ଗାନ୍ଧୀଜୀଙ୍କର ଓଡ଼ିଶା ଗସ୍ତ

ଉଇକିପିଡ଼ିଆ‌ରୁ

ମହାତ୍ମା ଗାନ୍ଧୀ, ୧୯୨୧ ମସିହାରୁ ୧୯୪୬ ମସିହା ମଧ୍ୟରେ ୮ଥର ଓଡ଼ିଶା ଗସ୍ତରେ ଆସିଥିଲେ ।[୧][୨]

ପ୍ରଥମ ଗସ୍ତ (୨୩ ମାର୍ଚ୍ଚ ୧୯୨୧ - ୨୯ ମାର୍ଚ୍ଚ ୧୯୨୧)[ସମ୍ପାଦନା]

୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ କଟକରେ ପହଞ୍ଚିଥିଲେ । ମାର୍ଚ୍ଚ ୨୪ ତାରିଖ ଦିନ ସେ କଟକର କଦମ-ଏ-ରସୁଲଠାରେ ଏକ ସଭାରେ ଯୋଗ ଦେଇଥିଲେ । ଏଠାରେ ସେ ଜନସାଧାରଣଙ୍କୁ ଅସହଯୋଗ ଆନ୍ଦୋଳନ ବାବଦରେ ବୁଝାଇଥିଲେ । ସେ ବିନୋଦ-ବିହାରୀଠାରେ ଓ କାଠଯୋଡ଼ି ନଦୀପଠାରେ ଏକ ମହିଳାମାନଙ୍କ ସମାବେଶରେ ଉଦବୋଧନ ଦେଇଥିଲେ । ମାର୍ଚ୍ଚ ୨୫ତାରିଖରେ ସେ ଭଦ୍ରକର ଗାନ୍ଧୀ ପଡ଼ିଆଠାରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ସେହିଦିନ ସେ ସତ୍ୟବାଦୀ ବନ ବିଦ୍ୟାଳୟ ଗସ୍ତରେ ମଧ୍ୟ ଯାଇଥିଲେ । ସନ୍ଧ୍ୟାରେ ସେ ପୁରୀ ଚାଲି ଯାଇଥିଲେ । ମାର୍ଚ୍ଚ ୨୭ତାରିଖରେ ସେ ପୁରୀରେ ଏକ ସମାବେଶରେ ଭାରତର ସ୍ୱାଧୀନତା ସଂଗ୍ରାମ ବିଷୟରେ ଲୋକଙ୍କୁ ବୁଝାଇଥିଲେ । ମାର୍ଚ୍ଚ ୨୯ତାରିଖରେ ସେ ଗୋପବନ୍ଧୁ ଦାସଙ୍କ ସହ ବ୍ରହ୍ମପୁର ଗସ୍ତରେ ଯାଇ ବ୍ରହ୍ମପୁର ଷ୍ଟାଡ଼ିୟମରେ ଲୋକଙ୍କୁ ସମ୍ବୋଧନ କରିଥିଲେ । ୨୯ ମାର୍ଚ୍ଚ ଦିନ ହିଁ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୨୦୨୧ ମସିହାରେ ଗାନ୍ଧୀଜୀଙ୍କର ଏହି ପ୍ରଥମ ଗସ୍ତର ଶତବାର୍ଷିକୀ ପାଳନ କରାଯାଇଥିଲା ।[୩][୪]

ଦ୍ୱିତୀୟ ଗସ୍ତ (୧୯ ଅଗଷ୍ଟ ୧୯୨୫ - ୨୦ ଅଗଷ୍ଟ ୧୯୨୫)[ସମ୍ପାଦନା]

ଏହି ଗସ୍ତରେ ଗାନ୍ଧୀଜୀ ମଧୁସୂଦନ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀକୁ ବୁଲି ଦେଖିଥିଲେ । କଟକରେ ଅନ୍ୟ ସ୍ଥାନ ମଧ୍ୟ ସେ ଏହି ଗସ୍ତମଧ୍ୟରେ ବୁଲିଥିଲେ । ଅଗଷ୍ଟ ୨୦ ତାରିଖ ସନ୍ଧ୍ୟାରେ ସେ ଓଡ଼ିଶା ଗସ୍ତ ସାରି କଲିକତା ଚାଲି ଯାଇଥିଲେ ।

ତୃତୀୟ ଗସ୍ତ (୪ ଡିସେମ୍ବର ୧୯୨୭ - ୨୧ ଡିସେମ୍ବର ୧୯୨୭)[ସମ୍ପାଦନା]

ଏହି ଗସ୍ତରେ ଗାନ୍ଧୀଜୀ ଖଦିର ମହତ୍ତ୍ୱ ବାବଦରେ ଲୋକଙ୍କୁ ବୁଝାଇଥିଲେ । ବ୍ରହ୍ମପୁର ଓ ଅନ୍ୟାନ୍ୟ କେତେକ ସ୍ଥାନର ଖଦି ବୁଣା କେନ୍ଦ୍ରମାନ ବୁଲି ଦେଇଥିଲେ । ସେ ଭଦ୍ରକ ଜିଲ୍ଲାର ବନ୍ୟାପ୍ଲାବିତ ସ୍ଥାନ ବୁଲି ଦେଖିଥିଲେ । ଅତ୍ୟଧିକ ଭ୍ରମଣ ଯୋଗୁ ସେ ଏହି ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ଓ ବହୁତ ସମୟ ଘର ଭିତରେ ରହିଥିଲେ । ଡିସେମ୍ବର ୨୦ ତାରିଖରେ ସେ କଟକରେ ଏକ ସଭାରେ ଯୋଗଦେଇଥିଲେ । ଡିସେମ୍ବର ୨୧ ତାରିଖରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଚତୁର୍ଥ ଗସ୍ତ (ଡିସେମ୍ବର ୧୯୨୮ )[ସମ୍ପାଦନା]

୧୯୨୮ ମସିହା ଡିସେମ୍ବର ମାସରେ ଗାନ୍ଧୀଜୀ କଲିକତା ଯାଉଥିବା ସମୟରେ ଝାରସୁଗୁଡ଼ାଠାରେ ଟ୍ରେନରୁ ଓହ୍ଲେଇ ପଡ଼ିଥିଲେ । ସେଠାରେ ଏକ ଜନସମାବେଶକୁ ସେ ଉଦବୋଧନ ଦେଇଥିଲେ । ସେଠାରୁ ସେ ସମ୍ବଲପୁର ଗସ୍ତ କରିଥିଲେ । ସମ୍ବଲପୁରରେ ମହାନଦୀ କୂଳରେ ସେ ଜନସାଧାରଣଙ୍କୁ ଭେଟି ତାଙ୍କ ଦୁଃଖ ଅସୁବିଧା ବାବଦରେ ଅବଗତ ହୋଇଥିଲେ ।

ପଞ୍ଚମ ଗସ୍ତ (୫ ମଇ ୧୯୩୪ - ୧୬ ମଇ ୧୯୩୪ )[ସମ୍ପାଦନା]

ଏହି ଗସ୍ତରେ ଗାନ୍ଧୀଜୀ ଓଡ଼ିଶାରେ ପଦଯାତ୍ରା କରିଥିଲେ । ମଇ ୫ ତାରିଖରେ ସେ ଝାରସୁଗୁଡ଼ା ଓ ସମ୍ବଲପୁରଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ଏଥିରେ ସେ ଅସ୍ପୃଶ୍ୟତା ବିରୋଧରେ ସେମାନଙ୍କୁ ଜାଗ୍ରତ କରିଥିଲେ । ତହିଁ ପରଦିନ ସେ ଅନୁଗୋଳ ଅଭିମୁଖେ କାରଯାତ୍ରା କରିଥିଲେ । ମଇ ମାସ ୭ ତାରିଖରେ ସେ ପୁରୀରେ ପହଞ୍ଚିଥିଲେ । ମଇ ମାସ ୮ ତାରିଖରେ ସେ ପୁରୀଠାରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କର ଏକ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ପରେ ପୁରୀରୁ କଟକ ଅଭିମୁଖେ ସେ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରା ମଧ୍ୟରେ ସେ କାଦୁଆ ଆଶ୍ରମ, ସତ୍ୟଭାମାପୁରବାଲିଅନ୍ତାଠାରେ ବିଶ୍ରାମ ନେଇଥିଲେ ଓ ଜନସାଧାରଣଙ୍କୁ ସମ୍ବୋଦିତ କରିଥିଲେ । ୧୬ ମଇ ଦିନ ସେ ପାଟଣା ଅଭିମୁଖେ ଯାତ୍ରାରମ୍ଭ କରିଥିଲେ ।

ଷଷ୍ଠ ଗସ୍ତ (୨୧ ମଇ ୧୯୩୪ - ୭ ଜୁନ ୧୯୩୪ )[ସମ୍ପାଦନା]

ଗାନ୍ଧୀଜୀ ନିଜର ପଦଯାତ୍ରା କାର୍ଯ୍ୟକ୍ରମ ଜାରିରଖି ମଇ ମାସ ୨୧ ତାରିଖ ଦିନ ପୁଣି ଓଡ଼ିଶା ଆସିଥିଲେ । ଯାଜପୁର ଜିଲ୍ଲାର ବୈରୀଠାରୁ ନିଜର ପଦଯାତ୍ରା ଆରମ୍ଭ କରି ସେ କଟକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ବରୀ, କବୀରପୁର ଓ ଭଦ୍ରକ ଜିଲ୍ଲାର ଅନେକ ସ୍ଥାନ ଗସ୍ତ କରିଥିଲେ ।

ସପ୍ତମ ଗସ୍ତ (୨୫ ମାର୍ଚ୍ଚ ୧୯୩୮ - ୩୧ ମାର୍ଚ୍ଚ ୧୯୩୮ )[ସମ୍ପାଦନା]

ଏହି ଗସ୍ତ ସମୟରେ ଗାନ୍ଧୀଜୀ ଗାନ୍ଧୀ ସେବା ସଂଘ ଆନୁକୁଲ୍ୟରେ ଏକ ସପ୍ତାହବ୍ୟାପୀ ଆଲୋଚନାଚକ୍ରରେ ଭାଗନେଇଥିଲେ । ପୁରୀ ଜିଲ୍ଲାର ଡେଲାଙ୍ଗ ଅନ୍ତର୍ଗତ ବେରାବୋଈଠାରେ ଏକ କୃଷି ଓ ଗ୍ରାମ୍ୟ ଭିତ୍ତିକ ପ୍ରଦର୍ଶନୀ ସେ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀକୁ ଗାନ୍ଧୀଜୀଙ୍କ ସହିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲରାଜେନ୍ଦ୍ର ପ୍ରସାଦ ମଧ୍ୟ ବୁଲି ଦେଖିଥିଲେ ।

ଅଷ୍ଟମ ଗସ୍ତ (୨୦ ଜାନୁଆରୀ ୧୯୪୬ )[ସମ୍ପାଦନା]

ଚେନ୍ନାଇ ଅଭିମୁଖେ ଯାଉଥିବା ସମୟରେ ଗାନ୍ଧୀଜୀ ଏହି ଗସ୍ତ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ମପୁରଠାରେ ନିଜ ସମର୍ଥକମାନଙ୍କୁ ଭେଟିଥିଲେ । ସେହି ଷ୍ଟେସନ ଗୁଡ଼ିକରେ ପ୍ରବଳ ଜନସମାଗମ ହୋଇଥିଲା ।[୫][୬]

ଆଧାର[ସମ୍ପାଦନା]

  1. "Odisha celebrates 100th year of Mahatma's visit to Odisga". www.orissapost.com. orissapost.com. Archived from the original on 3 October 2021. Retrieved 3 October 2021.
  2. "Gandhiji & Odisha". www.orissadiary.com. orissadiary.com. Archived from the original on 3 October 2021. Retrieved 3 October 2021. {{cite web}}: |archive-date= / |archive-url= timestamp mismatch; 16 ଜୁଲାଇ 2021 suggested (help)
  3. "Here Is The List Of Gandhiji's Visits To Odisha Beginning On This Day 100 Years Ago". www.odishatv.in. Odisha TV. Archived from the original on 3 October 2021. Retrieved 3 October 2021.
  4. "Centennial anniversary of Mahatma Gandhi's first visit to Odisha observed". www.newindianexpress.com. The Indian Express. Archived from the original on 3 October 2021. Retrieved 3 October 2021.
  5. "Mahatma Gandhi visited Odisha eight times Read more at: timesofindia.indiatimes.com/articleshow/85796958.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 3 October 2021. Retrieved 3 October 2021. {{cite web}}: |archive-date= / |archive-url= timestamp mismatch; 2 ଅକ୍ଟୋବର 2021 suggested (help)
  6. "Gandhi first visited Odisha 100 years ago". www.dailypioneer.com. dailypioneer.com. Archived from the original on 3 October 2021. Retrieved 3 October 2021.