ଉଇକିପିଡ଼ିଆ:ମାସର ବଛା ଲେଖା/୨୦୨୩
- ଜାନୁଆରୀ ୨୦୨୨
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ । ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
- ଫେବୃଆରୀ ୨୦୨୨
ସୁନ୍ଦରବନ ଜାତୀୟ ଉଦ୍ୟାନ ଏକ ଜାତୀୟ ଉଦ୍ୟାନ, ବ୍ୟାଘ୍ର ଅଭୟାରଣ୍ୟ ଓ ସଂରକ୍ଷିତ ଜୈବଗୋଲକ । ଭାରତର ପଶ୍ଚିମବଙ୍ଗ ରାଜ୍ୟରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଗାଙ୍ଗେୟ ତ୍ରିକୋଣଭୂମିରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ବ୍ୟାପ୍ତ ସୁନ୍ଦରବନ ଜଙ୍ଗଲର ଭାରତୀୟ ଅଂଶରେ ଏହି ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ସୀମାରେଖାର ଆର ପାର୍ଶ୍ୱରେ ବଙ୍ଗଳାଦେଶର ସୁନ୍ଦରବନ ସଂରକ୍ଷିତ ଜଙ୍ଗଲ ରହିଛି । ଗାଙ୍ଗେୟ ତ୍ରିକୋଣଭୂମି ଲୁଣା ଜଙ୍ଗଲରେ ଭର୍ତ୍ତି । ବାଘଙ୍କ ପାଇଁ ସ୍ଥାପିତ ସର୍ବବୃହତ ଅଭୟାରଣ୍ୟ ହେଉଛ ସୁନ୍ଦରବନ ।
ଅନେକ ପ୍ରଜାତିର ପକ୍ଷୀ, ସରୀସୃପ, ଅମେରୁଦଣ୍ଡୀ ଜୀବ ସୁନ୍ଦରବନରେ ବସବାସ କରନ୍ତି । ଏଠାରେ ଅନେକ ବଉଳା କୁମ୍ଭୀର ମଧ୍ୟ ରହିଛନ୍ତି । ସୁନ୍ଦରବନକୁ ୧୯୭୩ ମସିହାରେ ଏକ ବ୍ୟାଘ୍ର ଅଭୟାରଣ୍ୟର କୋର୍ ଅଞ୍ଚଳ ଓ ୧୯୭୭ ମସିହାରେ ବନ୍ୟପ୍ରାଣୀ ଅଭୟାରଣ୍ୟ ବୋଲି ଅଭିହିତ କରାଗଲା ।
- ମାର୍ଚ୍ଚ ୨୦୨୩
ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା (୧୮ ଜୁଲାଇ ୧୯୧୮ - ୫ ଡିସେମ୍ବର ୨୦୧୩) ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ (୧୯୯୪-୧୯୯୯) ଥିଲେ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ୧୯୯୮-୧୯୯୯ ପାଇଁ କାର୍ଯ୍ୟରତ ଥିଲେ ।
- ଅପ୍ରେଲ ୨୦୧୪
ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।
ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।
ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।
୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
- ମଇ ୨୦୨୨
କୃଷ୍ଣଗର୍ତ୍ତ (English: Black hole; ବ୍ଲାକ୍ ହୋଲ୍) ମହାଶୂନ୍ୟ-କାଳରେ (spacetime) ଏପରି ଏକ ସ୍ଥାନ ଯାହାର ମାଧ୍ୟାକର୍ଷଣ ସବୁକିଛି ଏପରିକି ଆଲୋକକୁ ବି ଖସି ଯିବାକୁ ଦେଇନଥାଏ । ମହାକାଶରେ କୃଷ୍ଣଗର୍ତ୍ତ (ଈଂରାଜୀରେ Black Hole) ଅସୀମ (ଅତ୍ୟଧିକ) ବସ୍ତୁତ୍ୱ ବିଶିଷ୍ଟ ଏକ ବିନ୍ଦୁ । ସ୍ଥାନ-କାଳର ପଟ୍ଟ ଉପରେ ଅବସ୍ଥିତ ଏହି ବିନ୍ଦୁର ମହାକର୍ଷଣ ପ୍ରଭାବ ଏତେ ଅଧିକ ଯେ, ବ୍ରହ୍ମାଣ୍ଡରେ ସର୍ବାଧିକ ବେଗର ଅଧିକାରୀ ଆଲୋକ ମଧ୍ୟ ତା’ର ମହାକର୍ଷଣକୁ ପ୍ରତିହତ କରିବାରେ ଅସମର୍ଥ ହୋଇଥାଏ । ବସ୍ତୁଠାରୁ ଆସୁଥିବା ଆଲୋକ ଆମ ଆଖି ପର୍ଯ୍ୟନ୍ତ ଆସିଲେ ଆମେ ତା’କୁ ଦେଖିପାରୁ । ଆଲୋକ ଯାହାର ମହାକର୍ଷଣ ପ୍ରଭାବରୁ ବାହାରି ପାରୁନାହିଁ, ତା’କୁ ଆମେ ଦେଖି ପାରିବା ନାହିଁ । ତେଣୁ ଏହି ବସ୍ତୁକୁ ଆମେ ଏକ ଅଦୃଶ୍ୟ ଛିଦ୍ର ବୋଲି କହିପାରିବା । ସାଧାରଣ ଆପେକ୍ଷିକତା ତତ୍ତ୍ୱ ଅନୁସାରେ, ମହାକାଶରେ ଅତି ଘନ ବସ୍ତୁ ସ୍ଥାନ-କାଳର ସଂରଚନାକୁ ସମ୍ପୂର୍ଣ୍ଣ ଭାବେ ବିକୃତ କରି କୃଷ୍ଣଗର୍ତ୍ତ ଭାବେ ପରିଗଣିତ ହୁଏ । ଏହା ଅଦୃଶ୍ୟମାନ ବୋଲି କଳା ବା କୃଷ୍ଣ ଏବଂ ଏହାର ଗୋଲକାକୃତି ୨ ଆୟାମରେ ବୃତ୍ତ ବା ଛିଦ୍ର ପରି ଦେଖାଯାଏ ।
କୃଷ୍ଣଗର୍ତ୍ତ ଚତୁଃପାର୍ଶ୍ୱକୁ ପାରକରି ଏହାର ପ୍ରଭାବ କ୍ଷେତ୍ର ବାହାରକୁ ଯାଇହେବ ନାହିଁ । କୃଷ୍ଣଗର୍ତ୍ତର ପ୍ରଭାବ କ୍ଷେତ୍ରକୁ “ଘଟଣା କ୍ଷିତିଜ” (ଈଂରାଜୀରେ Event Horizon) ବୋଲି କୁହାଯାଏ । ଏ
- ଜୁନ ୨୦୨୨
ଆର୍କ୍ମିଡ଼ିସ୍ (ଖ୍ରୀଷ୍ଟପୂର୍ବ ୨୮୭-୨୧୨) ସିରାକସରେ ଜନ୍ମଗ୍ରହଣ କରିଥିଲେ । ସେ ଗ୍ରୀସର ଅଧିବାସୀ ଥିଲେ । ସେ ଏକାଧାରରେ ଜଣେ ଗଣିତଜ୍ଞ, ପଦାର୍ଥ ବିଜ୍ଞାନୀ, ଇଞ୍ଜିନିୟର, ଉଦ୍ଭାବକ ଏବଂ ଗ୍ରହ ବିଜ୍ଞାନ ବିଶାରଦ ଥିଲେ । ପ୍ରାଚୀନକାଳର ବୈଜ୍ଞାନିକମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ସେ ଆଧୁନିକ ପଦାର୍ଥ ବିଜ୍ଞାନରେ ଉଦସ୍ଥିତି ବିଜ୍ଞାନ (Hydrostatics)ର ମୂଳଦୂଆ ପକାଇ ଥିଲେ ଏବଂ ଭାରଦଣ୍ଡର ସୂତ୍ରକୁ ବ୍ୟାଖ୍ୟା କରିଥିଲେ । ବହୁତ ଗୁଡ଼ିଏ ଦର୍ପଣଦ୍ୱାରା ବଡ଼ ବଡ଼ ଜାହାଜରେ ନିଆଁ ଲଗାଇ ଦେଇ ପାରୁଥିଲେ । ତାଙ୍କୁ ଜଣେ ସର୍ବକାଳୀନ ଶ୍ରେଷ୍ଠ ଗଣିତଜ୍ଞ ରୂପେ ଗଣନା କରାଯାଏ। ସେ ନିଃଶେଷୀକରଣ (exhaustion) ପ୍ରଣାଳୀ ବ୍ୟବହାର କରି ପାରାବୋଲାର କ୍ଷେତ୍ରଫଳ ସହିତ 'ଅସଂଖ୍ୟ' ମିଶାଣର ଏବଂ ଉତ୍କୃଷ୍ଟ ହାରାହାରି ପାଇ (π)ର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ । ଆହୁରି ମଧ୍ୟ ସେ ସର୍ତ୍ପଳ ବିୟରିଙ୍ଗ ବୋଲି ତାହାର ନାମ ବ୍ୟାଖ୍ୟା କରିଥିଲେ, ପୃଷ୍ଠ ପରିକ୍ରମଣ ଆୟତନ ପାଇଁ ସୂତ୍ର ଏବଂ ବହୁତ ବଡ଼ ସଂଖ୍ୟାମାନ ନିରୂପଣ କରିବା ପାଇଁ କୌଶଳ ପ୍ରଣାଳୀ ଉଦ୍ଭାବନ କରିଥିଲେ । ସିରାକସ ଦଖଲ କରିବା ସମୟରେ ଜନୈକ ରୋମାନ ସୈନ୍ୟ ତାଙ୍କୁ ହତ୍ୟା କରିଥିଲେ, ଯଦିଓ ତାଙ୍କର କୌଣସି କ୍ଷତି ନ କରିବା ପାଇଁ ନିର୍ଦ୍ଦେଶ ଥିଲା । ସିସେରୋ (Cicero)ଙ୍କ ବର୍ଣ୍ଣନା ଅନୁସାରେ ଆର୍କ୍ମିଡ଼ିସ୍ଙ୍କ କବର ଉପରେ ସ୍ଥାପିତ ହୋଇଥିଲା ଏକ ଗୋଲକ ଯାହା ଗୋଟିଏ ସ୍ତମ୍ଭାକୃତି ବସ୍ତୁ ଭିତରେ ଖୋଦିତ ହୋଇଥିଲା । ଆର୍କ୍ମିଡ଼ିସ୍ ପ୍ରମାଣ କରିଥିଲେ ଯେ ସେହି ଗୋଲକଟି ସ୍ତମ୍ଭାକୃତି ବସ୍ତୁର ଆଧାର ସହ ପରପୃଷ୍ଠର କ୍ଷେତ୍ରଫଳ ଏବଂ ଆୟତନର ଦୁଇ ତୃତୀୟାଂଶ । ଏହାଥିଲା ତାଙ୍କର ସମସ୍ତ ଗାଣିତିକ ସଫଳତା ମଧ୍ୟରେ ଏକ ବିଶିଷ୍ଟ ସଫଳତା ।
- ଜୁଲାଇ ୨୦୧୯
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ । [ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
- ଅଗଷ୍ଟ ୨୦୧୯
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ । ଏହା ୧୯୬୯ରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି (INCOSPAR) ବଦଳରେ ସ୍ଥାପିତ ହୋଇଥିଲା । ଇସ୍ରୋ ମୁଖ୍ୟ କାର୍ଯାଳୟ ବାଙ୍ଗାଲୋରଠାରେ ଅବସ୍ଥିତ । ଏହା ଭାରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଗତ ଅଟେ, ଯାହାକି ବର୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଅଛି । ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇଙ୍କର ଉଲ୍ଲେଖନୀୟ ଯୋଗଦାନ ଓ ଆପ୍ରାଣ ପ୍ରଚେଷ୍ଟା ଯୋଁଗୁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ ।
- ସେପ୍ଟେମ୍ବର ୨୦୧୯
ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ ନାମରେ ମଧ୍ୟ ପ୍ରସିଦ୍ଧ । କେତେକ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଏବଂ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି । ତକ୍ଷଶିଳାର ମହାଜ୍ଞାନୀ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଓ ଉପଦେଷ୍ଟା ଥିଲେ । କିନ୍ତୁ କେତେକ ଐତିହାସିକ ଏହି ତଥ୍ୟକୁ ଗ୍ରହଣ କରି ନାହାନ୍ତି। ଅର୍ଥଶାସ୍ତ୍ର ରଚନା ଖ୍ରୀଷ୍ଟପୂର୍ବ ଦ୍ୱିତୀୟରୁ ତୃତୀୟ ଶତାବ୍ଦୀ ମଧ୍ୟରେ ହୋଇଥିଲା ଓ ଖ୍ରୀଷ୍ଟାବ୍ଦ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ବହୁଳ ଭାବେ ଆଦୃତ ଥିଲା । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ଶତାବ୍ଦୀ ପରେ ଏହାର ପ୍ରଭାବ ହ୍ରାସ ପାଇବାକୁ ଲାଗିଲା । ୧୯୦୫ ମସିହାରେ ମହୀଶୂରର ସଂସ୍କୃତ ବିଷାରଦ ରୁଦ୍ରପଟ୍ଟଣ ଶାମାଶାସ୍ତ୍ରୀ ଏହି ଗ୍ରନ୍ଥର ପୁନରାବିଷ୍କାର କରି ୧୯୦୯ ମସିହାରେ ଏହାର ମୁଦ୍ରଣ କରାଇଥିଲେ ।
- ଅକ୍ଟୋବର ୨୦୨୨
ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି ।
- ନଭେମ୍ବର ୨୦୨୨
ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।
- ଡିସେମ୍ବର ୨୦୨୨
ବଡ଼ଦିନ ଗଛ (ଇଂରାଜୀରେ Christmas tree) ଏକ କୋଣାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସୁସଜ୍ଜିତ କରିଥାନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା ଏବଂ ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍ମାନେ ଏହି ସଜ୍ଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ । ପରେ ଏହି ପ୍ରଥାର ଲୋକପ୍ରିୟତା ଜର୍ମାନୀର ଲୁଥେରାନ୍ ଅଞ୍ଚଳକୁ ଅତିକ୍ରମ କରି ଅନ୍ୟ ପ୍ରାନ୍ତକୁ ବ୍ୟାପି ଯାଇଥିଲା । କ୍ରମଶଃ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବଲ୍ଟିକ୍ ସାଗରତଟସ୍ଥ ଦେଶଗୁଡ଼ିକର ସମ୍ଭ୍ରାନ୍ତ ପରିବାରମାନଙ୍କରେ କ୍ରିସ୍ମସ୍ ଗଛ ପ୍ରଥା ପ୍ରଚଳିତ ହେବାକୁ ଲାଗିଲା ।