ଦେବରକୁଣ୍ଡ

ଉଇକିପିଡ଼ିଆ‌ରୁ

ଦେବରକୁଣ୍ଡ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଏକ ଦେବଦେବୀ ପୀଠ । ଏଠାରେ ହିନ୍ଦୁ ଦେବଦେବୀ ରାମ, ସୀତାଲକ୍ଷ୍ମଣ ପୂଜିତ ହୋଇଥାନ୍ତି ।

ଅବସ୍ଥିତି[ସମ୍ପାଦନା]

ଏହା ବନ୍ତ ବ୍ଲକର କାଉପୁର ଓ ଭୀମପୁର ଗାଁ ମଧ୍ୟ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀର ମଧ୍ୟଭାଗରେ ଅବସ୍ଥିତ ।

ପାଳିତ ଉତ୍ସବ[ସମ୍ପାଦନା]

ଫଗୁଣ ମାସର ବଡ଼ ଏକାଦଶୀରେ ହେଉଥିବା ଦେବରକୁଣ୍ଡ ମେଳା ପାଇଁ ଏହି ପୀଠ ପ୍ରସିଦ୍ଧ ।

କିମ୍ବଦନ୍ତୀ[ସମ୍ପାଦନା]

ତ୍ରେତୟା ‍‍‌ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର ପିତୃସତ୍ୟ ପାଳନ କରି ୧୪ ବର୍ଷ କାଳ ରାଜପ୍ରସାଦ ଛାଡି ବନବାସ ଗମନ କରିଥିଲେ। ବନବାସରେ ରହଣି ପରେ ନିଜ ପିତାଙ୍କର ସ୍ୱର୍ଗାରୋହଣ ଖବର ପାଇ ଅତ୍ୟନ୍ତ ମର୍ମାହତ ହୋଇଥିଲେ । ଘଂଚ ଜଙ୍ଗଲରେ ବୁଲୁବୁଲୁ ପିତାଙ୍କର ଶ୍ରାଦ୍ଧ ଦିବସ ପାଇଁ ମାଆ ଜାନକୀ ସ୍ନାନକରି ପିତାଙ୍କର ପିଣ୍ଡ ଦାନ କରିବା ପାଇଁ ରାମଚନ୍ଦ୍ରଙ୍କୁ କହିଲେ । ସେଦିନ ଭୌମି ଏକାଦଶୀ ତିଥିରେ ମାଆ ଜାନକୀ ସ୍ନାନ କରିବା ପାଇଁ ଜଳ ଆବଶ୍ୟକ କରିଥିଲେ । ସେହି ସମୟରେ ନଦୀ ଶୁଷ୍କଥିବାରୁ ରାମଚନ୍ଦ୍ର ନିଜର ଅନୁଜ ଲଖ୍ମଣଙ୍କୁ ଜଳର ସନ୍ଧାନ କରିବାପାଇଁ କହିଥିଲେ । ଲକ୍ଷ୍ମଣ ବହୁସ୍ଥାନ ବୁଲି ଜଳର ସନ୍ଧାନ ନପାଇବାରୁ ରାମଚନ୍ଦ୍ରଙ୍କୁ ସ୍ମରଣ କରି ନିଜ ଧନୁରେ ଗୁଣ ଚଢ଼ାଇ ବାଣ ମାରିବାରୁ ନଦୀ ଗର୍ଭରେ ଦୁଇଗୋଟି କୁଣ୍ଡ ସୃଷ୍ଟି ହୋଇଥିଲା । ଉକ୍ତ କୁଣ୍ଡ ମଧ୍ୟକୁ ଜଳ ବହିଯିବାଦ୍ୱାରା ଉକ୍ତ କୁଣ୍ଡ ଦୁଇଟି ଛୋଟ ପୁଷ୍କରିଣୀର ଭ୍ରମ ସୃଷ୍ଟି କରିଥିଲା । ତାହା ପରେ ତନ୍ମଧ୍ୟରୁ ଏକ କୁଣ୍ଡରେ ମାତା ସୀତା ଏବଂ ଅନ୍ୟଟିରେ ପ୍ରଭୁ ଶ୍ରୀରୀମ ଓ ଲକ୍ଷ୍ମଣ ସ୍ନାନ କରଥିଲେ । ସେହି କାଳରୁ ମାତା ସୀତା କରିଥିବା କୁଣ୍ଡର ନାମ 'ସୀତାକୁଣ୍ଡ' ଏବଂ ରାମଲକ୍ଷ୍ମଣ ସ୍ନାନ କରିଥିବା କୁଣ୍ଡର ନାମ 'ଦେବରକୁଣ୍ଡ' ଭାବେ ନାମିତ ହୋଇଛି । କାଳକ୍ରମେ କୁଣ୍ଡର ନାମାନୁସାରେ ଉକ୍ତ ପବିତ୍ର ପୀଠଟି ମଧ୍ୟ ସେହି ନାମରେ ନାମିତ ହୋଇଛି । ଏହି କୁଣ୍ଡ ନିକଟରେ ବଡ଼ ଦୀପ ଆକୃତିର ଚିହ୍ନ ମଧ୍ୟ ଦେଖାଯାଏ । ସେହି ଦୀପ ସମ୍ବନ୍ଧରେ ଜନଶୃତି ଅଛିଯେ, ମାଆ ଜାନକୀ ସ୍ନାନପରେ ଏହିଠାରେ ତାଙ୍କର ଶ୍ୱଶୁର ଦଶରଥଙ୍କୁ ବାଲିପିଣ୍ଡ ଦାନକରିବା ସମୟରେ ଉକ୍ତ ଦୀପକୁ ବ୍ୟବହାର କରିଥିଲେ । ଏହି ପବିତ୍ର କୁଣ୍ଡ ବିଷୟରେ ମଧ୍ୟ ଓଡ଼ିଆ କବି ରାଧାନାଥ ରାୟଙ୍କ 'ଦରବାର' କାବ୍ୟ ଓ 'ବିରଜା ପଞ୍ଜିକାରେ' ବର୍ଣ୍ଣନା ରହିଛି । ଉକ୍ତ ସ୍ମୃତିକୁ ସାଇତି ରଖିବା ପାଇଁ ପ୍ରଥମେ ସ୍ଥାନୀୟ ଭକ୍ତମାନେ ସେଠାରେ ଉକ୍ତ ତିଥିରେ ପୂଜାର୍ଚ୍ଚନା କରୁଥିଲେ । ଧୀରେଧୀରେ ପୀଠର ମହିମା ପ୍ରଚାରିତହେବା ପରେ ଏହି ପବିତ୍ର କୁଣ୍ଡର ଜଳରେ ଫାଲଗୁନ ମାସର (ବଡ଼) ଏକାଦଶୀ ତିଥିରେ ହଜାର ହଜାର ସଂଖ୍ୟାରେ ଭକ୍ତ ବୁଡ ପକାଇ ଆସୁଛନ୍ତି । ସେମାନଙ୍କର ବହୁ ଧର୍ମ ବିଶ୍ୱାସ ଯେ, ଏହି ପବିତ୍ର କୁଣ୍ଡ ଜଳରେ ସ୍ନାନ କଲେ ସମସ୍ତ ପାତକ ନାଶ ହେବା ସହ ପୁଣ୍ୟ ମିଳିଥାଏ । ସ୍ଥାନୀୟ କିଛି ଧର୍ମପରାୟଣ ବ୍ୟକ୍ତିଙ୍କ ଉଦ୍ୟମରେ ଏହି ପୀଠର ମହିମା ବୃଦ୍ଧି ଉଦ୍ଦେଶ୍ୟରେ ନିକଟରେ ପ୍ରାୟ ୨୦ଟିରୁ ଉର୍ଦ୍ଧ୍ୱ ମନ୍ଦିର ନିର୍ମାଣ କରାଯାଇଅଛି । କୁଣ୍ଡରେ ବୁଡ଼ ପକାଇବା ପରେ ପାର୍ଶ୍ୱସ୍ଥ ସୂର୍ଯ୍ୟନାରାୟଣ, ବିରଞ୍ଚି ନାରାୟଣଙ୍କୁ ଦର୍ଶନ କଲେ ମହାପାତକ ନାଶ ହୁଏ ଏବଂ ପୁନର୍ଜନ୍ମ ବନ୍ଧନରୁ ମୁକ୍ତି ମିଳେ ବୋଲି ଲୋକକଥା ରହିଛି । ଆହୁରି ମଧ୍ୟ, ନବ ଦମ୍ପତିମାନେ ନିଜର ଅଙ୍ଗବସ୍ତ୍ର ଓ ବିବାହ ନୋଳ-ମୁକୁଟ ଆଦିକୁ ଏହି କୁଣ୍ଡରେ ବିସର୍ଜନ କଲେ ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ କିମ୍ବଦନ୍ତୀରୁ ଜଣାଯାଏ । ଏହି ପର୍ବ ଶୀତ ଦିନରେ ପାଳିତ ହେଉଥିବାବେଳେ ପବିତ୍ର ଏକାଦଶୀ ଦିନ ସେ କୁଣ୍ଡର ଜଳ ଉଷ୍ମ ରହିଥାଏ ବୋଲି ଭକ୍ତମାନେ ମତ ଦିଅନ୍ତି ୤ ଏଥିସହ କାଉପୁର ରାଜାଙ୍କ ରାଜପ୍ରାସାଦ ନିକଟରେ ବହିଯାଇଥିବା ନଦୀର ପାର୍ଶ୍ୱରେ ମହାଭାରତର କିଛି ପ୍ରମାଣ ମଧ୍ୟ ଦେଖିବାକୁ ମିଳିଥାଏ ୤ ପାଣ୍ଡବମାନେ ପଶାଖେଳରେ ହାରି ନିଜର ରାଜ୍ୟକୁ ହରାଇ ବନବାସରେ ଥିବା ସମୟରେ ଏଠାରେ ଲୁଚିରହିଥିଲେ ୤ ନଦୀର ମଧ୍ୟଭାଗରେ ବଡ଼ବଡ଼ ଆକାରର ପଥର ଖଣ୍ଡମାନ ଅଦ୍ୟାବଧି ପଡ଼ିଥିବାରୁ ଏହି ପଥରକୁ ଭୀମଙ୍କ ରୋଷେଇଶାଳ ବୋଲି ବିଶ୍ୱାସ କରାଯାଏ ୤ ବନବାସ ସମୟରେ ଭୀମ (ବୃକୋଦର) ବ୍ରାହ୍ମଣ ବେଶଧରି ସେଠାରେ ରୋଷେୟା କାର୍ଯ୍ୟ କରିଥିବାର ଜଣାଯାଏ ୤

ଅନ୍ୟାନ୍ୟ ଦେବଦେବୀ[ସମ୍ପାଦନା]

ଏହି ନଦୀର ପାର୍ଶ୍ୱରେ ବିଭିନ୍ନ ଦେବଦେବୀଙ୍କ ମନ୍ଦିର ସହ ବହୁ ପ୍ରାଚୀନ କୀର୍ତ୍ତିରାଜି ମଧ୍ୟ ଦେଖିବାକୁ ମିଳେ । ନିକଟସ୍ଥ ମନ୍ଦିରମାନଙ୍କ ମଧ୍ୟରେ ବିରଂଚି ନାରାୟଣ, ସୂର୍ଯ୍ୟ ନାରାୟଣ, ମହାଦେବ, ହନୁମାନ, ଖରାଖିଆ ମହାଦେବ, ଜଗନ୍ନାଥ, ଆଜଣା ଦେବୀ, ସନ୍ତୋଷୀ ମାତାଙ୍କ ମନ୍ଦୀର ଅନ୍ୟତମ । ସ୍ଥାନୀୟ ଗ୍ରାମବାସୀ, ଭକ୍ତଙ୍କ ଦାନପାଣ୍ଠିର ମିଳିତ ଅର୍ଥରେ ଉକ୍ତ କୁଣ୍ଡ ପାର୍ଶ୍ୱରେ ଏକ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ୤

ଆଧାର[ସମ୍ପାଦନା]