ଚନ୍ଦ୍ରମୋହନ ମହାରଣା
ଚନ୍ଦ୍ରମୋହନ ମହାରଣା | |
---|---|
ଜନ୍ମ | ୧୮୭୦ ରେମୁଣା |
ମୃତ୍ୟୁ | ୯ ଅପ୍ରେଲ ୧୯୨୯ (ବୟସ ୫୮–୫୯) |
ନିଯୁକ୍ତିଦାତା |
|
କାର୍ଯ୍ୟ | ଓଡ଼ିଆ ବ୍ୟାକରଣ, ଚନ୍ଦ୍ରମୋହନ ଗ୍ରନ୍ଥାବଳୀ, ନବୋଦ୍ୟମ, ରଚନା ଶିକ୍ଷା |
ଚନ୍ଦ୍ରମୋହନ ମହାରଣା (୧୮୬୯-୧୯୨୯) ଜଣେ ଓଡ଼ିଆ ଶିକ୍ଷାବିତ୍ ଓ ସଙ୍ଗଠକ ଥିଲେ । ତାଙ୍କ ରଚନାବଳୀ ମଧ୍ୟରେ କବିତା ପୁସ୍ତକ ନବୋଦ୍ୟମ (୧୮୮୮) ଏବଂ ପାଠ୍ୟପୁସ୍ତକ ଚନ୍ଦ୍ରମୋହନ କଥାବଳୀ, ଓଡ଼ିଆ ବ୍ୟାକରଣ (ପ୍ରଥମ ସୋପାନ) ଏବଂ ରଚନା ଶିକ୍ଷା (ପ୍ରଥମ ସୋପାନ) ଆଦି ଅନ୍ୟତମ । ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରି କଟକ ଟ୍ରେନିଂ ସ୍କୁଲକୁ ବଦଳି ହୋଇଥିଲେ ଏବଂ ସେଠାରେ ମଧୁସୂଦନ ରାଓଙ୍କ ସହ ମିଶି ୧୮୯୩ ଡିସେମ୍ବର ୧୨ରେ "ଆଲୋଚନାସଭା" ନାମକ ଓଡ଼ିଆ ସାହିତ୍ୟ ଆଲୋଚନା ଗଠନରେ ମୁଖ୍ଯ ଭୂମିକା ନିଭାଇଥିଲେ । ପରେ ତାହା ୧୯୦୩ ମଇ ୭ରେ ଉତ୍କଳ ସାହିତ୍ୟ ସମାଜରେ ପରିଣତ ହେଲା ଓ ସେ ତାହାର ସମ୍ପାଦକ ହୋଇଥିଲେ । ସେ ୧୯୦୩ରେ ସେ ପୁରୀ ଜିଲ୍ଲା ସ୍କୁଲର ପ୍ରଥମ ଓଡ଼ିଆ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଚନ୍ଦ୍ରମୋହନ ମହାରଣା ୧୮୬୯ ମସିହାରେ ବାଲେଶ୍ୱର ଜିଲ୍ଲାର ରେମୁଣା ନିକଟବର୍ତ୍ତୀ ପୁରୁଷୋତ୍ତମପୁର ଗ୍ରାମରେ ଏକ ସ୍ୱର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଥିଲା ଦେବକୀ ଓ ପିତାଙ୍କର ଅନାଦି । ବାପା ମହାରଣା କୌଳିକ ସ୍ୱର୍ଣ୍ଣକାର ବ୍ୟବସାୟ କରୁଥିଲେ । ରେମୁଣାର ଭର୍ଣ୍ଣାକୁଲାର ସ୍କୁଲ (ଦେଶୀୟ ଭାଷା ବିଦ୍ୟାଳୟ)ରେ ତାଙ୍କର ଶିକ୍ଷାରମ୍ଭ ହୋଇଥିଲା ଓ ୧୮୮୦ରେ ସରିଥିଲା । ସେ ଏହି ବିଦ୍ୟାଳୟରୁ ପାସକରି ଛାତ୍ରବୃତ୍ତି ପାଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିଥିଲେ । ପରେ ୧୮୮୭ରେ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରାଦେଶିକ ବୃତ୍ତି ପାଇ ସେଠାରେ ଏଫ୍.ଏ. ପଠନ ଆରମ୍ଭ କରିଥିଲେ । ୧୮୮୭ରେ ସେ ଏଫ୍.ଏ.ରେ ପାସକରିଥିଲେ । ସେଥିରେ ପ୍ରଥମ ସ୍ଥାନ ଅଧିକାର କରି ୨୦ ବର୍ଷ ବୟସରେ ୧୮୯୦ ଖ୍ରୀଷ୍ଟାବ୍ଦରେ ବି.ଏ. (କଳା ସ୍ନାତକ) ପାସ୍ କରିଥିଲେ ।[୧] ପରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପାରେ ରାସମଣି ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା ।[୨]
ବୃତ୍ତିଗତ ଜୀବନ
[ସମ୍ପାଦନା]ବି.ଏ. ପଢ଼ାପରେ ସେ ବଙ୍ଗଳା ପ୍ରଶାସନ ସେବା ପାଇଁ ପ୍ରସ୍ତୁତି କରିବା ବେଳେ ସ୍ଥାନୀୟ ସ୍କୁଲଗୁଡ଼ିକ ପାଇଁ ତତ୍କାଳୀନ ଜଏଣ୍ଟ ଇନ୍ସପେକ୍ଟର ଭାବେ ବାଲେଶ୍ୱରରେ ଅବସ୍ଥାପିତ ରାଧାନାଥ ରାୟ ତାଙ୍କୁ ସେଥିରୁ ନିବୃତ୍ତ କରାଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ନିଯୁକ୍ତି ଦେଇଥିଲେ । ସେଠାରୁ ତାଙ୍କର ଶିକ୍ଷକ ଜୀବନ ଆରମ୍ଭ ହୋଇଥିଲା ।[୧] ଦୁଇବର୍ଷର ଶିକ୍ଷକତା ପରେ କଟକ ଟ୍ରେନିଂ ସ୍କୁଲକୁ ଚନ୍ଦ୍ରମୋହନଙ୍କ ବଦଳି ହୋଇଥିଲା । ସେଠାରେ ୧୮୯୩ ମସିହାରେ ଦ୍ୱାରିକାନାଥ ଚକ୍ରବର୍ତ୍ତୀଙ୍କ ଅବସର ଅନ୍ତେ ମଧୁସୂଦନ ରାଓ ପ୍ରଧାନଶିକ୍ଷକ ଭାବେ ଯୋଗଦେଇଥିଲେ । ପରେ ୧୯୦୩ରେ ସେ ପୁରୀ ଜିଲ୍ଲା ସ୍କୁଲର ପ୍ରଥମ ଓଡ଼ିଆ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇଥିଲେ । ସେଠାରେ ତାଙ୍କର ଛାତ୍ରମାନଙ୍କ ମଧ୍ୟରେ ଗୋଦାବରୀଶ ମହାପାତ୍ର ଥିଲେ ଅନ୍ୟତମ । ଗୋଦାବରୀଶ ନିଜ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି ଯେ ନିଜ ଆର୍ଥିକ ଅସ୍ୱଚ୍ଛଳତା ହେତୁ ସେ ଚନ୍ଦ୍ରମୋହନଙ୍କ ଘରେ ପୂଜାହାରୀ ଭାବେ ରୋଷେଇ କରି ଖାଦ୍ୟପୋଷାକ ଯୋଗାଡ଼ କରିଥିଲେ ।[୨]
ସାହିତ୍ୟ ରଚନା
[ସମ୍ପାଦନା]୧୮୮୭ରେ ଏଫ୍.ଏ. ଶ୍ରେଣୀରେ ପଢ଼ାବେଳେ ସେ ରଚନା କରିଥିବା କେତେଗୋଟି କବିତା ମଧୁସୂଦନ ରାଓ ସମ୍ପାଦିତ ସଂସ୍କାର ପତ୍ରିକାରେ ପ୍ରକାଶ ପାଇଥିଲା । ବି.ଏ. ଶ୍ରେଣୀରେ ଛାତ୍ର ଅବସ୍ଥାରେ ସେ ଉକ୍ତ କବିତାଗୁଡ଼ିକୁ ଏକାଠି କରି ତାଙ୍କର ପ୍ରଥମ କବିତା ପୁସ୍ତକ ନବୋଦ୍ୟମ ୧୮୮୮ରେ ଓଡ଼ିଶା ପ୍ରିଣ୍ଟିଂ କର୍ପୋରେସନଦ୍ୱାରା ପ୍ରକାଶ କରାଇଥିଲେ । ସେତେବେଳେ ରାଜକର୍ମଚାରୀମାନଙ୍କ ଲେଖା ପ୍ରକାଶ ଉପରେ କଟକଣା ଥିବାରୁ ସେ ଅନେକ ଲେଖା ଛଦ୍ମନାମରେ ପ୍ରକାଶ କରିଥିଲେ । ପରେ ଉତ୍କଳ ସାହିତ୍ୟ ପତ୍ରିକା ପ୍ରକାଶ ପାଇଲା ପରେ ଆରମ୍ଭରୁ ତାଙ୍କର ଲେଖା ଅଧିକ ପ୍ରକାଶ ପାଇଲା । ତେବେ ସେ ଜଣେ କବି ଭାବେ ବିଶେଷ ସଫଳ ହୋଇନଥିଲେ । ସେ ରଚନା କରିଥିବା ତିନିଗୋଟି ଶିଶୁ ସାହିତ୍ୟ ଓ ଶିଶୁ ପାଠ୍ୟପୁସ୍ତକ ଥିଲା ଚନ୍ଦ୍ରମୋହନ କଥାବଳୀ,, ଓଡ଼ିଆ ବ୍ୟାକରଣ (ପ୍ରଥମ ସୋପାନ) ଏବଂ ରଚନା ଶିକ୍ଷା (ପ୍ରଥମ ସୋପାନ) । କଥାବଳୀ ଏକ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ଥିଲା । ଇଂଲଣ୍ଡର ମ୍ୟାକ୍ମିଲାନ କମ୍ପାନୀ ଅନୁରୋଧକ୍ରମେ ସେ ଏହାର ପାଣ୍ଡୁଲିପି ଶିକ୍ଷକ ଭାବେ ଚାକିରି କରିବା ପରେ ତିଆରି କରିଥିଲେ ଓ କମ୍ପାନୀ ତାଙ୍କଠାରୁ ଅଳ୍ପ ମୂଲ୍ୟରେ ମାଲିକାନାସ୍ୱତ୍ୱ କିଣିନେଇଥିଲା । ଏଥିରେ ତାଙ୍କର କେତୋଟି ମୌଳିକ କବିତା ଯଥା "ଖଣ୍ଡଗିରି", "ଅପୂର୍ବ କାରାବଦ୍ଧ ପୁରୁଷର ପତ୍ର", "ଶିଶୁ ବିୟୋଗ" ଆଦି ପ୍ରକାଶପାଇଥିଲା । ତାଙ୍କର କବିତାରେ ବାସ୍ତବତାବୋଧ, ପ୍ରକୃତି ଚିତ୍ରଣ, ମାନବୀୟ ଘଟଣା ଆଦି ଦେଖିବାକୁ ମିଳିଥାଏ । ତା' ଛଡ଼ା କ୍ଷୁଦ୍ରଗଳ୍ପ, ଗୀତିଧର୍ମୀ କବିତା, ପ୍ରବନ୍ଧ, ଶିଶୁପାଠ୍ୟୋପଯୋଗୀ ଗଳ୍ପ ଆଦି ମଧ୍ୟ ଏଥିରେ ପ୍ରକାଶ ପାଇଥିଲା । ବହିଟିକୁ ମାକ୍ସମିଲାନ ବିଭିନ୍ନ ଭାଗରେ ବିଭକ୍ତ କରି ହିନ୍ଦୀ ଓ ତେଲୁଗୁ ଭାଷାରେ ମଧ୍ୟ ଛାପି ଥିଲା । ଏହି ପୁସ୍ତକରେ ତାଙ୍କର ମୌଳିକ ରଚନାରେ ମଧୁସୂଦନ ରାଓଙ୍କ ରଚିତ ପାଠ୍ୟପୁସ୍ତକ ଶିଶୁବୋଧ ଓ ବାଳବୋଧରୁ ଆନୀତ ରଚନା ତଥା ସାହିତ୍ୟ ପ୍ରସଙ୍ଗ, ପ୍ରବନ୍ଧମାଳା ଆଦିରେ ସ୍ଥାନୀତ ବିଷୟର ପ୍ରଭାବ ଦେଖାଯାଏ । ମୌଳିକ ରଚନା ବାଦ ଅନେକ ଲେଖା ଇଂରାଜୀ, ବଙ୍ଗଳା, ସଂସ୍କୃତରୁ ଅନୂଦିତ । ଏଥିରେ ଗଦ୍ୟାଂଶରେ ଜ୍ଞାନ-ବିଜ୍ଞାନମୂଳକ କ୍ଷୁଦ୍ର ପ୍ରବନ୍ଧମାନ ସ୍ଥାନପାଇଥିବାରୁ ପୁସ୍ତକଟି ଦୀର୍ଘକାଳ ଧରି ଶିଶୁଙ୍କ ପାଠ୍ୟପୁସ୍ତକ ଭାବେ ପ୍ରଚଳିତ ଥିଲା । କବିତା ଛଡ଼ା ସେ ପ୍ରବନ୍ଧ ଓ ଧାରାବାହିକମାନ ଉତ୍କଳପ୍ରଭା, ଉତ୍କଳ ସାହିତ୍ୟ, ପ୍ରଜାବନ୍ଧୁ, ସଂସ୍କାରକ, ନବସମ୍ବାଦ, ସମ୍ବଲପୁର ହିତୈଷିଣୀ ଆଦି ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୦୩ ମସିହା ବେଳକୁ ପାଠକମାନେ ଭାଗବତ ଟୀକାକାର ଶ୍ରୀଧର ସ୍ୱାମୀଙ୍କ ଜନ୍ମସ୍ଥାନ ରେମୁଣା ବୋଲି ଜାଣିନଥିଲେ ଓ ସେ ପ୍ରଥମ କରି ଉତ୍କଳ ସାହିତ୍ୟ ଷଷ୍ଠ ଭାଗ, ଚତୁର୍ଥ ସଂଖ୍ୟାରେ ଏକ ଆଲୋଚନା ମାଧ୍ୟମରେ ଏ ତଥ୍ୟ ଲୋକଲୋଚନକୁ ଆଣିଥିଲେ ।[୨]
ଉତ୍କଳ ସାହିତ୍ୟ ସମାଜ ସହ-ସ୍ଥାପନା ଓ ଉତ୍କଳ ସାହିତ୍ୟ ସମ୍ପାଦକତା
[ସମ୍ପାଦନା]ସ୍କୁଲର ତତ୍କାଳୀନ ଅଧ୍ୟକ୍ଷ ମଧୁସୂଦନ ରାଓ ୧୮୯୨–୧୮୯୩ ମସିହା ଡିସେମ୍ବର ମାସ ୧୨ ତାରିଖରେ ଛାତ୍ରଛାତ୍ରୀମାନଙ୍କ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ "ଆଲୋଚନାସଭା" ନାମକ ଏକ ସଭା ଗଠନ କରାଇଥିଲେ । ଏହା ପରେ ବ୍ୟାପକ ହୋଇ ଓଡ଼ିଆ ସାହିତ୍ୟ ଚର୍ଚ୍ଚାର କେନ୍ଦ୍ର ହୋଇଥିଲେ । ପ୍ରତି ଶନିବାରରେ ଏହି ସଭାର ବୈଠକ ବସିବାରେ ଲାଗିଲା । ଟ୍ରେନିଂ ସ୍କୁଲର ସମସ୍ତ ଛାତ୍ର ଓ ଶିକ୍ଷକ ଏହି ସଭାର ସଭ୍ୟ ହେଲେ ଏବଂ ଅନ୍ୟ ସ୍କୁଲର ଶିକ୍ଷକମାନେ ମଧ୍ୟ ଏଥିରେ ଭାଗନେବାକୁ ଲାଗିଲେ । ଏହି ସଭାର ପ୍ରତିଷ୍ଠା ଦିବସଠାରୁ ଦୀର୍ଘ ନଅବର୍ଷ ଯାଏଁ ମଧୁସୂଦନ ଏହାର ସଭାପତି ଓ ଚନ୍ଦ୍ରମୋହନ ମହାରଣା ସମ୍ପାଦକ ରହିଥିଲେ ।[୩] ଏହି କେନ୍ଦ୍ରରେ ପ୍ରାଚୀନ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଆଲୋଚନା ହେଉଥିଲା । ୧୯୦୩ ମସିହା ମଇ ମାସ ୭ ତାରିଖରେ ଉତ୍କଳ ସାହିତ୍ୟ ସମାଜ ବିଧିବଦ୍ଧ ଭାବେ ଗଠିତ ହୋଇଥିଲା ।[୪] ଆଲୋଚନାସଭାରେ ସାହିତ୍ୟ ଚର୍ଚ୍ଚା ଅବକାଶରେ ପ୍ରକାଶ କ୍ଷେତ୍ର ପତ୍ରିକାର ଅଭାବ ଅନୁଭୂତ ହେବାରୁ ଟ୍ରେନିଂ ସ୍କୁଲଠାରେ ମଧୁସୂଦନ, ସାଧୁ ଚରଣ ରାୟ, ଚନ୍ଦ୍ରମୋହନ, ଫକୀର ମୋହନ ସେନାପତି, କୃଷ୍ଣପ୍ରସାଦ ଚୌଧୁରୀ ଓ ବିଶ୍ୱନାଥ କର ମିଶି ଉତ୍କଳ ସାହିତ୍ୟ ପତ୍ରିକା ସ୍ଥାପନା କରିଥିଲେ । ଚନ୍ଦ୍ରମୋହନ ଏହାର ସମ୍ପାଦକ ମଧ୍ୟ ଥିଲେ ।[୫] ଆଲୋଚନା ସଭାରେ ପଠିତ ଓ ଆଲୋଚିତ ପ୍ରବନ୍ଧମାନ ସେଥିରେ ପ୍ରକାଶିତ ହେଉଥିଲା ।[୬][୨][୭][୮]
ରଚନାବଳୀ
[ସମ୍ପାଦନା]- ନବୋଦ୍ୟମ (୧୮୮୮, କବିତା)
- ଚନ୍ଦ୍ରମୋହନ କଥାବଳୀ (ପାଠ୍ୟପୁସ୍ତକ)
- ଓଡ଼ିଆ ବ୍ୟାକରଣ (ପ୍ରଥମ ସୋପାନ; ପାଠ୍ୟପୁସ୍ତକ)
- ଏବଂ ରଚନା ଶିକ୍ଷା (ପ୍ରଥମ ସୋପାନ; ପାଠ୍ୟପୁସ୍ତକ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Bureau, Samikhsya (2018-12-29). "ଅବିସ୍ମରଣୀୟ ଶିକ୍ଷକ, ଶିକ୍ଷାବିତ ଓ ସ୍ରଷ୍ଟା ଚନ୍ଦ୍ରମୋହନ ମହାରଣା". The Samikhsya Odia. Retrieved 2024-02-19.
- ↑ ୨.୦ ୨.୧ ୨.୨ ୨.୩ ସାହୁ, ଲାବଣ୍ୟଚନ୍ଦ୍ର (February 2015). "ପ୍ରଚଣ୍ଡ ପ୍ରତିଭାଧର ଚନ୍ଦ୍ରମୋହନ ମହାରଣା". ଉତ୍କଳ ପ୍ରସଙ୍ଗ. Archived from the original on 2023-04-28.
- ↑ * Dandekar, R.N.; Sahitya Akademi (1990). The Mahābhārata Revisited: Papers Presented at the International Seminar on the Mahābhārata Organized by the Sahitya Akademi at New Delhi on February 17-20, 1987. Sahitya Akademi. Retrieved 2024-02-21.
- ↑ "Encyclopaedia of Indian Literature: devraj to jyoti - Amaresh Datta - Google Books". books.google.co.in. 2012. Retrieved 11 May 2012.
- ↑ Das, Krushna Chandra (January 2014). "Growth of Press and Journalism in Nineteenth Century Odisha and It's Role in Making Odisha a Separate Province" (PDF). SEARCH - A Journal of Arts, Humanities & Management. VIII: 83–91.
- ↑ ସାହୁ, ନୃସିଂହ ଚରଣ (2021-05-06). "ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ". ସତ୍ୟବାଦୀ. Retrieved 2024-02-19.
- ↑ ଖଟୁଆ, ଅମୃତେଶ (2020-06-17). "ସମ୍ବଲପୁର ହିତୈଷିଣୀ : ଏକ ଅବଲୋକନ". ଶୁଭଦୃଷ୍ଟି. Retrieved 2024-02-20.
- ↑ ଦାସ, ଜୟନ୍ତ କୁମାର (2019-12-31). "ଚନ୍ଦ୍ରମୋହନ ମହାରଣାଙ୍କ ପ୍ରବନ୍ଧ ସାହିତ୍ୟ: ଏକ ଆକଳନ" (PDF). ପ୍ରତ୍ୟୟ. ୩: ୫.