ଶିବବ୍ରତ ଦାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଶିବବ୍ରତ ଦାସ
ଜନ୍ମ ଓ ଜନ୍ମସ୍ଥାନ ୨୬ ଅଗଷ୍ଟ ୧୯୩୦(1930-08-26)
ବାରିପଦା
ମୃତ୍ୟୁ ୮ ସେପ୍ଟେମ୍ବର, ୧୯୮୮ (୫୮ ବର୍ଷ)
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ
ନିଯୁକ୍ତିଦାତା ଓଡ଼ିଶା ପୁଲିସ
ଜୀବନସାଥି ସୁବାସିନୀ ଦେବୀ
ସନ୍ତାନ ବେବି, ବାବି
ବାପା ମା ଶଚୀନ୍ଦ୍ର ଦାସ, କୁମୁଦିନୀ ଦେବୀ

ଶିବବ୍ରତ ଦାସ ଜଣେ ଓଡ଼ିଆ ଗୀତିକାର ଥିଲେ ।[୧] ୬୦ରୁ ୯୦ ଦଶକ ମଧ୍ୟରେ ସେ ପ୍ରାୟ ୫୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଗୀତ ଲେଖିଥିଲେ ।

ଜୀବନୀ[ସମ୍ପାଦନା]

ଶିବବ୍ରତ, ୧୯୩୦ମସିହା ଅଗଷ୍ଟ ୨୬ତାରିଖରେ ବାଲେଶ୍ଵରରେ ଏକ ଗୀତିକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଶଚୀନ୍ଦ୍ର ଦାସ ଓ ମାତା କୁମୁଦିନୀ ଦେବୀ । ସେ ସୁବାସିନୀ ଦେବୀଙ୍କୁ ବିବାହ କରିଥିଲେ । ବେବି ଓ ବାବି ନାମରେ ତାଙ୍କର ଏକ କନ୍ୟା ଓ ପୁତ୍ର ସନ୍ତାନ ଅଛନ୍ତି । ଶିବବ୍ରତଙ୍କର କବିତା ଲେଖିବା ଆରମ୍ଭ ହୋଇଥିଲା, ସେରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ସମୟରେ । ସେଠାରେ ଶିବବ୍ରତ ଜୀବନାନନ୍ଦ ପାଣିଙ୍କ ସଂସ୍ପର୍ଶରେ ଆସିଥିଲେ । ଜୀବନନନ୍ଦ ବି ରେଭେନ୍ସାରେ ଛାତ୍ର ଥିଲେ । ଦୁହେଁ ମିଶି ସେତେବେଳେ ଅନେକ ବ୍ୟଙ୍ଗ କବିତା ଲେଖିଥିଲେ । "ଦ ହୁଇଲ" ପତ୍ରିକାରେ ସେତେବେଳେ ଶିବବ୍ରତଙ୍କର ବହୁ ଇଂରାଜୀ କବିତା ପ୍ରକାଶ ପାଇଥିଲା । ତାଙ୍କ ମାମୁ ପୁଅ ଭାଇ ପାର୍ଥସାରଥି ମହାପାତ୍ର ମଧ୍ୟ ରେଭେନ୍ସାର ଛାତ୍ର ଥିଲେ । ପାର୍ଥସାରଥିଙ୍କ ମଧ୍ୟ ଗୀତ ଲେଖୁଥିଲେ ଓ ତାକୁ ସୁର ଦେଉଥିଲେ ଅକ୍ଷୟ ମହାନ୍ତି । ପାର୍ଥସାରଥି ଦିଲ୍ଲୀ ଚାକିରି କରିବାକୁ ପଳେଇଗଲା ପରେ, ଅକ୍ଷୟଙ୍କ ନଜର ପଡିଥିଲା ଶିବବ୍ରତଙ୍କ ଉପରେ । ଶିବବ୍ରତ ସେତେବେଳକୁ ପୁଲିସ ବିଭାଗରେ ଚାକିରି କରୁଥିଲେ । ଶିବବ୍ରତଙ୍କ କବିତା ପଢି ଅକ୍ଷୟ ମୁଗ୍ଧ ହୋଇଥିଲେ ଓ ତାଙ୍କୁ ଗୀତ ଲେଖିବାକୁ ଅନୁରୋଧ କରିଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ଶିବବ୍ରତଙ୍କ ସହ ଅକ୍ଷୟଙ୍କ ସହବନ୍ଧନ । ଅକ୍ଷୟଙ୍କ କଥାରୁ, ସେ ଶାନ୍ତନୁ ମହାପାତ୍ରଙ୍କ ସହ ଦେଖା କଲେ । ଶାନ୍ତନୁ ତାଙ୍କ ଗୀତ ଆକାଶବାଣୀ କଟକରେ ଦାଖଲ କଲେ । ଭୁବନେଶ୍ଵର ମିଶ୍ର ଆକାଶବାଣୀର କାର୍ଯକ୍ରମ "ସଜଫୁଲ" ପାଇଁ ତାଙ୍କ ଲିଖିତ ଗୀତ "କାଇଁଚ ପତର ସରୁ" ଚୟନ କଲେ ଓ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଆକାଶବାଣୀ କଟକରେ ଏହି ଗୀତ ପ୍ରସାରିତ ହେଲା । ଏହି ଗୀତ ଦ୍ଵାରା, ସେ ଲୋକଲୋଚନକୁ ଆସିଥିଲେ । ଧୀର ବିଶ୍ଵାଳ ନିଜ ଚଳଚିତ୍ର ମନ ଆକାଶ ପାଇଁ ଶିବବ୍ରତଙ୍କୁ ଗୀତ ଲେଖିବାକୁ ଅନୁରୋଧ କଲେ । ପ୍ରଥମ ଗୀତ ଥିଲା "ଏ ବନ ଝରଣା" । ଗୀତଟି ଭଲ ହେବାରୁ, ସେହି ଚଳଚିତ୍ର ପାଇଁ ଆଉ ଚାରୋଟି ଗୀତ ମଧ୍ୟ ଲେଖିଲେ । ଏହିପରି ଆରମ୍ଭ ହେଲା ଚଳଚିତ୍ର ପାଇଁ ଗୀତ ଲେଖିବା । ତେବେ ପୁଲିସ ଚାକିରିରେ ବାରମ୍ବାର ବଦଳି ଯୋଗୁଁ ଗୀତ ଲେଖିବାରେ ଅସୁବିଧା ହେଉଥିଲା ।

ଶିବବ୍ରତ ପୁଲିସ ବିଭାଗରେ ଶ୍ରେଷ୍ଠ ବନ୍ଧୁକ ଚାଳକ ଭାବରେ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ । ୨୫ବର୍ଷ ଧରି ଜାତୀୟ ସ୍ତରରେ ଓଡ଼ିଶାକୁ ବନ୍ଧୁକ ଚାଳନାରେ ପ୍ରତିନିଧିତ୍ଵ କରିଥିଲେ ।[୨]

ଶିବବ୍ରତ ଲେଖିଥିବା କିଛି କଥାଚିତ୍ର ଗୀତ ହେଲା :

  • ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ
  • ନଦୀର ନାମ ଅଳସ କନ୍ୟା
  • ଉର୍ମି ଅଧିର ରୂପସି ଚିଲିକା
  • ଯା ଯାରେ ଭାସି ଯା
  • ମୁଁ ଯେ ଅମୃତ ସାଗର ବିନ୍ଦୁ

୧୯୮୮ ସେପ୍ଟେମ୍ବର ୮ତାରିଖରେ ଶିବବ୍ରତ ଦାସଙ୍କର ପରଲୋକ ଘଟିଥିଲା ।[୩]

ଆଧାର[ସମ୍ପାଦନା]

  1. http://www.thehindu.com/todays-paper/tp-national/tp-otherstates/tributes-paid-to-sibabrata-das/article2399023.ece
  2. "ନଦୀର ନାମ ଅଳସ କନ୍ୟା". ସମାଜ ୦୯/୦୯/୨୦୧୬ କଲିକତା ସଂସ୍କରଣ ପୃଷ୍ଠା ୭. http://216.151.160.34/epaper/svww_index1.php. Retrieved 9 September 2016. 
  3. ସମ୍ବାଦ ୨୬/୦୮/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୧୮ରେ ପ୍ରକାଶିତ "ଝୁରୁଛି ଚିତ୍ରଲେଖା" ପ୍ରସଙ୍ଗ

ଅଧିକ ତଥ୍ୟ[ସମ୍ପାଦନା]