ଥଣ୍ଟିଆ କୁମ୍ଭୀର

ଉଇକିପିଡ଼ିଆ ରୁ
Jump to navigation Jump to search
{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/ଛାଞ୍ଚ:Taxonomy/Gavialis|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}
ଥଣ୍ଟିଆ କୁମ୍ଭୀର
ଜୀବାଶ୍ମ କାଳ: 5–0 Ma
ପ୍ଲାୟୋସିନ୍ – ବର୍ତ୍ତମାନ[୧]
Gharial (Gavialis gangeticus) male.jpg
ଅଣ୍ଡିରା ଥଣ୍ଟିଆ କୁମ୍ଭୀର
Gharial (Gavialis gangeticus) female.jpg
ମାଈ ଥଣ୍ଟିଆ କୁମ୍ଭୀର
ଉଭୟ ଉତ୍ତର ପ୍ରଦେଶ(ଭାରତ)ର ଚମ୍ଵଲ ନଦୀର କୁମ୍ଭୀର
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Unrecognized taxon (fix): Gavialis
ଜାତି: G. gangeticus
ବାଇନୋମିଆଲ ନାମ
Gavialis gangeticus
(ୟୋହାନ୍ ଫ୍ରେଡ୍ରିକ୍ ମେଲିନ୍, ୧୭୮୯)
Gavialis gangeticus Distribution.png

ଥଣ୍ଟିଆ କୁମ୍ଭୀର ବା ଘଡ଼ିଆଳ କୁମ୍ଭୀର (ଜୀବବିଜ୍ଞାନ ନାମ Gavialis gangeticus) ଗାଭିଆଲିଡାଏ ପରିବାରର କୁମ୍ଭୀର । ଏହି କୁମ୍ଭୀରକୁ କିଛି ସ୍ଥାନରେ ଗାଭିଆଲ୍, ମାଛଖିଆ କୁମ୍ଭୀର ଓ ଏପରି ଅନେକ ନାମ ଦିଆଯାଇଛି । ଏହି କୁମ୍ଭୀର ମୁଖ୍ୟତଃ ଭାରତୀୟ ଉପମହାଦ୍ଵୀପର ଉତ୍ତରରେ ରହିଥିବା ନଦୀ ଓ ହ୍ରଦରେ ପ୍ରଥମେ ଦେଖିବାକୁ ମିଳୁଥିଲା ।[୩] ବିଶ୍ଵର ସର୍ବମୋଟ ସ୍ଵାଧୀନ ଓ ନଦୀନାଳରେ ରହୁଥିବା ଥଣ୍ଟିଆ କୁମ୍ଭୀରଙ୍କ ସଂଖ୍ୟା ବର୍ତ୍ତମାନ କେବଳ ୨୩୫ । ମାଛ ଜାଲରେ ଛନ୍ଦି ହୋଇ ପ୍ରାଣ ଯିବା, ନଦୀରେ ମାଛସଂଖ୍ୟା କମିବା ଓ ଅଧିବାସ କ୍ଷତିଗ୍ରସ୍ତ ହେବା ଏହି କୁମ୍ଭୀରମାନଙ୍କ ସଂଖ୍ୟାହ୍ରାସର ପ୍ରମୁଖ କାରଣ । ଗତ ୭୦ ବର୍ଷରେ ଥଣ୍ଟିଆ କୁମ୍ଭୀରଙ୍କ ସଂଖ୍ୟା ଅତିମାତ୍ରାରେ ହ୍ରାସ ପାଇଥିବାରୁ IUCN ତାଲିକାରେ ଏହାକୁ Critically Endangered ଜୀବ ଭାବେ ବିବେଚନା କରାଯାଏ ।[୨]

ଅନ୍ୟ କୁମ୍ଭୀରମାନଙ୍କ ତୁଳନାରେ ଥଣ୍ଟିଆ କୁମ୍ଭୀରର ଶରୀରର ଦୈର୍ଘ୍ୟ ଅଧିକ । ଏମାନଙ୍କ ସର୍ବାଧିକ ଲମ୍ଵ ପ୍ରାୟ ୬.୨୫ ମିଟର୍ (୨୦.୫ ଫୁଟ୍) ହୋଇପାରେ । ତେବେ ବୟସ୍କ ଥଣ୍ଟିଆ କୁମ୍ଭୀରର ହାରାହାରି ଦୈର୍ଘ୍ୟ ୩.୫-୪.୫ ମିଟର୍ (୧୧-୧୫ ଫୁଟ୍) ହୋଇଥାଏ ।[୪] ୧୧୦ଟି ଗୋଜିଆ ଓ ପରସ୍ପରକୁ ଲାଗି ରହିଥିବା ଦାନ୍ତ ତଥା ଲମ୍ଵା ଥଣ୍ଟ ପରି ମୁଖାଗ୍ର ଯୋଗୁଁ ଏମାନଙ୍କୁ ମାଛ ଧରିବାରେ ସୁବିଧା ହୁଏ । ମାଛ ଏମାନଙ୍କ ପ୍ରମୁଖ ଖାଦ୍ୟ ।[୫] ଅଣ୍ଡିରା ଥଣ୍ଟିଆ କୁମ୍ଭୀରର ଥଣ୍ଟ ଆଗରେ ଏକ ପିଣ୍ଡୁଳା ରହିଥାଏ ଯାହା ଏକ ଛୋଟ ମାଟିପାତ୍ର ବା ହାଣ୍ଡି ପରି ଦେଖାଯାଏ । ହିନ୍ଦୀ ଭାଷାରେ ହାଣ୍ଡି ମାଠିଆ ଇତ୍ୟାଦିକୁ घड़ा / ଘଡ଼ା ବୋଲି କୁହନ୍ତି । ଏହି ଶବ୍ଦରୁ ଥଣ୍ଟିଆ କୁମ୍ଭୀରର ହିନ୍ଦୀ ନାମ घड़ियाल (ଘଡ଼ିଆଳ) ଉଦ୍ଧୃତ ହୋଇଛି ।[୩]

ଏକଦା ଥଣ୍ଟିଆ କୁମ୍ଭୀର ପୂର୍ବ ପଟେ ବ୍ରହ୍ମଦେଶର ଈରାବତୀ ନଦୀଠାରୁ ଆରମ୍ଭ କରି ପଶ୍ଚିମରେ ପାକିସ୍ତାନର ସିନ୍ଧୁ ନଦୀ ପର୍ଯ୍ୟନ୍ତ ସମଗ୍ର ଭାରତୀୟ ଉପମହାଦେଶରେ ଦେଖାଯାଉଥିଲେ । ପୂର୍ବେ ବସବାସ କରୁଥିବା ଅଞ୍ଚଳର ମାତ୍ର ୨% ଅଂଶରେ ବର୍ତ୍ତମାନ ଏମାନେ ସୀମିତ । ବାଲି ପଠା ରହିଥିବା ନଦୀରେ ଖରା ପୋଇଁବାରେ ସୁବିଧା ହେଉଥିବାରୁ ଥଣ୍ଟିଆ କୁମ୍ଭୀର ନଦୀର ବାଲି କୂଳିଆ ସ୍ଥାନରେ ବସବାସ କରନ୍ତି । ଶୀତଋତୁରେ ଏମାନଙ୍କ ପାଇଁ ମିଳନ ସମୟ ଓ ମୌସୁମୀ ଆରମ୍ଭ ହେବା ପୂର୍ବରୁ ଶାବକମାନେ ଜନ୍ମ ଗ୍ରହଣ କରନ୍ତି ।[୫]

ବଉଳା କୁମ୍ଭୀର, ଗୋମୁହାଁ କୁମ୍ଭୀର ଓ ଥଣ୍ଟିଆ କୁମ୍ଭୀର ଭାରତରେ ଦେଖାଯାଉଥିବା ତିନି ପ୍ରକାରର କୁମ୍ଭୀର ପ୍ରଜାତି ।[୬]

ବିଭିନ୍ନ ଭାଷାରେ ଥଣ୍ଟିଆ କୁମ୍ଭୀରର ଗାଭିଆଲ୍ ଡେଲ୍ ଗ୍ୟାଞ୍ଜେସ୍, ଲମ୍ଵା ନାକ କୁମ୍ଭୀର, ବାହଶୁଳିଆ, ଚିମ୍ପ୍‍ଟା, ଲାମ୍‍ଥୋରା, ମାଛ କୁମ୍ଭୀର, ନାକା, ନକର ଇତ୍ୟାଦି ବିଭିନ୍ନ ନାମ ରହିଛି ।

ଆକୃତି ଓ ପ୍ରକୃତି[ସମ୍ପାଦନା]

ଅଣ୍ଡିରା ଥଣ୍ଟିଆ କୁମ୍ଭୀରର ଥଣ୍ଟ ସମ୍ମୁଖର ପିଣ୍ଡୁଳା
ଥଣ୍ଟିଆ କୁମ୍ଭୀରର କଙ୍କାଳ

ଥଣ୍ଟିଆ କୁମ୍ଭୀରର ମାଢ଼ି ବା ଥଣ୍ଟ ପତଳା ଓ ଲମ୍ଵା ଓ ମାଛ ଧରି ଖାଇବା ପାଇଁ ବେଶ୍ ସହାୟକ । ଅଣ୍ଡିରା କୁମ୍ଭୀରମାନେ ୬.୨୫ ମିଟର୍ ଲମ୍ଵା[୪] ଓ ୧୬୦ କିଲୋଗ୍ରାମ୍ ଓଜନ ପର୍ଯ୍ୟନ୍ତ ବଢ଼ିପାରନ୍ତି ।[୩]

ଏହି କୁମ୍ଭୀରମାନଙ୍କ ଚମଡ଼ା ଗାଢ଼ ଅଲିଭ୍ ବା ଫିକା ଅଲିଭ୍ ରଙ୍ଗର । ୨୦ ବର୍ଷ ବୟସ୍କ ଥଣ୍ଟିଆ କୁମ୍ଭୀରର ପିଠି ପଟ ଚମଡ଼ାର ରଙ୍ଗ ପାଉଁଶିଆ, କଳା ହୋଇଯାଏ । ତେବେ ପେଟ ପଟର ଚମଡ଼ା ହଳଦିମିଶା ଧଳା ରଙ୍ଗର ହୋଇଥାଏ ।[୭] ଏମାନଙ୍କ ବେକ ସାମାନ୍ୟ ମୋଟା ଓ ଲମ୍ଵା । ଥଣ୍ଟିଆ କୁମ୍ଭୀରର ଗୋଡ଼ର ଆଙ୍ଗୁଠି ବହୁତ୍ ଛୋଟ ଓ ଆଙ୍ଗୁଠି ବା ନଖଗୁଡ଼ିକ ଏକ ପରଦା ସଦୃଶ ପତଳା ମାଂସଦ୍ଵାରା ସଂଯୋଜିତ । ଯୌନ ପରିପକ୍ଵତା ହାସଲ କରିବା ପରେ ଅଣ୍ଡିରା ଥଣ୍ଟିଆ କୁମ୍ଭୀରମାନଙ୍କ ଥଣ୍ଟ ଅଗରେ ଏକ ଗୋଲ ପିଣ୍ଡୁଳା ବିକଶିତ ହୁଏ ।[୮] ଏହି ପିଣ୍ଡୁଳା ହାଣ୍ଡି (ହିନ୍ଦୀରେ ଘଡ଼ା) ପରି ହୋଇଥିବାରୁ ଥଣ୍ଟିଆ କୁମ୍ଭୀରକୁ ଘଡ଼ିଆଳ ବୋଲି ମଧ୍ୟ କୁହାଯାଏ ।[୩] ଥଣ୍ଟ ଅଗର ପିଣ୍ଡୁଳାର ପ୍ରକୃତ ଉପଯୋଗୀତା କଣ ଜଣାନାହିଁ, ତେବେ ଏହା ଲିଙ୍ଗ ନିରୂପିତ କରିବା, ଧ୍ଵନି ସୃଷ୍ଟି କରିବା କିମ୍ଵା ମାଈମାନଙ୍କୁ ଆକୃଷ୍ଟ କିବା ପାଇଁ ବ୍ୟବହୃତ ହୁଏ ବୋଲି ଅନୁମାନ କରାଯାଉଛି ।[୯]

ପରିପକ୍ଵ ଥଣ୍ଟିଆ କୁମ୍ଭୀରର ହାରାହାରି ଆକାର ପ୍ରାୟ ୩.୫ରୁ ୪.୫ ମିଟର୍ (୧୧-୧୫ ଫୁଟ୍) । ବର୍ତ୍ତମାନ ସୁଦ୍ଧା ପରିଲକ୍ଷିତ ସର୍ବବୃହତ୍ ଥଣ୍ଟିଆ କୁମ୍ଭୀରର ଲମ୍ଵ ୬.୨୫ ମିଟର୍ (୨୦.୫ ଫୁଟ୍) ଓ ପରିଲକ୍ଷିତ ସର୍ବାଧିକ ଓଜନ ୯୭୭ କି.ଗ୍ରା. (୨୧୫୪ ପାଉଣ୍ଡ୍) । ନବଜାତ ଶାବକଗୁଡ଼ିକ ୩୭ ସେଣ୍ଟିମିଟର୍ ପର୍ଯ୍ୟନ୍ତ ଲମ୍ଵା ହୁଅନ୍ତି ।[୪] ଯୁବାବସ୍ଥାରେ ଉପନୀତ ଥଣ୍ଟିଆ କୁମ୍ଭୀର ୧୮ ମାସରେ ୧ ମିଟର୍ ଲମ୍ଵା ହୋଇଯାନ୍ତି ।[୧୦] ଥଣ୍ଟିଆ କୁମ୍ଭୀରମାନଙ୍କ ହାରାହାରି ଓଜନ ପ୍ରାୟ ୧୫୯-୨୫୦ କି.ଗ୍ରା. । ଅଣ୍ଡିରା କୁମ୍ଭୀରମାନେ ୩-୫ ମିଟର୍ ଲମ୍ଵା ହେଉଥିବା ବେଳେ ମାଈ କୁମ୍ଭୀରମାନେ ୨.୭-୩.୭୫ ମିଟର୍ ପର୍ଯ୍ୟନ୍ତ ବଢ଼ିଥାନ୍ତି ।[୧୧]

ଲମ୍ଵା ଥଣ୍ଟର ଦୁଇମାଢ଼ିରେ ୧୧୦ଟି ଗୋଜିଆ ଦାନ୍ତ ରହିଥାଏ । ବୟସ ବଢ଼ିବା ସହିତ ଦାନ୍ତଗୁଡ଼ିକ କ୍ରମଶଃ ଛୋଟ ଓ ମୋଟା ହୋଇଯାଏ ।[୫] ଉପରମାଢ଼ିର ଉଭୟ ପାର୍ଶ୍ଵରେ ୨୭-୨୯ଟି ଓ ତଳ ମାଢ଼ିର ଉଭୟ ପାର୍ଶ୍ଵରେ ୨୫-୨୬ଟି ଦାନ୍ତ ରହିଥାଏ । ସାମନା ପଟର ଦାନ୍ତଗୁଡ଼ିକ ସାଧାରଣତଃ ବଡ଼ ହୋଇଥାନ୍ତି ।

ଥଣ୍ଟିଆ କୁମ୍ଭୀରର ସୁବିକଶିତ ଲାଞ୍ଜ ଓ ଆଙ୍ଗୁଠିମାନଙ୍କୁ ଯୋଡ଼ୁଥିବା ପତଳା ପରଦା ପରି ମାଂସ ଏମାନଙ୍କୁ ପାଣିରେ ପହଁରିବାରେ ଓ ଅଚିରେ ଦିଗ ବଦଳାଇବାରେ ସାହାଯ୍ୟ କରେ । ଭୂମି ଉପରେ ଥଣ୍ଟିଆ କୁମ୍ଭୀର ପେଟରେ ଭରା ଦେଇ ଘୁସୁରି ହୋଇ ଚାଲେ । ଲାଞ୍ଜ ଆଗକୁ ଯିବାରେ ବଳ ଯୋଗାଏ ।[୫]

ଆଜି ପର୍ଯ୍ୟନ୍ତ ଦେଖାଯାଇଥିବା ସବୁଠାରୁ ଲମ୍ଵା କିଛି ଥଣ୍ଟିଆ କୁମ୍ଭୀରଙ୍କ ମଧ୍ୟରୁ ଗୋଟିଏ ହେଲା - ୧୯୨୦ ମସିହା ଅଗଷ୍ଟ ମାସରେ ଫୈଜାବାଦ୍ ନିକଟସ୍ଥ ଘର୍ଘର ନଦୀରୁ ଶିକାର କରାଯାଇଥିବା ୬.୫ ମିଟର୍ ଦୈର୍ଘ୍ୟବିଶିଷ୍ଟ ଏକ କୁମ୍ଭୀର । ୧୯୩୪ ମସିହାରେ ଜଳପାଇଗୁଡ଼ି ନିକଟସ୍ଥ ଚେକୋ ନଦୀରୁ ମଧ୍ୟ ୬.୩ ମିଟର୍ ଲମ୍ଵା ଏକ ଥଣ୍ଟିଆ କୁମ୍ଭୀରର ଶିକାର କରାଯାଇଥିଲା । ୧୯୨୪ ମସିହା ଜାନୁଆରୀ ମାସରେ ଉତ୍ତର ବିହାରର କୋଶୀ ନଦୀରୁ ୭ ମିଟର୍ ଲମ୍ଵା ଏକ ବିରାଟ ଥଣ୍ଟିଆ କୁମ୍ଭୀରର ଶିକାର କରାଯାଇଥିଲା । ଯଦିଓ କିଛି ବର୍ଷ ପୂର୍ବେ ୬ ମିଟର୍‍ରୁ ଅଧିକ ଲମ୍ଵା ଥଣ୍ଟିଆ କୁମ୍ଭୀର ଅନେକ ସଂଖ୍ୟାରେ ବିଚରଣ କରୁଥିଲେ, ତେବେ ବର୍ତ୍ତମାନ ଏପରି ଲମ୍ଵା ଥଣ୍ଟିଆ କୁମ୍ଭୀର ଆଉ ଦେଖିବାକୁ ମିଳୁନାହାନ୍ତି ।[୧୨]

ଭୌଗୋଳିକ ବିତରଣ ଓ ଅଧିବାସ[ସମ୍ପାଦନା]

ଏକଦା ଥଣ୍ଟିଆ କୁମ୍ଭୀର ଭାରତୀୟ ଉପମହାଦ୍ଵୀପର ସମସ୍ତ ନଦୀରେ ଦେଖାଯାଉଥିଲେ । ପାକିସ୍ତାନର ସିନ୍ଧୁ ନଦୀ, ଭାରତର ଗଙ୍ଗା ନଦୀ ଉପତ୍ୟକା, ବ୍ରହ୍ମଦେଶର ଈରାବତୀ ନଦୀ ପରି ସମସ୍ତ ବଡ଼ ନଦୀରେ ଥଣ୍ଟିଆ କୁମ୍ଭୀର ବହୁ ସଂଖ୍ୟାରେ ରହିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏହା ସିନ୍ଧୁ ନଦୀ, ବ୍ରହ୍ମପୁତ୍ର ନଦୀ (ଭୁଟାନ ଓ ବଙ୍ଗଳାଦେଶରେ ପ୍ରବାହିତ ଅଂଶ) ଓ ଈରାବତୀ ନଦୀରୁ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ । ପୂର୍ବ ସମୟରେ ଏମାନଙ୍କ ଭୌଗୋଳିକ ବ୍ୟାପ୍ତିର ମାତ୍ର ୨% ଅଂଶରେ ବର୍ତ୍ତମାନ ଏହି ପ୍ରଜାତିର କୁମ୍ଭୀର ଦୃଶ୍ୟମାନ ହେଉଛନ୍ତି ।[୫]

  • ନେପାଳର ଚିତ୍ତବନ ଜାତୀୟ ଉଦ୍ୟାନ ଦେଇ ପ୍ରବାହିତ ନାରାୟଣୀ-ରାପ୍ତି ନଦୀ ଓ ବର୍ଡିଆ ଜାତୀୟ ଉଦ୍ୟାନ ଦେଇ ପ୍ରବାହିତ କର୍ଣ୍ଣାଳୀ-ବର୍ବଇ ନଦୀ ଅଞ୍ଚଳରେ ଅଳ୍ପ କିଛି ଥଣ୍ଟିଆ କୁମ୍ଭୀର ବସବାସ କରନ୍ତି ।[୪][୧୩][୧୪]
  • ଭାରତରେ ଚମ୍ଵଲ୍ ଜାତୀୟ ଅଭୟାରଣ୍ୟ, କତର୍ଣ୍ଣିଆଘାଟ ବନ୍ୟଜୀବ ଅଭୟାରଣ୍ୟ ତଥା ସୋନ୍ ନଦୀ ଅଭୟାରଣ୍ୟରେ କିଛି ମାତ୍ରାରେ ଥଣ୍ଟିଆ କୁମ୍ଭୀର ବସବାସ କରନ୍ତି । ଓଡ଼ିଶାରେ ମହାନଦୀସ୍ଥିତ ସାତକୋଶିଆ ଗଣ୍ଡ ଅଭୟାରଣ୍ୟରେ ମଧ୍ୟ କିଛି ଥଣ୍ଟିଆ କୁମ୍ଭୀର ବସବାସ କରନ୍ତି ।[୧୫] ୨୦୦୮ ମସିହାରେ କର୍ବେଟ୍ ବ୍ୟାଘ୍ର ଅଭୟାରଣ୍ୟରେ ୧୦୦ଟି ଥଣ୍ଟିଆ କୁମ୍ଭୀର ପରିଲକ୍ଷିତ ହୋଇଥିଲେ ।[୧୬] ୨୦୧୦ ମସିହାରେ ଗଣ୍ଡକୀ ନଦୀ ଉପରେ ନିର୍ମିତ ତ୍ରିବେଣୀ ବ୍ୟାରେଜ୍‍ର ତଳ ପଟକୁ କିଛି ଥଣ୍ଟିଆ କୁମ୍ଭୀର ରହିଥିବା ଜଣା ପଡ଼ିଥିଲା (ଏହି କୁମ୍ଭୀର ବସବାସ କରୁଥିବା ଅଞ୍ଚଳ ସୋହାଗି ବର୍ୱା ଅଭୟାରଣ୍ୟ ଓ ବାଲ୍ମିକୀ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ଅବସ୍ଥିତ) ।[୧୭]

ଥଣ୍ଟିଆ କୁମ୍ଭୀରମାନେ ଗୋମୁହାଁ କୁମ୍ଭୀର ରହୁଥିବା ଅଞ୍ଚଳରେ ମଧ୍ୟ ଦେଖାଯାନ୍ତି ଓ ପୂର୍ବେ ଈରାବତୀ ନଦୀର ତ୍ରିକୋଣଭୂମିରେ ଏମାନେ ବଉଳା କୁମ୍ଭୀରମାନଙ୍କ ସହିତ ମଧ୍ୟ ସମ ଅଧିବାସରେ ରହୁଥିଲେ ।[୧୮] ୧୯୭୭ ମସିହାରେ ଗିର୍‍ୱା ନଦୀର କଟର୍ଣ୍ଣିଆଘାଟ ଅଭୟାରଣ୍ୟରେ ଚାରିଟି ଥଣ୍ଟିଆ କୁମ୍ଭୀର ବସା ଠାବ କରାଯାଇଥିଲା । ୨୦୦୬ ମସିହା ସୁଦ୍ଧା ଏଠାରେ ୯୦୯ଟି ଥଣ୍ଟିଆ କୁମ୍ଭୀର ଛଡ଼ା ଗଲାଣି । ୨୦୦୬ ମସିହାରେ ୨୦ଟି ବସା ଠାବ ହୋଇଥିଲା ୩୦ ବର୍ଷ ମଧ୍ୟରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଁ କରାଯାଇଥିବା ପ୍ରଚେଷ୍ଟା ଓ ଅର୍ଥବ୍ୟକୁ ଦେଖିଲେ ଏହି ବୃଦ୍ଧି ଅତ୍ୟନ୍ତ ନୈରାଶ୍ୟଜନକ । ସେଠାରେ ଗବେଷଣାରତ ବୈଜ୍ଞାନିକଙ୍କ ମତରେ ଅଭୟାରଣ୍ୟରେ ଆଉ କୁମ୍ଭୀର ରଖିବାର ସ୍ଥାନ ନାହିଁ । ୧୯୭୮ ମସିହାରେ ଚମ୍ଵଲ ନଦୀ କୂଳସ୍ଥିତ ଅଭୟାରଣ୍ୟରେ ୧୨ଟି ବସା ଠାବ ହୋଇଥିଲା । ୨୦୦୬ ମସିହା ପର୍ଯ୍ୟନ୍ତ ଏହି ସ୍ଥାନରେ ୩୭୭୬ଟି ଥଣ୍ଟିଆ କୁମ୍ଭୀର ଛଡ଼ାଯାଇଥିଲା ଓ ୨୦୦୬ ମସିହାରେ ୬୮ଟି ବସା ଠାବ ହୋଇଥିଲା । କିନ୍ତୁ ଏଥିରେ ପ୍ରଜନନକ୍ଷମ କୁମ୍ଭୀରଙ୍କ ସଂଖ୍ୟା କମ୍ ଓ ଏମାନଙ୍କ ପ୍ରାକୃତିକ ସଂଖ୍ୟାବୃଦ୍ଧିର ହାର ନୈରାଶ୍ୟଜନକ ରହିଛି । ନବଜାତ କୁମ୍ଭୀରମାନେ ବର୍ଷାଋତୁରେ ହେଉଥିବା ବନ୍ୟାରେ ଭାସି ଅଭୟାରଣ୍ୟରୁ ବହୁ ଦୂରକୁ ଚାଲି ଯାଆନ୍ତି ।[୨]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ବିଶାଖାପାଟଣାସ୍ଥିତ ଇନ୍ଦିରା ଗାନ୍ଧୀ ବନ୍ୟପ୍ରାଣୀ ଉଦ୍ୟାନର ଏକ ଥଣ୍ଟିଆ କୁମ୍ଭୀର

ଅନ୍ୟ ସମସ୍ତ କୁମ୍ଭୀରଙ୍କ ଅପେକ୍ଷା ଥଣ୍ଟିଆ କୁମ୍ଭୀରଠାରେ ଅପେକ୍ଷାକୃତ ଅଧିକ ଜଳଚର ପ୍ରବୃତି ଦେଖିବାକୁ ମିଳିଥାଏ । ଅନ୍ୟ ପ୍ରଜାତିର କୁମ୍ଭୀର ଶରୀରକୁ ଭୂମିଠାରୁ ଟିକେ ଉଠାଇ ସ୍ଥଳଭାଗରେ ଚାଲନ୍ତି । କିନ୍ତୁ ପକ୍ଵ ବୟସରେ ଉପନୀତ ଥଣ୍ଟିଆ କୁମ୍ଭୀର ମଧ୍ୟ ଏପରି ଚାଲି ପାରେ ନାହିଁ ବରଂ ଭୂମିରେ ଘୁସୁରି ହୋଇ ଚାଲେ ।[୧୯] ଯେଉଁ ପ୍ରବହମାନ ନଦୀରେ ଉପକୂଳ ବାଲିଆ, ପାଣିରେ ଅଧିକ ମାଛ ଓ ସ୍ଥାନେ ସ୍ଥାନେ ଗଭୀର ଗର୍ତ୍ତ ରହିଥାଏ ସେହି ନଦୀମାନଙ୍କରେ ଥଣ୍ଟିଆ କୁମ୍ଭୀର ବସବାସ କରିବାକୁ ପସନ୍ଦ କରନ୍ତି । ମାଈ କୁମ୍ଭୀରମାନେ ବାଲିଆ ନଦୀପଠାରେ ବସା ନିର୍ମାଣ କରନ୍ତି ।[୧୦]

ଖରା ପୋଇଁବା[ସମ୍ପାଦନା]

ଅନ୍ୟ ପ୍ରଜାତିର କୁମ୍ଭୀରଙ୍କ ପରି ଥଣ୍ଟିଆ କୁମ୍ଭୀର ମଧ୍ୟ ଏକ ଶୀତଳ-ରକ୍ତବିଶିଷ୍ଟ ପ୍ରାଣୀ । ତେଣୁ ନିଜ ଶରୀରକୁ ଥଣ୍ଡା ରଖିବା ପାଇଁ ପାଣିରେ ବୁଡ଼ି ରହେ ଓ ଉଷ୍ମ ରଖିବା ପାଇଁ ସ୍ଥଳଭାଗକୁ ଉଠିଆସି ଖରା ପୋଇଁଥାଏ ।[୧୧] ସ୍ଥଳ ଭାଗରେ ଭଲଭାବେ ନ ଚାଲି ପାରିଲେ ମଧ୍ୟ ଖରା ପଡ଼ୁଥିଲେ ନଦୀ କୂଳରେ ପଥର ନଥିବା ବାଲିଆ ସ୍ଥାନକୁ ଏହି କୁମ୍ଭୀର ପ୍ରତିଦିନ ଖରା ପୋଇଁବା ପାଇଁ ଉଠି ଆସନ୍ତି । କେତେକ ଅଞ୍ଚଳର ଥଣ୍ଟିଆ କୁମ୍ଭୀର ଗୋମୁହାଁ କୁମ୍ଭୀରଙ୍କଠାରୁ ଅଧିକ ସମୟ ଖରା ପୋଇଁବା ଦେଖାଯାଇଛି ।[୨୦] ଅନେକ ଥଣ୍ଟିଆ କୁମ୍ଭୀର ମିଳିମିଶି ଖରା ପୋଇଁବା ଦେଖାଯାଏ । ତେବେ ଖରା ପୋଇଁବା ସ୍ଥାନ ସମସ୍ତଙ୍କ ପାଇଁ ନିଜସ୍ଵ ସମ୍ପତ୍ତି ପରି । ଅନ୍ୟ କେହି ଖରା ପୋଇଁବା ସ୍ଥାନ ଅକ୍ତିଆର କରିବାକୁ ଚାହିଁଲେ ଦୁଇ କୁମ୍ଭୀରଙ୍କ ମଧ୍ୟରେ ସଂଘର୍ଷ ହୋଇପାରେ ।[୧୧] ଶୀତ ଋତୁରେ ପାଣି ବାହାର ତାପମାତ୍ରା ୧୮ ଡିଗ୍ରୀ ସେଲ୍‍ସିୟସ୍ ଓ ପାଣି ଭିତରେ ତାପମାତ୍ରା ୧୭ ଡିଗ୍ରୀ ସେଲ୍‍ସିୟସ୍ ହୋଇଯାଏ । ଏପରି ସମୟରେ କୁମ୍ଭୀରମାନେ ଦିନସାରା ଖରା ପୋଇଁବା ଦେଖାଯାଇଛି । ଗ୍ରୀଷ୍ମ ଋତୁରେ ବାହାରର ତାପମାତ୍ରା ୩୫ ଓ ପାଣି ଭିତରର ତାପମାତ୍ରା ୨୫ ଡିଗ୍ରୀ ସେଲ୍‍ସିୟସ୍ ପର୍ଯ୍ୟନ୍ତ ହୁଏ । ଏପରି ସମୟରେ ଥଣ୍ଟିଆ କୁମ୍ଭୀରମାନେ ଅଧିକ ସମୟ ପାଣିରେ ରୁହନ୍ତି ଓ ଖୁବ୍ କମ୍ ସମୟ ପାଇଁ ଖରାକୁ ବାହାରନ୍ତି । ଗ୍ରୀଷ୍ମ ଦିନେ ଦ୍ଵିପହର ସମୟରେ ପ୍ରାୟ ବାହାରନ୍ତି ନାହିଁ ।[୨୦]

ଖାଦ୍ୟ ଆହରଣ[ସମ୍ପାଦନା]

ନିଜର ଲମ୍ଵା ଥଣ୍ଟ ଯୋଗୁଁ ଏମାନେ ସହଜରେ ମାଛ ଧରି ପାରନ୍ତି ଓ ଏମାନଙ୍କ ଥଣ୍ଟ ପରି ପାଟିରେ ରହିଥିବା ତୀକ୍ଷଣ ଦାନ୍ତ କବଳରୁ ମାଛ ଖସି ପଳାଇବାର ସମ୍ଭାବନା ଖୁବ୍ କମ୍ ।[୫] ଶାବକ ଥଣ୍ଟିଆ କୁମ୍ଭୀରମାନେ କୀଟପତଙ୍ଗ, ଛୋଟ ମାଛ, ବେଙ୍ଗ ଇତ୍ୟାଦି ଖାଆନ୍ତି । ପରିପକ୍ଵ ବା ବୟସ୍କ ଥଣ୍ଟିଆ କୁମ୍ଭୀର ବଡ଼ ମାଛ, ଚିଙ୍ଗୁଡ଼ି ଇତ୍ୟାଦି ଖାଆନ୍ତି । ପାଣିରେ ଏମାନେ ସ୍ଥିର ହୋଇ ରହିଥାନ୍ତି ଓ ମାଛମାନଙ୍କୁ ନିଜ ପାଖରୁ ଅତିକ୍ରମ କରି ଯିବାର ସୁଯୋଗ ଦିଅନ୍ତି । ମାଛ ପାଖରୁ ଗଲେ ଏକ ଅକସ୍ମାତ ପ୍ରତିକ୍ରିୟାରେ ମାଛକୁ ନିଜ ଲମ୍ଵା ଥଣ୍ଟରେ ମାଡ଼ି ବସନ୍ତି । ଶିକାର ବେଳେ ମାଛଙ୍କୁ ଏକତ୍ରିତ କରିବା ବା ଥଣ୍ଟକୁ ବନ୍ଦ କରି ଏକ ତାଳି ପରି ଶବ୍ଦ କରି ମାଛକୁ ଭୟଭୀତ କରାଇବା ପରି ବ୍ୟବହାର ମଧ୍ୟ ପରିଲକ୍ଷିତ ହୁଏ । ଏମାନେ ମାଛକୁ ଚୋବାଇ ଖାଆନ୍ତି ନାହିଁ ବରଂ ଗୋଟା ଗିଳି ପକାନ୍ତି ।[୧୧]

ଶାବକ ଥଣ୍ଟିଆ କୁମ୍ଭୀର ଅଗଭୀର ପାଣିରେ ରୁହନ୍ତି କିନ୍ତୁ ଆକାର ବଢ଼ିଲେ ସେମାନେ ଗଭୀର ପାଣିରେ ଚଳପ୍ରଚଳ ହୁଅନ୍ତି । ୧୨୦ ସେ.ମି. ପର୍ଯ୍ୟନ୍ତ ଲମ୍ଵା ଥଣ୍ଟିଆ କୁମ୍ଭୀର ୧ରୁ ୩ ମିଟର୍ ଗଭୀର ପାଣିରେ ରହିବା ପସନ୍ଦ କରନ୍ତି । ୧୮୦ ସେ.ମି. ଲମ୍ଵ ଥଣ୍ଟିଆ କୁମ୍ଭୀର ୨-୩ ମିଟର୍ ଗଭୀର ପାଣିରେ ରହିବା ଓ ଶିକାର କରିବା ପସନ୍ଦ କରନ୍ତି । ପରିପକ୍ଵ ବୟସର ଥଣ୍ଟିଆ କୁମ୍ଭୀର ୪ ମିଟର୍‍ରୁ ଅଧିକ ଗଭୀର ପାଣିରେ ଚଳପ୍ରଚଳ ହୁଅନ୍ତି ।[୨୧]

ଥଣ୍ଟିଆ କୁମ୍ଭୀର ମଣିଷକୁ ଆକ୍ରମଣ କରିବା ବା ଖାଇବା ଦେଖାଯାଇନାହିଁ ।[୧୧] ପୂର୍ବେ ଥଣ୍ଟିଆ କୁମ୍ଭୀରଙ୍କ ପେଟରୁ ଧାତୁଖଣ୍ଡ ବା ଅଳଙ୍କାର ଇତ୍ୟାଦି ମିଳିବା ଘଟଣାରୁ ବୋଧହୁଏ ଏମାନଙ୍କ ନରଭକ୍ଷୀ ହୋଇଥିବା ଲୋକକଥାର ଜନ୍ମ ହୋଇଛି । କୌଣସି ପ୍ରଲୋଭନରେ ବା ପଚନରେ ସହାୟତା ପାଇଁ ଏମାନେ ଧାତୁ ଖଣ୍ଡ ଖାଇଥାଇ ପାରନ୍ତି ।[୧୦]

ପ୍ରଜନନ[ସମ୍ପାଦନା]

୧୩ ବର୍ଷରେ ଅଣ୍ଡିରା ଥଣ୍ଟିଆ କୁମ୍ଭୀର ପରିପକ୍ଵତା ଲାଭ କରେ । ଏହା ପରେ ସେମାନଙ୍କ ଥଣ୍ଟ ଅଗରେ ରହିଥିବା ମାଂସ ପିଣ୍ଡୁଳାର ଆକାର କ୍ରମଶଃ ବଢ଼ିବାକୁ ଲାଗେ । ନିଜ ଇଲାକାରେ ପ୍ରଦକ୍ଷିଣ କରିବା ସମୟରେ ନିଜ ଥଣ୍ଟାଗ୍ର ପିଣ୍ଡୁଳା ଦେଖାଇ ଓ ବିଭିନ୍ନ ପ୍ରକାରର ଶବ୍ଦ କରି ମାଈ କୁମ୍ଭୀରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରନ୍ତି । ନିଜ ଇଲାକାରେ ରହିଥିବା ମାଈ କୁମ୍ଭୀରମାନଙ୍କୁ ଅନ୍ୟ ଅଣ୍ଡିରା କୁମ୍ଭୀରଙ୍କଠାରୁ ରକ୍ଷା କରନ୍ତି ବା ଦୂରେଇ ରଖିବାକୁ ଚେଷ୍ଟା କରନ୍ତି । ନିଜ ଥଣ୍ଟକୁ ଆକାଶ ଆଡ଼କୁ ଟେକି ରଖି ମାଈ କୁମ୍ଭୀର ମିଳନ ପାଇଁ ନିଜ ସହମତି ପ୍ରଦାନ କରେ । ମିଳନ ଋତୁ ପୂର୍ବରୁ ଉଭୟ ଅଣ୍ଡିରା ଓ ମାଈ କୁମ୍ଭୀରମାନେ ନିଜ ନୂତନ ସଙ୍ଗୀ ବା ସଙ୍ଗିନୀକୁ ଖୋଜି ବୁଲୁଥାନ୍ତି । ପ୍ରାକ୍-ମିଳନ ସମୟରେ ଥଣ୍ଟ ଘସାଘସି ହୋଇ ଓ ପରସ୍ପର ଉପରକୁ ଚଢ଼ି ସମ୍ଭାବ୍ୟ ସାଥୀ ଆଗରେ ମନର ଇଚ୍ଛା ପ୍ରକାଶ କରନ୍ତି ।[୧୧]

ସାଧାରଣତଃ ଡିସେମ୍ଵର ଓ ଜାନୁଆରୀ ମାସ ଥଣ୍ଟିଆ କୁମ୍ଭୀରମାନଙ୍କ ମିଳନ ସମୟ ।[୫] ମାର୍ଚ୍ଚ୍ ଓ ଅପ୍ରେଲ୍ ମାସ ବେଳକୁ ଜଳବାୟୁ ଶୁଷ୍କ ଥାଏ ଓ ଏହି ସମୟରେ ମାଈ ଥଣ୍ଟିଆ କୁମ୍ଭୀରମାନେ ପାଣିରୁ ବାହାରି ନଦୀକୂଳରେ ପାଣିରୁ ପ୍ରାୟ ୧-୫ ମିଟର୍ ଦୂରରେ ବାଲି ଖୋଳି ବସା ତିଆରି କରନ୍ତି । ସେମାନେ ଖୋଳିଥିବା ଗାତ ୫୦-୬୦ ସେ.ମି. ଗଭୀର ହୋଇଥାଏ । ନିଜ ପଛ ଗୋଡ଼ ସହାୟତାରେ ସେମାନେ ଗାତ ଖୋଳିପାରନ୍ତି ଓ ନିଜ ଗାତରେ ୨୦ରୁ ୯୫ଟି ଅଣ୍ଡା ଦେଇଥାନ୍ତି ।[୧୦] ଥଣ୍ଟିଆ କୁମ୍ଭୀରର ଅଣ୍ଡା ଅନ୍ୟ ପ୍ରଜାତିର କୁମ୍ଭୀରଙ୍କ ଅଣ୍ଡା ମଧ୍ୟରେ ସର୍ବବୃହତ । ଗୋଟିଏ ଥଣ୍ଟିଆ କୁମ୍ଭୀର ଅଣ୍ଡାର ଓଜନ ହାରାହାରି ୧୬୦ ଗ୍ରାମ୍ ।[୫] ୭୧ରୁ ୯୩ ଦିନ ଅଣ୍ଡା ଉଷୁମାଇବା ପରେ ମୌସୁମୀ ପ୍ରବାହର (ଜୁଲାଇ ମାସର) କିଛି ଦିନ ପୂର୍ବରୁ ଶାବକ ଥଣ୍ଟିଆ କୁମ୍ଭୀରମାନେ ଜନ୍ମ ନିଅନ୍ତି । ଅନ୍ୟ କୁମ୍ଭୀରଙ୍କ ପରି ଅଣ୍ଡା ଉଷୁମାଇବା ବେଳର ତାପମାତ୍ରା ନବଜାତ ଥଣ୍ଟିଆ କୁମ୍ଭୀରଙ୍କ ଲିଙ୍ଗ ନିର୍ଦ୍ଧାରଣ କରେ ।[୧୦] ମାଈ ଥଣ୍ଟିଆ କୁମ୍ଭୀର ଶାବକମାନଙ୍କୁ ପାଣି ପର୍ଯ୍ୟନ୍ତ ପହଞ୍ଚିବାରେ କୌଣସି ସାହାଯ୍ୟ କରେନାହିଁ । ଅଳ୍ପ କିଛି ଦିନ ପର୍ଯ୍ୟନ୍ତ ମାଈ କୁମ୍ଭୀର ବସାରେ ଥିବା ଶାବକମାନଙ୍କୁ ଜଗି ରହେ ।[୫]

ବିପଦ[ସମ୍ପାଦନା]

୧୯୪୬ ମସିହା ବେଳେ ଥଣ୍ଟିଆ କୁମ୍ଭୀରଙ୍କ ସଂଖ୍ୟା ୫୦୦୦ରୁ ୧୦୦୦୦ ଥିବା ବେଳେ ୨୦୦୬ ମସିହା ବେଳକୁ ଏମାନଙ୍କ ସଂଖ୍ୟା ପ୍ରାୟ ୨୩୫ ହୋଇଯାଇଥିଲା । ତିନୋଟି ପିଢ଼ୀ ମଧ୍ୟରେ ଏମାନଙ୍କ ସଂଖ୍ୟା ୯୬-୯୮% ହ୍ରାସ ପାଇବା ଏମାନଙ୍କ ପ୍ରଜାତି ପ୍ରତି ରହିଥିବା ଆସନ୍ନ ବିପଦର ସୂଚନା ଦିଏ । ମତ୍ସ୍ୟଜୀବୀଙ୍କଦ୍ଵାରା ହତ୍ୟା, ଚମଡ଼ା ପାଇଁ ଶିକାର, ସ୍ଥାନୀୟ ଲୋକଙ୍କଦ୍ଵାରା ନିର୍ମିତ ଔଷଧ ତିଆରି କରିବା ପାଇଁ ଶିକାର, କୁମ୍ଭୀର ଅଣ୍ଡା ଖାଇବା ଇତ୍ୟାଦି କାରଣ ଯୋଗୁଁ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି । ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଥିବା କୁମ୍ଭୀରମାନଙ୍କ ମଧ୍ୟ ଭୌଗୋଳିକ ବିତରଣ ସମ୍ପୂର୍ଣ୍ଣ ରୂପେ ଖଣ୍ଡବିଖଣ୍ଡିତ । ବର୍ତ୍ତମାନ ସମୟରେ ଶିକାର ଏମାନଙ୍କ ପାଇଁ ସବୁଠୁ ବଡ଼ ବିପଦ ନୁହେଁ । କିନ୍ତୁ ୧୯୯୭ ମସିହାରୁ ୨୦୦୬ ମସିହା ମଧ୍ୟରେ ଥଣ୍ଟିଆ କୁମ୍ଭୀରଙ୍କ ସର୍ବମୋଟ ସଂଖ୍ୟା ୫୮% ହ୍ରାସ ପାଇବାର କାରଣ ହେଲା :[୨]

  • ଥଣ୍ଟିଆ କୁମ୍ଭୀରଙ୍କ ଅଧିବାସ କ୍ଷେତ୍ରରେ ମାଛ ଧରିବା ପାଇଁ ଘେରି ଜାଲର ବ୍ୟବହାର ବଢ଼ିଛି । ସଂରକ୍ଷିତ ଅଞ୍ଚଳରେ ମଧ୍ୟ ମତ୍ସ୍ୟଜୀବୀମାନେ ଏହି ଉପାୟରେ ମାଛ ଧରନ୍ତି । ଏଥିରେ କୁମ୍ଭୀର ଛନ୍ଦି ହୋଇ ପ୍ରାଣ ହରାଇବାର ଆଶଙ୍କା ରହିଥାଏ ।
  • ନଦୀବନ୍ଧ, ବ୍ୟାରେଜ୍, ଜଳସେଚନ କେନାଲ୍ ଇତ୍ୟାଦିର ନିର୍ମାଣ, ନଦୀ ଗର୍ଭରୁ ବାଲି ଉଠାଇବା ଇତ୍ୟାଦି କାର୍ଯ୍ୟକଳାପ ନଦୀର ପାରିବେଶିକ ଅବସ୍ଥାକୁ କ୍ଷତି ପହଞ୍ଚାଏ । ନଦୀର ଗତିପଥ ପରିବର୍ତ୍ତନ, ନଦୀ କୂଳେ କୃଷି ଓ ଗାଈଗୋରୁଙ୍କ ଚାରଣଭୂମି ଇତ୍ୟାଦି ମଧ୍ୟ ଥଣ୍ଟିଆ କୁମ୍ଭୀରଙ୍କ ପ୍ରତି ବିପଦ ସୃଷ୍ଟି କରେ ।

୨୦୦୭ ଡିସେମ୍ଵର୍ ମାସରେ ଚମ୍ଵଲ ନଦୀରେ ଅନେକ ଥଣ୍ଟିଆ କୁମ୍ଭୀର ମରି ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା । ପ୍ରାଥମିକ ତଦନ୍ତରେ ମାଛ ଧରାଳୀଙ୍କ ଜାଲରେ ଛନ୍ଦି ହୋଇ ଏମାନେ ପ୍ରାଣ ହରାଇଥିବେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ମୃତ କୁମ୍ଭୀରଙ୍କ ଶବ ବ୍ୟବଚ୍ଛେଦରୁ ସେମାନଙ୍କ ଶରୀରର କୋଷରେ ସୀସା (Lead) ଓ କ୍ୟାଡ୍‍ମିୟମ୍ ପରି ଗୁରୁ ଧାତୁ ଅତ୍ୟଧିକ ପରିମାଣରେ ରହିଥିବା ଜଣା ପଡ଼ିଲା । ଏହି ଗୁରୁ ଧାତବ ମୌଳିକ ସେମାନଙ୍କ ପେଟରେ ଅଲ୍‍ସର୍, ଜୀବାଣୁ ଏବଂ ରୋଗ ସୃଷ୍ଟି କରିବା ଫଳରେ ସେମାନେ ପ୍ରାଣ ହରାଇଥିଲେ ।[୨୨]

ସଂରକ୍ଷଣ[ସମ୍ପାଦନା]

ଥଣ୍ଟିଆ କୁମ୍ଭୀର

ଥଣ୍ଟିଆ କୁମ୍ଭୀର ବା ଘଡ଼ିଆଳ CITES ପ୍ରଥମ ଅନୁଚ୍ଛେଦର ଜୀବଭାବେ ପରିଗଣିତ ହୁଏ ।[୨]

୧୯୪୦ ଦଶକରେ ଏକଦା ୫୦୦୦ରୁ ୧୦୦୦୦ ସଂଖ୍ୟାରେ ଚଳପ୍ରଚଳ ହେଉଥିବା ଥଣ୍ଟିଆ କୁମ୍ଭୀରଙ୍କ ସଂଖ୍ୟା ୧୯୭୬ ମସିହା ବେଳକୁ ୨୦୦ରୁ କମ୍ ହୋଇଯାଇଥିଲା । କୁମ୍ଭୀର ସଂଖ୍ୟାରେ ୯୮% ହ୍ରାସ ସଂରକ୍ଷଣ କାର୍ଯ୍ୟରେ ଘୋର ଅବହେଳା ଓ ବୈମାତୃକ ମନୋଭାବ ଦର୍ଶାଏ । ତେଣୁ ଭାରତ ସରକାର ୧୯୭୨ର ବନ୍ୟଜୀବ ସଂରକ୍ଷଣ କାନୁନ୍‍ରେ ଏହି କୁମ୍ଭୀର ପ୍ରଜାତିର ସଂରକ୍ଷଣ ପାଇଁ କଡ଼ାକଡ଼ି ନିୟମ ପ୍ରଣୟନ କରିଥିଲେ ।[୫]

୧୯୯୭ ମସିହାବେଳକୁ ସ୍ଵାଧୀନ ଓ ହିଂସ୍ର କୁମ୍ଭୀରଙ୍କ ସଂଖ୍ୟା ଥିଲା ୪୩୬ ଓ ୨୦୦୬ ମସିହା ବେଳକୁ ଏହା ହ୍ରାସ ପାଇ କେବଳ ୧୮୨ଟି କୁମ୍ଭୀର ବଞ୍ଚି ରହିଥିଲେ । କୁମ୍ଭୀରମାନଙ୍କ ଗୋଟିଏ ପିଢ଼ୀ ମଧ୍ୟରେ ଓ ମାତ୍ର ୯ ବର୍ଷରେ କୁମ୍ଭୀର ସଂଖ୍ୟାରେ ଏପରି ଦ୍ରୁତ ହ୍ରାସ ଘଟିଥିବାରୁ IUCN ସଂସ୍ଥା ଏହି ପ୍ରଜାତିକୁ Critically Endangered ଶ୍ରେଣୀଭୁକ୍ତ କରିଛି ।[୨] ୨୦୦୭ ମସିହାରେ ହୋଇଥିବା କୁମ୍ଭୀର ଗଣନା ଅନୁସାରେ ବିଶ୍ଵରେ ଆଉ ମାତ୍ର ୨୦୦-୩୦୦ଟି ଥଣ୍ଟିଆ କୁମ୍ଭୀର ରହିଥିବା ଅନୁମାନ କରାଗଲା ।[୨୩]

ସ୍ଥାନୀୟ ସଂରକ୍ଷଣ ପାଇଁ ପଦକ୍ଷେପ[ସମ୍ପାଦନା]

ଥଣ୍ଟିଆ କୁମ୍ଭୀର ଓ କଇଁଛ

ଭାରତନେପାଳରେ ଅନେକ ସଂରକ୍ଷଣ ପଦକ୍ଷେପ ଗ୍ରହଣ କରାଯାଇଛି । ସଂରକ୍ଷିତ ଅଞ୍ଚଳ ଚିହ୍ନଟ କରାଯାଉଛି ଓ ପ୍ରଜନନ କେନ୍ଦ୍ରରୁ କୁମ୍ଭୀର ଆଣି ଏହି ଅଞ୍ଚଳରେ ଛଡ଼ାଯାଉଛି । କିନ୍ତୁ ପ୍ରଜନନ କେନ୍ଦ୍ରରୁ କୁମ୍ଭୀରଆଣି ପ୍ରାକୃତିକ ପରିବେଶରେ ଛାଡ଼ିଲେ ମଧ୍ୟ କୁମ୍ଭୀରଙ୍କ ସଂଖ୍ୟାରେ ବିଶେଷ ବୃଦ୍ଧି ହେଉନାହିଁ । ଯୁବ ଥଣ୍ଟିଆ କୁମ୍ଭୀରମାନଙ୍କୁ ନୂତନ ଓ କଷ୍ଟମୟ ପରିବେଶରେ ଛାଡ଼ିଦେଲେ ବି କୌଣସି ଲାଭ ମିଳିଲା ନାହିଁ । ମନୁଷ୍ୟଙ୍କ କାର୍ଯ୍ୟକଳାପ ଯୋଗୁଁ ଏହି ସବୁ ପଦକ୍ଷେପ ସଫଳ ହୋଇପାରୁନାହିଁ । ଘଡ଼ିଆଳ ରହିଲେ ନଦୀରେ ମାଛ କମ୍ ହୋଇଯିବା ମନୁଷ୍ୟମାନଙ୍କ ଜୀବିକାରେ ବିଘ୍ନ ସୃଷ୍ଟି କରୁଥିବାରୁ ସେମାନଙ୍କ ତରଫରୁ ଆଶାନୁରୂପ ସମର୍ଥନ ମିଳେନାହିଁ । ଏହା ଛଡ଼ା ଏମାନଙ୍କ ରହିବା ସ୍ଥାନର ନିରୀକ୍ଷଣ ତଥା ଏମାନଙ୍କ ଖାପ ଖୁଆଇବା ପ୍ରବୃତ୍ତି, ସ୍ଥାନାନ୍ତରଣ ଇତ୍ୟାଦି ବିଷୟରେ ସବିଶେଷ ଗବେଷଣା ହେଉନାହିଁ ।[୨]

ସଂଯୁକ୍ତରାଷ୍ଟ୍ର ବିକାଶ କୋଶ (United Nations Development Fund) ଓ ଖାଦ୍ୟ ଓ କୃଷି ସଂଗଠନ (Food and Agriculture Organization)ଙ୍କ ସହାୟତାରେ ଭାରତ ସରକାର ୧୯୭୫ ମସିହାରେ ପ୍ରୋଜେକ୍ଟ କ୍ରୋକୋଡାଇଲ୍ ଆରମ୍ଭ କରିଥିଲେ । ଏହି ପ୍ରକଳ୍ପ କ୍ରମେ ପ୍ରଜନନ କେନ୍ଦ୍ରରେ ବହୁ ସଂଖ୍ୟକ ଥଣ୍ଟିଆ କୁମ୍ଭୀର ଜନ୍ମ କରାଗଲା ଓ ସେମାନଙ୍କ ମଧ୍ୟରୁ କେତେକଙ୍କୁ ନେଇ କମି ଆସୁଥିବା କୁମ୍ଭୀର ସଂଖ୍ୟା ବଢ଼ାଇବା ଉଦ୍ଦେଶ୍ୟରେ ପ୍ରାକୃତିକ ଅଧିବାସରେ ଛଡ଼ାଗଲା । କୁମ୍ଭୀର ଅଣ୍ଡା କମିଗଲେ ନେପାଳଠାରୁ ଭାରତ ସରକାର କୁମ୍ଭୀର ଅଣ୍ଡା ଅଣାଇ କୁମ୍ଭୀର ସଂଖ୍ୟା ବଢ଼ାଇବା ଦିଗରେ ଯତ୍ନଶୀଳ ହେଲେ । ଜର୍ମାନୀର ଫ୍ରାଂକ୍‍ଫର୍ଟ୍‍ ଚିଡ଼ିଆଖାନାରୁ ଏକ ଅଣ୍ଡିରା ଥଣ୍ଟିଆ କୁମ୍ଭୀରକୁ ଆକାଶ ମାର୍ଗରେ ଭାରତ ଅଣାଯାଇଥିଲା । ୧୯୭୫ରୁ ୧୯୮୨ ମସିହା ମଧ୍ୟରେ ୧୬ଟି କୁମ୍ଭୀର ପୁନରୁଦ୍ଧାର କେନ୍ଦ୍ର ଓ ୫ଟି କୁମ୍ଭୀର ଅଭୟାରଣ୍ୟ ସ୍ଥାପନା କରାଯାଇଥିଲା । ଜାତୀୟ ଚମ୍ଵଲ ଅଭୟାରଣ୍ୟ ଓ କଟର୍ଣ୍ଣିଆଘାଟ ଅଭୟାରଣ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ୨୦୦୪ ମସିହା ବେଳକୁ ୧୨୦୦୦ ଥଣ୍ଟିଆ ଅଣ୍ଡାରୁ ଶିଶୁ କୁମ୍ଭୀରଙ୍କ ଜନ୍ମ କରି ସେମାନେ ୧ ମିଟର୍ ଲମ୍ଵା ହେବା ପର୍ଯ୍ୟନ୍ତ ପ୍ରଜନନ କେନ୍ଦ୍ରରେ ରଖାଯାଉଥିଲା ଓ ସେମାନଙ୍କୁ ପ୍ରାକୃତିକ ବାସସ୍ଥାନରେ ଛଡାହୋଇଛି । ୧୯୯୧ ମସିହାରେ ଅର୍ଥାଭାବ ଯୋଗୁଁ ଏହି ପ୍ରକଳ୍ପ କାମ ବାଧାପ୍ରାପ୍ତ ହୋଇଥିଲା । ୧୯୯୭-୧୯୯୮ ମସିହାରେ ଚମ୍ଵଲ ଅଭୟାରଣ୍ୟରେ ୧୨୦୦ ଥଣ୍ଟିଆ ଓ ୭୫ଟି କୁମ୍ଭୀର ବସା ଠାବ କରାଗଲା । କିନ୍ତୁ ୧୯୯୯ରୁ ୨୦୦୩ ମଧ୍ୟରେ କୌଣସି ସର୍ବେକ୍ଷଣ କରାଯାଇନଥିଲା ।[୫]

୨୦୧୦ ମସିହା ଡିସେମ୍ଵର ମାସରେ ରୋମୁଲସ୍ ହ୍ଵିଟେକର୍‍ଙ୍କ ସହିତ ଭାରତର ତତ୍କାଳୀନ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଜୟରାମ ରମେଶ ମାନ୍ଦ୍ରାଜ୍ କୁମ୍ଭୀର ବ୍ୟାଂକ୍ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଜାତୀୟ ତ୍ରି-ରାଜ୍ୟ ଚମ୍ଵଲ ଅଭୟାରଣ୍ୟ ପରିଚାଳନା ଓ ସହଯୋଗ ସମିତିର ଘୋଷଣା କରିଥିଲେ । ମଧ୍ୟ ପ୍ରଦେଶ, ରାଜସ୍ଥାନଉତ୍ତର ପ୍ରଦେଶରେ ପ୍ରବାହିତ ଚମ୍ଵଲ ନଦୀର ୧୬୦୦ ବର୍ଗ କି.ମି. ଅଞ୍ଚଳରେ ଓ ଜାତୀୟ ଚମ୍ଵଲ ଅଭୟାରଣ୍ୟରେ ଥଣ୍ଟିଆ କୁମ୍ଭୀରମାନଙ୍କ ସଂରକ୍ଷଣ ଏହାର ମୂଳ ଉଦ୍ଦେଶ୍ୟ ଥିଲା । ଏହି ସମିତିରେ ତିନି ରାଜ୍ୟର ଜଳସମ୍ଵଳ ମନ୍ତ୍ରାଳୟର ପ୍ରତିନିଧି, ଜଳସେଚନ ଓ ବିଦ୍ୟୁତ୍ ବିଭାଗର ପ୍ରତିନିଧି, ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାର ପ୍ରତିନିଧି, ମାନ୍ଦ୍ରାଜ୍ କୁମ୍ଭୀର ବ୍ୟାଂକ୍‍ର ପ୍ରତିନିଧି, ଘଡ଼ିଆଳ ସଂରକ୍ଷଣ ସଂସ୍ଥା, ୱଲ୍ଡୱାଇଡ୍ ଫଣ୍ଡ୍ ଫର୍ ନେଚର୍ ଓ ବିଭିନ୍ନ ବନବିଭାଗ ଅଧିକାରୀ ସଦସ୍ୟ ଭାବେ ରହିଛନ୍ତି । ଥଣ୍ଟିଆ କୁମ୍ଭୀର ତଥା ସେମାନଙ୍କ ବାସସ୍ଥାନର ସୁରକ୍ଷା, ଥଣ୍ଟିଆ କୁମ୍ଭୀରଙ୍କ ପରିସ୍ଥିତିକ ବ୍ୟବହାର ବିଷୟରେ ଅଧିକ ଗବେଷଣା ଓ ନଦୀକୂଳିଆ ଚାଷୀ, ମାଛଧରାଳୀଙ୍କ ଜୀବିକା ଓ ଆୟ ଇତ୍ୟାଦି ବିଶ୍ଳେଷଣ କରିବା ପାଇଁ ଯୋଜନା ତିଆରି କରାଗଲା । ପାଞ୍ଚ ବର୍ଷରେ ଏହି ପ୍ରକଳ୍ପ ପାଇଁ ‘Integrated Development of Wildlife Habitats’ ନାମକ ଅନ୍ୟ ଏକ ଯୋଜନା ଭିତ୍ତିରେ ୫-୮ କୋଟି ବ୍ୟୟବରାଦ କରାଯିବା ନିର୍ଦ୍ଧାରିତ ହୋଇଥିଲା ।[୨୪][୨୫]

ପ୍ରଜନନ କେନ୍ଦ୍ରରେ ଥଣ୍ଟିଆ କୁମ୍ଭୀର[ସମ୍ପାଦନା]

ଯୁକ୍ତରାଷ୍ଟ୍ର ଆମେରିକାର ସାନ୍ ଆଣ୍ଟୋନିଓ ଚିଡ଼ିଆଘରେ ଥିବା ଦୁଇଟି ଥଣ୍ଟିଆ କୁମ୍ଭୀର
ଭାରତର କୁକ୍ରେଲ୍ ସଂରକ୍ଷିତ ଅରଣ୍ୟର ଏକ ଶିଶୁ ଥଣ୍ଟିଆ
ଇସ୍ରାଏଲ୍‍ର ହାମାତ୍ ଗାଡେର୍‍ର ଏକ ଥଣ୍ଟିଆ

ଉତ୍ତର ପ୍ରଦେଶର ଜାତୀୟ ଚମ୍ଵଲ ଅଭୟାରଣ୍ୟରେ ଓ ନେପାଳର ଚିତ୍ତବନ ଜାତୀୟ ଉଦ୍ୟାନ ଅନ୍ତର୍ଗତ ଘଡ଼ିଆଳ ପ୍ରଜନନ କେନ୍ଦ୍ରରେ ଥଣ୍ଟିଆ କୁମ୍ଭୀରମାନଙ୍କ ପ୍ରଜନନ ଓ ବଂଶବୃଦ୍ଧି ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ଏହି ପ୍ରଜନନ କେନ୍ଦ୍ରରେ ଶାବକ କୁମ୍ଭୀରମାନଙ୍କୁ ଦୁଇ-ତିନି ବର୍ଷ ପର୍ଯ୍ୟନ୍ତ (ପ୍ରାୟ ୧ ମିଟର୍ ଲମ୍ଵା ହେବା ଯାଏ) ରଖାଯାଏ ଓ ତାହା ପରେ ପ୍ରାକୃତିକ ଅଧିବାସରେ ଛାଡ଼ିଦିଆଯାଏ ।[୨]

ଭାରତରେ ମାନ୍ଦ୍ରାଜ୍ କୁମ୍ଭୀର ବ୍ୟାଂକ୍, ଇନ୍ଦିରା ଗାନ୍ଧୀ ବନ୍ୟଜୀବ ଉଦ୍ୟାନ, ଜୱାହରଲାଲ ନେହେରୁ ପ୍ରାଣୀ ଉଦ୍ୟାନ (ବୋକାରୋ ଷ୍ଟିଲ୍ ସହର), ବାଙ୍ଗାଲୋର୍‍ର ବାନେର୍ଘଟା ଚିଡ଼ିଆଘର, ଜୁନାଗଡ଼ ଚିଡ଼ିଆଘର, ଚଣ୍ଡିଗଡ଼ର ଛତବିର ଚିଡ଼ିଆଘର, ଇଟାନଗରର ପ୍ରାଣୀ ଉଦ୍ୟାନ ଇତ୍ୟାଦିରେ ମଧ୍ୟ ଥଣ୍ଟିଆ କୁମ୍ଭୀରମାନଙ୍କୁ ରଖାଯାଇଛି । ଶ୍ରୀଲଙ୍କାର ଜାତୀୟ ଜୀବ ଉଦ୍ୟାନ ଓ ସିଙ୍ଗାପୁର ଚିଡ଼ିଆଖାନାରେ ଏକ ପ୍ରଜନନଶୀଳ କୁମ୍ଭୀର ଯୁଗଳ ରଖାଯାଇଛି । ଜାପାନର ନୋଗେୟାମା ଚିଡ଼ିଆଖାନାରେ ଦୁଇଟି ମାଈ ଥଣ୍ଟିଆ କୁମ୍ଭୀର ରଖାଯାଇଛି । ୟୁରୋପ୍‍ର ଚେକ୍ ଗଣରାଜ୍ୟର ପ୍ରାଗ୍ ଚିଡ଼ିଆଖାନା ଓ କ୍ରକ୍‍ଜୁ ଚିଡ଼ିଆଘରେ, ଜର୍ମାନୀର ବର୍ଲିନ୍ ଚିଡ଼ିଆଖାନାରେ ଓ ଡେନ୍‍ମାର୍କ୍‍ର କୁମ୍ଭୀର ଚିଡ଼ିଆଘରେ ମଧ୍ୟ କିଛି ଥଣ୍ଟିଆ କୁମ୍ଭୀର ରହିଛନ୍ତି ।[୨୬]

୨୦୦୦ ମସିହାରେ ନେପାଳର ଥଣ୍ଟିଆ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ୬ଟି ଶାବକ କୁମ୍ଭୀର ଫ୍ରାନ୍ସର ଲା ଫେର୍ମେ ଅଉ କ୍ରୋକୋଡାଇଲ୍‍ସ୍ ସ୍ଥାନାନ୍ତର କରାଯାଇଥିଲା ।[୨୭]

ଯୁକ୍ତରାଷ୍ଟ୍ର ଆମେରିକାର ହନଲୁଲୁ ଚିଡ଼ିଆଘରେ, କ୍ଲିଭ୍ଲ୍ୟାଣ୍ଡ ମେଟ୍ରୋପାର୍କ ଜୁ, ଫୋର୍ଟ୍ ୱର୍ଥ୍ ଜୁ, ସାନ୍ ଡିଏଗୋ ଜୁ, ନ୍ୟାସନାଲ୍ ଜୁଓଲୋଜିକାଲ୍ ପାର୍କ୍, ସାନ୍ ଆଣ୍ଟୋନିଓ ଜୁ ଓ ସେଣ୍ଟ୍ ଅଗଷ୍ଟିନ୍ ଆଲିଗଟର୍ ଫାର୍ମରେ କିଛି ଥଣ୍ଟିଆ କୁମ୍ଭୀର ରଖାଯାଇଛି ।[୨୮] ପାକିସ୍ଥାନର ଲାହୋର୍ ଚିଡ଼ିଆଖାନାରେ ଏକ ପ୍ରଜନନକ୍ଷମ କୁମ୍ଭୀର ଯୁଗଳ ରଖାଯାଇଛି । ଲକ୍ଷ୍ନୌ ନିକଟସ୍ଥ କୁକ୍ରେଲ୍ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ଥଣ୍ଟିଆ କୁମ୍ଭୀର ରହିଛନ୍ତି ।

କ୍ରମ ବିବର୍ତ୍ତନ[ସମ୍ପାଦନା]

ଜୈବ ବିବର୍ତ୍ତନ ଦୃଷ୍ଟିରୁ ପ୍ରାଚୀନ କାଳର ଥଣ୍ଟିଆ କୁମ୍ଭୀର ବର୍ତ୍ତମାନ ସମୟର ଥଣ୍ଟିଆ କୁମ୍ୟଭୀରଙ୍କ ପୂର୍ବପୁରୁଷ ହୋଇଥାଇପାରନ୍ତି । ଡାଇନୋସର୍‍ମାନଙ୍କ ଅବସାନ ବା କ୍ରେଟାସିୟସ୍ ସମୟ ବେଳକୁ ଅଧିକାଂଶ ପ୍ରାଚୀନ ଥଣ୍ଟିଆ କୁମ୍ଭୀର ମୃତ୍ୟୁବରଣ କରିଥିଲେ । ତେବେ କେତୋଟି କୁମ୍ଭୀର ପ୍ରାରମ୍ଭିକ ଇଓସିନ୍ ଯୁଗ ପର୍ଯ୍ୟନ୍ତ ବଞ୍ଚି ରହିଥିଲେ । ଏହି ସମୟ ପରଠାରୁ ଆଫ୍ରିକୀୟ ଉପକୂଳରେ ଆଧୁନିକ ଥଣ୍ଟିଆ କୁମ୍ଭୀର ପ୍ରଜାତି ସୃଷ୍ଟି ହେଲା । ଏମାନେ ଆଟ୍‍ଲାଣ୍ଟିକ୍ ମହାସାଗର ଅତିକ୍ରମ କରି ଦକ୍ଷିଣ ଆମେରିକାରେ ପହଞ୍ଚିଲେ । ପୋର୍ଟେ ରିକୋର ଏକ ଗୁମ୍ଫା ଭିତରୁ ଆକ୍ଟିଓଗାଭିଆଲିସ୍ ପ୍ଵେର୍ତୋରିସେନିସ୍ (Aktiogavialis puertorisensis) ପ୍ରଜାତିର ଥଣ୍ଟିଆ କୁମ୍ଭୀରର ଜୀବାଶ୍ମ ମିଳିଥିଲା ।[୨୯][୩୦]

ବିବର୍ତ୍ତନ ସମୟରେ ଅନ୍ୟ ପ୍ରଜାତିର କୁମ୍ଭୀରଙ୍କ ପରି ଥଣ୍ଟିଆ କୁମ୍ଭୀରମାନଙ୍କ ଖପୁରୀ ଓ ମାଢ଼ି ସୁବିକଶିତ ନ ହୋଇପାରିବାରୁ ସେମାନଙ୍କ ବଳ ବହୁତ ମାତ୍ରାରେ ହ୍ରାସ ପାଇଲା । ତେଣୁ ସେମାନଙ୍କ ପକ୍ଷରେ ବଡ଼ ଶିକାର ମାରିବା ସମ୍ଭବ ନୁହେଁ । କିନ୍ତୁ ହାଲୁକା ଖପୁରୀ, ପତଳା ଥଣ୍ଟ, କମ୍ ଓଜନବିଶିଷ୍ଟ ଶରୀର ଯୋଗୁଁ ଚଳଚଞ୍ଚଳ ମାଛକୁ ଏମାନେ ସହଜରେ ଧରିପାରନ୍ତି । ପ୍ଲାୟୋସିନ୍ ଯୁଗ ପର୍ଯ୍ୟନ୍ତ ବହୁ ସଂଖ୍ୟକ ଥଣ୍ଟିଆ କୁମ୍ଭୀର ଏସିଆ, ଆମେରିକା ଓ ପୃଥିବୀର ଅନ୍ୟାନ୍ୟ ସ୍ଥାନରେ ବିଚରଣ କରୁଥିଲେ । ଭାରତରେ କ୍ରମବିକଶିତ Rhamphosuchus crassidens ନାମକ ଏକ ପ୍ରଜାତିର ଥଣ୍ଟିଆ କୁମ୍ଭୀର ୮-୧୧ ମିଟର୍ ବା ତାହାଠାରୁ ଅଧିକ ଲମ୍ଵା ହୋଇଥିବା ଅନୁମାନ କରାଯାଏ ।[୩୧]

ବର୍ଗୀକରଣ[ସମ୍ପାଦନା]

ଥଣ୍ଟିଆ କୁମ୍ଭୀରର ଜୀବିତ ଓ ବିଲୁପ୍ତ ପ୍ରଜାତିମାନଙ୍କୁ ବିଭିନ୍ନ ପ୍ରଣାଳୀରେ ବର୍ଗୀକୃତ କରାଯାଇଥାଏ ।

  • ଜୀବାଶ୍ମ ବିଜ୍ଞାନୀମାନେ ବଂଶାନୁକ୍ରମ ବିବର୍ତ୍ତନକୁ ଭିତିତି କରି ବର୍ଗୀକରଣ କରିବା ଠିକ୍ ବୋଲି କହିଥାନ୍ତି । ତେଣୁ ଘଡ଼ିଆଳ ପରି ଦେଖାଯାଉଥିବା ଜୀବଙ୍କୁ ନେଇ ଗାଭିଆଲୋଇଡିଆ ଶବ୍ଦ ସୃଷ୍ଟି ହୋଇଛି ।
  • ଯଦି ବର୍ତ୍ତମାନ ଜୀବିତ ତିନୋଟି କୁମ୍ଭୀର ପ୍ରଜାତିଙ୍କୁ ଭିନ୍ନ ପରିବାର ବୋଲି ଧରାଯାଏ ତେବେ ଥଣ୍ଟିଆ କୁମ୍ଭୀରକୁ କୁମ୍ଭୀର ପରିବାରସମୂହର ଗାଭିଆଲିଡାଏ ପରିବାରର ଅଂଶ ବୋଲି କୁହାଯାଇପାରିବ । ଆଉ ଏକ ପରିବାର ହେଉଛି ଆଲିଗେଟୋରିଡାଏ ।
  • ଆଉ ଏକ ବର୍ଗୀକରଣ ଅନୁସାରେ ସମସ୍ତ କୁମ୍ଭୀରଙ୍କୁ କ୍ରୋକୋଡାଇଲିଡାଏ ପରିବାରର ଓ ଏମାନେ ଗାଭିଆଲିନାଏ, କ୍ରୋକୋଡାଇଲିନାଏ ଓ ଆଲିଗେଟୋରିନାଏ ଉପ-ପରିବାର ବୋଲି କୁହାଯାଏ ।

ମଲେକ୍ୟୁଲାର୍ ଜେନେଟିକ୍ ପରୀକ୍ଷଣ ଅନୁସାରେ ଥଣ୍ଟିଆ କୁମ୍ଭୀର ଓ ମାଳୟ ଥଣ୍ଟିଆ କୁମ୍ଭୀର (ଈଂରାଜୀରେ False Gharial) ନିକଟ ସମ୍ପର୍କୀୟ ଅଟନ୍ତି । ତେଣୁ ସେମାନଙ୍କୁ ଗୋଟିଏ ପରିବାରର ବୋଲି କୁହାଯାଇପାରିବ ।[୩୨] ପୁଣି ଏଥିରୁ ଆହୁରି ଜଣା ପଡ଼ିଛି ଯେ ଗାଭିଆଲିଡାଏ କ୍ରୋକୋଡାଇଲିଡାଏ ଗୋଷ୍ଠୀର ଭଗିନୀ ପରିବାର ପରି । ଅନ୍ୟ କୁମ୍ଭୀର ଓ ଥଣ୍ଟିଆ କୁମ୍ଭୀରଙ୍କ ଶାଖାକୁ ମିଳିତ ଭାବେ ଲୋଂଗିରୋଷ୍ଟ୍ରେସ୍ (Longirostres) ଭାବେ ପରିଗଣିତ କରିବାକୁ ପ୍ରସ୍ତାବ ଦିଆଯାଇଛି ।[୩୩][୩୪][୩୫]

ଜୀବାଶ୍ମ ବୈଜ୍ଞାନିକ ବର୍ଗୀକରଣ[ସମ୍ପାଦନା]


ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Brochu, C. A. (1997). "Morphology, fossils, divergence timing, and the phylogenetic relationships of Gavialis". Systematic Biology 46 (3): 479–522. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Choudhury, B. C.; Singh, L. A. K.; Rao, R. J.; Basu, D.; Sharma, R. K.; Hussain, S. A.; Andrews, H. V.; Whitaker, N.; Whitaker, R.; Lenin, J.; et al. (2007). "Gavialis gangeticus". The IUCN Red List of Threatened Species. IUCN. 2007: e.T8966A12939997. doi:10.2305/IUCN.UK.2007.RLTS.T8966A12939997.en. Retrieved 16 January 2018. 
  3. ୩.୦ ୩.୧ ୩.୨ ୩.୩ Stevenson, C. and Whitaker, R. (2010). Gharial Gavialis gangeticus pp. 139–143 in: Manolis, S. C. and C. Stevenson. (eds.) Crocodiles. Status Survey and Conservation Action Plan. Third Edition. Crocodile Specialist Group, Darwin.
  4. ୪.୦ ୪.୧ ୪.୨ ୪.୩ Maskey, T. M., Percival, H.F. (1994). Status and Conservation of Gharial in Nepal. Presented at the 12th Working Meeting of the Crocodile Specialist Group, Thailand.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ Whitaker, R.; Members of the Gharial Multi-Task Force; Madras Crocodile Bank (2007). "The Gharial: Going Extinct Again" (PDF). Iguana. 14 (1): 24–33. Archived from the original (PDF) on 2011-07-26. 
  6. Choudhury, B.C. (ed.) (2006). West Asia Regional Report Archived 2013-06-26 at the Wayback Machine.. Crocodile Specialist Group Steering Committee Meeting, 19 June 2006.
  7. Rare Animals of India. ୨୦୧୩-୦୧-୦୧. doi:୧୦.୨୧୭୪/୯୭୮୧୬୦୮୦୫୪୮୫୫୧୧୩୦୧୦୧. 
  8. Brazaitis, P. (2001). A Guide to the Identification of the Living Species of Crocodilians. Science Resource Center, Wildlife Conservation Society
  9. Martin, B. G. H.; Bellairs, A. D’A. (1977). "The narial excrescence and pterygoid bulla of the gharial, Gavialis gangeticus (Crocodilia)". Journal of Zoology. 182 (4): 541–558. doi:10.1111/j.1469-7998.1977.tb04169.x. 
  10. ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ Whitaker, R.; D. Basu (1983). "The Gharial (Gavialis gangeticus): A review". Journal of the Bombay Natural History Society. 79: 531–548. 
  11. ୧୧.୦ ୧୧.୧ ୧୧.୨ ୧୧.୩ ୧୧.୪ ୧୧.୫ GCA (2009). Gharial biology. Gharial Conservation Alliance
  12. Wood, G. L. (ed.) (1983). The Guinness Book of Animal Facts and Feats. Sterling Pub. Co Inc. ISBN 978-0-85112-235-9
  13. Priol, P. (୨୦୦୩). Gharial field study report. Kathmandu: A report submitted to Department of National Parks and Wildlife Conservation. 
  14. Ballouard, J.M.; Priol, P.; Oison, J.; Ciliberti, A. & Cadi, A. (2010). "Does reintroduction stabilize the population of the critically endangered gharial (Gavialis gangeticus, Gavialidae) in Chitwan National Park, Nepal?" (PDF). Aquatic Conservation: Marine and Freshwater Ecosystems 20 (7): 756–761. 
  15. Bustard, H.R. (1983). "Movement of wild Gharial, Gavialis gangeticus (Gmelin) in the River Mahanadi, Orissa (India)". British Journal of Herpetology. 6: 287–291. 
  16. Chowfin, S. (2010). "Crocodilian and freshwater research and conservation project, Uttarakhand, India" (PDF). Crocodile Specialist Group Newsletter 29 (3): 19. 
  17. Choudhary, S. K. (୨୦୧୦). Multi-species Survey in River Gandak, Bihar with focus on Gharial and Ganges River Dolphin. Bhagalpur: T. M. Bhagalpur University. 
  18. Rao, R.J.; Choudhury, B.C. (1990). "Sympatric distribution of Gharial Gavialis gangeticus and Mugger Crocodylus palustris in India". Journal of the Bombay Natural History Society. 89: 313–314. 
  19. Nawab, A.; Basu, D. J.; Yadav, S. K.; Gautam, P. (୨୦୧୩). Sharma, B. K.; Kulshreshtha, S.; Rahmani, A. R., eds. Impact of Mass Mortality of Gharial Gavialis gangeticus (Gmelin, ୧୭୮୯) on its Conservation in the Chambal River in Rajasthan. Springer International Publishing. pp. ୨୨୧–୨୨୯. doi:୧୦.୧୦୦୭/୯୭୮-୩-୩୧୯-୦୧୩୪୫-୯_୯. ISBN ୯୭୮-୩-୩୧୯-୦୧୩୪୪-୨. 
  20. ୨୦.୦ ୨୦.୧ Shrestha, T. K. (୨୦୦୧). Herpetology of Nepal: A study of amphibians and reptiles of Trans-Himalayan Region of Nepal, India, Pakistan and Bhutan. p. ୧୨୦. ISBN ୯୭୮-୯୯୯୩୩୫୧୯୩୧. 
  21. Hussain, S. A. (2009). "Basking site and water depth selection by gharial Gavialis gangeticus Gmelin 1789 (Crocodylia, Reptilia) in National Chambal Sanctuary, India and its implication for river conservation". Aquatic Conservation: Marine and Freshwater Ecosystems. 19 (2): 127–133. doi:10.1002/aqc.960. 
  22. Whitaker, R., Basu, D. and Huchzermeyer, F. (2008). Update on gharial mass mortality in National Chambal Sanctuary. Crocodile Specialist Group Newsletter 27 (1): 4–8.
  23. Gharial Conservation Alliance (2008). Mass Gharial Deaths in Chambal. International Reptile Conservation Foundation, San Jose.
  24. Mallapur, G. (2010). "Gharial Conservation gets a leg-up!". The Madras Crocodile Bank Trust and Center for Herpetology. Archived from the original on 2012-11-19. https://web.archive.org/web/20121119072255/http://www.madrascrocodilebank.org/cms/2010/12/30/gharials/. 
  25. Oppilli, P. (2010). "A sanctuary coming up for ghariyals". The Hindu. http://www.thehindu.com/sci-tech/energy-and-environment/article995890.ece. Retrieved 2010-12-27. 
  26. Zootierliste: Gharial. Retrieved 23 April 2017.
  27. Fougeirol, L. (2009). "Le gavial du Gange, un rêve Archived 2011-02-06 at the Wayback Machine.. www.luc-fougeirol.com
  28. International Species Information System (2011). ISIS Species Holdings: Gavialis gangeticus. Retrieved 24 January 2012.
  29. Vélez-Juarbe, J.; Brochu, C. A.; H. Santos (2007). "A gharial from the Oligocene of Puerto Rico: transoceanic dispersal in the history of a non-marine reptile". Proceedings of the Royal Society. The Royal Society. 274 (1615): 1245–54. doi:10.1098/rspb.2006.0455. PMC 2176176Freely accessible. PMID 17341454. 
  30. "Crocodiles Swam Atlantic?". ABC: KCRG-TV9. 2007. Archived from the original on 2013-05-15. https://web.archive.org/web/20130515045452/http://www.kcrg.com/news/local/6668222.html?m=y&smobile=y. Retrieved 2012-07-02. 
  31. Head, J.J. (2001). "Systematics and body size of the gigantic, enigmatic crocodyloid Rhamphosuchus crassidens, and the faunal history of Siwalik Group (Miocene) crocodylians". Journal of Vertebrate Paleontology. 21 (Supplement to No. 3): 59A. doi:10.1080/02724634.2001.10010852. 
  32. Janke, A.; Gullberg, A.; Hughes, S.; Aggarwal, R. K.; Arnason, U. (2005). "Mitogenomic analyses place the gharial (Gavialis gangeticus) on the crocodile tree and provide pre-K/T divergence times for most crocodilians". Journal of Molecular Evolution. 61 (5): 620–626. Bibcode:2005JMolE..61..620J. doi:10.1007/s00239-004-0336-9. PMID 16211427. 
  33. Harshman, J; Huddleston, C. J.; Bollback, J. P.; Parsons, T. J.; Braun, M. J. (2003). "True and false gharials: A nuclear gene phylogeny of crocodylia" (PDF). Systematic Biology. 52 (3): 386–402. doi:10.1080/10635150309323. PMID 12775527. 
  34. Brochu, C. A. (2003). "Phylogenetic approaches toward crocodylian history" (PDF). Annual Review of Earth and Planetary Sciences. 31: 357–397. Bibcode:2003AREPS..31..357B. doi:10.1146/annurev.earth.31.100901.141308. 
  35. Gatesy, J.; Amato, G. (2008). "The rapid accumulation of consistent molecular support for intergeneric crocodylian relationships". Molecular Phylogenetics and Evolution. 48 (3): 1232–1237. doi:10.1016/j.ympev.2008.02.009. PMID 18372192. 

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]