ଗ୍ରାମଦେବତୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଦଇପୁର ଗ୍ରାମର ଗ୍ରାମଦେବତୀ ମା' ବୁଢ଼ୀ ଜାଗୁଳାଇ

ଗ୍ରାମଦେବତୀ ‌‌ଓଡ଼ିଶାର ଗାଁମାନଙ୍କର ଶେଷ ମୁଣ୍ଡରେ ପୂଜା ପାଉଥିବା ଏକ ଦେବୀ ବା ଶକ୍ତି ସଙ୍କେତ ପ୍ରତିମା । ଏକ ପ‌ଥରରେ ସିନ୍ଦୂର ଆଦି ବୋଳି ତାହା ଚାରିପଟେ ‌‌ମାଟିଘୋଡ଼ାରେ ସଜାଇ ଶଂଖା, ଶାଢ଼ୀରେ ସଜାଇ ପ୍ରତିକାତ୍ମକ ଭାବେ ପୂଜା କରାଯାଏ । ଗ୍ରାମଦେବତୀ ପୂଜନ ଓଡ଼ିଶାରେ ଜୈନ ଧର୍ମ[୧], ବଜ୍ର‌ଯାନ ବୌଦ୍ଧ ଧର୍ମ କାଳରେ କିମ୍ବା ତାହାର ଅନେକ ଆଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳିଥାଏ ।[୨] ଐତିହାସିକ ଜନ ବୀମ୍‌ସଙ୍କ ଗବେଷଣାରୁ ଜଣାଯାଏ ଯେ ‌‌ଭୂଖନନରୁ ମିଳିଥିବା ମୂର୍ତ୍ତିର ଭଗ୍ନାବଶେଷରୁ ଧ୍ୟାନମଗ୍ନ ବୁଦ୍ଧଙ୍କ ମୂର୍ତ୍ତି ବୌଦ୍ଧବାଦର ବିସ୍ତାରଲାଭ କାଳରେ ଏହି ପୂଜନ ପ୍ରଚଳିତ ହୋଇଥିଲା ।[୩] ଓଡ଼ିଶାରେ ଶକ୍ତି ଆରାଧନା କାଳରେ ନାନାଦି ବସ୍ତୁକୁ ଦେବୀଙ୍କ ପ୍ରତୀକ ରୂପରେ ପୂଜା କରାଯାଉଥିଲା । ଏହି ସମ‌ୟରେ ଗ୍ରାମଦେବତୀ ପୂଜନର ବ‌ହୁଳତା ଦେଖିବାକୁ ମିଳିଥାଏ ।[୪] ଗୁପ୍ତ ଯୁଗର ଆଗରୁ ପ‌ତରାଶୁଣୀ, ‌‌ଖୁଦୁରୁକୁଣୀ, ଭାଲୁକୁଣୀ ଆଦି ନାମରେ ଅନେକ ଗ୍ରମଦେବତୀ ପୂଜାର ପ୍ରଚଳନ ଆରମ୍ଭ ହୋଇଥିଲା । ପ‌ଥର ଛଡ଼ା କାଠକୁ ମଧ୍ୟ ପୂଜା କରିବାର ପରମ୍ପରା ରହିଥିଲା ।[୫]ଆମଦେଶର ଅନ୍ୟରାଜ୍ୟମାନଙ୍କ ପରି ଆମରାଜ୍ୟ ଓଡ଼ିଶାର ଗାଁମାନଙ୍କର ଆରମ୍ଭରେ କିମ୍ବା ଶେଷମୁଣ୍ଡରେ ଜଣେ ଜଣେ ଦେବୀ ବା ଶକ୍ତି ସଙ୍କେତ ପ୍ରତିମା କେଉଁ ଆବହମାନକାଳରୁ ପୂଜାପାଇଆସୁଛନ୍ତି୤ ଗ୍ରାମଦେବତୀ ଆରାଧନା ଶାକ୍ତଧର୍ମର ପ୍ରାଚୀନ ରୂପ ବ୍ୟତୀତ ଆଉକିଛି ନୁହେଁ ୤ ଏହାର ନିଦର୍ଶନ ସିନ୍ଧୁ ସଭ୍ୟତାରେ ସିନ୍ଧୁ ନଦୀର ଅବବାହିକା, ମହେଞ୍ଜୋଦାରୋ, ହରପ୍‌ପା ଆଦି ସ୍ଥାନରୁ ଦେଖିବାକୁ ମିଳେ ୤ ଭାରତ ବାହାରେ ବେଲୁଚିସ୍ଥାନ,ଇରାନ୍‌, ମେସୋପଟାମିଆ,ଇଜିପଟ୍‌ ପ୍ରଭୃତି ସ୍ଥାନମାନଙ୍କରୁ ମଧ୍ୟ ଏହା ଦେଖିବାକୁ ମିଳେ ୤ ସେହିଦେବୀମାନେ ଆମପାଖରେ ଗ୍ରାମଦେବତୀ ରୂପେ ପରିଚିତ ୤ ସେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପରିବାରର ପ୍ରତ୍ୟେକ ଶୁଭକାର୍ଯ୍ୟ ଯଥା-ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ତାଙ୍କୁ ପୂଜା କରାଯାଏ ୤ ଗାଁରେ ହଇଜା, ମହାମାରୀ କିମ୍ବା କିଛି ଅନିଷ୍ଟ ଦେଖାଦେଲେ ମାଆଙ୍କ ପାଖରେ ପଣା, ଧୂପଦୀପ, ବଳୀ ଦେଇ ଆଶିଷ ଭିକ୍ଷା କରାଯାଏ ୤ ମାଆଙ୍କର ପୂଜା ସବୁସ୍ଥାନରେ ବ୍ରାହ୍ମଣଜାତୀୟ ଲୋକ କରନ୍ତିନାହିଁ ୤ ଅଧିକାଂଶ ପୂଜକ ମାଳୀ, ବାରିକ ଅଥବା ସ୍ୱତନ୍ତ୍ର ସେବାୟତ କୁଳର ହୋଇଥାନ୍ତି ୤ ସେମାନେ ସବୁଦିନ ଠାକୁରାଣୀଙ୍କ ସ୍ନାନ, ମାର୍ଜନା କରାଇ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣକାର୍ଯ୍ୟ ସମ୍ପାଦନ କରିଥାନ୍ତି ୤ ପୂଜା ସମୟରେ କୌଣସି ମନ୍ତ୍ରୋଚ୍ଚାରଣ କରନ୍ତି ନାହିଁ , କେବଳ ନିଜର ମନୋଭାବକୁ ନିଜର ମାତୃଭାଷାରେ ପ୍ରକାଶ କରିଥାନ୍ତି ୤ ସେହି ମାଳୀ,ବାରିକ ପୂଜକଙ୍କ ଅନୁପସ୍ଥିତ ସମୟରେ ସେମାନଙ୍କର ପତ୍ନୀ କିମ୍ବା ପରିବାରର କେହିଜଣେ ଆସି ପୂଜା କାର୍ଯ୍ୟ ଚଳାଇଥାନ୍ତି ୤ ମହାଷ୍ଟମୀ, ରଜ ଆଦି ପର୍ବପର୍ବାଣୀ ସମୟରେ ବ୍ରାହ୍ମଣ ପୁରୋହିତଙ୍କଦ୍ୱାରା ପୂଜା, ହୋମକାର୍ଯ୍ୟ ସମ୍ପନ୍ନ କରାଯାଏ ୤ କେତେକ ସ୍ଥାନରେ, ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଦିନ ଓ ସମୟରେ ଠାକୁରାଣୀପୀଠରେ କାଳେସୀଙ୍କୁ ଠାକୁରାଣୀ ଲାଗନ୍ତି ଓ ଶରଣାଗତମାନେ ସମସ୍ୟା ଜଣାଇ ମାଆଙ୍କର କୃପାଲାଭ କରନ୍ତି ୤ [୬]

ଠାକୁରାଣୀଙ୍କ ଗଠନ[ସମ୍ପାଦନା]

ଏହି ଗ୍ରାମଦେବତୀମାନଙ୍କର ମୂର୍ତ୍ତିର ଗଠନରେ କୌଣସି ନିର୍ଦ୍ଦିଷ୍ଠତା ନାହିଁ ୤ କେଉଁଠି ଗଛମୂଳରେ ପୂର୍ଣ୍ଣାଙ୍ଗ ମୂର୍ତ୍ତି ପାଆନ୍ତି, ଆଉକେଉଁଠି ପଥରର ଭଗ୍ନ କିମ୍ବା ଅସ୍ପଷ୍ଟ ପ୍ରତିମା ପୂଜାପାଆନ୍ତି ୤ ଆଉ ପ୍ରତିମା ଆଗରେ ମାଟିଘୋଡା, ପତାକା ଆଦି ଶୋଭା ପାଉଥାଏ ୤ ଦେବୀଙ୍କର ବାସସ୍ଥଳୀଟି ଗଛମୂଳ କିମ୍ବା ଚାଳଘର ହୋଇଥାଏ କ୍ୱଚିତ୍‌ କେଉଁଠି ମନ୍ଦିର ଦେଖାଯାଏ ୤ ସାରଳା ଦାସଙ୍କ ରଚିତ ଚଣ୍ଡୀ ପୁରାଣରେ ଗ୍ରାମଦେବତୀଙ୍କ ସୃଷ୍ଟି ପ୍ରସଙ୍ଗରେ ଖୁବ୍‌ ସୁନ୍ଦର ଭାବରେ ଅବତାରଣା କରାଯାଇଛି ୤ ମହିଷାସୁରକୁ ନିଧନ କରିବାକୁ ଦେବୀଦୁର୍ଗା ତ୍ରିଶୂଳ ପ୍ରୟୋଗ କଲେ କିନ୍ତୁ ତାହା ମହିଷାସୁରର ବକ୍ଷକୁ ଭେଦକରିପାରିଲା ନାହିଁ ୤ ଅସୁର ଖସିପଳାଇଲା ୤ ଦେବୀ ତାଙ୍କ ସହଯୋଗିନୀ ଚଉଷଠି ଯୋଗିନୀଙ୍କ ସହଯୋଗ ଲୋଡିଲେ ୤ ସମସ୍ତ ଯୋଗିନୀଙ୍କ ସହାୟତାରେ ଦେବୀ ଦୁର୍ଗା ମହିଷାସୁରକୁ ପୁଣିଥରେ ଆକ୍ରମଣ କଲେ ୤ କିନ୍ତୁ ମହିଷାସୁର ତାର ଦେହକୁ ଏତେ ଜୋରରେ ଝାଡ଼ିଦେଲା ଯେ ସବୁଦେବୀ ଦୂରକୁ ଛିଟିକି ହୋଇ ପଡ଼ିଲେ ୤ ଜମ୍ବୁଦ୍ୱୀପରେ ଛପନକୋଟି ଦେବୀ, ଚନ୍ଦ୍ରଦ୍ୱୀପରେ ଚଉଦ କୋଟି ଭୈରବୀ, କୁଶଦ୍ୱୀପରେ ନଅକୋଟି ଚଣ୍ଡୀ, ଶାକଲ୍ୟ ଦ୍ୱୀପରେ ନଅକୋଟି କାତ୍ୟାୟନୀ ପଡ଼ିଲେ ୤ ଆଉ ଚଉଷଠି ଯୋଗିନୀ ଗ୍ରାମ,ପାହାଡ ଜଙ୍ଗଲରେ ପଡ଼ିଲେ ୤ ଗଭୀର ଆଘାତ ପାଇ କାହାର ପଞ୍ଜରା ହାଡ ଭାଙ୍ଗି ଗଲା ତ, ଆଉ କାହାର ହାତ ଗୋଡ କେମ୍ପା ହୋଇ ଗଲା ୤ ଆଉକେହି ପଡିଥିବା ସ୍ଥାନରୁ ଉଠିପାରିଲେ ନାହିଁ ୤ ଦେବୀଦୁର୍ଗାଙ୍କ କୃପାରୁ ଯିଏ ଯେଉଁଠି ପଡ଼ିଥିଲେ, ସେ ସେଇଠି ପାଷାଣ ହୋଇ ଗ୍ରାମଦେବତୀ ରୂପରେ ପୂଜା ପାଇଲେ ୤ [୭]


ପୁରାଣ କାହାଣୀ[ସମ୍ପାଦନା]

ଏକଦା ପାତାଳପୁରରେ ରାଜୁତି କରୁଥିବା ଅନ୍ଧକାସୁର, ତାରକାସୁରର ନିଧନ ସମ୍ବାଦ ଶୁଣି ଅସୁରସେନା ଧରି ମନ୍ଦର ପର୍ବତକୁ ଅବରୋଧ କଲା । ହଠାତ୍ ତା’ ଆଖିରେ ପଡ଼ିଲେ ଗିରିନନ୍ଦିନୀ ଗିରିଜା । ତାଙ୍କ ରୂପଲାବଣ୍ୟ ଦେଖି ତାଙ୍କୁ ଲାଭ କରିବାକୁ ଆଗ୍ରହୀ ହେଲା ଅନ୍ଧକ I ଗିରିବାଳାଙ୍କୁ ଧରିବା ଲାଗି ସେ ନିଜ ସେନାଙ୍କୁ ନିର୍ଦ୍ଦେଶ ଦେଲା । ତେବେ ସେଠାରେ ଉପସ୍ଥିତ ନନ୍ଦୀଶ୍ୱରଙ୍କ ପରାକ୍ରମ ଆଗରେ ତିଷ୍ଠି ନ ପରି ସେମାନେ ଛତ୍ରଭଙ୍ଗ ଦେଲେ । ତାହା ପରେ ଅନ୍ଧକ ଏବଂ ନନ୍ଦୀଶ୍ୱରଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଲା । ଅନ୍ଧକର ଲୌହମୁଖ ମୁଦ୍‌ଗର ପ୍ରହାରରେ ନନ୍ଦୀଶ୍ୱର ଅଚେତ ହୋଇଗଲେ । କାମନ୍ଧ ଅନ୍ଧକ ନିଜେ ଗିରିବାଳାଙ୍କୁ ଧରିବା ଲାଗି ଧାଇଁଲା । ତାହା ଦେଖି ଦେବୀ ଶତରୂପ ଧାରଣ କଲେ । ଏକା ଭଳି ଦିଶୁଥିବା ଶହେ ଦେବୀଙ୍କ ମଧ୍ୟରେ ଗିରିବାଳା କିଏ ଅନ୍ଧକ ଜାଣିପାରିଲାନାହିଁ । ତେବେ ବହୁ ଚେଷ୍ଟା କରି ଜଣେ ହେଲେ ଦେବୀଙ୍କୁ ଧରିପାରିଲାନାହିଁ I କାମାନଳରେ ଦଗ୍‌ଧ ଅନ୍ଧକ ଦଉଡ଼ିଦଉଡ଼ି ଅବଶ ହୋଇଗଲା । ଗିରିବାଳା ଦିବ୍ୟାସ୍ତ୍ର ପ୍ରୟୋଗ କରି ତାକୁ ଧରାଶୟୀ କରିବା ପରେ ଗଣେଶ ପହଞ୍ଚି ସମସ୍ତ ଅସୁରଙ୍କୁ ସେଠାରୁ ଘଉଡାଇଦେଲେ I ପୁତ୍ରର ବିକ୍ରମରେ ସନ୍ତୁଷ୍ଟ ହୋଇ ତାଙ୍କୁ ଆଶୀର୍ବାଦ କଲେ ମାତା ଗିରିବାଳା । ଆଉ ଶତରୂପା ଦେବୀଗଣଙ୍କୁ ଚତୁର୍ଦିଗରେ ଥିବା ଜନବସତିରେ ରହିବାକୁ ପଠାଇଦେଲେ I ସେହି ଶତରୂପା ଦେବୀଗଣ ‘ଗ୍ରାମଦେବତୀ’ ଭାବେ ପୂଜିତ ହେଉଛନ୍ତି I[୮] ନୃସିଂହ ପୁରାଣର ବର୍ଣ୍ଣନା ଅନୁଯାୟୀ ବରୁଣଙ୍କର ତିନୋଟି ଝିଅ ଥିଲେ, ଅଲକ୍ଷ୍ମୀ, ଲକ୍ଷ୍ମୀ ଓ ଈଳା I ଅଲକ୍ଷ୍ମୀ ଅସୁନ୍ଦରୀ ଥିବାରୁ ସାନ ଦୁଇଭଉଣୀଙ୍କର ବିବାହ ଆଗ ହୋଇଯାଇଥିଲା । ଋଷି ଉଦ୍ଦାଳକଙ୍କ ସହିତ ଅଲକ୍ଷ୍ମୀଙ୍କର ବିବାହ ପରେ ହୋଇଥିଲା । ସେ ଷୀତଳାଈ ଠାକୁରାଣୀ, ବୁଢୀ ଠାକୁରାଣୀ ରୂପେ ପୂଜା ପାଆନ୍ତି । ତାଙ୍କ ସହିତ ସର୍ବଦା ଚୌଷଠି ଯୋଗିନୀ ବାସ କରନ୍ତି । ସୃଷ୍ଟି ସମୟରେ ଯେତେସବୁ ଖରାପ ଗୁଣ ଓ ଖରାପ ପଦାର୍ଥ ପଙ୍କ ହୋଇ ରହିଲା I ସେହି ପଙ୍କରୁ ଅଲକ୍ଷ୍ମୀଙ୍କର ଜନ୍ମ । ସେ ପିପ୍‌ପଳୀ ଓ ଅସ୍ତଗଛରେ ରହନ୍ତି । ସେ ସମସ୍ତ ଅମଙ୍ଗଳ ପଦାର୍ଥର ଅଧିକାରିଣୀ ଅଟନ୍ତି I ତାଙ୍କୁ ପୂଜାକରିବାଦ୍ୱାରା ତାଙ୍କ ପାଖରେ ଥିବା ଅନିଷ୍ଟକାରିଣୀ ଯୋଗିନୀ ଅମଙ୍ଗଳ କରନ୍ତିନାହିଁ । ଗ୍ରାମମାନଙ୍କରେ କୌଣସି ଅନିଷ୍ଟ ପ୍ରବେଶ ନ କରିବା ପାଇଁ ଅଲକ୍ଷ୍ମୀଙ୍କୁ ମଙ୍ଗଳା ବା ଗ୍ରାମଦେବତୀ ରୂପେ ଲୋକମାନେ ପୂଜା କରନ୍ତି ।

ଆଧାର[ସମ୍ପାଦନା]

  1. Ananda Chandra Sahoo (1 September 1994). Jaina Religion and Art. Agam Kala Prakashan. ISBN 978-81-7320-005-2. Retrieved 23 April 2013.
  2. Orissa (India). Orissa District Gazetteers. Superintendent, Orissa Government Press. Retrieved 22 April 2013.
  3. Indian Art History Congress. Session (1996). Proceedings of Indian Art History Congress. Indian Art History Congress. Retrieved 23 April 2013.
  4. Trilochan Misra; R. K. Mishra (1995). Studies in Saktism. Institute of Orissan Culture. Retrieved 22 April 2013.
  5. Krishna Chandra Panigrahi (1981). History of Orissa: Hindu period. Kitab Mahal. Retrieved 23 April 2013.
  6. ଓଡ଼ିଶାର ତନ୍ତ୍ର ସଂସ୍କୃତି. ଗ୍ରାମଦେବତୀ. ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୨୫୪. ISBN ISBN-81-7586-019-7 Check |isbn= value: invalid character (help).
  7. ଓଡ଼ିଶାର ତନ୍ତ୍ର ସଂସ୍କୃତି. ଗ୍ରାମଦେବତୀ. ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୨୫୪. ISBN ISBN-81-7586-019-7 Check |isbn= value: invalid character (help).
  8. "ଗ୍ରାମଦେବତୀ ବୃତ୍ତାନ୍ତ". sambadepaper.com. 2012. Retrieved 4 November 2012.