ଓମପ୍ରକାଶ ମହାନ୍ତି
ଓମପ୍ରକାଶ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
ଜାତୀୟତା | ![]() |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଙ୍ଗୀତକାର |
ଜୀବନସାଥି | କରବୀ ପଟ୍ଟନାୟକ |
ସନ୍ତାନ | ଶ୍ରୁତି ମହାନ୍ତି |
ଓମପ୍ରକାଶ ମହାନ୍ତି, ଓଡ଼ିଶାର କଟକଠାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତକାର ତଥା ଗାୟକ । ଓମପ୍ରକାଶଙ୍କୁ ସଙ୍ଗୀତ ସାଧନା ଦିଗରେ ଗୁରୁ ନବୀନ ପଟ୍ଟନାୟକଙ୍କଠାରୁ ମାର୍ଗଦର୍ଶନ ମିଳିଥିଲା । ସେ ନିଜର ସଙ୍ଗୀତଜ୍ଞ ଜୀବନ ଆକାଶବାଣୀ କଟକର ଶିଶୁ ସଂସାର କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣଦ୍ୱାରା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସହ ସଙ୍ଗୀତ ପରିବେଷଣ କରିଥିଲେ । ଯୁବ ବୟସରେ ସେ ପାଶ୍ଚାତ୍ୟ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ ଓ ଗିଟାର ବଜାଇବାରେ ପାରଙ୍ଗମ ହୋଇପାରିଥିଲେ । ତାଙ୍କର ଗିଟାର ବଜାଇବାର ଦକ୍ଷତା ଦେଖି ଅକ୍ଷୟ ମହାନ୍ତି ତାଙ୍କୁ ନିଜ ସହ କାମକରିବାର ସୁଯୋଗ ଦେଇଥିଲେ ।
ସଙ୍ଗୀତକୁ ପେଷା କରିବା ପାଇଁ, ଭାରତୀୟ ବାୟୁସେନାର ଚାକିରିକୁ ପ୍ରତ୍ୟାଖ୍ୟାନ କରିଥିବା ଓମପ୍ରକାଶ , ବର୍ତ୍ତମାନ ଆକାଶବାଣୀ କଟକରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ।[୧] 'କାଳିଆ' ନାମକ ଭଜନ କ୍ୟାସେଟରେ ସେ ପ୍ରଥମକରି ସଙ୍ଗୀତ ନିର୍ଦ୍ଦେଶନ ଦେଇଥିଲେ । ୨୦୦୫ ମସିହାର ଚଳଚ୍ଚିତ୍ର ଭାଗ୍ୟ ଚକ୍ର ମାଧ୍ୟମରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ ଓ ଏହି ଚଳଚ୍ଚିତ୍ରର ସଙ୍ଗୀତ ତାଙ୍କୁ ଖୁବ ସଫଳତା ଆଣିଦେଇଥିଲା । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ୨୦୦୫ ମସିହାର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓ ରତିକାନ୍ତ ଶତପଥୀଙ୍କୁ ଶ୍ରେଷ୍ଠ ଗାୟକ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଥିଲା । [୨] [୩] [୪]
ଚଳଚ୍ଚିତ୍ର ବ୍ୟତୀତ, ସଙ୍ଗୀତର ଅନ୍ୟାନ୍ୟ ମାଧ୍ୟମରେ ମଧ୍ୟ ସେ ଖୁବ ଚଳଚଞ୍ଚଳ ଅଛନ୍ତି । ଦେବଦାସ ଛୋଟରାୟଙ୍କ କବିତାକୁ ନେଇ ହାତୀ ସଜ କର[୫] ନାମରେ ଦୁଇଟି ଆଲବମରେ ଓମପ୍ରକାଶ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି । ଦେବଦାସ ଛୋଟରାୟଙ୍କର ଅନ୍ୟ ଲେଖାକୁ ନେଇ ନୂଆ ଲୁହ ପୁରୁଣା ଲୁହ[୬] ନାମରେ ଏକ ଆଲବମରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି । ସେହିପରି ଓମାର ଖୟାମଙ୍କର 'ରୁବାୟତ'କୁ ସେ 'ରୁବାଇ' ନାମର ଆଲବମଦ୍ୱାରା ସଙ୍ଗୀତ ରୂପ ଦେଇଛନ୍ତି ।[୭] ରୁବାୟତର ଓଡି଼ଆ ଅନୂବାଦ କରିଛନ୍ତି ଦେବଦାସ ଛୋଟରାୟ । ମାୟାଧର ମାନସିଂହଙ୍କର କବିତାକୁ ନେଇ ମାୟା ଦର୍ପଣ[୮] ନାମରେ ଏକ ଆଲବମରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି । ଅକ୍ଷୟ ମହାନ୍ତିଙ୍କର ଅବ୍ୟବହୃତ କବିତା ଗୁଡିକୁ ସେ ଦୀପ ଜଳେ ଦୀପ ଲିଭେ ନାମକ ଏକ ଆଲବମରେ ସଙ୍ଗୀତ ରୂପ ଦେଇଛନ୍ତି ।[୯] ଓଡ଼ିଶାର ଲୋକଗୀତ, ପ୍ରାଚୀନ ଗୀତ, ସଙ୍ଗୀତ ଆଦିକୁ ଲୋକାଦୃତ କରିବା ପାଇଁ ଓମପ୍ରକାଶ ଚେଷ୍ଟିତ । [୧୦]
ଆଧାର[ସମ୍ପାଦନା]
- ↑ http://aircuttack.com/drama_broadcast_schedule.php
- ↑ http://www.orissadiary.com/ShowEntertainmentNews.asp?id=5950
- ↑ http://www.hindu.com/2008/02/26/stories/2008022657010200.htm
- ↑ http://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87
- ↑ http://www.orissadiary.com/ShowEntertainmentNews.asp?id=8371
- ↑ http://newindianexpress.com/states/odisha/article210583.ece
- ↑ http://www.orissadiary.com/CurrentNews.asp?id=35102
- ↑ http://www.susmitadas.in/biography.html
- ↑ http://www.orissadiary.com/ShowEntertainmentNews.asp?id=22373
- ↑ ତରଙ୍ଗ ମ୍ୟୁଜିକରେ ପ୍ରସାରିଚ କାର୍ଯ୍ୟକ୍ରମ 'ଏ ଡେ ଉଇଥ ଏ ଷ୍ଟାର'
ଅଧିକ ତଥ୍ୟ[ସମ୍ପାଦନା]
- ଓମପ୍ରକାଶ ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)