ସଖୀବଟ

ଉଇକିପିଡ଼ିଆ ରୁ
Jump to navigation Jump to search
ଗୁପ୍ତକ୍ଷେତ୍ର ସଖୀବଟ

କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଯମପଡ଼ା ପଞ୍ଚାୟତର ବିଲବଳରାମପୁର ଗାଁରେ ମାଳିକା ବର୍ଣ୍ଣିତ ପଞ୍ଚସଖାଙ୍କ ଲୀଳା ସ୍ଥଳୀ; ଗୁପ୍ତକ୍ଷେତ୍ର ଭାବେ ପରିଚିତ ସଖୀବଟ ଅବସ୍ଥିତ । ଏହି କ୍ଷେତ୍ରଟି ପଞ୍ଚସଖା ଓ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ସମ୍ପର୍କ ଥିବାରୁ ଏହା ଏକ ଧର୍ମପୀଠ ଭାବେ ପରିଚିତ । ଇଚ୍ଛାପୁରରେ ମନ୍ଦିର ନିର୍ମାଣ ହେବା ପୂର୍ବରୁ ଶ୍ରୀବଳଦେବଜୀଉ ସଖୀବଟଠାରେ ୯ ବର୍ଷ କାଳ ପୂଜା ପାଇଥିଲେ । [୧] ଏହି କ୍ଷେତ୍ରକୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥାଏ ।

ଜଳଘେରା ଟାପୁଟିରେ ବିଶାଳ ବଟବୃକ୍ଷ ସୃଷ୍ଟି ହୋଇଥିଲା । ୧.୩ ଏକର ସ୍ଥାନରେ ବ୍ୟାପ୍ତ ଏହି ଗଛଟିକୁ ୬ଶହ ମୁଖ୍ୟ ଓହଳ ଓ ଶାଖା ଓହଳ ମାଟିରେ ଶକ୍ତଭାବେ ଧରି ରଖିଛନ୍ତି ।[୨] ଗୁପ୍ତକ୍ଷେତ୍ରର ନାମକରଣ ପ୍ରସଙ୍ଗରୁ ଜଣାଯାଏ ଯେ ମୋଗଲ ରାଜତ୍ୱ କାଳରେ ଯବନମାନଙ୍କ ଆକ୍ରମଣ ଆଶଙ୍କା ଥିବାରୁ ସିଦ୍ଧ ବଳଦେବଜୀଉଙ୍କୁ ୧୬୫୮ରୁ ୧୬୭୦ ଦୀର୍ଘ ୧୨ବର୍ଷ କାଳ ଏହିଠାରେ ଗୁପ୍ତ ଭାବରେ ରଖାଯାଇଥିଲା । ତେଣୁ ଏହି ସ୍ଥାନକୁ ଗୁପ୍ତପୀଠ ନାମରେ ନାମିତ କରାଯାଇଛି ।

ନାମକରଣ[ସମ୍ପାଦନା]

ଲୋକକଥା ଅନୁସାରେ ସଖି ନାମରେ ଜଣେ ଚାଷୀର ଝିଅ ଏଠାରେ ବିରି ଅମଳ କରିବାକୁ ବରଡାଳଟିକୁ ପୋତି ମେରୀ କରିଥିଲା । ବିରି ଅମଳ କରୁଥିବା ବେଳେ ମାଟିତଳେ ପୋତାହେଇଥିବା ବଳଦେବଜୀଉଙ୍କ ସନ୍ଧାନ ପାଇଥିଲା, ସେ ମେରୀ ଭାବେ ବ୍ୟବହାର କରୁଥିବା ବରଡାଳଟି ବଞ୍ଚିଯାଇ କାଳକ୍ରମେ ମହାଦ୍ରୁମରେ ପରିଣତ ହୋଇଛି ।[୩]

ଅନ୍ୟଏକ ଲୋକକଥା ଅନୁସାରେ ନିକଟସ୍ଥ ପାଟଣା ଗ୍ରାମର ସଖୀ ନାମକ କନ୍ୟା ତେଲିପାଟଣା ଗ୍ରାମରେ ବିବାହ କରିଥିଲା । କୁମାରୀ ଜୀବନରୁ କନ୍ୟାଟି ସେଠାରେ ବଟବୃକ୍ଷକୁ ପୂଜା କରୁଥିଲା । ଦେବଅଂଶୀ କନ୍ୟାଟି ଶାଶୁଘରୁ ରାତିରେ ଏହି ବିଶାଳ ଗଛ ନିକଟକୁ ଆସି ପୂଜା କରି ରାତି ପାହିବା ପୂର୍ବରୁ ଫେରିଯାଉଥିଲା । କିଛିଦିନ ଏପରି କରନ୍ତେ ଦିନେ ତା'ସ୍ୱାମୀର ନିଦ ଭାଙ୍ଗିଯିବାରୁ ପାଖରେ ସଖୀକୁ ନ ପାଇ ସନ୍ଦେହ କରିଥିଲା । ସ୍ୱାମୀର ତିରସ୍କାର ଶୁଣି ସତକଥା କହିବାରୁ ତା' ପ୍ରାଣବାୟୁ ଚାଲିଗଲା । ସ୍ୱାମୀ ସମସ୍ତ ବିଷୟ ଲୋକଙ୍କୁ କହିବା ସହ ବିଶାଳ ବରଗଛ ତଳେ ପୂଜା ପାଇଥିବା ବଟକୁ ଦେଖିଥିଲେ । ସେହି ଦିନଠାରୁ ସଖୀ ପୂଜା କରୁଥିବା ବଟକୁ ସଖୀବଟ ଭାବରେ ନାମିତ କରାଯାଇଥିଲା । ଏହି ପୀଠର ଇତିହାସ ସହ କେନ୍ଦ୍ରାପଡାର ଇଚ୍ଛାପୁରଠାରେ ଥିବା ଶ୍ରୀବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠାର ସଂପର୍କ ରହିଛି ।

ସଖୀବଟ ଓ ବଳଦେବଜୀଉ[ସମ୍ପାଦନା]

ଲୋକକଥା ଅନୁସାରେ ସିଦ୍ଧ ବଳଦେବଜୀଉଙ୍କୁ ଏହି ପୀଠରେ ୧୨ବର୍ଷ କାଳ ଲୁଚାଇ ରଖାଯାଇଥିଲା । ଦିନେ କୁଜଙ୍ଗ ରାଜା ଗୋପାଳ ଷଣ୍ଢ ଜଳପଥ ଦେଇ ଦ୍ୱୀପାଞ୍ଚଳ ନିକଟ ଦେଇ ଯାତ୍ରା କରୁଥିଲେ । ଦ୍ୱୀପାଞ୍ଚଳରୁ ଏକ ଦିବ୍ୟ ସୁଗନ୍ଧ ଅନୁଭବ କରିବାରୁ କୌତୁହଳବଶତଃ ଡଙ୍ଗା ଅଟକାଇ ବିଶାଳ ବଟବୃକ୍ଷ ନିକଟକୁ ଯାଇଥିଲେ । ସେଠାରେ ସିଦ୍ଧ ବଳଦେବ ମହାପୁରୁଷଙ୍କୁ ଦେଖିବାକୁ ପାଇଥିଲେ । ପ୍ରଭୁଙ୍କୁ କୁଜଙ୍ଗ ନେଇ ଯିବାକୁ ମନସ୍ଥ କରି ନାଉରୀ ଓ କର୍ମଚାରୀଙ୍କ ସହଯୋଗରେ ଡଙ୍ଗାରେ ବସାଇ ଯାତ୍ରା ଆରମ୍ଭ କରିଥିଲେ । ଯାତ୍ରା ମଝିରେ ଜୁଆର ଛାଡ଼ିଯିବାରୁ ଡଙ୍ଗା ଆଗକୁ ଘୁଞ୍ଚି ନପାରି ବାଲିଚରରେ ଲାଗିଗଲା । ଯେତେ ଚେଷ୍ଠା କଲେ ମଧ୍ୟ ଡଙ୍ଗାଟି ଜଳଧାରା ଭିତରକୁ ନ ଖସିବାରୁ ଏଠାରେ ରହିବା ପ୍ରଭୁଙ୍କ ଇଚ୍ଛା ଭାବି ସିଦ୍ଧ ବଳଦେବଜୀଉଙ୍କୁ ସେହିସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା । ତେଣୁ ସ୍ଥାନର ନାମ ଇଚ୍ଛାପୁର ହେଲା । ପରେ ଛେଦରା ରାଜା ଓ କୁଜଙ୍ଗ ରାଜା ଗୋପାଳ ଷଣ୍ଢଙ୍କ ମିଳିତ ଉଦ୍ୟମରେ ଶ୍ରୀବଳଦେବଜୀଉ ମନ୍ଦିର ନିର୍ମାଣ ହେଲା । ଗୁପ୍ତକ୍ଷେତ୍ର ସଖୀବଟରେ ମଧ୍ୟ ଅନୁରୂପ ଭାବେ ମନ୍ଦିରଟିଏ ନିର୍ମିତ ହୋଇ ସିଦ୍ଧ ବଳଦେବଜୀଉଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଏବେ ଇଚ୍ଛାପୁରରେ ମଣିବିଗ୍ରହ ଶ୍ରୀବଳଦେବ, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନ ପୂଜା ପାଉଛନ୍ତି । ପରବର୍ତ୍ତୀ ସମୟରେ ସଖୀବଟସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ନିକଟରେ ଅନ୍ୟ ଏକ ମନ୍ଦିର ନିର୍ମିତ୍ତ ହୋଇ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଉଛି । ମୁଖ୍ୟ ମନ୍ଦିରରେ ସିଦ୍ଧ ବଳଦେବଜୀଉଙ୍କ ବିଗ୍ରହର ଡାହାଣ ପାଖରେ ସଖୀବଟଙ୍କ ମୂର୍ତ୍ତି ପୂଜା ପାଉଛି । [୪]

କିମ୍ବଦନ୍ତୀ[ସମ୍ପାଦନା]

ସଖୀବଟ ମନ୍ଦିର
  • ଦ୍ୱାପର ଯୁଗର ଶେଷ ବେଳକୁ ଶ୍ରୀବଳଦେବଜୀଉ ତୀର୍ଥ ଭ୍ରମଣକରି ଗୁପ୍ତକ୍ଷେତ୍ର ସଖୀବଟରେ୧୪ ବର୍ଷ କାଳ ଗୋପନରେ ଥିଲେ । ଉକ୍ତ ସ୍ଥାନରେ ଥିବା ବେଳେ ମହାପ୍ରଭୁ ଚାରି ପ୍ରକାରର ଦାନ୍ତ କାଠି ଯଥା ନିମ୍ବ, ସାହାଡ଼ା, ବର ଓ ବେଗୁନିଆ ବ୍ୟବହାର କରୁଥିଲେ । କାଳକ୍ରମେ ବର ଦାନ୍ତ କାଠି ବିଶାଳ ବରଗଛ ପାଲଟି ଯାଇଛି ।
  • ଷୋଡଶ ଶତାବ୍ଦୀରେ ମୋଗଲ ଶାସନ ସମୟରେ ସେବକ ମାନେ ଶ୍ରୀବଳଦେବଜୀଉଙ୍କୁ ଗୁପ୍ତକ୍ଷେତ୍ରରେ ୧୨ ବର୍ଷ କାଳ ଲୁଚାଇ ରଖିଥିଲେ ।
  • ଏକ ସମୟରେ ୧୪ ଦିନ ଧରି କାଳ ଲଗାଣ ଝଡ଼ିବର୍ଷା ହେବାରୁ ପୂଜକ ସେଠାରେ ଥିବା ଗୁମ୍ପାରୁ ବାହାରି ପାରିଲେ ନାହିଁ ଓ ନୀତି ଆବଶ୍ୟକ ସାମଗ୍ରି ଆଣିପାରିଲେ ନାହିଁ । ଭୋକ ଉପାସରେ ଠାକୁରଙ୍କୁ ଗାଳି କରିବାରୁ ଜଣେ କଳା ଲୋକ ଓ ଜଣେ ଧଳା ଲୋକଗୋଟିଏ ବଡ଼ ବେତୁଲିରେ ପାଟକପୁରା କଦଳୀ ସହିତ ରସାବଳି ଆଣି ପହଞ୍ଚି ଠାକୁରଙ୍କ ନୀତି କରିବାକୁ କହିଲେ । ଠାକୁରଙ୍କ ନୀତି ସାରି ଫେରି ଦେଖନ୍ତି ଯୁବକଦ୍ୱୟ ସେଠାରେ ନାହାନ୍ତି ।
  • କିଛି ଅନିତି ଓ ଅଘଟଣ ଘଟିଲେ ସର୍ପ ରୁପରେ ମହାପ୍ରଭୁ ବାହାରିବା କଥା କହନ୍ତି ସ୍ଥାନୀୟ ଲୋକେ । ତେଣୁ ଖୋଲା ପଡ଼ିଥିବା ଏହି ସ୍ଥାନରୁ କୌଣସି ଜିନିଶ ଚୋରି ନ ଯିବାର କଥିତ ଅଛି ।

କାଳକ୍ରମେ ଶ୍ରୀବଳଦେବଜୀଉଙ୍କ ସ୍ୱପ୍ନାଦେଶ ବଡ଼ପଣ୍ଡା କେଶବ ଚନ୍ଦ୍ର ପତିଙ୍କୁ ହେବାରୁ ଗୁପ୍ତ କ୍ଷେତ୍ର ସଖୀବଟରେ ବିଗ୍ରହ ପ୍ରତିଷ୍ଠା ହୋଇ ରୀତିନୀତି ଓ ପୂଜା ପର୍ବାଣୀ ଅନୁଷ୍ଠିତ ହେଉ ଅଛି ।[୫]

ଗାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Tanaya, Kshirabdhi (2012). "Sakhibata, Kudanagari now in tourism map". dailypioneer.com. Retrieved 18 February 2013. Lord Baladevjew was worshipped at Sakhibata for nine years before the construction of its own abode at Ichhapur.
  2. "500-year-old banyan tree gets tourist sport status in Odisha". The Indian Express. Retrieved 26 November 2015.
  3. Das, Rashmi Rekha. "THE BENIGN BANYAN TREE". Orissa Post. Retrieved 26 November 2015.
  4. ରଶ୍ମୀରଞ୍ଜନ ମହାପାତ୍ର, ପ୍ରମେୟ, ପୃଷ୍ଠା- ୧୩, ଶୁକ୍ରବାର, ୮ ମାର୍ଚ୍ଚ ୨୦୧୩
  5. ସମାଜ,୧୩ ଜାନୁଆରୀ ୨୦୧୩, ପୃଷ୍ଠା: ୪