ସ୍ନେହସାର
ସ୍ନେହସାର (Lipid) ଏକ ଚର୍ବି କିମ୍ବା ତୈଳଜାତୀୟ ପଦାର୍ଥ ଅଟେ । ଏହା ବିବିଧଶ୍ରେଣୀୟ ଯୌଗିକ ଜୈବ ଅଣୁ । ଏହା ଜଳରେ ଅଦ୍ରବଣୀୟ । କିନ୍ତୁ ଇଥର (Ether), ଇଥାନଲ (Ethanol) ଓ ବେଞ୍ଜିନ୍ (Benzene) ଭଳି ଜୈବ ଦ୍ରାବକରେ ଏଗୁଡ଼ିକ ସହଜରେ ଦ୍ରବୀଭୂତ ହୋଇଥାନ୍ତି । ଶ୍ୱେତସାର ପରି ସ୍ନେହସାର ମଧ୍ୟ ଅଙ୍ଗାରକ, ଉଦ୍ଜାନ ଓ ଅମ୍ଳଜାନ ଅଣୁଦ୍ୱାରା ଗଠିତ । କେତେକ ସ୍ନେହସାରରେ ଯବକ୍ଷାରଜାନ, ଗନ୍ଧକ ତଥା ଫସଫରସ୍ ଅଣୁ ସଂଯୋଜିତ ହୋଇ ରହିଥାଏ । ସ୍ନେହସାର ଉଭୟ ଉଦ୍ଭିଦ ଓ ପ୍ରାଣୀ ଶରୀରରେ ଗଚ୍ଛିତ ହୋଇ ରହିଥାଏ । ଏହା କୋଷ ଆବରଣର ଗାଠନିକ ଉପାଦାନ ଅଟେ । ଏହା ବ୍ୟତୀତ ରାଶି, ଚିନାବାଦାମ ଓ ବିଭିନ୍ନ ପ୍ରକାରର ଫଳରେ ଏବଂ ପ୍ରାଣୀମାନଙ୍କର ମେଦତନ୍ତୁ, ଅସ୍ଥିମଜ୍ଜା ଓ ସ୍ନାୟୁତନ୍ତୁରେ ମଧ୍ୟ ସ୍ନେହସାର ଗଚ୍ଛିତ ହୋଇରହିଥାଏ ।[୧]
ଶ୍ରେଣୀବିଭାଗ
[ସମ୍ପାଦନା]ସ୍ନେହସାରକୁ ମୁଖ୍ୟତଃ ୩ ଭାଗରେ ବିଭକ୍ତ କରାଯାଇଥାଏ । ଯଥା:
- ସରଳ ସ୍ନେହସାର (Simple Lipid)
- ଯୌଗିକ ସ୍ନେହସାର (Complex Lipid)
- ଉତ୍ପାଦିତ ସ୍ନେହସାର (Derived Lipid)
ସରଳ ସ୍ନେହସାର (Simple Lipid)
[ସମ୍ପାଦନା]ଏହା ଜୀବ ଶରୀରରେ ଥିବା ସାଧାରଣ ଶ୍ରେଣୀର ସ୍ନେହସାର । ଏହା ମେଦାମ୍ଳ (Fatty acid), ଇଷ୍ଟର (Ester), ଗ୍ଲିସେରଲ୍ (Glycerol)ର ସମିଶ୍ରଣରୁ ତିଆରି । ଗ୍ଲିସେରଲ୍ ସହିତ ସଂଯୁକ୍ତ ସ୍ନେହାମ୍ଳ ସଂଖ୍ୟା ଉପରେ ନିର୍ଭର କରି ଇଷ୍ଟରଗୁଡ଼ିକୁ ଏକକ (mono-), ଦ୍ୱି (di-) କିମ୍ବା ତ୍ରି (tri-) ଗ୍ଲିସେରାଲ୍ଡିହାଇଡ୍ ରୂପେ ନାମିତ କରାଯାଇଥାଏ । ଶ୍ୱେତସାରରୁ ଯେତେ ପରିମାଣର ଶକ୍ତି ଉତ୍ପନ୍ନ ହୁଏ, ସମପରିମାଣର ସରଳ ସ୍ନେହସାରରୁ ତା'ଠାରୁ ଯଥେଷ୍ଟ ଅଧିକ ଶକ୍ତି ମିଳିଥାଏ ।
ଯୌଗିକ ସ୍ନେହସାର (Complex Lipid)
[ସମ୍ପାଦନା]ଏପ୍ରକାର ସ୍ନେହସାରରେ ମେଦାମ୍ଳ (Fatty acid) ଗ୍ଲିସେରଲ୍ (Glycerol) ବ୍ୟତୀତ ଫସ୍ଫରସ୍, ଯବକ୍ଷାରଜାନ ଓ ଗନ୍ଧକ କିମ୍ବା ପୁଷ୍ଟସାର ଭଳି ଅଣୁ ସଂଯୋଜିତ ହୋଇ ରହିଥାଏ । ଫସ୍ଫୋଲିପିଡ୍ (Phospholipid) ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜୈବିକ ଯୌଗିକ ସ୍ନେହସାର । କାରଣ ଏହା ପ୍ରାଣୀ ଓ ଉଦ୍ଭିଦ ଶରୀରରେ ଥିବା କୋଷିକା ଆବରଣର ଅଂଶବିଶେଷ । ଗୋଟିଏ ବା ଦୁଇଟି ମେଦାମ୍ଳ ଫସ୍ଫେଟ୍ ବର୍ଗ ସହ ସଂଯୋଜିତ ହୋଇ ଫସ୍ଫୋଲିପିଡ୍ ଅଣୁ ତିଆରି ହୋଇଥାଏ । ଏହିଭଳି ପଦାର୍ଥ ସହ କୋଲିନ୍ (Cholin)ର ସଂଯୋଗରୁ ଲେସିଥିନ୍ (Lecithin) ନାମକ ଯୌଗିକ ସ୍ନେହସାର ଉତ୍ପନ୍ନ ହୋଇଥାଏ ।
ଉତ୍ପାଦିତ ସ୍ନେହସାର (Derived Lipid)
[ସମ୍ପାଦନା]ଏହା ସ୍ନେହସାରର ଜଳ ଅପଘଟନ (Hydrolysis)ଦ୍ୱାରା ଉତ୍ପନ୍ନ ହୋଇଥାଏ । ଷ୍ଟିରଏଡ୍ (Steroid), କ୍ୟାରୋଟିନଏଡ୍ (Carotenoid) ଓ ଅତ୍ୟାବଶ୍ୟକୀୟ ତୈଳ (Essential oil) ପ୍ରଭୃତି ଏହି ବର୍ଗର ଅନ୍ତର୍ଭୁକ୍ତ ।
ଷ୍ଟିରଏଡ୍ ଅଣୁରେ ଅଙ୍ଗାରକ ଅଣୁଗୁଡ଼ିକ ଚକ୍ରାକାର (Ring)ରେ ସଜ୍ଜିତ ହୋଇ ପରସ୍ପର ସହ ସଂଲଗ୍ନ ହୋଇ ରହିଥାନ୍ତି । ଏଥିରେ ଏହିପରି ୪ଟି ସଂରଚନା ଥାଏ । ଏଥିମଧ୍ୟରୁ ୩ଟି ୬-ଅଙ୍ଗାରକ ଅଣୁ ବିଶିଷ୍ଟ ଓ ଚତୁର୍ଥଟି ୫-ଅଙ୍ଗାରକ ଅଣୁ ବିଶିଷ୍ଟ ଅଣୁ ଅଟେ । ଏହି ଚକ୍ରମାନଙ୍କ ସହ ସଂଯୋଜିତ ଅନ୍ୟାନ୍ୟ ଅଣୁର ପ୍ରକାର ଭେଦରୁ ବିଭିନ୍ନ ପ୍ରକାରର ଷ୍ଟିରଏଡ୍ ଉତ୍ପନ୍ନ ହୋଇଥାଏ । ଜୈବିକ ଷ୍ଟିରଏଡ୍ ଅଣୁ ମଧ୍ୟରେ କୋଲେଷ୍ଟ୍ରଲ୍ (Cholesterol) ଓ ପିତ୍ତଲବଣ (Bile salt) ପ୍ରଧାନ । ଏହି ଶ୍ରେଣୀ ଅନ୍ତର୍ଗତ ପୁରୁଷ ଓ ସ୍ତ୍ରୀମାନଙ୍କ ଶରୀରରୁ ନିର୍ଗତ ଲିଙ୍ଗୀୟ ହର୍ମୋନ୍ ଓ ଅଧିବୃକକ୍ (Adrenal) ଗ୍ରନ୍ଥିରୁ କ୍ଷରିତ ହର୍ମୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଲେଷ୍ଟ୍ରଲ୍ ପ୍ରାଣୀମାନଙ୍କ ଶରୀରରେ ଅଧିକ ପରିମାଣରେ ଥାଏ ଏବଂ ଏହାର ପରିମାଣ ରକ୍ତରେ ଅଧିକ ହେଲେ ଏହା ଧମନୀ ଓ ଶିରାରେ ଜମାହୋଇ ସେମାନଙ୍କ ମଧ୍ୟରେ ଥିବା ପଥକୁ ସଙ୍କୁଚିତ କରିଦିଏ । ଫଳରେ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ କୋଲେଷ୍ଟ୍ରଲ୍ରୁ ପ୍ରୋଜେଷ୍ଟିରନ୍, ଟେଷ୍ଟୋଷ୍ଟିରନ୍, ଏଷ୍ଟ୍ରୋଡିୟଲ୍ ଓ କର୍ଟିସଲ୍ ଭଳି ଅନ୍ୟାନ୍ୟ ହର୍ମୋନ୍ ତିଆରି ହୋଇଥାଏ ।
ମହମ (Wax) ମଧ୍ୟ ଏକ ପ୍ରକାର ଉତ୍ପାଦିତ ସ୍ନେହସାର । ଉଦ୍ଭିଦ ଶରୀରରେ ଅଧିତ୍ୱଚିୟ କୋଷିକା (Epidermal cell)ଦ୍ୱାରା ମହମ ସଂଶ୍ଳେଷିତ ହୋଇଥାଏ । ଉଦ୍ଭିଦର ଭିର୍ଭାଗରେ ଏହା ଏକ ଆବରଣ ସୃଷ୍ଟି କରେ, ଯାହାଦ୍ୱାରା ଉଦ୍ଭିଦ ଶରୀରକୁ ଉତ୍ସ୍ୱେଦନ (Transpiration) ପ୍ରକ୍ରିୟାରେ ନିଷ୍କାସିତ ଜଳର ପରିମାଣ କମିଯାଇଥାଏ ।
କାର୍ଯ୍ୟ
[ସମ୍ପାଦନା]- ଏହା ଉଭୟ ଉଦ୍ଭିଦ ଓ ପ୍ରାଣୀ ଶରୀରରେ ସଞ୍ଚିତ ହୋଇ ରହିଥାଏ । ଜଡ଼ା, ରାଶି, ଚିନାବାଦାମ ପ୍ରଭୃତି ତୈଳବୀଜରେ ଏହା ସଂଗୃହୀତ ହୋଇରହେ । ଏଥିରୁ ସହଜରେ ତୈଳ ବାହାର କରାଯାଇ ଖାଦ୍ୟ ପ୍ରସ୍ତୁତି ତଥା ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ।
- ଶରୀରରେ ହେଉଥିବା ବିଭିନ୍ନ କ୍ରିୟା ପାଇଁ ତଥା ମାଂସପେଶୀଗୁଡ଼ିକୁ ଏହା ଶକ୍ତି ଯୋଗାଇଥାଏ । ମେଦ (Fat)ରେ ଗ୍ରାମ୍ ପିଛା ୯ କ୍ୟାଲୋରୀ ଶକ୍ତି ରହିଥାଏ । ପ୍ରତିଦିନ ବିଭିନ୍ନ କ୍ରିୟା ପାଇଁ ଶରୀରରେ ଆବଶ୍ୟକ ହେଉଥିବା ଶକ୍ତିର ଅର୍ଦ୍ଧେକ ଭାଗ ସ୍ନେହସାରରୁ ହିଁ ମିଳିଥାଏ । ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ସେବନ କଲେ, ଏହି ଅତିରିକ୍ତ ଶକ୍ତି ସ୍ନେହସାର ରୂପେ ଆଡିପୋଜ୍ କୋଷ (Adipose cell)ରେ ସଞ୍ଚିତ ହୋଇରୁହେ । ଆବଶ୍ୟକତା ସ୍ଥଳେ ପ୍ରାଣୀ ଶରୀର ଏହି ଗଚ୍ଛିତ ସ୍ନେହସାରରୁ ଶକ୍ତି ଉତ୍ପନ୍ନ କରି ବ୍ୟବହାର କରିଥାଏ ।[୨]
- ଏହା ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ । ଚର୍ମର ଠିକ୍ ତଳକୁ ମେଦ (Fat)ର ଏକ ଆସ୍ତରଣ ରହିଥାଏ, ଯାହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରି ରଖେ । ବୃକକ୍ର ଉପରିଭାଗରେ ମଧ୍ୟ ମେଦର ଏକ ଆସ୍ତରଣ ରହିଥାଏ । ଏହା ବୃକକ୍କୁ ଆଘାତରୁ ରକ୍ଷା କରିଥାଏ ।[୨]
- ଏହା ଖାଦ୍ୟ ପାଚନ (Digestion) ଓ ଅବଶୋଷଣ (Absorption)ରେ ମଧ୍ୟ ସାହାଯ୍ୟ କରେ । ଯକୃତରେ ପିତ୍ତଲବଣ (Bile salt) ସ୍ନେହସାରରୁ ହିଁ ତିଆରି ହୋଇଥାଏ । ଏହି ପିତ୍ତଲବଣ ଖାଦ୍ୟନଳୀର ନିମ୍ନଭାଗ ବା ଅନ୍ତ୍ର (Intestine)ରେ ମେଦ ସହ ଜଳର ମିଶ୍ରଣରେ ଏବଂ ତଦ୍ଦ୍ୱାରା ଖାଦ୍ୟର ଅପଘଟନ ତଥା ଖାଦ୍ୟସାରଗୁଡ଼ିକର ଅବଶୋଷଣରେ ସହାୟକ ହୋଇଥାଏ । ଏହାପରେ ମେଦରେ ଦ୍ରବଣୀୟ ଜୀବସାରଗୁଡ଼ିକ, ଯଥା ଜୀବସାର ଏ, ଜୀବସାର ଡି, ଜୀବସାର ଇ ଓ ଜୀବସାର କେ, ସ୍ନେହସାରଦ୍ୱାରା ଅନ୍ତ୍ରରୁ ରକ୍ତ ସାହାଯ୍ୟରେ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ । ଏହି ଜୀବସାରଗୁଡ଼ିକ ଦୃଷ୍ଟି, ଚର୍ମ, ହାଡ଼, ଦାନ୍ତ ଓ ରକ୍ତକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।[୨]
- ଫସ୍ଫୋଲିପିଡ୍ ଉଭୟ ଉଦ୍ଭିଦ ଓ ପ୍ରାଣୀ କୋଷିକା ଆବରଣର ଅଂଶବିଶଷ ଅଟେ ।
- ମହମକୁ ବ୍ୟବହାର କରି ଜଳ ଅବରୋଧକାରୀ ବସ୍ତୁ ପ୍ରସ୍ତୁତ କରାଯାଏ ।
- ହର୍ମୋନ୍ର ଗଠନରେ ଷ୍ଟିରଏଡ୍ ମୁଖ୍ୟ ଉପାଦାନ ଅଟେ ।
- କୋଲେଷ୍ଟ୍ରଲ୍ ଜୀବସାର ଘ ବା ଭିଟାମିନ୍ D ପ୍ରସ୍ତୁତିରେ ସହାୟକ ହୋଇଥାଏ ।
ସ୍ନେହସାରଯୁକ୍ତ ଖାଦ୍ୟ
[ସମ୍ପାଦନା]ନିମ୍ନଲିଖିତ ଖାଦ୍ୟଗୁଡ଼ିକରେ ସ୍ନେହସାର ପ୍ରଚୁର ପରିମାଣରେ ଥାଏ:[୩]
ସ୍ନେହସାରଜନିତ ରୋଗ
[ସମ୍ପାଦନା]ସ୍ନେହସାର ଅଭାବରେ ହେଉଥିବା ରୋଗ
[ସମ୍ପାଦନା]ନିମ୍ନଲିଖିତ ରୋଗଗୁଡ଼ିକ ସ୍ନେହସାର ଅଭାବରେ ହୋଇଥାଏ:
- ଯକୃତ ସମ୍ବନ୍ଧୀୟ ବା ହେପାଟିକ୍ ରୋଗ (Hepatic diseases)[୪]
- ଏସିଡ୍ ଲାଇପେଜ୍ ରୋଗ[୪]
- ହୃଦ୍ରୋଗ[୫]
- କର୍କଟ[୫]
- ଗର୍ଭାବସ୍ଥାରେ ନିମ୍ନ ରକ୍ତଚାପ[୫]
- ଗର୍ଭାବସ୍ଥାରେ ଭ୍ରୁଣର ବିକାଶରେ ବାଧା[୫]
- ମାନସିକ ବିକୃତି[୫]
- ସ୍ନାୟବିକ ରୋଗ[୫]
- ଦୁର୍ବଳତା[୫]
- ଯାଦୁ ବା ଏକ୍ଜିମା[୫]
- ଆଣ୍ଠୁଗଣ୍ଠି ଦରଜ[୫]
- ଗୋଡ଼ ଫଟା[୫]
ସ୍ନେହସାର ଆଧିକ୍ୟରେ ହେଉଥିବା ରୋଗ
[ସମ୍ପାଦନା]ନିମ୍ନଲିଖିତ ରୋଗଗୁଡ଼ିକ ସ୍ନେହସାର ଆଧିକ୍ୟରେ ହୋଇଥାଏ:[୬]
- ଗଚର୍ ରୋଗ (Gaucher disease)
- ନିଏମାନ୍-ପିକ୍ ରୋଗ (Niemann-Pick disease)
- ଫ୍ୟାବ୍ରି ରୋଗ (Fabry disease)
- ଫାର୍ବର୍ସ୍ ରୋଗ (Farber’s disease)
- କ୍ରେବ୍ ରୋଗ (Krabbe disease)
- ମେଟାକ୍ରୋମାଟିକ୍ ଲିଉକୋଡାଇଷ୍ଟ୍ରୋଫି (Metachromatic leukodystrophy)
- ଓଲ୍ମ୍ୟାନ୍ସ୍ ରୋଗ (Wolman’s disease)
ଆଧାର
[ସମ୍ପାଦନା]- ↑ ଦଶମ ଶ୍ରେଣୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଇଚ୍ଛାଧୀନ). ଅଣୁ ଜୀବବିଜ୍ଞାନ. ଓଡ଼ିଶା: ମାଧ୍ୟମିକ ଶିକ୍ଷା ପରିଷଦ. pp. 157–158.
- ↑ ୨.୦ ୨.୧ ୨.୨ Usage, Lipid. "What are lipids used for in the body?". Archived from the original on 24 June 2016. Retrieved 10 July 2016.
- ↑ Food, Lipid. "List of foods with lipids". Retrieved 10 July 2016.
- ↑ ୪.୦ ୪.୧ Disease, Lipid. "Fat deficiency disease". Archived from the original on 28 August 2016. Retrieved 10 July 2016.
- ↑ ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ Diseases, Lipid deficiency. "Essential fatty acid deficiency disease". Retrieved 10 July 2016.
- ↑ Diseases, Excess Lipid. "Lipid storage diseases fact sheet". Archived from the original on 11 January 2015. Retrieved 10 July 2016.