ଥାଇ ସାଗୁଆ ତରକାରୀ

ଉଇକିପିଡ଼ିଆ‌ରୁ
ଥାଇ ଗ୍ରୀନ୍ କରି
ଥାଇ ସାଗୁଆ ତରକାରୀ
ରୁଟି ସହିତ କୁକୁଡ଼ା ଗ୍ରୀନ୍ କରି ପରସା ଯାଇଛି
ଅନ୍ୟ ନାମଥାଇ କ୍ରିମ୍ କରି
ପ୍ରକାରତରକାରୀ
ମୂଳ ସ୍ଥାନଥାଇଲ୍ୟାଣ୍ଡ
ମୁଖ୍ୟ ଉପାଦାନନଡ଼ିଆ କ୍ଷୀର, ସାଗୁଆ ତରକାରୀ ବଟା, ତାଳ ଚିନି, ମାଛ ସସ୍, କାଫିର୍ ଲେମ୍ବୁଗଛର ପତ୍ର, ଥାଇ ତୁଳସୀ (Basil) ପତ୍ର

ଥାଇ ଗ୍ରୀନ୍ କରି ବା ଥାଇ ସାଗୁଆ ତରକାରୀ (ଇଂରାଜୀରେ Thai Green curry ବା କେବଳ Green curry) ମଧ୍ୟ ଥାଇଲ୍ୟାଣ୍ଡରେ ପ୍ରସ୍ତୁତ ହେଉଥିବା ଏକ ସାଗୁଆ ରଙ୍ଗର ତରକାରୀ । ଥାଇ ଭାଷାରେ ଏହି ତରକାରୀର ନାମ ହେଉଛି แกงเขียวหวาน (କାଏଂଗ୍ ଖ୍ୟାଓ ୱାନ୍) ଯାହାର ଅର୍ଥ ମିଠା ସାଗୁଆ ତରକାରୀ

ନାମକରଣ[ସମ୍ପାଦନା]

ଏହି ତରକାରୀର ନାମ ତାହାର ରଙ୍ଗକୁ ଭିତ୍ତି କରି ଏପରି ଦିଆଯାଇଛି । ତରକାରୀର ସାଗୁଆ ରଙ୍ଗ ମୁଖ୍ୟତଃ କଞ୍ଚା ଲଙ୍କା ଯୋଗୁଁ ଆସିଥାଏ ।[୧] ଥାଇ ନାମରେ ରହିଥିବା ୱାନ୍ ଶବ୍ଦର ଅର୍ଥ ମିଠା ଏବଂ ଏହି ମିଠା ଶବ୍ଦଟି ସାଗୁଆ ରଙ୍ଗ ପାଇଁ ଯୋଡ଼ାଯାଇଛି । ଏହି ତରକାରୀର ମିଠା ସ୍ୱାଦ ନଥାଏ ତେଣୁ ତାହା ପାଇଁ ମିଠା ଶବ୍ଦ ବ୍ୟବହୃତ ହୋଇନଥାଏ ।[୨] ଏହି ଥାଇ ତରକାରୀରେ ନଡ଼ିଆ କ୍ଷୀର ଓ କଞ୍ଚା ଲଙ୍କା ମିଶୁଥିବାରୁ ଏହାର ରଙ୍ଗ କ୍ରିମ୍ ପରି ଫିକା ସାଗୁଆ ରଙ୍ଗର ହୋଇଥାଏ । ଥାଇ ଭାଷାରେ ଏହି ରଙ୍ଗକୁ "ମିଠା ସାଗୁଆ (sweet green)" ରଙ୍ଗ ବୋଲି କୁହାଯାଏ । ଏହାର ଉପାଦାନ ସବୁବେଳେ ଏକା ନହୋଇପାରେ । ଏହି ତରକାରୀ ଅନ୍ୟ ଥାଇ ତରକାରୀଙ୍କଠାରୁ ମିଠା ନୁହେଁ, କିନ୍ତୁ ଅଳ୍ପ ରାଗ ଥାଇ ଲାଲ୍ ତରକାରୀଙ୍କ ତୁଳନାରେ ଏହା ଅଧିକ କଡ଼ା ।[୩] ତେବେ ମସଲାର କଡ଼ାପଣରେ ତାରତମ୍ୟ ରହିପାରେ । ରାଜା ରାମ (ଷଷ୍ଠ) କିମ୍ବା ରାଜା ରାମ (ସପ୍ତମ)ଙ୍କ ରାଜୁତି କାଳରେ (୧୯୦୮-୧୯୨୬ ମଧ୍ୟରେ) ଏହି ତରକାରୀର ରାନ୍ଧଣା ଆବିଷ୍କୃତ ଓ ବିକଶିତ ହୋଇଥିଲା ।[୪]

ଆବଶ୍ୟକୀୟ ଉପାଦାନ[ସମ୍ପାଦନା]

କୌଣସି ଏକ ପୁଷ୍ଟିସାର ଜାତୀୟ ଖାଦ୍ୟ (ମାଛ, ମାଂସ) ସହିତ ଅନ୍ୟ ଆବଶ୍ୟକୀୟ ଉପାଦାନମାନ ହେଲେ – ନଡ଼ିଆ କ୍ଷୀର, ସାଗୁଆ ବଟା ମସଲା, ତାଳ ଚିନି ଓ ମାଛରୁ ତିଆରି ସସ୍ । ଥାଇ ବାଇଗଣ, ଥାଇ ମଟର ବାଇଗଣ କିମ୍ବା ଅନ୍ୟାନ୍ୟ ସଜ ସବୁଜ ଓ ଧଳା ପରିବା ଏବଂ କେତେକ ଫଳ ମଧ୍ୟ ଏହି ତରକାରୀରେ ବ୍ୟବହୃତ ହୋଇପାରିବ ।[୪][୩][୫][୬] କେତେ ନଡ଼ିଆ କ୍ଷୀର ବ୍ୟବହୃତ ହେଉଛି ତାହା ଅନୁସାରେ ତରକାରୀ ଝୋଳ ମୋଟା ବା ପାଣିଆ ହୋଇଥାଏ । ହେମଦସ୍ତା ବା ଶିଳରେ କଞ୍ଚା ଲଙ୍କା, ଶାଲଟ୍ ପିଆଜ, ଅଦା, ଗାଲାଙ୍ଗଲ୍, ଶତବେଧୀ (lemongrass), କାଫିର୍ ଲେମ୍ବୁ ପତ୍ର ଓ ଲେମ୍ବୁ ଚୋପା, ଧନିଆ ଚେର, ଜୀରା, ଧଳା ଗୋଲମରିଚ, ଚିଙ୍ଗୁଡ଼ି ବଟା ମସଲା ଓ ଲୁଣ ଇତ୍ୟାଦିକୁ କୁଟି ବା ବାଟି ତରକାରୀ ପାଇଁ ସାଗୁଆ ରଙ୍ଗର ବଟା ମସଲା ପ୍ରସ୍ତୁତ କରାଯାଏ ।[୩][୭]

ରନ୍ଧା ପଦ୍ଧତି[ସମ୍ପାଦନା]

ତେଲରେ ସାଗୁଆ ବଟା ମସଲା ଓ ଅଳ୍ପ ନଡ଼ିଆ କ୍ଷୀର ପକାଇ ମସଲା କଷାଯାଏ । ମସଲା ଭଲ ଭାବେ କଷା ହୋଇ ତେଲ ଛାଡ଼ିବା ଆରମ୍ଭ କଲେ ବଳକା ନଡ଼ିଆ କ୍ଷୀର, ଅନ୍ୟାନ୍ୟ ଉପାଦାନ, ଅଳ୍ପ ତାଳ ଚିନି ଓ ମାଛ ସସ୍ ଆଦି ମିଶାଇ ଦିଆଯାଏ । ତରକାରୀ ଭଲ ଭାବେ ଫୁଟି ପ୍ରସ୍ତୁତ ହୋଇଯିବା ପରେ ଏହା ଉପରେ କଟା ମରିଚ, ଲେମ୍ବୁ ପତ୍ର ପ୍ରଭୃତି ପକାଇ ସଜାଇ ଦିଆଯାଏ । ବିଭିନ୍ନ ସାମୁଦ୍ରିକ ଜୀବଙ୍କୁ ବ୍ୟବହାର କରି ପ୍ରସ୍ତୁତ ସାଗୁଆ ତରକାରୀରେ ଥାଇ ତୁଳସୀ, ବଣୁଆ ଅଦା ଇତ୍ୟାଦି ପକାଇ ସଜା ଯାଇଥାଏ ।[୩]

ବଢ଼ା[ସମ୍ପାଦନା]

ଗ୍ରୀନ୍ କରିକୁ ମୁଖ୍ୟତଃ ଭାତ ସହିତ ଖିଆଯାଇଥାଏ । ତେବେ ଖାନୋମ୍ ଚିନ୍ ଚାଉଳ ନୁଡୁଲ୍ସ ସହିତ ମଧ୍ୟ ଏହି ତରକାରୀକୁ ଖାଇହେବ ।[୮] ସାଗୁଆ ମାଂସ ତରକାରୀର ଝୋଳ ମୋଟା ହୋଇଥିଲେ ଏହାକୁ ରୁଟି ସହିତ ମଧ୍ୟ ଖିଆଯାଇ ପାରିବ । ମାଲେସିଆରେ ମିଳୁଥିବା ରୋଟି କାନାଇ ସହିତ ମଧ୍ୟ ଏହି ତରକାରୀ ପରଷା ଯାଇଥାଏ ।[୯]

ଗ୍ରୀନ୍ କରି ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Easy Thai Green Curry, an Interview with Kasma Loha-unchit". SheSimmers. Archived from the original on 2017-11-27. Retrieved 2019-12-07.
  2. "Authentic Thai Green Curry Paste, Krueang Kaeng Khiao Wan – Thai Curry Episode II". The High Heel Gourmet.
  3. ୩.୦ ୩.୧ ୩.୨ ୩.୩ David Thompson, Thai Food (edition 2010), Pavilion Books, pages 218-220, ISBN 978-1-86205-514-8
  4. ୪.୦ ୪.୧ "แกงเขียวหวานเป็ดย่าง; Thai Green Curry with Roasted Duck and Young Chilies" (in ଆମେରିକୀୟ ଇଂରାଜୀ). 2016-10-04. Retrieved 2016-10-04.
  5. "Easy Green Curry with Pork Recipe". thaifoodandtravel.com.
  6. Andy Ricker, Pok Pok, Ten Speed Press Berkeley, 2013, pages 161-162, ISBN 978-1-60774-288-3
  7. "Green curry with fish dumplings, Gang Kiew-wan Pla Grai". chezpim.com. Archived from the original on 2014-05-18. Retrieved 2019-12-07.
  8. "Khanom Jeen! - Austin Bush Photography". Austin Bush Photography. Archived from the original on 2016-07-22. Retrieved 2019-12-07.
  9. David Thompson, Youtube: Beef green curry with roti