ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର

ଉଇକିପିଡ଼ିଆ‌ରୁ
(Guru Kelu Charan Mohapatra Odissi Research Centreରୁ ଲେଉଟି ଆସିଛି)

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ରାଜଧାନୀ ଭୁବନେଶ୍ୱରଠାରେ ସ୍ଥିତ, ଓଡ଼ିଶୀ ନୃତ୍ୟସଙ୍ଗୀତର ପ୍ରଚାର, ପ୍ରସାର ତଥା ଅନୁସନ୍ଧାନ ଦିଗରେ କାର୍ଯ୍ୟରତ,ଏକ ସ୍ୱୟଂଶାସିତ ଅନୁଷ୍ଠାନ ।[୧][୨]ଏହି ଅନୁଷ୍ଠାନଟି ୧୯୮୬ ମସିହାରେ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ପରବର୍ତ୍ତୀ ସମୟରେ, ଓଡ଼ିଶୀ ନୃତ୍ୟ ପ୍ରତି ଗୁରୁ କେଳୁଚରଣ ମହାପାତ୍ରଙ୍କର ଅବଦାନକୁ ସମ୍ମାନ ଜଣାଇ, ଏହି ଅନୁଷ୍ଠାନକୁ ତାଙ୍କ ନାମରେ ନାମିତ କରାଯାଇଛି । ଅନୁଷ୍ଠାନଟିକୁ ଓଡ଼ିଶୀ ନୃତ୍ୟର ସମସ୍ତ ଶୈଳୀର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ସ୍ଥାପନା କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଅନୁଷ୍ଠାନର ଅଧ୍ୟକ୍ଷ ଅଟନ୍ତି ଏବଂ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ କଳାକାରମାନଙ୍କୁ ନେଇ ଏହାର ପରିଚାଳନା ସମିତି ଗଠିତ । ଅଧୁନା, ଗୁରୁ ନବକିଶୋର ମିଶ୍ର[୩], ଏହି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ଅବସ୍ଥାପିତ ।

ଆନୁଷ୍ଠାନିକ ଲକ୍ଷ୍ୟ[ସମ୍ପାଦନା]

ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ଗୁଡ଼ିକ ହେଲା:

  1. ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ଏବଂ ଏହି ଅଭିପ୍ରାୟରେ ଅନ୍ୟାନ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରିବା ।
  2. ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରତିଷ୍ଠିତ ବିଭିନ୍ନ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ।
  3. ଏହି ବିଭିନ୍ନ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ତଥ୍ୟ ବିନିମୟ କରିବା ଏବଂ ନୃତ୍ୟ ଶୈଳୀକୁ ସୁଧାରିବା ।
  4. ଓଡ଼ିଶା ତଥା ଭାରତର ବିଭିନ୍ନ ନୃତ୍ୟ ଓ ସଙ୍ଗୀତକୁ ପ୍ରକାଶନ କରାଇବା ।
  5. ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଓ ପ୍ରତିଯୋଗିତା କରାଇବା ।
  6. ଏହି ଅନୁଷ୍ଠାନଟିର ଉନ୍ନତି ପାଇଁ ଅନୁଦାନ ଗ୍ରହଣ କରିବା ।
  7. ଅନୁଷ୍ଠାନଟିର ରକ୍ଷଣା ବେକ୍ଷଣ କରିବା ।

ନୃତ୍ୟ ଓ ସଙ୍ଗୀତ ମହୋତ୍ସବ[ସମ୍ପାଦନା]

କୋଣାର୍କ ନୃତ୍ୟ ଉତ୍ସବ : ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହଯୋଗରେ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ପ୍ରତିବର୍ଷ ଏହି ଉତ୍ସବଟିର ଆୟୋଜନ କରିଥାଏ । ଏହି ଉତ୍ସବଟି ପ୍ରତିବର୍ଷ ଡିସେମ୍ବର ମାସ ୧ରୁ ୫ ତାରିଖ ପର୍ଯ୍ୟନ୍ତ, କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥାଏ ।

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ସହଯୋଗରେ, ଏହି ଉତ୍ସବଟି ମୁକ୍ତେଶ୍ୱର ମନ୍ଦିରଠାରେ ଅନୁଷ୍ଠିତ ହୋଇଥାଏ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଏହି କାର୍ଯ୍ୟକ୍ରମଟିର ଦାୟିତ୍ୱ ନେଇଥାଏ ।

ଶ୍ରୀକ୍ଷେତ୍ର ଉତ୍ସବ : ଶ୍ରୀକ୍ଷେତ୍ର ଉତ୍ସବର ଆୟୋଜନ ପ୍ରତିବର୍ଷ ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ସହଯୋଗରେ ପୁରୀ ବେଳାଭୂମିଠାରେ କରାଯାଇଥାଏ ।

ଜାତୀୟ ନୃତ୍ୟ ଏବଂ ସଙ୍ଗୀତ ଉତ୍ସବ : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ନିଜସ୍ୱ ନିଜସ୍ୱ ଉତ୍ସବ, ପ୍ରତିବର୍ଷ ଡିସେମ୍ବର ମାସ ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ କଳାକାର, ଏହି ଉତ୍ସବରେ ଅଂଶଗ୍ରହଣ କରିଥାନ୍ତି । ଏହି ଉତ୍ସବଟି ଆନ୍ତର୍ଜାତୀୟ ସ୍ଥରରେ ଖୁବ ଆଦୃତ ହୋଇପାରିଛି ।

ନୃତ୍ୟ ଓ ସଙ୍ଗୀତ ଶିକ୍ଷାଦାନ[ସମ୍ପାଦନା]

୧୯୮୭ ମସିହାରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୁଲ୍ୟରେ, ନୃତ୍ୟ ଓ ସଙ୍ଗୀତ ବିଭାଗରେ, ବିଭିନ୍ନ ପ୍ରକାରର ଶିକ୍ଷାଦାନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଶିକ୍ଷାଦାନ ବ୍ୟବସ୍ଥାଗୁଡ଼ିକ ବୟସ ଭିତ୍ତିରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ । ଏହି ଅନୁଷ୍ଠାନ ଉଭୟ ରାଜ୍ୟ ତଥା ରାଜ୍ୟ ବାହାରର ଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଆସୁଛି ।[୪]

ଅନୁସନ୍ଧାନ ଓ ପ୍ରଲେଖନ[ସମ୍ପାଦନା]

ଓଡ଼ିଶୀ ନୃତ୍ୟର ବିଭିନ୍ନ ବିଭବ, ଶୈଳୀ ଓ କୌଶଳ ତଥା ଅନୁସନ୍ଧାନରୁ ଉପଲବ୍ଧ ଜ୍ଞାନକୁ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଉଭୟ ଲିଖିତ ଓ ଭିଡିଓ ମାଧ୍ୟମରେ ସଂରକ୍ଷିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।[୫] ଅନୁସନ୍ଧାନ କାର୍ଯ୍ୟକ୍ରମ ଅନ୍ତର୍ଗତ, ବର୍ତ୍ତମାନ ଗୋଟିପୁଅ ସାରଣୀ, ରାଗ ସାରଣୀ ପ୍ରସ୍ତୁତ ହୋଇସାରିଛି ଏବମ ମର୍ଦଳ ସାରଣୀ ପ୍ରସ୍ତୁତି ଚାଲିଛି । [୬][୭][୮]

ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ କିଶୋରଚନ୍ଦ୍ରାନନ୍ଦ ଚମ୍ପୂର ସ୍ୱରଲିପି, ଛାନ୍ଦ ସରଣୀ ଇତ୍ୟାଦି ପୁସ୍ତକମାନ ପ୍ରସ୍ତୁତ କରାଯାଇଛି । ଏହା ସହ କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋରୀ ଚମ୍ପୂର ରେକଡ଼ିଂ ଓ ଛାନ୍ଦଗୁଡ଼ିକର ରେକଡ଼ିଂ ମଧ୍ୟ କରାଯାଇଛି ।

ଆଧାର[ସମ୍ପାଦନା]

  1. http://www.narthaki.com/odissi/odi1fi.htm
  2. Odissi Research Centre (Bhubaneswar, India) (1988). The Odissi dance path finder. Odissi Research Centre. Retrieved 2 November 2012.
  3. ଧରିତ୍ରୀ ୧୭/୦୯/୨୦୧୪ ପୃଷ୍ଠା ୧୦
  4. http://www.thehindu.com/todays-paper/tp-national/tp-otherstates/article3399594.ece
  5. Cain Carroll; Revital Carroll; David (FRW) Frawley (15 August 2012). Mudras of India: A Comprehensive Guide to the Hand Gestures of Yoga and Indian Dance. Singing Dragon. pp. 309–. ISBN 978-1-84819-084-9. Retrieved 2 November 2012.
  6. http://orissasambad.com/news_article.php?id=88703
  7. "ଆର୍କାଇଭ୍ କପି". Archived from the original on 2013-03-29. Retrieved 2012-11-02. {{cite web}}: Cite has empty unknown parameter: |1= (help)
  8. http://rtiodisha.gov.in/dept_home.php?id=38&oid=271&sid=2[permanent dead link]

ବାହାର ଆଧାର[ସମ୍ପାଦନା]