Jump to content

ହାଡ଼

ଉଇକିପିଡ଼ିଆ‌ରୁ

ମଣିଷ ଶରୀରର ଛାଞ୍ଚ ଏକ କେତେଖଣ୍ଡି ହାଡ଼ର ଏକ କଙ୍କାଳ ଉପରେ ଗଠିତ। ସେ ସବୁ ହାଡମାନଙ୍କୁ ଚଳାଇବା ପାଇଁ ନାନାପ୍ରକାରର ଅନେକ ମାଂସପେଶୀ ଓ ମାଂସପେଶୀମାନଙ୍କୁ ଚଳାଇବା ପାଇଁ ସ୍ନାୟୁତନ୍ତୁ ରହିଛି । ମଣିଷର ମଥାରେ ଯେଉଁ ଗେରୁ ଅଛି ତହିଁରୁ ଲାଙ୍ଗୁଳ ଭଳି କିଛି ଗେରୁରୁ ଅନେକ ସ୍ନାୟୁତନ୍ତୁ ବାହାରି ସବୁ ମାଂସପେଶୀମାନଙ୍କୁ ଯାଇଛି । ସେମାନଙ୍କ ଦେହରେ ତଡିତ୍ ପ୍ରବାହ ହୋଇ ମାଂସପେଶୀମାନଙ୍କୁ ଉତ୍ତେଜିତ କରାଇ ଚଳାଇଥାଏ ।

ପ୍ରକାର

[ସମ୍ପାଦନା]

ବିଭିନ୍ନ ପ୍ରକାରର ହାଡ଼ ମଣିଷ ଶରୀରରେ ରହିଛି ।

ଦାନ୍ତ

[ସମ୍ପାଦନା]

ଡାକ୍ତରଙ୍କଦ୍ୱାରା ଦାନ୍ତସବୁ ପରୀକ୍ଷା କରାଇ ନେବା ଦରକାର ଓ ଦାନ୍ତସବୁ ସଫାସୁତୁରା କରାଇ ନେବା ଦରକାର । ଦାନ୍ତମାନଙ୍କ ପାଇଁ ଫ୍ଳୋରିନ ଖୁବ୍ ଭଲ । ତେଣୁ ଫ୍ଳୋରିନ ଥିବା ପାଣି ବ୍ୟବହାର କରିବା ଦରକାର ବା ଫ୍ଳୋରିନ ଥିବା ଦାନ୍ତମଜା ପେଷ୍ଟ ବ୍ୟବହାର କଲେ ଦାନ୍ତ ଭଲ ରହେ । ବ୍ରସ ଅପେକ୍ଷା ଦାନ୍ତକାଠି ବ୍ୟବହାର ଉତ୍ତମ । ଯଦି ବ୍ରସ ବ୍ୟବହାର କରିବ ତା’ହେଲେ ନରମ ବ୍ରସ ଉପର ତଳକୁ ବା ବୃତ୍ତାକାର ଭାବରେ ବୁଲାଇ ଦାନ୍ତକୁ ମାଜିଲେ ତାହା ଘୋରି ହୋଇ ନଷ୍ଟ ହୁଏ ନାହିଁ । ତା ନ ହେଲେ ଦାନ୍ତ ଘୋରି ହୋଇ ଯାଏ । ଦାନ୍ତକାଠି ଭିତରେ ଶାଳ , କରଢ , ବାହାଡା ଓ ନିମ କାଠି ଖୁବ୍ ଭଲ । ଅପାମାରଙ୍ଗ ଦାନ୍ତକାଠି ଖୁବ୍ ଭଲ ଯେ ମିଳିବା କଷ୍ଟକର । ରାମଦାନ୍ତୁଣୀ କାଠି ମଧ୍ୟ ଭଲ । ମାତ୍ର ଜଙ୍ଗଲ ସବୁ ନଷ୍ଟ ହୋଇଗଲା ପରେ ଏହା ମିଳିବା ଦୁଷ୍କର ହେଲାଣି । ପାନ ଖାଇଲେ ଦାନ୍ତ ଖରାପ ହୁଏ।

ଅନ୍ୟହାଡ଼

[ସମ୍ପାଦନା]

ହାଡ଼ମାନଙ୍କ ଭିତରେ ଜଙ୍ଘ ହାଡ଼ଟି ଭାରି ଟାଣୁଆ । ଏହି ଫିମାର ପ୍ରତି ବର୍ଗଇଞ୍ଚରୁ ଦେଢ ଟନର ଚାପ ସହ୍ୟ କରିଥାଏ । ସବୁଠୁ ସରୁଆ ଆଉ ଛୋଟ ହାଡ ହେଉଛି ଶରୀରର ମଝି କାନରେ ଥିବା ୩ଟି ହାଡ ଭିତରୁ ଷ୍ଟେପିସ୍ଟି ।

ମଣିଷ ଶରୀରରେ ଯେତେ କାଲସିଅମ ଓ ଯେତେ ଫସଫରସ ଅଛି ତାର ୮୮ ଭାଗ ହାଡ଼ରେ ଅଛି । ଯେତେ କାଲସିଅମ ହାଡ଼ରେ ଅଛି ସେଥିରେ ଗୋଟାଏ ଛୋଟ ଘରକୁ ଅକ୍ଳେଶରେ ଚୂନ ଲଗାଯାଇ ପାରିବ । ଆଉ କେତେ ଫସଫରସ ଅଛି ସେଥିରେ ୨୨୦୦ ଦିଆସିଲି କାଠି ତିଆରି କରାଯାଇ ପାରିବ । ଶରୀରକୁ ଯେତେବେଳେ କିଛି କାମପାଇଁ କାଲସିଅମ ବା ଫସଫରସ ଦରକାର ପଡେ ସେତେବେଳେ ସେ ହାଡ଼ରୁ କିଛି କିଛି ନେଇଯାଏ ପୁଣି ସମୟ ଦେଖି ଜମା କରି ପକାଏ ।

କାର୍ଯ୍ୟ

[ସମ୍ପାଦନା]

ହାଡ଼ ମଣିଷକୁ କେବଳ ଛିଡ଼ାକରିବାରେ ସାହାଯ୍ୟ କରେ ନାହିଁ , ତା ଛଡା ଶରୀରର ଯେତୋଟି ମାଂସପେଶୀ ( ୬୫୦ଟି ) ଅଛି ସବୁ ପ୍ରାୟ ହାଡ଼କୁହିଁ ଆଶ୍ରାକରି ଥାଆନ୍ତି । ଗୋଟାଏ ପାଖ ହାଡ଼ ଧରି ରଖି ନ ଥିଲେ ମାଂସପେଶୀମାନେ ମୋଟେ କାମ କରି ପାରନ୍ତେ ନାହିଁ। ତା ଛଡା ହାଡ଼ର ଅସଲ କାମ ହେଲା ଦେହର ରକ୍ତରେ ଥିବା ନାଲି କୋଷମାନଙ୍କୁ ତିଆରି କରିବା । ଏହାର ଆବଶ୍ୟକତା ଯକୃତ ଓ ପ୍ଲୀହା କିଛି କିଛି ପୂରଣ କରି ପାରନ୍ତି । ମାତ୍ର ଅଧିକାଂଶ ନାଲିକୋଷ ବା ଲୋହିତ ରକ୍ତ କଣିକା ହାଡ଼ ଭିତରର ମଜ୍ଜାରୁ ତିଆରି ହୁଏ । କେତେକ ହାଡ଼କ ଭିତରଟା ଏକଦମ ସ୍ପଞ୍ଜ ପରିକା । ସେଇ ହାଡ଼ମାନଙ୍କ ଭିତରେ ନାଲିକୋଷ ଓ ଧଳାକୋଷ ତିଆରି ହୁଏ । ନାଲିକୋଷ ଶରୀର ପାଇଁ ପାଇଁ ଅମ୍ଳଜାନ ନିଆ ଅଣା କରେ ଓ ଧଳା କୋଷ ବା ଶ୍ୱେତ ରକ୍ତକଣିକାମାନେ ଶରୀରର ମିଲିଟାରୀ ଫୌଜ ଭଳିଆ କାମ କରନ୍ତି । କୌଣସି ଜୀବାଣୁ ଇତ୍ୟାଦି ଦେହ ଭିତରକୁ ଆସିଗଲେ ଏଇ ଧଳା କୋଷମାନେ ତାଙ୍କୁ ଆକ୍ରମଣ କରି ନାନା ଉପାୟରେ ମାରି ପକାନ୍ତି । ହାଡ଼ ନିର୍ଜିବ ବସ୍ତୁ ନୁହେଁ। ହାଡ଼ କାମ କରିବା ବନ୍ଦ କରିଦେଲେ ଶରୀର ରକ୍ତହୀନ ହୋଇଯାଇ ରୋଗାକ୍ରାନ୍ତ ହୋଇଯିବ ।

ହାଡ଼ ଏକ କାରଖାନା ଭଳି କାମ କରେ । ହାଡ଼ର ଗଠନ ପ୍ରଣାଳୀ ଏକ ଅଦ୍ଭୁତ ପ୍ରକାରର । ଏହାର ଭିତରଟା ପୋଲା । ତା ଭିତରେ ରକ୍ତର ବଡ଼ ବଡ଼ କେନାଲମାନ ଅଛି । ତାରି ଭିତରେ ରକ୍ତ ତିଆରି କାରଖାନା । ଏ ଗୁଡ଼ିକ ଭିତରୁ ଜଙ୍ଘ ହାଡ ଅଣ୍ଟା ହାଡ ଆଉ ପିଠି ହାଡମାନଙ୍କ ଭିତରେ ଏସବୁ ରକ୍ତ ତିଆରି କାରଖାନା ମାନ ଅଛି । ଅନ୍ୟମାନଙ୍କ ଭିତରେ ଏପରି ବଡ଼ ବଡ଼ କାରଖାନା ନାହିଁ ।

ଶରୀରର ହାଡ଼ ଭିତରୁ କେତେକ ଲମ୍ବା ହାଡ । କେତେକ ପତଳା ହାଡ ଓ କେତେକ ଛୋଟ ଛୋଟ ହାଡ ଅଛନ୍ତି । ଏଇ ସମସ୍ତଙ୍କର

ସେଇ ପୋଲା ଭିତରଟାକୁ କେନସାଲାସ ହାଡ କହନ୍ତି । କମ୍ପେକ୍ଟ ହାଡ ଉପରେ ଗୋଟିଏ ପରଦା ଅଛି । ତାକୁ ପେରିଅଷ୍ଟିଆମ କହନ୍ତି। ସେଇ ପରଦାଟା ନୂଆ ହାଡ କରାଇବାରେ ପାରଙ୍ଗମ । ହାଡ଼ ଉପରେ ମାଡ ବାଜି ଭାଙ୍ଗିଗଲେ ଏଇ ପରଦାଟା ଲାଗିପଡ଼ି ନୂଆହାଡ କରିପକାଏ ।

ଶରୀର ଯେତେବେଳେ ଜନ୍ମ ନେଇଥିଲା ସେତେବେଳେ ହାଡ଼ ସବୁ ଏତେ ଟାଣୁଆ ନ ଥିଲୁ । ଗୋଟିଏ ଛୋଟ ଜନ୍ମ କେନାଲ ଦେଇ ଜନ୍ମ ହେବାକୁ ହେଲେ ନରମା ହାଡ଼ର ଆବଶ୍ୟକତା ରହିଥିଲା ଯାହା ହାଡ ବେଶ ବଙ୍କେଇ ଆସି ଯାଇ ପାରେ । ଜନ୍ମ ନେଲା ପରେ ହାଡ଼ ବଢିବାକୁ ଆରମ୍ଭ କରିଥାଏ ଓ ଶରୀର ବେଶୀ ବେଶୀ ଖାଇଥାଏ । କାଲସିଅମଦ୍ୱାରା ହୃଷ୍ଟପୁଷ୍ଟ ହୋଇ ହାଡ଼ ବଢିଥାଏ। କ୍ୟାଲସିୟମ ଅଭାବରେ ହାଡ଼ ନରମ ହୁଏ ଓ ଅଷ୍ଟିଓ ମୋଲାସିଆ ବା ରିକେଟସ୍ ରୋଗରେ ଆକ୍ରାନ୍ତ ହୋଇଥାଏ ।

ଅଣ୍ଡା , ଦୁଧ , ମାଛ , ମାଂସ ଇତ୍ୟାଦିରୁ କ୍ୟାଲସିୟମ ମିଳେ। ୧୦ରୁ ୧୧ ମାସ ଯାଏ ମଣିଷ ଶିଶୁ ଠିଆ ହୋଇ ଚାଲି ପାରେନା କାରଣ ସେ ଯାଏ ହାଡ଼ ମଜଭୂତ ହୋଇ ନ ଥାଏ । ତାପରେ ଶରୀର ୨୪ ୨୫ ବର୍ଷ ହେଲାଯାଏ ହାଡ଼ ବଢିଚାଲେ ଓ ଉଚ୍ଚତା ବଢେ। ହାଡ଼ର ବଢିବା ଶକ୍ତି ବନ୍ଦ ହୋଇଯାଏ । କୈଶ୍ୱରାବସ୍ଥାରେ କରା ଯାଇଥିବା ବ୍ୟାୟାମ ହାଡ଼କୁ ବଢିବାରେ ସାହାଯ୍ୟ କରେ।

ଉପାଦାନ

[ସମ୍ପାଦନା]

ହାଡ଼ ଭିତରେ ପ୍ରାୟ ୧ କିଲୋଗ୍ରାମ କାଲସିଅମ ଅଛି । ଅଥଚ ଅଧଗ୍ରାମ ହେବ କାଲସିଅମ ଶରୀରର ରକ୍ତରେ ସବୁବେଳେ ଖେଳି ବୁଲୁଚି । ସେଇ ରକ୍ତର କାଲସିଅମ ଶରୀରର ବହୁତ କାମରେ ଲାଗେ । କେତେ କାଲସିଅମ ଓ ଫସଫରସ ଶରୀରର ରକ୍ତରେ ବୁଲିବ ତାହା ଶରୀରର ପାରାଥାଇରଏଡ ଗ୍ରନ୍ଥିର ରସ ନିର୍ଣ୍ଣୟ କରେ । ସେ ଗ୍ରନ୍ଥିର ରସ କୌଣସି କାରଣରୁ ବେଶୀ ବେଶି ବାହାରିଲେ ହାଡ଼ରୁ କାଲସିଅମ ରକ୍ତକୁ ଚାଲିଯିବାକୁ ବାଧ୍ୟ ହୁଏ - ଫଳରେ ହାଡ ନରମା ହୋଇଯାଏ ଓ କେତେବେଳେ ଭାଙ୍ଗି ମଧ୍ୟ ଯାଏ । କାଲସିଅମ ଚାଲିଗଲେ ଫସଫରସ ମଧ୍ୟ ଚାଲିଯାଏ ଏବଂ ରକ୍ତରେ ବେଶୀ କାଲସିଅମ ଓ ଫସଫରସ ରହିଲେ ବୃକକରେ ପଥର ହୋଇଯାଇ ବୃକକଟି ବେମାରିଆ ହୋଇଯାଏ ଓ ମଣିଷ ଯୁରିମିଆଁ ରୋଗରେ ଆକ୍ରାନ୍ତ ହୋଇଯାଇ ମରିଯାଏ। ଶରୀରରେ ପାରାଥାଇରଏଡ ଖୁବ୍ ଭଲ ଭାବରେ କାମ କଲେ ଏମିତି ଆଶଙ୍କା ନ ଥାଏ। ଶରୀର ବୁଢ଼ା ହୋଇଗଲେ ହାଡ଼ କାଲସିଅମକୁ ଧରି ରଖି ପାରେନାହିଁ, ଆସ୍ତେ ଆସ୍ତେ ନରମା ହୋଇଯାଏ, ଭଙ୍ଗୁର ପ୍ରବଣ ହୋଇଯାଏ ।

ହାଡ଼ଭଙ୍ଗା

[ସମ୍ପାଦନା]

ଶରୀର ଯଦି କୌଣସିଠିଁ ଜୋରରେ ଠୋକର ଖାଏ ବା କେଉଁଠି ଉପର ଜାଗାରୁ କଚାଡି ପଡେ , ଆମ ଦେହରେ ସେତେବେଳେ ଅନେକ ପ୍ରକାରର ଭଙ୍ଗାରୁଜା ହୋଇଯାଏ । ଅଳ୍ପ ଆଘାତରେ ହାଡ଼ ଅଳ୍ପ ବାଙ୍କିଯାଇ ଗୋଟାଏ ପାଖ ଚଡକିଯାଏ । ତାକୁ ଡାକ୍ତରମାନେ ଗ୍ରୀନଷ୍ଟିକ ଭାଙ୍ଗ କହନ୍ତି । କେତେବେଳେ ବା ପୁରାପୁରି ଭାଙ୍ଗିଯାଇ ଦିଖଣ୍ଡ ହୋଇଯାଏ । ସେତେବେଳେ ପୁରା ଭାଙ୍ଗ ଓ କେତେବେଳେ ବା ଖଣ୍ଡ ଖଣ୍ଡ ହୋଇଯାଏ ସେତେବେଳେ ତାକୁ କମ୍ମିନ୍ଯୁଟେଡ ଭାଙ୍ଗ କହନ୍ତି । ମୁଣ୍ଡ ହାଡ ବେଳେ ବେଳେ ଭାଙ୍ଗିଯାଇ ଭିତରକୁ ପଶି ଯାଏ । ତାକୁ ଡିପ୍ରେସଡ ଭାଙ୍ଗ କହନ୍ତି । ଏ ସବୁ ଭାଙ୍ଗ ହେଲାବେଳେ ଶରୀରର ଚମଡା କେତେବେଳେ କେତେବେଳେ କଣା ହୋଇଯାଇ ବାହାର ପବନ ସଙ୍ଗେ ହାଡ ଭଙ୍ଗାର ସଂଯୋଗ ରଖେ , ସେତେବେଳେ ଡାକ୍ତରମାନେ ତାକୁ କମ୍ପାଉଣ୍ଡ ଭାଙ୍ଗ କହନ୍ତି ଓ ବହୁ ଯତ୍ନ ସହକାରେ ଚିକିତ୍ସା କରନ୍ତି । ଚମଡା ଛିଣ୍ଡି ନ ଥିଲେ ଭାଙ୍ଗଟି ସିମ୍ପଲ ଭାଙ୍ଗ ବୋଲି ପରିଚିତ ହୁଏ ଓ ସହଜରେ ଚିକିତ୍ସା ହୁଏ। ଶଲ୍ୟ ଚିକିତ୍ସକମାନେ ହାଡ଼ର ଭାଙ୍ଗକୁ ଯୋଡ଼ାଯୋଡି କରି ପ୍ଳାଷ୍ଟର କରି ଦିଅନ୍ତି । ଗୋଡ ହାଡ ବା ପିଠିହାଡ ଭାଙ୍ଗିଗଲେ ଡାକ୍ତରମାନେ ପ୍ରାୟ ତିନିମାସ ପ୍ଳାଷ୍ଟର କରି ଦିଅନ୍ତି । ଅନ୍ୟ ଜାଗାର ହାଡ ଭାଙ୍ଗିଗଲେ ସାଧାରଣତଃ ଦେଢମାସ ପ୍ଳାଷ୍ଟର ରହେ ।

ଏସବୁ ଆଘାତ ପାଇ ଭାଙ୍ଗିବା ଛଡା ଆଉ ଗୋଟାଏ ବେମାରି ହାଡର ଗଣ୍ଠିମାନଙ୍କରେ ହୁଏ । ସେ ହେଲା ଆର୍ଥ୍ରାଇଟିସ୍ ବେମାରି। ଏହା ହେଲେ ହାଡ ଆଉ କାମ କରି ପାରେ ନା । ଗଣ୍ଠିମାନେ ଆଉ ଚଳନ୍ତି ନାହିଁ ।

ଅନ୍ୟ ଗୋଟାଏ ମାରାତ୍ମକ ବେମାରି ହେଲା କର୍କଟ ବେମାରି । ଥରେ ବାହାରିଲେ ଆଉ କିଛି ଉପାୟ ନ ଥାଏ।

ଚିକିତ୍ସା

[ସମ୍ପାଦନା]

ଆଜିକାଲିକା ଅସ୍ଥିସଲ୍ୟ ଚିକିତ୍ସା ବହୁତ ଆଗେଇ ଗଲାଣି । ନାନା ପ୍ରକାରର ଭଲ ଇସ୍ପାତର କଣ୍ଟା , ସ୍କୃ , ପ୍ଳେଟ ଇତ୍ୟାଦି ଦେଇ ଭଙ୍ଗା ହାଡକୁ ଯୋଡ଼ା ଯାଇପାରୁଛି । ବେମାରିଆ ଗଣ୍ଠିକୁ କାଟି ବାହାର କରି ଦେଇ ନୂଆ ଇସ୍ପାତର ଗଣ୍ଠି ଲଗାଇ ଦେଇ ପାରୁଛନ୍ତି । ସୁନ୍ଦର ସୁନ୍ଦର କୃତ୍ରିମ ହାତ ବା ଗୋଡ ଲଗାଯାଇ ପାରୁଛି ।

ଶରୀର ଅନ୍ତେ ହାଡ ବର୍ଷ ବର୍ଷ ଧରି ଶରୀରର ସତ୍ତାକୁ ବଞ୍ଚାଇ ରଖିଥାଏ । ମଣିଷର ପୂର୍ବପୁରୁଷମାନଙ୍କର ହାଡ, ଯାହା ହଜାର ହଜାର - ଏପରିକି କୋଟି କୋଟି ବର୍ଷ ଧରି ମାଟିତଳେ ବା ବରଫ ଭିତରେ ପୋତି ହୋଇ ରହି ଥିଲା ଏବେ ବାହାରୁଛି । ସେଥିରୁ ପୁରାତନ କାଳର ମଣିଷର ଆକାର ବିଷୟରେ ଅନେକ ତଥ୍ୟ ମିଳୁଛି।

ଅଧିକ ତଥ୍ୟ

[ସମ୍ପାଦନା]