ସରସ୍ୱତୀ
ସରସ୍ୱତୀ | |
---|---|
ସଂସ୍କୃତ ଅନୁବାଦ | ସରସ୍ୱତୀ |
ଉପାଧି | ଦେବୀ (ତ୍ରିଦେବୀ) |
ବାସସ୍ଥାନ | ବ୍ରହ୍ମଲୋକ |
ମନ୍ତ୍ର | ଓଁ ଐଁ ସରସ୍ୱତୈ ସ୍ୱାହା |
ସାଥି | ବ୍ରହ୍ମା |
ବାହନ | ହଂସ, ପ୍ରକାରାନ୍ତରେ ମୟୁର |
ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। [୧][୨] ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ,[୩] ଓ ବୌଦ୍ଧ ଧର୍ମାବଲମ୍ବୀମାନେମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି ।[୪]
ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ । ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍ଦେବୀ ବରଦା ଇତ୍ୟାଦି ।
ସରସ୍ୱତୀ ଶବ୍ଦର ମୂଳ ଅର୍ଥ ହେଲା - ସ୍ୱତଃ + ବତୀ, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ସରସ୍ୱତୀ ଶବ୍ଦ ସରସ (ଗତି, ପ୍ରବାହ) ଓ ବତୀ (ଅଛି, ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ଗତିଶୀଳା ଯାହା ପ୍ରଗତିର ସୂଚକ ।[୫] ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍ଦେବୀ, ବାଣୀ, ଶାରଦା । ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର ।
ହିନ୍ଦୁ ଧର୍ମରେ ସରସ୍ୱତୀ
[ସମ୍ପାଦନା]ପୁରାଣ
[ସମ୍ପାଦନା]ପୁରାଣକାରମାନେ ସରସ୍ୱତୀଙ୍କୁ କନ୍ୟା ଏବଂ ବ୍ରହ୍ମାଙ୍କୁ ପିତା ରୂପେ ପରିକଳ୍ପନା କରିଛନ୍ତି । ବ୍ରହ୍ମାଣ୍ଡ ପୁରାଣମତେ, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ଯେତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା । ତାଙ୍କର ରୂପ ଥିଲା ଦୁଗ୍ଧ ପରି ଶ୍ୱେତବର୍ଣ୍ଣ । ସେହି ଶ୍ୱେତବର୍ଣ୍ଣା କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିବାରୁ କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି । ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର । ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ । ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ । ସେଥିାଇଁ ତୁମେ ‘ବାଗ୍ଦେବୀ’ ରୂପେ ବିଦିତା ହେବ । ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ ।[୬] ବାକ୍ଦେବୀ ବା ସରସ୍ୱତୀଙ୍କ ମାଧ୍ୟମରେ ବ୍ରହ୍ମା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ଜୀବ ତଥା ସ୍ଥାବରଜଙ୍ଗମ ସର୍ଜନା କଲେ । ବାକ୍ ନାମ୍ନୀ କନ୍ୟା ଅତ୍ୟନ୍ତ ସୁନ୍ଦରୀ । ସେ ନିଷ୍କାମ, କାମନାହୀନ କିନ୍ତୁ ବ୍ରହ୍ମା ତାଙ୍କ ରୂପ ଲାବଣ୍ୟରେ ବିମୋହିତ ହୋଇ ସ୍ୱୟମ୍ବୁ ବ୍ରହ୍ମା ତାଙ୍କୁ ଇଚ୍ଛା କରିବାରୁ ବ୍ରହ୍ମାଙ୍କର ମରୀଚି ଆଦି ପୁତ୍ରଗଣ ବ୍ରହ୍ମାଙ୍କୁ ନିନ୍ଦା କଲେ । ସରସ୍ୱତୀ ଶରୀର ତ୍ୟାଗ କଲେ । [୭]
ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ସୃଷ୍ଟି କାଳରେ ଈଶ୍ୱରଙ୍କ ଇଚ୍ଛାରୁ ଆଦ୍ୟାଶକ୍ତି ନିଜକୁ ପାଞ୍ଚ ଭାଗରେ ବିଭକ୍ତ କରି ନେଇଥିଲେ । ସେ ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଏବଂ ସରସ୍ୱତୀଙ୍କ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଅଙ୍ଗରୁ ସୃଷ୍ଟି ହୋଇଥିଲେ । ସେ ସମୟରେ ଶ୍ରୀକୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ୱତୀ ଉତ୍ପନ୍ନ ହୋଇଥିଲେ ।[୮]
ବେଦ
[ସମ୍ପାଦନା]ଋକ ବେଦ ମତେ ସରସ୍ୱତୀ ମହାଶକ୍ତିଙ୍କର ଉତ୍ସ । ଏହି ଦେବୀ ନିରାକାର, ନିର୍ଗୁଣ, ନିର୍ମାୟା । ତାଙ୍କୁ ମାତା ଏବଂ ନଦୀ ରୂପରେ ସ୍ତୁତି କରି ଋଗ୍ ବେଦରେ ଲେଖାଯାଇଛି ।
ଅମ୍ବି ତମେ ନଦୀ ତମେ/ଦେବୀ ତମେ ସରସ୍ୱତୀ,
ଅପ୍ରଶସ୍ତ ଇବ ସ୍ୱାମି/କ୍ରଶସ୍ତି ମମ ନିସ୍କୃତି ।
ଆର୍ଯ୍ୟ ଋଷିଗଣ ସ୍ତୁତି କରୁଛନ୍ତି : ହେ ଶ୍ରେଷ୍ଠ ମାତା, ହେ ଶ୍ରେଷ୍ଠ ନଦୀ, ହେ ଶ୍ରେଷ୍ଠ ଦେବୀ, ଆମେ ସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ ।
ବେଦରେ ଦେବୀମାନଙ୍କର ବନ୍ଦନାରେ ଦେବୀ ସରସ୍ୱତୀଙ୍କର ବର୍ଣ୍ଣନା ପ୍ରଥମ ଏବଂ ପ୍ରଧାନ ।
ଦେବୀ ସରସ୍ୱତୀ ବନ୍ଦନା ଶୁକ୍ଳାଂ ବ୍ରହ୍ମ ବିଚାର ସାର ପରମା
ଆଦ୍ୟାଂ ଜଗତ୍ ବ୍ୟାପୀନିଂ ॥
ବୀଣା ପୁସ୍ତକ ଧାରିଣୀମ୍ ଅଭୟଦାଂ ଜାଡ୍ୟାଙନ୍ଧକାରା ପହାଃ ॥
ହସ୍ତେ ସ୍ଫଟିକ ମାଳୀକାଂ ବିଦଧତୀ
ପଦ୍ମାସନେ ସଂସ୍ଥିତାଂ ॥
ବନ୍ଦେତ୍ୱାଂ ପରମେଶ୍ୱରୀ ଭଗବତିଂ
ବୁଦ୍ଧି ପ୍ରଦାଂ ସରାଦାଂ ॥
ଅନ୍ୟ ଧର୍ମରେ ସରସ୍ୱତୀ
[ସମ୍ପାଦନା]ହିନ୍ଦୁଧର୍ମ ବ୍ୟତୀତ ବୌଦ୍ଧ, ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ୱତୀଙ୍କର ଆରାଧନା ରହିଛି । ଭାରତ ବାହାରେ ତିବ୍ବତ, ଚୀନ ଏବଂ ଜାପାନରେ ଦେବୀ ସରସ୍ୱତୀ ବୌଦ୍ଧଦେବୀ ଭାବେ ଜନାଦୃତ । ବୌଦ୍ଧ ଧର୍ମରେ ସେ ଭିକ୍ଷୁମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ ବୁଦ୍ଧଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି । ବୌଦ୍ଧ ଧର୍ମଶାସ୍ତ୍ର 'ସାଧନମାଳା'ରେ ଉଲ୍ଲେଖ ଅଛି ଯେ ଦେବୀ ସରସ୍ୱତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି । ଏହି ଗ୍ରନ୍ଥରେ ସରସ୍ୱତୀ ଚତୁଃରୂପରେ ପୂଜିତା - ମହା ସରସ୍ୱତୀ, ବଜ୍ରବୀଣା ସରସ୍ୱତୀ, ବଜ୍ରଶାରଦା ଏବଂ ବଜ୍ର ସରସ୍ୱତୀ । ବୌଦ୍ଧ ଧର୍ମ ଉପରେ ପଡ଼ିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଏବଂ ବୁଦ୍ଧିମତାର ବୌଦ୍ଧଦେବୀ 'ପ୍ରଜ୍ଞା ପାରମିତା' ପରବର୍ତ୍ତୀ ସମୟରେ ସରସ୍ୱତୀ ରୂପେ ପରିଚିତ ହେଲେ ।
ମାତା ପୁତ୍ରୌ ତୁ ବାକ୍ ପ୍ରାଣୌ / ମାତା ବା ପିତରଃ ସୁତଃ ।
ସରସ୍ୱନ୍ତମିତ ପ୍ରାଣୋ ବାଚଂ / ପ୍ରାଦୁଃ ସରସ୍ୱତୀମ୍ ।
-ବୃହଦ୍ ଦେବତା ଗ୍ରନ୍ଥ
ଅର୍ଥାତ୍ ବାକ୍ ଏବଂ ପ୍ରାଣର ମାତା ଏବଂ ପୁତ୍ର ସମ୍ବନ୍ଧ । ପ୍ରସାରଣଶୀଳ ପ୍ରାଣ(ନିଶ୍ୱାସ)ର ନାମ ସରସୂତ୍ ଏବଂ ଭାଷାର ନାମ ସରସ୍ୱତୀ ।
ମଥୁରା ନିକଟସ୍ଥ କାଳୀତିକା ଜୈନ ସ୍ତୁପରୁ ଏକ ମନୋଜ୍ଞ ସରସ୍ୱତୀ ମୂର୍ତ୍ତି ମିଳିବା ଘଟଣାରୁ ଜୈନଧର୍ମରେ ସରସ୍ୱତୀଙ୍କର ପୂଜା ରହିଥିବା ସୂଚନା ଦିଏ । ଜୋରୋଆଷ୍ଟର ଧର୍ମରେ ସରସ୍ୱତୀଙ୍କୁ ସରୋଶା ନାମରେ ଜଣାଯାଏ, ଯିଏ ଏଇ ପୃଥିବୀର ରକ୍ଷା କାରିଣୀ। ସରୋଶା (ଆଜ୍ଞାବହତା) ହେଉଛନ୍ତି ଆହୁରା ମଜଦାଙ୍କର ପତ୍ନୀ ଓ ଦୂତୀ, ଯାହାଙ୍କର କାମ ହେଲା ଡାଇନାଙ୍କୁ ଶିକ୍ଷାଦେବା । ଡାଇନା ହେଉଛନ୍ତି ବିବେକ ଓ ଧର୍ମର ସଙ୍ଗମ । ମୃତ୍ୟୁ ଉପରାନ୍ତ ଜୀବନରେ ସେ ଆତ୍ମାମାନଙ୍କୁ ଆଗର ଦିଗ୍ଦର୍ଶନ ଦେଇଥାନ୍ତି। ତାଙ୍କର ଏକ ଚିହ୍ନ ମୟୁରର ଡାକ ପୂତାତ୍ମାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଦିଏ । ବର୍ମିଜ ଭାଷାରେ ତାଙ୍କୁ ଥୁରାଥଡି (Thurathadi), ଥାଇ ଭାଷାରେ ସୁରାସୱଦୀ (Surasawadee), ଜାପାନୀ ଭାଷାରେ ବେଞ୍ଜାଇତେନ ବୋଲି ପରିଚିତା ।
ପୂଜା ଓ ଉପାସନା
[ସମ୍ପାଦନା]ଭାରତର କେତେକ ରାଜ୍ୟ ଯଥା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ସରସ୍ୱତୀଙ୍କୁ ଦୁର୍ଗାଙ୍କର କନ୍ୟାଭାବେ ପୂଜା କରାଯାଏ । ସେଥିପାଇଁ ଦୁର୍ଗାପୂଜାରେ ଦୁର୍ଗାଙ୍କ ସହିତ ସରସ୍ୱତୀ, ଲକ୍ଷ୍ମୀ, ଗଣେଶ ଓ କାର୍ତ୍ତିକେୟଙ୍କର ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଇଥାଏ। [୯]
ଶ୍ରୀଦୁର୍ଗା ସପ୍ତସତୀରେ ଉଲ୍ଲେଖ ଅଛି, ଆଦ୍ୟା ଶକ୍ତି ଦୁର୍ଗା ତିନି ରୂପରେ ପ୍ରକାଶ ହୋଇ ତିନୋଟି ନବରାତ୍ରୀରେ ପୂଜା ପାଆନ୍ତି । ଆଶ୍ୱିନ ନବରାତ୍ରରେ ଦୁର୍ଗା ପୂଜା ପାଆନ୍ତି। ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିହିତା, ବିଣା ପୁସ୍ତକ ହସ୍ତରେ ହଂସାରୁଢା । ମା' ଙ୍କର ବାହାନ ମୟୁର ବୋଲି କେତେକ ଶାସ୍ତ୍ରରେ ଉଲ୍ଲେଖ ଅଛି । ସରସ୍ୱତୀଙ୍କୁ ଶବ୍ଦ ବ୍ରହ୍ମରେ ସ୍ତୁତି କଲେ ମା ପ୍ରସନ୍ନ ହୁଅନ୍ତି । ମା' ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରନ୍ତି । ମା' ସରସ୍ୱତୀ ବଗ୍ଦେବୀ, ସମସ୍ତଙ୍କୁ ସଦବୁଦ୍ଧି ସହ ସତବଚନର ଆଶିର୍ବାଦ ଦେଇଥାନ୍ତି । [୧୦]
ସମ୍ପର୍କୀୟ ପ୍ରସଙ୍ଗ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Sarasvati Origine".
- ↑ Sunil Sehgal (1999); Encyclopaedia of Hinduism, p. 1214; Sarup & Sons, ISBN 81-7625-064-3, 9788176250641
- ↑ Birmingham Museum of Art (2010). Birmingham Museum of Art : guide to the collection. [Birmingham, Ala]: Birmingham Museum of Art. p. 55. ISBN 978-1-904832-77-5.
- ↑ Thomas Donaldson (2001), Iconography of the Buddhist Sculpture of Orissa, ISBN 978-8170174066, pages 274-275
- ↑ ଷଡ଼ଙ୍ଗୀ, ଡା. ସରୋଜିନୀ. "ବାଗ୍ଦେବୀ ଉପାସନା". ଧରିତ୍ରୀ. Retrieved 12 February 2016.
- ↑ ମହାନ୍ତି, ଅସିତ. ସରସ୍ୱତୀ. ଆମ ଓଡ଼ିଶା. p. ୪୮.
- ↑ ସମାଜ ରବିବାର, ପୃଷ୍ଠା- ୭, ୨୨- ୨୮. ୧. ୨୦୧୨
- ↑ ହୟଗ୍ରୀବ ତ୍ରିପାଠୀ,ଅନୁପମ ଭାରତ, ପୃଷ୍ଠା- ୫, ଶୁକ୍ରବାର ୧୫ ଫେବୃଆରୀ ୨୦୧୩
- ↑ Kinsley, David (1988). Hindu Goddesses: Vision of the Divine Feminine in the Hindu Religious Traditions. University of California Press. ISBN 0-520-06339-2. p. 95.
- ↑ http://www.saiaustin.org/balvikas/lessons/Lesson%202%20-%20Saraswathi%20Devi.pdf