ଷଷ୍ଠୀ (ଦେବୀ)

ଉଇକିପିଡ଼ିଆ ରୁ
(ଷଠି ଘର ରୁ ଲେଉଟି ଆସିଛି)
Jump to navigation Jump to search
ଷଷ୍ଠୀ
Shasti.jpg
ଜନ୍ମଦେବୀ ଓ ଶିଶୁମାନଙ୍କର ରକ୍ଷାକର୍ତ୍ତ୍ରୀ
Devanagariषष्ठी
Sanskrit TransliterationṢaṣṭhī
Affiliationଦେବୀ
Abodeସ୍କନ୍ଦଲୋକ
Consortକାର୍ତ୍ତିକେୟ, ଦେବସେନାଙ୍କ ସହ ସୂଚୀତ ହେବାବେଳେ
Mountବିଲେଇ

ଷଷ୍ଠୀ, ଦୁର୍ଗା ବା ପ୍ରକୃତିଙ୍କ ଷଷ୍ଠୀ କଳା ଓ ସ୍କନ୍ଦ ଭାର୍ଯ୍ୟା; ଏ ଷୋଡ଼ଶ ମାତୃକାଙ୍କ ମଧ୍ୟରେ ପ୍ରଧାନ ଦେବୀ ଅଟନ୍ତି ଏହାଙ୍କର ଅନ୍ୟ ନାମ ଦେବସେନା । ଏହାଙ୍କ ପ୍ରସାଦରେ ପୁତ୍ରପୌତ୍ରାଦି ଲାଭ ହୁଏ ଏ ଜଗତର ଶିଶୁମାନଙ୍କର ପାଳିକା ଓ ରକ୍ଷାକାରିଣୀ ପିଲା ଜନ୍ମର 'ଷଠି' ଓ 'ଏକୋଇଶା' ଦିନ ଏହାଙ୍କ ପୂଜା କରାଯାଏ । ଅପୁତ୍ର ବ୍ୟକ୍ତି ଏକବର୍ଷ ଷଷ୍ଠୀଦେବୀଙ୍କ ସ୍ତବ ଶ୍ରବଣ କଲେ ପୁତ୍ରଲାଭ କରେ ଓ ରୁଗ୍ଣ ସନ୍ତାନ ନୀରୋଗ ହୁଏ । ସନ୍ତାନବତୀ ରମଣୀମାନଙ୍କର ପ୍ରତିମାସର ଶୁକ୍ଳ ଷଷ୍ଠୀରେ ନିଜ ନିଜର ସନ୍ତାନଙ୍କ ମଙ୍ଗଳାର୍ଥ ଷଷ୍ଠୀ ବ୍ରତ କରିବା ବିଧେୟ ।[୧]

ଶାସ୍ତ୍ରରେ ମତେ ୟେ, ଏ ଭର୍ତ୍ତାଙ୍କ ଚକ୍ଷୁରେ ସୁନ୍ଦରୀ ଓ ଯୁବତୀ ରୂପ ଧାରଣ କରନ୍ତି ଏବଂ ଶିଶୁମାନଙ୍କ ରକ୍ଷିକାରୂପେ ମାତୃରୂପା, ଦୟାରୂପା, ରକ୍ଷଣରୂପା, ବୃଦ୍ଧ ରୂପା ଓ ଯୋଗିନୀରୂପା ହୁଅନ୍ତି ।

ସୂତିକାଗାରରେ ଶିଶୁଜନ୍ମର ଷଷ୍ଠ ଦିବସରେ କାନ୍ଥରେ ଏହାଙ୍କର ରୂପ ଗଢ଼ାଯାଇ ବା ପିତୁଳା ସ୍ଥାପିତ ହୋଇ ପୂଜା କରାଯାଏ । ଏ ସୁପୁତ୍ରଦା, ସୁଖଦା । କଥିତ ଅଛି ଯେ, ଶିଶୁ ମାନଙ୍କୁ ସର୍ବଦା ଏ ଜଗିଥାଆନ୍ତି ଓ ଶିଶୁ ଶୋଇ ପଡ଼ିଲେ ତାକୁ ଉଠାଇ ଦିଅନ୍ତି ଓ ଶିଶୁ ଶୋଇଲା ବେଳେ ତାକୁ ସ୍ୱପ୍ନ ଦେଖାଇ ହସାନ୍ତି ଓ କନ୍ଦାନ୍ତି । ପ୍ରତି ଶୁକ୍ଳ ଷଷ୍ଠୀରେ ଓ ବିଶେଷତଃ ଭାଦ୍ର ଶୁକ୍ଳ ଷଷ୍ଠୀ ଦିନ (ଷଠୀ ଓଷାରେ) ଏହାଙ୍କର ପୂଜା ହୁଏ ଏହାଙ୍କୁ ଶାଳଗ୍ରାମ ଶିଳାରେ, ଘଟରେ, ବଟମୂଳରେ ପୂଜା କରାୟାଏ ଓ କାନ୍ଥରେ ମାଟିରେ ପିତୁଳା ସ୍ଥାପନ କରି ପୂଜା କରାଯାଏ । ଏହାଙ୍କ ଧ୍ୟାନରେ ଏ 'ଶ୍ୱେତଚମ୍ପକବର୍ଣ୍ଣାଭା' ରତ୍ନଭୂଷଣ ଭୁଷିତା ଓ ପବିତ୍ର ରୂପା ବୋଲି ବର୍ଣ୍ଣିତ ହୋଇଅଛନ୍ତି ।

ତିଥିକୃତ୍ୟତତ୍ତ୍ୱରେ ଜ୍ୟୈଷ୍ଠ ମାସ ଶୁକ୍ଲ ଷଷ୍ଠୀ ବା ଆରଣ୍ୟ ଷଷ୍ଠୀରେ ବର୍ଣ୍ଣିତ ଧ୍ୟାନରେ ଏହାଙ୍କୁ ଦ୍ୱିଭୁଜା, ଯୁବତୀ, ବରାଭଯହସ୍ତା, ଗୌରବର୍ଣ୍ଣା, ବିନ୍ଧ୍ୟବାସିନୀ, ଦିବ୍ୟ ବସ୍ତ୍ର ପରିହିତା, ପୀନୋନ୍ନତପୟୋଧରା ରୂପେ କଳ୍ପନା କରାଯାଇ ଅଛି । ଏ ଦିନ ସ୍ତ୍ରୀମାନେ ତାଳବୃନ୍ତ ଓ ଅନ୍ୟାନ୍ୟ ପୂଜା ଦ୍ରବ୍ୟ ସହ ବନକୁ ଯାଇ ସେଠାରେ ଆରଣ୍ୟ ଷଷ୍ଠୀ ଦେବୀଙ୍କ ପୂଜା, ତଦୁପାଖ୍ୟାନ ଶ୍ରବଣ ଓ ଫଳ ମୁଳାଦି ସେବନ କରିବେ । ଏ ବ୍ରତ କଲେ ସନ୍ତାନ ସନ୍ତତି ଦୀର୍ଘାୟୁଃ ଓ ଐଶ୍ୱର୍ଯ୍ୟଶାଳୀ ହୁଅନ୍ତି । ପୁତ୍ରର ବା କନ୍ୟାର ଜନ୍ମର ଷଷ୍ଠ ଦିନ ରାତ୍ରିରେ ସୂତିକା ଗୃହରେ ଷଷ୍ଠୀଦେବୀଙ୍କର ଯେଉଁ ପୂଜା ହୁଏ ତାକୁ ସୂତିକା ଷଷ୍ଠୀ ପୂଜା ବୋଲାଯାଏ ସେ ଦିନ ସନ୍ତାନକୁ ଗୋଟିଏ ବ୍ୟଜନ ଉପରେ ବିଛାଯାଇ ଥିବା ଲୁଗା ଉପରେ ଶୁଆଇ ଷଷ୍ଠୀଦେବୀଙ୍କ ଚରଣରେ ପିଲାଙ୍କୁ ସମର୍ପଣ କରାଯାଏ । ଷଷ୍ଠୀଦେବୀଙ୍କ ବାହନ କୃଷ୍ଣ ମାର୍ଜାର ଓ ଆବାସ ଅଶ୍ୱତ୍ଥ ବୃକ୍ଷ ।

ଏହାଙ୍କର ଅଷ୍ଟାକ୍ଷର ମନ୍ତ୍ର 'ନୌଁ ହ୍ରୀଂ ଷଷ୍ଠୀଦେବ୍ୟୈ ସ୍ୱାହା' । ବ୍ରହ୍ମବୈବର୍ତ୍ତ ପୁରାଣ ପ୍ରକୃତିଖଣ୍ଡ ୧ମ ଓ ୪ର୍ଥ ଅଧ୍ୟାୟରେ ଏହାଙ୍କର ପୂଜା ବିଧି ଓ ସ୍ତୋତ୍ର ଆଦି ବର୍ଣ୍ଣିତ ହୋଇଅଛି ।

ଷଠି ଘର[ସମ୍ପାଦନା]

ଷଠି ଘର ଶିଶୁ ଜନ୍ମ ହେବାର ଛଅ ଦିନରେ ଏହା ପାଳନ କରାଯାଏ । ଏହା ଷଷ୍ଠୀ ପୂଜା, ଷଠିଘରା, ଷଠୀ ଦୁସେଇ ଓ ଷଷ୍ଠୀ ଦୁସେଇ ପୂଜା ନାମରେ ମଧ୍ୟ ଜଣା । ଷଷ୍ଠୀ ଦେବୀ ପିଲାଙ୍କ କପାଳ ଲିଖନ ପାଇଁ ଦାୟୀ ବୋଲି ବିଶ୍ୱାସ କରି ପିଲା ଜନ୍ମ ହେବାର ଷଷ୍ଠ ଦିନରେ ଏହି ପୂଜା କରାଯାଏ ।ଶିଶୁ ଜନ୍ମର ପଞ୍ଚମ ଦିନ ପଞ୍ଚୁଆତି ବୋଲି ଏକ ଖାଦ୍ୟ ପ୍ରସ୍ତୁତ ହୁଏ । ପଞ୍ଚୁଆତି ପାଞ୍ଚଟି ଜିନିଷରୁ ତିଆରି ହୁଏ ଯଥା: ଗୁଡ଼ ମିଶା ମୁଢି, ବିରି, ମୁଗ, ବୁଟ ଓ ହରଡ଼ । ମା' ନିଜେ ପଞ୍ଚୁଆତିକୁ ନିଜ ପାଟିରେ ପକେଇ ଖାଇଲା ବେଳେ ସେ କୁଡ଼ୁକୁଡ଼ୁ ଶବ୍ଦକୁ ତା' ଛୁଆ କାନରେ ଶୁଣାଏ । ଏହା କରିବା ବେଳେ ମା'ଟି ଛୁଆର ଶୁଣିବାରେ କିଛି ଅସୁବିଧା ଅଛି କି ନାହିଁ ଜାଣିବାକୁ ଚେଷ୍ଟାକରିଥାଏ । ଅନ୍ୟ ସ୍ତ୍ରୀଲୋକମାନେ ନିଜର ପଣତ କାନି ଦେଖାନ୍ତି ଆଉ ଜଣେ ସେମାନଙ୍କ କାନିରେ ପଞ୍ଚୁଆତି ବାଣ୍ଟନ୍ତି । ଷଷ୍ଠ ଦିନ ରୋଷେଇ ଘର କାନ୍ଥରେ କାଦୁଅ ମାଟିରେ ୬ଟି ଜାଗାରେ ଛପାଯାଇଥାଏ ଓ ତା' ଉପରେ ୬ଟି କଉଡ଼ି ଲଗାଯାଇଥାଏ । ନବଜାତ ଶିଶୁଟିକୁ ତା'ର ଏନ୍ତୁଡ଼ିଶାଳରେ ଧୀରେ ଧୀରେ ମାଲିସ କରାଯାଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ତରକାରୀ ଆଦି ୬ ପ୍ରକାର ଖାଦ୍ୟ ତିଆରି ହୁଏ । ସେହି ଖାଦ୍ୟକୁ ୭ଜଣ ସଧବା ସ୍ତ୍ରୀଲୋକଙ୍କଦ୍ୱାରା ଷଷ୍ଠୀ ଦେବୀଙ୍କୁ ନିବେଦିତ ହୁଏ ଓ ବଣ୍ଟାଯାଏ । ସନ୍ଧ୍ୟାବେଳେ ବନ୍ଧୁବାନ୍ଧବ ଓ ଗାଁଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥାଏ ଓ ଲୋକମାନେ ଶିଶୁଟିର ବନ୍ଦାପନା କରିଥାନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

ଷଠି ଓଷାକୁ ନେଇ ନାନାଦି କିମ୍ବଦନ୍ତୀ ପ୍ରଚଳିତ । ସେଥି ମଧ୍ୟରୁ ଗୋଟେ ରାମାୟଣ ସହ ସମ୍ବନ୍ଧିତ ଓ କେବଳ ଓଡ଼ିଶା ତଥା ପୂର୍ବ ଭାରତରେ ପ୍ରଚଳିତ । ଏହି କିମ୍ବଦନ୍ତୀ ଅନୁସାରେ ଦଶରଥଙ୍କ ସନ୍ତାନ ସନ୍ତତି ହେଉନଥିବାରୁ ତାଙ୍କ ରାଣୀମାନେ ଷଠୀ ପୂଜା କରିବା ଆରମ୍ଭ କଲେ । ଷଠୀଙ୍କ ପ୍ରତିମା ସାତଟି ଶୁଖୁଆରେ ହଳଦି, କଜ୍ଜଳ ଓ ହଳଦିଆ ଲୁଗାରେ ଗୁଡ଼ାଇ ରଖିଲେ । ପିଲାମାନେ ଜନ୍ମ ହେବା ଅନ୍ତେ ଷଷ୍ଠ ଦିନରେ ଷଠି ପୂଜା କଲେ ।[୨]

ଆଧାର[ସମ୍ପାଦନା]

  1. "ଷଷ୍ଠୀ". Retrieved 24 March 2016.
  2. Asitakumāra Bandyopādhyāẏa (1983). The Rāmāyaṇa in Eastern India. Prajñā.