ବଣ୍ଡା ଜନଜାତି

ଉଇକିପିଡ଼ିଆ ରୁ
Jump to navigation Jump to search
ବଣ୍ଡା
Inde bondo 8593a.jpg
ସମୁଦାୟ ଜନସଂଖ୍ୟା
12,000 [୧]
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
 India
ଭାଷାସମୂହ
ରେମୋ

ବଣ୍ଡା ଜନଜାତି ଓଡ଼ିଶାରେ ରହୁଥିବା ଏକ ଆଦିମ ଜନଜାତି । ୨୦୧୧ ଜନଗଣନା ଅନୁସାରେ ବଣ୍ଡା ଜନସଂଖ୍ୟା ପ୍ରାୟ ୧୨,୦୦୦ ଥିଲା । ବଣ୍ଡା ଲୋକେ ମୁଖ୍ୟତଃ ମାଲକାନଗିରି ଜିଲ୍ଲାର ଘାଟି ଅଞ୍ଚଳରେ ବସବାସ କରିଥାନ୍ତି । ବଣ୍ଡା ଲୋକେ ସାଧାରଣତଃ ବଣ୍ଡା ଭାଷା (ରେମୋସାମ) ଭାଷାରେ କଥାବାର୍ତ୍ତା କରିଥାନ୍ତି । ଏହି ଜନଜାତିର ସଂସ୍କୃତି ଅବକ୍ଷୟକୁ ଆଖି ଆଗରେ ରଖି ଓଡ଼ିଶା ସରକାର ୧୯୭୭ ମସିହାରେ ବଣ୍ଡା ଉନ୍ନୟନ ପ୍ରକଳ୍ପର (BDA) ଆରମ୍ଭ କରିଥିଲେ ।[୨] ଏହା ସତ୍ତ୍ୱେ ବଣ୍ଡା ସମାଜରେ ସାକ୍ଷରତା ହାର ସର୍ବନିମ୍ନ (୧୪%) ରହିଆସୁଛି ।[୩] ବଣ୍ଡାମାନଙ୍କର ଆୟୁ କମ ଏବଂ ସେମାନଙ୍କ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ଉତ୍ପତି ଓ ବିଭାଜନ[ସମ୍ପାଦନା]

ବଣ୍ଡା ଜନଜାତି ପ୍ରାୟ ୬୦,୦୦୦ ବର୍ଷ ପୂର୍ବେ ଆଫ୍ରିକାରୁ ପ୍ରଥମ ପର୍ଯ୍ୟାୟରେ ବିସ୍ଥାପିତ ମନୁଷ୍ୟ ଜାତି ମଧ୍ୟରୁ ଅନ୍ୟତମ । ନୃତତ୍ତ୍ୱବିତଙ୍କ ମତରେ ସେମାନେ ଅଷ୍ଟ୍ରୋଏସିଆଟିକ ଜନଜାତିର ଏକ ଗୋଷ୍ଠୀର ସଦସ୍ୟ । ସେମାନେ ପ୍ରାଚୀନ ଅତୀତରେ ଜୟପୁର ପାହାଡ଼଼ରେ ପ୍ରାୟ ୧୩୦ ବର୍ଗ କିଲୋମିଟର ଅଞ୍ଚଳକୁ (ବର୍ତ୍ତମାନ ଓଡ଼ିଶାର ମାଲକାନଗିରି ଜିଲ୍ଲା) ନିଜର ସ୍ଥାୟୀ ବାସସ୍ଥଳୀ କରିଥିଲେ ।[୪] ବଣ୍ଡାମାନେ ରହୁଥିବା ପାହାଡ଼ଗୁଡ଼ିକୁ ବଣ୍ଡା ପାହାଡ଼଼ କୁହାଯାଏ । ବଣ୍ଡା ଜନଜାତି ଦୁଇ ଭାଗରେ ବିଭକ୍ତ, ଯଥା ଉପର ବଣ୍ଡା ଏବଂ ତଳୁଆ ବଣ୍ଡା । ଉପର ବଣ୍ଡାମାନଙ୍କର ବାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନାହିଁ । ସେମାନେ ଖଇରିପୁଟ ବ୍ଲକରେ ଥିବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ମଧ୍ୟ ଆସିବାକୁ ପସନ୍ଦ କରନ୍ତି ନାହିଁ ।[୫]

ବଣ୍ଡା ଭାଷା (ରେମୋ ବା ରେମୋସାମ)[ସମ୍ପାଦନା]

ବଣ୍ଡା ଜନଜାତିର ଭାଷାକୁ ରେମୋ କୁହାଯାଏ । ଏହା ଏକ ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷା ଶାଖା ଅନ୍ତର୍ଗତ । ବଣ୍ଡା ଭାଷା ପାଇଁ କୌଣସି ବିଧିବଦ୍ଧ ଲିପି ନଥିବା ବେଳେ ଓଡ଼ିଶାରେ ରହୁଥିବା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ବ୍ୟବହାର କରିଥାନ୍ତି । ଏହର ନିକଟସ୍ଥ ଭାଷା ଗୁତବ ବା ଗଦବା ।[୬]

ବଣ୍ଡା ସଂସ୍କୃତି[ସମ୍ପାଦନା]

ଉପର ବଣ୍ଡାମାନେ ନିଜ ଗାଁକୁ ଗାଁରେମ୍ କହନ୍ତି । ବଣ୍ଡା ଗାଁଗୁଡ଼ିକ ପାହାଡ଼ ଉପରେ କିମ୍ବା ପାହାଡ଼ ଢଳାଣିରେ ଦେଖାଯାଏ । ବଣ୍ଡା ଘରଗୁଡ଼ିକ କୌଣସି ନିର୍ଦ୍ଧିଷ୍ଟ କ୍ରମ ବା ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ । ବଣ୍ଡା ଗାଁଗୁଡ଼ିକ ଗୋଟିଏ ଗୋତ୍ର ବୋଲି ଧରାଯାଏ । ତେଣୁ ବଣ୍ଡା ଲୋକମାନେ ନିଜ ଗାଁ ଭିତରେ ବିବାହ କରନ୍ତି ନାହିଁ । [୫]

ବଣ୍ଡା ସମାଜରେ ବିବାହକୁ ଡିଓସିଙ୍ଗ୍ କୁହାଯାଏ । ଦୁଇପ୍ରକାରର ବିବାହ ବଣ୍ଡା ସମାଜରେ ପ୍ରଚଳିତ । ପ୍ରଥମଟି ହେଲା ସଲାକ୍ ବୋଇ ଡିଓସିଙ୍ଗ୍ ଅର୍ଥାତ୍ ବୁଝାମଣା ବିବାହ ଓ ଗୁବାଇ ଡିଓସିଙ୍ଗ୍ ଅର୍ଥାତ୍ ଧରା ବାହାଘର । ବଣ୍ଡା ପୁଅମାନେ ୧୦ରୁ ୧୨ ବର୍ଷ ବୟସ ମଧ୍ୟରେ ବିବାହ କରନ୍ତି । ସାଧାରଣତଃ କନ୍ୟା ବରଠାରୁ ବୟସରେ ବଡ଼ ହୋଇଥାଏ । ବରପକ୍ଷକୁ ବିବାହ ପୁର୍ବରୁ ଗିନିଙ୍ଗ୍ ଅର୍ଥାତ୍ କନ୍ୟାସୁନା କନ୍ୟାର ପରିବାରକୁ ଦେବାକୁ ପଡ଼େ ।[୭]

ଗୋତି ଶ୍ରମିକକୁ ବଣ୍ଡା ଲୋକମାନେ 'ଗୁଫାମ' କହନ୍ତି । ପୁରୁଷ ବନ୍ଧିତ ଶ୍ରମିକଙ୍କୁ ଗୁଫାମ-ରେମ ଓ ମହିଳା ଶ୍ରମିକଙ୍କୁ ଗୁଫାମ-ବୟ କୁହାଯାଏ ।

ଖାଦ୍ୟ ଓ ପାନୀୟ[ସମ୍ପାଦନା]

ବଣ୍ଡା ସମାଜରେ ଖାଦ୍ୟ ପାନୀୟ ଅନ୍ୟ ସମାଜପରି ପରିବେଶ ଓ ଋତୁ ଉପରେ ନିର୍ଭରଶୀଳ । ଏହାଛଡା ବଣ୍ଡା ଜନଜାତି ଶିକାର ଓ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ଉପରେ ମଧ୍ୟ ନିର୍ଭର କରିଥାନତି । ଚାଉଳ, ମାଣ୍ଡିଆ ,କାଙ୍ଗୁ ଓ ସୁଆଁ ଆଦି ବଣ୍ଡା ସମାଜର ମୁଖ୍ୟ ଖାଦ୍ୟଶସ୍ୟ । ଏହା ଛଡା ଜଙ୍ଗଲଜାତ ଖାଦ୍ୟଦ୍ରବ୍ୟ ଯଥା ମହୁଲ, ବାଉଁଶ ଗଜା, ଛତୁ, କନ୍ଦମୁଳ, ସାରୁ ଇତ୍ୟାଦି ଖାଦ୍ୟ ଭାବେ ବ୍ୟବହୃତ କରିଥାନ୍ତି । ଅଣ୍ଡା, ମାଂସ, ମାଛ ଉପଲବ୍ଧତା ଉପରେ ନିର୍ଭର କରେ । ଅନ୍ୟ ଆନୁଷଙ୍ଗିକ ଖାଦ୍ୟ ମଧ୍ୟରେ ଜଙ୍ଗଲଜାତ ଫଳ ଯଥା ଆମ୍ବ, ପଣସ, କେନ୍ଦୁ, କଦଳୀ, ତେନ୍ତୁଳି ଓ ଜଙ୍ଗଲି କୋଳି ଇତ୍ୟାଦି ବଣ୍ଡା ଖାଦ୍ୟର ଏକ ପ୍ରଧାନ ଭାଗ । ବଣ୍ଡାମାନେ କେତେକ ଜଙ୍ଗଲୀ କୀଟ ଯଥା ନାଲି ପିମ୍ପୁଡ଼ି ମଧ୍ୟ ଖାଦ୍ୟ ଭାବରେ ବ୍ୟବହାର କରନ୍ତି । ବଣ୍ଡା ସମାଜରେ ପାନୀୟ ବିଶେଷ କରି ମାଦକ ପାନୀୟର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୁର୍ଣ । ବଣ୍ଡାମାନେ ସାପୁଙ୍ଗ (ସଲପ ମଦ), ପେଣ୍ଡମ (ହାଣ୍ଡିଆ), ସାଗୁର୍ ଓ ପଣସ ମଦ ସର୍ବସାଧାରଣରେ ବ୍ୟବହୃତ । ଭାତ, ମଦ, ଓ ମାଂସ ବଣ୍ଡା ସମାଜରେ ସମ୍ମାନଜନକ ଖାଦ୍ୟ ଭାବେ ଧରାଯାଏ ।[୮]

ପର୍ବପର୍ବାଣୀ[ସମ୍ପାଦନା]

ବଣ୍ଡାମାନେ ଶ୍ରାବଣ ମାସରେ ଚାଙ୍କୁ ପରବ, ଆଶ୍ୱିନ ମାସରେ ମୁଣ୍ଡଧୌନି ପରବ, ପୌଷ ମାସରେ ପୁଷ ପରବ, ମାଘ ମାସରେ ପାଟ ଖଣ୍ଡା ଯାତ୍ରା ଓ ଚୈତ୍ର ମାସରେ ଆମ୍ବ ବା ଉଲି ପରବ ପାଳନ କରିଥାନ୍ତି ।[୯]

ସାମ୍ପ୍ରତିକ ଘଟଣାବଳୀ[ସମ୍ପାଦନା]

ଡମ୍ବରୁ ସିଶା ଓଡ଼ିଶା ବିଧାନ ସଭାର ପ୍ରଥମ ବଣ୍ଡା ବିଧାୟକ ।[୧୦][୧୧]

ଆଧାର[ସମ୍ପାଦନା]

  1. 2011 census
  2. BONDA DEVELOPMENT AGENCY, MUDULIPADA
  3. Bonda Population on the Decline
  4. "The first wave of African migrants leaving Malkangiri, Odisha—their ancestral region—in search of li". Down To Earth. 2018-02-19. Retrieved 2020-07-22. The Bonda tribe of Odisha are believed to be part of the first wave of migration out of Africa about 60,000 years ago. They were the first forest settlers in India. Anthropologists say that they are members of a group of Austroasiatic tribes, who at some time in the ancient past migrated and settled in an area of about 130 sq km in the wild Jeypore hills.
  5. ୫.୦ ୫.୧ L. K. Mahapatra, R.P.M. (2009). The Challenges of Self-Managed Development. Mittal Publications. p. 9. ISBN 978-81-8324-244-8. Retrieved 2020-07-21.
  6. Ethnologue report on the Bonda language
  7. ମହାନ୍ତି, ରମେଶ ପ୍ରସାଦ. "ପୁରାତନ ଜନଜାତି ପାହାଡି ବଣ୍ଡାଙ୍କ ଉତ୍ପତି ଓ ବାହାଘର ପରମ୍ପରା" (PDF). ଉତ୍କଳ ପ୍ରସଙ୍ଗ (feb-mar-2007): ୩୭-୪୧.
  8. Sisa, D. (2020). THE BONDA TRIBE'S SOCIO-CULTURAL SYSTEM AND CHANGE. Evincepub publishing. p. 29-31. ISBN 978-93-89988-72-7. Retrieved 2020-07-22.
  9. ଶତପଥୀ, ରବି. "ବଣ୍ଡାଙ୍କ ପରବ". ଧରିତ୍ରୀ. Retrieved 24 November 2016.
  10. Ranjan Sahu, Priya. "Bondas, a Primitive Tribe in Odisha Hills, Get Their First MLA." Points of View Reference Center. Hindustan Times, 24 May 2014. Web. 22 Oct. 2014.
  11. "ଜନପ୍ରତିନିଧି - ମାଲକାନଗିରି ଜିଲ୍ଲା, ଓଡ଼ିଶା ସରକାର". India. 2018-03-15. Retrieved 2020-07-21.