ଶବ୍ଦତତ୍ତ୍ୱବୋଧ ଅଭିଧାନ

ଉଇକିପିଡ଼ିଆ‌ରୁ
ଶବ୍ଦତତ୍ତ୍ୱବୋଧ ଅଭିଧାନ‌  
ଲେଖକଗୋପୀନାଥ ନନ୍ଦ
ମୂଳ ନାମଶବ୍ଦତତ୍ତ୍ୱବୋଧ ଅଭିଧାନ‌
ଦେଶଭାରତ
ଭାଷାଓଡ଼ିଆ
ବିଭାଗଅଭିଧାନ
ମାଧ୍ୟମ ପ୍ରକାରଛପା
ପୃଷ୍ଠା୧୧୧୫

ଶବ୍ଦତତ୍ତ୍ୱବୋଧ ଅଭିଧାନ ଗୋପୀନାଥ ନନ୍ଦ ସଂକଳିତ ଓ ୧୯୧୬ ମସିହାରେ ପ୍ରକାଶିତ ଏକ ଓଡ଼ିଆ ଅଭିଧାନ ।[୧] ଏହି ସଂକଳନ ତାତ୍କାଳିକ ଓ ପରବର୍ତ୍ତୀ ସମୟରେ ଓଡ଼ିଆ ଭାଷାର ବିଭିନ୍ନ ଶବ୍ଦର ବିଶଦ୍ ବର୍ଣ୍ଣନା ତଥା ପ୍ରାମାଣିକତା ନିମନ୍ତେ ଆଦୃତ । ଏହି ଅଭିଧାନର ପ୍ରାଥମିକ ସଂକଳନ କାର୍ଯ୍ୟ ଗୋପୀନାଥ ନନ୍ଦ ପ୍ରକାଶନର ୧୮ ବର୍ଷ ଆଗରୁ ୧୯୯୮ ମସିହାରେ ଆରମ୍ଭ କରିଥିଲେ । ଏହି ଅଭିଧାନ ସଂକଳନ ପାଇଁ ଆଭିଧାନିକଙ୍କୁ ୭ ବର୍ଷ ଲାଗିଥିଲା ଓ ସେ ଉତ୍କଳ ସାହିତ୍ୟ ସମାଜର ସାହାଯ୍ୟ ପାଇଁ ଅନୁରୋଧ କରି ବିଫଳ ହୋଇଥିଲେ । ପରେ ସେ ତତ୍କାଳୀନ ମାଡ୍ରାସ, ବିହାର ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ କରି ପାଣ୍ଠି ସଂଗ୍ରହରେ ସଫଳ ହୋଇଥିଲେ । ଏହା ପୂର୍ବରୁ ଥିବା ଅନେକ ଅଭିଧାନରେ ବିଶେଷ କରି ସଂସ୍କୃତ ଶବ୍ଦାବଳୀର ଓଡ଼ିଆ ଅର୍ଥମାନ ଥିବା ବେଳେ ଏଥିରେ ଅନେକ କଥିତ ଦେଶଜ ଶବ୍ଦର ବର୍ଣ୍ଣନା ଓ ବ୍ୟତ୍ପୁତ୍ତି ରହିଛି । ଶବ୍ଦର ବ୍ୟପ୍ତୁତ୍ତି ପାଇଁ ତତ୍ସମ, ତଦ୍ଭବ, ଦେଶଜ, ଆରବୀ-ପାରସୀ, ଦ୍ରାବିଡ଼ ଏବଂ ଇଂରାଜୀ ଶବ୍ଦ ମଧ୍ୟ ଉପଲବ୍ଧ ଥିଲେ ସୂଚିତ ହୋଇଛି । ଏଥିରେ ଓଡ଼ିଶାରେ ପ୍ରଚଳିତ ଢଗଢମାଳୀ ସମେତ ସାରଳା ମହାଭାରତ ଓ ବିଭିନ୍ନ ଓଡ଼ିଆ ପୁସ୍ତକରୁ ସଂଗୃହୀତ ଶବ୍ଦ ତଥା ଉଦାହରଣ ଆଦି ରହିଛି ।[୨] ୧୯୩୧-୧୯୪୦ରେ ପ୍ରକାଶିତପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ମୁଖ୍ୟସଂକଳକ ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଶବ୍ଦତତ୍ତ୍ୱବୋଧ ଅଭିଧାନ ବାବଦରେ ଭାଷାକୋଷରେ ଉଲ୍ଲେଖ କରିଛନ୍ତି ଓ ଅଭିଧାନକୁ ଏକ ପ୍ରାମାଣିକ ଗ୍ରନ୍ଥ ଭାବରେ ବ୍ୟବହାର କରିଥିଲେ ।[୩]

ଇତିହାସ[ସମ୍ପାଦନା]

ଏହି ଅଭିଧାନର ସଂକଳକ ଗୋପୀନାଥ ନନ୍ଦ ଓଡ଼ିଆ ସମେତ ସଂସ୍କୃତ, ପାଲି, ପ୍ରାକୃତ, ତେଲୁଗୁ, ତାମିଲ, ବଙ୍ଗଳା, ହିନ୍ଦୀ, କନ୍ନଡ଼ ଓ ପାରସୀ ଆଦି ଏଗାରଟି ଭାଷାରେ ପାରଦର୍ଶିତା ଲାଭ କରିଥିଲେ । ତାଙ୍କ ବ୍ୟାପକ ଭାଷାଜ୍ଞାନ ତାଙ୍କୁ ଶବ୍ଦତତ୍ତ୍ୱବୋଧ ଅଭିଧାନ ସଂକଳନରେ ଅନେକ ସାହାଯ୍ୟ କରିଥିଲା । ସେ ୧୮୯୮ ମସିହାରେ ସଂକଳନ କାର୍ଯ୍ୟ ଆରମ୍ଭ କରି ୧୮ ବର୍ଷ ଧରି ଧୀରେ ଧୀରେ ଏଥିରେ ଶବ୍ଦାବଳୀ, ଶବ୍ଦାର୍ଥ ଓ ଉଦାହରଣ ଉଲ୍ଲେଖ କରିଥିଲେ । ଉତ୍କଳ ସାହିତ୍ୟ ସମାଜର ସେତେବେଳର ସଭାପତି ମଧୁସୂଦନ ରାଓ ଗ୍ରନ୍ଥର ଆରମ୍ଭରେ ସଂକଳନର ପର୍ଯ୍ୟାୟ ଲିପିବଦ୍ଧ କରିଛନ୍ତି । ଏହି ଗ୍ରନ୍ଥର ପ୍ରକାଶ ଆଗରୁ ୨୦ ବର୍ଷରୁ ଅଧିକ କାଳ ସ୍ୱରୂପ ଜଗନ୍ନାଥ ରାଓଙ୍କ ସଂକଳିତ ଉତ୍କଳାଭିଧାନ ପ୍ରଚଳିତ ହୋଇ ଆସୁଥିଲା । ତେବେ ଶବ୍ଦସବୁର ବିସ୍ତୃତ ବର୍ଣ୍ଣନା ଓ ବିଶେଷ କରି ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦାବଳୀର ଏକ ଅଭିଧାନ ଶୈଳୀରେ ଲିଖନର ଅଭାବ ଅନୁଭବ କରି ଗୋପୀନାଥ ନନ୍ଦ ଏହି ସଂକଳନ ଆରମ୍ଭ କରିଥିଲେ । ନିଜେ ଖେଳକୁଦରେ ସକ୍ରିୟ ହୋଇନଥିବାରୁ ସେ ବିଭିନ୍ନ ଖେଳାଳୀମାନଙ୍କ ସାହାଯ୍ୟ ନେଇ ଖେଳ ସମ୍ବନ୍ଧୀୟ ଶବ୍ଦ ସଂଗ୍ରହ କରିଥିଲେ । ସେହି ପରି ବିଭିନ୍ନ ବୃତ୍ତିରେ ତାତ୍କାଳିକ ସମାଜରେ ନିୟୋଜିତ ବିଭିନ୍ନ ଜାତି-ଭିତ୍ତିକ ବୃତ୍ତିଧାରୀ ଯଥା ବଢ଼େଇକମାର ଆଦିଙ୍କଠାରୁ ସେହି ବୃତ୍ତିରେ ବ୍ୟବହୃତ ଶବ୍ଦସବୁ ସଂଗ୍ରହ କରିଥିଲେ । ଗବେଷଣାରୁ ସଂଗୃହୀତ ଶବ୍ଦସବୁକୁ ପରେ ବିଭିନ୍ନ ପ୍ରକାଶିତ ପୁସ୍ତକ ଓ ଅନ୍ୟାନ୍ୟ ରଚନା ସହ ମେଳ କରି ସେ କେଉଁଟି ଦେଶଜ, ତଦ୍ଭବ ବା ତତ୍ସମ ତାହା ନିରୂପଣ କରିଥିଲେ । ସେ ନିତି ଦଶଘଣ୍ଟା ଧରି ସାତ ବର୍ଷ କାଳ ଆଭିଧାନିକ କାର୍ଯ୍ୟରେ ସମୟ ବିନିଯୋଗ କରୁଥିଲେ ବୋଲି ମଧୁସୂଦନ ରାଓ ଉଲ୍ଲେଖ କରିଛନ୍ତି । ଶବ୍ଦସଂଗ୍ରହ କାଳରେ ଅଭିଧାନକାର ଅନେକ ନୂଆ ଶବ୍ଦ ସାରଳା ମହାଭାରତନୃସିଂହପୁରାଣରେ ପାଇଥିଲେ ମଧ୍ୟ ସେଗୁଡ଼ିକର ଅର୍ଥ ଉପଲବ୍ଧ ନ ହେବାରୁ ଶବ୍ଦତତ୍ତ୍ୱବୋଧ ଅଭିଧାନ ଅନ୍ତର୍ଭୁକ୍ତ କରିପାରିନଥିଲେ ।[୨]

ବିଶେଷତ୍ୱ[ସମ୍ପାଦନା]

ଶବ୍ଦତତ୍ତ୍ୱବୋଧ ଅଭିଧାନ ଏହା ପୂର୍ବରୁ ପ୍ରକାଶିତ ଅଭିଧାନଗୁଡ଼ିକ ମଧ୍ୟରୁ ବଡ଼ ଓ ବୈଜ୍ଞାନିକ ରୀତିରେ ସଂକଳିତ । ଏଥିରେ ପୂର୍ବରୁ ପ୍ରକାଶିତ ସାହିତ୍ୟ, ବିଶେଷ କରି ସାରଳା ମହାଭାରତନୃସିଂହପୁରାଣ ଭଳି ଗ୍ରନ୍ଥରେ ପ୍ରକାଶିତ ଶବ୍ଦାବଳୀ ସମେତ[୨] କଥିତ ଓଡ଼ିଆରେ ବ୍ୟବହୃତ ମୋଟ ୩୫,୦୦୦ ଶବ୍ଦ ସ୍ଥାନୀତ । ଶବ୍ଦଗୁଡ଼ିକ ତତ୍ସମ, ତଦ୍ଭବ, ଦେଶଜ, ଆରବୀ-ପାରସୀ, ଦ୍ରାବିଡ଼ ଏବଂ ଇଂରାଜୀ ହୋଇଥିଲେ ସେହି ଭାବେ ସୂଚାଇବା ପାଇଁ ଉଦ୍ୟମ କରାଯାଇଛି । ଏଥି ସହିତ କେତେକ ସ୍ଥାନରେ ବ୍ୟାକରଣିକ କୋଟି ନିର୍ଦ୍ଦେଶ କରି ପ୍ରୟୋଗ ଉଦାହରଣ ମଧ୍ୟ ଦିଆଯାଇଛି ।[୪]

ମୁଦ୍ରଣ[ସମ୍ପାଦନା]

ଉତ୍କଳ ସାହିତ୍ୟ ସମାଜର ୧୯୦୪ ମସିହାରେ ହୋଇଥିବା ପ୍ରଥମ ଅଧିବେଶନରେ ସଭ୍ୟମାନେ ଏକ ଓଡ଼ିଆ ଅଭିଧାନ, ଏକ ବ୍ୟାକରଣ ପୁସ୍ତକ ଓ ଏକ ଓଡ଼ିଆ ଭାଷା ଓ ସାହିତ୍ୟର ଇତିହାସ ପୁସ୍ତକର ସଂକଳନ ବାବଦରେ ଆଲୋଚନା କରିଥିଲେ । ତେବେ ଏସବୁ ପୁସ୍ତକର ବାସ୍ତବ ସଂକଳନ କାମ ଆଗକୁ ବଢ଼ିପାରିନଥିଲା । ଏହି ସଭାରେ ଉପସ୍ଥିତ ଥିବା ଗୋପୀନାଥ ନନ୍ଦ ସେତେବେଳେ ଶବ୍ଦତତ୍ତ୍ୱବୋଧ ଅଭିଧାନର ପାଣ୍ଡୁଲିପି ପ୍ରସ୍ତୁତ କରୁଥିଲେ । ପରେ ବିଶ୍ୱନାଥ କରଙ୍କ ପରାମର୍ଶକ୍ରମେ ଉତ୍କଳ ସାହିତ୍ୟ ସମାଜର ୧୯୦୫ ଫେବୃଆରୀର ଦ୍ୱିତୀୟ ଅଧିବେଶନରେ ଏହି ଅଭିଧାନ ବିଷୟ ସଭ୍ୟମାନେ ଆଲୋଚନା କରିଥିଲେ । ପରେ ଅଭିଧାନର କେତେକ ଅଂଶର ପାଣ୍ଡୁଲିପି ସମାଜକୁ ପଠାଯାଇଥିଲା । ୧୯୦୫ ନଭେମ୍ବର ୧୦ ତାରିଖରେ ଉତ୍କଳ ସାହିତ୍ୟ ସମାଜର ଅଧିବେଶନରେ ମୁଦ୍ରଣ ବାବଦରେ ଅଧିକ ଆଲୋଚନା ହୋଇଥିଲା ଓ ସଭ୍ୟମାନେ କିଛି ଅଂଶ ପରିଶୋଧନ କରିଥିଲେ । ତାହା ପରେ ଦୁଇବର୍ଷ ଧରି ଗୋପୀନାଥ ନନ୍ଦ ବିଭିନ୍ନ ରାଜା, ଜମିଦାର ଓ ଅନ୍ୟାନ୍ୟ ଧନୀକମାନଙ୍କୁ ମୁଦ୍ରଣ ପାଇଁ ପାଣ୍ଠି ଅନୁରୋଧ କରିଥିଲେ । କେବଳ ବାମଣ୍ଡାର ରାଜା ୧୦୦ ଟଙ୍କା ଓ ଖଡ଼ିଆଳର ରାଜା ୨୫ ଟଙ୍କା ଦାନ କରିଥିଲେ । ଉତ୍କଳ ସାହିତ୍ୟ ସମାଜ ଅଭିଧାନକାରଙ୍କୁ ଦୁଇଶହ ଗ୍ରାହକ ଯୋଗାଡ଼ କରିପାରିଲେ ସମାଜ ମୁଦ୍ରଣ ଖର୍ଚ୍ଚ ଭରଣା କରିବ ବୋଲି ଜଣାଇଥିଲା । ଅଭିଧାନକାର ନିଜ ଖର୍ଚ୍ଚରେ ବିଭିନ୍ନ ସ୍ଥାନ ବୁଲି ୩୦୦ ଗ୍ରାହକ ଯୋଗାଡ଼ କରିଥିଲେ । ତେବେ ମୁଦ୍ରଣ କାର୍ଯ୍ୟ ଦଶ ବର୍ଷ ଧରି ହୋଇପାରିନଥିଲା । ଉତ୍କଳ ସାହିତ୍ୟ ସମାଜର ପରାମର୍ଶକ୍ରମେ ଏହି ଭିତରେ ସେ ଅନେକ ଓଡ଼ିଆ ରଚନାରେ ବ୍ୟବହୃତ ସଂସ୍କୃତ ଶବ୍ଦସବୁର ଅର୍ଥ ଓ ବ୍ୟୁତ୍ପତି ଅଭିଧାନରେ ଯୋଡ଼ିବାରେ ଲାଗିଲେ । ପରେ ସେ ତତ୍କାଳୀନ ବ୍ରିଟିଶ ସରକାରଙ୍କୁ ମୁଦ୍ରଣରେ ସହଯୋଗ ପାଇଁ ଅନୁରୋଧ କରିଥିଲେ ଓ ମାଡ୍ରାସ, ବିହାର ଓ ଓଡ଼ିଶା ସରକାରଙ୍କଠାରୁ ପାଣ୍ଠି ସଂଗ୍ରହରେ ସଫଳ ହୋଇଥିଲେ । ସରକାର ସହଯୋଗରେ ଏହି ଅଭିଧାନ ଶେଷରେ ୧୯୧୬ରେ ଛପାଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. Mishra, Gopal Chandra (1984). "Oriya Scholarship Past and Present". Indian Literature. 27: 67–73 – via JSTOR.
  2. ୨.୦ ୨.୧ ୨.୨ ରାଓ, ମଧୁସୂଦନ (1916). ଶବ୍ଦତତ୍ତ୍ୱବୋଧ ଅଭିଧାନ (1 ed.). ବ୍ରହ୍ମପୁର: ନଟବର ସାହୁ.
  3. ବାରିକ, ପ୍ରଦୀପ୍ତ କୁମାର (November 2004). "ପାରଳାଖେମୁଣ୍ଡିର ସାହିତ୍ୟିକ ବିଭା ଓ ବିଭବ" (PDF). ଉତ୍କଳ ପ୍ରସଙ୍ଗ: ୫୦-୫୯.
  4. ଦାସ, ଗୌରାଙ୍ଗ ଚରଣ (1985). "ଅଭିଧାନର ଇତିବୃତ୍ତ". କୋଣାର୍କ.
  5. Kanungo, Binode (March 1970). Dictionary Making In Orissa (Speech). CIIL Seminar. ମହୀଶୂର. Retrieved 15 October 2023.