Jump to content

ଶିବବ୍ରତ ଦାସ

ଉଇକିପିଡ଼ିଆ‌ରୁ
ଶିବବ୍ରତ ଦାସ
ଜନ୍ମ(1930-08-26)୨୬ ଅଗଷ୍ଟ ୧୯୩୦
ମୃତ୍ୟୁ୮ ସେପ୍ଟେମ୍ବର ୧୯୮୮(1988-09-08) (ବୟସ ୫୮)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଚାକିରିକ୍ଷେତ୍ରଓଡ଼ିଶା ପୁଲିସ
ବୈବାହିକ-ସାଥୀସୁବାସିନୀ ଦେବୀ
ସନ୍ତାନବେବି, ବାବି
ପିତାମାତା(s)ଶଚୀନ୍ଦ୍ର ଦାସ, କୁମୁଦିନୀ ଦେବୀ

ଶିବବ୍ରତ ଦାସ (୨୬ ଅଗଷ୍ଟ ୧୯୩୦–୮ ସେପ୍ଟେମ୍ବର ୧୯୮୮) ଜଣେ ଓଡ଼ିଆ ଗୀତିକାର ଓ ପୁଲିସ ବିଭାଗର କର୍ମଚାରୀ ଥିଲେ ।[] ୬୦ରୁ ୯୦ ଦଶକ ମଧ୍ୟରେ ସେ ପ୍ରାୟ ୫୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଗୀତ ଲେଖିଥିଲେ । ତାଙ୍କର କିଛି ଜନପ୍ରିୟ କଥାଚିତ୍ର ଗୀତ ମଧ୍ୟରେ "ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ", "ନଦୀର ନାମ ଅଳସ କନ୍ୟା", "ଉର୍ମି ଅଧିର ରୂପସୀ ଚିଲିକା", "ଯା ଯାରେ ଭାସି ଯା", "ମୁଁ ଯେ ଅମୃତ ସାଗର ବିନ୍ଦୁ" ଆଦି ଅନ୍ୟତମ । ଅକ୍ଷୟ ମହାନ୍ତି ତାଙ୍କୁ ଆଦ୍ୟ ପ୍ରେରଣା ଦେବା ସହ ତାଙ୍କର ଅନେକ ଜନପ୍ରିୟ ଗୀତରେ ସ୍ୱର ଓ କଣ୍ଠଦାନ କରିଥିଲେ । ଓଡ଼ିଆ ଗାୟିକା ଓ କବି କୁମୁଦିନୀ ମହାପାତ୍ର ତାଙ୍କ ମାଆ ଓ ଓଡ଼ିଆ ଲେଖକ ଲକ୍ଷ୍ମୀକାନ୍ତ ମହାପାତ୍ର ତାଙ୍କ ମାମୁଁ ଥିଲେ ।

ପ୍ରାରମ୍ଭିକ ଜୀବନୀ

[ସମ୍ପାଦନା]

ଶିବବ୍ରତ ଦାସ ୧୯୩୦ମସିହା ଅଗଷ୍ଟ ୨୬ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଗାୟିକା ଓ କବି କୁମୁଦିନୀ ଦେବୀ ଥିଲେ ତାଙ୍କ ମାଆ ଓ ତାଙ୍କ ବାପାଙ୍କ ନାମ ଥିଲା ଶଚୀନ୍ଦ୍ର ଦାସ ।

ଉଚ୍ଚଶିକ୍ଷା ଓ ବୃତ୍ତି

[ସମ୍ପାଦନା]

ସେ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ଓଡ଼ିଶା ପୁଲିସ ବିଭାଗରେ ଚାକିରି କରୁଥିଲେ । ସେଠାରେ ସେ ଶ୍ରେଷ୍ଠ ବନ୍ଧୁକ ଚାଳକ ଭାବରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ୨୫ବର୍ଷ ଧରି ଜାତୀୟ ସ୍ତରରେ ଓଡ଼ିଶାକୁ ବନ୍ଧୁକ ଚାଳନାରେ ପ୍ରତିନିଧିତ୍ୱ କରିଥିଲେ ।[]

ପରିବାର

[ସମ୍ପାଦନା]

ସେ ସୁବାସିନୀ ଦେବୀଙ୍କୁ ବିବାହ କରିଥିଲେ । ବେବି ଓ ବାବି ନାମରେ ତାଙ୍କର ଏକ କନ୍ୟା ଓ ପୁତ୍ର ସନ୍ତାନ ଅଛନ୍ତି ।

ଗୀତିକବିତା ରଚନା

[ସମ୍ପାଦନା]

ରେଭେନ୍ସାରେ ପଢୁଥିବା ସମୟରେ ସେ କବିତା ଲେଖିବା ଆରମ୍ଭ କରିଥିଲେ । ସେଠାରେ ସେ ସେତେବେଳେ ଛାତ୍ରଥିବା ଜୀବନାନନ୍ଦ ପାଣିଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁହେଁ ମିଶି ସେତେବେଳେ ଅନେକ ବ୍ୟଙ୍ଗ କବିତା ଲେଖିଥିଲେ । ଦ ହୁଇଲ ପତ୍ରିକାରେ ସେତେବେଳେ ଶିବବ୍ରତଙ୍କର ଇଂରାଜୀ କବିତାମାନ ପ୍ରକାଶ ପାଇଥିଲା । ତାଙ୍କ ମାମୁ ପୁଅ ଭାଇ ପାର୍ଥସାରଥୀ ମହାପାତ୍ର ମଧ୍ୟ ରେଭେନ୍ସାର ଛାତ୍ର ଥିବା ବେଳେ ଗୀତ ଲେଖୁଥିଲେ ଓ ତାକୁ ଅକ୍ଷୟ ମହାନ୍ତି ସୁର ଦେଉଥିଲେ । ପାର୍ଥସାରଥୀ ଦିଲ୍ଲୀ ଚାକିରି କରିବାକୁ ଯିବା ପରେ ଅକ୍ଷୟ ମହାନ୍ତି ଶିବବ୍ରତଙ୍କୁ ପ୍ରେରଣା ଦେଇଥିଲେ ଅଧିକ ଗୀତ ଲେଖିବା ପାଇଁ । ଶିବବ୍ରତ ସେତେବେଳକୁ ପୁଲିସ ବିଭାଗରେ ଚାକିରି କରୁଥିଲେ । ପରେ ସେ ଶାନ୍ତନୁ ମହାପାତ୍ରଙ୍କ ସହ ଦେଖା କଲେ ଓ ଶାନ୍ତନୁ ତାଙ୍କ ଗୀତ ଆକାଶବାଣୀ କଟକରେ ଦାଖଲ କଲେ ।

ଲୋକଲୋଚନ

[ସମ୍ପାଦନା]

ଶାନ୍ତନୁ ମହାପାତ୍ର ଆକାଶବାଣୀ ପାଇଁ ଦାଖକ କରିଥିବା ଗୀତ "କାଇଁଚ ପତର ସରୁ" ଆକାଶବାଣୀର କାର୍ଯ୍ୟକ୍ରମ "ସଜଫୁଲ" ପାଇଁ ଭୁବନେଶ୍ୱର ମିଶ୍ର ଚୟନ କଲେ ଓ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଆକାଶବାଣୀ କଟକରୁ ଏହି ଗୀତ ପ୍ରସାରିତ ହେଲା । ଏହି ଗୀତଦ୍ୱାରା ସେ ଲୋକଲୋଚନକୁ ଆସିଥିଲେ ।

ଚଳଚ୍ଚିତ୍ର ପାଇଁ ଗୀତରଚନା

[ସମ୍ପାଦନା]

ଧୀର ବିଶ୍ୱାଳ ନିଜ ଚଳଚ୍ଚିତ୍ର ମନ ଆକାଶ ପାଇଁ ଶିବବ୍ରତଙ୍କୁ ଗୀତ ଲେଖିବାକୁ ଅନୁରୋଧ କଲେ । ପ୍ରଥମ ଗୀତ ଥିଲା "ଏ ବନ ଝରଣା" । ଗୀତଟି ଭଲ ହେବାରୁ ସେହି ଚଳଚ୍ଚିତ୍ର ପାଇଁ ଆଉ ଚାରୋଟି ଗୀତ ମଧ୍ୟ ଲେଖିଲେ । ତେବେ ପୁଲିସ ଚାକିରିରେ ବାରମ୍ବାର ବଦଳି ଯୋଗୁଁ ଗୀତ ଲେଖିବାରେ ଅସୁବିଧା ହେଉଥିଲା । ତାଙ୍କର କିଛି ଜନପ୍ରିୟ କଥାଚିତ୍ର ଗୀତ ହେଲା: "ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ", "ନଦୀର ନାମ ଅଳସ କନ୍ୟା", "ଉର୍ମି ଅଧିର ରୂପସୀ ଚିଲିକା", "ଯା ଯାରେ ଭାସି ଯା", "ମୁଁ ଯେ ଅମୃତ ସାଗର ବିନ୍ଦୁ" ଆଦି ।

ମୃତ୍ୟୁ

[ସମ୍ପାଦନା]

୧୯୮୮ ସେପ୍ଟେମ୍ବର ୮ତାରିଖରେ ଶିବବ୍ରତ ଦାସଙ୍କର ପରଲୋକ ଘଟିଥିଲା ।[] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।

  1. "Tributes paid to Sibabrata Das". The Hindu (in Indian English). 2011-08-25. ISSN 0971-751X. Retrieved 2024-02-24.
  2. "ନଦୀର ନାମ ଅଳସ କନ୍ୟା". ସମାଜ ୦୯/୦୯/୨୦୧୬ କଲିକତା ସଂସ୍କରଣ ପୃଷ୍ଠା ୭. Retrieved 9 September 2016.[permanent dead link]
  3. ସମ୍ବାଦ ୨୬/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮ରେ ପ୍ରକାଶିତ "ଝୁରୁଛି ଚିତ୍ରଲେଖା" ପ୍ରସଙ୍ଗ

ଅଧିକ ତଥ୍ୟ

[ସମ୍ପାଦନା]