ମାଣିକାଗୋଡ଼ା

ଉଇକିପିଡ଼ିଆ ରୁ
Jump to navigation Jump to search

ମାଣିକାଗୋଡ଼ା ଖୋର୍ଦ୍ଧାର ପଞ୍ଚଗଡ଼ ମଧରୁ ଅନ୍ୟତମ । ଓଡ଼ିଶାର ଗଜପତି ରାମଚନ୍ଦ୍ର ଦେବ (୧୫୬୮-୧୬୦୦) ଖୋର୍ଦ୍ଧାର ୭୧ଟି ଗଡ଼ ବା ଜିଲ୍ଲା ବସାଇଥିଲେ। ଗଡ଼ଗୁଡ଼ିକ ମଧ୍ୟରେ ପଞ୍ଚଗଡ଼ ନାମରେ ଖ୍ୟାତ ମାଣିକାଗୋଡ଼ା, ସଂପୁରଗଡ଼, ବାଙ୍କୋଇଗଡ଼, ମାଣିବନ୍ଧଗଡ଼ ଓ ବୋଲଗଡ଼ ଅନ୍ତର୍ଭୁକ୍ତ ।[୧] ଏହି ୫ଟି ଗଡ଼ ଏକ ସ୍ୱତନ୍ତ୍ର ରାଜଶାସନ ଅନ୍ତର୍ଭୁକ୍ତ ଥିବାରୁ ସେଗୁଡ଼ିକ ପଞ୍ଚଗଡ଼ ନାମରେ ପରିଚିତ । ଏହି ୫ଟି ଗଡ଼କୁ ନେଇ ବର୍ତ୍ତମାନର ବୋଲଗଡ଼ ପଞ୍ଚାୟତ ସମିତି ଗଠିତ । କିନ୍ତୁ ଅତୀତର ଏହି ପଞ୍ଚଗଡ଼ ମଧ୍ୟରେ ମାଣିକାଗୋଡ଼ାର ପ୍ରାଧାନ୍ୟ ଅଧିକ ଥିଲା । ଅନ୍ୟ ଚାରିଗଡ଼ର ଦଳବେହେରାମାନେ ରାଜସ୍ୱ ଆଦାୟ କରି ମାଣିକାଗୁଡ଼ାର ଦଳବେହେରାଙ୍କୁ ପ୍ରଦାନ କରୁଥିଲେ ଏବଂ ମାଣିକାଗୁଡ଼ାର ଦଳବେହେରା ସେସବୁ ନେଇ ଗଜପତି ମହାରାଜାଙ୍କୁ ପ୍ରଦାନ କରୁଥିଲେ। ପ୍ରକାଶ ଥାଉକି, ମାଣିକାଗୁଡ଼ାର ଦଳବେହେରା ଜଣେ ମୁସଲମାନ । ସମଗ୍ର ବୋଲଗଡ଼ ବ୍ଲକରେ ମାଣିକାଗୁଡ଼ାର ଗ୍ରାମ ସର୍ବବୃହତ୍ ଏବଂ ଗୋଟିଏ ଗ୍ରାମ ହୋଇ ମଧ୍ୟ ଏକ ପୂର୍ଣ୍ଣାଙ୍ଗ ପଞ୍ଚାୟତର ମାନ୍ୟତା ପାଇଛି ।

ଐତିହାସିକ ପୃଷ୍ଠଭୂମି[ସମ୍ପାଦନା]

ମାଣିକାଗୁଡ଼ା ପ୍ରତିଷ୍ଠା ସମ୍ବନ୍ଧରେ ଅନେକ ବିବଦମାନ କିମ୍ବଦନ୍ତୀ ଶ୍ରୁତିଗୋଚର ହୁଏ । ଦିବ୍ୟସିଂହ ଦେବଙ୍କ କନିଷ୍ଠ ଭ୍ରାତା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରତ୍ୟେକ ଦିନ ମାଳା ଗୁନ୍ଥନ୍ତି। ଏକଦା ଗୋଟିଏ ମାଳାଅଧିକ ହୋଇଯିବାରୁ ସେ ମାତୃତୁଲ୍ୟା ମହାରାଣୀଙ୍କୁ ଅପର୍ଣ କରିବାକୁ ଗଲେ ଏବଂ ରାଣୀ ଅନ୍ତଃପୁରକୁ ନଯାଇ ଦ୍ୱାର ଦେଶରେ ମାଳା ରଖିଦେଇ ପ୍ରତ୍ୟାବର୍ତ୍ତନ କଲେ । ଏହି ଘଟଣାକୁ ଚୁଗୁଲିଆମାନେ ଏକ କଦର୍ଯ୍ୟ କଳେବର ଦେଇ ମହାରାଜା ଦିବ୍ୟସିଂହ ଦେବଙ୍କ ସନ୍ଦେହ ସୃଷ୍ଟି କରାଇଲେ । ତେଣୁ ଦିବ୍ୟସିଂହ ଦେବ ତାଙ୍କୁ ହତ୍ୟାକରିବା ଉଦ୍ଦେଶ୍ୟରେ ଘାତକମାନଙ୍କ ହସ୍ତରେ ଅର୍ପଣ କଲେ । କିନ୍ତୁ ପ୍ରକୃତରେ ତାଙ୍କୁ ଖୋର୍ଦ୍ଧା ଅଞ୍ଚଳ ପାର କରାଇ ଅନ୍ୟ ରକ୍ତ ନେଇ ଦିବ୍ୟସିଂହ ଦେବଙ୍କୁ ଦେଖାଇଥିଲେ। ଘାତକଦ୍ୱାରା ରକ୍ଷା ପାଇ ଦିବ୍ୟସିଂହ ଦେବଙ୍କ କନିଷ୍ଠ ଭ୍ରାତା ରାଜ୍ୟ ସୀମାପାର ହୋଇ ଏହି ମାଣିକାଗୁଡ଼ା ଅଞ୍ଚଳରେ ପ୍ରବେଶ କଲେ । ସେତେବେଳେ ମାଣିକାଗୁଡ଼ା ଅଞ୍ଚଳ ଅରଣ୍ୟରେ ପରିପୂର୍ଣ୍ଣଥିଲା । ଏହାର ଅଧିବାସୀମାନେ ଥିଲେ କନ୍ଧ ଜାତିର ବନବାସୀ ସଂପ୍ରଦାୟର ଲୋକମାନେ । ଗୋଟିଏ ପାଶ୍ୱର୍ରେ ବୌଦ ରାଜ୍ୟ । ଏହି ଅଞ୍ଚଳ ଉପରେ କାହାରି କର୍ତ୍ତୃତନଥିଲା । ତେଣୁ ସେଠାରେ ଛଦ୍ମ ବେଶରେ ଏକ ସାଧୁ ଭାବରେ ଜୀବନଯାପନ କଲେ । ସେଠାରେ ସେ କେତେ ଦିନ ପରେ ଏକ ଗଡ଼ ସ୍ଥାପନ କରିବାକୁ ଚାହିଁଲେ । ଗଡ଼ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । କିନ୍ତୁ ସବୁ କାନ୍ଥ ଭୁଷୁଡ଼ି ପଡ଼ିଲା । ଏଠାରେ ସୂଚନାଯୋଗ୍ୟ ଯେ ଏ ନିଘଞ୍ଚ ଅଞ୍ଚଳରଅଧିଷ୍ଠାତ୍ରୀଦେବୀ ଭୂୟାଣୀ ଥିଲେ। ତାଙ୍କର ପୂଜକ ଥିଲେଜଣେ କନ୍ଧ । ସେ ଥିଲେ ସର୍ଦ୍ଦାର । ରାତ୍ରରେ ଭୂୟାଣୀ ତା'ର ପୂଜକ କନ୍ଧକୁ ଏକ ନରବଳି ଦେଲେ ଦୁର୍ଗ କାର୍ଯ୍ୟ ସୂଚାରୁ ରୂପେ ସଂପୂର୍ଣ୍ଣ ହେବ ବୋଲି କହିଲେ । କିନ୍ତୁ ନରବଳି କେଉଁଠୁ ପାଇବେ । ଏକଥା କନ୍ଧ ପୂଜକର ଏକମାତ୍ର କନ୍ୟା ମାଣିକ୍ୟ ଏକଥା ଜାଣିପାରିଲା ଓ ନିଜେ ବଳି ଭାବରେ ନିଜକୁ ଉତ୍ସର୍ଗ କରିବାକୁ ସମ୍ମତି ପ୍ରଦାନ କଲା । କିନ୍ତୁ ଗୋଟିଏ ସର୍ତ୍ତରେ - ତା'ର ନାମାନୁସାରେ ଠାକୁରାଣୀଙ୍କ ନାମ ମାଣିକ ଭୂୟାଣୀ ହେବ । ତାହା ହିଁ ହେଲା । ନିର୍ଦ୍ଦିଷ୍ଟ ଦିନରେ ସେ ସ୍ୱୟଂ ନିଜକୁ ବଳିଦାନ କଲା । ସେହିଦିନଠାରୁ ଠାକୁରାଣୀଙ୍କ ନାମ ହେଲା ମାଣିକ ଭୂୟାଣୀ । ଗଡ଼ ନିର୍ମାଣ ସଂପୂର୍ଣ୍ଣ ହେଲା । [୨]


ଯଦି ଏହି ଗଡ଼ର ପ୍ରତିଷ୍ଠାତା ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠ ଭ୍ରାତା ହୋଇଥାନ୍ତି, ତେବେ ଏହାର ପ୍ରତିଷ୍ଠା ସମୟ ଅଷ୍ଟଦଶ ଶତାବ୍ଦୀ ହୋଇପାରେ । କାରଣ ଦିବ୍ୟସିଂହ ଦେବଙ୍କ ଶାସନ କାଳଥିଲା ୧୬୯୩-୧୭୨୦ ଖ୍ରୀଷ୍ଟାବ୍ଦ । କିନ୍ତୁ ରାଜକିଶୋର ପଟ୍ଟନାୟକ ଏହାକୁ ଦ୍ୱାଦଶ ଶତାବ୍ଦୀ ବୋଲି ମତପୋଷଣ କରନ୍ତି । ଗ୍ରାମର ଅନ୍ୟ ବ୍ୟକ୍ତିମାନେ ଏହାକୁ ଅଷ୍ଟମରୁ ନବମ ଶତାବ୍ଦୀ ବୋଲି ମତପୋଷଣ କରନ୍ତି । ଏହା ଦିବ୍ୟସିଂହ ଦେବଙ୍କ ସମସାମୟିକ ବୋଲି ଅନୁମେୟ ହୁଏ । ପରେ ପରେ ରାଜାମାନେ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାହ୍ମଣ, କ୍ଷତ୍ରୀୟ, ପାଇକମାନଙ୍କୁ ଆଣି ଏଠାରେ ରଖାଇଲେ । ମାଣିକ କନ୍ଧୁଣୀର ନାମାନୁସାରେ ଏହି ଗ୍ରାମର ନାମ ହେଲା "ମାଣିକାଗୁଡ଼ା' । ଗୁଡ଼ା ଏକ କନ୍ଧଭାଷା, ଯାହାର ଅର୍ଥ ପଲ୍ଲି। ବର୍ତ୍ତମାନ ମାଣିକାଗୁଡ଼ା ଗ୍ରାମଟି ପ୍ରତ୍ନତାତ୍ତ୍ୱିକ ବିଭବରେ ପରିପୂର୍ଣ୍ଣ । ପ୍ରାଚୀନ ଦୁର୍ଗ ବ୍ୟତୀତ ଗ୍ରାମର ମଧ୍ୟଭାଗରେ ବିରାଜିତ ମା' ଜୋଗମାୟା । ଉତ୍ତରରେ ମାଣିକ ଭୂୟାଣୀ, ଦକ୍ଷିଣରେ ଭଗବତୀ, ପୂର୍ବରେ ସୋମନାଥ ମହାଦେବ, ପଶ୍ଚିମରେ ମହିଷାଶୁଣୀ ।

ମାଣିକାଗୁଡ଼ା ଦୁର୍ଗ[ସମ୍ପାଦନା]

ଦୁର୍ଗଟି ସଂପୂର୍ଣ୍ଣ ରୂପେ ଧ୍ୱଂସ ପାଇଯାଇଛି । ମୂକସାକ୍ଷୀ ରୂପରେ ପାଶ୍ୱର୍ରେ ଗଡ଼ଖାଇ ଥିବାର ସୂଚନା ମିଳେ । ଗଡ଼ ମଧ୍ୟରେ ଦଳବେହେରାଙ୍କ ବାସଭବନ । ସେ ମୁସଲମାନ । ବର୍ତ୍ତମାନ ଦୁର୍ଗର ସିଂହ ଦ୍ୱାର ଭଗ୍ନ ଅବସ୍ଥାରେ ଦଣ୍ଡାୟମାନ ।

ମାଣିକ ଭୂୟାଣୀ[ସମ୍ପାଦନା]

ରାଜାଙ୍କ ଇଷ୍ଟଦେବୀ ମାଣିକ ଭୂୟାଣୀ । ପୂର୍ବରୁ ତାଙ୍କ ନାମଥିଲା ଭୂୟାଣୀ କେହି କେହି ଭୂୟାଂ ବୋଲି ମତପୋଷଣ କରନ୍ତି । ମାଣିକ ଭୂୟାଣୀ ଗ୍ରାମର ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଆରାଧ୍ୟା ଦେବୀ । ପ୍ରଥମେ ଦେବୀ ଏକ ଚାଳ ଘରେ ପୂଜା ପାଇଥିଲେ । ପ୍ରାୟ ୨/୩ ବର୍ଷ ହେବ ଗ୍ରାମବାସୀଙ୍କ ଉଦ୍ୟମରେ ଏକ ମନ୍ଦିର ନିର୍ମାଣ କରାଯାଇଛି । ମନ୍ଦିରକୁ ଲାଗି ମାଣିକ ସାଗର । ସାଗର ଶବ୍ଦରୁ ଜଣାଯାଏ ଯେ ଏହା ରାଜ ପ୍ରତିଷ୍ଠିତ । କାରଣ ରାଜାମାନଙ୍କଦ୍ୱାରା ଖନନ କରାଯାଇଥିବା ପୁଷ୍କରିଣୀମାନ ସାଗର ନାମରେ ଅଭିହିତା । ଏହି ସାଗର ଦୁର୍ଗ ନିର୍ମାଣ ସମୟରେ ଖନନ ହୋଇଥିଲା ।[୨] ମାଣିକ ଭୂୟାଣୀଙ୍କ ପ୍ରତୀକ ଏକ କାଷ୍ଠ ଦଣ୍ଡ ବା ଖମ୍ବ । ଏହା ହିଁ ଏହାର ଆଦିମତାର ପରିଚାୟକ । କାରଣ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆରାଧ୍ୟା ଦେବୀ ଖମ୍ବେଶ୍ୱରୀ । ମାଣିକ ଭୂୟାଣୀଙ୍କୁ ଲୋକେ କାଠ ଖୁଣ୍ଟିଆ ଦେବତା ବୋଲି କହିଥାନ୍ତି । ଠାକୁରାଣୀଙ୍କର ବର୍ତ୍ତମାନ ପୂଜକଙ୍କୁ ଲୋକେ ଜାନୀ କନ୍ଧ ବୋଲି କହିଥାନ୍ତି ।

ଯୋଗମାୟା[ସମ୍ପାଦନା]

ଗ୍ରାମର ମଧ୍ୟଭାଗରେ ମା' ଯୋଗମାୟାଙ୍କର ପୀଠ । ସେ ଏକ ବ୍ୟକ୍ତିଗତ ଦେବୀ ହେଲେ ମଧ୍ୟ ସର୍ବସାଧାରଣ ତାଙ୍କୁ ପୂଜା କରନ୍ତି । ଦେବୀଙ୍କର ବିଗ୍ରହ ପ୍ରସ୍ତରରେ ନିର୍ମିତ ।

ମହିଷାଶୁଣୀ[ସମ୍ପାଦନା]

ଗ୍ରାମର ପଶ୍ଚିମ ଦିଗରେ ମା' ମହିଷାଶୁଣୀଙ୍କ ପୀଠ ଦେବୀଙ୍କର ବିଗ୍ରହ ପ୍ରସ୍ତରରେ ନିର୍ମିତ । ଶାନ୍ତ ଏବଂ ଅଭୟ ବରଦାୟିନୀ । ସେ ମଧ୍ୟ ଏକ କନ୍ଧ ପୂଜିତା ଦେବୀ । ପୂଜକ ତୁମାଳ ଗଉଡ଼ ନାମକ ଏକ କନ୍ଧ ସଂପ୍ରଦାୟର ଜାତି । ଏଠାରେ ସୂଚନାଯୋଗ୍ୟ ଯେ ତୁମାଳ ମାନେ ପଶ୍ଚିମ ଓଡ଼ିଶାରେ ଏକ ପ୍ରମୁଖ ଆଦିବାସୀ କନ୍ଧ ସଂପ୍ରଦାୟର ଜାତି । ବର୍ତ୍ତମାନ ପୂଜକ ସାରଙ୍ଗ ଦେହୁରୀ କହନ୍ତି ଦେବୀ ଗଞ୍ଜାମ ଜିଲ୍ଲା ତିରିଗୋଚ୍ଛା ଜଙ୍ଗଲରେ ଥିଲେ। ତାଙ୍କର ଜଣେ ସଂପର୍କୀୟ ସେହି ଜଙ୍ଗଲ ରାସ୍ତା ଦେଇ ଆସୁଥିବା ସମୟରେ ଠାକୁରାଣୀ ଏକ ଝିଅ ରୂପରେ କଳାଶାଢ଼ୀ ପିନ୍ଧି ତାଙ୍କ ସହିତ ଆସି ଘରେ ପହଞ୍ଚିଅନ୍ତର୍ଦ୍ଧାନ ହୋଇଯାଇଥିଲେ। ସେହିଦିନଠାରୁ ସେ ଏଠାରେ ପୂଜା ପାଉଛନ୍ତି ଓ ତାଙ୍କ ପୂଜକ ସେହି ଦେହୁରୀ ସାଜ୍ଞାଧାରୀ ଡୁମାଳ ଗଉଡ଼ ପୂଜା କରୁଛନ୍ତି ।

ଭଗବତୀ[ସମ୍ପାଦନା]

ଗ୍ରାମର ଦକ୍ଷିଣ ପାଶ୍ୱର୍ରେ ମା' ଭଗବତୀଙ୍କ ପୀଠ ମନ୍ଦିରର ଅବସ୍ଥା ଅତି ଜୀର୍ଣ୍ଣଶୀର୍ଣ୍ଣ । ଏହା ଏକ ଚାଳ ଘର ।

କନକ ଦୁର୍ଗା[ସମ୍ପାଦନା]

କନକ ଦୁର୍ଗା ରାଜାଙ୍କର ଗୃହ ଦେବୀ । ଖଡ଼ ଦେବୀ ମାଣିକ ଭୂୟାଣୀ । କନକ ଦୁ ର୍ଗା ବତ୍ତର୍ମାନ ଦିବ୍ୟସିଂହପୁର ଶାସନରେ ପ୍ରତିଷ୍ଠିତ ।

ସୋମନାଥ[ସମ୍ପାଦନା]

ପୂର୍ବ ପାଶ୍ୱର୍ରେ ବିଜେ ବାବା ସୋମନାଥ ମହାଦେବ ମନ୍ଦିର, ଜଗମୋହନ ଓ ମୁଖଶାଳା ମଣ୍ଡିତ ଏହା ଏକ ସୁନ୍ଦର ପରିକଳ୍ପନା । ମନ୍ଦିର ବେଢ଼ା ମଧ୍ୟରେ ଅନେକ ଭଗ୍ନ ବିଗ୍ରହ ଶୋଭା ପାଉଥିବାର ଦୃଷ୍ଟିଗୋଚର ହୁଏ । ସେମଧ୍ୟରୁ ନୃତ୍ୟ ଭଙ୍ଗୀରେ ଦଣ୍ଡାୟମାନ ଗଣେଶଙ୍କ ବିଗ୍ରହ ଅତ୍ୟନ୍ତ ମନୋରମା କିନ୍ତୁ ବିଗ୍ରହର ଅବୟବ ସବୁ ଭଗ୍ନ ହୋଇଯାଇଛି । ଅନ୍ୟ ଏକ ବିଗ୍ରହକୁ ଲୋକେ ସାବିତ୍ରୀ ସତ୍ୟବାନଙ୍କ ବିଗ୍ରହ ବୋଲି କହୁଛନ୍ତି । କିନ୍ତୁ ଏହା ସାବିତ୍ରୀ ସତ୍ୟବାନଙ୍କର ନୁହେଁ । ସୋମନାଥଙ୍କୁ ଲୋକେ ଭକ୍ତିରେ ବୁଢ଼ା ସୋମନାଥ ବୋଲି କହିଥାନ୍ତି । ଅନୁମାନ କରାଯାଏ ୬୧୭ରୁ ୬୩୧ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ନିର୍ମିତ ହୋଇଥିଲା । ସୋମନାଥ ଦେବଙ୍କ ପୂଜା ପାଇଁ ଖୋର୍ଦ୍ଧା ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ନିଷ୍କର ଜମି ୩୦ ବାଟି ଦାନ କରିଥିବା ଲୋକେ କହନ୍ତି । କେହି କେହି ମତପୋଷଣ କରନ୍ତି, ଦିବ୍ୟସିଂହ ଦେବ ଏହି ମାଣିକାଗୋଡ଼ା ଦୁର୍ଗ ପତ୍ରିଷ୍ଠା କରିଥିଲେ ଓ ଦିବ୍ୟସିଂହପରୁ ଶାସନ ମଧ୍ୟରେ ବସାଇଥିଲେ। ପ୍ରତିବର୍ଷ ଦଶହରା ଦିନ ସୋମନାଥଙ୍କ ପୀଠରେ ଯେଉଁ ଅପରାଜିତା ହୋମ ହୋଇଥାଏ । ତାହା ସଂପୂର୍ଣ୍ଣ କରିଥାନ୍ତି ଜଣେ ମୁସଲମାନ । ଏହା ବିବଦମାନ ଯେ ପ୍ରକୃତରେ ମାଣିକାଗୋଡ଼ା ଦୁର୍ଗ ଦିବସିଂହ ଦେବ ପ୍ରତିଷ୍ଠା କରିଥିଲେ କି, ତାଙ୍କ କନିଷ୍ଠ ଭ୍ରାତା ପ୍ରତିଷ୍ଠା କରିଥିଲେ କିମ୍ବା କୌଣସି ରାଜାଙ୍କ କନିଷ୍ଠ ଭ୍ରାତାଙ୍କ ନାମଥିଲା ଦିବ୍ୟସିଂହ ।

ଫୁଟାଲିଙ୍ଗ[ସମ୍ପାଦନା]

ସୋମନାଥଙ୍କ ପୀଠ ପୂର୍ବରୁ ତଥା ଗ୍ରାମର ଉପକଣ୍ଠରେ ଧାନ କ୍ଷେତକୁ ଲାଗି ମୁକ୍ତ ଆକାଶ ତଳେ ଫୁଟାଲିଙ୍ଗଙ୍କ ପୀଠ ।

ମସଜିଦ[ସମ୍ପାଦନା]

ମାଣିକାଗୁଡ଼ାରେ ଉଭୟ ହିନ୍ଦୁ ଓ ମୁସଲମାନ ଏକତ୍ର ବାସ କରନ୍ତି । ତେଣୁ ମୁସଲମାନମାନଙ୍କ ଲାଗି ଦୁଇଗୋଟି ମସଜିଦ ଦେଖାଯାଏ । ପ୍ରଥମଟି ମାଣିକ ଭୂୟାଣୀଙ୍କ ମନ୍ଦିରକୁ ଲାଗି । ଏହା ପ୍ରାୟ ୨୦ ବର୍ଷ ହେବ ନିର୍ମାଣ କରାଯାଇଛି । ଦ୍ୱିତୀୟ ମସଜିଦଏକ ପୁରାତନ ମସଜିଦ। ଏହା ୧୦୦ ବର୍ଷରୁ ଉର୍ଦ୍ଧ୍ୱ । ଏହାର ନାମ ତହିତାଲ ମସଜିଦ। ଏହାବ୍ୟତୀତ ଗ୍ରାମରେ ଗୋଟିଏ ବ୍ୟକ୍ତିଗତ ମନ୍ଦିର ଦେଖାଯାଏ । ତାହା ରାଧାକାନ୍ତ ମନ୍ଦିର କିନ୍ତୁ କୌଣସି ରାଜ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଦେଖାଯାଏ ନାହିଁ । କେବଳ ସୋମନାଥ ଦେବଙ୍କ ମନ୍ଦିର ବ୍ୟତୀତ ଅନ୍ୟ ସମସ୍ତ ମନ୍ଦିର ଅବସ୍ଥା ଜରାଦୀର୍ଣ୍ଣ । ମହିଷାଶୁଣୀ ଓ ମାଣିକାଭୟାଣୀ ମନ୍ଦିର ଏବେ ନିର୍ମିତ । ଏଗୁଡ଼ିକ ମଧ୍ୟ ଚାଳ ଘରଥିଲା ।

ଦଶହରା[ସମ୍ପାଦନା]

ମାଣିକାଗୁଡ଼ାରେ ପାଳିତହେଉଥିବା ଦଶହରା ପର୍ବ, ଓଡ଼ିଶାର ସମସ୍ତ ଅଞ୍ଚଳଠାରୁ ପୃଥକ ତଥା ସତ୍ୱନ୍ତ୍ର । ଏହା ହିନ୍ଦୁ ଓ ମୁସଲମାନଙ୍କର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଶ୍ରଣ । ଏହା ପ୍ରାଚୀନ କାଳରୁ ରାଜବଂଶର ପରମ୍ପରା ବହନ କରିଆସୁଛି । ଦଶହରା ଦିନ ଭଗବତୀଙ୍କ ପୀଠକୁ ସମସ୍ତ ଦେବୀ ନିମନ୍ତ୍ରିତ ହୋଇଆସନ୍ତି । ଦିବ୍ୟସିଂହପୁର ଶାସନରୁ ଆସନ୍ତି କନକ ଦୁର୍ଗା । ମାଣିକଭୂୟାଣୀର ମନ୍ଦିରରୁ ଆସନ୍ତି ଦେବୀଙ୍କର ପ୍ରତୀକ କାଷ୍ଠଦଣ୍ଡ । ମହିଷାଶୁଣୀ ମନ୍ଦିରରୁ ଆସନ୍ତି ଦେବୀଙ୍କ ପ୍ରତୀକ ଏକ ବିଶାଳ କଟାରୀ, ଯାହାର ଲମ୍ବ ପ୍ରାୟ ୪ ଫୁଟ ଓ ଓଜନ ପ୍ରାୟ ୧୦ କେ.ଜି.ରୁ ଉର୍ଦ୍ଧ୍ୱ ହେବ । ରାଜକରଣଙ୍କ ଘରୁ ଆସେ ଲେଖନୀ ଓ ତାଳପତ୍ର ।[୨] ଦଳବେହେରାଙ୍କ ଘରୁ ଆସେ ଖଣ୍ଡା । ଏଠାରେ ସୂଚନାଯୋଗ୍ୟ ଯେ ଏହି ସମାରୋହରେ ମୁଖ୍ୟ ପୁରୋଧା ହୁଅନ୍ତି ରାଜାଙ୍କର ଆତ୍ମ ରକ୍ଷକ । ଦଳବେହେରା ସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସେ ବହନ କରିଥାନ୍ତି । ବିଜୟା ଦଶମୀ ଦିନ ମାଣିକ ଭୂୟାଣୀଙ୍କ ବିଜେ ପ୍ରତିମା ଆସିଲାବେଳେ ମୁସଲମାନ ଦଳବେହେରାଙ୍କ ଦ୍ୱାରରେ ଧୂପ ଦୀପ ନୈବେଦ୍ୟରେ ପୂଜା ପାଇଥାନ୍ତି । ତାପରେ ଦଳବେହେରା ପାଇକମାନଙ୍କ ଗହଣରେ ପୂଜା ମଣ୍ଡପକୁ ଆସନ୍ତି । ଉପସ୍ଥିତ ସମସ୍ତ ହିନ୍ଦୁ ଓ ମୁସଲମାନ ଏହି ଅପୂର୍ବ ଦୃଶ୍ୟକୁ ଉପଭୋଗ କରନ୍ତି । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଗ୍ରାମର ୧୩ଟି ଜାତିର ଲୋକ ଏଥିରେ ଯୋଗଦାନ କରନ୍ତି । ଯଥା- ତୁମାଳ (ଡମାଳ), ଖଉଡ଼ (ମହିଷାଶୁଣୀଙ୍କ ପୂଜକ), କନ୍ଧଜାନୀ (ମାଣିକ ଭୂୟାଣୀଙ୍କ ପୂଜକ), ଭଣ୍ଡାରୀ, ଧୋବା, ହାଡ଼ି, ବେହେରା, ପାଇକ, କରଣ, ମୁସଲମାନ, ଦଳବେହେରା, ଭୋଇ, ମାଳି, ବ୍ରାହ୍ମଣ ଏବଂ ପାଣ । ସମସ୍ତଙ୍କର ଏହି ପୂଜାରେ କିଛି ନା କିଛି ଭୂମିକା ଥାଏ । [୨]

ପାଇକ ପରମ୍ପରା[ସମ୍ପାଦନା]

ବୀର ମାଟି ଖୋର୍ଦ୍ଧା ଓ ବୀରମାଟି ମାଣିକାଗୋଡ଼ା । ପାଇକ ସମ୍ପ୍ରଦାୟର ସମସ୍ତ ପରିବାରରେ ଅସ୍ତ୍ରଶସ୍ତ୍ର ଏବେ ମଧ୍ୟ ଅଛି । କିଛି ବର୍ଷ ପୂର୍ବେ ରାଜକରଣ ରାଜକିଶୋର ପଟ୍ଟନାୟକ ତାଙ୍କ ବାଡ଼ିର ଏକ ପୁରୁଣା ତେନ୍ତୁଳି ଗଛ ହାଣିଲା ପରେ, ତା'ର କୋଟରରୁ ୯ ଗୋଟି ଖଣ୍ଡାର ସନ୍ଧାନ ପାଇଥିଲେ । କିଛି ପୂଜା ପାଉଥିବା ଖଡ୍ଗ, ଜଣେ ସାଧାରଣ ମଣିଷଦ୍ୱାରା ଆୟତ୍ତ କରିବା ତ ଦୂରର କଥା ତଳୁ ଟେକିବା ଆୟାସ ସାଧ୍ୟ । ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ, ଅସ୍ତ୍ରଶସ୍ତ୍ର ଚାଳନା ତଥା ଯୁଦ୍ଧବିଦ୍ୟାରେ ମାଣିକାଗୋଡ଼ାର ପାଇକମାନେ କେତେ ଧୁରନ୍ଦର ଥିଲେ।

ଆଧାର[ସମ୍ପାଦନା]

  1. Pattanaik, Sibasundar. "Manikagoda : The Village of Gandhi's Dream" (PDF). Retrieved 21 June 2016.
  2. ୨.୦ ୨.୧ ୨.୨ ୨.୩ "A different Dussehra". The Telegraph. Retrieved 21 June 2016.

ବାହାର ତଥ୍ୟ[ସମ୍ପାଦନା]