ସିଦ୍ଧ ଭୈରବୀ

ଉଇକିପିଡ଼ିଆ‌ରୁ
siddha bhairavi temple, mantridi, Orissa

ଗଞ୍ଜାମ ଜିଲ୍ଲାର ମନ୍ତ୍ରିଡ଼ି ଗ୍ରାମରେ ଦେବୀ ସିଦ୍ଧ ଭୈରବୀଙ୍କ ପୀଠ ରହିଛି ।[୧][୨]

କିମ୍ବଦନ୍ତୀ[ସମ୍ପାଦନା]

ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଦେବୀ ଭୂସଂଜାତା, ଏହିଠାରେ ଦେବୀଙ୍କର ଆବିର୍ଭାବ ହୋଇଥିଲା । ଜଣେ କୃଷକ ଚାଷ କରୁଥିବା ବେଳେ ଲଙ୍ଗଳ ମୁନ ରକ୍ତାକ୍ତ ହୋଇଯିବାର ଦେଖି ଭୟଭୀତ ହୋଇଯାଇଥିଲେ । ସେହି ରାତିରେ ଦୈବବାଣୀ ହେଲା ଉକ୍ତ ଜମିରେ ଦେବୀ ଭୈରବୀ ବାସ କରୁଛନ୍ତି ଏବଂ ସେଠାରେ ସବୁଦିନେ ପୂଜା ପାଇବେ । ପରଦିନ କୃଷକ ଜମିରୁ ମାଟି ଖୋଳି ଦେବୀଙ୍କୁ ବାହାର କଲେ ଏବଂ ସେଠାରେ ନିର୍ମାଣ ହେଲା ଦେବୀଙ୍କ ପୀଠ । ବର୍ତ୍ତମାନ ଭୈରବୀ ମୂର୍ତ୍ତିଙ୍କ ଡାହାଣ ପାଖରେ ଯେଉଁ ଖଣ୍ଡିତ ଅଂଶ ଦେଖାଯାଏ ତାହା ଲଙ୍ଗଳ ବାଜି ଆଘାତ ହୋଇଥିବା ବିଶ୍ୱାସ କରାଯାଏ ।

ହିନ୍ଦୁ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ନିର୍ମିତ ମନ୍ଦିର ଭିତରେ ପ୍ରତିଷ୍ଠିତ ଦେବୀ ଭୈରବୀଙ୍କ ମୂର୍ତ୍ତିର ଏକ ବିଶେଷତ୍ୱ ରହିଛି । ସେ ଚତୁର୍ଭୁଜା ଏବଂ ଏକପାଦ ବିଶିଷ୍ଟା । ମୂର୍ତ୍ତିର ବାମପାର୍ଶ୍ୱ ସ୍କନ୍ଧ ନିକଟରେ ଥିବା ଖାଲୁଆ ଅଂଶରୁ ସୁବାସିତ ଗଙ୍ଗାଜଳ ନିର୍ଝରିତ ହୁଏ । ମୂର୍ତ୍ତି ଈଶାନ୍ୟମୁଖା ହୋଇ ଅଧିଷ୍ଠିତା । ତାଙ୍କ ଦୃଷ୍ଟି ମନ୍ଦିରର ବେଢା ସଂଲଗ୍ନ ବ୍ରାହ୍ମଣମାନଙ୍କ ଶ୍ମଶାନ ମଧ୍ୟ ଦେଇ ପ୍ରାୟ ଏକ ମାଇଲ ଦୂର ପାଲୁରୁ ପାହାଡ ଯାଏ ଲମ୍ବିଛି । ଲୋକ ବିଶ୍ୱାସ ରହିଛି ଏହି ପାହାଡ଼ଟି ଦେବୀଙ୍କ ଲୀଳାପୀଠ । ମଧ୍ୟରାତ୍ରରେ ଅତି ଉଲ୍ଲାସ ଚିତ୍ତରେ ସେଠାରେ ବିହରଣ କରନ୍ତି ଭୈରବୀ । ପୁଣି ପାହାଡ଼ର ଉପର ଭାଗରେ ଥିବା ଜଳକୁଣ୍ଡ ଦେବୀଙ୍କର ବିଳାସ ତଡାଗ ଏବଂ ବର୍ଷସାରା ସେଠାରେ ସମ ପରିମାଣର ଜଳ ରହିଥାଏ । ଏଠାରେ ଦେବୀ ପରମ ବୈଷ୍ଣବୀଭାବରେ ପୂଜା ପାଆନ୍ତି ଶାକ୍ତ ପରମ୍ପରାରେ । ମୁଖ୍ୟତଃ ଗାୟତ୍ରୀ ମନ୍ତ୍ରରେ ଦେବୀଙ୍କୁ ପୂଜା କରାଯାଏ ।[୩] ପ୍ରତି ମାସର ସଂକ୍ରାନ୍ତି ଦିନ ଦେବୀଙ୍କର ମାସିକ ପର୍ବ ଉତ୍ସବ ପାଳିତ ହୁଏ । ନିଃସନ୍ତାନମାନେ ବର୍ଷର ସବୁ ସଂକ୍ରାନ୍ତି ଦିନ ଉପବାସ ରହି ନିଷ୍ଠାପର ଭାବେ ଦେବୀଙ୍କ ସେବାପୂଜା କଲେ ସନ୍ତାନ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଦେବୀ ଭୈରବୀ ପୂଜା ପାଉଛନ୍ତି । ଆନନ୍ଦ ବଜାର ନିକଟରେ ବେଢା ପଟକୁ ମୁହଁ କରି ଏକପାଦ ବିଶିଷ୍ଟ ଦେବୀ ଭୈରବୀ ମୂର୍ତ୍ତି ବିରାଜମାନ । [୪]

ଆଧାର[ସମ୍ପାଦନା]

  1. "Ganjam District". 123orissa.com. Archived from the original on 25 January 2013. Retrieved 30 January 2013. Mantridi : It is the small village in Gajam district
  2. "The Hindu : Other States / Orissa News : Moves afoot to develop Siddhi Bhairavi shrine". hindu.com. 2009. Retrieved 30 January 2013. famous religious spot near Orissa-Andhra border in Ganjam district
  3. "Sidha Vairabi". myberhampur.com. 2009. Retrieved 30 January 2013. and the main hymn used is Gayatri Mantra.
  4. ସମ୍ବାଦ, ୨୯ ଜାନୁଆରୀ ୨୦୧୩, ପୃଷ୍ଠା: ୦୨