ଧାତବ ଖଣିଜ ଏଠାରେ ବହୁମାତ୍ରାରେ ଗଚ୍ଛିତ ହୋଇ ରହିଛି । ୧୯୯୧ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କଦ୍ୱାରା ଖଣି ପାଇଁ ଖନନ, ବିସ୍ଫୋରଣ ଇତ୍ୟାଦି ଉପରେ ଲାଗୁ କରାଯାଇଥିବା ନିଷିଦ୍ଧାଦେଶ ସତ୍ତ୍ୱେ ଏଠାରେ ମାର୍ବଲ୍ ପଥର ଖନନ ଚାଲିଛି ଯାହା ଏଠାକାର ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି ।[୪]
ବାଘ ସଂଖ୍ୟା
[ସମ୍ପାଦନା]୨୦୦୪ ମସିହାରେ ବିଭିନ୍ନ ଗବେଷକ ଦୃଢ଼ ଭାବରେ ମତ ରଖିଲେ ଯେ ସରିସ୍କା ଜାତୀୟ ଉଦ୍ୟାନରେ ଆଉ ଗୋଟିଏ ବି ମହାବଳ ବାଘ ନାହାନ୍ତି । ଜଙ୍ଗଲରେ ବୁଲିବା ବେଳେ ମହାବଳ ବାଘ ଦେଖାଯାଉ ନଥିଲେ । ଏପରିକି ଜଙ୍ଗଲରେ ବାଘର ପଞ୍ଝାଦାଗ, ଗଛରେ ରାମ୍ପୁଡ଼ା ଚିହ୍ନ ମଧ୍ୟ ଦେଖିବାକୁ ମିଳୁନଥିଲା । ତେଣୁ ବାଘ ରହିଥିବାର କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରମାଣ ନ ମିଳିବାରୁ ତତ୍କାଳୀନ ରାଜସ୍ଥାନ ବନ ବିଭାଗ ବେପରୁଆ ଭାବେ ମତ ରଖିଲା ଯେ ଶୁଷ୍କ ଋତୁରେ ବାଘମାନେ ସାମୟିକ ଭାବେ ଅନ୍ୟ କୌଣସି ସ୍ଥାନକୁ ଚାଲିଯାଇଛନ୍ତି ଏବଂ ବର୍ଷା ଋତୁରେ ପୁଣି ଅଭୟାରଣ୍ୟକୁ ଫେରି ଆସିବେ । ବ୍ୟାଘ୍ର ପ୍ରକଳ୍ପ ଦଳ(ଏବେକାର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ) ମଧ୍ୟ ଏହାର ସମର୍ଥନ କଲା । ୧୬ଟି ବାଘ ରହିଥିବା କଥା କୁହାଗଲା । ୨୦୦୫ ମସିହାରେ ଜୟ ମଜୁମ୍ଦାର୍ ନାମକ ଜଣେ ସାମ୍ବାଦିକ[୫] ସରିସ୍କାରେ ଗୋଟିଏ ବି ବାଘ ନଥିବା ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଥିଲେ । ଏହା ପରେ ରାଜସ୍ଥାନ ବନ ବିଭାଗ ଓ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ତୁରନ୍ତ ସରିସ୍କାରେ ଏକ ଆପାତକାଳୀନ ବ୍ୟାଘ୍ର ଗଣନା କରାଇଲେ । କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (CBI) ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । ଦୁଇ ମାସର ତଦନ୍ତ ପରେ ଜଣା ପଡ଼ିଲା ଯେ ପ୍ରକୃତରେ ସରିସ୍କା ଜଙ୍ଗଲରେ ଆଉ ମହାବଳ ବାଘ ନଥିଲେ । ଅବୈଧ ଶିକାର ଯୋଗୁଁ ଏଠାରେ ଥିବା ସମସ୍ତ ବାଘ ପ୍ରାଣ ହରାଇଥିଲେ । ସରିସ୍କାରେ ପୁଣି ବାଘ ସାମ୍ରାଜ୍ୟର ପୁନରୁତ୍ଥାନ ପାଇଁ ଅନ୍ୟ ଜଙ୍ଗଲରୁ ୩ଟି ବାଘଙ୍କୁ ଆଣି ଏଠାରେ ଛଡ଼ାଗଲା । ଆଉ ୨ଟି ବାଘଙ୍କୁ ପରବର୍ତ୍ତୀ ବର୍ଷ ଅଣାଯିବାର ଯୋଜନା ହେଲା ।
୨୦୧୨ ମସିହାରେ ଏକ ବାଘୁଣୀକୁ ତା’ର ଦୁଇଟି ଛୁଆଙ୍କ ସହିତ ଦେଖିବାକୁ ମିଳିଥିଲା । ଏମାନଙ୍କୁ ମିଶାଇ ଅଭୟାରଣ୍ୟର ବାଘସଂଖ୍ୟା ସେତେବେଳକୁ ଥିଲା ୫ଟି ବୟସ୍କ ବାଘ ଓ ଦୁଇଟି ଶାବକ (ସର୍ବମୋଟ ୭ଟି ବାଘ) ।[୬] ୨୦୧୪ ଜୁଲାଇ ମାସରେ ଆଉ ଦୁଇଟି ବାଘଛୁଆଙ୍କୁ ଠାବ କରାଯାଇଥିଲା । ସେ ସମୟରେ ଜଙ୍ଗଲରେ ୯ଟି ବୟସ୍କ ବାଘ ଓ ୨ଟି ତରୁଣ ବାଘ (ସର୍ବମୋଟ ୧୧ଟି ବାଘ) ରହିଥିଲେ ।[୭] ୨୦୧୪ ଅଗଷ୍ଟ ମାସରେ ଆଉ ଦୁଇଟି ବାଘଛୁଆ ଦେଖାଯିବା ପରେ ସରିସ୍କାର ବାଘସଂଖ୍ୟା ୧୩ (୭ ବାଘୁଣୀ, ୨ଟି ବାଘ ଓ ୪ଟି ବାଘଛୁଆ) ବୋଲି ଜଣା ପଡ଼ିଲା । ବାଘସଂଖ୍ୟାରେ ବୃଦ୍ଧି ବନ୍ୟଜୀବ ବିଶେଷଜ୍ଞ ଓ ପରିବେଶବିତ୍ମାନଙ୍କୁ ଉତ୍ସାହିତ କରିଛି । ବଣକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ।
ସ୍ଥାନାନ୍ତରଣ ପାଇଁ ପଦକ୍ଷେପ
[ସମ୍ପାଦନା]୨୦୦୫ ମସିହାରେ ରାଜସ୍ଥାନ ସରକାର, ଭାରତ ସରକାର ଓ ଭାରତୀୟ ବନ୍ୟଜନ୍ତୁ ଅନୁଷ୍ଠାନଙ୍କ (WII) ମିଳିତ ଉଦ୍ୟମରେ ଅଭୟାରଣ୍ୟ ମଧ୍ୟରେ ରହିଥିବା ଗ୍ରାମମାନଙ୍କ ଥଇଥାନ ଓ ଜଙ୍ଗଲରେ ଅନ୍ୟସ୍ଥାନରୁ ବାଘମାନଙ୍କୁ ଆଣି ରଖିବା ପାଇଁ ଯୋଜନା କରାଯାଇଥିଲା ।[୮] ଅଭୟାରଣ୍ୟ ଦେଇ ଯାଇଥିବା ସଡ଼କରୁ ଏକ ବାଇପାସ୍ ସଡ଼କ ନିର୍ମାଣ କରାଇବା ପାଇଁ ମଧ୍ୟ ଯୋଜନା କରାଗଲା ।[୯] ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରୁ ଗୋଟିଏ ବାଘ ଓ ଦୁଇଟି ବାଘୁଣୀ ଆଣି ସରିସ୍କା ଜଙ୍ଗଲରେ ଛଡ଼ାଯିବା ପାଇଁ ସ୍ଥିର କରାଗଲା ।[୧୦] ଭାରତୀୟ ବନ୍ୟଜନ୍ତୁ ଅନୁଷ୍ଠାନ (WII) ଓ ରାଜସ୍ଥାନ ସରକାର ସ୍ଥାନାନ୍ତରିତ ବାଘଙ୍କୁ ଠାବ କରିବା ପାଇଁ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ଦ୍ୱାରା ନିର୍ମିତ ସାଟେଲାଇଟ୍ ଓ ବୈଷୟିକ ଜ୍ଞାନର ସହାୟତା ଲୋଡ଼ିଥିଲେ ।[୧୧] ୨୦୦୮ ମସିହା ଜୁନ୍ ୨୮ ତାରିଖରେ ରନ୍ଥାମ୍ବୋର୍ରୁ ସରିସ୍କାକୁ ସ୍ଥାନାନ୍ତରିତ ପ୍ରଥମ ମହାବଳ ବାଘ ‘’ଦାରା’’କୁ ଆକାଶମାର୍ଗରୁ ନିରୀକ୍ଷଣ କରାଗଲା । ଭାରତୀୟ ବାୟୁସେନାର ୱିଂଗ୍ କମାଣ୍ଡର୍ ବିମଳ ରାଜ ଏମ୍. ଆଇ. – ୧୭ ହେଲିକପ୍ଟର୍ ଉଡ଼ାଇ ଏହି ନିରୀକ୍ଷଣ କାର୍ଯ୍ୟ ପରିଚାଳନା କରିଥିଲେ ।[୧୨]
ବିଶେଷଜ୍ଞମାନେ ମତ ପୋଷଣ କଲେ ଯେ ଅଭୟାରଣ୍ୟର ୪ଟିରୁ କେବଳ ଦୁଇଟି ଗାଁର ସ୍ଥାନାନ୍ତରଣ ଜରୁରୀ ଥିଲା । ତନ୍ମଧ୍ୟରୁ ପ୍ରଥମେ ଭଗାନି ଗ୍ରାମ ସ୍ଥାନାନ୍ତରିତ ହେଲା ଓ ଦ୍ୱିତୀୟ ଗ୍ରାମ କଙ୍କୱାଡ଼ି[୧୩] ବାଘମାନଙ୍କୁ ଅଣାଯିବାର ବହୁ ସମୟ ପରେ ସ୍ଥାନାନ୍ତରିତ ହୋଇଥିଲା । ସ୍ଥାନାନ୍ତରିତ ଭଗାନି ଗ୍ରାମରେ ଯେଉଁ ବାଘୁଣୀ ଛଡ଼ାଗଲା ତାକୁ ଭଗାନି ବୋଲି ନାମ ଦିଆଯାଇଥିଲା (ଏହି ବାଘୁଣୀ ରନ୍ଥାମ୍ବୋର୍ର ପ୍ରସିଦ୍ଧ ରାଣୀ ବାଘୁଣୀ ମଛଲିର ଝିଅ ଓ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରେ ଏହାକୁ ଟି-୧୮ ବା ଅଠାରା ବୋଲି ନାମିତ କରାଯାଇଥିଲା ।)। କିନ୍ତୁ ରାଜ୍ୟ ପର୍ଯ୍ୟଟନ ବିଭାଗଦ୍ୱାରା କରାଯାଇଥିବା କଙ୍କୱାଡ଼ି ଦୁର୍ଗର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଫଳରେ ବନ୍ୟଜନ୍ତୁ ସଂରକ୍ଷଣ ନିୟମ ଉଲ୍ଲଂଘନ ହେବାର ସମ୍ଭାବନା ସୃଷ୍ଟି ହେଲା ।[୧୪] ଅଭୟାରଣ୍ୟ ଦେଇ ଯାଇଥିବା ସଡ଼କ ବିସ୍ଥାପିତ ହୋଇପାରିନଥିବାରୁ ବନ୍ୟଜୀବଙ୍କ ଜୀବନ ପ୍ରତି ବିପଦ କମିନାହିଁ ।[୧୫]
ଫେବୃଆରୀ ୨୦୦୯ରେ ରନ୍ଥାମ୍ବୋର୍ରୁ ଆଉ ଏକ ବାଘୁଣୀ ଆଣି ସରିସ୍କାରେ ଛଡ଼ାଗଲା ।[୧୬] ୨୦୧୦ ମସିହା ଜୁଲାଇ ୨୮ ତାରିଖରେ ରନ୍ଥାମ୍ବୋର୍ରୁ ଆଉ ଏକ ବାଘୁଣୀ ଆଣି ସରିସ୍କାରେ ଛଡ଼ାଗଲା । ଫଳରେ ୨୦୧୦ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ସରିସ୍କାର ବାଘ ସଂଖ୍ୟା ୨ ଓ ବାଘୁଣୀ ସଂଖ୍ୟା ୩ (ସର୍ବମୋଟ ୫) ଥିଲା । ନଭେମ୍ବର ମାସରେ ରନ୍ଥାମ୍ବୋର୍ରୁ ସ୍ଥାନାନ୍ତରିତ ବାଘ CP-୧ର ମୃତ୍ୟୁ ଘଟିଥିଲା ।[୧୭] ଏକ ମୃତ ଶିକାରର ଶବରେ ବିଷ ମିଶାଇ ଦିଆଯାଇଥିଲା ଓ ବାଘଟି ଏହାକୁ ଖାଇ ମୃତ୍ୟୁ ବରଣ କରିଥିଲା ।[୧୮]
ସ୍ଥାନାନ୍ତରିତ ପ୍ରଥମ ତିନି ବାଘ-ବାଘୁଣୀଙ୍କ ପିତା ସମାନ ଓ ପ୍ରଥମ ଦୁଇଟି ବାଘୁଣୀଙ୍କ ମା ଏକ ।[୧୯][୨୦] ସମ୍ପର୍କୀୟ ବାଘ-ବାଘୁଣୀଙ୍କ ଅନ୍ତଃ-ପ୍ରଜନନରୁ ଜାତ ଶାବକଙ୍କଠାରେ ଜେନେଟିକ୍ ଦୁର୍ବଳତା ଦେଖାଯାଏ ଓ ଏହା ବାଘଙ୍କ ବଂଶବୃଦ୍ଧି ପାଇଁ ଏକ ଚିନ୍ତାର ବିଷୟ ।
ସାଧାରଣ ତଥ୍ୟ
[ସମ୍ପାଦନା]- କ୍ଷେତ୍ରଫଳ : ୮୬୬ କି.ମି.୨
- ସମୁଦ୍ରପତନରୁ ଉଚ୍ଚତା : ୩୦୦-୭୨୨ ମିଟର୍
- ବୃଷ୍ଟିପାତ : ବର୍ଷକୁ ହାରାହାରି ୬୫୦ ମିଲିମିଟର୍
- ଅରଣ୍ୟ ପ୍ରକାର : କ୍ରାନ୍ତୀୟ, ଶୁଷ୍କ, ପର୍ଣ୍ଣମୋଚୀ ଏବଂ କଣ୍ଟକମୟ
ଜୀବଜନ୍ତୁ ଓ ଉଦ୍ଭିଦ
[ସମ୍ପାଦନା]ମହାବଳ ବାଘ ଛଡ଼ା ସରିସ୍କା ଜାତୀୟ ଉଦ୍ୟାନରେ ଦେଖାଯାଉଥିବା ଅନ୍ୟ କେତେକ ମୁଖ୍ୟ ପ୍ରାଣୀ ହେଲେ କଲରାପତରିଆ ବାଘ, କଟାସ, ବଣଭୁଆ, ହେଟା ବାଘ, କୋକିଶିଆଳୀ, ଚିତଲ୍ ହରିଣ, ସମ୍ବର ହରିଣ, ନୀଳଗାଈ, ଚିଂକାରା ହରିଣ, ଚଉଶିଂଘା ହରିଣ,[୨୧] ବାର୍ହା, ଠେକୁଆ, ହନୁ ମାଙ୍କଡ଼, ପାତି ମାଙ୍କଡ଼ ଇତ୍ୟାଦି । ସରିସ୍କା ଜଙ୍ଗଲରେ ମାଟିଆ ରଙ୍ଗର ଚକୋର, ମାଛରଙ୍କା, ମୟୂର, ବୁଦା ବଟେର୍, ଟ୍ରିପାଇ, କାଠହଣା, ସାପଖିଆ ଚିଲ ଓ ଭାରତୀୟ ଚିଲ-ପେଚା ପରି ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ଦେଖାଯାନ୍ତି ।
ଏହି ଜଙ୍ଗଲରେ ଦେଖାଯାଉଥିବା ଗଛମାନଙ୍କରେ ସର୍ବାଧିକ ଢୋକ୍ ଗଛ ରହିଛି । ଏହା ଛଡ଼ା ସାଳଇ, ବରଗଛ, ବାଉଁଶ, ବରକୋଳି ଗଛ, ଖଇର ଗଛ, ଅର୍ଜୁନ, ଗୁଗ୍ଗୁଳ ଆଦି ଅନ୍ୟ ପ୍ରଜାତିର ଗଛ ମଧ୍ୟ ରହିଛି । ବିଭିନ୍ନ କୋଳି ବୁଦା ଓ କଣ୍ଟାଯୁକ୍ତ ବୁଦା ମଧ୍ୟ ଦେଖାଯାଇଥାଏ ।
ଦର୍ଶନୀୟ ସ୍ଥାନ
[ସମ୍ପାଦନା]- ସରିସ୍କା ଏଷ୍ଟ୍ରୋପୋର୍ଟ୍ – ଭାରତର ପ୍ରଥମ ଓ ସାଧାରଣ ଜନତାଙ୍କ ପାଇଁ ଉଦ୍ଦୀଷ୍ଟ ଏକମାତ୍ର ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର[୨୨]
- ପାଣ୍ଡୁପୋଲ ହନୁମାନଜୀ ମନ୍ଦିର – ଅଭୟାରଣ୍ୟ ମଧ୍ୟରେ ରହିଥିବା ଏକ ପାହାଡ଼ ଉପରେ ଏହି ମନ୍ଦିର ଅବସ୍ଥିତ । ଲୋକକଥା ଓ କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ବନବାସ ସମୟରେ ଏଠାରେ ରହୁଥିଲେ । ଏହି ତୀର୍ଥସ୍ଥଳକୁ ଯିବା ପାଇଁ ଗାଡ଼ି ମଟର ଇତ୍ୟାଦି ବ୍ୟବହୃତ ହୁଏ ଯାହା ବନ୍ୟଜୀବଙ୍କ ପ୍ରତି ବିପଦ ସୃଷ୍ଟି କରେ ।
- ନୀଳକଣ୍ଠ ମନ୍ଦିର
- କଙ୍କୱାଡ଼ି ଦୁର୍ଗ – ୧୬ଶ ଶତାବ୍ଦୀରେ ରାଜା ଦ୍ୱିତୀୟ ଜୟ ସିଂହଙ୍କଦ୍ୱାରା ଏହି ଦୁର୍ଗ ନିର୍ମିତ ହୋଇଥିଲା । ଏହି ଦୁର୍ଗ ଜାତୀୟ ଉଦ୍ୟାନର ମଝାମଝିରେ ରହିଛି ।
- ଭାଂଗଡ଼ ଦୁର୍ଗର ଭଗ୍ନାବଶେଷ
- ସରିସ୍କା ରାଜ ପ୍ରାସାଦ – ଶିକାର ଉଦ୍ଦେଶ୍ୟରେ ଆସିଥିବା ଅଲୱର୍ ମହାରାଜାଙ୍କ ଅସ୍ଥାୟୀ ବାସସ୍ଥଳୀ ରୂପେ ଏହି ରାଜ ପ୍ରାସାଦ ବ୍ୟବହୃତ ହେଉଥିଲା ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Sariska National Park – complete detail – updated". Archived from the original on 10 December 2017. Retrieved 7 February 2017.
- ↑ "Sariska National Park, Sariska Tiger Reserve". Archived from the original on 2007-06-08.
- ↑ "Kathiawar-Gir dry deciduous forests". Terrestrial Ecoregions. World Wildlife Fund. Retrieved 2017-01-29.
- ↑ "Illegal mining threatens Sariska - Times Of India". The Times of India. 2010-10-13. Archived from the original on 2012-11-03. Retrieved 2011-10-06.
- ↑ Have you seen a tiger at Sariska since June? If yes, you’re the only one Archived 2007-09-29 at the Wayback Machine. Indian Express, January 23, 2005.
- ↑ Sharma, Rajendra (1 October 2012). "Sariska reserve gets tiger number 007". The Times of India. Archived from the original on 2013-10-19. Retrieved 2017-12-31.
- ↑ "Two tiger cubs spotted in Rajasthan's Sariska Tiger Reserve". IANS. news.biharprabha.com. Retrieved 20 July 2014.
- ↑ "Rajasthan plots return of big cats - Times Of India". Times of india. 2005-09-09. Archived from the original on 2012-10-23. Retrieved 2011-10-06.
- ↑ "Sariska on road to recovery, literally - Times Of India". Times of india. 2006-11-27. Archived from the original on 2012-10-23. Retrieved 2011-10-06.
- ↑ "Sariska to get three tigers - Times Of India". Times of India. 2008-03-07. Archived from the original on 2012-10-23. Retrieved 2011-10-06.
- ↑ Huggler, Justin (2006-01-15). "India turns to spy technology to save tigers". London: The Independent. Retrieved 2011-10-06.
- ↑ *Sharma, Sunayan (2015). Sariska: The Tiger Reserve Roars Again. New Delhi: Niyogi Books. ISBN 9789383098712.
{{cite book}}
: Invalid|ref=harv
(help) - ↑ "ଆର୍କାଇଭ୍ କପି". Archived from the original on 2017-09-28. Retrieved 2018-03-17.
{{cite web}}
: Cite has empty unknown parameter:|1=
(help) - ↑ Also by Jay Mazoomdaar. "Now, Who's Crouching?". OPEN Magazine. Retrieved 2011-10-06.
- ↑ "Sariska Tiger Reserve vetoes road conversion proposal - Times Of India". Times of India. 2008-09-04. Archived from the original on 2012-10-23. Retrieved 2011-10-06.
- ↑ "National : Young tigress at home in Sariska". Chennai, India: The Hindu. 2009-03-06. Archived from the original on 2009-03-10. Retrieved 2011-10-06.
- ↑ Also by Jay Mazoomdaar. "Dispatched to Die". OPEN Magazine. Retrieved 2011-10-06.
- ↑ "Sariska Tiger Was Poisoned: Forensic Report". Outlook. Retrieved 2011-10-06.
- ↑ Also by Jay Mazoomdaar. "Conservation: the New Killer". OPEN Magazine. Retrieved 2011-10-06.
- ↑ "Proved: Siblings sent to mate in Sariska". Hindustan Times. 2010-06-22. Archived from the original on 2012-10-21. Retrieved 2011-10-06.
- ↑ Lenin, Janaki (15 November 2010). "Creatures of a lesser God". The Financial Express (in ଆମେରିକୀୟ ଇଂରାଜୀ). Retrieved 2017-12-31.
- ↑ "Astroport Insight – astroport sariska". astroportsariska.com (in ଆମେରିକୀୟ ଇଂରାଜୀ). Archived from the original on 2018-01-17. Retrieved 2018-01-17.
ଆହୁରି ପଢ଼ନ୍ତୁ
[ସମ୍ପାଦନା]- Dang, Himraj (2005) Sariska National Park. Indus Publishing Company, New Delhi ISBN 81-7387-177-9
- Sharma, Sunayan (2015) Sariska: The Tiger Reserve Roars Again. Niyogi Books, New Delhi, ISBN 9789383098712.
- 'Ziddi', Dr. Suraj (1998) A guide to the wildlife parks of Rajasthan. Photo Eye Publications, Jaipur
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- "Sariska Tiger Reserve". Wildlife Protection Society of India. Retrieved 31 December 2017.