ବୈକୁଣ୍ଠ ଚତୁର୍ଦ୍ଦଶୀ

ଉଇକିପିଡ଼ିଆ ରୁ
ବୈକୁଣ୍ଠ ଚତୁର୍ଦ୍ଦଶୀ
ବୈକୁଣ୍ଠ ଚତୁର୍ଦ୍ଦଶୀ
ଶିବ, ବିଷ୍ଣୁଙ୍କୁ ଚକ୍ର ପ୍ରଦାନ କରୁଥିବାର ଛବି
ପାଳନକାରୀ ହିନ୍ଦୁ
ପ୍ରକାର Hindu
ତାରିଖ କାର୍ତ୍ତିକ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ
ପାଳନ ସବୁ ପ୍ରାର୍ଥନା ଓ ପୂଜା

କାର୍ତ୍ତିକ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀରେ ଭଗବାନ୍ ଶିବ ଏବଂ ଶ୍ରୀହରିଙ୍କ ମିଳନ ହୋଇଥାଏ । ପୌରାଣିକ ମତେ ଚାରିମାସ ପାଇଁ ସୃଷ୍ଟିର ଭାର ଭଗବାନ୍ ବିଷ୍ଣୁଙ୍କୁ ଅର୍ପଣ କରି ଭଗବାନ୍ ଶିବ ହିମାଳୟ ପର୍ବତକୁ ଚାଲିଯାଇଥିଲେ । ଏହିଦିନ ଭଗବାନ୍ ଶିବ ଭଗବାନ୍ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ । ଏହି ଚତୁର୍ଦ୍ଦଶୀରେ ପରମବ୍ରହ୍ମ ଶିବ ଏବଂ ବିଷ୍ଣୁ ଏକ ରୂପରେ ରହିଥାନ୍ତି । ଯେଉଁବ୍ୟକ୍ତି ୧୦୦୦ଟି ପଦ୍ମଫୁଲ ଭଗବାନଙ୍କୁ ଅର୍ପଣ କରିବ ତା'ର କୁଳ ପରିବାର ସହ ବୈକୁଣ୍ଠ ପ୍ରାପ୍ତି ହେବ ବୋଲି ବିଶ୍ଵାସ କରାଯାଏ । ମହାଭାରତ ଯୁଦ୍ଧ ପରେ ଭଗବାନ୍ ଶ୍ରୀକୃଷ୍ଣ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ମୃତ ବ୍ୟକ୍ତିଙ୍କ ଆତ୍ମା ଶାନ୍ତିଲାଗି ଶ୍ରାଦ୍ଧ ତର୍ପଣ ବ୍ୟବସ୍ଥା କରିଥିଲେ । ଏଥିପାଇଁ ଏହିଦିନରେ ତର୍ପଣ କରିବା ମଧ୍ୟ ବଡ଼ ମହତ୍ତ୍ଵ ରହିଛି ।


ଏହିଦିନରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁଙ୍କ ମିଳନ ଉଜ୍ଜୟନୀରେ ହୋଇଥାଏ । ବିଭିନ୍ନ ସ୍ଥାନରେ ହରିହରଙ୍କ ମହାଶୋଭାଯାତ୍ରା ବାହାରି ଶ୍ରୀ ମହାକାଳେଶ୍ଵର ମନ୍ଦିରରେ ଏକତ୍ର ହୋଇଥାନ୍ତି । ଦେବଶୟନୀ ଏକାଦଶୀରୁ ଦେବଉଠନୀ ଏକାଦଶୀ ପର୍ଯ୍ୟନ୍ତ ବିଷ୍ଣୁ ରାଜା ବଳୀଙ୍କ ଠାରେ ବିଶ୍ରାମ କରିବାକୁ ଯାଇଥାନ୍ତି । ଏହି ଚାରିମାସ ଭଗବାନ୍ ଶିବ ସମସ୍ତ ସତ୍ତାକୁ ସମ୍ଭାଳିଥାନ୍ତି । ଏହି ଚାରିମାସରେ କୌଣସି ଶୁଭକାର୍ଯ୍ୟ ହୋଇନଥାଏ । ଚାରିମାସ ପରେ ଅର୍ଥାତ୍ ବୈକୁଣ୍ଠ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ତାଙ୍କର ସମସ୍ତ ସତ୍ତା ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରି ତପସ୍ୟା କରିବା ପାଇଁ କୈଳାସ ପର୍ବତକୁ ଚାଲିଯାଇଥିଲେ । ସେବେଠାରୁ ଏହି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀକୁ ବୈକୁଣ୍ଠ ଚତୁର୍ଦ୍ଦଶୀ ତଥା ହରିହର ମିଳନ ବୋଲି କୁହାଯାଏ ।[୧]

ଆଧାର[ସମ୍ପାଦନା]

  1. ସମୟ, ପୃଷ୍ଠା-୨, ୧୭.୧୧.୨୦୧୩