ପଳାଶ

ଉଇକିପିଡ଼ିଆ ରୁ
ପଳାଶ
ବେଙ୍ଗାଲୁରୁ, ଭାରତ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Rosids
ଗଣ: Fabales
କୁଳ: Fabaceae
ପ୍ରଜାତି: Butea
ଜାତି: B. monosperma
ବାଇନୋମିଆଲ ନାଆଁ
Butea monosperma
(Lam.) Taub.
Synonyms

Butea frondosa Roxb. ex Willd.
Erythrina monosperma Lam.[୧]
Plaso monosperma

ଫୈଜାବାଦ, ଭାରତରେ ଏକ ପୁଷ୍ପିତ ପଳାଶ ବୃକ୍ଷ
ପଳାଶପତ୍ର

ଏହା ଭାରତୀୟ ଉପମହାଦେଶ ଓ ଦକ୍ଷିଣପୂର୍ବ ଏସିଆରେ ଯଥା ଭାରତ, ବାଂଲାଦେଶ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା, ମିଆଁମାର, ଥାଇଲାଣ୍ଡ, ଲାଓସ୍, କାମ୍ପୁଚିଆ, ଭିଏତନାମ, ମାଲେସିଆ ତଥା ପଶ୍ଚିମ ଇଣ୍ଡୋନେସିଆରେ ଦେଖିବାକୁ ମିଳେ.

ପଳାଶ ଫଳ

ପଳାଶ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ପଳାଶ ବା Flame of the Forest ହେଉଛି ଶିମ୍ବାଦି ବର୍ଗର ମଧ୍ୟମାକୃତି ତରୁ। ଗଛ ବଙ୍କା ଓ ଗଣ୍ଠିଆ। ଏହାର ପତ୍ରଗୁଡ଼ିକ ହାତୀକାନ ପରି ବଡ଼ ବଡ଼, ତ୍ରିପର୍ଣ୍ଣ। ଫୁଲ ପାଟ ରଙ୍ଗର । କେତେକ ସ୍ଥାନରେ ଅଳ୍ପ ହଳଦୀମିଶା ଲାଲ ରଙ୍ଗର ଫୁଲ ଦେଖିବାକୁ ମିଳେ। ଶୀତ ଶେଷରେ ପତ୍ରଝଡ଼ିଯାଏ ଓ ବସନ୍ତ ଋତୁର ଆଗମନରେ ଏହି ଗଛ ଶୁକଚଞ୍ଚୁ ପରି ତୋଫା ନାଲି ରଙ୍ଗର ଫୁଲରେ ଭରି ଉଠେ। ଏହାର ଛାଲକୁ ଚିରିଦେଲେ ଏକ ପ୍ରକାର ରକ୍ତବର୍ଣ୍ଣ ନିର୍ଯ୍ୟାସ (Bengal Kino) ବାହାରେ। ଏହାର ଫୁଲକୁ ପାଣିରେ ସିଝାଇଲେ ଏକ ପ୍ରକାରର ନାଲି ରଙ୍ଗ ବାହାରେ। ପୂର୍ବେ ଏହି ରଙ୍ଗରେ ଅବିରକୁ ରଙ୍ଗା ଯାଉଥିଲା।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପଳାଶ
ସଂସ୍କୃତ ପୂର୍ଣ୍ଣ ଯାଙ୍କେୟ, ରକ୍ତପୁଷ୍ପକ, ବ୍ରହ୍ମବୃକ୍ଷ, ସମିଦ୍​ବର, ବାତପୋଥ, କିଂଶୂକ, ଯାରଶ୍ରେଷ୍ଠ, ତ୍ରିପତ୍ରକ, ଗନ୍ଧହୀନା, ଯାଜ୍ଞିକା, ବକ୍ରପୁଷ୍ପ, ପୁତ୍ରଦ୍ରୁ, ଶତ୍ତଦ୍ର, କାଷ୍ଠଦ୍ରୁ ଓ ବ୍ରହ୍ମପନେତ।
ହିନ୍ଦୀ ପଲାଶ, ଧାରା, କେଶ୍ମ ଓ ଟାକ टाक, पलाश
ତେଲୁଗୁ ମୋଟଗ మోదుగ/మోదుగు
ଗୁଜରାଟୀ କେସୁଡୋ કેસુડો
ପଞ୍ଜାବୀ ਕੇਸੂ
ବଙ୍ଗଳା ପଲାଶ পলাশ

ଇଂରାଜୀରେ Flame of the Forest, Bastard Teak, Parrot Treeମଧ୍ୟ କୁହାଯାଏ।

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଷାୟ କଟୁ ମିଶ୍ରିତ ତିକ୍ତ ରସ, ସ୍ନିଗ୍ଧ, ଉଷ୍ଣବୀର୍ଯ୍ୟ, ଅଗ୍ନୀଦୀପକ, ବୀର୍ଯ୍ୟବର୍ଦ୍ଧକ, ସାରକ, ଭଗ୍ନ ସନ୍ଧାନ କାରକ, ଭଗ୍ନ ସଂଯୋଯକ, ଗୁଳ୍ମଘ୍ନ, ଗୁହ୍ୟଜ ରୋଗ, ବ୍ରଣ, ଭଗନ୍ଦର, ଅର୍ଶ, କୃମି, ଗ୍ରହଣୀ, ପ୍ଲୀହା ଓ ଯକୃତ ରୋଗ ନିବାରକ। ମାତ୍ରା ଦୁଇ ଅଣାରୁ ଆଠ ଅଣା।

ବ୍ୟବହାର[ସମ୍ପାଦନା]

ଔଷଧୀୟ[ସମ୍ପାଦନା]

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ଏହାର ମୂଳ ଛେଲିକୁ ବାଟି ନିର୍ଦ୍ଦିଷ୍ଟ ଅଙ୍ଗ ଉପରେ ଲେପଦେଲେ ଭଙ୍ଗା ହାଡ଼ ଯୋଡି଼ ହୋଇଯାଏ।
  • ଏହାର ପତ୍ରକୁ ବାଟି ଲେପ ଦେଲେ ଗୁହ୍ୟରୋଗ ନାଶ ହୁଏ।
  • ଏହାର ଛେଲିକୁ ପୋଡି ସେହି ପାଉଁଶକୁ ମାଟି ପାତ୍ରରେ ଜଳ ସହିତ ତିନିଘଣ୍ଟା ରଖିଲେ ପାଉଁଶ ତଳକୁ ବସିଯାଏ। ତା’ପରେ ଉପରର ଜଳକୁ ଆଣି ତା’ସହିତ ମହୁ ବା ମିଶ୍ରିଗୁଣ୍ଡ ମିଶାଇ ଖାଇଲେ ପିଲାଙ୍କର କୃମି ଭଲ ହୁଏ ଓ କୃମିଜନିତ ଯାବତୀୟ ପୀଡ଼ା ଦୂର ହୁଏ।
  • ଏହାର କ୍ଷାରରୁ ଅର୍ଦ୍ଧରତି ପ୍ରମାଣ ନେଇ ମହୁସହିତ ଖଲି ସେବନ କଲେ ଅର୍ଶ, ଗୁଳ୍ମ, ପ୍ଲୀହା, ବ୍ରଣ, କ୍ଷତ ଓ ପେଟର ଯାବତୀୟ ବେଦନା ଦୂର ହୁଏ।
  • ଶୁକ୍ରବୃଦ୍ଧିପାଇଁ ଏହାର ପ୍ରୟୋଗ କରାଯାଇଥାଏ।
  • ଏହାର କ୍ଷାରକୁ ସୋରିଷତେଲ ସହିତ ପାକକରି ସେହି ତେଲକୁ ଲଗାଇଲେ କ୍ଷତ ଶୁଖିଯାଏ। ପଳାଶ ପତ୍ରର ଚୂର୍ଣ୍ଣ ଅଥବା ପତ୍ରର ସିଝାପାଣିକୁ ସବୁପ୍ରକାରର କ୍ଷତର ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ।
  • ମୂତ୍ରକୃଚ୍ଛ୍ରରେ ଏହାର ଫୁଲକୁ ପାଣିରେ ପୂରାରାତି ଭେଦାଇ ଛାଣି ମିଶ୍ରି କିମ୍ବା ଚିନି ସହିତ ସେବନ କଲେ ଉପକାର ମିଳେ।
  • ଅତିସାର ଓ ଗ୍ରହଣୀ ରୋଗରେ ଏହାର ଛେଲିର ରସକୁ ଅଳ୍ପ ମହୁ ସହିତ ସେବନ କଲେ ଲାଭ ମିଳେ।
  • ପଳାଶ ଗଛର ଅଠାକୁ ପାଣିରେ ଭେଦାଇ ତାକୁ ଚକଟି ପାନକଲେ ସବୁପ୍ରକାର ଝାଡ଼ା ନିବାରିତ ହୁଏ ଓ ଧାତୁ ପୁଷ୍ଟହୁଏ। ଏହି ଅଠାକୁ ଖରାରେ ଶୁଖାଇ ଗୁଣ୍ଡକରି ମିଶ୍ରିଗୁଣ୍ଡ ସହିତ ବ୍ୟବହାର କଲେ ସ୍ୱପ୍ନଦୋଷ, ଶୁକ୍ରତାରଲ୍ୟ, ପ୍ରମେହ, ଶୁକ୍ରକ୍ଷୟଜନିତ ରୋଗ ତଥା ସ୍ତ୍ରୀମାନେ ସେବନ କଲେ ପ୍ରଦରାଦି ସ୍ତ୍ରୀରୋଗ ନିବାରିତ ହୁଏ।
  • ଚର୍ମରୋଗରେ ଏହାର ମଞ୍ଜିକୁ ବାଟି ଲଗାଯାଏ।
  • ମୁଖ ରୋଗରେ ଏହାର ଅଠା ବା ଛେଲିକୁ ପାଣିରେ ସିଝାଇ, ସେଇ ପାଣିରେ କୁଳି କଲେ ଉପକାର ମିଳେ।

ଅନ୍ୟାନ୍ୟ[ସମ୍ପାଦନା]

  • ଏହାର ପତ୍ର ମୋଟା ହୋଇଥିବାରୁ ତାକୁ ସିଲାଇକରି ଖଲିପତ୍ର ଓ ଚଉପଦୀ କରାଯାଏ।
  • ଉତ୍ତର ଭାରତରେ ଲୋକେ ଧୂଆପତ୍ରର ଗୁଣ୍ଡ ଭରତି କରି ଏହି ପତ୍ରକୁ ପିକାକରି ଟାଣନ୍ତି।
  • ପଳାଶ ଗଛର ଛେଲିକୁ ଛେଚି ଡଙ୍ଗା ଓ ଜାହାଜର ଫାଟରେ ପୁରାଯିବା ଅସ୍ତା ତିଆରି କରାଯାଏ।
  • ଏ ଗଛର ଛାଲ ଓ ଅଂଶୁରେ ଦଉଡ଼ି ତିଆରି ହୁଏ।
  • ଏ ଗଛକୁ ହିନ୍ଦୁମାନେ ପବିତ୍ର ଜ୍ଞାନ କରନ୍ତି ଓ ବ୍ରତଘର (ଉପନୟନ) କାଳରେ ବ୍ରହ୍ମଚାରୀ ଏହି ଦଣ୍ଡ ଧାରଣ କରେ।

ଆଧାର[ସମ୍ପାଦନା]

  1. "Butea monosperma (Lam.) Taub.". Germplasm Resources Information Network. United States Department of Agriculture. 2006-05-18. http://www.ars-grin.gov/cgi-bin/npgs/html/taxon.pl?8177. Retrieved 2009-10-24. 

ବାହାର ଆଧାର[ସମ୍ପାଦନା]

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
  • ପୂର୍ଣ୍ଣଚନ୍ଦ୍ର ଭାଷାକୋଷ - ଶ୍ରୀ ଗୋପୋଳ ପ୍ରହରାଜ