Jump to content

ଗର୍ଭାବସ୍ଥା

ଉଇକିପିଡ଼ିଆ‌ରୁ
ଗର୍ଭାବସ୍ଥା
A pregnant woman.
ବିଭାଗgynaecology[*]
ଆଇସିଡ଼ି-୧୦Z33.
ଆଇସିଡ଼ି-୯-ସିଏମ୍650
ରୋଗ ଡାଟାବେସ10545
ମେଡ଼ିସିନ-ପ୍ଲସ002398
ଇ-ମେଡ଼ିସିନarticle/259724
MeSHD011247

ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍‌ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । [] ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । [] ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ‌.ପି. ବା ଶେଷ ଋତୁସ୍ରାବଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ୪୦ ସପ୍ତାହ ଧରି ଏହି ସମୟ ବା ଗର୍ଭାବସ୍ଥା ରହେ । [][] ଚାନ୍ଦ୍ର ମାସ ଅନୁସାରେ ଏହି ସମୟ ୯ ମାସରୁ ଅଧିକ ହୁଏ ଯେ ହେତୁ ଏହି ମାସର ଅବଧି ୨୯ ୧/୨ ଦିନ ଥାଏ । [][] ଗର୍ଭାଧାନ (fertilisation) ସମୟରୁ ହିସାବ କଲେ ଏହା ୩୮ ସପ୍ତାହ ହୁଏ । ଗର୍ଭାଧାନରୁ ପ୍ରଥମ ୮ ସପ୍ତାହ ପର୍ଯ୍ୟନ୍ତ ଗର୍ଭସ୍ଥ ଶିଶୁକୁ ଭୃଣ (embryo) କୁହାଯାଏ ଓ ତା ପରେ ଜନ୍ମ ପର୍ଯ୍ୟନ୍ତ ଫିଟସ (fetus) କୁହାଯାଏ ।[] ଗର୍ଭାବସ୍ଥାର ପ୍ରଥମ ସମୟରେ ଋତୁସ୍ରାବ ବନ୍ଦ ହୋଇଯାଏ, ସ୍ତନ ଦରଜ ହୁଏ, ପ୍ରାତଃ ବେମାରୀ ବା ମର୍ନିଙ୍ଗ ସିକନେସ (ଅଇ ଓ ବାନ୍ତି) ହୁଏ, ଭୋକ ବେଶୀ ହୁଏ ଓ ବାରମ୍ବାର ପରିସ୍ରା ହୁଏ ।[] ପ୍ରେଗନାନସି ଟେସ୍ଟ (pregnancy test) ବା ପରୀକ୍ଷା କରି ଗର୍ଭାଧାନ ହୋଇଛି କି ନାହିଁ ଜଣାଯାଏ ।[]

ଗର୍ଭାବସ୍ଥାକୁ ୩ଟି ତ୍ରୈମାସିକରେ ବିଭକ୍ତ କରାଯାଏ । ଡିମ୍ବାଣୁ ଓ ଶୁକ୍ରାଣୁ ମିଳନ ପରେ ନିଷିକ୍ତ ଡିମ୍ବାଣୁ ଫାଲୋପିଆନ ଟ୍ୟୁବରୁ ତଳକୁ ଖସି ଆସି ଜରାୟୁରେ ସଂଯୁକ୍ତ ହୋଇଯାଏ ଓ ସେଠାରେ ଫିଟସପ୍ଲାସେଣ୍ଟା ତିଆରି ହୁଏ । [] ଏହି ପ୍ରଥମ ତ୍ରୈମାସିକ ସମୟରେ ସ୍ୱତଃ ଗର୍ଭପାତ (miscarriage) ବା ଭ୍ରୁଣ/ଫିଟସର ସ୍ୱାଭାବିକ ମୃତ୍ୟୁ ଅଧିକ ହୁଏ । [] ତେର ସପ୍ତାହରୁ ୨୮ ସପ୍ତାହ ପର୍ଯ୍ୟନ୍ତ ସମୟକୁ ଦ୍ୱିତୀୟ ତ୍ରୈମାସିକ କୁହାଯାଏ । ତୃତୀୟ ତ୍ରୈମାସିକ ୨୯ ସପ୍ତାହରୁ ୪୦ ସପ୍ତାହକୁ କୁହାଯାଏ । []

ଗର୍ଭିଣୀର ପ୍ରସବପୂର୍ବ ଯତ୍ନ ଉପରେ ଗର୍ଭାବସ୍ଥାର ଫଳାଫଳ ନିର୍ଭର କରେ । [] ଏହି ଯତ୍ନ ମଧ୍ୟରେ ଅଧିକ ଫଲିକ ଏସିଡ ଖାଇବା, ନିଶା ଦ୍ରବ୍ୟ ନିଷିଦ୍ଧ କରିବା, ନିୟମିତ ବ୍ୟାୟାମ କରିବା, ରକ୍ତ ପରୀକ୍ଷା ଓ ନିୟମିତ ଶାରୀରିକ ପରୀକ୍ଷା ଇତ୍ୟାଦି କରିବା ଆବଶ୍ୟକ । [] ଗର୍ଭାବସ୍ଥା ଜଟିଳତା ମଧ୍ୟରେ ଗର୍ଭାବସ୍ଥା ଉଚ୍ଚ ରକ୍ତଚାପ, ଗର୍ଭାବସ୍ଥା ଡାଏବେଟିସ, ଲୌହ ଅଭାବ ଆନିମିଆ, ଓ ଅତ୍ୟଧିକ ଓକାଳ ଓ ବାନ୍ତି ହୁଏ । [] ଟର୍ମ ଗର୍ଭାବସ୍ଥା ୩୭ରୁ ୪୧ ସପ୍ତାହକୁ କୁହାଯାଏ, ସହଳ ଟର୍ମ ୩୭ ଓ ୩୮ ସପ୍ତାହ, ସମ୍ପୂର୍ଣ୍ଣ ଟର୍ମ ୩୯ ଓ ୪୦ ସପ୍ତାହ ଓ ଲେଟ ଟର୍ମ ୪୧ ସପ୍ତାହ । ୪୧ ସପ୍ତାହ ପରେ ଗର୍ଭ ରହିଲେ ତାହାକୁ ପୋଷ୍ଟ ଟର୍ମ କୁହାଯାଏ । ୩୭ ସପ୍ତାହ ପୂର୍ବରୁ ଜନ୍ମିତ ଶିଶୁର ସେରେବ୍ରାଲ ପାଲ୍ସି ହେବା ସଙ୍କଟ ବଢ଼ିଯାଏ । [] ୩୯ ସପ୍ତାହ ପୂର୍ବରୁ କୌଣସି ଡାକ୍ତରୀ କାରଣ ନ ଥାଇ ସିଜରିଆନ ସେକସନ ବା ପ୍ରସବ ପ୍ରେରଣ କରିବାକୁ ସୁପାରିସ କରାଯାଏ ନାହିଁ । []

ସନ୨୦୧୨ରେ ପୃଥିବୀରେ ପ୍ରାୟ ୨୧୩ ନିୟୁତ ଗର୍ଭଧାରଣ ହୋଇଥିଲା, ୧୯୦ ନିୟୁତ ବିକାଶଶୀଳ ଦେଶ ଓ ୨୩ ନିୟୁତ ବିକଶିତ ଦେଶମାନଙ୍କରେ ହୋଇଥିଲା । ପନ୍ଦରରୁ ୪୪ ବର୍ଷ ବଯସର ମହିଳାଙ୍କ ମଧ୍ୟରୁ ପ୍ରତି ଏକ ହଜାରରେ ୧୩୩ ମହିଳା ଗର୍ଭଧାରଣ କରିଥିଲେ । [୧୦] ସେମାନଙ୍କ ମଧ୍ୟରୁ ୧୦ରୁ ୧୫ % ମହିଳାଙ୍କର ସ୍ୱତଃ ଗର୍ଭପାତ ହୋଇଥିଲା । [] ସନ ୨୦୧୩ରେ ଗର୍ଭ ଜଟିଳତାରେ ୨୯୩,୦୦୦ ମୃତ୍ୟୁ ହୋଇଥିଲା ଓ ଏହା ସନ ୧୯୯୦ରେ ହୋଇଥିବା ୩୭୭,୦୦୦ ମୃତ୍ୟୁ ଅପେକ୍ଷା କମ ଥିଲା । ଏଥିରୁ ଅର୍ଦ୍ଧେକ ସଂଖ୍ୟା ଗର୍ଭପାତରେ ଶେଷ ହୁଏ । [୧୦] ଆମେରିକାରେ ଗର୍ଭ ଧାରଣ କରୁଥିବା ମହିଳାଙ୍କ ମଧ୍ୟରୁ ୬୦ % ମହିଳା ଜନ୍ମ ନିରୋଧ ବଟିକା ବ୍ୟବହାର କରୁଥିଲେ । [୧୧]


ଗର୍ଭାବସ୍ଥା ସମ୍ପର୍କୀୟ ଶବ୍ଦାବଳୀ

[ସମ୍ପାଦନା]

ଗର୍ଭିଣୀ ନାରୀର ବୈଜ୍ଞାନିକ ନାମ କରଣ ଗ୍ରାଭିଡା ଅନୁସାରେ ହିସାବ ହୁଏ । ଲାଟିନ ଭାଷାରେ ଗ୍ରାଭିଡ୍ ଶବ୍ଦର ଅର୍ଥ ଓଜନିଆ । ଜଣେ ନାରୀ ୩ ଥର ଗର୍ଭ ଧାରଣ କଲେ ତୃତୀୟ ଥରକୁ ତୃତୀୟ ଗ୍ରାଭିଡା କୁହାଯିବ। ପ୍ରତି ଥର ଗୋଟିଏ କରି ଗ୍ରଭିଡା ସଂଖ୍ୟା ବଢ଼ି ବଢ଼ି ଚାଲିବ । ମୋଟେ ଗର୍ଭ ଧାରଣ ନ କରି ଥିଲେ ନଲିଗ୍ରାଭିଡା କୁହାଯିବ । ପ୍ରଥମ ଥର ଗର୍ଭକୁ ପ୍ରାଇମି ଗ୍ରାଭିଡା କୁହାଯିବ । ଜନ୍ମକୁ ପାରିଟି ବା ପାରା କହନ୍ତି । ଯମଜ ସନ୍ତାନକୁ ଗୋଟିଏ ପାରା ଧରାଯାଏ । ସ୍ଟିଲ୍ ବାର୍ଥକୁ ମଧ୍ୟ ଗୋଟିଏ ପାରା କହନ୍ତି । ଗୋଟିଏ ନାରୀର ଦ୍ୱିତୀୟ ଗର୍ଭକୁ ଦ୍ୱିତୀୟ ଗ୍ରାଭିଡା ଓ ପ୍ରଥମ ପାରା କୁହାଯିବ, କାରଣ ସେ ଥରେ ସନ୍ତାନ ପ୍ରସବ କରିଛି । ନଲି ଗ୍ରାଭିଡା ଭଳି କୌଣସି ଜନ୍ମ ହୋଇ ନ ଥିଲେ ନଲି ପାରା କହନ୍ତି । ପଞ୍ଚମ ଥର ଗର୍ଭ ଧାରଣ କରି ଯଦି ଦୁଇଟି ଛୁଆ ଜନ୍ମ କରିଥାଏ, ତାହା ହେଲେ ତାକୁ ପଞ୍ଚମ ଗ୍ରାଭିଡା ଓ ଦ୍ୱିତୀୟ ପାରା କୁହାଯିବ । ଗର୍ଭ ଓ ପ୍ରସବ ସମୟର ସମ୍ଭାବ୍ୟ ବିପଦ ବିଷୟରେ ସଚେତନ ରହି ତାହାର ଚିକିତ୍ସା କରିବା ନିମନ୍ତେ ଏହି ଶବ୍ଦ ଗୁଡିକର ସୃଷ୍ଟି କରାହୋଇଛି । ବିଲକୁଲ ଛୁଆ ନ ଥିଲେ ନଲି ପାରା ଓ ନଲି ଗ୍ରାଭିଡା କୁହାଯାଏ ।

କ୍ରମ ବୃଦ୍ଧି

[ସମ୍ପାଦନା]

ପ୍ରାରମ୍ଭ (Initiation)

[ସମ୍ପାଦନା]

ଯୌନ ସମ୍ଭୋଗ ପରେ ଶୁକ୍ରାଣୁଦ୍ୱାରା ବିଦ୍ଧ ହୋଇ ଡିମ୍ବାଣୁର ଗର୍ଭାଧାନ ହୁଏ ଓ ନିବିଦ୍ଧ ଡିମ୍ବାଣୁକୁ ଜାଇଗୋଟ୍ ନାମ ଦିଆଯାଏ । ଏହାକୁ ସ୍ୱାଭାବିକ ଗର୍ଭାଧାନ କୁହାଯାଏ । ଏହା ବ୍ୟତୀତ ଶରୀର ବାହାରେ କୃତ୍ରିମ ଉପାୟରେ ଡିମ୍ବାଣୁକୁ ଶୁକ୍ରାଣୁଦ୍ୱାରା ନିବିଦ୍ଧ କରାଯାଇ ଗର୍ଭାଧାନ କରାଯାଇ ପାରେ । ପୁରୁଷ ବା ସ୍ତ୍ରୀର ଅକ୍ଷମତା ଯୋଗୁ ଗର୍ଭାଧାନ ସମ୍ଭବ ନ ହେଲେ ବା ନିଜ ଇଚ୍ଛାରେ ଏହି କୃତ୍ରିମ ଗର୍ଭ ସଞ୍ଚାର କରାଯାଇ ପାରେ ।
ଗର୍ଭାଧାନ ପ୍ରକ୍ରିୟା କେତେଗୁଡିଏ ସୋପାନରେ ସାଧିତ ହୁଏ । ଯେ କୌଣସି ସୋପାନରେ କିଛି ବାଧା ଆସିଲେ ଗର୍ଭ ସଞ୍ଚାର ହୋଇ ପାରେ ନାହିଁ । ଶୁକ୍ରାଣୁ ଓ ଡିମ୍ବାଣୁର କ୍ରୋମୋଜୋମ୍ ସଂଖ୍ୟା ଅଧା ବା ହାପ୍ଲଏଡ ଥାଏ, ଅର୍ଥାତ୍ ପ୍ରତି କ୍ରୋମୋଜୋମର ଅଧା ସଂଖ୍ୟା ଥାଏ । ଶୁକ୍ରାଣୁ ଓ ଡିମ୍ବାଣୁର କ୍ରୋମୋଜୋମ୍ ମିଶି ସମ୍ପୁର୍ଣ୍ଣ ଡିପ୍ଲଏଡ୍ କ୍ରୋମୋଜୋମରେ ପରିଣତ ହୁଏ ଓ ଜିନୋମ୍ ତିଆରି ହୁଏ ।
ସଦ୍ୟ ନିର୍ଗତ ଶୁକ୍ରାଣୁର ଡିମ୍ବାଣୁକୁ ବିଦ୍ଧ କରିବା ଶକ୍ତି ନ ଥାଏ ବା ସ୍ୱଳ୍ପ ଶକ୍ତି ବିଶିଷ୍ଟ ଥାଏ । ଶୁକ୍ରାଣୁର ଏହି ଶକ୍ତି (Capacitation) ଆସିବା ନିମିତ୍ତ କିଛି ଘଣ୍ଟା ଲାଗେ । ଏହି ସମୟ ମଧ୍ୟରେ ନାରୀର ଜନନେନ୍ଦ୍ରିୟ ମଧ୍ୟରେ ଶୁକ୍ରାଣୁର ଗତି ଶକ୍ତି ବୃଦ୍ଧି ହୁଏ ଓ ଏହାର ପରିବର୍ତ୍ତନ ହୁଏ ଯେପରିକି ଡିମ୍ବାଣୁର ଶକ୍ତ ଆବରଣ ଜୋନା ପେଲୁସିଡାକୁ ଭେଦ କରି ପାରିବ । ଦୁଇଟି ଓଭାରି ବା ଡିମ୍ବାଶୟ ମଧ୍ୟରୁ ପ୍ରତି ମାସରେ ଯେ କୌଣସି ଗୋଟିକରୁ ଏକ ଡିମ୍ବାଣୁ ନିର୍ଗତ ହୋଇ ନିକଟସ୍ଥ ଫାଲୋପିଆନ ଟ୍ୟୁବ ବାଟ ଦେଇ ଜରାୟୁକୁ ଆସେ । ନାରୀ ଶରୀରରେ ଦୁଇଟି ଡିମ୍ବାଶୟ ଥାଏ ଓ ଏହି ଦୁଇ ଡିମ୍ବାଶୟରୁ ଦୁଇଟି ଫାଲୋପିଆନ୍ ନଳୀ ମଧ୍ୟ ଦେଇ ଡିମ୍ବାଣୁ ଜରାୟୁ ଭିତରକୁ ଆସେ । ପ୍ରକୃତ ଗର୍ଭାଧାନ ଫାଲୋପିଆନ୍ ଟ୍ୟୁବ୍ ମଧ୍ୟରେ ହୁଏ ଓ ସେହି ନିବିଦ୍ଧ ଡିମ୍ବାଣୁ ଫାଲୋପିଆନ ଟ୍ୟୁବ ମଧ୍ୟ ଦେଇ ଜରାୟୁ ମଧ୍ୟକୁ ଆସେ ଓ ସେଠାରେ ଜରାୟୁ ସହ ସଂଯୁକ୍ତ ହୋଇ ବୃଦ୍ଧି ପ୍ରାପ୍ତ ହୋଇ ଫିଟସରେ ପରିଣତ ହୁଏ । ଫାଲୋପିଆନ ଟ୍ୟୁବ ମଧ୍ୟରେ ଡିମ୍ବାଣୁ ନିବିଦ୍ଧ ହେବା ପରେ ୨୪ରୁ ୩୬ ଘଣ୍ଟା ମଧ୍ୟରେ ଜୀବ କୋଷ ବିଭାଜିତ (Cell division) ହୁଏ ଓ ଏହି ଜାଇଗୋଟ୍ ଜରାୟୁକୁ ଆସିବା ପାଇଁ ଗୋଟିଏ ସପ୍ତାହ ଲାଗେ । କୋଷ ବିଭାଜନ ଦୃତ ଗତିରେ ସଂଘଟିତ ହୁଏ ଓ ବ୍ଲାସ୍ଟୋସିସ୍ଟରେ ପରିଣତ ହୁଏ । ବ୍ଲାସ୍ଟୋସିସ୍ଟରେ ତିନୋଟି ସ୍ତର ଥାଏ: ସେମାନଙ୍କ୍ ନାମ ଏକ୍ଟୋଡର୍ମ (Ectoderm), ଏଣ୍ଡୋଡର୍ମ (Endoderm) ଓ ମେସୋଡର୍ମ (Mesoderm)। ଏକ୍ଟୋଡର୍ମରୁ ନ‌ଖ, ବାଳ, ଚର୍ମ ତଳେ ଥିବା ଗ୍ରନ୍ଥି, ସ୍ତନ, ଏପିଡର୍ମିସ ବା ଅଧି ଚର୍ମ, ମସ୍ତିଷ୍କ, ମେରୁଦଣ୍ଡ, ସ୍ନାୟୁ ମଣ୍ଡଳ ଓ କାନ ଆଖି ନାକର ସ୍ପର୍ଶ ଶକ୍ତି ଥିବା ଏପିଥେଲିଅମ ସୃଷ୍ଟି ହୁଏ । ଏଣ୍ଡୋଡର୍ମରୁ ଶରୀର ମଧ୍ୟସ୍ଥ ଅଙ୍ଗ ସମୂହ ଯଥା:- ପରିପାକ ବିଭାଗ, ବୃକ୍‌କ, ଥାଇରଏଡ, ପାରାଥାଇରଏଡ ଓ ଶ୍ୱାସ ବିଭାଗ ଇତ୍ୟାଦି ସୃଷ୍ଟି ହୁଏ । ମେସୋଡର୍ମରୁ ମାଂସ ଓ ହାଡ଼ ତିଆରି ହୁଏ । ଅବଶେଷରେ ବ୍ଲାସ୍ଟୋସିସ୍ଟ ଫାଲୋପିଆନ ନଳୀରୁ ଆସି ଜରାୟୁରେ ପହଞ୍ଚେ ତାହାର ଅନ୍ତଃ ଆବରଣରେ ସଂଯୁକ୍ତ ହୋଇଯାଏ । ଏହି ସଂଯୁକ୍ତ କ୍ରିୟାକୁ ଇମ୍ପ୍ଲାଣ୍ଟେସନ୍ କୁହାଯାଏ (Implantation)।
ଭୃଣ ଅବସ୍ଥାରେ ଫଳଯୁକ୍ତ ଡିମ୍ବାଣୁ କ୍ରମ ବିଭାଜିତ ହୁଏ ଓ କୋଷ ପୃଥକୀକରଣ (Cell differentiation)ହୁଏ । ଏହି ପ୍ରକ୍ରିୟା ୮ ସପ୍ତାହ ପର୍ଯ୍ୟନ୍ତ ଚାଲି ଶେଷ ହୁଏ । ପ୍ଲାସେଣ୍ଟା (Placenta) ଓ ନାହି ନାଡ଼ (Umbilical cord) ତିଆରି ହୁଏ । ଏହି ସମୟରେ କୋଷ ପୃଥକୀକରଣ ହୋଇ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ତଥା ସ୍ନାୟୁ ବିଭାଗ ଆଦି ସୃଷ୍ଟି ହୁଏ । ଏହି ଭୃଣ ଅବସ୍ଥା ସରି ଆସିଲା ବେଳକୁ ଆଖି, କାନ, ପାଟି ଓ ଅଙ୍ଗୁଳିଗୁଡ଼ିକ ସାମାନ୍ୟ ଦୃଷ୍ଟି ଗୋଚର ହୁଅନ୍ତି ।
କୋଷ ପୃଥକୀକରଣ ଶେଷ ହୋଇ ଫିଟସ୍ ଅବସ୍ଥାରେ ପହଞ୍ଚେ । ଭୃଣ ଅବସ୍ଥାରେ ପରିବର୍ତ୍ତିତ ହୋଇଥିବା ଆକାର ସବୁ ଫିଟସ୍ ଅବସ୍ଥାରେ ଅଧିକ ଭଲ ଭାବରେ ଗଢ଼ା ହୁଏ । ଗର୍ଭର ତୃତୀୟ ମାସରେ ଫିଟସର ଯୌନ ଅଙ୍ଗ ସୃଷ୍ଟି ହୁଏ । କ୍ରମସଃ ଗର୍ଭସ୍ଥ ଶିଶୁର ଓଜନ ଓ ଲମ୍ବ ବଢ଼ିଚାଲେ ।

ସ୍ଥାୟିତ୍ୱ (Duration)

[ସମ୍ପାଦନା]

ଡାକ୍ତର ଅନ୍ୟ ସେବା କର୍ମଚାରୀମାନେ ତିନି ପ୍ରକାର ତାରିଖକୁ ଗର୍ଭର ଆରମ୍ଭ ଭାବେ ହିସାବ କରନ୍ତି ।

  • ନାରୀର ଶେଷ ଋତୁ ସ୍ରାବର ପ୍ରଥମ ତାରିଖଠାରୁ ଆରମ୍ଭ କଲେ ଗର୍ଭ ସମୟ ।
  • ଗର୍ଭାଧାନ ତାରିଖଠାରୁ ଆରମ୍ଭ କଲେ ଗର୍ଭାଧାନ ସମୟ ।
  • ସଂଯୋଜନ ତାରିଖ,ଗର୍ଭାଧାନର ଏକ ସପ୍ତାହ ପରଠାରୁ ।

ନିୟମିତ ୨୮ ଦିନର ଋତୁ ଚକ୍ର ହେଉଥିବା କେତେକ ଗର୍ଭବତୀ ମହିଳା ଯାହାଙ୍କର ସ୍ୱତଃ ଗର୍ଭ ବେଦନା ହେଲା,ସେମାନଙ୍କୁ ନେଇ ସମୁଦାୟ ଗର୍ଭ ସମୟ ହିସାବ କରାଗଲା । ଦେଖାଗଲା ମାଆମାନଙ୍କର ଶେଷ ଋତୁ ସ୍ରାବ ସ୍ମରଣ ଅନୁସାରେ ଗର୍ଭ ସମୟ ହାରାହାରି ୨୮୩.୪ ଦିନ, ଦ୍ୱିତୀୟ ଟ୍ରାଇମିସ୍ଟରରେ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା କରି ଗର୍ଭାଧାନ ସମୟ ହାରାହାରି ୨୮୦.୬ ଦିନ । ବହୁତ ପ୍ରକାର ଅନିତ୍ୟ ଅବସ୍ଥାକୁ ବିଚାରକୁ ନେଇ ଅବଶେଷରେ ନିଧାର୍ଯ୍ୟ କରାଗଲା, ୨୮୦ ଦିନ ବା ୪୦ ସପ୍ତାହ ହେଉଛି ଗର୍ଭ ସମୟ ।
ବିଭିନ୍ନ ମହିଳାମାନଙ୍କର ଭିନ୍ନ ଭିନ୍ନ ସମୟରେ ପ୍ରସବ ହେଉଥିବାରୁ ନିର୍ଦ୍ଦିଷ୍ଟ ପ୍ରସବ ତାରିଖ ପୂର୍ବାନୁମାନ କରି ହେବ ନାହିଁ । ତେବେ ଦେଖାଯାଏ, ହିସାବ କରାଯାଇଥିବା ତାରିଖର ପୂର୍ବାପର ୮ରୁ ୯ ଦିନ ଏ ପାଖ ସେ ପାଖ ହୁଏ । ୫% ମହିଳା ସଠିକ ସମୟରେ (୪୦ ସପ୍ତାହ) , ୫୦% ଏକ ସପ୍ତାହର ବ୍ୟତିକ୍ରମରେ ଓ ୮୦% ମହିଳା ୨ ସପ୍ତାହ ବ୍ୟତିକ୍ରମରେ ପ୍ରସବ କରନ୍ତି । ନିର୍ଦ୍ଦିଷ୍ଟ ପ୍ରସବ ତାରିଖ ନ ଦେଇ ବ୍ୟବଧାନ ସମୟ ଦେଲେ ଭଲ ।
କେତେକ କାରଣ ଯୋଗୁ ନିର୍ଦ୍ଦିଷ୍ଟ ତାରିଖ ନିର୍ଣ୍ଣୟ ଉପକାରରେ ଆସେ । କେତେକ ଟେଷ୍ଟ/ପରୀକ୍ଷା ନିର୍ଦ୍ଦିଷ୍ଟ ସମୟରେ କରିବା ଦରକାର । ହିସାବ ଅନୁସାରେ ନିର୍ଦ୍ଦିଷ୍ଟ ସମୟ ଅତିବାହିତ ହୋଇଗଲେ କୃତ୍ରିମ ଉପାୟରେ ପ୍ରସବ କରାଯାଏ । ଏଲ୍.ଏମ୍.ପି ଓ ଅଲ୍ଟ୍ରାସାଉଣ୍ଡ ଅନୁସାରେ ଗର୍ଭସ୍ଥ ଶିଶୁର ବିକାଶରେ ତାରତମ୍ୟ ଦେଖିଲେ ଗର୍ଭିଣୀର ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ ହୁଏ । ଏହି ସବୁ କାରଣ ଯୋଗୁ ଯଥା ସମ୍ଭବ ସଠିକ୍ ଗର୍ଭ ସମୟ ନିର୍ଦ୍ଧାରଣ ଆବଶ୍ୟକ ହୋଇଥାଏ ।

ନିୟମିତ ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁ ଶିଶୁର କେବେଠାରୁ ଜୀବନୀ ଶକ୍ତି ଆସେ ସେ ସମୟ ୨୮ ସପ୍ତାହରୁ କମି ୨୩ ବା ୨୨ ସପ୍ତାହରେ ଅଧୁନା ନିର୍ଧାରିତ ହେଉଛି ।

ପ୍ରାନ୍ତ ସମୟ (Term), ପ୍ରାନ୍ତ ପୂର୍ବ ସମୟ (Preterm), ପ୍ରାନ୍ତ ପର ସମୟ (Postterm)

[ସମ୍ପାଦନା]

ଗର୍ଭ ସମୟ ୪୨ ସପ୍ତାହ ବା ୨୯୪ ଦିନ ପୂର୍ବରୁ ଓ ୩୭ ସପ୍ତାହ ପୂର୍ଣ୍ଣ ହେଲେ ଟର୍ମ ହୋଇଗଲା ବୋଲି କୁହାଯାଏ । ୪୦ ସପ୍ତାହ ପୂରିଗଲେ ପୂରା ଟର୍ମ (full term) ହେବା ଧରାଯାଏ । ଏହା ଗର୍ଭର ୯ ମାସ ଓ ଗର୍ଭାଧାନର ୨୬୬ ଦିନ ସମୟ ।
ପୂର୍ଣ୍ଣ ୩୭ (୨୫୯ ଦିନ) ସପ୍ତାହ ପୂର୍ବରୁ କିଛି ଅଘଟଣ ହେଲେ ତାହା ପ୍ରିଟର୍ମ ଘଟଣା ହିସାବରେ ନିଆଯାଏ । ୪୨ ସପ୍ତାହ ବା ୨୯୪ ପରଠାରୁ ପୋଷ୍ଟ ଟର୍ମ ଆରମ୍ଭ ହୁଏ । ଏହି ସମୟଟି ଉଭୟ ମା ଓ ଶିଶୁ ନିମନ୍ତେ ବିପଦ ପୂର୍ଣ୍ଣ । କୌଣସି ଗର୍ଭ ଅଘଟଣ ନ ଥିଲେ ୪୧ ଓ ୪୨ ସପ୍ତାହ ମଧ୍ୟରେ କୃତ୍ରିମ ପ୍ରସବ କରାଯାଏ ।
୩୭ ସପ୍ତାହ ପରେ ଟର୍ମ ହେବା ଧରାଗଲେ ମଧ୍ୟ ୩୯ ସପ୍ତାହ ପୂର୍ବରୁ ଜଟିଳତା ଓ ଅପରିପକ୍ୱତା ଅଧିକ ଦେଖାଯାଏ । ଅସମ୍ପୁର୍ଣ୍ଣ ଫୁସଫୁସ, କମ ଥିବା ରୋଗ ନିରୋଧକ ଶକ୍ତି ଯୋଗୁ ରୋଗ ସଂକ୍ରମଣ, ଅଗଢ଼ା ମସ୍ତିଷ୍କ ଯୋଗୁ ପାନ କରାଇବାରେ ଅସୁବିଧା ଓ ଅସମ୍ପୁର୍ଣ୍ଣ ଲିଭର/ଯକୃତ ଯୋଗୁ କାମଳ ରୋଗ ହୁଏ । ସିଜରିଆନ ଅପରେଶନ୍ ପରବର୍ତ୍ତୀ ଜଟିଳତା ମଧ୍ୟ ଅଧିକ ଦେଖାଯାଏ ।
ଆଜିକାଲି ପ୍ରେଟର୍ମ ଓ ପୋଷ୍ଟ ଟର୍ମ ବଦଳରେ ପ୍ରିମାଚ୍ୟୁର ଓ ପୋଷ୍ଟ୍ ମାଚ୍ୟୁର ଶବ୍ଦ ଅଧିକ ବ୍ୟବହାର ହେଉଛି । କିନ୍ତୁ ପ୍ରିମାଚ୍ୟୁର ଅଧିକତର ଶୁଶୁର ଆକାର ଓ ବର୍ଦ୍ଧିଷ୍ଣ୍ଣୁ ଅବସ୍ଥାକୁ ବୁଝାଉଛି, ଗର୍ଭିଣୀର ଅବସ୍ଥାକୁ ନୁହେଁ ।

ପ୍ରସବ

[ସମ୍ପାଦନା]

ପ୍ରସବ କ୍ରିୟାଦ୍ୱାରା ନବଜାତ ଶିଶୁ ମା ଗର୍ଭରୁ ଜନ୍ମ ଗ୍ରହଣ କରେ ।
ଜରାୟୁ ସଂକୋଚନ ଅନୁଭବ କଲେ ଗର୍ଭିଣୀ ମହିଳା ପ୍ରସବ କରିବାକୁ ଯାଉଛନ୍ତି ବୋଲି ଧରାଯାଏ । ଏହି ସମୟରେ ସର୍ଭିକ୍ସ ଛୋଟ ହୁଏ ଓ ଫୁଲିବାକୁ ଲାଗେ । ପ୍ରସବ କ୍ରିୟା ସବୁଠାରୁ ଅଧିକ ଯନ୍ତ୍ରଣାପ୍ରଦ ହେଲେ ମଧ୍ୟ ଅନେକ ମହିଳା ଯନ୍ତ୍ରଣା ବିହୀନ ପ୍ରସବ କରିଥିବା ବିବରଣୀ ଦିଅନ୍ତି । ପ୍ରସବ କ୍ରିୟା ଉପରେ ମନୋନିବେଶ କଲେ (Concentrate) ଶୀଘ୍ର ଓ ଅଳ୍ପ କଷ୍ଟ ବିଶିଷ୍ଟ ହୁଏ । ଅଧିକାଂଶ ପ୍ରସବ ପ୍ରଜନନ ପଥ ଦେଇ ସଂଘଟିତ ହୁଏ । ଅଳ୍ପ କେତେକ କ୍ଷେତ୍ରରେ ଏହି ପଥରେ ପ୍ରସବ ନ ହୋଇ ପାରିଲେ ସିଜରିଆନ୍ ସେକ୍ସନ ବା ଅପରେସନ କରାହୁଏ ।
ପ୍ରସବ ପରେ ସଙ୍ଗେ ସଙ୍ଗେ ମା ଓ ଛୁଆ ଅନ୍ତରଙ୍ଗତା ଅନୁଭବ କରନ୍ତି, ଯାହା ହରମୋନ ଅକ୍ସିଟୋସିନ୍ଦ୍ୱାରା ସମ୍ଭବ ହୁଏ । ଏହି ହରମୋନ୍ ସ୍ତନ୍ୟପାନ ସମୟରେ ମଧ୍ୟ ନିର୍ଗତ ହୁଏ । ମା ଓ ଶିଶୁ ପରଷ୍ପରର ଚର୍ମ ସଂସ୍ପର୍ଷରେ ଆସିବା ଉଭୟ ନିମନ୍ତେ ଉପକାରୀ ସାବ୍ୟସ୍ତ ହୁଅନ୍ତି । ଏହାଦ୍ୱାରା ଛୁଆର କ୍ରନ୍ଦନ କମ୍ ହୁଏ ଓ ଭଲ ସ୍ତନ ପାନ ହୁଏ । ଜନ୍ମ ପରେ ପ୍ରଥମ ଦୁଇ ଘଣ୍ଟା ମା ଓ ଶିଶୁ ପରଷ୍ପର ସହ ଏକାଠି ରହିବାକୁ ଡବ୍ଲ୍ୟୁ.ଏଚ.ଓ. ପରାମର୍ଶ ଦେଉଛି ।

ପ୍ରସବ ପର ସମୟ (Postnatal period)

[ସମ୍ପାଦନା]

ପ୍ରସବ ପରବର୍ତ୍ତୀ ୬ ସପ୍ତାହକୁ ପୋଷ୍ଟ ନାଟାଲ ସମୟ କହିନ୍ତି । ଏହି ସମୟରେ ମା'ର ଜରାୟୁ ଓ ଶରୀର ଗର୍ଭପୁର୍ବ ଅବସ୍ଥାକୁ ଫେରିଆସେ । ସେହି ସମୟର ହରମୋନ ପରିମାଣ ମଧ୍ୟ କମିଯାଏ ।

ଗର୍ଭାଧାନ ନିର୍ଣ୍ଣୟ

[ସମ୍ପାଦନା]

ଅନେକ ମହିଳା ନିଜେ ଗର୍ଭ ଧାରଣ କରିବା ଜାଣି ପାରନ୍ତି ଓ ଅନେକ ଡାକ୍ତରୀ ପରୀକ୍ଷାଦ୍ୱାରା ଜାଣନ୍ତି । ଅଧିକାଂଶ ଗର୍ଭବତୀ ମହିଳା ଗର୍ଭ ଲକ୍ଷଣ ଚିହ୍ନି ପାରନ୍ତି । ବାନ୍ତି ଲାଗିବା, ବାନ୍ତି କରିବା, ଦୁର୍ବଳ ଅନୁଭବ କରିବା, କେତେକ ଅସାଧାରଣ ଖାଦ୍ୟ ଖାଇବାକୁ ଇଚ୍ଛା କରିବା ଓ ବାରମ୍ବାର ପରିସ୍ରା କରିବା ବିଶେଷତଃ ରାତିରେ; ଏହି ସବୁ ଲକ୍ଷଣ ସାଧାରଣତଃ ମହିଲାମାନେ ଜାଣି ଥାଆନ୍ତି ଓ ଚିହ୍ନି ପାରନ୍ତି ।
ଗର୍ଭାଧାନ ହେଲେ ଅନେକ ଗୁଡିଏ ଡାକ୍ତରୀ ଲକ୍ଷଣ ପ୍ରକାଶ ପାଏ । ଏହି ଲକ୍ଷଣଗୁଡ଼ିକ ସବୁ ମହିଳାଙ୍କଠାରେ ଦେଖାଯାଏ ନାହିଁ । ଗୋଟି ଗୋଟି କରି ସବୁ ଲକ୍ଷଣ ମଧ୍ୟ ନିର୍ଣ୍ଣୟାତ୍ମକ ନୁହେଁ । କିନ୍ତୁ ମିଳିତ ଭାବେ କେତେକ ଲକ୍ଷଣ ସଠିକ୍ ଭାବେ ଗର୍ଭ ନିର୍ଣ୍ଣୟ କରି ପାରନ୍ତି । ଏହି ସମୟରେ ମାସିକ ଋତୁସ୍ରାବ ବନ୍ଦ ହୁଏ, ରକ୍ତ ଓ ପରିସ୍ରାରେ ଏଚ୍.ସି.ଜି. (human chorionic gonadotropin ବା hCG )ହରମୋନ ଦେଖାଯାଏ, ତୃତୀୟ ଓ ଚତୁର୍ଥ ସପ୍ତାହରେ ଡିମ୍ବାଣୁ ଜରାୟୁରେ ସଂଲଗ୍ନ ହେବିଦ୍ୱାରା ସାମାନ୍ୟ ରକ୍ତ ସ୍ରାବ ହୁଏ, ଡିମ୍ବାଣୁ ନିର୍ଗତ ହେବା ପରେ ୨ ସପ୍ତାହ ପର୍ୟ୍ୟନ୍ତ ଶରୀରର ଉତ୍ତାପ ବୃଦ୍ଧି ପ୍ରାପ୍ତ ହୁଏ, ଜୋନି ପଥ ଓ ଭଗ କଳା ଦେଖାଯାଏ ନରମ ହୁଏ, ପେଟର ମଝିରେ ଲମ୍ବ ଭାବରେ କଳା ଗାର ପଡ଼ିଯାଏ ଯାହାକୁ ଲିନିଆ ନାଇଗ୍ରା (Linea nigra) କହନ୍ତି । ପ୍ରଥମ ତିନି ମାସରେ ସ୍ତନ ଦରଜ ହୁଏ ଓ ଏହା ଅଳ୍ପ ବୟସରେ ଅଧିକ ଦେଖାଯାଏ ।
ଗର୍ଭ ଅଛି କି ନାହିଁ ଯାଣିବା ପାଇଁ ଏକାଧିକ ଗର୍ଭ ପରୀକ୍ଷା କରିବାକୁ ମିଳେ । ନୂଆ ତିଆରି ହୋଇଥିବା ପ୍ରସବ ପୁଷ୍ପରୁ (Placenta) କ୍ଷରିତ ହରମୋନକୁ ପରୀକ୍ଷାଦ୍ୱାରା ଅନୁସନ୍ଧାନ କରି ହୁଏ । ଜରାୟୁ ସଂଯୋଗର ୧୨ ଦିନ ପରେ ରକ୍ତ ଓ ପରୀସ୍ରାରୁ ଏହି ହରମୋନର ଉପସ୍ଥିତି ଜାଣି ହୁଏ । ରକ୍ତ ପରୀକ୍ଷାର ମାନ ଉଚ୍ଚତର ଥାଏ । ନିବିଦ୍ଧ ହେବାର ୧୨ରୁ ୧୫ ଦିନ ପରେ ଗର୍ଭ ପରୀକ୍ଷା ଘରେ ବସି କରିହେବ ।
ନିବିଦ୍ଧ ଡିମ୍ବାଣୁରୁ ବ୍ଲାସ୍ଟୋସିସ୍ଟ ତିଆରି ହୁଏ ଓ ଏଥିରେ ଏଚ୍.ସି ଜି.()ହରମୋନ୍ ନିର୍ଗତ ହୋଇ କର୍ପସ ଲୁଟିଅମକୁ ପ୍ରଭାବିତ କରି ପ୍ରୋଜେସ୍ଟେରନ ହରମୋନ୍ କ୍ଷରଣ କରାଏ । ଏହି ହରମୋନ୍ ଜରାୟୁର କାନ୍ଥର ଅନ୍ତଃସ୍ଥ ଆବରଣକୁ ପରିବର୍ତ୍ତନ କରାଏ ଯେପରି ଜରାୟୁର କାନ୍ଥ ମୋଟା ହେବ ଓ ଅଧିକ ରକ୍ତା ନଳୀ ସୃଷ୍ଟି ହେବ । ଏହି ପଦ୍ଧତି ଯୋଗୁ ବ୍ଲାସ୍ଟିସିସ୍ଟ ଖାଦ୍ୟ ସାର ସହଜରେ ଗ୍ରହଣ କରି ପାରେ ।
ଏତେ ପ୍ରକାର ଲକ୍ଷଣ ଥିଲେ ମଧ୍ୟ ବେଳେ ବେଳେ ମହିଳାମାନେ ଗର୍ଭ ଥିବା ହାଣି ପାରନ୍ତି ନାହିଁ । ଅଳ୍ପ କେତେକ ମହିଳା ପ୍ରସବ ଯନ୍ତ୍ର୍ରଣା ହେବା ପର୍ଯ୍ୟନ୍ତ ଗର୍ଭ ଥିବା ଜାଣି ପାରନ୍ତି ନାହିଁ । କେତେକ ଔଷଧ ସେବନ ଦ୍ୱାରା, ଅନିୟମିତ ଋତୁ ସ୍ରାବ ଯୋଗୁ ଓ ପୃଥୁଳ କାୟ ହେତୁ ଏହି ଅସୁବିଧା ହୁଏ । କେତେକ ମହିଳା ମଧ୍ୟ ଗର୍ଭ ସ୍ୱିକାର କରିବାକୁ ଅମଙ୍ଗ ଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୁଏ ।
ଶେଷ ଋତୁ ସ୍ରାବର ପ୍ରଥମ ଦିନଠାରୁ (Last menstrual period or LMP)ସାଧାରଣତଃ ଗର୍ଭ ଆରମ୍ଭ ସମୟ ବୋଲି ଧରା ଯାଏ । ନେଗେଲ୍ (Naegele's rule.) ନିୟମ ଅନୁସାରେ ଏହି ଏଲ୍.ଏମ୍.ପି.ଠାରୁ ପ୍ରଥମେ ଏକ ବର୍ଷ ଯୋଗ କରାଯାଏ । ତା ପରେ ସେଥିରୁ ୩ ମାସ ବିୟୋଗ କରି ୭ ଦିନ ଯୋଗ କରାଯାଏ । ଏହି ତାରିଖକୁ ଆନୁମାନିକ ପ୍ରସବ ତାରିଖ (E.D.D.) କୁହାଯାଏ । ସୋନୋଗ୍ରାମ୍ ପଦ୍ଧତିଦ୍ୱାରା ଇ.ଡି.ଡି. ପ୍ରାୟ ନିର୍ଭୁଲ ହିସାବ କରି ହେବ ।

ଶରୀର ତତ୍ତ୍ୱ (Physiology)

[ସମ୍ପାଦନା]

ଗର୍ଭାବସ୍ଥାର ସମୟକୁ ୩ ମାସିଆ ୩ଟି ବିଭାଗରେ ବିଭକ୍ତ କରାଯାଏ । ଶରୀରର ଏହି ସମୟରେ ହେଉଥିବା ପରିବର୍ତ୍ତନକୁ ତଥା ଚିକିତ୍ସାକୁ ବର୍ଣ୍ଣନା କରିବାରେ ସୁବିଧା ନିମନ୍ତେ ଏହି ବିଭାଗ ଲିଖିତ ଅଛି । ଏ ଗୁଡିକର ନାମ ପ୍ରଥମ ତ୍ରୈମାସିକ(First trimester), ଦ୍ୱିତୀୟ ତ୍ରୈମାସିକ(Second trimester) ଓ ତ୍ରୁତୀୟ ତ୍ରୈମାସିକ(Third trimester)।

ପ୍ରଥମ ତ୍ରୈମାସିକ (First trimester)

[ସମ୍ପାଦନା]

ଚିକିତ୍ସା ବିଜ୍ଞ୍ନାନରେ ଭୃଣ ଜରାୟୁର ଅନ୍ତଃସ୍ଥ ଝିଲ୍ଲି((Endometrium))ସହ ସଂଯୁକ୍ତ ହେବା ଦିନଠାରୁ ଗର୍ଭ ଆରମ୍ଭ ଦିନ ବୋଲି ଧରାଯାଏ । ଏହି ଝିଲ୍ଲି ସଂଯୁକ୍ତ ବା ଇମ୍ପ୍ଲାଣ୍ଟେସନ (Implantation) ଦିନ ଅଧିକାଂଶ ମହିଳାଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ । ଅଳ୍ପ ସଂଖ୍ୟକ ମହିଳାଙ୍କର ସାମାନ୍ୟ ରକ୍ତ ସ୍ରାବ ହୁଏ । ଇମ୍ପ୍ଲାଣ୍ଟେଶନ ପରେ ଏଣ୍ଡୋମେଟ୍ରିଅମକୁ ଡେସିଡୁଆ କହନ୍ତି । ଏହି ଡେସିଡୁଆ ଓ ତତ୍ ସଂଲଗ୍ନ ଭୃଣର ବହିଃସ୍ଥ ସ୍ତର ମିଶି ପ୍ଲାସେଣ୍ଟା ପ୍ରସ୍ତୁତ କରନ୍ତି । ପ୍ଲାସେଣ୍ଟା ମାଧ୍ୟମରେ ଭୃଣକୁ ପୋଷକ ଯୋଗାଣ, ବର୍ଜ୍ୟ ପଦାର୍ଥ ନିଷ୍କାସନ ଓ ମାର ରକ୍ତ ବିନିମୟଦ୍ୱାରା ଅମ୍ଳଜାନ ଯୋଗାଣ ହୁଏ । ନାଭି ନାଡ଼ଦ୍ୱାରା ପ୍ଲାସେଣ୍ଟା ଓ ଭୃଣ/ଫିଟସର ସଂଯୋଗ ହୁଏ । ଏହି ଭୃଣ ବା ଫିଟସ ବହୁତ ଶୀଘ୍ର ବୃଦ୍ଧି ପ୍ରାପ୍ତ୍ ହୁଏ ।
ଗର୍ଭର ପ୍ରଥମ ତିନି ମାସରେ ୬୦% ମହିଳା ପ୍ରାତଃ ଅସୁସ୍ଥତା ବା morning sickness ଅନୁଭବ କରନ୍ତି । ଏହି ଅସୁବିଧା ଦିନର ଯେ କୌଣସି ସମୟରେ ମଧ୍ୟ ହୋଇପାରେ ଓ ବାନ୍ତି ବାନ୍ତି ଲାଗେ । ପ୍ରଥମ ତ୍ରୈମାସିକ ପରେ ଏହି ଅସୁସ୍ଥତା କମି ଯାଏ ।
ଗର୍ଭ ଧାରଣ ପରେ ନିପ୍ଲ ଓ ଏରିଓଲା ରଙ୍ଗ ବଦଳି କଳା ଦେଖାଯାଏ । ଏହି ପ୍ରକ୍ରିୟା ଗର୍ଭାବସ୍ଥା ସମୟରେ ଲାଗି ରହେ ।
ପ୍ରଥମ ତିନି ମାସ ମଧ୍ୟରୁ ପ୍ରଥମ ୨ ସପ୍ତାହରେ ପ୍ରକୃତରେ ଗର୍ଭ ଧାରଣ ହୋଇ ନ ଥାଏ । ଏହା ମଧ୍ୟରେ ଋତୁ ସ୍ରାବ ସମୟ ମଧ୍ୟ ଅନ୍ତର୍ଭୁକ୍ତ । ତୃତୀୟ ସପ୍ତାହରେ ଗର୍ଭାଧାନ ହୁଏ । ଚତୁର୍ଥ ସପ୍ତାହରେ ଇମ୍ପ୍ଲାଣ୍ଟେସନ ହୁଏ । ବ୍ଲାସ୍ଟୋସିସ୍ଟ ଓ ପ୍ଲାସେଣ୍ଟା ମଧ୍ୟ ତିଆରି ହୁଏ । ପଞ୍ଚମ ସପ୍ତାହରୁ ଭୃଣ ଗଠନ କ୍ରିୟା ଆରମ୍ଭ ହୁଏ । ଭୃଣର ଆବରଣରେ ତିନୋଟି ସ୍ତର ଥାଏ । ବାହ୍ୟ ସ୍ତରରୁ (Ectoderm)ସ୍ନାୟୁ, ମସ୍ତିଷ୍କ, ଆଖି, କାନର ଭିତର ଭାଗ, ଚମର ବାହ୍ୟ ସ୍ତର ଓ ସଂଯୁକ୍ତକାରୀ ତନ୍ତୁ ତିଆରି ହୁଏ । ମଝି ସ୍ତରରୁ (Mesoderm)ହୃତପିଣ୍ଡ,ଅସ୍ଥି, ମାଂସ ଓ କିଡନି ଇତ୍ୟାଦି ତିଆରି ହୁଏ । ଭିତର ସ୍ତର ବା ଏଣ୍ଡୋଡର୍ମରୁ ଫୁସଫୁସ, ମୂତ୍ରାଶୟ ଓ ଅନ୍ତନାଳୀ ପ୍ରସ୍ତୁତ ହୁଏ । ପଞ୍ଚମ ସପ୍ତାହରେ ଭୃଣର ଲମ୍ବ ୧.୬ରୁ ୩.୨ ମିଲିମିଟର ହୋଇଥାଏ ।
ଷଷ୍ଠ ସପ୍ତାହରେ ମୁଖାକୃତି ଦେଖାଯାଏ, ଅବୟବ ଗଠନ ଆରମ୍ଭ ହୁଏ ଓ ଏହାର ଲମ୍ବ ୪.୨ରୁ ୬.୩ ମିମି ହୁଏ । ଏହା ପରବର୍ତ୍ତୀ ସମୟରେ ଅବୟବ, ମସ୍ତିଷ୍କ ଶିଘ୍ର ଗଠିତ ହୁଏ । ଅଷ୍ଟମ ସପ୍ତାହ ବେଳକୁ ଚଲ ପ୍ରଚଲ ଆରମ୍ଭ ହୁଏ । ଏହାର ପରବର୍ତ୍ତୀ ୩ ସପ୍ତାହରେ ପାଦ, ବେକ ଓ ଲିଙ୍ଗ ଗଠନ ହୁଏ । ପ୍ରଥମ ତ୍ରୈମାସିକ ଶେଷ ବେଳକୁ ଫିଟସର ଲମ୍ବ ୩ ଇଞ୍ଚ ହୁଏ । ଏଇ ତିନି ମାସ ମଧ୍ୟରେ ଗର୍ଭପାତ ଓ ବିକଳାଙ୍ଗ ସମ୍ଭାବନ ଅନ୍ୟ ସମୟ ଅଧିକ ଥାଏ ।

ଦ୍ୱିତୀୟ ତ୍ରୈମାସିକ

[ସମ୍ପାଦନା]

୧୩ରୁ ୨୮ ସପ୍ତାହ ସମୟକୁ ଦ୍ୱିତୀୟ ତ୍ରୈମାସିକ କହନ୍ତି । ପ୍ରାତଃ ଅସୁସ୍ଥତା କମି ଯିବା ହେତୁ ଏହି ସମୟରେ ଗର୍ଭିଣୀର ସ୍ୱାସ୍ଥ୍ୟ ଭଲ ରହେ । ଓଜନ ବୃଦ୍ଧି ପାଏ । ମାଂସଳ ଜରାୟୁ ନିଜ ଆକାରର ୨୦ ଗୁଣ ପର୍ଯ୍ୟନ୍ତ ବଢ଼ି ପାରେ ।
ପ୍ରଥମ ତ୍ରୈମାସିକରେ ଫିଟସର କିଛି ଚଳନ ହେଉଥିଲେଏ ମଧ୍ୟା ଏହି ସମୟରେ ଚଳନ ଭଲ ଭାବରେ ବାରି ହୁଏ । ୨୦ ବା ୨୧ ସପ୍ତାହ ବେଳକୁ ଏହା ଭଲ ଭାବରେ ଜଣା ପଡେ । ଆଗରୁ ସନ୍ତାନ ଥିଲେ ଏହା ୧୯ ସପ୍ତାହରେ ମଧ୍ୟ ଜଣା ପଡେ । ଏହାକୁ ଇଂରାଜୀରେ କୁଇକେନିଙ୍ଗ(Quickening) କହନ୍ତି । କେତେକ ମହିଳା ଏହି ସମୟରେ ମଧ୍ୟ ଜାଣି ପାରନ୍ତି ନାହିଁ । ଗର୍ଭ ପୁଷ୍ପ ଏହି ସମୟରେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯାଏ । ଫିଟସରୁ ଇନସୁଲିନ ବାହାରେ ଓ ପରିସ୍ରା ତ୍ୟାଗ ମଧ୍ୟ ହୁଏ । ପୁଅ କି ଝିଅ ଏହା ଜାଣି ହୁଏ ।
ଏହି ସମୟଠାରୁ ମାତୃତ୍ୱ ପୋଷାକ ପିନ୍ଧିବା ଆରମ୍ଭ ହୁଏ ।

ତୃତୀୟ ତ୍ରୈମାସିକ

[ସମ୍ପାଦନା]

ଦୈନିକ ପ୍ରାୟ ୨୮ ଗ୍ରାମ ଓଜନ ବୃଦ୍ଧି ହୁଏ । ଶିଶୁ ତଳ ଆଡକୁ ମୁଁହେଇବା ଯୋଗୁ ପେଟ ତଳକୁ ଝୁଲି ପଡେ । ପେଟକୁ ଧରି ତଳ ଉପର କରି ହୁଏ । ଫିଟସର ଚଳନ ମାଆ ଅନୁଭବ କରି ପାରେ । ମହିଳାର ନାହି ଫୁଲି ଯାଏ । ଏହି ସମୟରେ ଦେହ ଭଲ ରହେ ନାହିଁ, ଅଣ୍ଟା ବ୍ୟଥା ହୁଏ ଓ ପରିସ୍ରା କରିବାରେ ଅସୁବିଧା ହୁଏ । ଫିଟସ ମାଆର ପଞ୍ଜରା ବା ମେରୁ ଅସ୍ଥି ପାଖରେ ଗଡିଲା ବେଳେ କଷ୍ଟ ହୁଏ । ଅଧିକ ମସ୍ତିଷ୍କ, ଚକ୍ଷୁ ଓ ମାଂସପେଶୀ ବୃଦ୍ଧି ହେତୁ ଏହା ହୁଏ ।
କ୍ରମଶଃ ଫିଟସର ମୁଣ୍ଡ ନିତମ୍ବ ଗହ୍ୱର ମଧ୍ୟରେ ପ୍ରବେଶ କରେ । ଏତିକି ବେଳେ ମାଆର ପେଟ ହାଲୁକା ଲାଗେ । ମୂତ୍ରାଶୟ ଓ ମଳାଶୟରେ ଚାପ ଅନୁଭୁତ ହୁଏ । ଲାଗେ ଯେମିତି ପିଲା ପେଟରୁ ଗଳି ପଡ଼ିବ । ଅପରିପକ୍ୱ ଛୁଆ ଜନ୍ମ ଏହି ସମୟରେ ହେଲେ ମଧ୍ୟ ବଞ୍ଚି ପାରିବ । ଶିଶୁ ଯତ୍ନ ବିଭାଗରେ ଏହି ଆଧୁନିକ ଚିକିତ୍ସା ଉପଲବ୍ଧ ହେବାଯୋଗୁ ଅନେକ ଅପରିପକ୍ୱ ଶିଶୁ ମଧ୍ୟ ରକ୍ଷା ପାଉଛନ୍ତି, ତଥାପି ଅନେକ ମରୁଛନ୍ତି ମଧ୍ୟ ।

ଅଲ୍ଟ୍ରାସାଉଣ୍ଡ, ଭୃଣ ଓ ଫିଟସ

[ସମ୍ପାଦନା]

ଫିଟସ ଥରେ ହୋଇଗଲେ ଗର୍ଭପାତ ଆଶଙ୍କା କମିଯାଏ । ପଞ୍ଚମ ଓ ଷଷ୍ଠ ସପ୍ତାହରେ ମସ୍ତିଷ୍କ କ୍ରିୟା ଅନୁସନ୍ଧାନ କରି ହେବ ଯଦିଓ ଏହା ଅତି ପ୍ରାଥମିକ ଅବସ୍ଥାରେ ଥାଏ । ସ୍ନାୟୁ ସହ ସ୍ନାୟୁ ସଂଯୋଗ ବା Synapse ୧୭ ସପ୍ତାହରେ ଆରମ୍ଭ ହୁଏ । ଏହି କ୍ରିୟା ୨୮ ସପ୍ତାହ ବେଳକୁ ଦୃତ ବେଗରେ ଗତି କରେ ଓ ଜନ୍ମ ପର ୩ରୁ ୪ ମାସ ପର୍ଯ୍ୟନ୍ତ ଚାଲୁ ରହେ ।

ଜନ୍ମ ପୂର୍ବର ବିକାଶ ୩ ଡି ଅଲ୍ଟ୍ରାସାଉଣ୍ଡଦ୍ୱାରା ବହୁତ ଭଲ ଭାବରେ ଦେଖି ହେବ । ଅଲ୍ଟ୍ରାସାଉଣ୍ଡଦ୍ୱାରା ଫିଟସର କୌଣସି ସମ୍ଭାବ୍ୟ କ୍ଷତି ବିଷୟରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ।

ଶରୀରତାତ୍ତ୍ୱିକ ପରିବର୍ତ୍ତନ

[ସମ୍ପାଦନା]

ଗର୍ଭାବସ୍ଥାରେ ନାରୀ ଶରୀରରେ ଅନେକ ରକ୍ତ ସମ୍ପର୍କୀୟ, ହୃତପିଣ୍ଡ୍-ରକ୍ତ ନାଳୀ ସମ୍ପର୍କୀୟ, ମୂତ୍ର ସମ୍ବନ୍ଧିୟ, ଫୁସଫୁସ ସମ୍ବନ୍ଧିୟ ପରିବର୍ତ୍ତନ ହୁଏ କିନ୍ତୁ ଏହା ସାମାନ୍ୟ ସୀମା ମଧ୍ୟରେ ରହେ । ଶିଶୁ ନିମନ୍ତେ ଅଧିକ ରକ୍ତ,ଶ୍ୱାସ କ୍ରିୟା ଓ ସୁଗର ବା ଶର୍କରା ଆବଶ୍ୟକ । ପ୍ରୋଜେଷ୍ଟେରନ୍ ଓ ଏଷ୍ଟ୍ରୋଜେନ ହରମୋନର ମାତ୍ରା ବଢ଼ି ଚାଲେ ଓ ଏହାଦ୍ୱାରା ଋତୁ ସ୍ରାବ ବନ୍ଦ ହୋଇଯାଏ ।
ସ୍ତନ୍ୟ ପାନ ଦ୍ୱାର ସ୍ତନ ଝୁଲି ପଡେ ବୋଲି ଏକ ଭ୍ରମ ଧାରଣା ଅନେକ ମହିଳା ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ଅଛି । ଗବେଷଣାଦ୍ୱାରା ଦେଖାଯାଇଛି, ଏହି ଝୁଲି ପଡ଼ିବା ପଛରେ ଅନେକ ଗୁଡିଏ କାରଣ ଅଛି । ସିଗାରେଟ ଟାଣିବା, ଗର୍ଭ ସଂଖ୍ୟା, ଗର୍ଭ ପୂର୍ବର ବ୍ରାସିଅରର ସାଇଜ ଓ ବି.ଏମ୍.ଆଇ. (Body mass index or BMI) ଉପରେ ଏହି ଝୁଲିବା ନିର୍ଭରଶୀଳ ।

ନିୟନ୍ତ୍ରଣ (Management)

[ସମ୍ପାଦନା]

ଗର୍ଭାବସ୍ଥା ପୂର୍ବରୁ ଓ ଗର୍ଭ ସମୟର ଡାକ୍ତରୀ ଓ ନର୍ସ ସେବାକୁ ପ୍ରାକ୍ ପ୍ରସବ ଚିକିତ୍ସା ସେବା (Prenatal care) କହନ୍ତି । ଏହି ସେବାର ଲକ୍ଷ ହେଲା: ସମ୍ଭାବ୍ୟ ଅସୁବିଧାର ଶୀଘ୍ର ଚିହ୍ନଟ,ତାହାର ନିରାକରଣ ଏବଂ ତାହାର ନିୟନ୍ତ୍ରଣ ବା ଚିକିତ୍ସା । ଉପଯୁକ୍ତ ଖାଦ୍ୟ, ବ୍ୟାୟାମ ଓ ଭିଟାମିନ ସମ୍ପର୍କୀୟ ଉପଦେଶ ସହ ଉପଯୁକ୍ତ ଡାକ୍ତରଖାନା ଓ ଚିକିତ୍ସକ ନିର୍ଦ୍ଦେଶ ଦିଆଯାଏ ।

ପୋଷକ ବା ଖାଦ୍ୟ

[ସମ୍ପାଦନା]

ସ୍ୱାସ୍ଥ୍ୟକର ଗର୍ଭ ନିମନ୍ତେ ସୁଷମ ପୋଷକ ପୂର୍ଣ୍ଣ ଖାଦ୍ୟ ନିତାନ୍ତ ଆବଶ୍ୟକ । ଶ୍ୱେତସାର, ଚର୍ବି, ପୁଷ୍ଟିସାର, ବିଭିନ୍ନ ଫଳ ଓ ପନି ପରିବା ଯଥେଷ୍ଟ ପୋଷକ ପ୍ରଦାନ କରେ । ଯେଉଁମାନଙ୍କର ଖାଦ୍ୟ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ବା ଧାର୍ମିକ ବାରଣ ଯୋଗୁ ବା ନୀତିଗତ କାରଣ ଯୋଗୁ ନିୟନ୍ତ୍ରିତ ହୁଏ, ସେମାନେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କଠାରୁ ଉପଦେଶ ନେବା ଆବଶ୍ୟକ ।
ଗର୍ଭାଧାନ ସମୟରେ ଫଲିକ ଏସିଡ (ଭିଟାମିନ୍ ବି୯ ବା ଫୋଲେଟ୍) ଖାଇଲେ ସ୍ପାଇନା ବାଇଫିଡା (Spina bifida) ଓ ଗମ୍ଭୀର ଜନ୍ମଗତ ତୃଟି କମେଇ ଦିଏ । ଗର୍ଭର ପ୍ରଥମ ୨୮ଦିନରେ ନିଉରାଲ୍ ଟ୍ୟୁବ୍ ଗଠିତ ହୁଏ । ଏଣୁ ଏହି ସମୟରେ ଶାଗୁଆ ପତ୍ର ଥିବା ପରିବା, ସାଲାଡ, ବିଟ, ବ୍ରୋକୋଲି, ଲେମ୍ବୁ ଜାତୀୟ ଖାଦ୍ୟ, ଅଣ୍ଡା ଇତ୍ୟାଦିରେ ଯଥେଷ୍ଟ ଫୋଲେଟ ଭିଟାମିନ୍ ଥାଏ ।
ଡି.ଏଚ୍.ଏ. ଓମେଗା-୩ ଏକ ଚର୍ବିଳ ଏସିଡ ଯାହା ମସ୍ତିଷ୍କ ଓ ରେଟିନା ଗଢିବାରେ ସାହାଯ୍ୟ କରେ । ଏହା ସମୁଦ୍ରି ମାଛରେ ମିଳେ । ଏହା ମାଆ ଦୁଧରେ ଥାଏ । ଏଣୁ ମାଆ ଏହା ଖାଇଲେ ଶିଶୁ ଦେହକୁ ଯାଏ ।
ମାଇକ୍ରୋନ୍ୟୁଟ୍ରିଏଣ୍ଟ ମଧ୍ୟରେ ଅସ୍ଥି ଗଠନ ନିମନ୍ତେ ଭିଟାମିନ ଡି ଓ କ୍ୟାଲସିଅମ ଆବଶ୍ୟକ । ମେରୁ ରକ୍ତ ପରୀକ୍ଷା କରି ଦେଖା ଯାଇଛି ଯେ ଯେଉଁମାନଙ୍କର ଏଥିରେ ଭିଟାମିନ୍ ଡି କମ ଅଛି ସେମାନଙ୍କର ଶ୍ୱାସ ନଳୀ ସଂକ୍ରମଣ ଅଧିକ ହୁଏ ।
ଫଳ ଓ କଞ୍ଚା ପନିପରିବା ଭଲ ଭାବେ ଧୋଇଲେ ଲିସ୍ଟେରିଆ ଓ ଟକ୍ସୋପ୍ଲାଜ୍ମା ଭଳି ମାରାତ୍ମକ ପାରାସାଇଟରୁ ରକ୍ଷା ମିଳିଯାଏ । ଖାଦ୍ୟ ଭଲ ଭାବେ ରାନ୍ଧିବା ଆବଶ୍ୟକ । କଞ୍ଚା ଦୁଧ ପିଇବା ମନା । ଅଣ୍ଡାରୁ ସାଲମୋନେଲା ଜୀବାଣୁ ଆସିପାରେ, ଏଣୁ ଉତ୍ତମ ରୂପେ ରାନ୍ଧିବା ଦରକାର ।

ଓଜନ ବୃଦ୍ଧି

[ସମ୍ପାଦନା]

ଫିଟସର ଉପଯୁକ୍ତ ବୃଦ୍ଧି ନିମନ୍ତେ ଯଥେଷ୍ଟ କାଲୋରି ଆବଶ୍ୟକ । ବିଧି ମୁତାବକ ଓଜନ ଓ ୧୮.୫ରୁ ୨୪.୯ ବଡ଼ି ମାସ୍ଇନ୍ ଡେକ୍ସ୍ ଥିବା ମହିଳାମାନେ ୧୧.୩ରୁ ୧୫.୯ କେଜି ଓଜନ ଲାଭ କରନ୍ତି । ଅଳ୍ପ ଓଜନର ମହିଳା ୧୨.୭ରୁ ୧୮ କେଜି ଓଜନ ବଢେଇବା ଆବଶ୍ୟକ । ପତ୍ୟେକ ମହିଳା ପାଇଁ ବିଭିନ୍ନ ଉପଦେଶ ଦରକାର ଅନୁସାରେ ଦିଆଯାଏ । ପୃଥୁଳକାୟାମାନେ ୬.୮ରୁ ୧୧.୩ କେଜି ଓଜନ ଲାଭ କରିବା ଆବଶୟକ ।
ଗର୍ଭାବସ୍ଥାରେ କମ୍ ବା ଅଧିକ ଓଜନ ହେଲେ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପାଇଁ ହାନି କାରକ । ଚାଲିବା ଓ ପହ୍ଁରିବା ଭଳି ବ୍ୟାୟାମ ମାଆ ଓ ଛୁଆ ପାଇଁ ଉପଯୋଗୀ ।

ପ୍ରତିରୋଧ ସହନ

[ସମ୍ପାଦନା]

ଶରୀର ନିଜ ଜୀବକୋଷକୁ ଚିହ୍ନି ପାରେ । ଅନ୍ୟ ଜୀବକୋଷ ଶରୀରରେ ପ୍ରବେଶ କଲେ ପରିତ୍ୟକ୍ତ ହୁଏ । ଏହାକୁ ରିଜେକ୍ସନ ବା ପରିତ୍ୟାଗ କହନ୍ତି । ଗର୍ଭସ୍ଥ ଶିଶୁ ଗୁଣସୂତ୍ର ଅନୁସାରେ ମାଆଠାରୁ ଅଲଗା । ନିୟମ ଅନୁସାରେ ଏହି ଏକ ବିଜାତୀୟ ବସ୍ତୁ ଯାହା ଏକ ଗ୍ରାଫ୍ଟ ଆକାରରେ ରହେ ଓ ପ୍ରତିରୋଧ ସହନ ଯୋଗୁ ତିଷ୍ଠି ରହେ । ତିଷ୍ଠି ନ ପାରିଲେ ପରିତ୍ୟକ୍ତ ହୋଇ ଗର୍ଭପାତ ହୁଏ । କେତେକ ସ୍ୱତଃ ଗର୍ଭପାତ ଏହି ନିୟମ ଅନୁସାରେ ହେବାର ସମ୍ଭାବନା ଥାଏ ।

ଔଷଧ ବ୍ୟବହାର

[ସମ୍ପାଦନା]

ଗର୍ଭ ବେଳେ ଔଷଧ କ୍ଷଣସ୍ଥାୟୀ ବା ଚୀରସ୍ଥାୟୀ ବିପଦ ସୃଷ୍ଟି କରି ପାରେ । ମୂଖ୍ୟତଃ ବିକଳାଙ୍ଗ ସମସ୍ୟା ନ ହେବା ପାଇଁ ଅନେକ ଚିକିତ୍ସକ ଏହି ସମୟରେ କୌଣସି ଔଷଧ ଲେଖିବାକୁ ଅନିଚ୍ଛା ପ୍ରକାଶ କରନ୍ତି ।
କ୍ଷତିକାରକ ଔଷଧ ଗୁଡିକୁ ଏ.ବି.ସି.ଡି ଏବଂ ଏକ୍ସ ନାମରେ ଏଫ୍.ଡି.ଏ. ରେଟିଙ୍ଗ କରାଯାଇଛି । ଭିଟାମିନ୍ ଓ କେତେକ ଔଷଧ କୌଣସି କ୍ଷତି କରୁ ନ ଥିବାରୁ ଏ ରେଟିଙ୍ଗ ପାଇଛନ୍ତି । ଅତ୍ୟଧିକ ପ୍ରମାଣିତ କ୍ଷତିକାରକ ଥାଲିଡୋମାଇଡ ଔଷଧ ଏକ୍ସ ରେଟିଙ୍ଗ ପାଇଛି ।

ବିଷାକ୍ତ ଦ୍ରବ୍ୟ

[ସମ୍ପାଦନା]

ବିଭିନ୍ନ ବିଷାକ୍ତ ପଦାର୍ଥ ବର୍ଦ୍ଧିଷ୍ନୁ ଫିଟସର କ୍ଷତି ସାଧନ କରନ୍ତି । ଅନେକ ରାସାୟନିକ ପଦାର୍ଥ କେତେ ବେଳେ ନା କେତେ ବେଳେ ଆମେ ଆମ ଅଜାଣତରେ ବ୍ୟବହାର କରୁ ଯାହା କ୍ଷତି କାରକ । ଯଥା ଡି.ଡି.ଟି., ଏହାକୁ ମଶା ମାରିବା ନିମନ୍ତେ ବ୍ୟବହାର କରୁ, କିନ୍ତୁ ଏହା କ୍ଷତି କାରକ । ଏହି ଭଳି କେତେକ ଔଷଧର ନାମ polychlorinated biphenyls, organochlorine pesticides, perfluorinated compounds, phenols, polybrominated diphenyl ethers, phthalates, polycyclic aromatic hydrocarbons, perchlorate । ଏକାଧିକ ବିଷାକ୍ତ ପଦାର୍ଥ ଅଧିକ କ୍ଷତି ସାଧନ କରେ ।

  • ମଦ୍ୟପାନ ଫିଟସର କ୍ଷତି ସାଧନ କରେ । ଅନୁଶୀଳନଦ୍ୱାରା ଜଣା ଯାଇଛି ଯେ ଅଳ୍ପ ପାନ କଲେ ଅସୁବିଧା ନାହିଁ । କିନ୍ତୁ କେତେ ପିଇଲେ କ୍ଷତି ହେବ ନାହିଁ, ସେ ଭଳି କୌଣସି ପରିମାଣ କହି ହେବନି ।
  • ପ୍ରସବ ପୂର୍ବ ଅବସ୍ଥାରେ ଧୂମ୍ର ସଂସ୍ପର୍ଶରେ ଆସିଥିବା ଅନେକ ଶିଶୁ ସ୍ନାୟୁଗତ, ବ୍ୟାବହାରିକ ଓ ଶାରୀରିକ ସମସ୍ୟାରେ ପୀଡ଼ିତ ହୁଅନ୍ତି ।
  • ପାରଦ ଦୂଷିତ ମାଛ ଖାଇବା ହାନି କାରକ । ମିଥାଇଲ୍ ମରକ୍ୟୁରୀ(Methyl mercury) ଓ ଆଣବିକ ପାରଦ(Elemental mercury)ପଦାର୍ଥ କେତେକ ପ୍ରକାରର ସମୁଦ୍ର ମାଛ ଓ ମିଠା ଜଳ ମାଛକୁ ଦୂଷିତ କରନ୍ତି । ଏହି ଦ୍ରବ୍ୟ ଦ୍ୱୟ ମସ୍ତିସ୍କ ଓ ସ୍ନାୟୁ ବିକାଶରେ ବାଧା ସୃଷ୍ଟି କରନ୍ତି । ଶିଶୁର ଶିକ୍ଷା କରିବା ଶକ୍ତି ହ୍ରାସ ପାଏ । ସାର୍କ୍, କିଙ୍ଗ ମାକେରେଲ୍, ଟାଇଲଫିସ୍ ଭଳି ମାଛ ଖାଇବାକୁ ଆମେରିକାର ଏଫ୍.ଡି.ଏ. Food and Drug Administration ମନା କରିଛନ୍ତି । ମାତ୍ର ୬ ଆଉନ୍ସ ଆଲବାକୋରେ ଟୁନା ମାଛ ଖାଇବାକୁ ଉପଦେଶ ଦିଆ ଯାଇଛି ।
  • ଶିଶୁ ପରିବେଶ ଓ ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛନ୍ତି, ବାୟୁ ପ୍ରଦୂଷଣ ଯୋଗୁ ଅପରିପକ୍ୱ ପ୍ରସବ, ନିମ୍ନ୍ ନବଜାତ ଓଜନ ଏବଂ ଅଣକ୍ରିୟା ସମ୍ପର୍ଣ୍ଣ ହୃତପିଣ୍ଡ ଆଦି ଅସୁବିଧା ଦେଖା ଦିଏ । ନାହି ନାଡ ରକ୍ତ ପରୀକ୍ଷାରୁ ଯଣାଯାଏ, ଡି.ଏନ୍.ଏ. ନଷ୍ଟ୍ ହୋଇ କର୍କଟ ରୋଗର ସମ୍ଭାବନା ଅଧିକ ହୁଏ । ପଶ୍ଚାତ ଅନୁଧ୍ୟାନରୁ ଜଣାପଡ଼ିଛି ତୃତୀୟ ବର୍ଷରେ ବିକାଶ ବାଧା ପ୍ରାପ୍ତ ହୁଏ, ୬ ବର୍ଷରେ ଆଇ କ୍ୟୁ କମ ଥାଏ ଏବଂ ବ୍ୟବହାରିକ ସମସ୍ୟା ଦେଖା ଦିଏ ।
  • ଆମେରିକା ରୋଗ ନିୟନ୍ତ୍ରଣ ବିଭାଗ ଅନୁସାରେ ସୀସା ଗର୍ଭସ୍ଥ ଶିଶୁ ନିମନ୍ତେ କ୍ଷତି କାରକ । ମାଆ ଦେହରେ ସୀସା ଥିଲେ ଶିଶୁ ଦେହକୁ ପ୍ଲାଦେଣ୍ଟା ବାଧା ପାର ହୋଇ ସୀସା ଯାଏ ଓ ସ୍ନାୟୁ ବିକାଶରେ ବାଧା ସୃଷ୍ଟି କରେ ।
  • ୨୦୦୬ ମସିହାର ଏକ ଅନୁଶୀଳନରୁ ଜଣାଯାଏ, କୀଟନାଶକ କ୍ଲୋରୋପାଇରିଫୋସ୍ ()ମାନସିକ ଓ ମୋଟୋର ସ୍ନାୟୁ ବିକାଶକୁ କମେଇ ଦିଏ ।୨୦୦୭ ମସିହାର ଏକ ଅନୁଶୀଳନରୁ ଜଣାଯାଏ, ଗର୍ଭ ପୂର୍ବରୁ ଓ କ୍ଷୀର ପିଏଇବା ସମୟରେ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ୍ ସଂସ୍ପର୍ଷରେ ଆସିଲେ ଝିଅ ଛୁଆର ଡିମ୍ବାଶୟରେ ଡିମ୍ବାଣୁ ସଂଖ୍ୟା କମିଯାଏ । ଜଳରେ ଥିବା ଟେଟ୍ରାକ୍ଲୋରୋଏଥିଲିନ୍ ସଂସ୍ପର୍ଶରେ ଆସିଲେ ପାଟିରେ ଫାଙ୍କ ହୁଏ ଓ ସ୍ନାୟୁ ନଳୀରେ ଦୋଷ ରହେ । ଖେଳନାରେ ବ୍ୟବହୃତ ଥାଲେଟ ସଂସ୍ପର୍ଶରେ ଆସିଲେ କମ୍ ଓଜନ ବିଶିଷ୍ଟ ଛୁଆ ଜନ୍ମ ହୁଏ ।
  • ଭାଙ୍ଗ ଜାତୀୟ ଜିନିଷ ସେବନ କଲେ ଜନ୍ମ ଓଜନ କମ ହୁଏ

ଗର୍ଭାବସ୍ଥାରେ ଯୌନ ସମ୍ପର୍କ

[ସମ୍ପାଦନା]

କେତେକ ମହିଳା ସମ୍ପୁର୍ଣ୍ଣ ଗର୍ଭ ସମୟରେ ଯୌନ ସମ୍ଭୋଗ କରନ୍ତି । ସମ୍ଭୋଗ ଇଚ୍ଛା ଦ୍ୱିତୀୟ ତ୍ରୈମାସିକରେ ସାମାନ୍ୟ ବଢେ ଓ ଅନ୍ୟ ସମୟରେ କମିଯାଏ । କେତେକ ପୁରୁଷ ଗର୍ଭିଣୀ ନାରୀ ପ୍ରତି ଆକୃଷ୍ଟ ହୁଅନ୍ତି । ଏହାକୁ ଫେଟିସିଜ୍ମ ବା ମେସିଓଫିଲିଆ (pregnancy fetishism, also known as maiesiophilia) କହନ୍ତି ।
ସୁସ୍ଥ ମହିଳା ସମ୍ଭୋଗ କରି ପାରିବେ କିନ୍ତୁ ଏହି ସମୟରେ ତଳି ପେଟ ବା ଜରାୟୁରେ ଯେପରି ଚାପ ନ ପଡେ ।

ବ୍ୟାୟାମ

[ସମ୍ପାଦନା]

ପୂର୍ବରୁ ବ୍ୟାୟାମ କରୁଥିବା ସୁସ୍ଥ ମହିଳା ଏହି ସମୟରେ ୪୫ ମିନିଟ ପର୍ଯ୍ୟନ୍ତ ଜଗିଙ୍ଗ ଓ ଏରୋବିକ୍ ବ୍ୟାୟାମ କଲେ କିଛି କ୍ଷତି ନାହିଁ । ଯେଉଁଥିରେ ପଡ଼ିଯିବା ଭୟ ଥିବ ସେ ଭଳି କ୍ରୀଡ଼ା କରିବା ଉଚିତ ନୁହେଁ ।
ଆମେରିକାର ନାରୀ ଗୋଗ ଚିକିତ୍ସକ ସଂଘ ନିର୍ଦ୍ଦେଶ ଦେଇଛି: ବ୍ୟାୟାମ କରିପାର, କିନ୍ତୁ ଯୌନାଙ୍ଗରୁ ରକ୍ତ ସ୍ରାବ ହେଲେ, ଅଣନିଶ୍ୱାସି ହେଲେ, ଛାତି ଯନ୍ତ୍ରଣା ହେଲେ, ପେଶି ଦୁର୍ବଳତା ହେଲେ, ଫିଟସ୍ ଚଳନ କମ୍ ହେଲେ, ଗର୍ଭ ଜଳ ସ୍ରାବ ହେଲେ ଓ ଗୋଡ ମାଂସପେଶୀରେ କଷ୍ଟ ହେଲେ ବା ଫୁଲିଲେ ଡାକ୍ତର ପରାମର୍ଶ କରିବା ଉଚିତ ।
ଜର୍ନାଲ ଅଫ ନର୍ସ ପ୍ରାକ୍ଟିସନର ୨୦୦୭ରେ ଉପଦେଶ ଦିଆ ହୋଇଛି, ଆଦୌ ବ୍ୟାୟାମ ନ କରୁ ଥିବା ମହିଳାମାନେ କିଛି ବ୍ୟାୟାମ କରିବା ଉଚିତ । ଏହା କଲେ ଉଭୟ ମା ଓ ଶିଶୁର ଉପକାର ହୁଏ ।

ଜଟିଳତା

[ସମ୍ପାଦନା]

ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ସାରା ପୃଥିବୀରେ ପ୍ରତି ବର୍ଷ ୨୦ ନିୟୁତରୁ ଅଧିକ ମହିଳା ଗର୍ଭ ଯୋଗୁ ଅସୁସ୍ଥ ହୁଅନ୍ତି ଓ ୮ ନିୟୁତ ପ୍ରାଣସଙ୍କଟରେ ରହନ୍ତି । ୧୯୯୫ ମସିହାରେ ୫ ଲକ୍ଷ ମହିଳା ଗର୍ଭ ଜଟିଳତା ଓ ପ୍ରସବ ଯୋଗୁ ମୃତ୍ୟୁ ମୁଖରେ ପତିତ ହୋଇଥିଲେ ।
ଅନ୍ୟାନ୍ୟ ରୋଗ ଥିବାରୁ ଗର୍ଭାବସ୍ଥାରେ ବିପଦ ଅଧିକ ରହେ । ଗର୍ଭ ସମୟରେ ଓ ତା ପରେ ଶରୀରର ପରିବର୍ତ୍ତନ ଯୋଗୁ ମହିଳାମାନେ କେତେକ ଅସୁବିଧା ଭୋଗ କରନ୍ତି ।

  • ଗର୍ଭଜନିତ ରକ୍ତଚାପ
  • ରକ୍ତହୀନତା
  • ଅଣ୍ଟା ବଥା
  • କାର୍ପାଲ୍ ଟନେଲ୍ ସିଣ୍ଡ୍ରୋମ
  • କୋଷ୍ଠ କାଠିନ୍ୟ
  • ସାମୟିକ ଯନ୍ତ୍ରଣା ବିହୀନ ଜରାୟୁ ସଂକୋଚନ
  • ନିମ୍ନ ଅବୟବ ଶୋଥ ବା ଫୁଲା
  • ଛାତି ଜ୍ୱାଳା, ବାନ୍ତି ଲାଗିବା ଓ ଖାଦ୍ୟ ପାକସ୍ଥଳୀରୁ ପାଟିକୁ ଉଠି ଆସିବା
  • ଅର୍ଶ
  • ଶ୍ରୋଣି ଯନ୍ତ୍ରଣା (Pelvic pain)
  • ପ୍ରସବ ପର ଅବସାଦ
  • ପ୍ରସବ ପର ମନୋବିକାର
  • ଗୋଲାକାର ଲିଗାମେଣ୍ଟ ଯନ୍ତ୍ରଣା
  • ଅଧିକ ପରିସ୍ରା କରିବା
  • ମୂତ୍ର ନଳୀ ସଂକ୍ରମଣ
  • ସ୍ଫୀତ ଶୀରା
  • କୁଣ୍ଡେଇ ହେବା

ଅସ୍ଥାନିକ ଗର୍ଭ (Ectopic pregnancy)

[ସମ୍ପାଦନା]

ଜରାୟୁ ମଧ୍ୟରେ ଗର୍ଭ ନ ରହି ଅନ୍ୟ ସ୍ଥାନରେ ରହିଲେ ତାହାକୁ ଅସ୍ଥାନିକ (ଏକ୍ଟୋପିକ୍/ Ectopic Pregnancy) ଗର୍ଭ କହନ୍ତି । ଏ ଭଳି ଗର୍ଭ ପ୍ରାୟ ବଞ୍ଚି ପାରନ୍ତି ନାହିଁ । ଫାଲୋପିଆନ୍ ଟ୍ୟୁବ , ଡିମ୍ବାଶୟ, ସର୍ଭିକ୍ସ ଓ ପେଟ ଭିତରେ ଗର୍ଭ ରହି ପାରେ । ଗର୍ଭ ପରୀକ୍ଷାରେ ଯୁକ୍ତ ଫଳ ଥିବା ମହିଳାଙ୍କର ରକ୍ତ ସ୍ରାବ ବା ପେଟ ଯନ୍ତ୍ରଣା ହେଲେ ଏହି ରୋଗ ସନ୍ଦେହ କରାଯାଏ । ଅଲ୍ଟ୍ରାସାଉଣ୍ଡ ପରୀକ୍ଷାଦ୍ୱାରା ସିଦ୍ଧାନ୍ତ ମିଳେ । ପ୍ରଥମ ତ୍ରୈମାସିକରେ ମାତୃ ମୃତ୍ୟୁ କାରଣମାନଙ୍କ ମଧ୍ୟରେ ଫାଲୋପିଆନ୍ ନଳି ଗର୍ଭ (Tubal Pregnancy)ପ୍ରଥମ ସ୍ତାନ ଅଧିକାର କରେ ।
ସମୁଦାୟ ଗର୍ଭର ୧ % ଅସ୍ଥାନିକ ଗର୍ଭ ଓ ତନ୍ମମଧ୍ୟରୁ ୯୮ % ଫାଲୋପିଆନ ନଳୀ ମଧ୍ୟରେ ହୁଏ । ଭୃଣ ନଳି କାନ୍ଥରେ ସଂଯୁକ୍ତ ହୋଇ ଭିତରକୁ ପ୍ରବେଶ କରିବାକୁ ଲାଗେ । ଫଳରେ ନଳିର ରକ୍ତ ନଳି ଫାଟିଯାଇ ରକ୍ତ ସ୍ରାବ ହୁଏ ଓ ଏହି ଗର୍ଭ ନଷ୍ଟ ହୋଇଯାଏ (Tubal Abortion) । ଏହି ଅବସ୍ଥାରେ ମେଥୋଟ୍ରେକ୍ସେଟ୍ ଔଷଧଦ୍ୱାରା ବା ଲାପାରୋସ୍କୋପି/ଲାପାରୋଟୋମି ଅପରେଶନ କରି ଚିକିତ୍ସା ଗର୍ଭପାତ କରାଯାଏ ।
ଅସ୍ଥାନିକ ଗର୍ଭର କାରଣମାନଙ୍କ ମଧ୍ୟରେ ପେଲଭିସ ପ୍ରଦାହ, ସାଲପିଞ୍ଜାଇଟିସ୍, ଗନେରିଆ, କ୍ଲାମିଡିଆ, ଏଣ୍ଡୋମେଟ୍ରିଓସିସ୍ ମୂଖ୍ୟ ସ୍ଥାନ ଅଧିକାର କରନ୍ତି । ନଳିର ଗଠନ ସଠିକ୍ ନ ଥିଲେ ଓ ପିଲ ଖାଇଲେ ବା ଗର୍ଭ ନିରୋଧ ଯନ୍ତ୍ର ବ୍ୟବହାର କଲେ ଏହା ହୋଇପାରେ ।

ସମସାମୟିକ ଅନ୍ୟାନ୍ୟ ରୋଗ

[ସମ୍ପାଦନା]

ଗର୍ଭ ସମୟରେ ଅନ୍ୟାନ୍ୟ୍ ରୋଗ ଥିଲେ ସେହି ରୋଗ ବଢ଼ି ଯାଏ ବା ଗର୍ଭ ବିପଦଜନକ ହୁଏ ।କେତେକ ରୋଗମାନଙ୍କ ନାମ ତଳେ ଦିଆଗଲା ।

  • ଡାଏବେଟିସ୍ ଥିଲେ ଗର୍ଭପାତ, କମ୍ ବା ଦେଶି ବିକାଶ, ମୋଟା ଫିଟସ୍, ପଲିହାଇଡ୍ରାମ୍ନିଅସ୍ ଓ ଜନ୍ମଗତ ଶରୀର ବିଚ୍ୟୁତି ଦେଖାଯାଏ ।
  • ଲ୍ୟୁପସ ଏରିଦମାଟୋସିସ୍ ଥିଲେ ଗର୍ଭ ନଷ୍ଟ ହୋଇ ଗର୍ଭପାତ ହୋଇଯାଏ, ବଞ୍ଚି ରହିଲେ ଶିଶୁକୁ ଲ୍ୟୁପସ୍ ରୋଗ ହୁଏ ।
  • ଥାଇରଏଡ ବେମାରୀ ଥିଲେ ମାଆ ଓ ଶୁଶୁ ଉଭୟଙ୍କର ଅସୁବିଧା ହୁଏ । ପୂର୍ବରୁ ଅଜଣା ଥାଇରଏଡ ରୋଗ ଥିଲେ ଏହି ସମୟରେ ଏହା ଧରା ପଡେ ।
  • ଗର୍ଭାବସ୍ଥାରେ ଏଚ୍୧ଏନ୍୧ ଇନଫ୍ଲେଞ୍ଜା ହେଲେ ଓସେଲ୍ଟାମିଭିର୍ ବା ଜେନାମିଭିର୍ ଔଷଧ୍ ଖାଇବା ଉଚିତ । ଅନ୍ୟ ଔଷଧ ଖାଇଲେ ଛୁଆ ଗଠନରେ ଅସୁବିଧା ଦେଖାଯାଏ ।

ସ୍ଟେମ ସେଲ ସଂଗ୍ରହ

[ସମ୍ପାଦନା]

ଗର୍ଭ ଜଳରୁ ଆମ୍ନିଓସେଣ୍ଟେସିସ୍ଦ୍ୱାରା ଓ ନାହି ନାଡ ରକ୍ତରୁ ଯଥା କ୍ରମେ ଦୁଇ ପ୍ରକାର ଷ୍ଟେମ କୋଷ ସଂଗ୍ରହ କରାଯାଏ । ଏହି କୋଷ ସମସ୍ତ ସରକାରି ଓ ବେସରକାରି ଷ୍ଟେମ୍ କୋଷ ବ୍ୟାଙ୍କରେ ରଖାଯାଏ ।

ସମାଜ ଓ ସଭ୍ୟତା

[ସମ୍ପାଦନା]

ଅନେକ ସମାଜରେ ଗର୍ଭବତି ମହିଳାମାନଙ୍କୁ ମର୍ଯ୍ୟାଦା ଦେଇ ବହୁତ ଯତ୍ନ ନିଅନ୍ତି । ଆଉ କେତେକ ସ୍ଥାନରେ ପୁଅ ଜନ୍ମ କରିବା ପାଇଁ ମାନସିକ ଚାପ ପ୍ରୟୋଗ କରାଯାଏ । ଜାରଜ ସନ୍ତାନ ହେଲେ ସମାଜରୁ ବହିସ୍କାର କରାଯାଏ ।
ପରିବାରରେ ଗର୍ଭ ଗୋଟିଏ ମୂଖ୍ୟ ବିଷୟ । ଏହାଦ୍ୱାରା ଆଗାମୀ ଦାୟାଦ ଆସେ । ପିତା ମାତାଙ୍କ ସମ୍ପର୍କରେ ପରିବର୍ତ୍ତନ ଆସେ । ନୁତନ ଦାୟାଦ ସଂସାରକୁ ଆଣି ବାହା ହୋଇ ଆସିଥିବା ଝିଅ ପରିବାରର ସଦସ୍ୟ ଭାବେ ସେହି ସମୟରୁ ମାନସିକ ସ୍ୱୀକୃତି ପାଏ ।

ସାମାଜିକ ସ୍ଥିତି

[ସମ୍ପାଦନା]

ୟୁରୋପରେ ୧୯୭୦ ମସିହାରେ ୨୩ରୁ ୨୫ ବର୍ଷା ବୟସରେ ଗର୍ଭ ଧାରଣ ହେଉଥିଲା । ଅଧୁନା ୨୬ରୁ ୨୯ ବୟସରେ ଗର୍ଭ ଧାରଣ କରିବାକୁ ମହିଳାମାନେ ପସନ୍ଦ କରୁଛନ୍ତି । ଅନେକ ୩୦ ବର୍ଷ ପରେ ଗର୍ଭ ଧାରଣ କରୁଛନ୍ତି ।

ଇଚ୍ଛାକୃତ ଓ ଅନିଚ୍ଛାକୃତ ଗର୍ଭ

[ସମ୍ପାଦନା]

ବନ୍ଧ୍ୟାତ୍ତ୍ୱ

[ସମ୍ପାଦନା]

ପିଲା ନ ହେଉଥିବା ଦମ୍ପତି ମାନଙ୍କନିମନ୍ତେ ଅନେକ ଚିକିତ୍ସା ଉପଲବ୍ଧ ହେଲାଣି । ଜନନ କ୍ଷମତା ଚିକିତ୍ସା, କୃତ୍ରିମ ବୀର୍ଯ୍ୟ ରୋପଣ ଓ ଭଡା ଗର୍ଭ ଇତ୍ୟାଦିର ପ୍ରଚଳନ ଚାଲିଛି ।

ଗର୍ଭପାତ

[ସମ୍ପାଦନା]

ଗର୍ଭ ନିରୋଧକ ବ୍ୟବହାର ନ କରିଥିବା ଯୋଗୁ ବା ଏହା କାମ ନ କରିଥିବା ଯୋଗୁ ଓ ଧର୍ଷଣ ଯୋଗୁ ଅନିଚ୍ଛାକୃତ ଗର୍ଭ ଧାରଣ ହୁଏ । କେତେକ ପ୍ରକାର ରୋଗ ଥାଇ ଗର୍ଭ ହେଲେ ମାଆର ଜୀବନ ଉପରେ ବିପଦ ଆସେ । ଏହି ସବୁ କ୍ଷେତ୍ରରେ ଗର୍ଭପାତ ଆବଶ୍ୟକ ହୁଏ । ଏହା ଛଡା ସ୍ୱତଃ ଗର୍ଭପାତ ମଧ୍ୟ ହୁଏ । ଆବଶ୍ୟକ ସ୍ଥଳେ ମାଆର ଜୀବନ ରକ୍ଷା ନିମନ୍ତେ ଡାକ୍ତରୀ ଗର୍ଭପାତ କରାଯାଏ । ଅନ୍ୟାନ୍ୟ କ୍ଷେତ୍ରରେ ସମ୍ମାନ ରକ୍ଷା ନିମନ୍ତେ ମଧ୍ୟ ମହିଳାମାନେ ଅନିଚ୍ଛାକୃତ ଗର୍ଭର ଗର୍ଭପାତ କରନ୍ତି ।

ଋତୁ ବିରତି ପର ଗର୍ଭାଧାନ

[ସମ୍ପାଦନା]

ନିବିଦ୍ଧ ଡିମ୍ବାଣୁକୁ ଋତୁ ବିରତି ପର ମହିଳାମାନେ ଜରାୟୁରେ ରଖି ସମ୍ପୁର୍ଣ୍ଣ ଗର୍ଭ ଧାରଣ କରି ସୁସ୍ଥ ଛୁଆ ଜନ୍ମ କରି ପାରୁଛନ୍ତି ।

ଗର୍ଭିଣିମାନଙ୍କର ଆଇନଗତ ସୁରକ୍ଷା

[ସମ୍ପାଦନା]

ଗର୍ଭବତି ମହିଳାମାନଙ୍କ ନିମନ୍ତେ ଅନେକ ଦେଶରେ ବିଭିନ୍ନ ପ୍ରକାରର ନିୟମ କାନୁନ ତିଆରି ହୋଇଛି । ମାତୃତ୍ୱ ଛୁଟୀ ଶେଷ ତ୍ରୈମାସିକ ବା ପ୍ରସବ ପରେ ମଞ୍ଜୁର ହୁଏ ଓ ଅନେକ ଦେଶରେ ସବେତନ ଛୁଟୀ ମିଳେ । ଆମେରିକାରେ କିନ୍ତୁ ସବେତନ ଛୁଟି ନାହିଁ । କର୍ମଜୀବି ମହିଳାମାନେ ରାତି ଡ୍ୟୁଟି କରିନେ ନାହିଁ । ଓଜନିଆ ଜିନିଷ ଉଠାଇବେ ନାହିଁ । ନରଓଏ ଦେଶରେ ୮ ମାସ ସବେତନ ଛୁଟି ମିଳେ । ଅନେକ ଦେଶରେ ଗର୍ଭାବସ୍ଥାରେ ବାଛ ବିଚାର ବିରୁଦ୍ଧରେ କାନୁନ ଅଛି ।

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Pregnancy: Condition Information". www.nichd.nih.gov/. December 19, 2013. Archived from the original on 19 March 2015. Retrieved 14 March 2015.
  2. Wylie, Linda (2005). Essential anatomy and physiology in maternity care (Second Edition ed.). Edinburgh: Churchill Livingstone. p. 172. ISBN 9780443100413. {{cite book}}: |edition= has extra text (help)
  3. ୩.୦ ୩.୧ ୩.୨ Abman, Steven H. (2011). Fetal and neonatal physiology (4th ed. ed.). Philadelphia: Elsevier/Saunders. pp. 46–47. ISBN 9781416034797. {{cite book}}: |edition= has extra text (help)
  4. "What are some common signs of pregnancy?". www.nichd.nih.gov/. July 12, 2013. Archived from the original on 19 March 2015. Retrieved 14 March 2015.
  5. "How do I know if I'm pregnant?". www.nichd.nih.gov/. November 30, 2012. Archived from the original on 2 April 2015. Retrieved 14 March 2015.
  6. ୬.୦ ୬.୧ The Johns Hopkins Manual of Gynecology and Obstetrics (4 ed.). Lippincott Williams & Wilkins. 2012. p. 438. ISBN 9781451148015.
  7. ୭.୦ ୭.୧ "What is prenatal care and why is it important?". www.nichd.nih.gov/. July 12, 2013. Archived from the original on 2 April 2015. Retrieved 14 March 2015.
  8. "What are some common complications of pregnancy?". www.nichd.nih.gov/. July 12, 2013. Archived from the original on 26 February 2015. Retrieved 14 March 2015.
  9. World Health Organization (November 2014). "Preterm birth Fact sheet N°363". who.int. Archived from the original on 7 March 2015. Retrieved 6 Mar 2015.
  10. ୧୦.୦ ୧୦.୧ Sedgh, G; Singh, S; Hussain, R (September 2014). "Intended and unintended pregnancies worldwide in 2012 and recent trends". Studies in family planning. 45 (3): 301–14. doi:10.1111/j.1728-4465.2014.00393.x. PMID 25207494.
  11. The Johns Hopkins manual of gynecology and obstetrics (4th ed.). Philadelphia: Wolters Kluwer Health / Lippincott Williams & Wilkins. p. 382. ISBN 9781605474335. Archived from the original on 2023-01-10. Retrieved 2015-07-28. {{cite book}}: Cite uses deprecated parameter |authors= (help)
  12. 3D Pregnancy Archived 2007-09-27 at the Wayback Machine. (Image from gestational age of 6 weeks). Retrieved 2007-08-28. A rotatable 3D version of this photo is available here Archived 2007-09-14 at the Wayback Machine., and a sketch is available here Archived 2007-09-27 at the Wayback Machine..
  13. 3D Pregnancy Archived 2007-09-27 at the Wayback Machine. (Image from gestational age of 10 weeks). Retrieved 2007-08-28. A rotatable 3D version of this photo is available here Archived 2007-09-16 at the Wayback Machine., and a sketch is available here Archived 2007-09-27 at the Wayback Machine..
  14. 3D Pregnancy Archived 2007-09-27 at the Wayback Machine. (Image from gestational age of 20 weeks). Retrieved 2007-08-28. A rotatable 3D version of this photo is available here Archived 2007-09-16 at the Wayback Machine., and a sketch is available here Archived 2007-09-27 at the Wayback Machine..
  15. 3D Pregnancy Archived 2007-09-27 at the Wayback Machine. (Image from gestational age of 40 weeks). Retrieved 2007-08-28. A rotatable 3D version of this photo is available here Archived 2007-09-16 at the Wayback Machine., and a sketch is available here Archived 2007-09-27 at the Wayback Machine..

ଅଧିକ ତଥ୍ୟ

[ସମ୍ପାଦନା]