ଗୋକୁଳାନନ୍ଦ ମହାପାତ୍ର
ଗୋକୁଳାନନ୍ଦ ମହାପାତ୍ର | |
---|---|
![]() ଗୋକୁଳାନନ୍ଦ ମହାପାତ୍ର | |
ଜନ୍ମ ଓ ଜନ୍ମସ୍ଥାନ | ଭଦ୍ରକ, ଓଡ଼ିଶା | ୨୪ ମଇ ୧୯୨୨
ମୃତ୍ୟୁ | ୧୦ ଜୁଲାଇ ୨୦୧୩ ଅହମଦାବାଦ[୧] | (ବୟସ ୯୧)
ବୃତ୍ତି | ବୈଜ୍ଞାନିକ, ବିଜ୍ଞାନ-ଲେଖକ, ଅଧ୍ୟାପକ |
ଶିକ୍ଷା | ସ୍ନାତକୋତ୍ତର (ଏମ.ଏସ.ସି), ଆଚାର୍ଯ୍ୟ (ପି.ଏଚ.ଡି) |
ଶିକ୍ଷାନୁଷ୍ଠାନ | ପ୍ରେସିଡେନ୍ସି କଲେଜ, କଲିକତା[୨] ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର |
ପୁରସ୍କାର | କଳିଙ୍ଗ ପୁରସ୍କାର |
ଜୀବନସାଥୀ | କୁମୁଦିନୀ ମହାପାତ୍ର |
ୱେବସାଇଟ | |
gnmfoundation.org |
ଗୋକୁଳାନନ୍ଦ ମହାପାତ୍ର (୨୪ ମଇ ୧୯୨୨ - ୧୦ ଜୁଲାଇ, ୨୦୧୩)[୩] ଜଣେ ଓଡ଼ିଆ ବୈଜ୍ଞାନିକ ଓ ବିଜ୍ଞାନ ଲେଖକ ଥିଲେ ।[୪][୫] ୧୯୨୨ ମସିହା ମଇ ୨୪ ତାରିଖରେ ଭଦ୍ରକ ସହର ଅନ୍ତର୍ଗତ କୁଆଁସଠାରେ ଜନ୍ମଗ୍ରହଣ କରିଥିବା ଡଃ. ମହାପାତ୍ର ନିଜ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା, ନାରାୟଣ ଚନ୍ଦ୍ର ଓ ଭଦ୍ରକ ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରିବା ପରେ ରେଭେନ୍ଶା କଲେଜରୁ ରସାୟନ ବିଜ୍ଞାନରେ ସମ୍ମାନ ସହିତ ବି.ଏସ୍ସି. ଏବଂ କଲିକତାର ପ୍ରେସିଡେନ୍ସି କଲେଜରୁ ଏମ୍.ଏସ୍ସି ପାସ କରିଥିଲେ । ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କ ଶ୍ୱଶୁର ଭଦ୍ରକ ଜିଲ୍ଲାର ଭୂୟାଁୱ୍ୟାସର ଜମିଦାର ସ୍ୱର୍ଗତଃ ବିନୋଦ ବିହାରୀ ରାୟଙ୍କ ସାହାଯ୍ୟ ଉଲ୍ଲେଖନୀୟ । ୧୯୫୮ ମସିହାରେ ସେ ପି.ଏଚ୍ଡି. ହାସଲ କରିଥିଲେ । ୧୯୬୧ ମସିହାରେ ଉଚ୍ଚତର ଗବେଷଣା ପାଇଁ ଆମେରିକା ଯାଇଥିଲେ । ପରିବାର ନେଇ ଭାରତ ବାହାରକୁ ଯିବାରେ ସେ ଥିଲେ ତୃତୀୟ ଓଡ଼ିଆ ଗବେଷକ ।
ସ୍ୱର୍ଗତ ମହାପାତ୍ର, ୧୯୪୮ ମସିହାରେ ରସାୟନ ବିଜ୍ଞାନରେ ଅଧ୍ୟାପନା ଆରମ୍ଭ କରିଥିଲେ ଏବଂ ୧୯୮୨ ମସିହାରେ ୧୯୮୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟର ରସାୟନ ବିଜ୍ଞାନର ପ୍ରଫେସର ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ, ସେ ଭୁବନେଶ୍ୱରର ମହର୍ଷି ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ (୨୮ ଜୁଲାଇ ୧୯୮୨ - ୨୦ ମଇ ୧୯୮୪)[୬] ଓ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ପ୍ରଥମ ନିର୍ଦ୍ଦେଶକ (୦୧ ଅଗଷ୍ଟ ୧୯୭୦-୧୦ ଜୁନ ୧୯୭୨) ଭାବରେ କାର୍ଯ୍ୟ କରିଥିଲେ । ସେ ବିଜ୍ଞାନ ପ୍ରଚାର ସମିତିର ଜଣେ ସକ୍ରିୟ ସଭ୍ୟ ଭାବରେ ଏହାର ପ୍ରସାର ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ ।[୭]
୨୦୧୦ ମସିହା ମେ ମାସରେ, 'ଡ. ଗୋକୁଳାନନ୍ଦ ନିତ୍ୟାନନ୍ଦ ମହାପାତ୍ର ଫାଉଣ୍ଡେସନ୍' ନାମରେ ଏକ ସଂସ୍ଥା ଗଠନ କରି ସେ ସମାଜର ନବଜାତ ଶିଶୁ, ଅସହାୟ ବୃଦ୍ଧ ଓ ଅନାଥ ଶିଶୁଙ୍କର ଥଇଥାନ ଓ ବିକାଶ ଦିଗରେ କାର୍ଯ୍ୟ କରିଥିଲେ ।[୮]
ରଚନା[ସମ୍ପାଦନା]
ବିଜ୍ଞାନ ସମ୍ବନ୍ଧୀୟ ବିଷୟକୁ ନେଇ ସେ ପ୍ରଥମେ ଓଡ଼ିଆରେ ଉପନ୍ୟାସ ଲେଖିଥିଲେ ।[୯] ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଜନପ୍ରିୟ କରିବା ନିମନ୍ତେ ସରଳ ଓ ସାବଲୀଳ ଭାଷାରେ ସେ ଅନେକ ବିଜ୍ଞାନ-ଭିତ୍ତିକ ଲେଖା ଲେଖିଛନ୍ତି ।
ନିଜର ପାଶ୍ଚାତ୍ୟ ଅନୁଭୂତିକୁ ନେଇ 'ନୀଳଚକ୍ରବାଳ ସେପାରେ' ଓ 'ପାଶ୍ଚାତ୍ୟ ସ୍ମୃତି' ଦୁଇଟି ଗ୍ରନ୍ଥ ଲେଖିଥିଲେ । ପରେ ଉଭୟ ପତି ଓ ପତ୍ନୀ, କୁମୁଦିନୀ ମହାପାତ୍ରଙ୍କ ମିଳିତ ଲେଖନୀରେ ପ୍ରକାଶ ପାଇଲା 'ଆମ ଆମେରିକା ଅନୁଭୂତି' । ଓଡ଼ିଆ ଭ୍ରମଣ ସାହିତ୍ୟରେ ଏହି ତିନୋଟି ଗ୍ରନ୍ଥ ଉପାଦେୟ । ତାଙ୍କୁ ବିଜ୍ଞାନଭିତ୍ତିକ ଲେଖାଲେଖି ଦିଗରେ 'ଶଙ୍ଖ'ର ସମ୍ପାଦକ ଡଃ. ମାୟାଧର ମାନସିଂହ ଓ 'ସହକାର'ର ସମ୍ପାଦକ ବାଳକୃଷ୍ଣ କର ଉତ୍ସାହିତ କରିଥିଲେ । ୧୯୪୬ ମସିହାରେ 'ଆଧୁନିକ ବିଜ୍ଞାନକୁ ଆଲକାତରାର ସାହାଯ୍ୟ' ହେଉଛି ତାଙ୍କର ପ୍ରଥମ ରଚନା । ଏତଦ୍ବ୍ୟତୀତ 'ସହକାର', 'ନବଭାରତ' ଓ 'ଚତୁରଙ୍ଗ' ପ୍ରଭୃତି ପତ୍ରିକାରେ ଲେଖାଲେଖି କରି ଜନପ୍ରିୟ ହୋଇଥିଲେ । ଓଡ଼ିଆ ଭାଷାରେ ବିଜ୍ଞାନ ପାଠ୍ୟପୁସ୍ତକ ରଚନା କରିବାରେ ସେ ଥିଲେ ଅଗ୍ରଗଣ୍ୟ । 'ସହଜ ସାଧାରଣ ବିଜ୍ଞାନ- ୧ମ ଭାଗ' - ଷଷ୍ଠଶ୍ରେଣୀ, 'ସହଜ ସାଧାରଣ ବିଜ୍ଞାନ- ୨ୟ ଭାଗ' - ସପ୍ତମ ଶ୍ରେଣୀ ଏବଂ 'ସାଧାରଣ ବିଜ୍ଞାନ ପ୍ରବେଶିକା' ଓ 'ମାଧ୍ୟମିକ ସାଧାରଣ ବିଜ୍ଞାନ' ହାଇସ୍କୁଲ ଶ୍ରେଣୀ ପାଇଁ ଲେଖିଥିଲେ । ଏଥିପାଇଁ ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଆଇ,ଏସ୍ସି. ଶ୍ରେଣୀ ପାଇଁ 'ଇଣ୍ଟରମିଡିଏଟ କେମେଷ୍ଟ୍ରି' ଲେଖିଥିଲେ । ଏହାଥିଲା ସେତେବେଳେ ଓଡ଼ିଆ ଲେଖକଙ୍କଦ୍ୱାରା ପ୍ରଥମ ରସାୟନ ଶାସ୍ତ୍ରର ପାଠ୍ୟପୁସ୍ତକ । ବି.ଏସ୍ସି. ଶ୍ରେଣୀ ପାଇଁ ସେ ପାଠ୍ୟପୁସ୍ତକ ଲେଖିଛନ୍ତି । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପଚିଶିଟିରୁ ଅଧିକ ରସାୟନ ବିଜ୍ଞାନର ପାଠ୍ୟପୁସ୍ତକ ରଚନା କରିଥିଲେ । ସେ ଥିଲେ ଓଡ଼ିଶାରେ ଅଧିକ ରୟାଲ୍ଟି ପାଉଥିବା ଦ୍ୱିତୀୟ ଲେଖକ । ଓଡ଼ିଆ ଭାଷାରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ 'ମହାବିଦ୍ୟାଳୟ ରସାୟନ ବିଜ୍ଞାନ' ୧ମ ଓ ୨ୟ ଭାଗ ଲେଖିଥିଲେ । ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବିଜ୍ଞାନ ସାହିତ୍ୟ ସୃଷ୍ଟି ପାଇଁ ଉତ୍ସାହିତ କରିବା ଲାଗି ୧୯୪୯ ମସିହାରେ ସେ 'ବିଜ୍ଞାନ ପ୍ରଚାର ସମିତି' ପ୍ରତିଷ୍ଠା କରିଥିଲେ । ରେଭେନ୍ଶା କଲେଜ ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ପଦବୀରୁ ଅବସର ଗ୍ରହଣ କରିବା ପରେ ସାରସ୍ୱତ ସାଧନାରେ ନିମଗ୍ନ ହୋଇଯାଇଥିଲେ । ବିଜ୍ଞାନ ତଥ୍ୟକୁ ନେଇ ସେ କବିତା ଓ ବହୁ ନାଟକ ରଚନା କରିଛନ୍ତି ।[୧୦]
ଉପନ୍ୟାସ[ସମ୍ପାଦନା]
- ପୃଥିବୀ ବାହାରେ ମଣିଷ, ୧୯୫୨ [୧୧]
- କୃତ୍ରିମ ଉପଗ୍ରହ
- ଚନ୍ଦ୍ରର ମୃତ୍ୟୁ
- ସୁନାର ଓଡ଼ିଶା
- ମୃତ୍ୟୁ ଏକ ମାତୃତ୍ୱର
- ନିଶ୍ଚଳ ପୃଥିବୀ
- ମୃତ୍ୟୁ ରଶ୍ମି
- ନିସ୍ତବ୍ଧ ଗୋଧୂଳି
ଗଳ୍ପ[ସମ୍ପାଦନା]
- ଉଡ଼ନ୍ତା ଥାଳିଆ
- ଚତୁର୍ଥ ପରିସର
- ବିଜ୍ଞାନ ବିଚିତ୍ରା
- ବିଜ୍ଞାନର ଶ୍ରେଷ୍ଠ ଆବିଷ୍କାର
- ଏ ଯୁଗର ଶ୍ରେଷ୍ଠ ଆବିଷ୍କାର
- ଆଇନ୍ ଷ୍ଟାଇନ୍ ଓ ଆପେକ୍ଷିକ ତଥ୍ୟ
- ବୈଜ୍ଞାନିକ ଜ୍ଞାନ କୋଷ
ପୁରସ୍କାର[ସମ୍ପାଦନା]
ଉଚ୍ଚକୋଟୀର ଗବେଷଣା ପାଇଁ ସର୍ବଭାରତୀୟ ସ୍ତରରେ ୧୯୬୧ ମସିହାରେ ସେ 'କୁପର୍ ସ୍ୱର୍ଣ୍ଣପଦକ' ହାସଲ କରିଥିଲେ । ୧୯୬୪ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା 'ଏ ଯୁଗର ଶ୍ରେଷ୍ଠ ଆବିଷ୍କାର' ପାଇଁ ପୁରସ୍କୃତ ହୋଇଥିଲେ । ଏହା ସହିତ ସାରଳା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ, ବିଜ୍ଞାନ ପ୍ରଚାର ସମିତି, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭଦ୍ରକ ପୂଜ୍ୟପୂଜା ସଂସଦର ବିଜୟା ସମ୍ମାନ ପ୍ରଭୃତି ସମ୍ମାନ ଓ ସମ୍ବର୍ଦ୍ଧନା ପାଇଛନ୍ତି । ବିଜ୍ଞାନ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୧୦ ମସିହାରେ ସେ କଳିଙ୍ଗ ପୁରସ୍କାରରେ ଭୂଷିତ ହୋଇଥିଲେ ।[୧୨][୧୩][୧୪][୧୫]
୧୯୮୬ରେ ତାଙ୍କୁ "ଏ ଯୁଗର ଶ୍ରେଷ୍ଠ ଆବିଷ୍କାର" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୧୬]
ଆଧାର[ସମ୍ପାଦନା]
- ↑ ପ୍ରଗତିବାଦୀ ୧୧ ଜୁଲାଇ ୨୦୧୩
- ↑ http://articles.timesofindia.indiatimes.com/2012-09-28/bhubaneswar/34147736_1_science-books-science-fiction-science-text
- ↑ http://sambadepaper.com/Details.aspx?id=60149&boxid=2179421
- ↑ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 26–. ISBN 978-81-8450-151-3. Retrieved 11 July 2013.
- ↑ ସମ୍ବାଦ ୧୧ ଜୁଲାଇ ୨୦୧୩
- ↑ http://www.maharishicollegebbsr.org/principals.htm
- ↑ ସମ୍ବାଦ ୧୧/୦୭/୨୦୧୩
- ↑ ସମାଜ ୨୦ ଜୁଲାଇ ୨୦୧୩ରେ ଡାକ୍ତର ରବିରଞ୍ଜନ ସାହୁଙ୍କ ଲେଖା : ବିଜ୍ଞାନ ପ୍ରତି ଜଣେ ସମର୍ପିତ ବ୍ୟକ୍ତିତ୍ୱ
- ↑ "novel". orissa.gov.in. Retrieved 11 July 2013.
Gokulananda Mohapatra has the distinction of being the first novelist to write on scientific topics
- ↑ ଅପୂର୍ବ ରଞ୍ଜନ ରାୟ ,ପ୍ରମେୟ, ପୃଷ୍ଠା-୮, ଶନିବାର, ୨୦ ଜୁଲାଇ ୨୦୧୩
- ↑ "English translation of 1st Odia science fiction". ibnlive.in.com. 2012. Retrieved 11 July 2013.
The book authored by eminent writer Gokulananda Mahapatra in 1952
- ↑ "Scientist Mohapatra Gets Kalinga Samman-2011". Outlookindia. 04 January 2010. Retrieved 22 April 2013.
{{cite news}}
: Check date values in:|date=
(help) - ↑ "60th Anniversary of Unesco: International Conference for Celebration of 60th Anniversary of UNESCO Kalinga Prize for Popularization of Science, Bhubaneswar,January 4th & 5th,2012". Kalingafoundationtrust.com. Retrieved 22 April 2013.
- ↑ "Scientist Mohapatra gets Kalinga Samman-2011". The Money Control. 05 January 2012. Retrieved 22 April 2013.
{{cite news}}
: Check date values in:|date=
(help) - ↑ "Scientist Mohapatra Gets Kalinga Samman-2011". in.com. Retrieved 22 April 2013.
- ↑ Orissa Sahitya Academy