ତାଡୋବା ଜାତୀୟ ଉଦ୍ୟାନ
ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପ ତାଡୋବା ରାଷ୍ଟ୍ରୀୟ ଉଦ୍ୟାନ (ताडोबा राष्ट्रीय उद्यान) | |
---|---|
IUCN Category II (National Park) | |
ଅବସ୍ଥାନ | ଚନ୍ଦ୍ରପୁର ଜିଲ୍ଲା, ମହାରାଷ୍ଟ୍ର, ଭାରତ |
ପାଖ ସହର | ଚନ୍ଦ୍ରପୁର ୪୦ କି.ମି. (୨୫ ମାଇଲ୍) ପୂର୍ବ |
ଦିଗବାରେଣି | 20°10′00″N 79°24′00″E / 20.16667°N 79.40000°E |
କ୍ଷେତ୍ରଫଳ | ୬୨୫.୪ ବର୍ଗ କି.ମି. |
ସ୍ଥାପିତ | ୧୯୫୫ |
ପରିଚାଳନା | Maharashtra Forest Department |
ବେବସାଇଟ | mahatadobatiger.com |
ତାଡୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟ (ଈଂରାଜୀରେ Tadoba Andhari Tiger Reserve, ହିନ୍ଦୀରେ ताडोबा-अंधारी व्याघ्र प्रकल्प) କେନ୍ଦ୍ରୀୟ ଭାରତର ଏକ ବ୍ୟାଘ୍ର ଅଭୟାରଣ୍ୟ । ଏହା ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଅବସ୍ଥିତ ଏହି ଅଭୟାରଣ୍ୟ ମହାରାଷ୍ଟ୍ରର ସର୍ବବୃହତ୍ ଓ ସବୁଠାରୁ ପୁରୁଣା ଜାତୀୟ ଉଦ୍ୟାନ । ଭାରତର ବ୍ୟାଘ୍ର ପ୍ରକଳ୍ପ (ପ୍ରୋଜେକ୍ଟ୍ ଟାଇଗର୍)ଦ୍ୱାରା ଚିହ୍ନଟ ୫୦ଟି ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରୁ ଏହା ଅନ୍ୟତମ ।[୧] ବାଘଙ୍କ ସୁରକ୍ଷା ନିମନ୍ତେ ନିର୍ମିତ ହୋଇଥିବା ଏହି ଉଦ୍ୟାନରେ ବାଘ ବ୍ୟତୀତ ୫୦ ପ୍ରଜାତିର ପଶୁ ଓ ୧୯୫ ପ୍ରଜାତିର ପକ୍ଷୀ ବାସକରନ୍ତି ।
ନାମକରଣ
[ସମ୍ପାଦନା]"ତାଡୋବା" ବା "ତରୁ" ନାମକ ଜଣେ ଆଦିବାସୀ ଦେବତାଙ୍କ ନାମରୁ ତାଡୋବା ଶବ୍ଦଟି ଉଦ୍ଧୃତ । ତାଡୋବା ଓ ଅନ୍ଧାରୀ ଅଞ୍ଚଳର ଜଙ୍ଗଲରେ ଏହି ଆଦିମ ଜନଜାତିର ଲୋକେ ବସବାସ କରନ୍ତି । ଅନ୍ଧାରୀ ନାମଟି ଅନ୍ଧାରୀ ନଦୀରୁ ଗୃହୀତ । ଅନ୍ଧାରୀ ନଦୀ ଏହି ଜଙ୍ଗଲ ମଧ୍ୟଦେଇ ପ୍ରବାହିତ ।[୨]
ଇତିହାସ
[ସମ୍ପାଦନା]ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ତରୁ ନାମକ ଜଣେ ଗ୍ରାମ ମୁଖିଆ ଏକ ବାଘ ସହ ଯୁଦ୍ଧରେ ପ୍ରାଣ ହରାଇଥିଲେ । ତାହା ପରେ ଆଦିବାସୀମାନେ ତରୁଙ୍କୁ ଭଗବାନ ରୂପେ ମାନି ଆସୁଛନ୍ତି । ତାଡୋବା ହ୍ରଦର କୂଳରେ ଏକ ବିରାଟ ବୃକ୍ଷ ତଳେ ଏହି ଆଦିବାସୀ ତରୁ ଭଗବାନଙ୍କ ପୀଠ ରହିଛି । ଏଠାକାର ଆଦିବାସୀମାନେ ବହୁସଂଖ୍ୟାରେ ତରୁଙ୍କ ପୂଜାପୀଠର ଦର୍ଶନ କରିଥାନ୍ତି । ଡିସେମ୍ବର-ଜାନୁଆରୀ ମାସ (ହିନ୍ଦୁ ପୌଷମାସ)ରେ ଏହି ପୀଠରେ ଏକ ମେଳା ଅନୁଷ୍ଠିତ ହୋଇଥାଏ ।
ଚିମୁର୍ ପାହାଡ଼ ପାର୍ଶ୍ୱରେ ରହିଥିବା ଜଙ୍ଗଲଗୁଡ଼ିକ ଗୋଣ୍ଡ୍ ରାଜାମାନଙ୍କ ଶାସନାଧୀନ କ୍ଷେତ୍ରରେ ଥିଲା । ୧୯୩୫ ମସିହାରୁ ଏଠାରେ ଶିକାର କରିବା ପାଇଁ ନିଷିଦ୍ଧାଦେଶ ଜାରୀ କରାଯାଇଥିଲା । ଦୁଇ ଦଶନ୍ଧି ପରେ ୧୯୫୫ ମସିହାବେଳକୁ ୧୧୬.୫୪ ବର୍ଗ କି.ମି. ପରିମିତ ଜଙ୍ଗଲକୁ ଜାତୀୟ ଉଦ୍ୟାନ ବୋଲି ଘୋଷଣା କରାଗଲା । ୧୯୮୬ ମସିହାରେ ପାର୍ଶ୍ୱବର୍ତ୍ତୀ ଅନ୍ଧାରୀ ବନ୍ୟଜନ୍ତୁ ଅଭୟାରଣ୍ୟ ପ୍ରତିଷ୍ଠିତ ହୋଇଥିଲା । ୧୯୯୫ ମସିହାରେ ତାଡୋବା ଓ ଅନ୍ଧାରୀ ଅଭୟାରଣ୍ୟକୁ ମିଶାଇ ଏକ ବୃହତ୍ ବ୍ୟାଘ୍ର ଅଭୟାରଣ୍ୟରେ ପରିଣତ କରାଗଲା ।[୨]
ଭୌଗୋଳିକ ତଥ୍ୟ
[ସମ୍ପାଦନା]ତାଡୋବା ଅନ୍ଧାରୀ ଅଭୟାରଣ୍ୟ ମହାରାଷ୍ଟ୍ରର ସର୍ବବୃହତ୍ ଜାତୀୟ ଉଦ୍ୟାନ । ଏହାର ସର୍ବମୋଟ କ୍ଷେତ୍ରଫଳ ୬୨୫.୪ କି.ମି.୨ ।
ତାଡୋବାରେ ବାଘଙ୍କ ସାମ୍ପ୍ରତିକ ସ୍ଥିତି
[ସମ୍ପାଦନା]ଅଗଷ୍ଟ ୨୦୧୬ର ଗଣନା ଅନୁଯାୟୀ ଅଭୟାରଣ୍ୟ ମଧ୍ୟରେ ୮୮ ଓ ଅଭୟାରଣ୍ୟକୁ ସଂଲଗ୍ନ ଜଙ୍ଗଲରେ ୫୮ଟି ବାଘ ରହିଥିଲେ ।[୩]
ତାଡୋବା ଅନ୍ଧାରୀ ଅଭୟାରଣ୍ୟ
ତାଡୋବା ଅନ୍ଧାରୀ ଅଭୟାରଣ୍ୟ ମହାରାଷ୍ଟ୍ରର ବୃହତ୍ତମ ଜାତୀୟ ଉଦ୍ୟାନ । ଅଭୟାରଣ୍ୟର ସର୍ବମୋଟ କ୍ଷେତ୍ରଫଳ ୬୨୫.୪ ବର୍ଗ କି.ମି. । ଏଥିରୁ ୧୧୬.୫୫ କି.ମି.୨ ୧୯୫୫ ମସିହାରେ ସ୍ଥାପିତ ତାଡୋବା ଅଭୟାରଣ୍ୟର ହୋଇଥିବା ବେଳେ ପ୍ରାୟ ୫୦୫.୮୫ କି.ମି.୨ ହେଉଛି ୧୯୮୬ ମସିହାରେ ସ୍ଥାପିତ ଅନ୍ଧାରୀ ବନ୍ୟପ୍ରାଣୀ ଅଭୟାରଣ୍ୟର । ଏହି ଅଭୟାରଣ୍ୟ ମଧ୍ୟରେ ୩୨.୫୧ ବର୍ଗ କି.ମି. ପରିମିତ ସଂରକ୍ଷିତ ଜଙ୍ଗଲ ଓ ୧୪..୯୩ କି.ମି.୨ ପରିମିତ ଅନ୍ୟାନ୍ୟ ଜଙ୍ଗଲ ମଧ୍ୟ ରହିଛି ।
ଘଞ୍ଚ ଜଙ୍ଗଲ ଭରା ପାହାଡ଼ ଏହି ଅଭୟାରଣ୍ୟର ଉତ୍ତର ଓ ପଶ୍ଚିମ ସୀମା ନିର୍ଦ୍ଧାରଣ କରନ୍ତି । ପାହାଡ଼ଗୁଡ଼ିକର ଉଚ୍ଚତା ୨୦୦ମିଟର୍ରୁ ୩୫୦ ମିଟର୍ ପର୍ଯ୍ୟନ୍ତ ହେବ ।
ଅଭୟାରଣ୍ୟର ଦକ୍ଷିଣ-ପଶ୍ଚିମ ଦିଗରେ ୧୨୦ ହେକ୍ଟର୍ (୩୦୦ ଏକର୍) କ୍ଷେତ୍ରଫଳ ବିଶିଷ୍ଟ ତାଡୋବା ହ୍ରଦ ଅବସ୍ଥିତ । ଏହି ହ୍ରଦଟି ତାଡୋବା ସଂରକ୍ଷିତ ଅରଣ୍ୟ ଓ କୃଷିକ୍ଷେତ୍ରଙ୍କ ମଧ୍ୟରେ ଏକ ବିଭାଜକ ପରି ରହିଛି । ତାଡୋବାର ଅପର ପାର୍ଶ୍ୱରେ ରହିଥିବା ଚାଷଜମିଗୁଡ଼ିକ ସୁଦୂର ଇରାଇ ବନ୍ଧ ପର୍ଯ୍ୟନ୍ତ ବ୍ୟାପ୍ତ । ଏହି ହ୍ରଦରେ ବର୍ଷର ସବୁ ସମୟରେ ପାଣି ରହିଥାଏ ଓ ଏଥିରେ ଅନେକ ଗୋମୁହାଁ କୁମ୍ଭୀର (ମଗର) ବସବାସ କରନ୍ତି । ଅଭୟାରଣ୍ୟରେ ରହିଥିବା ଅନ୍ୟ ଏକ ମୁଖ୍ୟ ଜଳାଶୟ ହେଲା କୋଲସା ହ୍ରଦ । ଏତତ୍ ବ୍ୟତୀତ ଅଭୟାରଣ୍ୟ ମଧ୍ୟ ଦେଇ ଅନ୍ଧାରୀ ନଦୀ ମଧ୍ୟ ପ୍ରବାହିତ ।
ତାଡୋବା ଅଭୟାରଣ୍ୟ ସୀମା ମଧ୍ୟରେ ଚିମୁର୍ ପାହାଡ଼ ଓ ଅନ୍ଧାରୀ ଅଭୟାରଣ୍ୟ ସୀମା ମଧ୍ୟରେ ମୋହାର୍ଲି ଓ କୋଲସା ପାହାଡ଼ମାନ ଅବସ୍ଥିତ । ଉତ୍ତର ଓ ପଶ୍ଚିମ ସୀମାକୁ ଘେରି ରହିଥିବା ପାହାଡ଼ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ । ଉତ୍ତରରୁ ଦକ୍ଷିଣ ପଟର ଢାଲୁଆ ଜମିରେ ଜଙ୍ଗଲ କମିଯାଇ ତୃଣଭୂମି ଓ ସୁନ୍ଦର ଉପତ୍ୟକାର ପରିଣତ ହୋଇଛି । ପାହାଡ଼ର ଗୁମ୍ଫା, ଶୃଙ୍ଗ ଇତ୍ୟାଦିରେ ମଧ୍ୟ ଅନେକ ଜୀବ ବାସ କରନ୍ତି । ଅଭୟାରଣ୍ୟର ଦକ୍ଷିଣ ପଟର ଭୂମି ସେତେଟା ପାହାଡ଼ିଆ ନୁହେଁ । ତାଡୋବା ଓ ଅନ୍ଧାରୀ ଦୁଇଟି ଆୟତାକାର ଙ୍ଗଲ ପରି । ନିକଟ ଅତୀତରେ ଅମୋଲ୍ ବେସ୍ ତାଡୋବା ଅନ୍ଧାରୀରେ ଉତ୍ତୋଳନ କରିଥିବା ଏକ ଫଟୋଚିତ୍ର ଜୁଲାଇ ୨୯ (ବିଶ୍ୱ ବ୍ୟାଘ୍ର ଦିବସ)ରେ ପ୍ରକାଶିତ ଏକ ଡାକ ଟିକଟରେ ସ୍ଥାନ ପାଇଥିଲା ।
ବିପଦ
[ସମ୍ପାଦନା]ତାଡୋବା ଅନ୍ଧାରୀ ଅଭୟାରଣ୍ୟ ମଧ୍ୟରେ ଓ ଏହାର ପରିସୀମାକୁ ଲାଗି ପ୍ରାୟ ୫୯ଟି ଛୋଟବଡ଼ ଗାଁ ରହିଛି ଯେଉଁଥିରେ ୪୧୬୪୪ ଲୋକ ବସବାସ କରନ୍ତି । ତନ୍ମଧ୍ୟରୁ ୫ଟି ଗ୍ରାମ କୋର୍ ଅଞ୍ଚଳ ମଧ୍ୟରେ ରହିଛି ଓ ଏହି ଗ୍ରାମବାସୀମାନେ କୋର୍ ଅଞ୍ଚଳ ମଧ୍ୟରେ କୃଷିକାର୍ଯ୍ୟ କରୁଛନ୍ତି । ବହୁ ସମୟ ଧରି ପ୍ରଶାସନିକ ଅଧିକାରୀମାନେ ଏମାନଙ୍କ ସ୍ଥାନାନ୍ତରଣ ଓ ଥଇଥାନ କାର୍ଯ୍ୟ ଚଳାଇଥିଲେ ହେଁ ଏହା ଅତି ମନ୍ଥର ଗତିରେ ଚାଲିଛି । ନିକଟ ଅତୀତରେ ନଭେଗାଓଁ ଗ୍ରାମର ଲୋକଙ୍କ ଥଇଥାନ କରାଯାଇଥିଲା ଯେପରିକି ପରିତ୍ୟକ୍ତ ଗ୍ରାମଦ୍ୱାରା ଅଧିକୃତ ଅଞ୍ଚଳରେ ଏକ ତୃଣଭୂମି ସୃଷ୍ଟି ହୋଇପାରିବ । ଅଭୟାରଣ୍ୟର କୋର୍ ଓ ଅଣ-କୋର୍ ଅଞ୍ଚଳରେ ପ୍ରାୟ ୪୧୮୨୦ ଗୋରୁଗାଈ ଚରାତରି କରନ୍ତି । କୋର୍ ଅଞ୍ଚଳରେ ଗୋରୁଗାଈ ଚରାଇବା ପାଇଁ ନିଷେଧାଦେଶ ଓ ଅଣ-କୋର୍ ଅଞ୍ଚଳରେ ନିୟନ୍ତ୍ରିତ ତରାତରି ପାଇଁ ଅନୁମତି ରହିଛି । ତେବେ ସୀମାବର୍ତ୍ତୀ ଗାଁର ଗାଈଗୋରୁ କୋର୍ ଅଞ୍ଚଳ ଭିତରକୁ ପଶିଆସନ୍ତି ଓ ତୃଣଭୂମି ଚରିଯିବା ସହିତ ବନ୍ୟଜୀବଙ୍କ ଅଧିବାସକୁ କ୍ଷତି ପହଞ୍ଚାନ୍ତି ।
ଶୁଷ୍କ ଋତୁରେ ବଣନିଆଁ ଲାଗି ଜାତୀୟ ଉଦ୍ୟାନର ୨%-୧୬% ଅଂଶ ପ୍ରତିବର୍ଷ ନଷ୍ଟ ହୋଇଯାଏ । ଅଧିବାସ ସଂକୁଚିତ ହେଉଥିବାରୁ ବଣରେ ଥିବା ମହାବଳ ବାଘ ଓ କଲରାପତରିଆ ବାଘମାନେ ଗାଁ ଆଖାପାଖି ଅଞ୍ଚଳରେ ଗୋରୁଗାଈଙ୍କ ଶିକାର କରନ୍ତି । ଏହା ସ୍ଥାନୀୟ ଗରୀବ ଲୋକଙ୍କ ଅର୍ଥନୈତିକ ଅବସ୍ଥା ଆହୁରି ଖରାପ କରିଦିଏ । ଫଳରେ ବଣର ହିଂସ୍ରଜନ୍ତୁ ଓ ପ୍ରଶାସନର ପଦକ୍ଷେପ ପ୍ରତି ସେମାନେ ଅଧିକ ଅସହିଷ୍ଣୁ ହୋଇଉଠନ୍ତି । ୨୦୧୩ ମସିହାରେ ମହାବଳ ବାଘ, କଲରାପତରିଆ ବାଘ ଓ ଭାଲୁମାନଙ୍କ ଆକ୍ରମଣରେ ୪ ଜଣ ମନୁଷ୍ୟ ଓ ୩୦-୫୦ଟି ଗୋରୁ ପ୍ରାଣ ହରାଇଥିଲେ ।
ତାଡୋବାର ବନରାଜି
[ସମ୍ପାଦନା]ତାଡୋବା ଅଭୟାରଣ୍ୟ ମୁଖ୍ୟତଃ କେନ୍ଦ୍ରୀୟ ଡେକାନ୍ ମାଳଭୂମିର ଅଂଶ ଓ ଏହାର ଅରଣ୍ୟ କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଶ୍ରେଣୀର । ସଂରକ୍ଷିତ ଅଞ୍ଚଳର ୮୭% ଘଞ୍ଚ ଜଙ୍ଗଲ । ଶାଗୁଆନ ଏଠାକାର ମୁଖ୍ୟ ଗଛ । ଏହି ଜଙ୍ଗଲରେ ଦେଖାଯାଉଥିବା ପର୍ଣ୍ଣମୋଚୀ ଓ ଅନ୍ୟାନ୍ୟ ସାଧାରଣ ପ୍ରଜାତିର ଗଛଗୁଡ଼ିକ ହେଲା ସହାଜୁ (Terminalia elliptica), ବନ୍ଧୁକବୃକ୍ଷ (Pterocarpus marsupium), ଧାବଡ଼ା (Anogeissus latifolia), ଶାଳଇ (Boswellia serrata), ଶିମିଳି/ଶିମୁଳି (Bombax ceiba), ଅସନ ଗଛ (Pterocarpus marsupium), କେନ୍ଦୁ (Diospyros melanoxylon), ବାହାଡ଼ା (Terminalia belerica), ହରିଡ଼ା (Terminalia chebula), ଗୁଡ଼ାଳ (Sterculia urens), ମହୁଲି (Lagerstroemia ବା crepe myrtle) ଓ ଇନ୍ଦ୍ରମୟୀ (Lannea coromandelica) ।
ଏଠାରେ ଧାବଡ଼ା ଗଛ (Anogeissus latifolia) ଏକ ଅଗ୍ନି ପ୍ରତିରୋଧକ ଗଛ । ଏହି ବଣର ପଳାଶ ଫୁଲ (Butea monosperma - ବଣନିଆଁ ଫୁଲ) ଜଙ୍ଗଲର ଶୋଭା ବହୁଗୁଣ ବୃଦ୍ଧି କରିଥାଏ । ହ୍ରଦ କୂଳରେ ବହୁ ସଂଖ୍ୟାରେ ଜାମୁକୋଳି ଗଛ (Syzygium cumini) ମଧ୍ୟ ଦେଖିବାକୁ ମିଳେ । ପଞ୍ଚଧାରା ନିକଟସ୍ଥ ଜଳାଶୟ ନିକଟରେ ବଡ଼ ବଡ଼ ଅର୍ଜୁନ (Terminalia arjuna) ଗଛମାନ ରହିଛି ।
ସାରା ଅଭୟାରଣ୍ୟରେ ସ୍ଥାନେ ସ୍ଥାନେ ତୃଣଭୂମି ରହିଛି । ଅଭୟାରଣ୍ୟର ଅନେକ ସ୍ଥାନରେ ଘଞ୍ଚ ବାଉଁଶ (Dendrocalamus strictus) ବୁଦା ମଧ୍ୟ ଦେଖିବାକୁ ମିଳେ । ପାର୍କିନ୍ସନ୍ ରୋଗର ନିରାକରଣ ପାଇଁ ବ୍ୟବହୃତ ବାଇଡଙ୍କ (Mucuna pruriens) ପରି ଔଷଧୀୟ ବୃକ୍ଷ ମଧ୍ୟ ଏହି ବଣରେ ଦେଖିବାକୁ ମିଳେ । ଭେରୁ ଗଛର (Chloroxylon swietenia) ପତ୍ର କୀଟ ନିବାରକ ରୂପେ ଓ ଅସନ ଗଛ ଔଷଧରେ ବ୍ୟବହୃତ ହୁଏ । ବାହାଡ଼ା ମଧ୍ୟ ଏଠାରେ ମିଳୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ବୃକ୍ଷ ।[୧]
ପଶୁପକ୍ଷୀ
[ସମ୍ପାଦନା]ତାଡୋବା ଅନ୍ଧାରୀ ଜାତୀୟ ଉଦ୍ୟାନ ମଧ୍ୟରେ ମହାବଳ ବାଘ ବ୍ୟତୀତ ଅନେକ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଦେଖାଯାନ୍ତି । ଏମାନେ ହେଲେ କଲରାପତରିଆ ବାଘ, ଭାଲୁ, ବନ୍ୟ ଗୟଳ, ନୀଳଗାଈ, ବଳିଆ କୁକୁର, ହେଟା ବାଘ, କଟାସ, ବଣଭୁଆ, ସମ୍ବର ହରିଣ, କୁଟୁରା, ଚିତଲ୍ ହରିଣ, ଚଉଶିଂଘା ଓ ଗାଡ଼ଭାଲୁ । ତାଡୋବା ହ୍ରଦରେ ଅନେକ କୁମ୍ଭୀର ମଧ୍ୟ ବାସ କରନ୍ତି । ଏକଦା ଏହି କୁମ୍ଭୀର ସମଗ୍ର ମହାରାଷ୍ଟ୍ରରେ ଦେଖାଯାଉଥିଲେ । ଅଜଗର ସାପ, ଗୋଧି, କଇଁଛ, ନାଗ ସାପ, ବୋଡ଼ା ସାପ ପରି ସରୀସୃପ ଜାତୀୟ ପ୍ରାଣୀ ମଧ୍ୟ ତାଡୋବା ଅନ୍ଧାରୀ ଜଙ୍ଗଲରେ ଦେଖାଯାନ୍ତି ।
ତାଡୋବା ହ୍ରଦ ବିହଙ୍ଗପ୍ରେମୀଙ୍କ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ । ବିଭିନ୍ନ ପ୍ରଜାତିର ଜଳପକ୍ଷୀ ଓ ଚିଲ ହ୍ରଦ ନିକଟରେ ଦେଖାଯାନ୍ତି । ଏଠାରେ ପ୍ରାୟ ୧୯୫ ପ୍ରଜାତିର ପକ୍ଷୀ ଦେଖାଯାଇଛନ୍ତି । ସେଥିରୁ ୩ଟି ପ୍ରଜାତି ଲୁପ୍ତପ୍ରାୟ ଶ୍ରେଣୀରେ ଗଣା । ପାଉଁଶିଆ ମୁହଁ ମାଛଖିଆ ଚିଲ, ସାପଖିଆ ଚିଲ ଓ କ୍ରେଷ୍ଟେଡ୍ ହକ୍-ଇଗଲ୍ ଏଠାରେ ଦେଖାଯାଉଥିବା ପ୍ରମୁଖ ଶିକାରୀ ପକ୍ଷୀ । ମୟୂରମାନଙ୍କ ଡାକ ସବୁବେଳେ ଶୁଣିବାକୁ ମିଳେ । ନବରଙ୍ଗ, ବଟବଟିଆ, କାଠହଣା, ରାଜା ବୁଲ୍ବୁଲ୍, ନୀଳ ବୁଲ୍ବୁଲ୍ ଆଦି ଚଢ଼େଇ ମଧ୍ୟ ଦେଖିହେବ ।
ଏହି ଜଙ୍ଗଲରେ ୭୪ ପ୍ରଜାତିର ପ୍ରଜାପତି ମଧ୍ୟ ଦେଖିବାକୁ ମିଳେ । ଜୁନୋନିଆ, ସମ୍ରାଟ ପ୍ରଜାପତି, ପାପିଲିଓ ଗ୍ରେଫିୟମ୍ ଇତ୍ୟାଦି ପ୍ରଜାତି ଏମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ଜଙ୍ଗଲରେ ବିଭିନ୍ନ ବିରଳ ପ୍ରଜାତିର କୀଟପତଙ୍ଗ ଓ ବୁଢ଼ିଆଣୀ ମଧ୍ୟ ଦେଖାଯାନ୍ତି । [୪]
ପର୍ଯ୍ୟଟକଙ୍କ ପାଇଁ ସଫାରୀ
[ସମ୍ପାଦନା]ଜଙ୍ଗଲ ସଫାରୀ ଯାତ୍ରା ତାଡୋବା ଜାତୀୟ ଉଦ୍ୟାନର ମୁଖ୍ୟ ଆକର୍ଷଣ । ଉପର ଖୋଲା ଜିପ୍ସି ଗାଡ଼ି, ବସ୍ ଇତ୍ୟାଦିରେ ସ୍ଥାନୀୟ ଓ ପ୍ରଶିକ୍ଷିତ ଜଙ୍ଗଲ ଗାଇଡ୍ମାନେ ପର୍ଯ୍ୟଟକଙ୍କୁ ସଫାରୀ ସମୟରେ ଏଠାକାର ପଶୁପକ୍ଷୀ ଓ ଉଦ୍ଭିଦ ଜଗତଙ୍କ ବିଷୟରେ ଅବଗତ କରାନ୍ତି । [୫]
ଗମନାଗମନ ପଥ
[ସମ୍ପାଦନା]ଅଭୟାରଣ୍ୟରୁ ନିକଟତମ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ନାଗପୁରର ଡା. ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦର । ଏଠାରୁ ଉମ୍ରେର୍, ଭିସି ଓ ଚିର୍ମୁର୍ ଦେଇ ଅଭୟାରଣ୍ୟର ଦୂରତା ପ୍ରାୟ ୧୪୦ କିଲୋମିଟର୍ ।
ଦିଲ୍ଲୀ-ଚେନ୍ନାଇ ମୁଖ୍ୟ ରେଳପଥ ଉପରେ ଅବସ୍ଥିତ ଚନ୍ଦ୍ରପୁର ହେଲା ଅଭୟାରଣ୍ୟରୁ ନିକଟତମ ରେଳ ଷ୍ଟେସନ୍ । ଅଭୟାରଣ୍ୟରୁ ଏହି ରେଳ ଷ୍ଟେସନ୍ର ଦୂରତା ପ୍ରାୟ ୪୫ କି.ମି. ।
ଏହାଛଡ଼ା ପ୍ରାୟ ୩୨ କି.ମି. ଦୂରରେ ଥିବା ଚନ୍ଦ୍ରପୁର ଓ ଚିର୍ମୁର୍ ବସ୍ ଷ୍ଟାଣ୍ଡ ନିକଟତମ ସ୍ଥଳ ପରିବହନ ମାଧ୍ୟମ ।
ରହିବା ବ୍ୟବସ୍ଥା
[ସମ୍ପାଦନା]ଇରାଇ ସଫାରୀ ରିଟ୍ରିଟ୍ ଏଠାକାର ଏକ ବିଳାଶପୂର୍ଣ୍ଣ ପଞ୍ଚ-ତାରକା ରିସୋର୍ଟ୍ । ଯାତ୍ରା ସମ୍ବନ୍ଧୀୟ ଟ୍ରିପ୍ ଏଡ୍ଭାଇଜର୍ ୱେବ୍ସାଇଟ୍ରେ ଏହି ରିସୋର୍ଟ୍ ବହୁ ପର୍ଯ୍ୟଟକଙ୍କ ପ୍ରିୟଭାଜନ ହୋଇପାରିଥିଲା । ମହାରାଷ୍ଟ୍ର ପର୍ଯ୍ୟଟନ ବିକାଶ ନିଗମ (Maharashtra Tourism Development Corporation-MTDC) ତାଡୋବା ନିକଟରେ ରହିବାପାଇଁ ବାସସ୍ଥଳୀର ଆୟୋଜନ କରେ ।[୬]
ପର୍ଯ୍ୟଟକମାନେ ଯାତ୍ରା ପାଇଁ ଟିକଟ ରିଜର୍ଭ୍ କରିବାକୁ ମୁମ୍ବାଇ ଓ ନାଗପୁରସ୍ଥିତ ମହାରାଷ୍ଟ୍ର ପର୍ଯ୍ୟଟନ ବିକାଶ ନିଗମ କିମ୍ବା ଚନ୍ଦ୍ରପୁର ସଂରକ୍ଷିତ ଜଙ୍ଗଲର ଉପ-ସଂରକ୍ଷକଙ୍କୁ[୭] ଯୋଗାଯୋଗ କରି ଟିକଟ ପ୍ରାପ୍ତ କରିପାରିବେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Tadoba-andhari Tiger Reserve", Reserve Guide - Project Tiger Reserves In India, National Tiger Conservation Authority, archived from the original on 2004-05-27, retrieved 2012-02-29
- ↑ ୨.୦ ୨.୧ Tadoba-Andhari Tiger Reserve-History, Sanctuary Asia, archived from the original on 2019-08-14, retrieved 2012-02-29
- ↑ Mazhar, Ali (2016-08-11). "Problem of plenty hits Tadoba tiger conservation work". Times of India. Retrieved 2016-09-05.
- ↑ Tadoba-Andhari Tiger Reserve-Wildlife, Sanctuary Asia, archived from the original on 2019-08-14, retrieved 2012-02-29
- ↑ Mhatre, Shridhar. "Amazing Maharashtra: TADOBA NATIONAL PARK". Amazing Maharashtra.
- ↑ "Tadoba National park". www.tigersheavenresort.co.in. Archived from the original on 2018-03-19. Retrieved 2018-03-16.
- ↑ "Archived copy". Archived from the original on 2014-01-16. Retrieved 2014-01-15.
{{cite web}}
: CS1 maint: archived copy as title (link)
Tourism Gates of Tadoba Andhari Tiger Reserve Archived 2018-03-23 at the Wayback Machine.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- Tiger conservation: Maharashtra villagers get first instalment of rehab package, The Hindu, 29-2-2012
- A Virtual Visit to Tadoba, 2:32, by Kiran G
- Chandrapur-information portal Archived 2017-04-19 at the Wayback Machine.