ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ

Coordinates: 26°01′02″N 76°30′09″E / 26.01733°N 76.50257°E / 26.01733; 76.50257
ଉଇକିପିଡ଼ିଆ‌ରୁ
ରଣଥମ୍ଭୌର ଜାତୀୟ ଉଦ୍ୟାନ
रणथंभौर राष्ट्रीय उद्यान
ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ
IUCN Category II (National Park)
ରନ୍ଥାମ୍ବୋର୍ ଜଙ୍ଗଲରେ ବାଘଟିଏ ସମ୍ବରର ଶିକାର କରୁଛି
Map showing the location of ରଣଥମ୍ଭୌର ଜାତୀୟ ଉଦ୍ୟାନ रणथंभौर राष्ट्रीय उद्यान ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ.
Map showing the location of ରଣଥମ୍ଭୌର ଜାତୀୟ ଉଦ୍ୟାନ रणथंभौर राष्ट्रीय उद्यान ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ.
ଅବସ୍ଥାନସୱାଇ ମାଧୋପୁର, ରାଜସ୍ଥାନ, ଭାରତ
ପାଖ ସହରକୋଟାଜୟପୁର
ଦିଗବାରେଣି26°01′02″N 76°30′09″E / 26.01733°N 76.50257°E / 26.01733; 76.50257
କ୍ଷେତ୍ରଫଳ୨୮୨ ବର୍ଗ କିଲୋମିଟର୍
ସ୍ଥାପିତ୧୯୮୦
ପରିଚାଳନାଭାରତ ସରକାର, ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ବ୍ୟାଘ୍ର ପ୍ରକଳ୍ପ

ରଣଥମ୍ଭୌର୍ ବା ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ (ହିନ୍ଦୀରେ रणथंभौर राष्ट्रीय उद्यान) ଉତ୍ତର-ଭାରତରେସ୍ଥିତ । କ୍ଷେତ୍ରଫଳରେ ଏହା ଭାରତର ୪୦ତମ ଜାତୀୟ ଉଦ୍ୟାନ ଓ ଏହି ଜାତୀୟ ଉଦ୍ୟାନର କ୍ଷେତ୍ରଫଳ ୩୯୨ ବର୍ଗ କି.ମି. । ୧୯୫୫ ମସିହାରେ ଏହି ଅଞ୍ଚଳରେ ପ୍ରଥମେ ଭାରତ ସରକାରଙ୍କଦ୍ୱାରା ସୱାଇ ମାଧୋପୁର ସଂରକ୍ଷିତ ଜଙ୍ଗଲ ଭାବେ ରନ୍ଥାମ୍ବୋର୍ ପ୍ରତିଷ୍ଠା କରାଯାଇଥିଲା ଓ ୧୯୭୩ ମସିହାରେ ବ୍ୟାଘ୍ର ପ୍ରକଳ୍ପଦ୍ୱାରା ଚିହ୍ନିତ ଅଭୟାରଣ୍ୟ ବୋଲି ଘୋଷଣା କରାଗଲା । ୧୯୮୦ ମସିହାରେ ଏହାକୁ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଲା । ୧୯୮୪ ମସିହାରେ ଆଖପାଖର ସୱାଇ ମାଧୋପୁର ଓ କାଲାଦେବୀ ଜଙ୍ଗଲକୁ ଅଭୟାରଣ୍ୟ ଘୋଷଣା କରାଗଲା ଏବଂ ୧୯୯୧ ମସିହାରେ ରନ୍ଥାମ୍ବୋର୍ ସହିତ ଏହି ଦୁଇ ଅଭୟାରଣ୍ୟକୁ ବାଘ ଅଭୟାରଣ୍ୟ ବୋଲି ଘୋଷଣା କରାଗଲା ।

ନିଜର ମହାବଳ ବାଘଙ୍କ ପାଇଁ ରନ୍ଥାମ୍ବୋର୍ ଖୁବ୍ ପ୍ରସିଦ୍ଧ ।[୧] ଜଙ୍ଗଲରେ ମୁକ୍ତଭାବେ ବାଘ କିପରି ରହନ୍ତି ତାହା ଦେଖିବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ । ଦିନବେଳେ ମଧ୍ୟ ରନ୍ଥାମ୍ବୋର୍‍ରେ ବାଘଙ୍କୁ ଦେଖିହେବ । ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରେ ବାଘ ଦେଖିବାର ପ୍ରକୃଷ୍ଟ ସମୟ ହେଉଛି ନଭେମ୍ବରରୁ ନେଇ ମଇ ମାସ ପର୍ଯ୍ୟନ୍ତ । ଜାତୀୟ ଉଦ୍ୟାନର ଅରଣ୍ୟ ମୁଖ୍ୟତଃ ପର୍ଣ୍ଣମୋଚୀ ଓ କେନ୍ଦ୍ରୀୟ ଭାରତର ଅନ୍ୟାନ୍ୟ ଜଙ୍ଗଲ ପରି । ଏଠାରେ କଲରାପତରିଆ ବାଘ, ନୀଳଗାଈ, ବାର୍‍ହା, ସମ୍ବର, ହେଟା ବାଘ, ଭାଲୁ, ହନୁ ମାଙ୍କଡ଼, ପାତି ମାଙ୍କଡ଼, ଗୋମୁହାଁ କୁମ୍ଭୀର [୧][୨] ଓ ଚିତଲ୍ ହରିଣ ଆଦି ଜୀବଙ୍କୁ ତାଙ୍କ ପ୍ରାକୃତିକ ଆବାସସ୍ଥଳୀରେ ଦେଖିହେବ । ଏହି ଅଭୟାରଣ୍ୟରେ ବହୁ ପ୍ରଜାତିର ଗଛ, ବୁଦା, ପକ୍ଷୀ ଓ ସରୀସୃପ ରହିଛନ୍ତି । ଏଠାରେ ଏକ ବରଗଛ ରହିଛି ଯାହା ଭାରତର ସବୁଠାରୁ ବଡ଼ ବରଗଛ ବୋଲି କୁହାଯାଏ ।

ଦକ୍ଷିଣ-ପୂର୍ବ ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାରେସ୍ଥିତ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ କୋଟାଠାରୁ ଉତ୍ତର-ପୂର୍ବ ଦିଗରେ ୧୧୦ କି.ମି. ଓ ଜୟପୁରଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୪୦ କିଲୋମିଟର୍ । ରନ୍ଥାମ୍ବୋର୍‍ର ନିକଟତମ ବିମାନବନ୍ଦର ହେଉଛି ଜୟପୁର । ଜାତୀୟ ଉଦ୍ୟାନଠାରୁ ୧୧ କି.ମି. ଦୂରରେ ସୱାଇ ମାଧୋପୁର ସହର ଅବସ୍ଥିତ । ଏହାହିଁ ଜାତୀୟ ଉଦ୍ୟାନର ନିକଟବର୍ତ୍ତୀ ସହର ତଥା ରେଳ ଷ୍ଟେସନ୍ । ପରବର୍ତ୍ତୀ ନିକଟତମ ରେଳ ଷ୍ଟେସନ୍ ହେଉଛି କୋଟା । ଜାତୀୟ ଉଦ୍ୟାନ ମଧ୍ୟରେ ଐତିହାସିକ ରଣଥମ୍ଭୌର ଦୁର୍ଗ ଅବସ୍ଥିତ ଯାହାର ନାମାନୁସାରେ ଜାୀୟ ଉଦ୍ୟାନଟିର ନାମ ରଖାଯାଇଛି । କୋଟା ଓ ରନ୍ଥାମ୍ବୋର୍ ମଧ୍ୟରେ ଏକ ରାଜପଥ ରହିଛି । ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ଏଠାକାର ମାଳଭୂମିରେ ଓ ବନାସ୍ ଏବଂ ଚମ୍ବଲ ନଦୀ ମଧ୍ୟରେ ଅବସ୍ଥିତ ।


ବନ୍ୟଜନ୍ତୁ[ସମ୍ପାଦନା]

ତିନୋଟି ବାଘଛୁଆ ଓ କୁମ୍ଭୀର ମଧ୍ୟରେ ଲଢ଼େଇ
ରନ୍ଥାମ୍ବୋର୍ ଜଙ୍ଗଲର ଏକ ଦେବତା ବିନ୍ଧାଣୀ ଚଢ଼େଇ

ନିଜର ବାଘବାଘୁଣୀଙ୍କ ପାଇଁ ରନ୍ଥାମ୍ବୋର୍ ପ୍ରସିଦ୍ଧ । ଜାତୀୟ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଓ ଆଖପାଖ ଗାଁର ଲୋକସଂଖ୍ୟା ବଢ଼ିବା ଫଳରେ ଅନେକ ସମୟରେ ବାଘ-ମନୁଷ୍ୟ ଅକସ୍ମାତ ମୁହାଁମୁହିଁ ପରିସ୍ଥିତିରେ ପଡ଼ିଛନ୍ତି ଓ ଏସବୁ ଦୁର୍ଘଟଣାର ପରିଣାମ ଭୟଙ୍କର ହୋଇଛି । କେତେବେଳେ ମଣିଷ ତ କେତେବେଳେ ବାଘ ମରିଛନ୍ତି । ୧୯୭୩ ମସିହାରେ ଭାରତ ସରକାର ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କଲେ ଓ ୬୦ (ମାଇଲ୍) ଅଞ୍ଚଳକୁ ଅଭୟାରଣ୍ୟ ଘୋଷିତ କଲେ । ଏହି ଅଞ୍ଚଳ ପରେ ପ୍ରସାରିତ ହୋଇ ହୋଇ ଆଜି ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ହୋଇଛି ।

୨୦୦୫ ମସିହାରେରନ୍ଥାମ୍ବୋର୍‍ର ବାଘସଂଖ୍ୟା ୨୬ ଥିଲା । ୧୯୮୨ ମସିହାର ବ୍ୟାଘ୍ର ଗଣନା ତୁଳନାରେ ଏହିସଂଖ୍ୟା ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ୧୯୮୨ରେ ରନ୍ଥାମ୍ବୋର୍ ଅଭୟାରଣ୍ୟରେ ୪୪ଟି ବାଘ ରହିଥିଲେ । ଭାରତ ସରକାରଙ୍କଦ୍ୱାରା ତଥ୍ୟ ଅନୁସାରେ ୨୦୦୮ ମସିହାରେ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରେ ୩୪ଟି ପ୍ରାପ୍ତବୟସ୍କ ଓ ୧୪ଟି ଶାବକ ବାଘ ରହିଥିଲେ । ବନବିଭାଗ କର୍ମଚାରୀଙ୍କ ଅଦମ୍ୟ ଚେଷ୍ଟା ବଳରେ ଅବୈଧ ଶିକାର ଉପରେ କିଛି ମାତ୍ରାରେ ରୋକ ଲଗାଯାଇ ପାରିଲା ଓ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲା । ଆଖପାଖର ଗ୍ରାମବାସୀ ଜାତୀୟ ଉଦ୍ୟାନ ସୀମାରୁ ଦୂରେଇ ରହିଲେ ପୁରସ୍କୃତ ହେଉଥିଲେ ଓ ଉଦ୍ୟାନ ମଧ୍ୟରେ ଅନେକ ନିରୀକ୍ଷଣ କ୍ୟାମେରା ଖଞ୍ଜା ଯାଇଥିଲା ।[୩] ସଂରକ୍ଷଣ କାର୍ଯ୍ୟ ପାଇଁ ଭାରତ ସରକାର ୧୫.୩ କୋଟି ଆମେରିକୀୟ ଡଲାର୍ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ ।[୩] ପୁଣି ରନ୍ଥାମ୍ବୋର୍‍ରୁ ବାଘ ସରିସ୍କା ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତରିତ କରି ସେଠାକାର ବିକାଶ ମଧ୍ୟ ସମ୍ଭବପର ହୋଇପାରିଲା ।[୪] ୨୦୦୮ ମସିହା ଜୁନ୍ ୨୮ ତାରିଖରେ ୱିଂଗ୍ କମାଣ୍ଡର୍ ବିମଳ ରାଜ ଏକ ଏମ୍.ଆଇ.-୧୭ ହେଲିକପ୍ଟର୍ ଯୋଗେ ଆକାଶମାର୍ଗରେ ଅଣ୍ଡିରା ବାଘ ""ଦାରା""କୁ ରନ୍ଥାମ୍ବୋର୍‍ରୁ ସରିସ୍କା ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଦାରାକୁ ବିଷ ଦିଆଯିବାରୁ ସେ ୨୦୧୦ ମସିହା ନଭେମ୍ବର ୧୫ ଦିନ ମୃତ୍ୟୁ ବରଣ କରିଥିଲା ।

ରନ୍ଥାମ୍ବୋର୍‍ର ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ ବାଘଙ୍କ ଛଳାବରଣ ପାଇଁ ଅତ୍ୟନ୍ତ ଉପଯୋଗୀ । ତେବେ ବାଘଙ୍କ ଛଡ଼ା ଏଠାରେ କଲରାପତରିଆ ବାଘ, ବାର୍‍ହା, ସମ୍ବର, ଚିତଲ୍, ହନୁ ମାଙ୍କଡ଼, କୃଷ୍ଣସାର ମୃଗ, ବିଲୁଆ, କାରାକାଲ୍, ନେଉଳ, କଟାସ, ପାତି ମାଙ୍କଡ଼ ଇତ୍ୟାଦି ଦେଖାଯାନ୍ତି । ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନର ସରୀସୃପଙ୍କ ମଧ୍ୟରେ ଗୋମୁହାଁ କୁମ୍ଭୀର, ଗୋଧି, ଅଜଗର, ଧଣ୍ଡ ସାପ ଇତ୍ୟାଦି ପ୍ରମୁଖ ।

ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରେ ବଣ ବାବ୍ଲର୍, ମୟୂର, ଦେବତା ବିନ୍ଧାଣୀ, ଶୁଆ, ଭଦଭଦଳିଆ, ବଗ, ସାରସ, ଧୁସରିଆ ତିତ୍ତର, କପୋତ, ଚିଲ, ଚୂଳିଆ ସାପଖିଆ ଚିଲ, ପେଚା, ଟେଣ୍ଟେଇ, ଦୟାଳୁ ଚଢ଼େଇ, ଭାରତୀୟ ରବିନ୍, ଲାଲ୍‍ମୁଣ୍ଡ ଶୁଆ, ବତକ, ପାରା, ଘରଚଟିଆ, ବଣଚଟିଆ, ମାଛରଙ୍କା, ଶ୍ୱେତକଣ୍ଠ ମାଛରଙ୍କା, ଶାଗୁଣା ଇତ୍ୟାଦି ପକ୍ଷୀ ମଧ୍ୟ ଦେଖାଯାନ୍ତି ।

ମହାବଳ ବାଘ[ସମ୍ପାଦନା]

ଗତ କିଛି ବର୍ଷ ଧରି ଅବୈଧ ଶିକାର ଓ ଅନ୍ୟ କିଛି କାରଣରୁ ରନ୍ଥାମ୍ବୋର୍‍ର ବାଘ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ଏକ ବାଘୁଣୀର ମାତାପିତା ଅବୈଧ ଶିକାରୀଙ୍କ କବଳରେ ପଡ଼ି ମୃତ୍ୟୁବରଣ କରିବା ଯୋଗୁଁ ସେ ଅତି ଯୁବାବସ୍ଥାରେ ଅନାଥ ହୋଇଯାଇଥିଲା । କିନ୍ତୁ ପରେ ଏହି ବାଘୁଣୀଟି ହ୍ରଦ କୂଳରେ ଏକ ଇଲାକା ନିୟନ୍ତ୍ରଣ କରି ଏଠାକାର ରାଣୀ ହେଲା । ଏହି ହେଲା ରନ୍ଥାମ୍ବୋର୍‍ର ପ୍ରସିଦ୍ଧ ବାଘୁଣୀ ମଛ୍‍ଲି । କେହି କେହି ମଛ୍‍ଲିକୁ ଲେଡ଼ି ଅଫ୍ ଦ ଲେକ୍‍ସ୍ (Lady of the Lakes – ହ୍ରଦକନ୍ୟା) ଏହି ବାଘୁଣୀର ଦୁଇ ଗାଲରେ ରହିଥିବା ପଟାଦାଗ ଚିହ୍ନ ମାଛ ପରି ଦେଖାଯାଉଥିବାରୁ ଏହାକୁ ମଛ୍‍ଲି ନାମ ଦିଆଯାଇଥିଲା । ମଛ୍‍ଲି ତିନୋଟି ବାଘୁଣୀଙ୍କୁ ଜନ୍ମ ଦେଇଥିଲା ଓ ସେଥିରୁ ଗୋଟିଏକୁ କେହି କେହି ସାନ ମଛ୍‍ଲି ବୋଲି ମଧ୍ୟ କହୁଥିଲେ । ମଛ୍‍ଲିର ସାଥୀ କୌଣସି ଅଜ୍ଞାତ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲା ବୋଲି ତତ୍କାଳୀନ ବନବିଭାଗ ଅଧିକାରୀ ଫତେ ସିଂ ରାଠୋର୍ କହିଥିଲେ । ସାନ ମଛ୍‍ଲି ପରେ ବୁମ୍ବୁରାମ ନାମକ ଏକ ବାଘର ସଙ୍ଗିନୀ ହୋଇଥିଲା । ଏମାନଙ୍କ ମିଳନରୁ ଦୁଇଟି ବାଘଛୁଆ ଜନ୍ମ ଗ୍ରହଣ କରିଥିଲେ । ସେମାନେ ହେଲେ ସ୍ଲାଣ୍ଟ୍ ଇଅର୍ (ଏହି ଈଂରାଜୀ ନାମର ଅର୍ଥ ଢାଲୁଆ କାନ) ଓ ବ୍ରୋକନ୍ ଟେଲ୍ (ଅର୍ଥାତ୍ ଭଙ୍ଗା ଲାଙ୍ଗୁଡ଼) । ସାନ ମଛ୍‍ଲିର ନାତି ହେଉଛି ବଚ୍ଚା ନାମକ ଏକ ବାଘ । ତେବେ ମଛ୍‍ଲି ପ୍ରଥମ ରନ୍ଥାମ୍ବୋର୍‍ର ସବୁଠାରୁ ବୃଦ୍ଧା ବାଘୁଣୀ । କିଛି ଦିନ ତଳେ ୧୭ ବର୍ଷ ବୟସରେ ମଛ୍‍ଲି ବହୁ ଦିନ ଧରି ଦେଖାଦେଲା ନାହିଁ । ବନ ବିଭାଗ ଅଧିକାରୀ ଏଥିଯୋଗୁଁ ବହୁ ଚିନ୍ତିତ ହୋଇଥିଲେ । କାରଣ ବୃଦ୍ଧାବସ୍ଥାରେ ବାଘୁଣୀ ଶିକାର କରିବାର ସାମର୍ଥ୍ୟ ହରାଇବାରୁ ସେମାନେ ମନ୍ଥର ଓ ଦୁର୍ବଳ ଶିକାର ଖୋଜନ୍ତି ।[୫] ଏପରି ସମୟରେ ଗୃହପାଳିତ ପଶୁ ଓ ମଣିଷ ବିପଦର ସମ୍ମୁଖୀନ ହୋଇପାରନ୍ତି । ୨୬ ଦିନ ପରେ ମଛ୍‍ଲିକୁ ବନ ଅଧିକାରୀମାନେ ଠାବ କରିଥିଲେ । ମଛ୍‍ଲିର ଝିଅ କୃଷ୍ଣା (ଟି୧୯) ପରେ ରନ୍ଥାମ୍ବୋର୍‍ର ଏକ ବଡ଼ ଇଲାକାର ରାଣୀ ହୋଇଥିଲା । କୃଷ୍ଣା ୪ଟି ବାଘଛୁଆଙ୍କୁ ଜନ୍ମ ଦେଇଥିଲା କିନ୍ତୁ ସେଥିରୁ ଗୋଟିଏ ମୃତ୍ୟୁବରଣ କରିଥିଲା । ୨୦ ବର୍ଷ ବୟସରେ ମଛ୍‍ଲି ୨୦୧୬ ଅଗଷ୍ଟ ୧୮ ତାରିଖରେ ଆଖି ବୁଜିଥିଲା । ବର୍ତ୍ତମାନ ସୁଦ୍ଧା ମଛ୍‍ଲି ସବୁଠାରୁ ଅଧିକ ବଞ୍ଚିଥିବା ବାଘୁଣୀ ଓ ଏହା ଏକ ରେକର୍ଡ଼୍ ।

ରନ୍ଥାମ୍ବୋର୍ ଜୋନ୍-୧ର ବାଘୁଣୀ ଟି-୩୯

ରନ୍ଥାମ୍ବୋର୍‍ର ଆଉ ଏକ ଲୋକପ୍ରିୟ ବାଘୁଣୀ ହେଲା – ନୁର୍ (ଟି୩୯) । ଏହାର ଦେହରେ ମୋତିମାଳା ପରି ପଟାଦାଗ ଥିବାରୁ ଏହାକୁ କେତେକ ଲୋକ ମାଳା ବୋଲି ମଧ୍ୟ ଡାକୁଥିଲେ କିନ୍ତୁ ଏହି ବାଘୁଣୀ ନୁର୍ ନାମରେ ଅଧିକ ପରିଚିତ । ଟି-୧୨ ବାଘ ଓ ଟି-୧୩ ବାଘୁଣୀଠାରୁ ନୁର୍‍ର ଜନ୍ମ । ୨୦୧୪ ମାର୍ଚ୍ଚ-ଅପ୍ରେଲ୍ ବେଳକୁ ନୁର୍ ଦ୍ୱିତୀୟ ଥର ମା’ ହୋଇଥିଲା ଓ ୩ଟି ଶାବକଙ୍କୁ ଜନ୍ମ ଦେଇଥିଲା । ୬ ବର୍ଷ ବୟସରେ ନୁର୍ ପ୍ରଥମ ଥର ପାଇଁ ମା’ ହୋଇଥିଲା ଏବଂ ତା’ର ପୁଅ ସୁଲ୍‍ତାନ (ଟି-୭୨) ।

ବ୍ରୋକନ୍ ଟେଲ୍‍ର ଜୀବନ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ଓ ଏହି ବାଘଟି ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିଲା । ବ୍ରୋକନ୍ ଟେଲ୍ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରୁ ବାହାରି ଡାରା ନାମକ ଏକ ସ୍ଥାନ ପର୍ଯ୍ୟନ୍ତ ଚାଲି ଯାଇଥିଲା । ସେଠାରେ ବ୍ରୋକନ୍ ଟେଲ୍ ରେଳ ଧାରଣା ପାର କରୁଥିବା ବେଳେ ରେଳଗାଡ଼ିର ଚକ ତଳେ କଟି ମୃତ୍ୟୁବରଣ କରିଥିଲା । ବ୍ରୋକନ୍ ଟେଲ୍ ନାମରେ ନିର୍ମିତ ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ବିବିସି, ପିବିଏସ୍, ସିବିସି, ଆର୍.ଟି.ଇ ପରି ଅନେକ ଟେଲିଭିଜନ୍ ଚ୍ୟାନେଲ୍ ମାଧ୍ୟମରେ ସମଗ୍ର ବିଶ୍ୱରେ ପ୍ରଦର୍ଶିତ ହୋଇଛି । ଏହି ଚଳଚ୍ଚିତ୍ରଟିକୁ ବନ୍ୟଜୀବ ଚଳଚ୍ଚିତ୍ର ଉତ୍ସବରେ ଦୁଇଟି ସମ୍ମାନ ମଧ୍ୟ ମିଳିଛି ।

ଦେହରେ ଡଲାର୍ ଚିହ୍ନ ଥିବା ଅଣ୍ଡିରା ବାଘ ଟି-୨୫ ଜାଲିମ୍ ନାମରେ ଖ୍ୟାତ ଓ ରନ୍ଥାମ୍ବୋର୍‍ର ଆଉ ଏକ ପ୍ରସିଦ୍ଧ ବାଘ । ଜାଲିମ୍ ଓ ତା’ର ସଙ୍ଗିନୀ ପିତାମାତା ହେବା ପରେ ବାଘୁଣୀଟି ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲା । ଜାଲିମ୍ ତାଙ୍କର ଦୁଇ ବାଘୁଣୀ ଛୁଆଙ୍କ ଲାଳନପାଳନ କରିଥିଲା । ସାଧାରଣତଃ ଅଣ୍ଡିରା ବାଘମାନେ ଛୁଆଙ୍କ ଲାଳନପାଳନରେ କୌଣସି ଉତ୍ସାହ ପ୍ରଦର୍ଶନ କରିନଥାନ୍ତି । ନିଜ ଛୁଆ ପାଖରେ ବୁଲିଲେ ସେମାନେ ବିରକ୍ତି ପ୍ରକାଶ କରନ୍ତି ନାହିଁ । ଅନ୍ୟ ବାଘର ଛୁଆ ଦେଖିଲେ ତା’କୁ ତୁରନ୍ତ ମାରି ଦିଅନ୍ତି । ତେଣୁ ଛୁଆମାନେ ବଡ଼ ହେବା ଯାଏଁ ଓ ଶିକାର କରିବାକୁ ସକ୍ଷମ ହୋଇପାରିଲା ଯାଏଁ ମା’ ବାଘୁଣୀ ସେମାନଙ୍କ ପାଳନ କରିଥାଏ ଓ ଅନ୍ୟ ଅଣ୍ଡିରା ବାଘ ସହ ଦରକାର ପଡ଼ିଲେ ଛୁଆଙ୍କ ସୁରକ୍ଷା ପାଇଁ ଯୁଦ୍ଧ ମଧ୍ୟ କରିଥାଏ । ତେବେ ଜାଲିମ୍‍ର ଏହି ପ୍ରକାରର ବ୍ୟବହାର ପ୍ରଥମ ଥର ଦେଖାଯାଇଥିଲା । ବାଘ ବିଶେଷଜ୍ଞ ଓ ଗବେଷକମାନଙ୍କୁ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।

୨୦୧୪ ମସିହାର ବାଘ ଗଣନା ଅନୁସାରେ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରେ ୬୨ଟି ବାଘ ଥିଲେ ।[୬] ଏହା ପୂର୍ବରୁ ୨୦୧୩ରେ ୪୮ ଓ ୨୦୦୫ରେ ମାତ୍ର ୨୫ଟି ବାଘ ରହୁଥିଲେ । ବାଘଙ୍କ ସଂଖ୍ୟା ବଢ଼ିଥିବାରୁ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ସରିସ୍କା ଓ ଅନ୍ୟ କିଛି ଅଭୟାରଣ୍ୟକୁ ବାଘ ଦାନ କରି ସେମାନଙ୍କ ପୁନରୁତ୍ଥାନେ ସହାୟକ ହେଲା ଓ ସୀମିତ ଅଞ୍ଚଳରେ ବାଘଙ୍କ କ୍ଷେତ୍ର ନିୟନ୍ତ୍ରଣ ଅନ୍ତର୍ଯୁଦ୍ଧ ରୋକିବାରେ ସଫଳ ହେଲା ।[୭]

ବିଶେଷତା[ସମ୍ପାଦନା]

ରଣଥମ୍ଭୌର ଦୁର୍ଗରୁ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନର ଏକ ପାନୋରାମା ଦୃଶ୍ୟ

ଜଙ୍ଗଲ : ଜାତୀୟ ଉଦ୍ୟାନର ସୀମା ମଧ୍ୟରେ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ ଓ ଖୋଲା ତୃଣଭୂମି ଦେଖିବାକୁ ମିଳେ । ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ମଧ୍ୟରେ ୫୩୯ ପ୍ରଜାତିର ଉଦ୍ଭିଦ ରହିଥିବା ଜଣା ପଡ଼ିଛି ।

ମହାବଳ ବାଘ : ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ଗଲେ ସହଜରେ ମହାବଳ ବାଘ ଦେଖିବାକୁ ମିଳିବ ବୋଲି କୁହାଯାଏ । ଅତଏବ ବାଘପ୍ରେମୀଙ୍କ ମଧ୍ୟରେ ଏହି ଜାତୀୟ ଉଦ୍ୟାନ ଅତ୍ୟନ୍ତ ଲୋକପ୍ରିୟ । ଦିନବେଳା ମଧ୍ୟ ଏଠାରେ ବାଘ ଦେଖାଯାନ୍ତି ।

ସଫାରୀ ଯାତ୍ରା : ସକାଳ ୬:୩୦ ଓ ଅପରାହ୍ନ ୧୪:୩୦ ସମୟରେ ପ୍ରତିଦିନ ସଫାରୀ ଯାତ୍ରା ବଣ ଅଭିମୁଖେ ବାହାରେ । ଏହି ସଫାରୀ ପ୍ରାୟ ୩ ଘଣ୍ଟା ଲମ୍ବା ହୋଇଥାଏ । ୨୦ ଲୋକ ବସିଲା ଭଳି ଉପର ଖୋଲା କ୍ୟାଣ୍ଟର୍ କିମ୍ବା ୬ ଜଣ ବସିବା ଭଳି ଉପର ଖୋଲା ଜିପ୍‍ସି ଗାଡ଼ି ସଫାରୀ ପାଇଁ ଉପଲବ୍ଧ ଥାଏ । ପ୍ରତିଟି ସଫାରୀ ପାଇଁ ଜଣପିଛା ୭୦୦-୮୦୦ ଟଙ୍କା ଦେବାକୁ ପଡ଼ିଥାଏ । ଉଦ୍ୟାନର କୋର୍ ଅଞ୍ଚଳକୁ ବିଭିନ୍ନ ଜୋନ୍‍ରେ ବିଭକ୍ତ କରାଯାଇଛି ଓ ସଫାରୀ ଗାଡ଼ିଗୁଡ଼ିକ ଗୋଟିଏ ଜୋନ୍‍କୁ ଯାଇଥାନ୍ତି । ଜଙ୍ଗଲରେ ଛଳାବରଣରେ (Camouflaged) ରହିଥିବା ବାଘକୁ ଠାବ କରିବା ଅତି କଷ୍ଟ । ସମୟ ସମୟରେ ପର୍ଯ୍ୟଟକଙ୍କୁ ଏକାଧିକ ସଫାରୀରେ ଯିବାକୁ ପଡ଼ିପାରେ । ସୱାଇ ମାଧୋପୁର ଓ ଜାତୀୟ ଉଦ୍ୟାନ ମଧ୍ୟରେ ରହିବା ପାଇଁ ଅନେକ ରିସୋର୍ଟ୍ ଏବଂ ହୋଟେଲ୍ ରହିଛି ।

ରନ୍ଥାମ୍ବୋର୍ ଦୁର୍ଗ : ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀରେ ନିର୍ମିତ ରଣଥମ୍ଭୌରର ବିଶାଳ ଦୁର୍ଗ ଏବେ ମଧ୍ୟ ଜାତୀୟ ଉଦ୍ୟାନରେ ଲାଗି ଦଣ୍ଡାୟମାନ । ପାଖର ସମତଳ ଭୂମିରୁ ଦୁର୍ଗଟି ପ୍ରାୟ ୭୦୦ ଫୁଟ୍ ଉଚ୍ଚ । ଦୁର୍ଗରେ ଲାଲ୍ କରୌଲି ପଥର ନିର୍ମିତ ଓ ଗଣେଷ, ଶିବ ଓ ରାମଲାଲାଜିଙ୍କୁ ଉତ୍ସର୍ଗୀକୃତ ତିନୋଟି ମନ୍ଦିର ରହିଛି । ଜୈନ ସମ୍ପ୍ରଦାୟର ଦିଗମ୍ବର ଗୋଷ୍ଠୀଙ୍କ ଆରାଧ୍ୟ ସୁମତିନାଥ (୫ମ ଜୈନ ତୀର୍ଥଙ୍କର) ଓ ସମ୍ଭବନାଥଙ୍କର ମଧ୍ୟ ଗୋଟିଏ ମନ୍ଦିର ରହିଛି । ଖ୍ରୀ. ୧୨ଶ ବା ୧୩ଶ ଶତାବ୍ଦୀରେ ଏହି ମନ୍ଦିରଗୁଡ଼ିକ ନିର୍ମିତ ହୋଇଥିଲା ।

ପଦମ୍ ତାଲାଓ : ଜାତୀୟ ଉଦ୍ୟାନରେ ରହିଥିବା ସମସ୍ତ ହ୍ରଦ ମଧ୍ୟରୁ ପଦମ୍ ତାଲାଓ ବୃହତ୍ତମ । ଲାଲ୍ ବାଲୁକାପଥର ନିର୍ମିତ ଏକ ଯୋଗୀ ମହଲ ଏହି ହ୍ରଦ ନିକଟରେ ଦେଖିବାକୁ ମିଳେ । ପୁଣି ଏହି ହ୍ରଦ ପାଖରେ ଏକ ବିରାଟ ବଡ଼ ବରଗଛ ରହିଛି, ଯାହାକୁ ଭାରତରେ ଥିବା ବରଗଛଙ୍କ ମଧ୍ୟରେ ଦ୍ୱିତୀୟ ବୃହତ୍ତମ ।

ଗମନାଗମନ[ସମ୍ପାଦନା]

ଆକାଶପଥ : ୧୬୦ କିଲୋମିଟର୍ ଦୂରରେ ଅବସ୍ଥିତ ଜୟପୁର ଏହି ଜାତୀୟ ଉଦ୍ୟାନର ନିକଟତମ ବିମାନବନ୍ଦର ।

ରେଳପଥ : ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରୁ ୧୧ କିଲୋମିଟର୍ ଦୂରରେ ସୱାଇ ମାଧୋପୁର ରେଳ ଷ୍ଟେସନ୍ ରହିଛି । ଏହି ସହରଟି ଦିଲ୍ଲୀ-ମୁମ୍ବାଇକୁ ସଂଯୋଗ କରୁଥିବା ରେଳ ମାର୍ଗ ଉପରେ ଅବସ୍ଥିତ । ଜୟପୁର-ଇନ୍ଦୋର୍ ସୁପର୍‍ଫାଷ୍ଟ, ଆଜମେର୍-ଜବଲପୁର ଦୟୋଦୟା ଏକ୍ସପ୍ରେସ୍, ଯୋଧପୁର-ଇନ୍ଦୋର୍ ଇଣ୍ଟରସିଟି, ହଜରତ୍ ନିଜାମୁଦ୍ଦିନ୍-ଇନ୍ଦୋର୍ ଏକ୍ସପ୍ରେସ୍, ଆଜମେର-ଏର୍ଣ୍ଣାକୁଲମ୍ ମରୁସାଗର ଏକ୍ସପ୍ରେସ୍ (ବା ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍), ଜୟପୁର-ମହୀଶୂର ଏକ୍ସପ୍ରେସ୍, ଜୟପୁର-ଚେନ୍ନାଇ ଏକ୍ସପ୍ରେସ୍, ଜୟପୁର-କୋଏମ୍ବତୁର ଏକ୍ସପ୍ରେସ୍, ଯୋଧପୁର-ପୁରୀ ଏକ୍ସପ୍ରେସ୍, ଯୋଧପୁର-ଭୋପାଳ ଏକ୍ସପ୍ରେସ୍ ଓ ଅଗଷ୍ଟ କ୍ରାନ୍ତି ଦିଲ୍ଲୀ-ମୁମ୍ବାଇ ରାଜଧାନୀ ଏକ୍ସପ୍ରେସ୍ ପରି ରେଳଗାଡ଼ି ସୱାଇ ମାଧୋପୁର ଷ୍ଟେସନଠାରେ ଅଟକିଥାନ୍ତି ।

ଜୟପୁର-ଇନ୍ଦୋର୍ ସୁପରଫାଷ୍ଟ୍ ଯୋଗୁଁ ସୱାଇ ମାଧୋପୁର ସହିତ ମଧ୍ୟ ପ୍ରଦେଶର ଇନ୍ଦୋର୍ ସହର ସଂଯୋଜିତ ହୋଇପାରିଛି । କୋଟା ସହରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା କୋଟା ଜନ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ସୱାଇ ମାଧୋପୁର ଦେଇ ଯାଇଥାଏ। ସୱାଇ ମାଧୋପୁର ଦେଇ ଯାଉଥିବା ଅନ୍ୟ କେତେକ ରେଳଗାଡ଼ି ହେଲେ – କୋଟା-ହନୁମାନଗଡ଼ ଏକ୍ସପ୍ରେସ୍, ସୱାଇ ମାଧୋପୁର-ମଥୁରା ପାସେଞ୍ଜର, ଜୟପୁର-କୋଟା ପାସେଞ୍ଜର । କୋଟାରୁ କୋଟା-ପାଟଣା ଏକ୍ସପ୍ରେସ୍ ବାହାରି ସୱାଇ ମାଧୋପୁର, ଆଗ୍ରା, କାନପୁର, ଲକ୍ଷ୍ନୌ ଓ ବାରଣାସୀ ସହର ହୋଇ ପାଟଣା ଯାଇଥାଏ ।

ବିଳାଶପୂର୍ଣ୍ଣ ରେଳଗାଡ଼ି : ଦ ପ୍ୟାଲେସ୍ ଅନ୍ ହ୍ୱିଲ୍‍ସ୍, ଦ ରୟାଲ୍ ରାଜସ୍ଥାନ ଅନ୍ ହ୍ୱିଲ୍‍ସ୍, ମହାରାଜାସ୍ ଏକ୍ସପ୍ରେସ୍, ଦ ଇଣ୍ଡିଆନ୍ ମହାରାଜା ଇତ୍ୟାଦି କିଛି ଅତି ବିଳାଶମୟ ରେଳଗାଡ଼ିର ନାମ । ଏହି ରେଳଗାଡ଼ି ଗୁଡ଼ିକ ମଧ୍ୟ ନିଜ ୮ ଦିନିଆ ପର୍ଯମ୍ୟଟନ ଯାତ୍ରା ବେଳେ ସୱାଇ ମାଧୋପୁରରେ ପୂର୍ବ-ନିର୍ଦ୍ଧାରିତ ସମୟ ପାଇଁ ଅଟକିଥାନ୍ତି ।

ସଡ଼କପଥ : ରାଜସ୍ଥାନର ପ୍ରାୟ ସମସ୍ତ ମୁଖ୍ୟ ସହରରୁ ବସ୍ଦ୍ୱାରା ସୱାଇ ମାଧୋପୁରକୁ ଯାଇହେବ । ସିଧା ସୱାଇ ମାଧୋପୁରକୁ ସେତେ ଅଧିକ ବସ୍ ନାହିଁ ଅବଶ୍ୟ । ଗୋଟିଏ ବା ଦୁଇଟି ବସ୍ ବଦଳାଇବାକୁ ପଡ଼ିପାରେ । କୋଟାରୁ ରନ୍ଥାମ୍ବୋର୍‍କୁ ରାଜପଥ ରହିଥିବାରୁ ଭଡ଼ା ଟାକ୍ସି ଯୋଗେ ୧.୫ ଘଣ୍ଟାରେ ପହଞ୍ଚିହେବ ।

ରନ୍ଥାମ୍ବୋର୍‍ଠାରୁ ବିଭିନ୍ନ ସ୍ଥାନର ଦୂରତା :

ଜୟପୁର ୧୩୦ କି.ମି.
କୋଟା ୧୧୪ କି.ମି.
ଯୋଧପୁର ୪୫୦ କି.ମି.
ବିକାନେର୍ ୪୭୬ କି.ମି.
ଉଦୟପୁର ୪୦୧ କି.ମି.
ଦିଲ୍ଲୀ ୩୬୫ କି.ମି.
ଆଜମେର ୨୫୮ କି.ମି.
ମାଉଣ୍ଟ୍ ଆବୁ ୫୫୫ କି.ମି.
ଜୈସାଲମେର ୭୧୩ କି.ମି.
ଦୌସା ୧୦୯ କି.ମି.

ସାଧାରଣ ତଥ୍ୟ[ସମ୍ପାଦନା]

ରନ୍ଥାମ୍ବୋର୍ ମଧ୍ୟରେ ରହିଥିବା ଆରାବଳୀ ପର୍ବତ ଶ୍ରେଣୀର ଅଂଶ
  • ଜାତୀୟ ଉଦ୍ୟାନର କ୍ଷେତ୍ରଫଳ : ୨୭୫ ବର୍ଗ କି.ମି. କୋର୍ ଅଞ୍ଚଳ ଓ ୩୯୨ ବର୍ଗ କି.ମି. ଅଣ-କୋର୍ ଅଞ୍ଚଳ
  • ବ୍ୟାଘ୍ର ଅଭୟାରଣ୍ୟ କ୍ଷେତ୍ରଫଳ : ୩୩୪ ବର୍ଗ କି.ମି. । ବର୍ତ୍ତମାନ ଏହା ୧୩୩୪ (କି.ମି.)http://www.wwfindia.org/about_wwf/critical_regions/national_parks_tiger_reserves/ranthambore_tiger_reserve/
  • ସମୁଦ୍ର ପତନରୁ ଉଚ୍ଚତା : ୨୧୫-୫୦୫ ମିଟର୍ ।
  • କୋଟା ଏକ ବଡ଼ ରେଳ ଷ୍ଟେସନ୍ ଓ ଏଠାରେ ରେଳଗାଡ଼ି ଗୁଡ଼ିକ ପ୍ରାୟ ୧୦ ମିନିଟ୍ ଅଟକିଥାନ୍ତି । କୋଟାରୁ ସୱାଇ ମାଧୋପୁରକୁ ଭିନ୍ନ ଭିନ୍ନ ପ୍ରାୟ ୫୦ଟି ରେଳଗାଡ଼ି ଚଳାଚଳ କରେ ।
  • ନିକଟତମ ବିମାନବନ୍ଦର : ଜୟପୁର (୧୬୦ କିଲୋମିଟର୍ ଦୂର)
  • ରନ୍ଥାମ୍ବୋର୍‍ର ଭୌଗୋଳିକ ରୂପ : ଘଞ୍ଚ କ୍ରାନ୍ତୀୟ ଶୁଷ୍କ ଅରଣ୍ୟ, ଖୋଲା ତୃଣଭୂମି ଓ ବୁଦାଳିଆ ଆବରଣ, ଭୂମି ପଥୁରିଆ ଓ ଉଚ୍ଚନୀଚ, ସ୍ଥାନେ ସ୍ଥାନେ ହ୍ରଦ ଓ ନଦୀ ସ୍ରୋତମାନଙ୍କଦ୍ୱାରା ବିଖଣ୍ଡିତ ।
  • ଇକୋରିଜ୍ୟନ୍ : କାଥିଆୱାଡ଼୍-ଗିର୍ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ
  • ଭ୍ରମଣ ପାଇଁ ସର୍ବୋତ୍କୃଷ୍ଟ ସମୟ : ନଭେମ୍ବର୍‍ରୁ ମାର୍ଚ୍ଚ୍
  • ଜାତୀୟ ଉଦ୍ୟାନ ବନ୍ଦ ରହିବା ସମୟ : ମୌସୁମୀ ବର୍ଷା ସମୟରେ ଜୁଲାଇରୁ ସେପ୍ଟେମ୍ବର୍ ଜାତୀୟ ଉଦ୍ୟାନ ବନ୍ଦ ରହେ ।

ପାରିବେଶିକ ମୂଲ୍ୟାୟନ[ସମ୍ପାଦନା]

ଏହି ବାଘ ଅଭୟାରଣ୍ୟ ବାର୍ଷିକ ୮୩୦ କୋଟି ଟଙ୍କା (ହେକ୍ଟର୍ ପିଛା ୫୬ ହଜାର ଟଙ୍କା) ଉପାର୍ଜନ କରିଥାଏ ବୋଲି ଏକ ମୂଲ୍ୟାୟନରୁ ଜଣା ପଡ଼ିଛି । ଜିନ୍-ପୁଲ୍ ସୁରକ୍ଷା ସେବା (୭୧୧ କୋଟି), ଆଖପାଖ ଅଞ୍ଚଳକୁ ଜଳ ଯୋଗାଣ (୧୧୫୦ ଲକ୍ଷ), ବନ୍ୟଜନ୍ତୁଙ୍କୁ ଅଧିବାସ ଯୋଗାଇଦେବା (୧୮୨୦ ଲକ୍ଷ) ଇତ୍ୟାଦି ଏହି ଅଭୟାରଣ୍ୟଦ୍ୱାରା ଯୋଗେଇ ଦିଆଯାଉଥିବା ସେବା ।[୮]

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Nowell, Kristin; Jackson, Peter (1996). "Tiger". Wild Cats: Status Survey and Conservation Action Plan (PDF). Gland, Switzerland: IUCN/SSC Cat Specialist Group. pp. 55–65. ISBN 2-8317-0045-0.
  2. Da Silva, A. and Lenin, J. (2010). "Mugger Crocodile Crocodylus palustris, pp. 94–98 in S.C. Manolis and C. Stevenson (eds.) Crocodiles. Status Survey and Conservation Action Plan. 3rd edition, Crocodile Specialist Group: Darwin.
  3. ୩.୦ ୩.୧ "www.time.com/time/magazine/article/0,9171,1813980,00.html". Archived from the original on 2013-02-24. Retrieved 2018-03-25.
  4. "timesofindia.indiatimes.com/Mate_for_Sariskas_male_tiger_flown_in_from_Ranthambore/articleshow/3199359.cms".
  5. "timesofindia.indiatimes.com/home/environment/flora-fauna/Ranthambores-missing-tigress-Machli-found-after-26-days/articleshow/29875506.cms".
  6. "Two more cubs spotted in Ranthambore". The Times of India. 29 May 2014. Retrieved 7 July 2014.
  7. "24 Tigers 2013 will be shifted from Ranthambhore". Patrika Group (in Hindi). Retrieved 7 July 2014.{{cite news}}: CS1 maint: unrecognized language (link)
  8. (PDF) https://web.archive.org/web/20160826050803/http://www.iifm.ac.in/sites/default/files/Newspdf/IIFM-NTCA-REPORT.compressed-min.pdf. Archived from the original (PDF) on 26 August 2016. Retrieved 14 August 2016. {{cite web}}: Missing or empty |title= (help)

4. Singh, V. and Shrivastava, A. 2007. Biodiversity of Ranthambhore Tiger Reserve, Rajasthan. Scientific Publishers, Jodhpur. ISBN 81-7233-492-3.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]