ବାରଶିଂଘା
ବାରଶିଂଘା | |
---|---|
ଏକ ଅଣ୍ଡିରା ବାରଶିଂଘା | |
ଶାବକ ସହ ଏକ ମାଈ ବାରଶିଂଘା | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Mammalia |
ଗଣ: | Artiodactyla |
କୁଳ: | Cervidae |
ପ୍ରଜାତି: | Rucervus |
ଜାତି: | R. duvaucelii |
ବାଇନୋମିଆଲ ନାମ | |
Rucervus duvaucelii[୨] (ଜ୍ୟୋର୍ଜେସ୍ କୁଭିଏ, ୧୮୨୩)
| |
ପାରମ୍ପରିକ ଭୌଗୋଳିକ ବ୍ୟାପ୍ତିକ୍ଷେତ୍ର (ହଳଦିଆ); ବର୍ତ୍ତମାନ ଉପପ୍ରଜାତି: ଡୁଫୌଚେଲି (ନାଲି); ବ୍ରାଣ୍ଡେରି (ସାଗୁଆ); ରଣଜିତସିଂହୀ (ନୀଳ) |
ବାରଶିଂଘା ବା ବାରଶିଂଗା (ଇଂରାଜୀରେ Barasingha ବା Swamp Deer, ଜୀବବିଜ୍ଞାନ ନାମ Rucervus duvaucelii) ଭାରତୀୟ ଉପମହାଦେଶର ଉତ୍ତର ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ-ପଶ୍ଚିମ ନେପାଳରେ ଦେଖାଯାଉଥିବା ସର୍ଭିଡାଏ ପରିବାରର ଏକ ହରିଣ ପ୍ରଜାତି । ପାକିସ୍ତାନ ଓ ବଙ୍ଗଳାଦେଶରେ ଏହି ମୃଗ ପ୍ରଜାତି ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇଛି ।[୧] ଏହି ହରିଣର ଜୀବବୈଜ୍ଞାନିକ ନାମ ଫରାସୀ ପରିବେଶବିଜ୍ଞାନୀ ଆଲଫ୍ରେଡ଼୍ ଡୁଫୋସେଙ୍କ ନାମାନୁସାରେ ରଖାଯାଇଛି ।[୩] ଶିଂଘର ଆକାର ଦୃଷ୍ଟିରୁ ବାରଶିଂଘା ଭାରତର ଅନ୍ୟ ସମସ୍ତ ହରିଣ ପ୍ରଜାତିଠାରୁ ଭିନ୍ନ । ଏହି ହରିଣର ଶିଂଘରୁ ୧୨ ଗୋଟି ବା ବହୁ ଶାଖା ବାହାରିଥାଏ ।[୪][୫] ପରିପକ୍ୱ ବୟସର ଅଣ୍ଡିରାମାନଙ୍କ ଶିଂଘରେ ୧୦-୧୪ଟି (ସର୍ବାଧିକ ୨୦ଟି) ଶାଖା ରହିବା ମଧ୍ୟ ଦେଖାଯାଇଛି ।[୬] ଆସାମୀ ଭାଷାରେ ଏହି ହରିଣକୁ “ଦୋଲହୋରିନ୍” ବୋଲି ମଧ୍ୟ କୁହାଯାଏ । “ଦୋଲ୍” ଶବ୍ଦଟି ଏଠାରେ ଗାଡ଼ିଆ ଇତ୍ୟାଦିରେ ରହିଥିବା ଦଳ ବା ପଙ୍କକୁ ଏବଂ “ହୋରିନ୍” ଶବ୍ଦ ହରିଣକୁ ବୁଝାଇଥାଏ ।
ଆକୃତି ଓ ପ୍ରକୃତି
[ସମ୍ପାଦନା]ବାରଶିଂଘା ଏକ ବଡ଼ ଆକାରର ହରିଣ । ଭୂମିରୁ ଏହାର କାନ୍ଧର ଉଚ୍ଚତା ୧୧୦-୧୨୦ ସେଣ୍ଟିମିଟର୍ (୪୪-୪୬ ଇଞ୍ଚ୍), ମୁଣ୍ଡ ଓ ଦେହକୁ ମିଶାଇ ଏହାର ଶରୀରର ଦୈର୍ଘ୍ୟ ପ୍ରାୟ ୧୮୦ ସେଣ୍ଟିମିଟର୍ (୬ ଫୁଟ୍) ପର୍ଯ୍ୟନ୍ତ ହୋଇଥାଏ । ଏହାର ଲୋମ ମୋଟା, ଉପର ପଟେ ଏହାର ଛାଲର ରଙ୍ଗ ହଳଦିମିଶା ମାଟିଆ ଏବଂ ତଳ ପଟେ ଛାଲର ରଙ୍ଗ ଫିକା । ମେରୁଦଣ୍ଡ ପାଖରେ ଏହାର ଛାଲରେ କିଛି ଧଳା ଚିହ୍ନ ମଧ୍ୟ ରହିଥାଏ । ବେକ, ପେଟ, ଜଂଘର ଭିତର ପଟ ଓ ଲାଞ୍ଜର ତଳପଟ ଧଳା ରଙ୍ଗର ହୋଇଥାଏ । ଗ୍ରୀଷ୍ମ ଋତୁରେ ଏହାର ଛାଲର ରଙ୍ଗ ନାଲିମିଶା ମାଟିଆ ରଙ୍ଗର ହୋଇଯାଏ । ଏହାର ବେକରେ କେଶର ପରି ବଡ଼ ଲୋମ ରହିଥାଏ । ମାଈମାନଙ୍କ ରଙ୍ଗ ଅଣ୍ଡିରାମାନଙ୍କ ଅପେକ୍ଷା ଫିକା ହୋଇଥାଏ । ତରୁଣ ବୟସ୍କ ହରିଣମାନଙ୍କ ଦେହରେ ଚିତା ଚିତା ଦାଗ ରହିଥାଏ । ଏମାନଙ୍କ ଶିଂଘର ୭୬ ସେଣ୍ଟିମିଟର୍ (୩୦ ଇଞ୍ଚ୍) ଲମ୍ବା ଓ ଶିଂଘ ମଝି ଅଂଶରେ ବିମ୍ ନିକଟରେ ଏହାର ପ୍ରସ୍ଥ ପ୍ରାୟ ୧୩ ସେଣ୍ଟିମିଟର୍ (୫ ଇଞ୍ଚ୍) ହୋଇଥାଏ ।[୭] ଏଯାବତ ସଂଗୃହୀତ ଏକ ହରିଣର ୧୦୪.୧ ସେଣ୍ଟିମିଟର୍ (୪୧ ଇଞ୍ଚ୍) ଶିଂଘ ସର୍ବବୃହତ ।[୬]
ଅଣ୍ଡିରା ହରିଣମାନଙ୍କ ଓଜନ ୧୭୦ରୁ ନେଇ ୨୮୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ମାଈମାନଙ୍କ ଶରୀରର ଓଜନ ୧୩୦ରୁ ୧୪୫ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।[୮] ବୃହତାକାର ଅଣ୍ଡିରା ହରିଣମାନେ ୨୧୦ରୁ ୨୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନବିଶିଷ୍ଟ ହୋଇପାରନ୍ତି ।[୪]
ଭୌଗୋଳିକ ବ୍ୟାପ୍ତି ଓ ପରିବାସ
[ସମ୍ପାଦନା]ଉନବିଂଶ ଶତାବ୍ଦୀରେ ବାରଶିଂଘା ହିମାଳୟ ପର୍ବତଶ୍ରେଣୀର ପାଦଦେଶରେ ଆସାମ ରାଜ୍ୟର ଉପରାଂଶରୁ ନେଇ ସମଗ୍ର ଆସାମ ରାଜ୍ୟ, ପୂର୍ବରେ ସୁନ୍ଦରବନରୁ ନେଇ ସମଗ୍ର ଗାଙ୍ଗେୟ ସମତଳ ଭୂମି ଓ ଯମୁନା ନଦୀ ଉପତ୍ୟକା ପ୍ରଭୃତି ଅଞ୍ଚଳରେ ତଥା ପଶ୍ଚିମରେ ପାକିସ୍ତାନର ସିନ୍ଧ ରାଜ୍ୟ ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ବିଚରଣ କରୁଥିଲେ । ଭାରତରେ ଦକ୍ଷିଣ ପଟେ ଗୋଦାବରୀ ନଦୀ ଉପତ୍ୟକା ପର୍ଯ୍ୟନ୍ତ ଏମାନେ ଦେଖାଯାଉଥିଲେ । ନର୍ମଦା ନଦୀ ଉପତ୍ୟକାରେ ବସ୍ତର ପର୍ଯ୍ୟନ୍ତ ଏମାନଙ୍କ ପରିବାସ ରହିଥିଲା ।[୭] ସମଭୂମି, ତୃଣଭୂମି ତଥା ଜଙ୍ଗଲ ଉପକଣ୍ଠରେ ଏମାନେ ଚରାବୁଲା କରନ୍ତି । ଜଙ୍ଗଲର ଖୋଲା ସ୍ଥାନରେ ମଧ୍ୟ ଏମାନେ ଦେଖାଯାନ୍ତି ।[୪]
୧୯୬୦ ଦଶନ୍ଧିରେ ଏମାନଙ୍କ ସଂଖ୍ୟା ଭାରତରେ ଅତିକମରେ ୧୬୦୦ରୁ ସର୍ବାଧିକ ୨୧୫୦ ଏବଂ ନେପାଳରେ ପ୍ରାୟ ୧୬୦୦ ହୋଇଥିବାର ଅନୁମାନ କରାଯାଉଥିଲା । ୧୯୩୦ ଦଶନ୍ଧିରୁ ନେଇ ୧୯୬୦ ଦଶନ୍ଧି ପର୍ଯ୍ୟନ୍ତ ଅନିୟନ୍ତ୍ରିତ ଓ ଅତ୍ୟଧିକ ଶିକାର ତଥା ତୃଣଭୂମିମାନଙ୍କୁ କୃଷିକ୍ଷେତ୍ରରେ ପରିଣତ କରାଯିବାରୁ ଏମାନଙ୍କ ସଂଖ୍ୟା ଏବଂ ପରିବାସ କ୍ଷେତ୍ର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବାକୁ ଲାଗିଲା । ବର୍ତ୍ତମାନ ସମୟରେ ଏହି ହରିଣ ମଧ୍ୟ ପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନ, ଆସାମର ଦୁଇଟି ଅଞ୍ଚଳ (କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ମାନସ ଜାତୀୟ ଉଦ୍ୟାନ)[୯][୧୦][୧୧][୧୨], ଉତ୍ତର ପ୍ରଦେଶର ୬ଟି ଅଞ୍ଚଳରେ ସୀମିତ । ପଶ୍ଚିମବଙ୍ଗ ରାଜ୍ୟରେ ଏମାନେ ପ୍ରାୟ ବିଲୁପ୍ତ ।[୧୩] ଅରୁଣାଚଳ ପ୍ରଦେଶ ରାଜ୍ୟରେ ମଧ୍ୟ ଏମାନେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଥିବାର ଅନୁମାନ କରାଯାଉଛି ।[୧୪] ୨୦୦୫ ମସିହାରେ ଉତ୍ତରାଖଣ୍ଡ ରାଜ୍ୟର ହରିଦ୍ୱାର ଜିଲ୍ଲାରେ ଗଙ୍ଗା ନଦୀର ପୂର୍ବ ତଟରେ ରହିଥିବା ଝିଲ୍ମିଲ୍ ହ୍ରଦ ଅଭୟାରଣ୍ୟ ଅଞ୍ଚଳରେ ପ୍ରାୟ ୩୨୦ଟି ବାରଶିଂଘାଙ୍କ ଉପସ୍ଥିତି ଆବିଷ୍କୃତ ହୋଇଥିଲା । ବର୍ତ୍ତମାନ ସମୟରେ ଏହାକୁ ବାରଶିଂଘା ହରିଣଙ୍କ ପ୍ରାକୃତିକ ପରିବାସର ଉତ୍ତରତମ ସୀମା କୁହାଯାଇପାରିବ ।[୧୫][୧୬]
ଉପ-ପ୍ରଜାତି ଓ ସେମାନଙ୍କ ବିଚରଣ କ୍ଷେତ୍ର
[ସମ୍ପାଦନା]ବର୍ତ୍ତମାନ ସୁଦ୍ଧା ବାରଶିଂଘାଙ୍କର ୩ ଗୋଟି ଉପପ୍ରଜାତି ଚିହ୍ନଟ କରାଯାଇପାରିଛି :[୧୭]
- ପଶ୍ଚିମସ୍ଥ ବାରଶିଂଘା (ଜୀବବିଜ୍ଞାନ ନାମ R. d. duvauceli - କୁଭିଏ, ୧୮୨୩) – ଏମାନଙ୍କ ଖୁରା ଉପରୁ ତଳକୁ କ୍ରମଶଃ ଓସାରିଆ । ଗାଙ୍ଗେୟ ସମତଳ ଭୂମିର ଜଳମଗ୍ନ ଉଚ୍ଚ ତୃଣଭୂମିରେ ରହିବାରେ ଏମାନେ ସମର୍ଥ ।[୧୮] ୧୯୯୦ ଦଶନ୍ଧିର ପ୍ରାରମ୍ଭିକ କାଳରେ ଭାରତରେ ଏହି ଉପପ୍ରଜାତିଙ୍କ ସଂଖ୍ୟା ୧୫୦୦-୨୦୦୦ ଏବଂ ନେପାଳର ସୁକ୍ଲା ଫାଣ୍ଟା ବନ୍ୟଜୀବ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ୧୫୦୦-୧୯୦୦ ହୋଇଥିବାର ଅନୁମାନ କରାଯାଉଥିଲା ।[୧୩] ୨୦୧୩ ମସିହା ବସନ୍ତ ଋତୁ ବେଳକୁ ୩୮୫ଟି ଶାବକଙ୍କୁ ମିଶାଇ ଏମାନଙ୍କ ସଂଖ୍ୟା ୨୧୭୦ ବୋଲି ଆକଳନ କରାଯାଇଥିଲା ।[୧୯]
- ଦକ୍ଷିଣସ୍ଥ ବାରଶିଂଘା (ଜୀବବିଜ୍ଞାନ ନାମ R. d. branderi – ପୋକକ୍, ୧୯୪୩) – ଏମାନଙ୍କ ଖୁରା ଖୁବ୍ ଶକ୍ତ । ଏହି ଉପପ୍ରଜାତି ଶାଳବଣରେ ରହିଥିବା ତୃଣଭୂମି ଓ କଠିନ ଭୂମିରେ ବିଚରଣ କରିବାରେ ସମର୍ଥ ।[୧୮] ଏହି ଉପପ୍ରଜାତି ବର୍ତ୍ତମାନ ସମୟରେ କେବଳ କାହ୍ନା ଜାତୀୟ ଉଦ୍ୟାନ ପର୍ଯ୍ୟନ୍ତ ସୀମିତ । ଗଣନାନୁସାରେ ୧୯୮୮ ମସିହା ବେଳକୁ ଏମାନଙ୍କ ସଂଖ୍ୟା ପ୍ରାୟ ୫୦୦, ଏକବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ପ୍ରାୟ ୩୦୦-୩୫୦[୧୩] ଏବଂ ୨୦୧୬ ମସିହା ବେଳକୁ ପ୍ରାୟ ୭୫୦ ବୋଲି ଅନୁମାନ କରାଯାଇଥିଲା । ସାତପୁରା ବ୍ୟାଘ୍ର ଅଭୟାରଣ୍ୟରେ ଏମାନଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିଲା ।[୨୦]
- ପୂର୍ବସ୍ଥ ବାରଶିଂଘା (ଜୀବବିଜ୍ଞାନ ନାମ R. d. ranjitsinhi – ଗ୍ରୁଭ୍ସ୍, ୧୯୮୨) – ଏହି ଉପପ୍ରଜାତି କେବଳ ଆସାମ ରାଜ୍ୟରେ ଦେଖାଯାନ୍ତି । ୧୯୭୮ ମସିହା ବେଳକୁ ଏମାନଙ୍କ ସଂଖ୍ୟା ୭୦୦ ଥିବା ଆକଳନ କରାଯାଇଥିଲା । ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏହି ଉପପ୍ରଜାତିର ୪୦୦-୫୦୦ଟି ହରିଣ ଥିବା କୁହାଯାଇଥିଲା ।[୧୩] ୨୦୧୬ ମସିହାରେ କରାଯାଇଥିବା ଏକ ଗଣନାକ୍ରମେ ଏମାନଙ୍କ ସଂଖ୍ୟା ୧୧୪୮ ଥିବା ଜଣା ପଡ଼ିଥିଲା ।[୨୧]
ପରିସ୍ଥିତିକ ବ୍ୟବହାର
[ସମ୍ପାଦନା]ବାରଶିଂଘା ତୃଣଭୋଜୀ ଏବଂ ସର୍ବଦା ଚରି ବୁଲୁଥାନ୍ତି ।[୪] ଘାସ ଓ ପାଣିର ଦଳ ବା ପଙ୍କରେ ବଢ଼ୁଥିବା ଜଳଜ ଉଦ୍ଭିଦ ଏମାନଙ୍କ ଆହାର । ଏମାନଙ୍କ ମୁଖ୍ୟ ଆହାର ହେଲା - କାଶତଣ୍ଡି (Saccharum), ଦର୍ଭ (Imperata cylindrica), ପୋଟଖଳ ବା ନଳ ଜାତୀୟ ଘାସ (Phragmites karka), ନାଲି ବଣୁଆ ଧାନ ଗଛ (Oryza rufipogon), ନୀବାର ବା ବାଳୁଙ୍ଗା ଧାନ (Hygroryza) ଓ ବୋରଝାଞ୍ଜି ଜାତୀୟ ଶୈବାଳ (Hydrilla) ଇତ୍ୟାଦି । ଏମାନେ ସାରା ଦିନ ଚରି ବୁଲୁଥାନ୍ତି; ସକାଳ ଓ ଅପରାହ୍ନର ଶେଷରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମାନେ ସର୍ବାଧିକ ସକ୍ରିୟ ଥାଆନ୍ତି । ଶୀତ ଓ ବର୍ଷା ଋତୁରେ ଏମାନେ ୧-୨ ଥର ଓ ଗ୍ରୀଷ୍ମ ଋତୁରେ ୩ ବା ତତୋଧିକ ଥର ପାଣି ପିଇବା ଦେଖାଯାଏ । ଅଧିକ ଗରମ ହେଉଥିଲେ ଏମାନେ ଗଛର ଛାୟାରେ ବିଶ୍ରାମ କରିଥାନ୍ତି ।[୧୩]
କେନ୍ଦ୍ରୀୟ ଭାରତରେ ଦେଖାଯାଉଥିବା ବାରଶିଂଘା ଦଳରେ ୮-୨୦ଟି ପ୍ରାଣୀ ରହୁଥିବା ଦେଖାଯାଇଛି । କିଛି ବଡ଼ ଦଳରେ ୬୦ଟି ପର୍ଯ୍ୟନ୍ତ ହରିଣ ରହିଥାନ୍ତି । ଦଳରେ ମାଈଙ୍କ ସଂଖ୍ୟା ଅଣ୍ଡିରାଙ୍କ ସଂଖ୍ୟାର ପ୍ରାୟ ୨ ଗୁଣ ହୋଇଥାଏ । ମିଳନ ଋତୁରେ ଯୌନ ପରିପକ୍ୱ ହରିଣମାନେ ଏକ ଗୋଷ୍ଠୀରେ ଏକତ୍ରିତ ହୋଇ ରହନ୍ତି । ସେପ୍ଟେମ୍ବର ମାସରୁ ଅପ୍ରେଲ୍ ମାସ ଏମାନଙ୍କ ମିଳନ ସମୟ । ୨୪୦-୨୫୦ ଦିନର ଗର୍ଭଧାରଣ ସମୟ ପରେ ଅଗଷ୍ଟରୁ ନେଇ ନଭେମ୍ବର ମାସ ପର୍ଯ୍ୟନ୍ତ ଶାବକମାନେ ଜନ୍ମଲାଭ କରିଥାନ୍ତି । କାହ୍ନା ଜାତୀୟ ଉଦ୍ୟାନରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସର୍ବାଧିକ ମିଳନ ହେଉଥିବାର ଲକ୍ଷ୍ୟ କରାଯାଇଛି ।[୮] ଏମାନେ କେବଳ ଗୋଟିଏ ହରିଣ ଶାବକକୁ ଜନ୍ମ ଦିଅନ୍ତି । ବିପଦର ସୂଚନା ପାଇଲେ ବାରଶିଂଘା ଏକ ତୀବ୍ର ଧ୍ୱନି ସଙ୍କେତ ବା ଡାକ ଦେଇଥାଏ ।[୬] ଚିଡ଼ିଆଖାନାରେ ଏମାନେ ୨୩ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ।
ବାରଶିଂଘାଙ୍କ ପ୍ରତି ରହିଥିବା ବିପଦ
[ସମ୍ପାଦନା]ମାଂସ ଓ ଶିଂଘ ବିକ୍ରି ଲୋଭରେ ବାରଶିଂଘାଙ୍କ ଅବୈଧ ଶିକାର କରାଯାଏ ଓ ସ୍ଥାନୀୟ ବଜାରରେ ବେଆଇନ ଭାବେ ବିକ୍ରି କରାଯାଏ । ସଂରକ୍ଷଣ କ୍ଷେତ୍ର ବାହାରେ ବିଚରଣ କରୁଥିବା କିମ୍ବା ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯାଉଥିବା ବାରଶିଂଘା ଦଳଙ୍କ ପ୍ରତି ଏଥିଯୋଗୁଁ ସବୁଠାରୁ ଅଧିକ ବିପଦ ରହିଥାଏ । ଅନେକ ଆର୍ଦ୍ରଭୂମି କୃଷିକ୍ଷେତ୍ର ଓ ମନୁଷ୍ୟଙ୍କ ବସବାସ କ୍ଷେତ୍ରରେ ପରିଣତ ହେବାରୁ ବାରଶିଂଘାଙ୍କ ପରିବାସ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସମୟରେ ଏସବୁ ପରିବାସ ଅଳ୍ପ ଅଞ୍ଚଳରେ ସୀମିତ ଓ ଖଣ୍ଡ-ବିଖଣ୍ଡିତ ।[୧୩] ବର୍ତ୍ତମାନ ସମୟରେ ସଂରକ୍ଷିତ ଅଞ୍ଚଳ ଘୋଷିତ ହୋଇଥିବା ଅନେକ ବାରଶିଂଘା ପରିବାସ ନଦୀଶଯ୍ୟା ପରିବର୍ତ୍ତନ, ନଦୀ ପ୍ରବାହରେ ହ୍ରାସ, ନଦୀରେ ଅଧିକ ବାଲି ଚରିଯିବା, ସ୍ଥାନୀୟ ଲୋକଙ୍କଦ୍ୱାରା ବ୍ୟାପକ ଭାବେ ଗଛ ଓ ଘାସ କଟାଯିବା, ଜାଳେଣୀ ସଂଗ୍ରହ,[୧] ଏବଂ ସରକାରୀ ଜମିରେ ବେଆଇନ୍ କୃଷିକାର୍ଯ୍ୟ ଯୋଗୁଁ ବିପଦୋନ୍ମୁଖୀ ହୋଇଛନ୍ତି ।[୨୨] ଜର୍ଜ୍ ଶାଲର୍ଙ୍କ ଲେଖାନୁସାରେ ବଞ୍ଚି ରହିଥିବା ଜୀବମାନେ ଶୀଘ୍ର ଲୋପ ପାଇଯିବାର ଆଶଙ୍କା ରହିଛି ।[୮]
ସଂରକ୍ଷଣ
[ସମ୍ପାଦନା]ବାରଶିଂଘା ହରିଣକୁ ସାଇଟ୍ସ୍ (CITES)ର ପ୍ରଥମ ଅନୁଚ୍ଛେଦରେ ସ୍ଥାନ ଦିଆଯାଇଛି ।[୧] ଭାରତରେ ପ୍ରଣୀତ ୧୯୭୨ ମସିହାର ବନ୍ୟଜୀବ ସଂରକ୍ଷଣ ନିୟମର ପ୍ରଥମ ଅନୁସୂଚୀରେ ବାରଶିଂଘା ସ୍ଥାନିତ ।[୧୩]
ଚିଡ଼ିଆଖାନାରେ ବାରଶିଂଘା
[ସମ୍ପାଦନା]୧୯୯୨ ମସିହାରେ ଭାରତର ୫ଟି ବିଭିନ୍ନ ଚିଡ଼ିଆଖାନାରେ ପ୍ରାୟ ୫୦ଟି ବାରଶିଂଘା ଏବଂ ଉତ୍ତର ଆମେରିକା ଓ ୟୁରୋପର ବିଭିନ୍ନ ଚିଡ଼ିଆଘରେ ୩୦୦ଟି ବାରଶିଂଘା ହରିଣ ରହିଥିଲେ ।[୧୩]
ଆମେରିକାର ଟେକ୍ସାସ୍ ରାଜ୍ୟରେ ବାରଶିଂଘାଙ୍କୁ ଅବସ୍ଥାପିତ କରାଯାଇଥିଲା ।[୨୩] ସେମାନଙ୍କ ସଂଖ୍ୟା ଏଠାରେ ସ୍ୱଳ୍ପ ମାତ୍ର ।[୨୪]
ସଂସ୍କୃତିରେ ବାରଶିଂଘା
[ସମ୍ପାଦନା]ରୁଡ୍ୟାର୍ଡ୍ କିପ୍ଲିଂଙ୍କ ଲିଖିତ ଦ ସେକେଣ୍ଡ୍ ଜଙ୍ଗଲ୍ ବୁକ୍ (The Second Jungle Book) ପୁସ୍ତକର "ଦ ମିରାକ୍ଲ୍ସ୍ ଅଫ୍ ପୁରୁନ୍ ଭଗତ (The Miracle of Purun Bhagat)" ଅଧ୍ୟାୟରେ ଥିବା “ବାରାଶିଂଗ୍” ଚରିତ୍ର ଏକ ବାରଶିଂଘା ହରିଣ । ପୁରୁନ୍ ଭଗତ ନାମକ ମନୁଷ୍ୟ ବାରଶିଂଘାର ଶିଂଘରୁ ତାହାର ମଖମଲି ପରସ୍ତ ହଟାଇବାରେ ସାହାଯ୍ୟ କରିଥିବାରୁ ଉଭୟ ପରସ୍ପରର ବନ୍ଧୁତା ସ୍ୱୀକାର କରନ୍ତି । ନିଜ ବାସସ୍ଥଳୀ ନିକଟରେ ପୁରୁନ୍ ବାରଶିଂଘାକୁ ଖାଦ୍ୟ ଓ ଅଗ୍ନିର ଉତ୍ତାପ ଯୋଗାଇ ସାହାଯ୍ୟ କରିବା ଓ ପର୍ବତ ଭୁଷୁଡ଼ିବା ସମୟରେ ବାରଶିଂଘା ପୁରୁନ୍ର ସହରବାସୀମାନଙ୍କୁ ରକ୍ଷା କରିବାର କାହାଣୀ ଏହି ପୁସ୍ତକରେ ଲିଖିତ ।
ବାରଶିଂଘା ହରିଣ ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ରାଜ୍ୟର ପ୍ରାଦେଶିକ ପଶୁ ।[୨୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Duckworth, J. W.; Kumar, N.S.; Pokharel, C.P.; Baral, H. S.; Timmins, R. J. (2015). "Rucervus duvaucelii": e.T4257A22167675.
{{cite journal}}
:|access-date=
requires|url=
(help); Cite journal requires|journal=
(help); Unknown parameter|last-author-amp=
ignored (|name-list-style=
suggested) (help) - ↑ Grubb, P. (2005). "Order Artiodactyla". In Wilson, D. E.; Reeder, D. M (eds.). Mammal Species of the World (3rd ed.). Johns Hopkins University Press. pp. 668–669. ISBN 978-0-8018-8221-0. OCLC 62265494.
{{cite book}}
: Invalid|ref=harv
(help) - ↑ Cuvier, G. (1823). Recherches sur les ossemens fossiles de quadrupèdes. Vol. Tome Quatrième (Nouvelle édition ed.). Paris, Amsterdam: Dufour & d'Ocagne.
- ↑ ୪.୦ ୪.୧ ୪.୨ ୪.୩ Lydekker, R. (1888–1890). The new natural history Volume 2. Printed by order of the Trustees of the British Museum (Natural History), London.
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
- ↑ ୬.୦ ୬.୧ ୬.୨ Prater, S. H. (1948). The book of Indian animals. Oxford University Press. (10th ed.)
- ↑ ୭.୦ ୭.୧ ୭.୨ Blanford, W. T. (1888–1891). The fauna of British India, including Ceylon and Burma. Mammalia. Taylor and Francis, London.
- ↑ ୮.୦ ୮.୧ ୮.୨ Schaller, G. B. (1967). The Deer and the Tiger – A Study of Wildlife in India. University Chicago Press, Chicago, IL, USA.
- ↑ Choudhury, A. U. (1997). Checklist of the mammals of Assam. 2nd ed. Gibbon Books & Assam Science Technology & Environment Council, Guwahati, India. ISBN 81-900866-0-X
- ↑ Choudhury, A. U. (2004). Kaziranga: Wildlife in Assam. Rupa & Co., New Delhi.
- ↑ Choudhury, A. U. (1987). "Railway threat to Kaziranga" (PDF). Oryx. 21 (3): 160–163. doi:10.1017/S0030605300026892.
- ↑ Choudhury, A. U. (1986). Manas Sanctuary threatened by extraneous factors. The Sentinel.
- ↑ ୧୩.୦ ୧୩.୧ ୧୩.୨ ୧୩.୩ ୧୩.୪ ୧୩.୫ ୧୩.୬ ୧୩.୭ "Swamp Deer or Barasingha (Cervus duvauceli Cuvier, 1823". Envis Bulletin. 7: 181–192. 2004.
{{cite journal}}
: Cite uses deprecated parameter|authors=
(help) - ↑ Choudhury, A. U. (2003). The mammals of Arunachal Pradesh. Regency Publications, New Delhi ISBN 8187498803.
- ↑ Tewari, R. and Rawat, G.S. (2013). Activity pattern and diurnal time budget of Swamp Deer (Rucervus duvaucelii duvaucelii) in Jhilmil Jheel Conservation Reserve, Haridwar, Uttarakhand, India. NeBIO 4 (3): 36–40.
- ↑ Nandy, S., Kushwaha, S.P.S. and Gaur, P. 2012. Identification of Swamp deer (Cervus duvauceli duvauceli Cuvier) potential habitat in Jhilmil Jheel Conservation Reserve, Uttarakhand, India using multi-criteria analysis. Environmental Management 49 (4): 902–914.
- ↑ Groves, C. (1982). "Geographic variation in the Barasingha or Swamp Deer (Cervus duvauceli)". Journal of the Bombay Natural History Society. 79: 620–629.
- ↑ ୧୮.୦ ୧୮.୧ Pocock R. (1943). The larger deer of British India. Journal of the Bombay Natural History Society 43: 553–572.
- ↑ The Himalayan Times (2013). Shuklaphanta sees increase swamp deer number[permanent dead link]. Kanchanpur, 19 April 2013.
- ↑ Shukla, R. (2017). "Barasingha breaks new ground". Frontline. Kanha Tiger Reserve. Retrieved 3 September 2017.
- ↑ "Eastern Swamp Deer Population Estimation 2016". Kaziranga National Park. Government of Assam. 11 May 2016. Archived from the original on 20 August 2017. Retrieved 20 August 2017.
- ↑ Dabas, H. (12 December 2016). "As Ganga water level dips, farmers encroach land for farming". The Times of India. Bijnor. Retrieved 22 December 2016.
- ↑ McCarthy, A., Blouch, R., Moore, D., and Wemmer, C. M. (1998). Deer: status survey and conservation action plan IUCN Deer Specialist Group. IUCN, Gland, Switzerland.
- ↑ Long, John L. (2003). Introduced Mammals of the World. Collingwod, Australia: CSIRO. p. 411. ISBN 0643067140.
- ↑ "State Animals, Birds, Trees and Flower". www.pannatigerreserve.in. Retrieved 4 April 2018.
ଆହୁରି ପଢ଼ନ୍ତୁ
[ସମ୍ପାଦନା]- M. Acharya, M. Barad, S. Bhalani, P. Bilgi, M. Panchal, V. Shrimali, W. Solanki, D.M. Thumber. Kanha Chronicle. Centre for Environment Education, Ahmedabad in collaboration with the United States National Park Service.