ସୁନ୍ଦରବନ ଜାତୀୟ ଉଦ୍ୟାନ

ଉଇକିପିଡ଼ିଆ ରୁ
Jump to navigation Jump to search
ସୁନ୍ଦରବନ ଜାତୀୟ ଉଦ୍ୟାନ
ସୁନ୍ଦରବନ ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
Sundarban Tiger.jpg
ସୁନ୍ଦରବନ ବ୍ୟାଘ୍ର ଅଭୟାରଣ୍ୟର ଏକ ବାଘ
Map showing the location of ସୁନ୍ଦରବନ ଜାତୀୟ ଉଦ୍ୟାନ.
Map showing the location of ସୁନ୍ଦରବନ ଜାତୀୟ ଉଦ୍ୟାନ.
ଭାରତ ମାନଚିତ୍ରରେ ସୁନ୍ଦରବନର ଅବସ୍ଥିତି
ଅବସ୍ଥାନପଶ୍ଚିମବଙ୍ଗ, ଭାରତ
ପାଖ ସହରକୋଲକାତା
ଦିଗବାରେଣି21°56′42″N 88°53′45″E / 21.94500°N 88.89583°E / 21.94500; 88.89583Coordinates: 21°56′42″N 88°53′45″E / 21.94500°N 88.89583°E / 21.94500; 88.89583
କ୍ଷେତ୍ରଫଳ୧୩୩୦.୧୨ ବର୍ଗ କି.ମି.
ସ୍ଥାପିତ୧୯୮୪
ପରିଚାଳନାଭାରତ ସରକାର

ସୁନ୍ଦରବନ ଜାତୀୟ ଉଦ୍ୟାନ ଏକ ଜାତୀୟ ଉଦ୍ୟାନ, ବ୍ୟାଘ୍ର ଅଭୟାରଣ୍ୟ ଓ ସଂରକ୍ଷିତ ଜୈବଗୋଲକ । ଭାରତର ପଶ୍ଚିମବଙ୍ଗ ରାଜ୍ୟରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଗାଙ୍ଗେୟ ତ୍ରିକୋଣଭୂମିରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ବ୍ୟାପ୍ତ ସୁନ୍ଦରବନ ଜଙ୍ଗଲର ଭାରତୀୟ ଅଂଶରେ ଏହି ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ସୀମାରେଖାର ଆର ପାର୍ଶ୍ୱରେ ବଙ୍ଗଳାଦେଶର ସୁନ୍ଦରବନ ସଂରକ୍ଷିତ ଜଙ୍ଗଲ ରହିଛି । ଗାଙ୍ଗେୟ ତ୍ରିକୋଣଭୂମି ଲୁଣା ଜଙ୍ଗଲରେ ଭର୍ତ୍ତି । ବାଘଙ୍କ ପାଇଁ ସ୍ଥାପିତ ସର୍ବବୃହତ ଅଭୟାରଣ୍ୟ ହେଉଛ ସୁନ୍ଦରବନ ।

ଅନେକ ପ୍ରଜାତିର ପକ୍ଷୀ, ସରୀସୃପ, ଅମେରୁଦଣ୍ଡୀ ଜୀବ ସୁନ୍ଦରବନରେ ବସବାସ କରନ୍ତି । ଏଠାରେ ଅନେକ ବଉଳା କୁମ୍ଭୀର ମଧ୍ୟ ରହିଛନ୍ତି । ସୁନ୍ଦରବନକୁ ୧୯୭୩ ମସିହାରେ ଏକ ବ୍ୟାଘ୍ର ଅଭୟାରଣ୍ୟର କୋର୍ ଅଞ୍ଚଳ ଓ ୧୯୭୭ ମସିହାରେ ବନ୍ୟପ୍ରାଣୀ ଅଭୟାରଣ୍ୟ ବୋଲି ଅଭିହିତ କରାଗଲା । ୧୯୮୪ ମସିହା ମଇ ୪ ତାରିଖରେ ଜାତୀୟ ଉଦ୍ୟାନ ଘୋଷିତ ହେବା ପରେ ୧୯୮୭ ମସିହାରେ ଏହାକୁ UNESCO ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମିଳିଲା । [୧][୨] ୨୦୦୧ ମସିହାରୁ ଏହାକୁ “ସଂରକ୍ଷିତ ଜୈବମଣ୍ଡଳର ବିଶ୍ୱ ନେଟୱର୍କ୍” (World Network of Biosphere Reserve) ବୋଲି କୁହାଯାଉଛି ।

ବହୁ ପୂର୍ବରୁ ୧୮୬୯ ମସିହାରେ ସୁନ୍ଦରବନର ପ୍ରଥମ ପରିଚାଳନା ବିଭାଗ ଗଠନ ହୋଇଥିଲା । ୧୮୭୫ ମସିହାରେ ଏଠାକାର ଲୁଣା ଜଙ୍ଗଲର ଅଧିକାଂଶ ଭାଗ ଆଇନ ଅନୁଯାୟୀ ସଂରକ୍ଷିତ କରାଗଲା (ବନ କାନୁନ୍, ୧୮୬୫ Act VIII) । ସୁନ୍ଦରବନର ଅନ୍ୟ ସାଧାରଣ ଜଙ୍ଗଲକୁ ୧୮୭୬ ମସିହାରେ ଆଇନ୍ ପରିସରକୁ ଅଣାଯାଇ ବନ ବିଭାଗର ଅଧୀନରେ ରଖାଗଲା । ବନ ବିଭାଗ ପରିଚାଳନା ପାଇଁ ୧୮୭୯ ମସିହାରେ ବଙ୍ଗଳାଦେଶର ଖୁଲନାଠାରେ ଏକ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ହେଲା ।[୩][୪]

୧୯୧୧ ମସିହାରେ ଏହାକୁ ଏକ ବିରାଟ ଅବ୍ୟବହୃତ ଅଞ୍ଚଳ ବୋଲି କୁହାଗଲା ଓ ଏହାକୁ ଜନଗଣନାରେ ସାମିଲ କରାଯାଇନଥିଲା । ସେହି ସମୟରେ ସୁନ୍ଦରବନର ଏହି ଅଂଶ ହୁଗୁଳି ନଦୀର ମୁହାଣରୁ ମେଘନା ନଦୀର ମୁହାଣ ପର୍ଯ୍ୟନ୍ତ ୧୬୫ ମାଇଲ୍ ଲମ୍ବା ଥିଲା ଓ ୨୪ ପ୍ରଗଣା, ଖୁଲନା ଓ ବାକେରଗଞ୍ଜ ଜିଲ୍ଲାର ସୀମାରେ ରହିଥିଲା । ପାଣିକୁ ମିଶାଇ ସମଗ୍ର ଅଞ୍ଚଳର କ୍ଷେତ୍ରଫଳ ୬୫୨୬ ବର୍ଗ ମାଇଲ୍ ଥିଲା । ଜଳ ପ୍ଳାବିତ ଏହି ଜଙ୍ଗଲରେ ବାଘ ଓ ଅନ୍ୟ ପ୍ରାଣୀ ବହୁମାତ୍ରାରେ ରହିଥିଲେ । ସ୍ଥାନେ ସ୍ଥାନେ ନଦୀ ଓ ସରୁ ସ୍ରୋତମାନଙ୍କଦ୍ୱାରା ଏହି ଅଞ୍ଚଳ ବିଖଣ୍ଡିତ । ଏଠାରେ ଡଙ୍ଗା ସାହାଯ୍ୟରେ ଗମନାଗମନ ପାଇଁ ଏହି ସବୁ ସରୁ ନଦୀ ଓ ସ୍ରୋତ ସହାୟକ ହୋଇଥାନ୍ତି । ତ୍ରିକୋଣଭୂମିର ଅଧିକାଂଶ ଭାଗ ବଙ୍ଗଳାଦେଶର ଅଂଶ ।

ପ୍ରଶାସନ[ସମ୍ପାଦନା]

ସୁନ୍ଦରବନ ସଂରକ୍ଷିତ ଅଞ୍ଚଳର ଏକ ମାନଚିତ୍ର । ଏଥିରେ ବ୍ୟାଘ୍ର ଅଭୟାରଣ୍ୟର ସୀମା ଦର୍ଶିତ ହୋଇଛି । ଗାଢ଼ ସାଗୁଆ ଅଂଶଟି ସଂରକ୍ଷିତ ଜୈବଗୋଲକ ଓ ଅନ୍ୟ ଅଂଶ ଜାତୀୟ ଉଦ୍ୟାନର ବାହାରେ ରହିଥିବା ଜଙ୍ଗଲ

ସୁନ୍ଦରବନର ପରିଚାଳନା ଓ ପ୍ରଶାସନର ଦାୟିତ୍ତ୍ୱଭାର ବନ ନିଦେଶାଳୟକୁ ଦିଆଯାଇଛି । ପଶ୍ଚିମବଙ୍ଗର ପ୍ରମୁଖ ବନ ସଂରକ୍ଷକ (Principal Chief Conservator of Forests) ଓ ମୁଖ୍ୟ ବନ୍ୟଜୀବ ନିରୀକ୍ଷକ (Chief Wildlife Warden) ସୁନ୍ଦରବନର ପ୍ରଶାସନିକ ଦାୟିତ୍ତ୍ୱରେ ରହିଥିବା ସର୍ବୋଚ୍ଚ ଅଧିକାରୀ । ମୁଖ୍ୟ ବନ ସଂରକ୍ଷକ (ଦକ୍ଷିଣ) ଓ ଅଧ୍ୟକ୍ଷ, ସୁନ୍ଦରବନ ଜୈବଗୋଲକ ଅଭୟାରଣ୍ୟ ଜାତୀୟ ଉଦ୍ୟାନର ସ୍ଥାନୀୟ ମୁଖିଆ । ତାଙ୍କୁ ସାହାଯ୍ୟ କରିବା ପାଇଁ ଜଣେ କ୍ଷେତ୍ର ଉପାଧ୍ୟକ୍ଷ ଓ ଜଣେ ଅତିରିକ୍ତ କ୍ଷେତ୍ର ଅଧ୍ୟକ୍ଷ ରହିଥାନ୍ତି । ଜାତୀୟ ଉଦ୍ୟାନକୁ ମୋଟାମୋଟି ଦୁଇଟି ଖଣ୍ଡରେ ବିଭକ୍ତ କରାଯାଇଛି ଓ ଦୁଇ ଜଣ ବନଖଣ୍ଡ ଅଧିକାରୀ ଏହାର ଦାୟିତ୍ତ୍ୱରେ ରହିଥାନ୍ତି । ଅବୈଧ ଶିକାରୀଙ୍କ ପ୍ରତିରୋଧ ପାଇଁ ଜାତୀୟ ଉଦ୍ୟାନରେ ଭାସମାନ ନିରୀକ୍ଷଣ ପୋଷ୍ଟ୍ ଓ ଶିବିର ଇତ୍ୟାଦି ରହିଛି ।

ବିଭିନ୍ନ ଯୋଜନା ଅନୁଯାୟୀ ଜାତୀୟ ଉଦ୍ୟାନକୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପରିବେଶ ଓ ବନ ମନ୍ତ୍ରାଳୟ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । ବ୍ୟାଘ୍ର ପରିଯୋଜନା ଆରମ୍ଭ ହେବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଅତିରିକ୍ତ ଅର୍ଥ ସହାୟତା ମିଳୁଛି । ୨୦୦୧ ମସିହାରେ ବିଶ୍ୱ ଐତିହ୍ୟ କୋଷରୁ ୨୦୦୦୦ ଆମେରିକୀୟ ଡଲାର୍‍ର ଅନୁଦାନ ମିଳିଥିଲା ।


ଭୂଗୋଳ[ସମ୍ପାଦନା]

୨୧° ୪୩୨′ – ୨୧° ୫୫′ ଉତ୍ତର ଅକ୍ଷାଂଶ ଓ ୮୮° ୪୨′ – ୮୯° ୦୪′ ପୂର୍ବ ଦ୍ରାଘିମା ମଧ୍ୟରେ ସୁନ୍ଦରବନ ଜାତୀୟ ଉଦ୍ୟାନ ଅବସ୍ଥିତ । ଜାତୀୟ ଉଦ୍ୟାନର ସମୁଦ୍ର ପତନଠାରୁ ହାରାହାରି ଉଚ୍ଚତା ୭.୫ ମିଟର୍ । ଜାତୀୟ ଉଦ୍ୟାନଟି ୫୪ଟି ଛୋଟ ଛୋଟ ନଦୀଦ୍ୱୀପକୁ ନେଇ ଗଠିତ ହୋଇଛି ଏବଂ ଗଙ୍ଗା ନଦୀର ଶାଖା ନଦୀଙ୍କଦ୍ୱାରା ଏହି ସମ୍ପୂର୍ଣ୍ଣ ଅଞ୍ଚଳ ବିଖଣ୍ଡିତ ।

ଜଳବାୟୁ, ତାପମତ୍ରା[ସମ୍ପାଦନା]

ସୁନ୍ଦରବନର ହାରାହାରି ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୨୦° ସେଲ୍‍ସିୟସ୍ ଓ ୪୮° ସେଲ୍‍ସିୟସ୍ । ବଙ୍ଗୋପସାଗର ସହିତ ଲାଗିଥବାରୁ ବୃଷ୍ଟିପାତର ମାତ୍ରା ସାମାନ୍ୟଠାରୁ ଅଧିକ ଓ ଆର୍ଦ୍ରତା ୮୦% ପର୍ଯ୍ୟନ୍ତ ହୋଇଥାଏ । ମଧ୍ୟ-ଜୁନ୍‍ରୁ ନେଇ ମଧ୍ୟ-ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ଯୋଗୁଁ ବର୍ଷା ହୋଇଥାଏ । ଅକ୍ଟୋବରରୁ ମାର୍ଚ୍ଚ୍ ମାସ ପର୍ଯ୍ୟନ୍ତ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରୁ ବାୟୁ ପ୍ରବାହ ହେଉଥିବା ବେଳେ ଅପ୍ରେଲ୍‍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ପଟରୁ ମୌସୁମୀ ବାୟୁ ପ୍ରବାହିତ ହୁଏ । ମଇ ଓ ଅକ୍ଟୋବର ମାସରେ ବାତ୍ୟା ଭୟଙ୍କର ଘୂର୍ଣ୍ଣିଝଡ଼ର ରୂପ ନେଇଥାଏ ।

ନଦୀନାଳ[ସମ୍ପାଦନା]

ଏହି ତ୍ରିକୋଣଭୂମିରେ ୭ଟି ମୁଖ୍ୟ ନଦୀ ଓ ବହୁ ସଂଖ୍ୟକ ଶାଖା ସ୍ରୋତ, ନାଳ ଇତ୍ୟାଦି ଦେଖିବାକୁ ମିଳେ । ସବୁ ସ୍ରୋତ ଓ ନଦୀ ଦକ୍ଷିଣ ଦିଗକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛନ୍ତି । ଏଠାକାର ଭୌଗୋଳିକ ରୂପ ଜୁଆର-ଭଟ୍ଟା ଉପରେ ନିର୍ଭର କରେ । ୨୪ ଘଣ୍ଟା ମଧ୍ୟରେ ଏଠାରେ ୪ଟି ଜୁଆର ଆସେ ଓ ବେଳେବେଳେ ୮ଫୁଟ୍ ଉଚ୍ଚ ପାଣି ମାଡ଼ି ଆସେ ।[୫][୬] ଏପରି ଜୁଆର ତ୍ରିକୋଣଭୂମିରେ ମାଟି ଜମା କରେ, ଫଳରେ ନଦୀମାନଙ୍କ ଗତିପଥ ଓ ଭୌଗୋଳିକ ରୂପ ସର୍ବଦା ବଦଳୁଥାଏ ।[୭] ବଙ୍ଗୋପସାଗରରେ ୨୧°୦୦'ରୁ ୨୧°୨୨' ଉତ୍ତର ଅକ୍ଷାଂଶ ମଧ୍ୟରେ ଏକ ପ୍ରାକୃତିକ ଗଭୀର ଗଣ୍ଡ ରହିଛି । ଏହାକୁ "ସ୍ୱାଚ୍ ଅଫ୍ ନୋ ଗ୍ରାଉଣ୍ଡ୍" (Swatch of No Ground) ବୋଲି କୁହାଯାଏ । ଏଠାରେ ସମୁଦ୍ରର ଗଭୀରତା ହଠାତ୍ ୨୦ ମିଟର୍‍ରୁ ୫୦୦ ମିଟର୍ ହୋଇଯାଇଛି ।[୫][୮] ଏହି ଗଣ୍ଡପଟରୁ ମାଟିବାଲି ଠେଲି ହୋଇ ସୁନ୍ଦରବନ ତ୍ରିକୋଣଭୂମିରେ କିଛି ମାତ୍ରାରେ ପରିବର୍ତ୍ତନ ଘଟୁଥାଏ ।

ସୁନ୍ଦରବନର ଏକ ଲୁଣା ଜଙ୍ଗଲ ଅଂଶ

ସନ୍ତସନ୍ତିଆ ସମତଳ[ସମ୍ପାଦନା]

ସୁନ୍ଦରବନର ସନ୍ତସନ୍ତିଆ ସମଭୂମି[୬] ତ୍ରିକୋଣଭୂମି ବା ତଦ୍ୱାରା ଗଠିତ ଛୋଟ ଦ୍ୱୀପମାନଙ୍କରେ ଦେଖାଯାଏ । ଏଠାରେ ନଦୀର ବେଗ ଖୁବ୍ କମ୍ ଓ ଜୁଆର ସ୍ରୋତ ସୃଷ୍ଟି ହୋଇଥାଏ । ଏହି ସମଭୂମି ଭଟ୍ଟା ସମୟରେ ଦେଖାଯାଏ ଓ ଜୁଆର ସମୟରେ ପାଣିରେ ବୁଡ଼ିଯାଏ । ଏପରି ସନ୍ତସନ୍ତିଆ ଜମି ଲୁଣା ଜଙ୍ଗଲ ବଢ଼ିବା ପାଇଁ ସର୍ବୋତ୍କୃଷ୍ଟ ପରିବେଶ ସୃଷ୍ଟି କରେ ।

ସୁନ୍ଦରବନ ଜାତୀୟ ଉଦ୍ୟାନ ବାହାରେ ରହିଥିବା କିଛି ସନ୍ତସନ୍ତିଆ ସମଭୂମି ପର୍ଯ୍ୟଟନ ପାଇଁ ମଧ୍ୟ ଉପଯୋଗ କରାଯାଇପାରିବ । ଭଟ୍ଟା ସମୟରେ ଏହି ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରିହେବ । ସଂଯୋଗ ଥିଲେ ଅଶ୍ୱଖୁରା କଙ୍କଡ଼ା ପରି ବିରଳ ଓ ଲୁପ୍ତପ୍ରାୟ ଜୀବ ମଧ୍ୟ ଦେଖିହେବ ।

ଉଦ୍ଭିଦ ଓ ଜୀବଜନ୍ତୁ[ସମ୍ପାଦନା]

ମହାବଳ ବାଘଟିଏ ଲୁଣା ଜଙ୍ଗଲରୁ ଚାହିଁ ରହିଛି

ସୁନ୍ଦରବନ ନିକଟସ୍ଥ ମୁହାଣ ଓ ସକ୍ରିୟ ତ୍ରିକୋଣଭୂମିର ଭୌଗୋଳିକ ରୂପ ଅତ୍ୟନ୍ତ ଜଟିଳ ଏବଂ ସଦା ପରିବର୍ତ୍ତନଶୀଳ । ଏଠାରେ ବିସ୍ତୃତ ଲୁଣା ଜଙ୍ଗଲ ସହିତ ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ବନ୍ୟଜନ୍ତୁ ଦେଖାଯାନ୍ତି । ମନୁଷ୍ୟଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ଏଠାକାର ଉପକୂଳ, ବିଶ୍ୱ ଐତିହ୍ୟ ସ୍ଥଳ ଓ ସଂରକ୍ଷିତ ଜୈବଗୋଲକ ବିପଦାପନ୍ନ ହୋଇପଡ଼ିଛି । ଏଣୁ ସଂରକ୍ଷଣ ଓ ପରିଚାଳନା ଯୋଜନାଦ୍ୱାରା ଏଠାକାର ପରିବେଶ ଓ ଜୀବଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି ।

ଉଦ୍ଭିଦ[ସମ୍ପାଦନା]

ଏଠାକାର ଜଙ୍ଗଲ ସୁନ୍ଦରୀ ଗଛରେ ଭର୍ତ୍ତି ହୋଇଥିବାରୁ ଏହି ଜଙ୍ଗଲକୁ ସୁନ୍ଦରବନ ବୋଲି କୁହାଯାଇଥାଏ । ସୁନ୍ଦରୀ ଗଛ ଏକ ସ୍ୱତନ୍ତ୍ର ଓ ଅଲଗା ପ୍ରକାରର ଲୁଣା ଗଛ । ଏହାର ଚେର ଭୂମିତଳେ ନୁହେଁ ବରଂ ଏହାର ଦେହରୁ ବାହାରି ରହିଥାଏ । ଏହି ପ୍ରକାରର ଚେରକୁ ବାୟବୀୟ ମୂଳ (Aerial root) କୁହନ୍ତି । ବାୟବୀୟ ମୂଳ ଶ୍ୱସନ (respiration) ପ୍ରକ୍ରିୟାରେ ସାହାଯ୍ୟ କରନ୍ତି । ବର୍ଷାଋତୁରେ ସମଗ୍ର ଜଙ୍ଗଲ ବୁଡ଼ିଯାଏ । ଏହି ସମୟରେ ସୁନ୍ଦରୀ ଗଛର ଦେହରୁ ଆକାଶ ଆଡ଼କୁ ରହିଥିବା ବାୟବୀୟ ମୂଳ ଶ୍ୱସନ ପ୍ରକ୍ରିୟାରେ ସହାୟକ ହୁଏ ।

ବନ୍ୟଜୀବ[ସମ୍ପାଦନା]

ସୁନ୍ଦରବନର ଜଙ୍ଗଲରେ ୪୦୦ରୁ ଅଧିକ ମହାବଳ ବାଘ ବାସ କରନ୍ତି । ଏଠାକାର ମହାବଳ ବାଘ ଲୁଣି ପାଣିରେ ଅଚିରେ ପହଁରି ପାରନ୍ତି । ଏଠାକାର ବାଘମାନଙ୍କ ଆଉ ଏକ ବିଶେଷତ୍ତ୍ୱ ହେଲା ଏମାନେ ନରଭକ୍ଷୀ ମହାବଳ ବାଘ । ହରିଣ, ମାଙ୍କଡ଼ ଇତ୍ୟାଦିଙ୍କ ସହିତ ଏଠାକାର ବାଘ ମନୁଷ୍ୟଙ୍କୁ ମଧ୍ୟ ଶିକାର କରନ୍ତି । ତ୍ରିକୋଣଭୂମି ଅଞ୍ଚଳରୁ ମାଛ ମାରିବାକୁ, ସୁନ୍ଦରବନର ଆଖାପାଖି ଜଙ୍ଗଲରୁ ମହୁ ଆଣିବାକୁ ଯାଉଥିବା ବହୁ ଲୋକ ବାଘମାନଙ୍କଦ୍ୱାରା ଶିକାର ହୋଇଛନ୍ତି । ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ନଦୀ କୂଳରେ ବାଘମାନେ ଖରା ପୋଇଁବା ଦେଖିବାକୁ ମିଳେ ।

ବାଘ ବ୍ୟତୀତ ସୁନ୍ଦରବନରେ ମାଛଖିଆ ବିଲେଇ, ଚିତା ବିରାଡ଼ି, ମାଙ୍କଡ଼, ବାର୍‍ହା, ନେଉଳ, କୋକିଶିଆଳୀ, କଟାସ, ଉଡ଼ନ୍ତା କୋକିଶିଆଳୀ, ବଜ୍ରକାପ୍ତା ଓ ଚିତଲ୍ ହରିଣ ଇତ୍ୟାଦି ଜୀବ ଦେଖାଯାନ୍ତି ।

ସୁନ୍ଦରବନର ପ୍ରାକୃତିକ ଅଧିବାସରେ ଏକ ମହାବଳ ବାଘ

ପକ୍ଷୀ[ସମ୍ପାଦନା]

ଏଠାରେ ଦେଖାଯାଉଥିବା କିଛି ସାଧାରଣ ପକ୍ଷୀ ହେଲେ - ଗେଣ୍ଡାଳିଆ, ମାଛରଙ୍କା, କଳା ଦା ବେଣ୍ଟିଆ, ପାଣି କୁକୁଡ଼ା, କଟ୍, କାକୁଭ, କଳା ଚିଲ, ଶଙ୍ଖଚିଲ, ମାର୍ଶ୍ ହେରିଅର୍, ସ୍ୱାମ୍ପ୍ ପାଟ୍ରିଜ୍, ଲାଲ୍ ବଣ କୁକୁଡ଼ା, କପୋତ, ମୈନା, ବଣ କୁଆ, ବଣ ବାବ୍ଲର୍, କଟନ୍ ପିଗ୍‍ମି ବତକ, ହେରିଂଗଲ୍, କାସ୍ଫିୟାନ୍ ଟେର୍ଣ୍ଣ, ଅଞ୍ଜନ, ପଙ୍ଖା ଲାଞ୍ଜିଆ, ଚାତକ ଚାହା, ସାଗୁଆ ପାରା, ଶୁଆ, ପାରାଡାଇଜ୍ ଫ୍ଲାଏକ୍ୟାଚର୍, ପାଣି କୁଆ, ଧୂସର ମାଛଖିଆ ଚିଲ, ଶ୍ୱେତୋଦର ସାମୁଦ୍ରିକ ଚିଲ, ସିଗଲ୍, ପେରେଗ୍ରିନ୍ ଛଞ୍ଚାଣ, କାଠହଣା, କୁଜି ଦା ବେଣ୍ଟିଆ, ଡାଙ୍ଗୁଆ, ସୀମା, ଇଷ୍ଟର୍ଣ୍ଣ ନଟ୍, କର୍ଲ୍ୟୁ, ଘଣ୍ଟୁଆଳ, ଗହୀର ଲାଞ୍ଜ, ଧଳାକ୍ଷୀ ଗେଣ୍ଡୀ ଏବଂ ହ୍ୱିସିଲିଂ ବତକ ।

ଜଳଚର ଜୀବ[ସମ୍ପାଦନା]

ସୁନ୍ଦରବନରେ ଦେଖାଯାଉଥିବା କେତେକ ଜଳଚର ଜୀବ ହେଲେ – ଖଣ୍ଡା ମାଗୁର (sawfish), ବଟର୍ ଫିଶ୍, ଇଲେକ୍ଟ୍ରିକ୍ ରେ, ସିଲ୍‍ଭର୍ କାର୍ପ୍, ଷ୍ଟାର୍ ଫିଶ୍, ସାଧାରଣ କାର୍ପ୍, ଅଶ୍ୱଖୁରା କଙ୍କଡ଼ା, ଚିଙ୍ଗୁଡ଼ି, ଛୋଟ ଚିଙ୍ଗୁଡ଼ି, ଗାଙ୍ଗେୟ ଡଲ୍‍ଫିନ୍, ବେଙ୍ଗ, ବ୍ରାହ୍ମଣୀ ବେଙ୍ଗ, କାଠ ବେଙ୍ଗ ଇତ୍ୟାଦି ।

ସରୀସୃପ[ସମ୍ପାଦନା]

ସୁନ୍ଦରବନର ଏକ ବଉଳା କୁମ୍ଭୀର
ବଉଳା କୁମ୍ଭୀର

ବଉଳା କୁମ୍ଭୀର, ଗୋଧି, ବହୁରୂପୀ ଏଣ୍ଡୁଅ, ଅଲିଭ୍ ରିଡ୍‍ଲେ, ଗ୍ରୀନ୍ ଟର୍ଟଲ୍ ଓ ହକ୍‍ସ୍‍ବିଲ୍ ଇତ୍ୟାଦି ପ୍ରଜାତିର କଇଁଛ, ବ୍ରହ୍ମଦେଶୀୟ ଅଜଗର, ଅହିରାଜ, ବ୍ରାହ୍ମଣୀ ସାପ, ବୋଡ଼ା ସାପ, ଚିଟି ସାପ ଇତ୍ୟାଦି ସୁନ୍ଦରବନରେ ଦେଖାଯାଉଥିବା ପ୍ରମୁଖ ସରୀସୃପ ପ୍ରଜାତି ।

ସଙ୍କଟାପନ୍ନ ପ୍ରଜାତିମାନ[ସମ୍ପାଦନା]

ସୁନ୍ଦରବନର ସଙ୍କଟାପନ୍ନ ଜୀବମାନଙ୍କ ମଧ୍ୟରେ ମହାବଳ ବାଘ, ବଉଳା କୁମ୍ଭୀର, ନଈ କଇଁଛ, ଅଲିଭ୍ ରିଡ୍‍ଲେ କଇଁଛ, ଗାଙ୍ଗେୟ ଡଲ୍‍ଫିନ୍ ଓ ଲୁଣା ଅଶ୍ୱଖୁରା କଙ୍କଡ଼ା ଇତ୍ୟାଦି ଅନ୍ୟତମ ।

ସ୍ତନ୍ୟପାୟୀ ସାମୁଦ୍ରିକ ଜୀବ[ସମ୍ପାଦନା]

ବିଶେଷ ପ୍ରକଳ୍ପ ଓ ପରିଚାଳନା[ସମ୍ପାଦନା]

ସୁନ୍ଦରବନରେ ପଇଁତରା ମାରୁଥିବା ନିରୀକ୍ଷଣକାରୀ ଡଙ୍ଗା

ମହାବଳ ବାଘ ସୁନ୍ଦରବନର ମୁଖ୍ୟ ଜୀବ । ବାଘଙ୍କ ସୁରକ୍ଷା ପାଇଁ କୋର୍ ଅଞ୍ଚଳରୁ ମନୁଷ୍ୟମାନଙ୍କୁ ବିସ୍ଥାପିତ କରାଯାଇଛି । କୋର୍ ଅଞ୍ଚଳରୁ ଜାଳେଣୀ, ମହୁ, ମାଛ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ କଟକଣା ମଧ୍ୟ ଜାରି କରାଯାଇଛି । କିନ୍ତୁ ଅଣ-କୋର୍ (ବଫର୍) ଅଞ୍ଚଳରେ ଏହି ସବୁ କାର୍ଯ୍ୟ ନିୟନ୍ତ୍ରିତ ଭାବେ କରାଯାଇପାରିବ ବୋଲି ଅନୁମତି ରହିଛି । ବନ ବିଭାଗ ମୋଟରଡଙ୍ଗା, ଲଞ୍ଚ୍ ଇତ୍ୟାଦି ସହାୟତାରେ ଏଠାରେ ନିରୀକ୍ଷଣ କାର୍ଯ୍ୟ ଚଲାନ୍ତି ଓ ଅବୈଧ ଶିକାରୀମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥାଏ । ବନ ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନରେ ବନ ବିଭାଗର ଶିବିରଗୁଡ଼ିକ ରହିଛି । ପ୍ରତ୍ୟେକ ଶିବିରର କାର୍ଯ୍ୟ ଜଣେ ବନଖଣ୍ଡ ଅଧିକାରୀ ବା ସଂରକ୍ଷଣ ଅଧିକାରୀ ଓ କିଛି ତଳିଆ କର୍ମଚାରୀ ମିଶି ପରିଚାଳନା କରନ୍ତି ।

ପାରିବେଶିକ ସଂରକ୍ଷଣ, ବିକାଶ, ପ୍ରଶିକ୍ଷଣ ଓ ଗବେଷଣାଦ୍ୱାରା ସୁନ୍ଦରବନ ବନ୍ୟ ଅଧିବାସର ସୁରକ୍ଷା କରାଯାଇପାରିବ । ତେଣୁ ୧୦ଟି ଜଙ୍ଗଲ ସୁରକ୍ଷା ସମିତି ଓ ୧୪ଟି ପାରିବେଶିକ ବିକାଶ ସମିତି ଗଠନ କରାଯାଇଛି । କର୍ମଶାଳା ଓ ସଚେତନତା ଶିବିରର ଆୟୋଜନ କରାଯାଇ ସାଧାରଣ ଲୋକଙ୍କୁ ଲୁଣା ଜଙ୍ଗଲର ସୁରକ୍ଷା ଓ ବାଘଙ୍କ ସଂରକ୍ଷଣ ବିଷୟରେ ଅବଗତ କରାଯାଉଛି । ଅଣ-କୋର୍ ଅଞ୍ଚଳ ବାହାରେ ଜାଳେଣୀ କାଠ ପାଇଁ ଅଲଗା ବୃକ୍ଷରୋପଣ କରାଯାଉଛି ଯେପରିକି ଅଣ-କୋର୍ ଅଞ୍ଚଳର ଗଛ ସଂରକ୍ଷିତ ହୋଇପାରିବ । ଜୀବଜନ୍ତୁ ପାଣି ପିଇବା ପାଇଁ ଅନେକ କୃତ୍ରିମ ମଧୁରଜଳ ପୋଖରୀ ଖୋଳାଯାଇଛି ।

ନରଭକ୍ଷୀ ବାଘଙ୍କୁ ନିୟନ୍ତ୍ରଣ କରିବା ଆଉ ଏକ ଜଟିଳ ଓ କଠିନ କାର୍ଯ୍ୟ । ନରଭକ୍ଷୀ ବାଘଙ୍କ ଯୋଗୁଁ ମନୁଷ୍ୟ ମୃତ୍ୟୁହାର ବାର୍ଷିକ ୪୦ରୁ ବର୍ତ୍ତମାନ ସମୟରେ ୧୦କୁ କମି ଯାଇଛି । ଲୋକଙ୍କୁ ବାଘ ଅଭୟାରଣ୍ୟ ଭିତରକୁ ବା ତା ପାଖକୁ ଯିବାରୁ ରୋକିବା ଯୋଗୁଁ ଏହି ମୃତ୍ୟୁସଂଖ୍ୟା ହ୍ରାସ ପାଇଛି । ସେମାନଙ୍କ ପାଇଁ ଅନ୍ୟ ଜୀବିକା ସୃଷ୍ଟି କରିବା ଓ ସେମାନଙ୍କୁ ସଚେତନ କରାଇବା ଏହି ଦିଗରେ କରାଯାଇଥିବା ଅନ୍ୟ କିଛି ପ୍ରଚେଷ୍ଟା । କୁହାଯାଏ ଯେ ମୁଣ୍ଡ ପଛପଟେ ମଣିଷ ମୁଖା ଲଗାଇବା ଓ ବୈଦ୍ୟୁତିକ କୃତ୍ରିମ ମୂର୍ତ୍ତି ମଧ୍ୟ ବାଘଙ୍କୁ ଘଉଡ଼ାଇବାରେ ସାହାଯ୍ୟ କରେ । ଗାଁ ସୀମାନ୍ତରେ ମାଛଜାଲର ପାଚେରୀ, ସୌର ଆଲୋକ ଇତ୍ୟାଦି ବାଘଙ୍କୁ ଗାଁ ଭିତରକୁ ପଶିବାରୁ ବିରତ ରଖିଥାଏ । ଗାଁର ଯୁବକଙ୍କୁ ମଧ୍ୟ ବାଘଙ୍କୁ କିପରି ନିୟନ୍ତ୍ରଣ କରାଯିବ ଓ ତଡ଼ି ଦିଆଯାଇପାରିବ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଏ ।

ସଜ୍‍ନେଖାଲିଠାରେ ଲୁଣା ଜଙ୍ଗଲ ବାବଦରେ ନିର୍ମିତ ବ୍ୟାଖ୍ୟା କେନ୍ଦ୍ର ଲୋକ ଏବଂ ପର୍ଯ୍ୟଟକଙ୍କୁ ଲୁଣା ଜଙ୍ଗଲର ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ସଚେତନ କରାଏ ।

ସୁନ୍ଦରବନ ବ୍ୟାଘ୍ର ଅଭୟାରଣ୍ୟ[ସମ୍ପାଦନା]

ପୃଷ୍ଠଭୂମି[ସମ୍ପାଦନା]

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସୁନ୍ଦରବନ ବ୍ୟାଘ୍ର ଅଭୟାରଣ୍ୟ ରହିଛି । ଏହାର ସର୍ବମୋଟ କ୍ଷେତ୍ରଫଳ ପ୍ରାୟ ୨୫୮୫ (କି.ମି.) । ଏଥିରୁ ୧୪୩୭.୪ (କି.ମି.) ଅଞ୍ଚଳରେ ଜନବସତି ରହିଥିବା ବେଳେ ୧୪୭୪ (କି.ମି.) ଅଞ୍ଚଳ ଅରଣ୍ୟାବୃତ । ଭାରତ ଓ ବଙ୍ଗଳାଦେଶର ସୁନ୍ଦରବନ ଇଲାକାରେ ଲୁଣା ଜଙ୍ଗଲ ନିରବଚ୍ଛିନ୍ନ ଭାବେ ରହିଛି ।

ସୁନ୍ଦରବନର ଲୁଣା ଜଙ୍ଗଲ ଭାରତୀୟ ଉପମହାଦ୍ୱୀପର ସର୍ବବୃହତ ଲୁଣା ଜଙ୍ଗଲ । ଏଠାରେ ଏତେ ସଂଖ୍ୟାରେ ମହାବଳ ବାଘ ବସବାସ କରିବା ଏକ ପ୍ରକାରର ସ୍ୱତନ୍ତ୍ର ପ୍ରାକୃତିକ ସଂରଚନା । ଏହି ଲୁଣା ଜଙ୍ଗଲରେ ବଉଳା କୁମ୍ଭୀର, ସାମୁଦ୍ରିକ ଓ ତ୍ରିକୋଣଭୂମୀୟ କଇଁଛ, ବିଭିନନ ପ୍ରକାରର ପକ୍ଷୀ ଇତ୍ୟାଦି ବସବାସ କରନ୍ତି । ବାଘ ବ୍ୟତୀତ ଏହି ଜଙ୍ଗଲରେ ପାତି ମାଙ୍କଡ଼, ବାର୍‍ହା ଓ ମାଛଧରା ବିଲେଇ ମଧ୍ୟ ରୁହନ୍ତି ।

ଭାରତର ଅନ୍ୟ ବାଘବଣଠାରୁ ସୁନ୍ଦରବନ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ । ମନୁଷ୍ୟମାନେ ଏଠାକାର ଜଙ୍ଗଲଜାତ ଦ୍ରବ୍ୟ ଉପରେ ଜୀବିକା ପାଇଁ ନିର୍ଭର କରନ୍ତି ଓ ଅନେକାଂଶରେ ଏହାକୁ ସୁନ୍ଦରବନର ସମ୍ବଳର ଶୋଷଣ ବୋଲି କୁହାଯାଇପାରିବ । ସୁନ୍ଦରବନର ଜଙ୍ଗଲରୁ ଅନୁମତିପ୍ରାପ୍ତ ଆଖପାଖ ଗାଁ ଲୋକେ ବାର୍ଷିକ ୫୦୦ କ୍ୱିଣ୍ଟାଲ ମହୁ ଓ ୩୦ କ୍ୱିଣ୍ଟାଲ ମହମ ସଂଗ୍ରହ କରନ୍ତି । ଅନେକ ଶାଖା ଓ ଉପଶାଖା ଜୁଆରିଆ ନଦୀଦ୍ୱାରା ଏହି ଅଞ୍ଚଳ ଖଣ୍ଡ ବିଖଣ୍ଡିତ । ବାଘମାନେ ପୋଖତ ପହଁରାଳୀ ହୋଇଥିବାରୁ ଅନାୟାସରେ ଏହି ସବୁ ଛୋଟ ଛୋଟ ନଦୀ ଓ ଦ୍ୱୀପ ପାର କରିପାରନ୍ତି । ତେଣୁ ଏଠାରେ ମଣିଷ-ବାଘ ମୁହାଁମୁହିଁ ହେବା ପରିସ୍ଥିତି ସାମାନ୍ୟ ବୋଲି କହିପାରିବା ।

ବାରମ୍ବାର ଜୁଆର ଭଟ୍ଟା ଆସି ପଞ୍ଝାଚିହ୍ନ ଧୋଇ ହୋଇଯାଉଥିବାରୁ ଓ ଏଠାକାର ଭୌଗୋଳିକ ରୂପ ସତତ ପରିବର୍ତ୍ତନଶୀଳ ହୋଇଥିବାରୁ ଏଠାରେ କେବେବି ସଠିକ୍ ରୂପେ ବାଘଗଣନା କରାଯାଇପାରି ନାହିଁ । ରେଡିଓ ଟେଲିମେଟ୍ରି ଓ ପଞ୍ଝାଚିହ୍ନ ପଦ୍ଧତିରୁ ପ୍ରଥମ ପର୍ଯ୍ୟାୟ ପାଇଁ ତଥ୍ୟ ସଂଗ୍ରହ କରାଯାଇଛି । ବାଘସଂଖ୍ୟା ଅନୁମାନ କରିବାପାଇଁ ପ୍ରଚେଷ୍ଟା ଚାଲିଛି ।

ଘୂର୍ଣ୍ଣିଝଡ଼ ଆଇଲା ଯୋଗୁଁ କ୍ଷୟକ୍ଷତି[ସମ୍ପାଦନା]

୨୦୦୯ ମସିହା ମଇ ୨୪ ତାରିଖର ଘୂର୍ଣ୍ଣିଝଡ଼ ଆଇଲା (ନାସା NASA ତରଫରୁ ପ୍ରକାଶିତ ଚିତ୍ର)

୨୫ ମଇ ୨୦୦୯ ତାରିଖରେ ଆଇଲା ଘୂର୍ଣ୍ଣିଝଡ଼ ସୁନ୍ଦରବନକୁ ସ୍ପର୍ଶ କରିଥିଲା । ଏଠାକାର ଶିବିର ଓ ଜନବସତି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ । ବହୁ ସ୍ଥାନ ଜଳ ପ୍ଳାବିତ ହେବାରୁ ଲକ୍ଷ ଲକ୍ଷ ଲୋକ ଛୋଟ ଛୋଟ ଦ୍ୱୀପରେ ବିଚ୍ଛିନ୍ନ ହୋଇ ରହିଥିଲେ । କିଛି ଶିବିର ୭ ଘଣ୍ଟା ଧରି ପାଣିରେ ବୁଡ଼ି ରହିଥିଲା ଓ ମାଟି ଧୋଇହୋଇ ଯାଇଥିଲା । ବୈଦ୍ୟୁତିକ ଉପକରଣମାନ ମଧ୍ୟ ନଷ୍ଟ ହୋଇଯାଇଥିଲା । ଏକ ରିପୋର୍ଟ ଅନୁସାରେ ବାଘଟିଏ ଗାଁର ପରିତ୍ୟକ୍ତ ଗୁହାଳରେ ଆଶ୍ରୟ ନେଇଥିଲା ଯାହାକୁ ବନବିଭାଗ ଧରିନେଇ ବଣ ଭିତରେ ପରେ ଛାଡ଼ି ଦେଇଥିଲା । ଘୂର୍ଣ୍ଣିଝଡ଼ ଯୋଗୁଁ କୌଣସି ବାଘ ମରିବା ଶୁଣାଯାଇନାହିଁ । କେବଳ ଦୁଇଟି ଚିତଲ୍ ହରିଣ ମରିବା ଜଣା ପଡ଼ିଥିଲା । ଅନେକ ସ୍ୱେଚ୍ଛାସେବୀ ସଙ୍ଗଠନ ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।

ବନ ବିଭାଗଦ୍ୱାରା ଗଠିତ ଏକ ସମିତି ଘୂର୍ଣ୍ଣିଝଡ଼ ଯୋଗୁଁ ୧ କୋଟି ୧୧ ଲକ୍ଷ ୫୦ ହଜାର ଟଙ୍କାର ସମ୍ପତ୍ତିହାନି ହୋଇଥିଲା ବୋଲି ଆକଳନ କରିଥିଲା । ବ୍ୟାଘ୍ର ପରିଯୋଜନା ଅନ୍ତର୍ଗତ ଏଠାରେ ହୋଇଥିବା କ୍ଷୟକ୍ଷତି ପାଇଁ ଭାରତ ସରକାର ୧ କୋଟିର ଅନୁଦାନ ରାଜ୍ୟ ସରକାରଙ୍କୁ ଦେଇଥିଲେ । ଏହି ଅନୁଦାନ ମୁଖ୍ୟତଃ ଭିତ୍ତିଭୂମିର ପୁନରୁତ୍ଥାନ ପାଇଁ ଦିଆଯାଇଥିଲା ।

ଭବିଷ୍ୟତ ପାଇଁ ବାଧକ[ସମ୍ପାଦନା]

ଭବିଷ୍ୟତ ପାଇଁ ସୁନ୍ଦରବନ ବାଘ ଅଭୟାରଣ୍ୟ ସାମନାରେ ଅନେକ ବାଧା ରହିଛି । ବାଘମାନେ ସର୍ବଦା ନିଜ ଇଲାକାରେ ବୁଲି ନିରୀକ୍ଷଣ କରୁଥାନ୍ତି, ତେଣୁ ଅନେକ ସମୟରେ ମଣିଷ-ବାଘ ମୁହାଁମୁହିଁ ହୋଇଥାନ୍ତି । ସୁନ୍ଦରବନର ବାଘମାନେ ମଣିଷ ଶିକାର କରି ଖାଇବା ପାଇଁ କୁଖ୍ୟାତ । ଗତ ୪ ଦଶନ୍ଧିରେ ୧୦୦୦ରୁ ଅଧିକ ଲୋକ ବାଘମୁହଁରେ ପଡ଼ି ମରିଥିବା ଅନୁମାନ କରାଯାଏ ।[୯] ସଟିକ ପଦ୍ଧତି ଅବଲମ୍ବନ କରି ଏଠାକାର ବାଘସଂଖ୍ୟା ନିରୂପଣ ମଧ୍ୟ କରାଯାଇପାରି ନାହିଁ । ଏକ ବ୍ୟାଘ୍ର ସଂରକ୍ଷଣ ନୀତି ପ୍ରଣୟନ କରାଯିବା ପାଇଁ ମଧ୍ୟ ବହୁ ସମୟ ଧରି ଅପେକ୍ଷା କରାଯାଇଛି ।

ଗମନାଗମନ[ସମ୍ପାଦନା]

ଆକାଶପଥ: ସୁନ୍ଦରବନ ଜାତୀୟ ଉଦ୍ୟାନ କୋଲକାତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ବିମାନବନ୍ଦର (ବା ଦମ୍‍ଦମ୍ ବିମାନବନ୍ଦର)ଠାରୁ ୧୪୦ କିଲୋମିଟର୍ ଦୂରରେ ଅବସ୍ଥିତ ।

ରେଳପଥ: ସୁନ୍ଦରବନର ପ୍ରବେଶ ମାର୍ଗ ଗୋଢଖାଲିରୁ ନିକଟତମ ରେଳ ଷ୍ଟେସନଟି ହେଉଛି କ୍ୟାନିଂ ରେଳ ଷ୍ଟେସନ୍ (୨୯ କିଲୋମିଟର୍ ଦୂର) ।

ସଡ଼କପଥ: କୋଲକାତା-ବସନ୍ତୀ ରାଜପଥରୁ ସୁନ୍ଦରବନକୁ ସଡ଼କପଥ ରହିଛି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Sundarbans National Park". World Heritage: Unesco.org. Retrieved 2010-11-06.
  2. "Sundarbans National Park" (pdf). Unesco. Retrieved 2010-11-06.
  3. Hussain, Z.; Acharya, G., eds. (1994). Mangroves of the Sundarbans. Volume 2, Bangladesh. Bangkok: International Union for Conservation of Nature and Natural Resources. OCLC 773534471.
  4. UNDP (1998). Integrated resource development of the Sundarbans Reserved Forests, Bangladesh. Volume I Project BGD/84/056, United Nations Development Programme, Food and Agriculture Organization of the United Nations, Dhaka, The People's Republic of Bangladesh.
  5. ୫.୦ ୫.୧ ୫.୨ Ghosh R. K. and Mandal A. K. (1989). Sunderban – a socio bio-ecological study. 1st edition, Bookland Pvt. Ltd. Calcutta.
  6. ୬.୦ ୬.୧ ୬.୨ Banerjee A. (1998). Environment, population and human settlements of Sunderban Delta. 1st edition, Concept Publishing Company, New Delhi.
  7. ୭.୦ ୭.୧ Bhattacharya A.K. (1989). "Coastal geomorphology, processes and hazards : a note on management measures". Proc. Coast zone management of West Bengal, Sea Explorers’ Institute, Calcutta. pp. D49-61.
  8. ୮.୦ ୮.୧ Fergusson J. (1963). "Delta of the Ganges". Quarterly Journal of the Geological Society of India. Vol. XIII. Part-1.
  9. https://www.youtube.com/watch?v=zHfSTt1tcj0

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]