ବାନ୍ଦିପୁର ଜାତୀୟ ଉଦ୍ୟାନ

ଉଇକିପିଡ଼ିଆ ରୁ
Jump to navigation Jump to search
ବାନ୍ଦୀପୁର ‍‌‍‍‍‌ବ୍ୟାଘ୍ର ଅଭୟାରଣ୍ୟ
ବାନ୍ଦୀପୁର ଜାତୀୟ ଉଦ୍ୟାନ
IUCN Category II (National Park)
Prince in the Jungle.jpg
ବାନ୍ଦୀପୁର ଜଙ୍ଗଲର ଏକ ଅଣ୍ଡିରା ବାଘ
Map showing the location of ବାନ୍ଦୀପୁର ‍‌‍‍‍‌ବ୍ୟାଘ୍ର ଅଭୟାରଣ୍ୟ ବାନ୍ଦୀପୁର ଜାତୀୟ ଉଦ୍ୟାନ.
Map showing the location of ବାନ୍ଦୀପୁର ‍‌‍‍‍‌ବ୍ୟାଘ୍ର ଅଭୟାରଣ୍ୟ ବାନ୍ଦୀପୁର ଜାତୀୟ ଉଦ୍ୟାନ.
ଅବସ୍ଥାନଚାମରାଜନଗର ଜିଲ୍ଲା, କର୍ଣ୍ଣାଟକ, ଭାରତ
ପାଖ ସହରଚାମରାଜନଗର (୫୦ କି.ମି.), ମହୀଶୂର (୮୦ କି.ମି.)
ଦିଗବାରେଣି11°39′42″N 76°37′38″E / 11.66167°N 76.62722°E / 11.66167; 76.62722Coordinates: 11°39′42″N 76°37′38″E / 11.66167°N 76.62722°E / 11.66167; 76.62722
ସ୍ଥାପିତ୧୯୭୪
ପରିଚାଳନାପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ, କର୍ଣ୍ଣାଟକ ଜଙ୍ଗଲ ବିଭାଗ
[bandipurtigerreserve.in Official website]

ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ବା ବାନ୍ଦୀପୁର ଜାତୀୟ ଉଦ୍ୟାନ ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟରେ ସ୍ଥିତ ଏକ ଜାତୀୟ ଉଦ୍ୟାନ । କର୍ଣ୍ଣାଟକର ବାଘସଂଖ୍ୟା ଭାରତର ଅନ୍ୟ ସବୁ ରାଜ୍ୟଙ୍କ ମଧ୍ୟରେ ସର୍ବାଧିକ । ୧୯୭୪ ମସିହାରେ ବ୍ୟାଘ୍ର ପରିଯୋଜନା / ବ୍ୟାଘ୍ର ପ୍ରକଳ୍ପଦ୍ୱାରା ଏହାକୁ ଏକ ବାଘ ଅଭୟାରଣ୍ୟ ବୋଲି ଘୋଷିତ କରାଯାଇଥିଲା । ନାଗାରହୋଳେ ଜାତୀୟ ଉଦ୍ୟାନର ପାର୍ଶ୍ୱରେ ରହିଥିବା ଏହା ଭାରତର ଏକ ଶ୍ରେଷ୍ଠ ବାଘ ଅଭୟାରଣ୍ୟଙ୍କ ମଧ୍ୟରୁ ଗୋଟିଏ । ପୂର୍ବେ ଏହି ଜଙ୍ଗଲ ମହୀଶୂର ରାଜାମାନଙ୍କ ଶିକାର ଜଙ୍ଗଲ ଥିଲା କିନ୍ତୁ ବର୍ତ୍ତମାନ ଏହା ଏକ ଅଭୟାରଣ୍ୟରେ ପରିଣତ ହୋଇଛି ।[୧] ବାନ୍ଦୀପୁରରେ ବିଭିନ୍ନ ପ୍ରକାରର ଗଛ ଥିଲେ ମଧ୍ୟ ଏଠାରେ ମୁଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ପର୍ଣ୍ଣମୋଚୀ ଅରଣ୍ୟ ଦୃଶ୍ୟମାନ ହୋଇଥାଏ ।

୮୭୪ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ ବାନ୍ଦୀପୁର ଜାତୀୟ ଉଦ୍ୟାନ ସଂରକ୍ଷଣ ଦୃଷ୍ଟିରୁ ସଙ୍କଟାପନ୍ନ ଅବସ୍ଥାରେ ଥିବା ବିଭିନ୍ନ ଭାରତୀୟ ଜୀବଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରଦାନ କରିଥାଏ । ବାନ୍ଦୀପୁର, ନାଗାରହୋଳେ ଜାତୀୟ ଉଦ୍ୟାନ (୬୪୩ ବର୍ଗ କି.ମି.), ମୁଦୁମଲୈ ଜାତୀୟ ଉଦ୍ୟାନ (୩୨୦ ବର୍ଗ କି.ମି.) ଓ ୱାୟନାଡ଼୍ ବନ୍ୟଜୀବ ଅଭୟାରଣ୍ୟକୁ (୩୪୪ ବର୍ଗ କି.ମି.) ମିଶାଇ ଗଠିତ ନୀଳଗିରି ସଂରକ୍ଷିତ ଜୈବଗୋଲକ (୨୧୩୮ ବର୍ଗ କି.ମି.) ଦକ୍ଷିଣ ଭାରତର ସର୍ବବୃହତ ସଂରକ୍ଷିତ ଅଞ୍ଚଳ । ଏହା ଦକ୍ଷିଣ ଏସିଆର ସର୍ବବୃହତ ପ୍ରାକୃତିକ ହାତୀ ଅଧିବାସ ମଧ୍ୟ ।

ଚାମରାଜନଗର ଜିଲ୍ଲାର ଗୁଣ୍ଡଲୁପେଟ୍ ତାଲୁକ୍‍ରେ ଅବସ୍ଥିତ ବାନ୍ଦୀପୁର ମହୀଶୂରରୁ ଉତ୍‍କାମଣ୍ଡ ଗଲାବେଳେ ମହୀଶୂରରୁ ୮୦ କିଲୋମିଟର୍ ଦୂରରେ ପଡ଼େ ।[୨] ଉତ୍‍କାମଣ୍ଡ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ବାନ୍ଦୀପୁର ଦେଇ ପ୍ରତିଦିନ ବହୁସଂଖ୍ୟକ ଗାଡ଼ି ମୋଟର ଯିବା ଆସିବା କରନ୍ତି । ତେଣୁ ବେଗରେ ଯାଉଥିବା ଗାଡ଼ି ସହିତ ଧକ୍କା ଖାଇ ବନ୍ୟପ୍ରାଣୀ ଆହତ ହେବା ପ୍ରତିବର୍ଷ ଶୁଣିବାକୁ ମିଳେ ।[୩] ବନ୍ୟପ୍ରାଣୀଙ୍କ ମୃତ୍ୟୁହାର ବଢ଼ିବାରୁ ରାତି ୯ଟା ପରଠାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ମଧ୍ୟ ଦେଇ ଗାଡ଼ି ଚଳାଚଳ ଉପରେ ନିଷେଧାଦେଶ ଜାରୀ କରାଯାଇଛି ।[୪] ରାତି ୯ଟା ପରେ କର୍ଣ୍ଣାଟକ ପଟେ ବାନ୍ଦୀପୁର ଓ ତାମିଲନାଡୁ ପଟେ ମୁଦୁମଲୈ ଜାତୀୟ ଉଦ୍ୟାନର ଫାଟକ ବନ୍ଦ କରିଦିଆଯାଏ । ତେଣୁ ଉତ୍‍କାମଣ୍ଡ ଓ ମହୀଶୂର ମଧ୍ୟରେ ଯିବା ଆସିବା କରୁଥିବା ଗାଡ଼ିଗୁଡ଼ିକ ଧାଡ଼ି କରି ସକାଳ ୬ଟା ପର୍ଯ୍ୟନ୍ତ ଜଗି ରୁହନ୍ତି । ସକାଳ ହେଲେ ଫାଟକ ଖୋଲେ ଓ ଦୁଇ ପଟରୁ ଗାଡ଼ି ଚଳାଚଳ ହୁଏ ।

ଇତିହାସ[ସମ୍ପାଦନା]

ମହୀଶୂରର ମହାରାଜା ୧୯୩୧ ମସିହାରେ ୯୦ ବର୍ଗ କିଲୋମିଟର୍ ପରିମିତ ଏକ ଶିକାର ଅଭୟାରଣ୍ୟ ସ୍ଥାପନ କରିଥିଲେ । ସେତେବେଳେ ଏହାର ନାମ ଥିଲା ଭେଣୁଗୋପାଳ ବନ୍ୟପ୍ରାଣୀ ଉଦ୍ୟାନ । ବ୍ୟାଘ୍ର ପରିଯୋଜନା ଅନୁସାରେ ୧୯୭୩ ମସିହାରେ ଭେଣୁଗୋପାଳ ବନ୍ୟପ୍ରାଣୀ ଉଦ୍ୟାନ ସହିତ ଆଉ ୮୦୦ ବର୍ଗ କିଲୋମିଟର୍ ଅରଣ୍ୟ ମିଶାଯାଇ ବାନ୍ଦୀପୁର ବ୍ୟାଘ୍ର ଅଭୟାରଣ୍ୟ ପ୍ରତିଷ୍ଠା କରାଗଲା ।[୫]

ଭୂଗୋଳ[ସମ୍ପାଦନା]

ମୋୟାର୍ ପାର୍ବତୀୟ ଗଣ୍ଡ, ପୃଷ୍ଠଭୂମିରେ ନୀଳଗିରି ଦୃଶ୍ୟମାନ

୭୫° ୧୨’ ୧୭" ପୂର୍ବରୁ ୭୬° ୫୧’ ୩୨" ପୂର୍ବ ଦ୍ରାଘିମା ଏବଂ ୧୧° ୩୫’ ୩୪" ଉତ୍ତରରୁ ୧୧° ୫୭’ ୦୨" ଉତ୍ତର ଅକ୍ଷାଂଶ ମଧ୍ୟରେ ବାନ୍ଦୀପୁର ଜାତୀୟ ଉଦ୍ୟାନ ଅବସ୍ଥିତ । ଏହିଠାରେ ଡେକାନ୍ ମାଳଭୂମି ପଶ୍ଚିମଘାଟ ପର୍ବତମାଳା ସହିତ ମିଳିତ ହୁଏ । ଜାତୀୟ ଉଦ୍ୟାନର ସର୍ବନିମ୍ନ ଓ ସର୍ବୋଚ୍ଚ ସ୍ଥାନ ସମୁଦ୍ର ପତନଠାରୁ ଯଥାକ୍ରମେ ୬୮୦ ମିଟର୍ ଓ ୧୪୫୪ ମିଟର୍ ଉଚ୍ଚତାରେ ରହିଛନ୍ତି । ଭୌଗୋଳିକ ପୃଷ୍ଠଭୂମିର ଏପରି ବିବିଧତା ଯୋଗୁଁ ଏଠାକାର ଉଦ୍ଭିଦ ଓ ଜୈବ ବିବିଧତାରେ ଏକ ସ୍ୱାତନ୍ତ୍ର୍ୟ ରହିଛି । ଏଠାରେ କ୍ରାନ୍ତୀୟ-ଉପକ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ, ତୃଣଭୂମି, ସାଭାନ୍ନା ଓ ବୁଦା ଜଙ୍ଗଲ ଦେଖିବାକୁ ମିଳେ । ଏଠାକାର ଜଙ୍ଗଲ ଅଧିସ୍ଥାନ ବହୁ ପ୍ରଜାତିର ଜୀବଙ୍କ ବିକାଶରେ ସହାୟକ ହୁଏ । ଜାତୀୟ ଉଦ୍ୟାନର ଉତ୍ତର ପଟେ କବିନୀ ନଦୀ ଓ ଦକ୍ଷିଣ ପଟେ ମୋୟାର୍ ନଦୀ ବହିଯାଇଛନ୍ତି । ଜାତୀୟ ଉଦ୍ୟାନ ମଝି ଭାଗରେ ନୁଗୁ ନଦୀ ପ୍ରବାହିତ ହେଉଛି । ଜାତୀୟ ଉଦ୍ୟାନର ଉଚ୍ଚତମ ସ୍ଥାନ ଯେଉଁ ପାହାଡ଼ ଉପରେ ରହିଛି ସେଇଟି “ହିମାବତ ଗୋପାଳସ୍ୱାମୀ ବେଟ୍ଟା” ନାମରେ ପରିଚିତ । ଏହି ପାହାଡ଼ର ଶିଖରରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଟିଏ ମଧ୍ୟ ରହିଛି । ବାନ୍ଦୀପୁରର ଜଳବାୟୁ କ୍ରାନ୍ତୀୟ ଓ ଏହାର ଶୁଷ୍କ ଏବଂ ଆର୍ଦ୍ର ଋତୁ ଭିନ୍ନ ଭିନ୍ନ ସମୟରେ ଅନୁଭୂତ ହୁଏ । ଶୁଷ୍କ ଓ ଗ୍ରୀଷ୍ମ ସମୟ ମାର୍ଚ୍ଚ୍ ମାସରେ ଆରମ୍ଭ ହୁଏ ଏବଂ ଜୁନ୍ ମାସରେ ମୌସୁମୀ ପ୍ରବାହ ଆରମ୍ଭ ହେବା ଯାଏଁ ରହିଥାଏ ।

ଜୀବଜଗତ ଓ ପରିବେଶ[ସମ୍ପାଦନା]

ଅନେକ ବିରଳ, ଲପ୍ତପ୍ରାୟ ଓ ସଙ୍କଟାପନ୍ନ ଶ୍ରେଣୀର ଜୀବ ଓ ଉଦ୍ଭିଦ ବାନ୍ଦୀପୁର ଜାତୀୟ ଉଦ୍ୟାନର ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳନ୍ତି ।

ଉଦ୍ଭିଦ[ସମ୍ପାଦନା]

ବାନ୍ଦୀପୁରରେ ଦେଖାଯାଉଥିବା ମୁଖ୍ୟ ଗଛଗୁଡ଼ିକ ହେଲା – ଶାଗୁଆନ (Tectona grandis), ଶେଶମ୍ ବା ଶିଶୁ (Dalbergia latifolia), ଚନ୍ଦନ (Santalum album), ଅସନ (Terminalia tomentosa), ପିଆଶାଳ (Pterocarpus marsupium), ବାଉଁଶ (Dendrocalamus strictusBambusa arundinacea) ଧାମନ ଗଛ (ଧନୁ ବୃକ୍ଷ) ।

ଫୁଲ ଫଳ ଲାଗୁଥିବା ଆହୁରି ଅନେକ ପ୍ରଜାତିର ଗଛ ଓ ବୁଦା ଉଦ୍ୟାନ ମଧ୍ୟରେ ଦେଖାଯାନ୍ତି । ସେଗୁଡ଼ିକ ହେଲେ – କଦମ୍ବ ଗଛ (Adina cordifolia), ଅଁଳା (Emblica officinalis), ସିଦ୍ଧେଶ୍ୱର ଫୁଲଗଛ (Lagerstroemia lanceolata), ଧବଡ଼ (Anogeissus latifolia), ହରିଡ଼ା (Terminalia chebula), କୁସୁମୀ (Schleichera trijuga), ଇନ୍ଦ୍ରମୟୀ (Odina wodiar), ପଳାଶ ଫୁଲ (Butea monosperma), ସୁନେରି ଗଛ (Cassia fistula), ଭେରୁ ଗଛ (Chloroxylon swietenia), ଆକାଶିଆ (Acacia catechu), ଲାଖ (Shorea roxburghii) ଏବଂ ଇଣ୍ଡିଗୋ-କୋଳି ଗଛ (Randia uliginosa) ।


ବନ୍ୟଜୀବ[ସମ୍ପାଦନା]

ବାନ୍ଦୀପୁର ଅଭୟାରଣ୍ୟରେ “Endangered” ଓ “Vulnerable” ଶ୍ରେଣୀର ଅନେକ ପ୍ରାଣୀ ଯଥା – ହାତୀ, ମହାବଳ ବାଘ, ବନ୍ୟ ଗୟଳ, ଭାଲୁ, ଗୋମୁହାଁ କୁମ୍ଭୀର, ଅଜଗର ସାପ, ଚୌଶିଂଘା ହରିଣ, କୋକିଶିଆଳୀ ଏବଂ ବଳିଆ କୁକୁର ଇତ୍ୟାଦି ଦେଖିହେବ ।

ସ୍ତନ୍ୟପାୟୀ[ସମ୍ପାଦନା]

ବାନ୍ଦୀପୁର ଜାତୀୟ ଉଦ୍ୟାନର କବିନୀ ନଦୀ କୂଳରେ ରହୁଥିବା ଏକ ସୁବର୍ଣ୍ଣ ଶିଆଳ ପରିବାର
ବାନ୍ଦୀପୁର ଜାତୀୟ ଉଦ୍ୟାନର ଏକ ଦ୍ୱିରୂପୀ ଛଞ୍ଚାଣ (Changeable hawk-eagle)
କବିନୀ ନଦୀ କୂଳରେ ବାଉଁଶ ବୁଦା ଉପରେ ଏକ ମାଛରଙ୍କା ବସିଛି
ବି-ଇଟର୍ ଚଢ଼େଇ


ଜଙ୍ଗଲ ମଧ୍ୟଦେଇ ବୁଲି ବାହାରିଲେ ଯେଉଁ ସବୁ ସ୍ତନ୍ୟପାୟୀ ଜୀବଙ୍କ ସହ ଭେଟ ହୁଏ ସେମାନେ ହେଲେ – ଚିତଲ୍ ହରିଣ, ହନୁ ମାଙ୍କଡ଼, ନେପାଳୀ ମୂଷା, ହାତୀ । ଜାତୀୟ ଉଦ୍ୟାନରେ ରହିଥିବା ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂଖ୍ୟାର ଏକ ମୋଟାମୋଟି ପରିସଂଖ୍ୟାନ ୧୯୯୭ ମସିହାରେ ପ୍ରକାଶ ପାଇଥିଲା :

ସ୍ତନ୍ୟପାୟୀ ପ୍ରଜାତି ୧୯୯୧ ୧୯୯୩ ୧୯୯୫ ୧୯୯୭
ମହାବଳ ବାଘ ୫୮ ୬୬ ୭୪ ୭୫
କଲରାପତରିଆ ବାଘ ୫୧ ୮୧ ୮୬ ୮୮
ହାତୀ ୧୧୦୭ ୨୨୧୪ ୨୨୧୪ ୩୪୭୧
ବନ୍ୟ ଗୟଳ ୧୦୯୭ ୧୩୭୩ ୧୩୭୩ ୨୪୨୭
ବଳିଆ କୁକୁର ୧୪୮ ୧୮୧ ୧୮୧ ଜଣାନାହିଁ
ଚିତଲ୍ ହରିଣ ୩୩୩୩ ୫୮୫୮ ୫୮୫୮ ୮୨୦୪
ସମ୍ବର ହରିଣ ୭୦୬ ୧୧୯୬ ୧୧୯୬ ୨୩୮୬
ଭାଲୁ ୫୧ ୬୬ ୬୬ ଜଣାନାହିଁ
ଚୌଶିଂଘା ୧୪ ଜଣାନାହିଁ ଜଣାନାହିଁ ଜଣାନାହିଁ
ହନୁ ମାଙ୍କଡ଼ ୧୪୬୮ ୧୭୫୧ ୧୭୫୧ ୧୮୫୧
ବାର୍‍ହା ୧୪୮ ୧୮୧ ୧୮୧ ଜଣାନାହିଁ
କୁଟୁରା ୭୨ ୧୩୧ ୧୩୧ ଜଣାନାହିଁ

ପକ୍ଷୀ[ସମ୍ପାଦନା]

ବାନ୍ଦୀପୁରରେ ବହୁ ସଂଖ୍ୟାରେ ଦେଖାଯାଉଥିବା ପକ୍ଷୀଗୁଡ଼ିକ ହେଲେ – ମୟୂର, ଧୂସରିଆ ବଣ କୁକୁଡ଼ା, କାଉକଜଳପାତୀ । ବାନ୍ଦୀପୁରରେ ୨୦୦ରୁ ଅଧିକ ପ୍ରଜାତିର ପକ୍ଷୀ ବସବାସ କରନ୍ତି । ଚୂଳିଆ ହନି ବଜାର୍ଡ୍, ଏସୀୟ ରାଜା ଶାଗୁଣା, ସାଧାରଣ ଶାଗୁଣା, ମହୁଖିଆ ପକ୍ଷୀ, ହୁପୋ, ଭଦଭଦଳିଆ, ମାଛଖିଆ ମାଟିଆ ପେଚା, ସାପଖିଆ ଚୂଳିଆ ଚିଲ, ଦ୍ୱିରୂପୀ ଛଞ୍ଚାଣ ଓ ବହୁ ପ୍ରଜାତିର ମାଛରଙ୍କା ଏଠାରେ ଦେଖାଯାଉଥିବା ଅନ୍ୟ କିଛି ପକ୍ଷୀ । ଶୀତଦିନେ ଓସ୍ପ୍ରେ ପକ୍ଷୀ ମଧ୍ୟ ଦେଖାଯାନ୍ତି ।

ଅନ୍ୟ ବନ୍ୟଜୀବ[ସମ୍ପାଦନା]

ସରୀସୃପ ଜାତୀୟ ପ୍ରାଣୀଙ୍କ ମଧ୍ୟରୁ ନାଗ ସାପ,ଅଜଗର ସାପ, ବୋଡ଼ା ସାପ, ବ୍ରାହ୍ମଣୀ ସାପ, ଗୋମୁହାଁ କୁମ୍ଭୀର, ଗୋଧି, ବହୁରୂପୀ ଏଣ୍ଡୁଅ, ଗାଡ଼ିଆ କଇଁଛ, ଚମ୍ପେଇ ନେଉଳ, ଉଡନ୍ତା ଗୁଣ୍ଡୁତି ଆଦି ଜୀବ ବାନ୍ଦୀପୁରରେ ଦେଖାଯାଇଥାନ୍ତି ।

ବାନ୍ଦୀପୁର ଜଙ୍ଗଲରେ ଅନେକ ପ୍ରଜାପତି ଦେଖାଯାଇଥାନ୍ତି । ତନ୍ମଧ୍ୟରୁ କମନ୍ ରୋଜ୍, କ୍ରିମ୍ସନ୍ ରୋଜ୍, କମନ୍ ଜେ, ଟେଲ୍‍ଡ୍, ଲାଇମ୍, ମାଲାବାର୍ ରାଭେନ୍, ମୋର୍ମୋନ୍, ରେଡ୍ ହେଲେନ୍, ବ୍ଲୁ ମୋର୍ମୋନ୍, ସଦର୍ଣ୍ଣ ବର୍ଡୱିଂଗ୍, କମନ୍ ୱାଣ୍ଡରର୍ ଇତ୍ୟାଦି ଇତ୍ୟାଦି ।[୬]

ପିମ୍ପୁଡ଼ିମାନଙ୍କର ମଧ୍ୟ ବିଭିନ୍ନ ପ୍ରଜାତି ବାନ୍ଦୀପୁର ଜାତୀୟ ଉଦ୍ୟାନରେ ଦେଖଯାଇଛି । ଏଥିରୁ କିଛି ପିମ୍ପୁଡ଼ି ପ୍ରଜାତି ଏବେ ସୁଦ୍ଧା ଚିହ୍ନଟ ହୋଇପାରି ନାହାନ୍ତି ।[୭]

ଏହାଛଡ଼ା ବିଭିନ୍ନ ପ୍ରଜାତିର ପୋକ ଓ ଗୋବରା ପୋକ ମଧ୍ୟ ଜାତୀୟ ଉଦ୍ୟାନରେ ଦେଖିବାକୁ ପାଇବା । [୭][୮]

ସଂଘର୍ଷ ଓ ସଙ୍କଟ[ସମ୍ପାଦନା]

ବାନ୍ଦୀପୁର ଜଙ୍ଗଲର ସଂଲଗ୍ନ ୨୦୦ଟି ଗାଁର ଲୋକଙ୍କ ଗୃହପାଳିତ ପଶୁଙ୍କ ପାଇଁ ବାନ୍ଦୀପୁର ଜଙ୍ଗଲରେ ଉତ୍କୃଷ୍ଟ ଘାସ ମିଳିଥାଏ । ଜାତୀୟ ଉଦ୍ୟାନରେ ଜାଳେଣୀ କାଠ ଓ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ସହଜରେ ମିଳିଥାଏ । ଅଭୟାରଣ୍ୟର ବାହାର ପାଖରେ ୧୫୦୦୦୦ ଗୋରୁଗାଈ ରୁହନ୍ତି । ନୁଗୁ ଅଭୟାରଣ୍ୟ ଓ ହିମାବତ ଗୋପାଳସ୍ୱାମୀ ବନଖଣ୍ଡ ଜାତୀୟ ଉଦ୍ୟାନର ଉତ୍ତର-ପଶ୍ଚିମ ପଟେ ରହିଛି ଯେଉଁଠାରେ ଜଙ୍ଗଲ ଭିତରେ ଗୋରୁଗାଈଙ୍କୁ ଚରିବା ପାଇଁ ଛାଡ଼ି ଦିଆଯାଏ ।

ବାନ୍ଦୀପୁର ଜାତୀୟ ଉଦ୍ୟାନ ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥ-୬୭
ହାତୀଟିଏ ଜାତୀୟ ରାଜପଥ-୬୭ ପାର କରିବାକୁ ଚେଷ୍ଟା କରୁଛି

ଜଙ୍ଗଲରେ ଗୋରୁଗାଈ ଚରିଲେ ସେମାନଙ୍କ ଦେହରେ ରହିଥିବା ଜୀବାଣୁ ତୃଣ, ଗଛ ଇତ୍ୟାଦି ଜରିଆରେ ଜଙ୍ଗଲର ଜୀବଙ୍କ ଶରୀରକୁ ଯାଆନ୍ତି । ତେଣୁ ଗୋରୁଗାଈଙ୍କୁ କୌଣସି ରୋଗ ହୋଇଥିଲେ ତାହା ଅତି ସହଜରେ ବନ୍ୟଜୀବଙ୍କୁ ସଂକ୍ରମିତ ହୋଇଯାଏ । ୧୯୬୮ ମସିହାରେ ରିଣ୍ଡର୍‍ପେଷ୍ଟ୍ ନାମକ ଭୂତାଣୁଜନିତ ରୋଗରେ ଆକ୍ରାନ୍ତ ହୋଇ ବହୁ ବନ୍ୟ ଗୟଳ ମୃତ୍ୟୁ ବରଣ କରିଥିଲେ । ୧୯ଶ ଶତାବ୍ଦୀରେ ବ୍ରିଟିଶ୍‍ମାନେ ଏହି ସବୁ ଜଙ୍ଗଲକୁ ଚା’ ବଗିଚା ପାଇଁ ବ୍ୟବହାର କରିବାକୁ ଚାହୁଁଥିଲେ ଓ ତେଣୁ ଲାଣ୍ଟାନା ବୁଦା ରୋପଣ କରୁଥିଲେ । ଏହି ଲାଣ୍ଟାନା ବୁଦା ମାଳି ଯାଇ ମହତ୍ତ୍ୱପୂର୍ଣ୍ଣ ଔଷଧି ବୃକ୍ଷ ଓ ସାଧାରଣ ଗଛ ବଢ଼ିବାକୁ ଦିଏନାହିଁ, ତେଣୁ ଜଙ୍ଗଲର ବିକାଶରେ ବାଧା ସୃଷ୍ଟି କରେ । ଲାଣ୍ଟାନା ଏକ ପ୍ରକାରର କଣ୍ଟକମୟ ବୁଦା । ଏହା ଜଙ୍ଗଲର ଜମିକୁ ଘୋଡ଼ାଇ ରଖେ । ଲାଣ୍ଟାନା ବୁଦା ନିକଟରେ ବହୁତ ମଶା ରୁହନ୍ତି । ତେଣୁ ଅନ୍ୟ ତୃଣଭୋଜୀ ପ୍ରାଣୀ ଏହା ନିକଟକୁ ଯାଆନ୍ତି ନାହିଁ ବା ଏହାକୁ ଖାଆନ୍ତି ନାହିଁ । ଏହି ଗଛ ମାଳି ଚାଲେ ଓ ତୃଣଭୋଜୀଙ୍କ ଖାଇବା ପାଇଁ ଉଦ୍ଦୀଷ୍ଟ ଗଛ, ଲତା, ଘାସ ଇତ୍ୟାଦି କମି କମି ଯାଏ । ପାର୍ଥେନିୟମ୍ ପରି ଅନାବନା ଗଛ ବହୁ ସଂଖ୍ୟାରେ ବଢ଼ିଯାଇଥିବାରୁ ଜଙ୍ଗଲର ଶୋଭା ଓ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହୋଇଛି ।

ହାତୀମାନେ ଶୁଷ୍କରୁ ଆର୍ଦ୍ର ଅଞ୍ଚଳକୁ ସ୍ଥାନ ପରିବର୍ତ୍ତନ କରୁଥାନ୍ତି । ତେଣୁ ସେମାନେ ମନୁଷ୍ୟ ବସବାସ କରୁଥିବା ଅଞ୍ଚଳ ପଟକୁ ମଧ୍ୟ ବେଳେବେଳେ ଚାଲି ଆସନ୍ତି । ଏହା ଫଳରେ ସେମାନେ କୃଷିକ୍ଷେତ୍ର ଆଡ଼କୁ ଆକୃଷ୍ଟ ହୁଅନ୍ତି ଓ ମନୁଷ୍ୟ-ହାତୀଙ୍କ ମଧ୍ୟରେ ତିକ୍ତତା ବଢ଼େ । ହାତୀମାନେ ଆଖୁ କିଆରୀ ପ୍ରତି ଖୁବ୍ ଆକୃଷ୍ଟ ହୋଇଥାନ୍ତି, ତେଣୁ ହାତୀ କିଆରୀରେ ପଶିଲେ ବହୁ ଆଖୁ ଫସଲ ନଷ୍ଟ ହୁଏ ।


୧୮୧ ଓ ୭୬୬ ନମ୍ବର ଜାତୀୟ ରାଜପଥ ବାନ୍ଦୀପୁର ଜାତୀୟ ଉଦ୍ୟାନ ମଝି ଦେଇ ଯାଇଛି । ରାଜପଥର ଚଉଡ଼ା ସଡ଼କରେ ଗାଡ଼ିଗୁଡ଼ିକ ଦ୍ରୁତ ବେଗରେ ଯିବାଆସିବା କରନ୍ତି । ଏହା ଏକ ବିରାଟ ବଡ଼ ସମସ୍ୟା । ବନ ବିଭାଗ ଅଧିକାରୀମାନେ ଯାତ୍ରୀ ଓ ବାହନ ଚାଳକଙ୍କୁ ଯେତେ ସାବଧାନ କରାଇଲେ ଓ ଚେତାବନୀ ଦେଲେ ମଧ୍ୟ ବହୁ ସମୟରେ ବନ୍ୟଜୀବଙ୍କ ସହ ଗାଡ଼ି ଧକ୍କା ହୁଏ ଓ ଅତୀତରେ ବହୁ ଜୀବ ଅକାଳ ମୃତ୍ୟୁ ବରଣ କରିଛନ୍ତି । ତେଣୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଅଞ୍ଚଳରେ ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ନିୟନ୍ତ୍ରଣ କରାଯିବାର ଚେଷ୍ଟା ଚାଲିଛି ।[୯] ଏପରି ମୃତ୍ୟୁ ନିଶ୍ଚିତ ଭାବେ ଲୁପ୍ତପ୍ରାୟ ଓ ସଙ୍କଟାପନ୍ନ ପ୍ରାଣୀଙ୍କ ପାଇଁ ଅପୂରଣୀୟ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଓ ସେମାନଙ୍କ ସମ୍ପୂର୍ଣ୍ଣ ବିଲୋପ ହେବାର କାରଣ ସାଜିପାରେ ।

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Bandipur National park". Mysore.nic.in. Retrieved 2012-10-08.
  2. "Bandipur". mysore.ind.in. Retrieved 2013-01-13.
  3. "Taming traffic in Bandipur National Park". Wildlifetrustofindia.org. Retrieved 2012-10-08.
  4. "Night traffic ban at Bandipur extended from 9 to 12 hours". Deccanherlad.com. Retrieved 2012-10-08.
  5. "Jungle Lodges, Bandipur". Junglelodges.com. Archived from the original on 25 June 2012. Retrieved 8 October 2012.
  6. Compiled by Green Club, Mysore
  7. ୭.୦ ୭.୧ Compiled by Green Club, Mysore with the Help of Dr. Priyadharshan Dharmarajan, ATREE
  8. Srivatsa, Sharath S. (8 June 2005). "Counting ants and butterflies". Karnataka. The Hindu. Retrieved 2009-04-11.
  9. Padmaparna Ghosh (2010-10-22). "Close encounters of the wild kind". Livemint. Retrieved 2012-10-08.
  • Karnataka State Gazetteer, 1983

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]