ଜୁଆଙ୍ଗ ଜନଜାତି

ଉଇକିପିଡ଼ିଆ ରୁ
Jump to navigation Jump to search

ଓଡ଼ିଶାରେ ଦେଖାଯାଉଥିବା ୧୩ ପ୍ରକାର ଆଦିମ ଜନଜାତି ମଧ୍ୟରୁ ଜୁଆଙ୍ଗ ଅନ୍ୟତମ । ଜୁଆଙ୍ଗମାନଙ୍କର ଉତ୍ପତ୍ତି ଗୋନାସିକା ପର୍ବତ ପାଦଦେଶରେ ହୋଇଥିଲା । ସେମାନଙ୍କ ଭାଷାରେ ଜୁଅଙ୍ଗର ଅର୍ଥ ହେଉଛି ମଣିଷ । ସେମାନେ ନିଜକୁ ପତ୍ର-ଶବର ମଧ୍ୟ କହିଥାନ୍ତି । ସେମାନେ ପତ୍ର ପରିଧାନ କରୁଥିଲେ ମଧ୍ୟ ଏବେ ସେମାନେ ସଭ୍ୟତାର ଆଲୋକରେ ସାଧାରଣ ଜୀବନଶୈଳୀ ବିତାଉଛନ୍ତି । ଜୁଆଙ୍ଗ ଜନଜାତି ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ, ସମ୍ବଲପୁର ଝାରସୁଗୁଡା, ବାଲେଶ୍ୱର, କଟକ, ଫୁଲବାଣୀ, କୋରାପୁଟ ଆଦି ଜିଲ୍ଲାମାନଙ୍କରେ ବସବାସ କରନ୍ତି । କେନ୍ଦୁଝର ଜିଲ୍ଲାର ଗୋନାସିକା ଅଞ୍ଛଳଟି ଜୁଆଙ୍ଗମାନଙ୍କ ଆଦିମ ସ୍ଥାନ ହୋଇଥିବାରୁ ଏହି ଜିଲ୍ଲାରେ ଅଧିକାଂଶ ଜୁଆଙ୍ଗ ପରିବାର ବସବାସ କରିଥାନ୍ତି । ଜନଗଣନା ୨୦୧୧ ଅନୁଯାୟୀ ଓଡ଼ିଶାରେ ମୋଟ ଜୁଆଙ୍ଗ ଜନସଂଖ୍ୟା ୪୭,୦୯୫ ଜଣ ସେଥିମଧ୍ୟରୁ ୨୩,୦୯୩ ଜଣ ପୁରୁଷ ଓ ୨୪,୦୦୨ ଜଣ ମହିଳା ଅଟନ୍ତି । ଜୁଆଙ୍ଗ ମାନେ ଦେବଦେବୀ ଭୂତପ୍ରେତାଦିଙ୍କୁ ବିଶ୍ୱାସ କରନ୍ତି । ଜୁଆଙ୍ଗମାନଙ୍କ ପ୍ରଧାନ ଦେବତା ହେଉଛନ୍ତି "ଧରମ ଦେବତା" ବା "ସୂର୍ଯ୍ୟ" । ବିଶ୍ୱର ଅଧିଷ୍ଠାତ୍ରୀ ଦେବୀ ବସୁମାତାଙ୍କୁ ମଧ୍ୟ ଉପାସନା କରନ୍ତି । ସୂର୍ଯ୍ୟ ଓ ବସୁମାତାଙ୍କ ବ୍ୟତିତ ସେମାନେ ଗ୍ରାମ୍ ଦେବ ଓ ଗ୍ରାମ ଦେବୀଙ୍କୁ ପୂଜା କରନ୍ତି। ଗ୍ରାମଦେବୀମାନଙ୍କ ମଧ୍ୟରେ ମୂଖ୍ୟ ହେଉଛନ୍ତି "ଗ୍ରାମଶିରି"। ତାଙ୍କ ପ୍ରତିକ କାଠସ୍ତମ୍ଭ ବା ଶିଳାଖଣ୍ଡ । ଗ୍ରାମର କେନ୍ଦ୍ରସ୍ଥଳରେ ଗ୍ରାମଶିରି ପୂଜା ପାଆନ୍ତି । ଜୁଆଙ୍ଗମାନଙ୍କର ଅନ୍ୟତମ ଗ୍ରାମଦେବ ହେଲେ "ଥାନପତି" ସେ ଗ୍ରାମ ନିକଟରେ ଥିବା ପର୍ବତରେ ରହିଥାନ୍ତି । ତାଙ୍କୁ ଗ୍ରାମଶିରିଙ୍କ ସ୍ୱାମି ଭାବରେ ଗ୍ରହଣ କରାଯାଏ । "ଭୀମା-ବଡମା" ଓ "କାଞ୍ଚୁରୀ" ହେଉଛନ୍ତି ଜୁଆଙ୍ଗମାନଙ୍କ ଅନ୍ୟଦୁଇ ଦେବୀ । ଆମ୍ବ ନୁଆ ପର୍ବରେ ଯୁବକମାନେ ଏହି ଦୁଇ ଦେବୀଙ୍କୁ ପୂଜା କରିଥାନ୍ତି । ମାଳୟଗିରି ଗନ୍ଧମାର୍ଦ୍ଧନ ନିୟମଗିରି ଓ ଗୁପ୍ତଗଙ୍ଗାକୁ ଜୁଆଙ୍ଗମାନେ ଦେବପୀଠ ଭାବରେ ବିଶ୍ୱାସ କରନ୍ତି । ଜୁଆଙ୍ଗମାନଙ୍କ ଆଦିପିତା ଓ ଆଦିମାତା ହେଉଛନ୍ତି "ଋଷି" ଓ "ଋଷିଆଣୀ" ଓ ଏମାନେ ସର୍ବପ୍ରଥମେ ଏହି ଚଳନ୍ତି ଧରିତ୍ରୀରେ ଆବିର୍ଭାବ ହୋଥିବାର ସେମାଙ୍କ ବିଶ୍ୱାସ ଅଟେ । ଭୂତପ୍ରେତ ଓ ଆଲୌକିକ ଶକ୍ତିକୁ ଜୁଆଙ୍ଗମାନେ ଅତିମାତ୍ରାରେ ବିଶ୍ୱାସ କରନ୍ତି ।

ସମଗ୍ର କେଉଁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଟେ । ଏହି ଜିଲ୍ଲାରେ ଜୁଆଙ୍ଗ, ବାଥୁଡି, ଭୂୟାଁ, ଭୁମିଜ, ଗୋଣ୍ଡ, ହୋ, ଖରଓ୍ବାର, କିଷାନ, କୋହ୍ଲ, କୋରା, ମୁଣ୍ଡା, ଓରାଓଁ, ସାନ୍ତାଳ, ସଓରୋ, ଶବର, ସାଉଣ୍ଟି ଆଦି ୧୬ଟି ଆଦିବାସୀ ସମ୍ପ୍ରଦାୟ ବାସ କରୁଛନ୍ତି ।

ଆଧାର[ସମ୍ପାଦନା]