ରାଜବଣି

ଉଇକିପିଡ଼ିଆ ରୁ
Jump to navigation Jump to search

ରାଜବଣି
Brahminy starling (Sturnia pagodarum) male.jpg
ଅଣ୍ଡିରା ରାଜବଣି (ରାଜସ୍ଥାନରେ ଉଠାଯାଇଥିବା ଫଟୋଚିତ୍ର)
Brahminy starling (Sturnia pagodarum) female.jpg
ମାଈ ରାଜବଣି (ରାଜସ୍ଥାନରେ ଉଠାଯାଇଥିବା ଫଟୋଚିତ୍ର)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Sturnidae
Genus: Sturnia
ଜାତି: S. pagodarum
ବାଇନୋମିଆଲ ନାମ
Sturnia pagodarum
(ୟୋହାନ୍ ଫ୍ରେଡ୍ରିକ୍ ମେଲିନ୍, ୧୭୮୯)
Synonyms

ଷ୍ଟର୍ଣ୍ଣସ୍ ପାଗୋଡେରମ୍ (Sturnus pagodarum)
ଟେମିନୁକସ୍ ପାଗୋଡେରମ୍ (Temenuchus pagodarum)


ରାଜବଣି (ଇଂରାଜୀ ଭାଷାରେ Brahminy Myna ବା Brahminy Starling, ଜୀବବିଜ୍ଞାନ ନାମ Sturnia pagodarum[୨]) ଷ୍ଟାର୍ଲିଂ ପକ୍ଷୀ ପରିବାରର ଏକ ସଦସ୍ୟ । ଏମାନେ ଭାରତୀୟ ଉପମହାଦେଶର ସମତଳ ଅଞ୍ଚଳରେ ବାସ କରନ୍ତି ଓ ସାଧାରଣତଃ ଯୋଡ଼ା ବା ଛୋଟ ଦଳରେ ବିଚରଣ କରିଥାନ୍ତି ।

ବିବରଣୀ[ସମ୍ପାଦନା]

ରାଜସ୍ଥାନ, ଭାରତର କେଓଲାଦେଓ ଜାତୀୟ ଉଦ୍ୟାନରେ ଏକ ତରୁଣ ରାଜବଣିର ଉଠାଯାଇଥିବା ଫଟୋଚିତ୍ର

ରାଜବଣିର ଦେହ ଫିକା ମାଟିଆ ରଙ୍ଗର ଓ ଏହାର ମୁଣ୍ଡରେ ଟୋପି ପରି କଳା ରଙ୍ଗର ଆବରଣ ରହିଥାଏ । ଏହାର ଥଣ୍ଟ ହଳଦିଆ ରଙ୍ଗର ଓ ଥଣ୍ଟର ମୂଳଟି ଈଷତ୍ ନୀଳ ରଙ୍ଗର । ଏହାର ଚକ୍ଷୁପଟଳ ଫିକା ରଙ୍ଗର ଓ ଆଖି ବାହାର ପଟେ ନୀଳ ରଙ୍ଗର ଦାଗ ରହିଥାଏ । ଲାଞ୍ଜର ବାହ୍ୟପାର୍ଶ୍ୱରେ କଳା ଓ ଧଳା ରଙ୍ଗର ପର ରହିଥାଏ । ଡେଣାଗୁଡ଼ିକର ପ୍ରାଥମିକ ରଙ୍ଗ କିନ୍ତୁ କଳା ଓ ଏଥିରେ କୌଣସି ଧଳାଛାପ ନଥାଏ । ପୂର୍ଣ୍ଣ ବୟସ୍କ ଅଣ୍ଡିରାମାନଙ୍କ ମୁଣ୍ଡରେ ଏକ ଶିଖା ରହିଥାଏ ଯାହା ମାଈମାନଙ୍କ ମୁଣ୍ଡରେ ଦେଖାଯାଏ ନାହିଁ । ଅଣ୍ଡିରାମାନଙ୍କ ବେକର ଲୋମ ମଧ୍ୟ ଲମ୍ବା । ତରୁଣମାନଙ୍କ ଟୋପି ଅଂଶଟି କଳା ପରିବର୍ତ୍ତେ ଅଳ୍ପ ମାଟିଆ ରଙ୍ଗର ହୋଇଥାଏ ।[୩]

ଦକ୍ଷିଣ ଭାରତର ଘର, ମନ୍ଦିରପାଗୋଡ଼ାମାନଙ୍କରେ ବାସ କରୁଥିବାରୁ ଏହି ପ୍ରଜାତିର ଜୀବବିଜ୍ଞାନ ନାମରେ ପାଗୋଡେରମ୍ ଶବ୍ଦ ବ୍ୟବହୃତ ହୋଇଥିବାର ଅନୁମାନ କରାଯାଏ ।[୪]

ଭୌଗୋଳିକ ବ୍ୟାପ୍ତି ଓ ପରିବାସ[ସମ୍ପାଦନା]

ଭାରତନେପାଳରେ ରାଜବଣିମାନେ ସ୍ଥାନୀୟ ପକ୍ଷୀ । ଶୀତଋତୁରେ ଏମାନେ ଶ୍ରୀଲଙ୍କା ଏବଂ ଗ୍ରୀଷ୍ମଋତୁରେ ଏମାନେ ପଶ୍ଚିମ ଓ ଉତ୍ତର-ପୂର୍ବ ହିମାଳୟରେ ପ୍ରବାସ କରିଥାନ୍ତି । ପାକିସ୍ତାନର ସମତଳ ଅଞ୍ଚଳରେ ମଧ୍ୟ ରାଜବଣି ପରିଲକ୍ଷିତ ହୁଅନ୍ତି । ଏମାନେ ତୁହାକୁତୁହା ଭାବେ ଲମ୍ବା କାକଳି ଧ୍ୱନି ସୃଷ୍ଟି କରନ୍ତି ଓ ଏହି ଶେଷ ଭାଗରେ କାକଳି ଅକସ୍ମାତ ବନ୍ଦ ହୋଇଯାଇଥାଏ ।[୩] ଯଦିଓ ଏମାନଙ୍କୁ ମୁଖ୍ୟତଃ ସମଭୂମିରେ ଦେଖାଯାଏ, ସମୁଦ୍ରପତନରୁ ୩୦୦୦ ମିଟର୍ ଉଚ୍ଚତାରେ ଥିବା ଲଦାଖରେ ମଧ୍ୟ ଏମାନଙ୍କ ଉପସ୍ଥିତିର ପ୍ରମାଣ ରହିଛି ।[୫]

ସମତଳ ଅଞ୍ଚଳର ଶୁଷ୍କ ଅରଣ୍ୟ, ବୁଦାଳିଆ ଅରଣ୍ୟ ଓ ଜନବସତି ନିକଟରେ ଏହି ପକ୍ଷୀ ବାସ କରିବା ଦେଖାଯାଏ । ଜଳାଶୟ ନିକଟବର୍ତ୍ତୀ ସନ୍ତସନ୍ତିଆ ଓ କର୍ଦ୍ଦମମୟ ସ୍ଥାନ ପାଖରେ ରହିବା ଏମାନେ ଅଧିକ ପସନ୍ଦ କରନ୍ତି ।[୩]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ରାଜବଣି ସର୍ବଭକ୍ଷୀ ଓ ଏମାନେ ଫଳ ସହ କୀଟପତଙ୍ଗମାନଙ୍କୁ ମଧ୍ୟ ଆହରଣ କରିଥାନ୍ତି । ଅନ୍ୟ ମେରୁଦଣ୍ଡୀ ପ୍ରାଣୀଙ୍କ ପାଇଁ ବିଷାକ୍ତ ପ୍ରଭାବ ପକାଉଥିବା କନିଅର ଗଛର ଫଳକୁ ମଧ୍ୟ ରାଜବଣିମାନେ ଖାଇବା ଦେଖାଯାଇଛି ।[୬] ପାଉଁଶମୁଣ୍ଡି ବଣି ପରି ରାଜବଣି ଅଧିକାଂଶ ସମୟ ଗଛଡାଳରେ ଅତିବାହିତ କରିବା ପରିଲକ୍ଷିତ ହୁଏନାହିଁ । ରାଜବଣିମାନେ ଅନ୍ୟ ବଣି ପ୍ରଜାତିଙ୍କ ସହ ମିଶି ଏକ ଛୋଟ ଦଳ ଗଠନ କରି ତୃଣମୟ ଭୂମିରେ ଆହାର ସନ୍ଧାନରେ ବୁଲୁଥିବା ମଧ୍ୟ ଦେଖାଯାଏ । ରାଜବଣିମାନେ ଚରୁଥିବା ଗାଈଗୋରୁଙ୍କ ସହିତ ବୁଲି ଆହାର ଖାଇବା ମଧ୍ୟ ଦେଖାଯାଏ । ରାଜବଣି ଶିମିଳି, ପଳାଶ, ପାଳଧୁଆ ଗଛର ଫୁଲରୁ ମହୁ ଖାଇବା ମଧ୍ୟ ଦେଖାଯାଇଛି । ପତ୍ରପୂର୍ଣ୍ଣ ଗଛଡାଳରେ ଅନ୍ୟ ବଣିଶୁଆ ପକ୍ଷୀମାନଙ୍କ ମେଳରେ ବସି ଏମାନେ ରାତ୍ରଶୟନ କରିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ ।[୭]

ଗଛ କୋରଡ଼ କିମ୍ବା କୌଣସି ଅପ୍ରାକୃତିକ ଖୋଲରେ ଏମାନେ ନିଜର ବସା ବାନ୍ଧନ୍ତି ।[୩][୮] ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ; କିନ୍ତୁ ସ୍ଥାନାନୁସାରେ ଏଥିରେ ପରିବର୍ତ୍ତନ ଦେଖାଦେଇପାରେ । ଦକ୍ଷିଣ ଭାରତୀୟ ରାଜବଣିଙ୍କ ପ୍ରଜନନ ସମୟ ଅନ୍ୟ ଅଞ୍ଚଳର ରାଜବଣିଙ୍କ ଅପେକ୍ଷା ଶୀଘ୍ର ଆରମ୍ଭ ହୁଏ । ଏହି ସମୟରେ ଅନେକ ଗଛରେ ଫଳ ଲାଗେ ଓ ମୌସୁମୀ ବର୍ଷା ଆରମ୍ଭ ସମୟରେ ଶାବକମାନେ ଜନ୍ମ ଲାଭ କରନ୍ତି । ମୁଖ୍ୟତଃ ଅଣ୍ଡିରା ପକ୍ଷୀମାନେ ବସା ଖୋଜନ୍ତି ଓ କୋରଡ଼ବାସୀ ବସନ୍ତ ବା ଚଟିଆମାନଙ୍କ ସହ ଏମାନଙ୍କର ପ୍ରତିଯୋଗିତା ବସା ପାଇଁ ପ୍ରତିଯୋଗିତା ହେବା ମଧ୍ୟ ଦେଖାଯାଏ । ଅଣ୍ଡିରା ରାଜବଣିମାନେ ନିଜର ପର ଫୁଲାଇ, ଲାଞ୍ଜର ପର ମେଲାଇ, ନିଜର ଶିଖା ଉଠାଇ ଓ ନିଜର ଥଣ୍ଟ ଉପରକୁ ଉଠାଇ ପ୍ରଦର୍ଶନ କରିଥାନ୍ତି । ଉଭୟ ମାଈ ଓ ଅଣ୍ଡିରା ମିଶି ନିଜର ବସା ତିଆରି କରନ୍ତି । ବସାଟି କୁଟା, ଘାସ ଓ ପରରେ ଆଚ୍ଛାଦିତ ହୋଇ ରହିଥାଏ । ଏହି ପକ୍ଷୀ ନୀଳମିଶା ଫିକା ସାଗୁଆ ରଙ୍ଗର ୩-୪ଟି ଅଣ୍ଡା ଦେଇଥାଏ । ଦ୍ୱିତୀୟ ଅଣ୍ଡା ଦେଇସାରିବା ପରେ ମାଈ ରାଜବଣି ଅଣ୍ଡାଗୁଡ଼ିକୁ ଉଷୁମାଇବା ଆରମ୍ଭ କରେ । ରାତିରେ ମୁଖ୍ୟତଃ ମାଈମାନେ ଓ ଦିନବେଳେ ଅଳ୍ପ ସମୟ ପାଇଁ ଅଣ୍ଡିରାମାନେ ଅଣ୍ଡା ଉଷୁମାନ୍ତି । ୧୨ରୁ ୧୪ ଦିନରେ ଅଣ୍ଡା ଫୁଟି ସେଥିରୁ ଶାବକମାନେ ବାହାରନ୍ତି । ଶାବକମାନେ ୩ ସପ୍ତାହରେ ବଡ଼ ହୋଇ ବସା ଛାଡ଼ି ଉଡ଼ି ଚାଲିଯାନ୍ତି । ପ୍ରଥମେ ଶାବକମାନଙ୍କୁ କୀଟପତଙ୍ଗ ଓ ପରେ ଶସ୍ୟ ଇତ୍ୟାଦି ଯୋଗେଇ ଦିଆଯାଇଥାଏ । ଶାବକମୀନେ ଖାଇବା ପରେ ବାନ୍ତି କରୁଥିବା ବର୍ଜ୍ୟ ପଦାର୍ଥକୁ ମାତାପିତା ୨୦ ମିଟର ବା ତା’ଠାରୁ ଦୂରରେ ନେଇ ପକାଇ ଦିଅନ୍ତି । ରାଜବଣିମାନେ କ୍ରମାନ୍ୱୟରେ ୨-୩ଟି ଶାବକଙ୍କୁ ବଡ଼ କରନ୍ତି ।[୪][୭][୯][୧୦]

ବର୍ଗୀକରଣ[ସମ୍ପାଦନା]

ବଂଶାନୁକ୍ରମ ଦୃଷ୍ଟିରୁ ଏମାନେ ବିଭିନ୍ନ ପକ୍ଷୀଙ୍କ ନିକଟତର ହୋଇଥିବାରୁ ଏମାନଙ୍କ ଜାତିଗତ ସ୍ଥାନକୁ ନେଇ ବିଭିନ୍ନ ମତ ରହିଥିବା ଦେଖାଯାଏ । ପାରମ୍ପରିକ ଭାବେ ଏହି ପକ୍ଷୀକୁ ଷ୍ଟର୍ଣ୍ଣସ୍ (Sturnus)ଟେମିନୁକସ୍ (Temenuchus) ଜାତିରେ ପରିଗଣିତ କରାଯାଉଥିଲା । ୨୦୦୮ ମସିହାରେ ହୋଇଥିବା ଏକ ଅଧ୍ୟୟନରେ ରାଜବଣି ଷ୍ଟର୍ଣ୍ଣିଆ (Sturnia) ଜାତିର ସଦସ୍ୟ ବୋଲି କୁହାଯାଇଥିଲା ।[୨]

ଆଧାର[ସମ୍ପାଦନା]

  1. BirdLife International (2012). "Sturnus pagodarum". Retrieved 3 June 2013. Cite journal requires |journal= (help)CS1 maint: ref=harv (link)
  2. ୨.୦ ୨.୧ Zuccon, D.; Pasquet, E. & Ericson, P. G. P. (2008). "Phylogenetic relationships among Palearctic–Oriental starlings and mynas (genera Sturnus and Acridotheres : Sturnidae)" (PDF). Zoologica Scripta. 37: 469–481. doi:10.1111/j.1463-6409.2008.00339.x. Cite uses deprecated parameter |last-author-amp= (help)
  3. ୩.୦ ୩.୧ ୩.୨ ୩.୩ Rasmussen PC & JC Anderton (2005). Birds of South Asia: The Ripley Guide. Volume 2. Smithsonian Institution & Lynx Edicions. p. 582. Cite uses deprecated parameter |lastauthoramp= (help)
  4. ୪.୦ ୪.୧ Hume, AO (1890). The nests and eggs of Indian birds. Volume 1. R H Porter. pp. 374–375.
  5. Akhtar, S Asad (1990). "Altitudinal range extension of the Brahminy Myna Sturnus pagodarum in Chushul, Ladakh". J. Bombay Nat. Hist. Soc. 87 (1): 147.
  6. Raj, PJ Sanjeeva (1963). "Additions to the list of birds eating the fruit of Yellow Oleander (Thevetia neriifolia )". J. Bombay Nat. Hist. Soc. 60 (2): 457–458.
  7. ୭.୦ ୭.୧ Ali, S & SD Ripley (1986). Handbook of the Birds of India and Pakistan. Volume 5 (2nd ed.). Oxford University Press. pp. 160–162. Cite uses deprecated parameter |lastauthoramp= (help)
  8. Sharma, Satish Kumar (1996). "Nesting in anchor-pipe by Brahminy Myna, Sturnus pagodarum (Gmelin)". J. Bombay Nat. Hist. Soc. 93 (1): 91.
  9. Lamba, BS; Tyagi, AK (1977). "Period of incubation in Brahminy Myna, Sturnus pagodarum (Gmelin)". J. Bombay Nat. Hist. Soc. 74 (1): 173–174.
  10. Tyagi, A.K.; Lamba, B.S. (1984). A Contribution to the Breeding Biology of Two Indian Mynas. Records of the Zoological Survey of India. Occasional Papers, 55 (PDF). Calcutta: Zoological Survey of India. pp. 47–97.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]