କୁରତୁଲ ଏନ ହୈଦର

ଉଇକିପିଡ଼ିଆ ରୁ
(Qurratulain Hyder ରୁ ଲେଉଟି ଆସିଛି)
Jump to navigation Jump to search
କୁରତୁଲ ଏନ ହୈଦର
ଜନ୍ମ ଓ ଜନ୍ମସ୍ଥାନ୨୦ ଜାନୁଆରୀ ୧୯୨୭(1927-01-20)
ଆଲିଗଡ଼, ଉତ୍ତର ପ୍ରଦେଶ
ମୃତ୍ୟୁ୨୧ ଅଗଷ୍ଟ ୨୦୦୭(2007-08-21) (ବୟସ ୮୦)
ନୋଏଡ଼ା
ଛଦ୍ମନାମଐନି ଆପା
ବୃତ୍ତିଲେଖିକା
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଲକ୍ଷ୍ନୌ ବିଶ୍ୱ ବିଦ୍ୟାଳୟ, ଇନ୍ଦ୍ରପ୍ରସ୍ଥ ମହାବିଦ୍ୟାଳୟ
ଶୈଳୀଔପନ୍ୟାସିକା ଓ ଗାଳ୍ପିକା
ସାହିତ୍ୟ କୃତିଆଗ କା ଦରିଆ ( ୧୯୫୯ )

କୁରତୁଲ ଏନ ହୈଦର (୨୦ ଜାନୁଆରୀ ୧୯୨୭ - ୨୧ ଅଗଷ୍ଟ ୨୦୦୭) ଉର୍ଦ୍ଦୁ ଭାଷାର ଜଣେ ଗାଳ୍ପିକା, ଔପନ୍ୟାସିକା, ଶିକ୍ଷାବିତ ଓ ସାମ୍ବାଦିକ ଥିଲେ । ଉର୍ଦ୍ଦୁ ଭାଷାର ଏହି ସାହିତ୍ୟିକ ୧୯୫୯ ମସିହାର ରଚନା ଆଗ କା ଦରିଆ ପାଇଁ ପରିଚିତ । ଏହି ଉପନ୍ୟାସର କଥାବସ୍ତୁ ୪ର୍ଥ ଶତାବ୍ଦୀର ଅବିଭାଜିତ ଭାରତ ଇତିହାସରୁ ଆରମ୍ଭ ହୋଇ ଭାରତ ବିଭାଜନ ପର୍ଯ୍ୟନ୍ତ ବ୍ୟାପ୍ତ । ଐନୀ ୧୯୬୭ ମସିହାରେ "ପତଝର କି ଆୱାଜ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୯ରେ "ଆଖରୀ ଶବ କେ ହମସଫର" ପାଇଁ ଜ୍ଞାନପୀଠ ପୁରସ୍କାର ଓ ୧୯୯୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ୨୦୦୫ ମସିହାରେ ତାଙ୍କ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲା ।[୧]

ଜୀବନୀ[ସମ୍ପାଦନା]

ଐନୀ ୧୯୨୭ ମସିହା ଜାନୁଆରୀ ୨୦ ତାରିଖରେ ଉତ୍ତର ପ୍ରଦେଶର ଆଲିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଘର ଉତ୍ତର ପ୍ରଦେଶର ନେହତୌର । ଇରାନର କବି କୁରତ-ଉଲ-ଐନ ତାହିରାଙ୍କ ନାମ ଅନୁସାର ଐନୀଙ୍କ ନାମ କୁରତୁଲ ଐନ ରଖା ଯାଇଥିଲା । "କୁରତୁଲ ଐନ"ର ଅର୍ଥ ଆଖିର ସାନ୍ତ୍ୱନା । ଐନୀ ଲେଖାଲେଖି ଆରମ୍ଭ କରିବା ବେଳକୁ କବିତା ପ୍ରଧାନ ଉର୍ଦ୍ଦୁ ସାହିତ୍ୟରେ ଉପନ୍ୟାସ ଏକ ପ୍ରମୁଖ ବିଭାଗ ଭାବରେ ସ୍ୱୀକୃତ ହୋଇ ନଥିଲା । ଉର୍ଦ୍ଦୁ ଉପନ୍ୟାସରେ ନୂତନତ୍ୱ ଆଣି ଐନୀ ଏହାକୁ ଗ୍ରହଣୀୟ କରିଥିଲେ । ଐନୀଙ୍କୁ ଉର୍ଦ୍ଦୁ ସାହିତ୍ୟର "ଗ୍ରାଣ୍ଡ ଡେମ" ବୋଲି ଉଲ୍ଲେଖ କରାଯାଏ ।[୧]

କୁରତୁଲ "ଐନୀ ଆପା" ଭାବରେ ପରିଚିତ ଥିଲେ । ଐନିଙ୍କର ପିତାମାତା ଉଭୟ ସାହିତ୍ୟିକ ଥିଲେ । ପିତା ସଜ୍ଜାଦ ହୈଦର ଇଲଦାରିମ(୧୮୮୦-୧୯୪୩) ଜଣେ ପ୍ରମୁଖ ଉର୍ଦ୍ଦୁ ଗାଳ୍ପିକ ଥିଲେ । ମାତା ନଜର ଜାହାରା (୧୮୯୪ - ୧୯୪୩) ଜଣେ ଔପନ୍ୟାସିକା ଥିଲେ । ନଜର ଜାହାରା ବିବାହ ପୂର୍ବରୁ ବିନ୍ତ-ଇ-ନଜରୁଲ ବକର ନାମରେ ଲେଖୁଥିଲେ ।

ଐନୀ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ କଲେଜ[୨] ଓ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର "ଇସାବେଲା ଥୋବର୍ଣ୍ଣ ମହାବିଦ୍ୟାଳୟ"ରେ ପାଠ ପଢିଥିଲେ । ସେ ୧୯୪୭ରେ ପାକିସ୍ତାନ ଚାଲିଯାଇଥିଲେ । ପରେ କିଛି ସମୟ ଇଂଲଣ୍ଡରେ ରହିବା ପରେ ୧୯୬୦ ମସିହାରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତ ଫେରି ସେ ପ୍ରାୟ ୨୦ ବର୍ଷ ମୁମ୍ବାଇରେ ରହିଥିଲେ । ପରେ ଦିଲ୍ଲୀ ନିକଟସ୍ଥ ନୋଏଡ଼ାରେ ରହିଥିଲେ । ସେ ଆଜୀବନ ଅବିବାହିତ ଥିଲେ ।

ଭାରତ ବିଭାଜନ ସମୟରେ ଐନୀ ପାକିସ୍ତାନ ଚାଲି ଯାଇଥିଲେ ।[୩]. ୧୯୫୯ ମସିହାରେ ପ୍ରକାଶିତ ଉପନ୍ୟାସ "ଆଗ କା ଦରିଆ" ପାକିସ୍ତାନରେ ବିବାଦିତ ହୋଇଥିଲା । ପୁସ୍ତକଟି ପ୍ରକାଶ ହେବା ପରେ ପରେ ଐନୀ ଭାରତକୁ ଚାଲି ଆସିଥିଲେ । ସାମ୍ବାଦିକତାକୁ ନିଜ ବୃତି ଭାବରେ ଆବୋରୀ ଥିଲେ ମଧ୍ୟ ଐନୀ ନିୟମିତ ଭାବରେ ଉପନ୍ୟାସ, ଗଳ୍ପ ଓ ଅନୁବାଦ ପ୍ରକାଶ କରୁଥିଲେ । ତାଙ୍କର ୩୦ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ୧୯୬୪ରୁ ୧୯୬୮ ପର୍ଯ୍ୟନ୍ତ ସେ ଇମ୍ପ୍ରିଣ୍ଟ ପତ୍ରିକାର ସମ୍ପାଦନା କରିଥିଲେ । ୧୯୬୮ରୁ ୧୯୭୫ ପର୍ଯ୍ୟନ୍ତ ସେ "ଇଲୁଷ୍ଟ୍ରେଟଡ଼ ଉଇକ୍ଲି" ପତ୍ରିକାର ସମ୍ପାଦନା ମଣ୍ଡଳୀରେ ଥିଲେ । ତାଙ୍କ ଲିଖିତ ପୁସ୍ତକ ଗୁଡିକ ଇଂରାଜୀ ଓ ଅନ୍ୟ ଭାଷାକୁ ଅନୁବାଦିତ ହୋଇଛି ।

ଐନୀ ଭାରତରେ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଏବଂ ବିଦେଶରେ କାଲିଫର୍ଣ୍ଣିଆ, ଚିକାଗୋ, ଉସକନସିନ ଓ ଆରିଜୋନା ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବରେ ଶିକ୍ଷାଦାନ କରିଥିଲେ । ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ସେ "ପ୍ରଫେସର ଅଫ ଏମିରିଟସ" ଓ ଆଇଓ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଲେଖା କାର୍ଯ୍ୟକ୍ରମର "ଇନ ରେସିଡେନ୍ସି"(୧୯୭୯) ଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

୧୧ବର୍ଷ ବୟସରୁ ଐନୀ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ । ସେ ୧୨ଟି ଉପନ୍ୟାସ ଓ ୪ଟି ଗଳ୍ପ ସଂକଳନ ରଚନା କରିଥିଲେ । ବହୁ କ୍ଲାସିକ ପୁସ୍ତକର ସେ ଅନୁବାଦ କରିଥିଲେ । ତାଙ୍କ ନିଜ ପୁସ୍ତକ ଇଂରାଜୀ ଓ ଅନ୍ୟ ଭାଷାକୁ ମଧ୍ୟ ଅନୁବାଦିତ ହୋଇଥିଲା ।[୪]

"ଆଗ କା ଦୂନିଆ" ଉପନ୍ୟାସ ଐତିହାସିକ ପୃଷ୍ଠଭୂମୀରେ ଲେଖା ଯାଇଥିଲା । ଏହା ୪ର୍ଥ ଶତାବ୍ଦୀରୁ ସ୍ୱାଧିନତା ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଅବିଭକ୍ତ ଭାରତର ଇତିହାସ ଉପରେ ପର୍ଯ୍ୟବେସିତ । ଏଥିରେ ପାକିସ୍ତାନ ସପକ୍ଷବାଦୀଙ୍କ ଦୃଷ୍ଟିକୋଣରୁ ଲେଖା ଯାଇଥିଲା । "ରିଭର ଅଫ ଫାୟାର" ପୁସ୍ତକ ବିଷୟରେ ଦ ଟାଇମସ ଲିଟରାରୀ ପତ୍ରିକାରେ ଆମେର ହୁସେନ ଲେଖିଥିଲେ ଯେ, ଏହି ଉପନ୍ୟାସ ସ୍ପାନୀସ ଉପନ୍ୟାସ "ୱାନ ହଣ୍ଡ୍ରେଡ଼ ଇୟରସ୍ ଅଫ ସଲିଚୁଡ଼" ସହିତ ତୁଳନୀୟ । ୨୦୧୯ରେ ନ୍ୟୁୟର୍କ ଟାଇମସ ଆଦିତି ଶ୍ରୀରାମ ଲେଖିଥିଲେ ଯେ ୧୯୫୯ର ଏହି ଉପନ୍ୟାସ ୨୦୧୯ରେ ମଧ୍ୟ ଉପଯୋଗୀ ।[୫] କମିଲ ଏହସାନ "ଦ ନେସନ"ରେ ଲେଖିଥିଲେ ଯେ ରିଭର ଅଫ ଫାୟାର ୨୫୦୦ ବର୍ଷର ଆଧୁନିକ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶର ଏକ ପୂର୍ଣ୍ଣ ଓ ସମନ୍ୱିତ ଇତିହାସ ପରିବେଷଣ କରେ ।[୩]

ନଅ ବର୍ଷ ବୟସରେ ଐନୀଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ "ବି-ଚୁହିଆ" ଶିଶୁପତ୍ରିକା "ଫୁଲ"ରେ ପ୍ରକାଶିତ ହୋଇଥିଲା । ୧୯ ବର୍ଷ ବୟସରେ ସେ ପ୍ରଥମ ଉପନ୍ୟାସ "ମେରେ ଭି ସନମ ଖାନେ" ଲେଖିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜ୍ଞାନପୀଠ ପୁରସ୍କାର - ୧୯୮୯ (ଆଖିର-ଏ-ଶବ କେ ହମସଫର)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୭(ପତଝଡ଼ କି ଆୱାଜ)
  • ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର - ୧୯୬୯
  • ଗାଲିବ ସମ୍ମାନ - ୧୯୮୫
  • ବାହାଦୂର ଶାହା ଜଫର ପୁରସ୍କାର - ୨୦୦୦(ଉର୍ଦ୍ଦୁ ଏକାଡେମୀଦ୍ୱାରା ପ୍ରଦତ୍ତ)
  • ପଦ୍ମଶ୍ରୀ - ୧୯୮୪
  • ପଦ୍ମ ଭୂଷଣ - ୨୦୦୫[୧][୪]

ମୃତ୍ୟୁ[ସମ୍ପାଦନା]

ଐନୀ ନୋଏଡ଼ାର ଏକ ଡାକ୍ତରଖାନାରେ ୨୦୦୭ ଅଗଷ୍ଟ ୨୧ରେ ମୃତ୍ୟୁବରଣ କରିଥିଲେ । ଜାମିଆ ମିଲିଆ ଇସଲାମିଆ ଶ୍ମଶାନରେ ତାଙ୍କର ଶେଷ କର୍ମ ସମ୍ପାଦିତ ହୋଇଥିଲା ।

ସମାଲୋଚନା[ସମ୍ପାଦନା]

ଏହା ବିଶ୍ୱାସ କରାଯାଉଥିଲା ଯେ, ଐନୀଙ୍କର ରଚନାରେ ଅନେକ ଭୁଲ ରହିଥିଲେ ମଧ୍ୟ ତାଙ୍କ ସାମାଜିକ ପ୍ରତିଷ୍ଠା ଯୋଗୁ, ସେ ବେଶି ଆଲୋଚନାର ସମ୍ମୁଖିନ ହୋଇ ନଥିଲେ । ଉର୍ଦ୍ଦୁ ଔପନ୍ୟାସିକ ପୈଗମ ଅଫକି ନିଜ ପ୍ରସଙ୍ଗ "ଆଗ କା ଦରିଆ - ଚନ୍ଦ ସୱାଲାତ"ରେ ଲେଖିଥିଲେ ଯେ, ଯେହେତୁ "ଐନୀ ଆଗ କା ଦରିଆ" ଖୁବ କମ ବୟସରେ ଲେଖିଥିଲେ ଓ ତାଙ୍କ ଆଖପାଖର ସମସ୍ତ ଲୋକ ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିଲେ ସେ ଭାରତରେ ରହି ଯାଇଥିବା ଲୋକଙ୍କ ଦୃଷ୍ଟିକୋଣ ତାଙ୍କ ପୁସ୍ତକରେ ପ୍ରତିଲକ୍ଷିତ ହୋଇ ନଥିଲା । ପୈଗାମଙ୍କର ଏହି ମନ୍ତବ୍ୟ ପରେ ଐନୀ ପୁସ୍ତକର ଇଂରାଜୀ ଅନୁବାଦରେ କିଛି ପରିବର୍ତ୍ତନ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ମେରେ ଭି ସନମ ଖାନେ - ୧୯୪୯
  • ସଫିନା-ଏ-ଗମ-ଏ-ଦିଲ - ୧୯୫୨
  • ପତଝଡ଼ କି ଆୱାଜ - ୧୯୬୫
  • ରୋଶନୀ କା ରଫତାର - ୧୯୮୨
  • ଚାୟ କା ବାଗ - ୧୯୬୫
  • କର କେ ଜାହାନ ଦରାଜ ହୈ
  • ଗରଦୀଶ-ଏ-ରଙ୍ଗ-ଏ-ଚମନ
  • ଆଖିର-ଏ-ଶବ କେ ହମସଫର
  • ଚାନ୍ଦନୀ ବେଗମ

ଅନୁବାଦ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Qurratulain Hyder". Encyclopædia Britannica. 18 January 2013. Retrieved 7 July 2014.
  2. "Vital statistics of colleges that figure among India's top rankers". India Today. 21 May 2001. Retrieved 7 July 2014.
  3. ୩.୦ ୩.୧ Ahsan, Kamil (22 July 2019). "The Alternate India". The Nation. Retrieved 26 July 2019.
  4. ୪.୦ ୪.୧ "Famous Indian Urdu writer is dead". BBC. 21 August 2007. Retrieved 7 July 2014.
  5. Sriram, Aditi (8 April 2019). "An Urdu Epic Puts India's Partition Into Historical Perspective". The New York Times. Retrieved 26 July 2019.

ବାହାର ଆଧାର[ସମ୍ପାଦନା]