ବିଲେଇ ଜଗା ଖୁଣ୍ଟିଆ

ଉଇକିପିଡ଼ିଆ‌ରୁ

ବିଲେଇ ଜଗା ଖୁଣ୍ଟିଆ, ଜଗନ୍ନାଥ ମନ୍ଦିରରେ ‘ବିଲେଇ ଜଗା ସେବା’ ପାଇଁ ନିଯୋଜିତ ଥିବା ସେବକ । ଶ୍ରୀଜଗନ୍ନାଥଙ୍କ ଉପାସନା ସହ ଜଡ଼ିତ ରହିଛି ଅନେକ ପୂଜା ବିଧି ଓ ନୀତି। ମହାପ୍ରଭୁଙ୍କର ଛୋଟଛୋଟ କାମପାଇଁ ରହିଛନ୍ତି ଅନେକ ସେବକ । ପ୍ରତିଟି କାର୍ଯ୍ୟକୁ ଧାର୍ଯ୍ୟ ପରମ୍ପରା ଅନୁସାରେ କରାଯାଇଥାଏ । ସେହିପରି ଏକ ସେବା ହେଉଛି ବିଲେଇ ଜଗା ସେବା । ଏହି ସେବା ପାଇଁ ଜଣେ ଖୁଣ୍ଟିଆ ସେବକ ନିୟୋଜିତ ଅଛନ୍ତି ।

କାର୍ଯ୍ୟ[ସମ୍ପାଦନା]

ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପ୍ରତିହାରୀଖୁଣ୍ଟିଆ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ୱରେ ରହନ୍ତି । ଏହି ଦୁଇ ସମ୍ପ୍ରଦାୟ ମଧ୍ୟରୁ ସୁରକ୍ଷା ଦାୟିତ୍ୱ ଭାଗ ଭାଗ କରି ବଣ୍ଟା ଯାଇଛି । ଜଗନ୍ନାଥଙ୍କ ଭୋଗ ସୁରକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ସେବକ ନିୟୋଜିତ ରହିଛନ୍ତି । ଲକ୍ଷ୍ମୀଙ୍କ ରୋଷଘରେ ପ୍ରସ୍ତୁତ ହୁଏ ଜଗନ୍ନାଥଙ୍କ ଭୋଗ । ସେଠାରେ ଭୋଗ ତିଆରି ହୋଇ ରହିଥାଏ । ଏହି ଭୋଗରେ କାଳେ ବିଲେଇ ମୁହଁ ମାରିଦେବ ସେଥପାଇଁ ନଜର ରଖାଯାଏ । ବିଲେଇ ମୁହଁ ମାରିଦେଲେ ଭୋଗ ମାରା ହେବ ଓ ଜଗନ୍ନାଥଙ୍କ ଭୋଗ ସେବନ ସମୟ ଗଡ଼ିଯିବ । ତେଣୁ ଭୋଗରେ ଯେପରି ବିଲେଇ ମୁହଁ ନମାରିବ ବା ଆଖପାଖରେ ଯେମିତି ବିଲେଇ ନଆସିବ ସେଥୁପ୍ରତି ଜଣେ ସେବକ ରହନ୍ତି । ତାଙ୍କୁ କୁହାଯାଏ 'ବିଲେଇ ଜଗା ଖୁଣ୍ଟିଆ' । ଏହି ଖୁଣ୍ଟିଆ ସେବକ ସକାଳୁ ଆସି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିବା ପରେ କାମ ଆରମ୍ଭ କରନ୍ତି । ସେ ଭୋଗ ରୋଷଘରୁ ଆସିବା ବେଳେ ନଜର ଦେବା ସହ ଭୋଗ ଗମ୍ଭୀରା ଭିତରେ ଲାଗିହେବା ପରେ ତାହାକୁ ଜଗି ରହନ୍ତି, କାଳେ ବିଲେଇ ମୁହଁ ମାରିଦେବ । ଭୋଗ ପାଇଁ ଟେରା(ସମ୍ମୁଖ ଭାଗରେ ଏକ କନା ବାନ୍ଧି ଦିଆଯାଏ) ପଡ଼େ । ପୁଣି ଭୋଗ ସରିଲେ ଟେରା ଖୋଲାଯାଏ । ଟେରା ଖୋଲିବା ପର୍ଯ୍ୟନ୍ତ ସେହିଠାରେ ଭୋଗକୁ ଜଗି ରହନ୍ତି । ଏମିତି ବଲ୍ଲଭ ଭୋଗଠାରୁ ବଡ଼ସିଂହାର ଭୋଗ ପର୍ଯ୍ୟନ୍ତ ସବୁ ଭୋଗକୁ ସେ ନିଜ ନଜରରେ ରଖନ୍ତି । ଜଗନ୍ନାଥଙ୍କ ଭୋଗରେ କୌଣସି ପ୍ରକାର ବିଲେଇର ଛାଇ ଯେପରି ନପଡ଼ିବ ସେ ଧ୍ୟାନ ଦେଇଥାନ୍ତି । ସେଥଯାଇଁ ଏହି ସେବାର ନାମ ହେଉଛି ‘ବିଲେଇ ଜଗା ସେବା’ ଓ ସେବକ ହେଉଛନ୍ତି ‘ବିଲେଇ ଜଗା ଖୁଣ୍ଟିଆ' ।[୧]

ଆଧାର[ସମ୍ପାଦନା]

  1. "ବିଲେଇ ଜଗା ଖୁଣ୍ଟିଆ" (PDF). ପ୍ରମେୟ (ପୃଷ୍ଠା-୨). ୨୯ ମେ ୨୦୧୫. Retrieved 12 September 2015. {{cite news}}: Check date values in: |date= (help)[permanent dead link]

ଅଧିକ ତଥ୍ୟ[ସମ୍ପାଦନା]