ଭୋଦେଇ ଓଷା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଭୋଦେଇ ଓଷା
ଅନ୍ୟ ନାମ ଭୋଦୁଆ ଭୋଦେଇ ଓଷା
ପାଳନକାରୀ ସଧବା ସ୍ତ୍ରୀ ଲୋକ
ବିଶେଷତା ଅବୈଦିକ, ଅପୌରାଣିକ ଓ ଅଶାସ୍ତ୍ରୀୟ ଓଷା
ଧର୍ମାନୁଷ୍ଠାନ ପୂଜା, ବନ୍ଦାପନା
ତାରିଖ ଭାଦ୍ରବ ପୂର୍ଣ୍ଣିମା

ଭାଦ୍ରପଦ ପୂର୍ଣ୍ଣିମା ଦିନ ସ୍ତ୍ରୀମାନେ ପତି ସୋହାଗିନୀ ହେବାପାଇଁ ଏହି ଓଷା ପାଳନ କରନ୍ତି । ଏହା ଗୋଟିଏ ଅବୈଦିକ, ଅପୌରାଣିକ, ଅଶାସ୍ତ୍ରୀୟ ଓଷା । ପ୍ରାଚୀନ-ଗୁହ୍ୟ-ଯାଦୁ-ବିଦ୍ୟା ସହିତ ଏହା ସଂପର୍କିତ ।

ଓଷା କାହାଣୀ[ସମ୍ପାଦନା]

ଲକ୍ଷ୍ୟଶ୍ରୀ ସାଧବର ପଣ୍ୟଦ୍ରବ୍ୟ ସରିଗଲା । ରଜାଘର ଗନ୍ତାଘରେ ଯାହା ହୀରାଲୀଳା, ମୋତି ମାଣିକ୍ୟ, ପାଟ ପତନୀ ଥିଲା ସରିଗଲା । ରାଜା ମନ୍ତ୍ରୀ ଓ ସାଧବକୁ ଡକାଇଲେ । ସାଧବକୁ କହିଲେ- “ ଗନ୍ତାଘର ଦରବ ସରିଲା । ବୋଇତ ବାଣିଜେ ଯିବୁ ।” ଆଜ୍ଞା ଅନୁସାରେ ଆୟୋଜନ ହେଲା । ସାଧବ ଦରିଆ ଭିତରେ ବୋଇତ ମେଲିଦେଲା । ଦୂର ଦେଶରେ ଯାଇ ପହଞ୍ଚିଲା । ହେଙ୍ଗୁ, ଜିରା, ମରିଚଠାରୁ ପାଟ, ପତନୀ ରତ୍ନମାନ ସବୁ କିଣିଲା । ନାହା- ନଙ୍ଗଳ କାଟି ବୋଇତ ସମୁଦ୍ରେ ମେଲିଲା । ତା’ ଲେଉଟାଣି ବୋଇତ ପାଣିରେ ଦୋହଲି ଆପଣା ରାଜ୍ୟକୁ ବାହୁଡ଼ି ଅଇଲା । ଲକ୍ଷ୍ୟଶ୍ରୀ ସାଧବର ସ୍ତ୍ରୀ ଭୋଦୁଆ ଭୋଦେଇ ଓଷା କଲେ । ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ଷଠୀ ଓଷା ପୂଜି ସୂତା ସାତଖିଅ ଅତୁଲରେ ବାନ୍ଧି ରଖିଥିଲା । ଭାଦ୍ରବ ପୂର୍ଣ୍ଣିମା ଦିନ ସକାଳୁ ଶୀଘ୍ର ଉଠି ବୁଡ଼ ପକାଇବାକୁ ଗଲା । ବିଧିମତେ ଓଷା ପୂଜାର ଆୟୋଜନ କଲା । ତାର ନଳୀ ବୋଲି ପୋଇଲିଟିଏ ଥିଲା । ସେ ତା’ ପାଖେ ପାଖେ ଥାଏ । ସାଧବାଣୀ ମହୁଲ ଦାନ୍ତକାଠିରେ ଦାନ୍ତଘସି ଦାନ୍ତକାଠି ପୋତି ଦେଇଥିଲା । ନଳୀ ତାକୁ ନେଇ ସେଥିରେ ଦାନ୍ତଘସି ବୁଡ଼ ପକାଇଲା । ଘରକୁ ବାହୁଡ଼ି ସାଧବାଣୀର ସମସ୍ତ ପୂଜା ଆୟୋଜନ ଦେଖିଲା । ସାଧବାଣୀ ସବୁ ସଜକରି ପୂଜାକୋଠିରେ ଧୂପନୈବେଦ୍ୟ ଦେଲା । କଖାରୁ ପତ୍ରରେ ସୂତା ଥୋଇଲା । ଏତିକି ବେଳେ ସାଧବର ବୋଇତ କୂଳରେ ଲାଗିଲା ବୋଲି ଖବର ପହଞ୍ଚିଲା । ବାର ବର୍ଷର ବିଚ୍ଛେଦ ପରେ ସାଧବ ଘରକୁ ବାହୁଡ଼ିଛି । ବୋଇତରେ କେତେ ଦରବ ଆଣିଥିବ । ସାଧବାଣୀ ପୂଜା ଜାଗାରେ ନଳୀ ପୋଇଲିକି ବସାଇ ଦେଇ ବୋଇତ ବନ୍ଦାଇବାକୁ ଉଠିଲା । ‘ପାଟେ ପିନ୍ଧି ପାଟେ ଉପୁରାଣ ଦେଲା । ନେତ ପିନ୍ଧିଲା । ଅର୍ଘ୍ୟଥାଳି ଧରି ଗଲା ।’ ନଳୀ ଘରେ ପଶି ଓଷା ଭୋଗତକ ଖାଇଦେଲା । ସେ ଭୋଗ ଖାଇବା ସଙ୍ଗେ ସଙ୍ଗେ ସାଧବର ମନ ସାଧବାଣୀ ଠାରୁ ତୁଟି ଗଲା । ଆଉ ସାଧବାଣୀକୁ ପଚାରିଲା ନାହିଁ । ନଳୀକୁ ଖୋଜିଲା । ସାଧବାଣୀ ପାଇଁ ଯାହା ଆଣିଥିଲା ନଳୀକୁ ଦେଲା । ତାକୁ ଘେନି ଘରଦ୍ୱାର କଲା । ସାଧବାଣୀକୁ ପାଖ ପୂରାଇଦେଲାନାହିଁ । ଏମିତି କିଛିଦିନ ପରେ ନଳୀ ମରିଗଲା । ସାଧବଟି ନଳୀର ହାଡ଼ ବେକରେ ପକାଇ ପାଗଳ ପରି ହେଇ ବୁଲିଲା । ଘରଦ୍ୱାର ଛାଡ଼ି କୁଆଡେ କୁଆଡେ ଗଲା । ସାଧବାଣୀ ପତିବ୍ରତା । ସେ ସ୍ୱାମୀ ପିଛା ଛାଡୁ ନଥାଏ । ସାଧବର ଦେଶାନ୍ତର କରିବାର ଦେଖି ସେ ମଧ୍ୟ ଘରଦ୍ୱାର ଛାଡ଼ି ତା’ପଛେ ପଛେ ଗଲା । ବାଟରେ ଗୋଟିଏ ମହୁଲ ଗଛ । ସେଇଠି ଭୋଦୁଆ ଭୋଦେଇ ପିଲା ସାତଟିକି ଧରି ରହୁଥାନ୍ତି । ସେଠି ସାଧବ ପହଞ୍ଚିଲା । ନଳୀର ହାଡ଼ କଳସୀକୁ ଗଛରେ ଟାଙ୍ଗିଦେଇ ପୋଖରୀକୁ ପାଣି ପିଇବାକୁ ଗଲା । ସାଧବାଣୀ ସେଠାରେ ପହଞ୍ଚି ସାଧବକୁ ନଦେଖି କାନ୍ଦି ବୋବେଇ ହୋଇ ଗଛ ଉପରେ ଆଉଜି ଗଲା । ସେ ଆଉଜିବା ମାତ୍ରେ ଭୋଦୁଆ, ଭୋଦେଇକୁ ଛାତିରୁ ଉଠାଇ ନେଲା । ଭୋଦେଇ କହିଲା- “କେତେ ଯୁଗ ହେଲାଣି ପିଲା ସାତଟିକୁ ଧରି ତୋ ବୁକୁରେ ପଡ଼ିଛି । ଆଜି ଉଠିବାକୁ କହୁଛୁ ?” ସେ ଭାବିଲା କୋଉ ଅଲକ୍ଷଣୀ ସେ ଗଛମୂଳକୁ ଆସିଛି । ଭୋଦୁଆ, ସାଧବାଣୀର ଦୁର୍ଦ୍ଦଶା ବର୍ଣ୍ଣନା କରି କହିଲା – “ ସେ ଯଦି ଏବେ ଗଛରେ ଟଙ୍ଗା ହୋଇଥିବା ହାଡ଼-କଳସୀଟି ଫିଟାଇ ନେବ । ପାଣି ପୋଖରୀରେ ପୋତି ସାତଖଣ୍ଡି ହାଡ଼ ପାଣି ପଦ୍ମକରି ହାତରେ ଧରିବ, ନଳୀ ହାଡ଼ ଗୋଳି ପିଇବ, “ ନଳୀ ସୋହାଗ ମତେ ଅସୁ ମୋ ଦୋହୀ ନଳୀରେ ପଶୁ” କହି ସେ ପାଣି ପଦ୍ମକୁ ପିଇବ ତେବେ ତାର ଭାଗ୍ୟ ଲେଉଟିବ ।” ସାଧବାଣୀ ଦୁର୍ଗାମାଧବଙ୍କୁ ସ୍ମରଣ କରି ଯେପରି ଶୁଣିଥିଲା ସେପରି କଲା । ସାଧବ ସେହି ପୋଖରୀ କୂଳକୁ ଆସି ପାଣି ପିଇବାକୁ ଆସି ଗୋଟିଏ ତୁଠରେ ପାଣି ପିଉଥିଲା । ସାଧବାଣୀ ଅନ୍ୟ ତୁଠରେ ପଶି ମନ୍ତ୍ର ପଢିଲା । ତାହାପରେ ସାଧବ ସାଧବାଣୀକୁ ଦେଖିବା ମାତ୍ରେ ଖୁସିରେ ଗଦଗଦ ହୋଇ ପଡ଼ିଲା । ସାଙ୍ଗ ହୋଇ ଘରକୁ ଫେରିଲେ । ସେମାନଙ୍କର ସୁଖର ଦିନ ବାହୁଡ଼ି ଆସିଲା । [୧]

ଆଧାର[ସମ୍ପାଦନା]

  1. ସଂଚାର, ୪ ସେପ୍ଟେମ୍ବର ୨୦୧୩, ବୁଧବର, ପୃଷ୍ଠା- ୧୪