ସୁସ୍ମିତା ଦାସ
ସୁସ୍ମିତା ଦାସ | |
---|---|
ଜନ୍ମ | ସୁସ୍ମିତା ପରିଜା ୨ ନଭେମ୍ବର |
ବୃତ୍ତି | ପ୍ରଚ୍ଛଦପଟ ଗାୟିକା |
ସକ୍ରିୟ ବର୍ଷ | ୧୯୮୭- ଏବେଯାଏଁ |
ବୈବାହିକ-ସାଥୀ | ସିଦ୍ଧାନ୍ତ ଦାସ (୧୯୮୫- ଏବେଯାଏଁ) |
ସନ୍ତାନ | ୨ |
ପିତାମାତା(s) | ସଂଘମିତ୍ରା ପରିଜା (ମାଆ) ଶ୍ୟାମସୁନ୍ଦର ପରିଜା (ବାପା) |
ୱେବସାଇଟ | susmitadas.in |
ସୁସ୍ମିତା ଦାସ ([susmit̪a d̪asɔ] (listen);)ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନର କାର୍ଯ୍ୟକ୍ରମରେ ଜଣେ ଗାୟିକା ରୂପେ କାର୍ଯ୍ୟ କରିଛନ୍ତି । ସୁସ୍ମିତା, ଓଡ଼ିଶା ଭିତରେ ତଥା ଓଡ଼ିଶା ବାହାରେ ଅନେକ ମଞ୍ଚରେ ଗୀତ ଗାଇଛନ୍ତି । ସେ ଆକାଶବାଣୀରେ ମୁଖ୍ୟତଃ ପୂରାତନ ଓଡ଼ିଆ ଗୀତ, ଆଧ୍ୟାତ୍ମିକ ଗୀତ ଏବଂ ଓଡ଼ିଶୀ ସଙ୍ଗୀତ ଆଦି ଗାଉଥିଲେ । ଏଥିସହ ସେ ମଞ୍ଚରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ପୁରୁଣା ଗୀତ, ଦେବଦେବୀ ଭଜନ, ଗଜଲ, ଓଡ଼ିଶୀ ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ ତଥା ଚଳଚ୍ଚିତ୍ର ଦୁନିଆ ବ୍ୟତୀତ କିଛି ଆଧୁନିକ ଗୀତ ମଧ୍ୟ ଗାଇଥାନ୍ତି ।[୧] ୨୦୨୧ ମସିହାରେ ସୁଗମ ସଙ୍ଗୀତ ପାଇଁ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ମିଳିଥିଲା ।[୨]
ସୁସ୍ମିତା ୨୦୦୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡ଼ା ଗସ୍ତରେ ଯାଇ ସେଠାରେ ମଧ୍ୟ କିଛି ମଞ୍ଚରେ ଗୀତ ଗାଇଥିଲେ । ୨୦୦୭ରେ ଯୁକ୍ତରାଷ୍ଟ୍ର, ଲଣ୍ଡନ ଏବଂ କାନାଡ଼ାରେ ଅନୁଷ୍ଠିତ OSA Conventionରେ ସେ ଗୀତ ଗାଇଥିଲେ । ତାଙ୍କର ସେହି ଯାତ୍ରା ସମୟରେ ସେଠାରେ ମଧ୍ୟ ଏକ ଗୀତ ଆଲବମ ମାୟ ଦର୍ପଣ ମଧ୍ୟ ମୁକ୍ତିଲାଭ କରିଥିଲା, ଯାହାକି ଅନେକଙ୍କଦ୍ୱାରା ଆକୃଷ୍ଟ ହୋଇଥିଲା । ସେ ମଧ୍ୟ ଆମେରିକା ଏବଂ ଲଣ୍ଡନର ଅନେକ ସ୍ଥାନରେ ମଞ୍ଚମାନଙ୍କରେ ଗୀତ ଗାଇଛନ୍ତି ।
ସେ ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବିଚାରିକା ଥିଲେ ।[୩] ହିନ୍ଦୀ, ରାଜସ୍ଥାନୀ, ମାଥିଲି, ଛତିଶଗଡ଼ି, ପଞ୍ଜାବୀ ଆଦି ଚଳଚ୍ଚିତ୍ରମାନଙ୍କର ସେ ବିଚାରିକା ଥିଲେ ।
ପ୍ରାରମ୍ଭିକ ଜୀବନ ଏବଂ ପରିବାର
[ସମ୍ପାଦନା]ସୁସ୍ମିତା ତାଙ୍କ ପରିବାରର ଥିଲେ ବଡ଼ ଝିଅ । ସୁସ୍ମିତାଙ୍କର ମାଆ ଥିଲେ ଜଣେ ସଙ୍ଗୀତମହାବିଦ୍ୟାଳୟର ଛାତ୍ରୀ ଥିଲେ, ସେ ବାଳକୃଷ୍ଣ ଦାସଙ୍କର ଛାତ୍ରୀ ଥିଲେ ।[୪] ସେ ହିଁ ଥିଲେ ସୁସ୍ମିତାଙ୍କର ପ୍ରଥମ ଗୁରୁ । ମାତ୍ର ସୁସ୍ମିତାଙ୍କର ମାଆଙ୍କର ବାହାଘର ପରେ ସେ ଆଉ ସୁଯୋଗ ପାଇ ନ ଥିଲେ, ନିଜର ପ୍ରତିଭାକୁ ଆଗକୁ ଆଣିବାକୁ । ତାଙ୍କ ମାଆ ଥିଲେ ଘରର ବଡ଼ ବୋହୂ ଏବଂ ତାଙ୍କର ଘର ଥିଲା ଏକ ଯୌଥ ପରିବାର । ସୁସ୍ମିତାଙ୍କର ପିତାଙ୍କର ୧୦ ଭାଇ । ସେଥିପାଇଁ ସେ ଇଚ୍ଛା ସତ୍ତ୍ୱେ ମଧ୍ୟ ସୁସ୍ମିତାଙ୍କୁ ସୂଚାରୁରୂପେ ଗୀତ ଶିକ୍ଷା ଦେଇପାରୁ ନ ଥିଲେ । ତେଣେ ସେତେବେଳେ ଝିଅ ବୋହୂମାନଙ୍କୁ ମଧ୍ୟ ଏତେଟା ସୁଯୋଗ ଦିଆଯାଉ ନ ଥିଲା ।[୫]
୧୯୮୫ରେ ସୁସ୍ମିତାଙ୍କର ବିଭାଘର ହୋଇଥିଲା । ତାଙ୍କର ଶ୍ୱଶୁର ଥିଲେ ଡିଜି ପୋଲିସ, ଯେ କି ସଙ୍ଗୀତ ଏବଂ କଳା ଦୁନିଆରେ ଅଧିକ ରୂଚି ରଖୁଥିଲେ । ସେ ସବୁ କାମ ସହିତ ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ମଧ୍ୟ ଜଣେ କଳାକାର ଭାବରେ ଅଭିନୟ କରୁଥିଲେ । ସୁସ୍ମିତାଙ୍କର ଶାଶୁ ଜନେ ଭାଓଲିନ୍ ବାଦକ ମଧ୍ୟ ଥିଲେ ଯେ କି ସୁନାକର ସାହୁଙ୍କଠାରୁ ଶିକ୍ଷା ଲାଭ କରିଥିଲେ । ସୁସ୍ମିତା ଗୀତ ଶିଖିଥିବା କଥା ଜାଣିବା ପରେ ତାଙ୍କ ଶ୍ୱଶୁର ତାଙ୍କର ବିଭାଘର ପାଇଁ ରାଜି ହୋଇଥିଲେ । ବିଭାଘର ପରେ ସୁସ୍ମିତା ମଧ୍ୟ ସୁନାକର ସାହୁଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ ।[୬] ଏହା ପରେ ସେ ୧୯୮୭ ମସିହାରେ ଆକାଶବାଣୀରେ ସେ ଜଣେ ଗାୟିକା ଭାବରେ ଯୋଗଦେଇଥିଲେ ।
ସୁସ୍ମିତାଙ୍କର ପତି ଜଣେ ବନ ବିଭାଗର ସରକାରୀ ଚାକିରିଆ । ତାଙ୍କର ଦୁଇଟି ଝିଅ ଅଛନ୍ତି । ଦୁଇ ଝିଅ ବଡ଼ ହୋଇ ସେମାନଙ୍କର କାର୍ଯ୍ୟରେ ଯୋଗ ଦେବା ପରେ ସୁସ୍ମିତା ସଙ୍ଗୀତକୁ ଏକ ପେଶା ଭାବରେ ଗ୍ରହଣ କରିଥିଲେ ।[୩]
ସଙ୍ଗୀତ ଜଗତରେ ପ୍ରବେଶ
[ସମ୍ପାଦନା]ବାହାଘର ପରେ ସୁସ୍ମିତା ସୁନାକର ସାହୁଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ଏହା ପରେ ସେ ଆକାଶବାଣୀରେ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୯୮୭ ମସିହାରେ ଆକାଶବାଣୀରେ କଣ୍ଠଦାନ ଆରମ୍ଭ କରିଥିଲେ । ପରେ ପରେ ସୁସ୍ମିତା ଅନେକ ଗୁରୁ ଯେପରିକି ଢେଙ୍କାନାଳର ଚେଲ୍ ସାର୍, ଡେରାଡୁନ୍ର ଜିନ୍ଦେଙ୍କଠାରୁ ଗୀତ ଶିଖିଥିଲେ । ଏହାପରେ ତାଙ୍କର ଦୁଇ ଝିଅ ବଡ଼ ହୋଇଯିବା ପରେ, ଏବଂ ତାଙ୍କ ସ୍ୱାମୀଙ୍କର ଭୁବନେଶ୍ୱରରେ ନିଯୁକ୍ତି ହେବା ପରେ ସେ ୨୦୦୩ରୁ ଏକ ପେଶାଦାର ଗାୟିକା ରୂପେ ଗୀତ ଗାଇବା ଆରମ୍ଭ କରିଥିଲେ ।[୬]
ସୁସ୍ମିତା ହେଉଛନ୍ତି ହିନ୍ଦୀ କଥାଚିତ୍ର ଜଗତର ସଙ୍ଗୀତ ନିର୍ଦ୍ଦେଶକ ଗୁଲ୍ଜାର୍ଙ୍କର ପ୍ରଶଂସକ । ସେ ତାଙ୍କର ଅନେକ ଗୀତକୁ ମଧ୍ୟ ଗାଇବାକୁ ପସନ୍ଦ କରନ୍ତି । ସେଥିପାଇଁ ତାଙ୍କର ଗୀତ ମେରା କୁଛ୍ ସାମାନ୍ ତୁମ୍ହାରେ ପାସ୍ ପଡ଼ା ହେକୁ ଅନୁବାଦ କରି ତୁମର ଜିନିଷ କିଛି ମୋ ପାଖରେ ରହିଯାଇଛି ଭାବରେ ହାତୀ ସଜ କର ଆଲବମରେ ସ୍ଥାନିତ କରି ଗାଇଥିଲେ । ଏହାର ରଚନା କରିଥିଲେ ଦେବଦାସ ଛୋଟରାୟ ।[୩]
ସୁସ୍ମିତା ଗାଇଥିବା କିଛି ଆଲବମ
[ସମ୍ପାଦନା]ମଧୁର ଏ ଚାନ୍ଦ ରାତି, ବାଳକୃଷ୍ଣ ଦାସଙ୍କ ରଚିତ ଓମପ୍ରକାଶ ମହାନ୍ତିଙ୍କର ସହ ପ୍ରଥମ ଆଲବମ କରିଥିଲେ ସୁସ୍ମିତା ।[୭]
ମାୟ ଦର୍ପଣ ମୁକ୍ତିଲାଭ କରିଥିଲା ୨୦୦୬ରେ ।[୮] ଏହି ଆଲବମରେ ଦେବଦାସ ଛୋଟରାୟ ଏବଂ ଓମପ୍ରକାଶ ମହାନ୍ତିଙ୍କ ସଥହ ଆରମ୍ଭ ହୋଇଥିଲା ସୁସ୍ମିତାଙ୍କର ମିଳିତ କାର୍ଯ୍ୟ । ମଧୁର ଏ ଚାନ୍ଦ ରାତି ମୁକ୍ତିଲାଭ କରିବା ପରେ ସୁସ୍ମିତା ତାଙ୍କର ମାମୁଁଙ୍କ ପ୍ରରୋଚନାରେ ମାୟାଧର ମାନସିଂହଙ୍କ ରଚିତ କାବ୍ୟ ମାୟାଦର୍ପଣକୁ ଗାଇଥିଲେ ।[୪]
ସେ ଓମାର ଖୟାମଙ୍କର ମନମୁଗ୍ଧକର ରୁବାଈର କିଛି ଭାଗକୁ ଓଡ଼ିଆରେ ମଧ୍ୟ ଗାନ କରିଥିଲେ । ଓମ୍ ପ୍ରକାଶ ମହାନ୍ତି ଏହାର ସ୍ୱର ସଂଯୋଜନା କରିଥିଲେ । ମୀରାବାଈ ଏବଂ କବୀରଙ୍କ ରଚିତ କଥାବସ୍ତୁକୁ ସେ ସଙ୍ଗୀତ ମାଧ୍ୟମରେ ପରିବେଶଷଣ କରିଛନ୍ତି । 'ଗୋଟିଏ ଶାରୀ' ନାମକ ଆଲବମ୍ରେ ସେ ଓଡ଼ିଶାର କେତେକ ପୁରୁଣା ଲୋକଗୀତିକୁ ସେ ପୁଣିଥରେ ଗାନ କରିଥିଲେ ।[୪]
ଦେବଦାସ ଛୋଟରାୟଙ୍କ ରଚିତ ୧୬ଟି ଆଧୁନିକ କବିତାକୁ ନେଇ ଏକ ଆଲବମ ନିର୍ମାଣ କରାଯାଇଥିଲା ଯାହାର ନାମ ଥିଲା ହାତୀ ସଜ କର ।[୪][୮] ଏହି ଆଲବମର ସମସ୍ତ ୧୬ଟି ଯାକ ଗୀତର ସ୍ୱର ସଂଯୋଜନା କରିଥିଲେ ଓମପ୍ରକାଶ ମହାନ୍ତି । ଏହି ଆଲବମ୍ରେ ଥିବା କିଛି କବିତାକୁ ପାଶ୍ଚତ୍ୟ ଶୈଳୀରେ ତିଆରି କରିଥିଲେ ଓମପ୍ରକାଶ ଏବଂ ଗାଇଥିଲେ ସୁସ୍ମିତା । ଏହି ଆଲବମ୍ରେ ବିଭିନ୍ନ ପ୍ରକାରର ଗୀତ ରଖାଯାଇଥିଲା, ଯେଉଁଥିରେ ଥିଲା: ଭାରତୀୟ ନୃତ୍ୟଶୈଳୀରେ କିଛି ଗୀତ, ପାଶ୍ଚାତ୍ୟ ଶୈଳୀରେ କିଛି ଗୀତ, ଲୋରି ଇତ୍ୟାଦି ।
ଦେବଦାସ ଛୋଟରାୟଙ୍କର ନୂଆ ଲୁହ ପୁରୁଣା ଲୁହ ବହିରେ ଥିବା ସମୁଦାୟ ଲେଖାକୁ ନେଇ ସୁସ୍ମିତା ଏକ ଗଜଲ ଆଲବମ୍ ବାହାର କରିଥିଲେ ।[୮] ଏଥିରେ ଦେବଦାସ ଛୋଟରାୟଙ୍କ ୧୬ଟି ଗୀତି କବିତାକୁ ନେଇ ତିଆରି ହୋଇଥିବା ଏହି ଆଲବମର ସ୍ୱରସଂଯୋଜନା କରିଥିଲେ ଓମପ୍ରକାଶ ମହାନ୍ତି । ସେ ଏଥିରେ ମଧ୍ୟ ବିଭିନ୍ନ ପ୍ରକାରର ଗୀତ ଗାଇଥିଲେ ।
ସୁସ୍ମିତାଙ୍କର ଅନ୍ୟ ଏକ ଆଲବମ ଥିଲା ଦେହ ବିଦେହ ।[୪] ଏହା ଗୌତମ ବୁଦ୍ଧଙ୍କ ଉପରେ ଆଧାରିତ ଥିଲା । ଏଥିରେ ଓଡ଼ିଶାରେ ଥିବା ବୁଦ୍ଧିଜିମ୍କୁ ଦର୍ଶାଯାଇଥିଲା । ଓଡ଼ିଶାରେ ଥିବା ବୁଦ୍ଧିଜିମ୍ ଯାହାକି ହେଉଛି ବଜ୍ରଯାନ୍ । ସେହି ସବୁକୁ ଭିତ୍ତି କରି ଲେଖାଯାଇଥିଲା ଏହି ଆଲବମ୍ଟି । ଶରୀର ମାଧ୍ୟମ ଦେଇ ଆତ୍ମାର ପରମାତ୍ମା ସହ ମିଳନର ଭାବକୁ ଏଇ ଆଲବମରେ ଦିଆଯାଇଛି । ଏହି ଆଲବମଟି ୬ ଫେବୃଆରୀ ୨୦୧୫ରେ ଭଞ୍ଜ କଳା ମଣ୍ଡପ, ଭୁବନେଶ୍ୱରରେ ମୁକ୍ତିଲାଭ କରିଥିଲା । ୧୩ ଫେବୃଆରୀରେ ଭୁବନେଶ୍ୱରରେ ଆୟୋଜିତ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଅବସରରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଗୀତ ପରିବେଶଣ କରାଯାଇଥିଲା ।[୯]
ନବକଳେବର ୨୦୧୫ ସମୟରେ ସୁସ୍ମିତାଙ୍କର ପ୍ରଥମ ଜଗନ୍ନାଥ ଭଜନ ଆଲବମ ହୃଦୟ ବଲ୍ଲଭ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ଥିବା ସମସ୍ତ ୧୨ଟି ଯାକ ଗୀତ ନିଜେ ସୁସ୍ମିତା ଗାଇଥିଲେ । ଏହି ଆଲବମରେ ଥିବା ୧୨ଟି ଗୀତରୁ ୬ଟି ପ୍ରଫୁଲ୍ଲ କର ଲେଖଥିଲେ ଏବଂ ସ୍ୱର ସଂଯୋଜନା କରିଥିଲେ । ବାକି ୬ଟି ଗୀତ ଥିଲା ପାରମ୍ପାରିକ ରଚନା, ଯାହାକି ଓମପ୍ରକାଶ ମହାନ୍ତିଙ୍କଦ୍ୱାରା ସ୍ୱର ସଂଯୋଜନା ହୋଇଥିଲା । ଏହି ଆଲବମଟି ରବୀନ୍ଦ୍ର ମଣ୍ଡପରେ ୭ ଜୁଲାଇ ୨୦୧୫ରେ ମୁକ୍ତିଲାଭ କରିଥିଲା ।[୫]
ଚକ୍ଷୁହୀନ ପିଲାମାନଙ୍କୁ ନେଇ ସ୍ୱାଭିମାନ ନାମକ ଏକ ଆଲବମ ତିଆରି କରିଥିଲେ ସୁସ୍ମିତା । ଏହାର ରଚନାଗୁଡ଼ିକୁ କରିଥିଲେ ବିଜୟ ମଲ୍ଲ । ଏହି ପିଲାମାନଙ୍କ ସହ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ମଧ୍ୟ ସୁସ୍ମିତାଙ୍କ ସହ ଗୀତ ଗାଇଥିଲେ । ୯ ଜାନୁଆରୀ ୨୦୧୬ରେ ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଏହି ଆଲବମଟି ମୁକ୍ତିଲାଭ କରିଥିଲା ।
୨୦୧୬ ମସିହାରେ ସୁସ୍ମିତା ଏବଂ ଅଭିଜିତ ମିଶ୍ରଙ୍କ କଣ୍ଠରେ ଋତୁଚକ୍ର ଆଲବମ ମୁକ୍ତିଲାଭ କରିଥିଲା । ଏହି ଆଲବମର ଗୀତଗୁଡ଼ିକୁ ରଚନା କରିଥିଲେ କୁଳମଣି ବିଶ୍ୱାଳ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓମ ପ୍ରକାଶ ମହାନ୍ତି । ମିଟୁ ମ୍ୟୁଜିମ୍ ଏହାର ପ୍ରସ୍ତୁତି ଦାୟିତ୍ୱ ନିଭେଇଥିଲା । ଭାରତରେ ଅନୁଭବ ହେଉଥିବା ୬ଟି ଋତୁକୁ ନେଇ ଏହାର ଗୀତ ରଚନା କରାଯାଇଥିଲା ।[୧୦]
୨୦୧୭ ମସିହାରେ ଉତ୍କଳ ଦିବସ ଅବସରରେ ସୁସ୍ମିତା ଓଡ଼ିଶାର ଯୁବଶକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଗୌରବ, ଗାଥାକୁ ନେଇ 'ଆଉ ନ କର କାହା ଆଗେ ଗୁହାରୀ' ଶୀର୍ଷକ ଏକ ଗୀତ ମୁକ୍ତିଲାଭ ହୋଇଥିଲା । ଭରଦ୍ୱାଜ ପଣ୍ଡା ଏହି ଗୀତଟିର ରଚନା କରିଥିବା ବେଳେ ବିଭୁତିଭୂଷଣ ଗଡ଼ନାୟକ ଏହି ଗୀତ ପାଇଁ ଆବଶ୍ୟକୀୟ ବାଦ୍ୟଯନ୍ତ୍ରର ଯୋଗାଡ଼ କରିଥିଲେ । ଏହି ଗୀତଟି ନିର୍ମାଣ କରିବା ପାଇଁ ଓଡ଼ିଶାର ପାରମ୍ପାରିକ ବାଦ୍ୟଯନ୍ତ୍ର ଖଞ୍ଜଣି, ଧୁଡୁକି, ଉକୁଲେଲେ ଆଦି ବ୍ୟବହୃତ ହୋଇଥିଲା ।[୧୧]
୨୦୧୭ ମସିହା ରଜ ସମୟରେ ସୁସ୍ମିତାଙ୍କ ଏକ ରଜ ଗୀତ ମୁକ୍ତିଲାଭ କରିଥିଲା । ରଜ ଅବସରରେ ଆମ ଓଡ଼ିଶାରେ କେମିତି ପାଳନ ହୁଏ, ସେହି ବିଷୟରେ କିଛି ବର୍ଣ୍ଣନା କରିଥିଲେ ଗୀତ ମାଧ୍ୟମରେ । ଏହି ଗୀତଟିର ଶୀର୍ଷକ 'ଲାଜ ଲାଜ ହୋଇ ଆସିଲ ରଜଲୋ' ରଖାଯାଇଥିଲା ।[୧୨] ଗୀତିକାର ଦେବଦାସ ଛୋଟରାୟ ଏହି ଗୀତଟିକୁ ରଚନା କରିଥିଲେ । ସଙ୍ଗୀତକାର ଓମ୍ ପ୍ରକାଶ ମହାନ୍ତି ଏହି ଗୀତଟିର ସ୍ୱର ସଂଯୋଜନା କରିଥିଲେ ।[୮] ଏହି ଗୀତର ଭିଡ଼ିଓରେ ନିଜେ ସୁସ୍ମିତା ମଧ୍ୟ ଅଭିନୟ କରିଥିଲେ । ଏହାର ଭିଡ଼ିଓର ସୁଟିଂ କରିଥିଲେ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ଏବଂ ଧୃବାନନ୍ଦ ପଣ୍ଡା ।[୧୩] ୧୪ ଜୁନ ୨୦୧୭ରେ ଏହି ଗୀତଟି ରବିନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକାର୍ପଣ କରାଯାଇଥିଲା । ମାତ୍ର ଜୁନ ୧୩ରେ ଏହାକୁ ୟୁ ଟ୍ୟୁବ୍ ଏବଂ ଫେସବୁକ୍ରେ ମୁକ୍ତିଲାଭ କରାଯାଇଥିଲା ।
ଗାଇଥିବା ଆଲବମ୍
[ସମ୍ପାଦନା]ଆଲବମ | ଗୀତ ସଂଖ୍ୟା | ରଚନା | ସ୍ୱର ସଂଯୋଜନା |
---|---|---|---|
ହାତୀ ସଜ କର | ୮ | ଦେବଦାସ ଛୋଟରାୟ | ଓମପ୍ରକାଶ ମହାନ୍ତି |
କହତ କବୀର | ୯ | ଓମପ୍ରକାଶ ମହାନ୍ତି | |
କୁଛ୍ ଦିଲ୍ନେ କାହା | ୧୬ | ||
ମଧୁର ଏ ଚାନ୍ଦ ରାତି | ୮ | ବାଳକୃଷ୍ଣ ଦାସ | ଓମପ୍ରକାଶ ମହାନ୍ତି |
ମାୟା ଦର୍ପଣ | ୯ | ମାୟାଧର ମାନସିଂହ | ଓମପ୍ରକାଶ ମହାନ୍ତି |
ମୀରା ଭଜନ | ୯ | ଓମପ୍ରକାଶ ମହାନ୍ତି | |
ନୂଆ ଲୁହ ପୁରୁଣା ଲୁହ | ୧୬ | ଦେବଦାସ ଛୋଟରାୟ | ଓମପ୍ରକାଶ ମହାନ୍ତି |
ଦେହ ବିଦେହ | ହରପ୍ରକାଶ ଦାସ | ||
ହୃଦୟ ବଲ୍ଲଭ | ୧୨ | ପ୍ରଫୁଲ୍ଲ କର | ପ୍ରଫୁଲ୍ଲ କର, ଓମପ୍ରକାଶ ମହାନ୍ତି |
ସ୍ୱାଭିମାନ | ବିଜୟ ମଲ୍ଲ | ||
ଋତୁଚକ୍ର | ୬ | କୁଳମଣି ବିଶ୍ୱାଳ | ଓମ ପ୍ରକାଶ ମହାନ୍ତି |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୨୦୨୧
ଆଧାର
[ସମ୍ପାଦନା]- ↑ "BIOGRAPHY". susmitadas.in. Archived from the original on 19 January 2017. Retrieved 8 March 2017.
- ↑ "Four senior Odia artistes to receive Sangeet Natak Akademi Amrit Award". www.newindianexpress.com. The Indian Express. Archived from the original on 19 December 2022. Retrieved 19 December 2022.
- ↑ ୩.୦ ୩.୧ ୩.୨ "Kathare Kathare - Singer Susmita Das - Etv News Odia". E Tv News. Retrieved 8 March 2017.
- ↑ ୪.୦ ୪.୧ ୪.୨ ୪.୩ ୪.୪ "ସୁସ୍ମିତା ଦାସ". ସମାଜ. 7 September 2017. Retrieved 8 September 2017.[permanent dead link]
- ↑ ୫.୦ ୫.୧ "Sapana Ra Pathe Pathe: Susmita Das". କନକ ନ୍ୟୁଜ. Retrieved 8 March 2017.
- ↑ ୬.୦ ୬.୧ "Face To Face with Singer Susmita Das". NWZ Today. Archived from the original on 1 July 2019. Retrieved 8 March 2017.
- ↑ "ଓଡ଼ିଆ ସଙ୍ଗୀତର ନୂଆ ଦିଗବଳୟ". ସାମାନ୍ୟ କଥନ. Retrieved 30 July 2017.[permanent dead link]
- ↑ ୮.୦ ୮.୧ ୮.୨ ୮.୩ "ସୁସ୍ମିତା ଦାସଙ୍କ କଣ୍ଠରେ ନୂଆ ରଜ ଗୀତ: ଲାଜ ଲାଜ ହୋଇ ଆସିଲା ରଜଲୋ…". Odisha Live. 8 June 2017. Retrieved 30 July 2017.
- ↑ "ଭୁବନେଶ୍ୱରରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆସନ୍ତା ୧୩ ତାରିଖରୁ". Odishan. 11 February 2015. Retrieved 30 July 2017.
- ↑ [odialive.com/susmita-das-seasons-odia-music-album/ "Susmita Das's Seasons Odia music Album"]. OdiaLive.com. 30 January 2016. Retrieved 9 March 2017.
{{cite news}}
: Check|url=
value (help) - ↑ "A beautiful new Odia song released on Utkala Dibasa by Susmita Das, perfect gift to Odia people". Bhubaneswar BUZZ. Retrieved 1 April 2017.
- ↑ "Susmita Das' musical treat for Raja". Odisha Bytes. Retrieved 30 July 2017.
- ↑ "Lajja Lajja Hoi Asila Raja". Odisha Live. Retrieved 30 July 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁସ୍ମିତା ଦାସ