ଦଶାଶ୍ୱମେଧ ଘାଟ

ଉଇକିପିଡ଼ିଆ ରୁ
Jump to navigation Jump to search
ଦଶାଶ୍ୱମେଧ ଘାଟ
Dasaswamedh Ghat.jpg
ଭୌଗୋଳିକ ଅବସ୍ଥିତି
ଦେଶଭାରତ

ଦଶାଶ୍ୱମେଧ ଘାଟ ବୈତରଣୀ ନଦୀକୂଳରେ ଅବସ୍ଥିତ । ଘାଟଟି ଯାଜପୁରସ୍ଥ ବରାହ ମନ୍ଦିର ନିକଟରେ ଅବସ୍ଥିତ । ଏଠାରେ ଯଯାତି ବଂଶର ରାଜା କେଶରୀ ସୁଦୂର କୋୖନୁଜରୁ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ଅଶ୍ୱମେଧ ଯଜ୍ଞ କରାଇଥିଲେ ବୋଲି ବିଶ୍ୱାସ କରାଯାଏ ।[୧] ପୂର୍ବପୁରୁଷଙ୍କୁ ପିଣ୍ଡଦାନ ଏବଂ ଅସ୍ଥିବିସର୍ଜନ ନିମନ୍ତେ ଏହି ସ୍ଥାନର ଅନେକ ମାହାତ୍ମ୍ୟ ରହିଛି ।[୨]

ବିବରଣୀ[ସମ୍ପାଦନା]

ଘାଟ ଚାରିପାର୍ଶ୍ୱରେ ଅନେକ ମନ୍ଦିର ରହିଛି । ସପ୍ତମାତୃକା ପୀଠଟି ଯାଜପୁରର ବୈତରଣୀ ନଦୀ ତଟ ଦଶାଶ୍ୱମେଧ ଘାଟ ନିକଟରେ ଅବସ୍ଥିତ । ବୈତରଣୀ ନଦୀ ତଟରେ ଥିବା ଏହି ଘାଟଟି ଯଯାତି କେଶରୀଙ୍କ କୀର୍ତ୍ତି ଅଟେ । ଏହି ଘାଟ ନିକଟରେ ବାରୁଣୀ ସ୍ନାନର ଯୋଗ ପଡ଼ୁଥିବାରୁ ଏଠାରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ଦଶାଶ୍ୱମେଧ ଘାଟ ଉପରେ ଅବସ୍ଥିତ ସପ୍ତମାତୃକା ମନ୍ଦିରରେ ଥିବା ମାତୃକାମାନେ ହେଲେ ଚାମୁଣ୍ଡା, ବାରାହୀ, ଇନ୍ଦ୍ରାଣୀ, ବୈଷ୍ଣବୀ, ବ୍ରହ୍ମୀ, କୌମାରୀ, ମାହେଶ୍ୱରୀ, ନରସିଂହୀ । ଦେବୀ ଚାମୁଣ୍ଡା ପ୍ରେତାସନା । ତାଙ୍କ ପାଦ ତଳେ ଗୋଟିଏ ପ୍ରେତ ବିଦ୍ୟମାନ । ଏହି ଦେବୀ ଚଣ୍ଡ ଓ ମୁଣ୍ଡକୁ ବଧ କରିଥିବାରୁ ତାଙ୍କର ନାମ ଚାମୁଣ୍ଡା । ତା’ପରେ ବିଦ୍ୟମାନ ଅଛନ୍ତି ଦେବୀ ବରାହୀ । ଏହି ଦେବୀ ରକ୍ତବୀର୍ଯ୍ୟ ବଧ ସମୟରେ ଦୁର୍ଗାଙ୍କ ଶରୀରରୁ ଆବିର୍ଭାବ ହୋଇଥିଲେ । ଏହି ଦେବୀ ମଇଁଷି ବାହିନୀ । ତାଙ୍କ ପାଦ ତଳେ ମଇଁଷି ରହିଛି । ତାଙ୍କ ପାର୍ଶ୍ୱରେ ବିଦ୍ୟମାନ ଥିବା ଦେବୀଙ୍କ ନାମ ଇନ୍ଦ୍ରାଣୀ ଶକ୍ତି । ତାଙ୍କ ପାଦ ପାଖରେ ଗଜଟିଏ ଅଛି । ଇନ୍ଦ୍ରଙ୍କର ଶକ୍ତି ସ୍ୱରୂପ ଏହି ଦେବୀ ବଜ୍ର ଧରି ରଣକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ଚତୁର୍ଥ ସ୍ଥାନରେ ଥିବା ମାତୃକା ବୈଷ୍ଣବୀ ନାମରେ ପରିଚିତ । ଏହି ଦେବୀଙ୍କ ବାହାନ ହେଉଛନ୍ତି ଗରୁଡ଼ । ତାଙ୍କ ପାଖରେ ପୂଜା ପାଉଥିବା ମୂର୍ତ୍ତି ହେଉଛନ୍ତି ବ୍ରାହ୍ମୀ, ଯାହାଙ୍କର ବାହାନ ହେଉଛନ୍ତି ହଂସ । ଷଷ୍ଠ ସ୍ଥାନରେ ରହିଛନ୍ତି କୌମାରୀ । ଏହି ଦେବୀ କାର୍ତ୍ତିକେୟଙ୍କ ଶକ୍ତିକୁ ଧାରଣ କରି ମୟୂର ବାହାନରେ ଯୁଦ୍ଧ କରିଥିଲେ । ତେଣୁ ତାଙ୍କ ପାଦ ତଳେ ମୟୂର ଶୋଭା ପାଉଛି । ସପ୍ତମ ସ୍ଥାନରେ ଥିବା ମାତୃକା ଦେବୀ ହେଲେ ମା’ ମାହେଶ୍ୱରୀ । ତାଙ୍କର ବାହାନ ହେଉଛି ବୃଷଭ । ସର୍ବୋତ୍ତମ ତ୍ରିଶୂଳ ଧାରିଣୀ ସର୍ପରାଜ ବାସୁକୀଙ୍କୁ ବଳୟ କରି କର କଙ୍କଣ ରୂପେ ଧାରଣ କରି ମା’ ସେଠାରେ ବିରାଜମାନ । ଶେଷରେ ନରସିଂହଙ୍କ ଶକ୍ତି ନରସିଂହୀ ନୃସିଂହଙ୍କ ପରି ଭୟଙ୍କର ଶରୀର ଧାରଣ କରି ସେଠାରେ ଅଛନ୍ତି । ଦଶାଶ୍ୱମେଧ ଘାଟ ଉପରେ ଜଗନ୍ନାଥ ମନ୍ଦିର ତଥା ତା’ର ଉତ୍ତର ଦିଗରେ ସିଦ୍ଧି ଗଣେଶଙ୍କର ମନ୍ଦିର ଅବସ୍ଥିତ ।

Shiba-parbati idol.jpg

ଏହି ମନ୍ଦିରର ମୁଖ ଉତ୍ତର ଦିଗକୁ ଥିବା ବେଳେ ଗଣେଶଙ୍କର ମୁଖ ମଧ୍ୟ ଉତ୍ତରକୁ ଅଛି । ଏପରି ବିଶାଳକାୟ ଗଣେଶ ମୂର୍ତ୍ତି ଓଡ଼ିଶାରେ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ । ଏହି ମୁକ୍ତିଦାତା ଗଣେଶଙ୍କୁ ଦର୍ଶନ କଲେ ସମସ୍ତ ବିଘ୍ନ ବିନାଶ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଗଣେଶ ମନ୍ଦିରର ପଶ୍ଚିମ ପାଖରେ ଜଗନ୍ନାଥ ବେଢାରୁ ଉତ୍ତର ଦ୍ୱାର ଦେଇ ଆସିଲେ ପାଞ୍ଚ ପାବଚ୍ଛ ପଡ଼େ । ସେଠାରେ ଯେଉଁ ଚାରିକୋଣିଆ ବେଦୀ ଦେଖିବାକୁ ମିଳେ, ତାକୁ ଅନ୍ତର୍ବେଦୀ କୁହାଯାଏ ।ଏହି ବେଦୀରେ ମୃତ୍ୟୁଶଯ୍ୟାରେ ଶୋଇଥିବା ବ୍ୟକ୍ତିକୁ ଶୁଆଇ ଦେଇ ତାକୁ ମନ୍ତ୍ରଜଳ ପିଆଇଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ଜନମାନସରେ ବିଶ୍ୱାସ ରହିଛି । ସବୁ ସମୟରେ ଏହା ସମ୍ଭବ ହେଉନଥିବାରୁ ଶବଦାହ ପାଇଁ ଶ୍ମଶାନକୁ ନେବା ସମୟରେ ସେହି ବେଦୀକୁ ସ୍ପର୍ଶ କରାଇ ନିଆଯାଏ । ଦେହାନ୍ତ ସମୟରେ ଏହି ବେଦୀରେ ପ୍ରାଣ ଯାଏ ବୋଲି ଏହାର ନାମ ଅନ୍ତର୍ବେଦୀ । ପୁଷ୍କର ତୀର୍ଥରେ ବ୍ରହ୍ମା ପୂଜା ପାଇବା ଭଳି ବାରୁଣୀ ପଡ଼ିଆରେ ଶ୍ରୀବରାହ ଭଗବାନ ପୂଜା ପାଉଛନ୍ତି । ଭାରତବର୍ଷରେ ଅନ୍ୟ କେଉଁଠାରେ ବରାହ ଉପାସନା ଦେଖିବାକୁ ମିଳେ ନାହିଁ । ବାରୁଣୀ ସ୍ନାନ ବୁଡ଼ ଦେଇ ଭକ୍ତମାନେ ସେଦିନ ବରାହ ଦର୍ଶନ କରିଥାନ୍ତି । ଏହା କରିବାଦ୍ୱାରା ବିଭିନ୍ନ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।[୩]

ଆଧାର[ସମ୍ପାଦନା]

  1. http://www.harekrsna.com/sun/features/01-07/features542.htm
  2. https://www.dailypioneer.com/2017/state-editions/thousands-offer-pindas-at-baitarani-in-jajpur.html
  3. ନାରାୟଣ କୁମାର ରାଉତରାୟ, ସଂଚାର, ପୃଷ୍ଠା- ୧୪, ଶନିବାର ୨୭ ଜୁଲାଇ ୨୦୧୩