ହଳଦୀ

ଉଇକିପିଡ଼ିଆ ରୁ
ହଳଦୀ
Curcuma longa
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Monocots
(unranked): Commelinids
ଗଣ: Zingiberales
କୁଳ: Zingiberaceae
ପ୍ରଜାତି: Curcuma
ଜାତି: C. longa
ବାଇନୋମିଆଲ ନାଆଁ
Curcuma longa
Linnaeus[୧]

ହଳଦୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ତିନିପ୍ରକାରର, ସାଧାରଣ ହଳଦୀ, କର୍ପୂର ହଳଦୀ ଓ ବଣ ହଳଦୀ । ଏହାଛଡ଼ା ଦାରୁ ହଳଦୀ ନାମରେ ଆଉ ଏକ ପ୍ରକାର ହଳଦୀ ମଧ୍ୟ ରହିଛି, ଯାହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଦାରୁହଳଦୀର ଗୁଣ ଏହାଠାରୁ ପୃଥକ୍। ହଳଦୀ ଗଛ ଦେଖିବାକୁ ଗଦଗଛ ପରି ଓ ପତ୍ର ମଧ୍ୟ ଗଦ ପତ୍ର ପରି। ସାରୁ ଫଳିଲାପ୍ରାୟ ଏହା ମାଟି ତଳେ ଫଳିଥାଏ । ପତ୍ରକୁ ମକଚି ଶୁଙ୍ଘିଲେ ହଳଦୀ ପରି ବାସ୍ନା ହୁଏ । ଓଡ଼ିଶାର କନ୍ଧମାଳରେ ଚାଷ ହେଉଥିବା ହଳଦୀ ଗୁଣ ଓ ରଙ୍ଗପାଇଁ ପ୍ରସିଦ୍ଧ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ହଳଦୀ
ସଂସ୍କୃତ ହରିଦ୍ରା, ନିଶା, ରଜନୀ, ହରବିଳାସିନୀ, ପୀତା, ଯୋଷିତ ପ୍ରିୟା, କାଞ୍ଚନୀ, ବରବର୍ଣ୍ଣନୀ, କୃମିଘ୍ନା, ବର୍ଣ୍ଣପ୍ରସାଧିନୀ, ମାଙ୍ଗଲ୍ୟା ଓ ଲକ୍ଷ୍ମୀ ସନ୍ତୋଷିଣୀ
ହିନ୍ଦୀ ହଲଦୀ हलदी
ତେଲୁଗୁ ପଶୁପଚେଟ୍ଟୁ పశుపచేట్టు
ବଙ୍ଗଳା ହଲୁଦ হলুদ

ଇଂରାଜୀରେ Turmeric

ହଳଦୀ ଗଛ, ପତ୍ରଗୁଡ଼ିକ ବଡ଼ ବଡ଼

ହଳଦି ଚାଷ[ସମ୍ପାଦନା]

ହଳଦିର ବୈଜ୍ଞାନିକ ନାମ, "କୁରକୁମାଲଙ୍ଗା"। ଏହା ଅଦା ପରିବାର ଅର୍ଥାତ ଜିଞ୍ଜି ବରେସି ପରିବାରର ଗୁଳ୍ମ। ଏକ ଭୁନିମ୍ନସ୍ଥ କନ୍ଦ ( rhizome) ବା ଏକ ରୂପାନ୍ତରିତ କାଣ୍ଡରୁ ଏହି ଉଦ୍ଭିଦ ଜନ୍ମିଥାଏ । ଅତିବେଶୀରେ ୪ ଫୁ ଟ ପର୍ଯ୍ୟନ୍ତ ଉଚ୍ଚତାରେ ବଢୁଥିବା ଏହି ପାଦପର ଏକ କ୍ଷୁଦ୍ର କାଣ୍ଡ ଓ ସେଥିରୁ ଗୋଛାଏ ସିଧା ପତ୍ର ବାହାରିଥାଏ । ପତ୍ର ଫୁଟେରୁ ଅଧିକ ଦୈର୍ଘ୍ୟ ଓ ୪-୫ ଇଞ୍ଚ ପ୍ରସ୍ଥ ବିଶିଷ୍ଟ । ସମାନ୍ତରାଳ ଶିରାବିନ୍ୟାସ । ଧଳା ଓ ଆଂଶିକ ହଳଦିଆ ରଙ୍ଗର ଫୁଲଗୁଡ଼ିକ ଏକ ସ୍ତବକରୁ ବାହାରିଥାଆନ୍ତି । ଏହାର ଫଳ ହୋଇନଥାଏ । କନ୍ଦରୁ ହିଁ ବଂଶବିସ୍ତାର ହୋଇଥାଏ । ଏହି କନ୍ଦକୁ ଆମେ ହଳଦି ଆକାରରେ ବ୍ୟବହାର କରିଥାଉ। ବିଷୁବ ମଣ୍ଡଳୀୟ ଦକ୍ଷିଣ ଏସିଆ ମୁଖ୍ୟତଃ ଭାରତ ହିଁ ହଳଦିର ଆଦି ଜନ୍ମଭୂମି।ଅବଶ୍ୟ ଆମ ଦେଶକୁ ବାଦଦେଲେ ଶ୍ରୀଲଙ୍କା, ଚୀନ, ଜାଭା, ଅଷ୍ଟ୍ରେଲିଆ, ପେରୁ ଏବଂ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ ରେ ହଳଦିଚାଷ କରାଯାଏ । କିନ୍ତୁ ସାରା ପୃଥିବୀର ହଳଦି ଉତ୍ପାଦନର ପାଖାପାଖି ୯୦ ଭାଗ ଅର୍ଥାତ ୧ ଲକ୍ଷ ଟନ ପରିମାଣର ହଳଦି ଆମ ଦେଶରେ ଉତ୍ପନ୍ନ ହେବା ସହିତ ଏହାର ୮୦ ପ୍ରତିଶତ ନିଜ ଦେଶ ମଧ୍ୟରେ ବ୍ୟବହୃତ ହୋଇଥାଏ। ଆମ ରାଜ୍ୟର ଫୁଲବାଣୀ ଓ କନ୍ଧମାଳ ଜିଲ୍ଲାରେ ପ୍ରଚୁର ହଳଦି ଚାଷ କରାଯାଇଥାଏ ।

ହଳଦିରେ ଥିବା ଜୈବରାସାୟନିକ ପଦାର୍ଥ[୨][ସମ୍ପାଦନା]

"କୁରକୁମିନ୍" ନାମରେ ଏକ ହଳଦିଆ ରଙ୍ଗର ବର୍ଣ୍ଣକ ବା ରଞ୍ଜକ ହଳଦିର ପ୍ରମୁଖ ଉପାଦାନ। ଏଥିସହିତ ଥାଏ ଏକ ସୁବାସିତ ଉଦବାୟୀ ତୈଳ। ସେଥିପାଇଁ ହଳଦିପତ୍ରରେ ଗୁଡ଼ାଇ ଏଣ୍ଡୁରୀ ପିଠା ତିଆରି କଲେ ସେଥିରୁ ଏକ ଆମୋଦିତ କ୍ଷୁଧାଉଦ୍ରେକ କାରୀ ବାସ୍ନା ବାହାରିଥାଏ।

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଟୁ ମିଶ୍ରିତ ତିକ୍ତ ରସ। ଶୀତଳ, ଶାନ୍ତି କାରକ, ବର୍ଣ୍ଣ ବର୍ଦ୍ଧକ, ରକ୍ତ ପରିଷ୍କାରକ, ଦାହ ନିବାରକ, ନିଦ୍ରାକର, କୃମି ବିନାଶକ, ଚର୍ମଦୋଷ ନାଶକ, ରକ୍ତଦୃଷ୍ଟି, ପିତ୍ତଜ ଦୋଷ, ବମନ, ବାତଜ ରୋଗ ନାଶକ ଓ ବିଷ ବିନାଶକ। ମାତ୍ରା ଚାରି ଅଣାରୁ ଏକ ଭରି। ବାହ୍ୟ ବ୍ୟବହାର ଆବଶ୍ୟକତା ଅନୁସାରେ କରା ଯାଇଥାଏ।

ହଳଦୀ ଫୁଲ

ବ୍ୟବହାର[ସମ୍ପାଦନା]

ଔଷଧୀୟ[ସମ୍ପାଦନା]

ହଳଦୀ ଖଣ୍ଡ

ଏହାର ମୂଳକୁ ମୁଖ୍ୟତଃ ଔଷଧ ରୂପରେ ବ୍ୟବହାର କରାଯାଏ । ହଳଦୀ ଗଛର ଏହି ଚେରକୁ ହିଁ ହଳଦୀ କୁହାଯାଏ, ଯାହା କଞ୍ଚା ଓ ଶୁଖାଇ ବ୍ୟବହାର କରାଯାଏ ।

  • ପିଲା ହେଉ କି ବୁଢ଼ା ପ୍ରତିଦିନ କିଛି କିଛି କଞ୍ଚା ହଳଦୀ ରସ ପାନ କଲେ ଦେହର କାନ୍ତି ବୃଦ୍ଧି ହୁଏ ଓ ଦେହରୁ ରୋଗ ଦୂର ହୁଏ। ବଟା ହଳଦୀ ଦେହରେ ଲଗାଇଲେ କୌଣସି ଚର୍ମରୋଗ ହୁଏ ନାହିଁ ଓ ରାତିରେ ଶୋଇବା ଆଗରୁ ଲଗାଇ ଶୋଇଲେ ଭଲ ନିଦ ହୁଏ ।
  • ମେହ ରୋଗରେ ବରକ୍ଷୀର ସହିତ ହଳଦୀ ଗୁଣ୍ଡ ମିଶାଇ ସେବନ କଲେ ଉପକାର ମିଳେ ।
  • ଶୀତପିତ୍ତ, ପିତ୍ତଜ ରୋଗ ଓ ଆମବାତରେ କଞ୍ଚା ହଳଦୀ ରସ ଗୁଡ଼ ସହିତ ସେବନ କଲେ ଲାଭ ମିଳେ ।
  • ଯାବତୀୟ ଚର୍ମରୋଗ ଯଥା, ବ୍ରଣ, ବଥ, ବାଗୀ, ଭଗନ୍ଦର, ମଚଳା ଆଦିରେ ହଳଦୀଗୁଣ୍ଡକୁ ଅଥବା କଞ୍ଚା ହଳଦୀ ରସକୁ ଗୋମୂତ୍ରସହିତ ସେବନ କରାଯାଏ। ବଟା ହଳଦୀ ସହିତ ନିମ୍ବପତ୍ର ବାଟି ଦେହରେ ମାରିଲେ ମଧ୍ୟ ଅନେକ ପ୍ରକାରର ଚର୍ମରୋଗ ଓ କୃମିରେ ଉପକାର ମିଳେ । ଚର୍ମରୋଗରେ ମଧ୍ୟ ହଳଦୀ ଓ ଦୁବ ଏ ଦୁଇ ଦ୍ରବ୍ୟକୁ ବାଟି ଲଗାଯାଏ ।
ହଳଦୀ ଗୁଣ୍ଡ
  • ସ୍ଥାବର ଓ ଜଙ୍ଗମ ଉଭୟ ପ୍ରକାର ବିଷ ନାଶ କରିବା ପାଇଁ ବଟା ହଳଦୀକୁ ଗାଈଘିଅ ସହିତ ସେବନ କରାଯାଏ। ସର୍ପବିଷ ନାଶ ପାଇଁ ବଟା ହଳଦୀକୁ ଗାଈଘିଅ, ମହୁସୈନ୍ଧବ ଲବଣ ମିଶାଇ ସେବନ କରାଯାଏ । ଜୋକ ବିଷ ନିବାରଣାର୍ଥେ ବଟାହଳଦୀ ଓ ଲୁଣର ସ୍ଥାନୀୟ ପ୍ରୟୋଗ କରାଯାଏ ।
  • ହାଡ଼ ଭଙ୍ଗାରେ ବଟା ହଳଦୀ ସହିତ ଚୂନ ମିଶାଇ ଗରମ କରି ଲଗାଯାଏ ।
  • ଉଦରସ୍ଥ ଓ ବାହ୍ୟ ବିଷକୁ ବିନାଶ କରିବାପାଇଁ ହଳଦୀ ଓ ଗୋଲ ମରିଚକୁ ଜଳରେ ସିଝାଇ ଛାଣି ପାନ କରାଯାଏ। ଏହାଛଡା ଏଥିପାଇଁ ବଟାହଳଦୀକୁ ଦେହରେ ବୋଳିଦିଆଯାଏ ଓ ପାଣିରେ ଗୋଳାଇ ପାନ କରାଯାଏ ।
  • ପରିସ୍କାର ଧୋବକନାକୁ ବଟା ହଳଦୀ ଗୋଳା ଜଳରେ ଭେଦାଇ ଚିପୁଡ଼ି ଆଖି ଉପରେ ରଖିଲେ ଓ ଆଖି ପୋଛିଲେ ଆଖି ଧରାରେ ଉପକାର ମିଳେ ।

ଅନ୍ୟାନ୍ୟ[ସମ୍ପାଦନା]

  • ହଳଦୀକୁ ଏକ ମସଲା ରୂପେ ବ୍ୟବହାର କରାଯାଏ । ଭାରତରେ ଏହା ଏକ ଲୋକପ୍ରିୟ ମସଲା । ଏହା ବ୍ୟଞ୍ଜନର ରଙ୍ଗକୁ ଅଧିକ ଆକର୍ଷକ କରିଥାଏ।
  • ଦକ୍ଷିଣ ଭାରତୀୟ ରାନ୍ଧଣାରେ ହଳଦୀ ଗୁଣ୍ଡର ବହୁଳ ପ୍ରୟୋଗ ହୋଇଥାଏ । ସମ୍ବର ମସଲାର ଏହା ଏକ ଉପାଦାନ ।
  • ଚାଉଳ ସହିତ ହଳଦୀ ଓ ଶୁଖିଲା ଲଙ୍କା ମିଶାଇ ରଖିଲେ ସେଥିରେ ପୋକ ଲାଗନ୍ତି ନାହିଁ ।
  • ମାର୍ଗଶିର ମାସର ପ୍ରଥମାଷ୍ଟମୀ ଦିନ ଓଡ଼ିଶାର ଘରେ ଘରେ ହଳଦୀପତ୍ର ପିଠା ହୁଏ । ଏହି ପିଠା ତା’ର ସ୍ୱତନ୍ତ୍ର ମହକ ପାଇଁ ଓଡ଼ିଶାର ଏକ ପ୍ରସିଦ୍ଧ ବ୍ୟଞ୍ଜନ ଭାବେ ଗଣାଯାଏ ।

ଆଧାର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]