ଜାତାପୁ

ଉଇକିପିଡ଼ିଆ ରୁ
Jump to navigation Jump to search

ଜାତାପୁ ଭାରତର ଏକ ଅନୁସୂଚିତ ଜନଜାତି[୧] । ଜାତାପୁ ସଂପ୍ରଦାୟ କନ୍ଧ ଜନଜାତିର ଏକ ଗୋଷ୍ଠୀ ଏବଂ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶଓଡ଼ିଶାରେ ବସବାସ କରନ୍ତି ।[୨] ଆନ୍ଧ୍ର ପ୍ରଦେଶରେ ପାହାଡ଼ରେ ବସବାସ କରୁଥିବା ଜାତାପୁମାନେ କୁଇ ଏବଂ ସମତଳ ଅଞ୍ଚଳରେ ରହୁଥିବା ଜାତାପୁମାନେ ତେଲୁଗୁ କହନ୍ତି । ମୁଖ୍ୟତଃ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଏବଂ ବିଜୟନଗରମ ଜିଲ୍ଲାରେ ରହୁଥିବା ଏହି ଜନଜାତି ସମୟକ୍ରମେ ଭିନ୍ନ ଭିନ୍ନ ବଂଶରେ ବିଭକ୍ତ ହୋଇ ଏବଂ ଜାତାପୁ ଦୋରା ଏବଂ ସାମନ୍ତୁଲୁ ଇତ୍ୟାଦି ନାମରେ ଜଣାଶୁଣା [୩]। ସେମାନେ ଦକ୍ଷିଣ ଓଡ଼ିଶାରେ ଅବିଭକ୍ତ କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଏବଂ ପାହାଡ଼ର ପାଦ ଦେଶରେ ରହନ୍ତି ।

ସଂସ୍କୃତି[ସମ୍ପାଦନା]

ଭାଷା[ସମ୍ପାଦନା]

କୋରାପୁଟ ଜିଲ୍ଲାର କନ୍ଧମାନଙ୍କର ଭାଷା କୁଇ ଜାତାପୁମାନଙ୍କର କଥିତ ଭାଷା । ଏହାଛଡ଼ା ଓଡ଼ିଶାବାସୀ ଜାତାପୁମାନେ ଓଡ଼ିଆ ମଧ୍ୟ ବ୍ୟବହାର କରନ୍ତି । ଆନ୍ଧ୍ର ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଜାତାପୁମାନେ କୁଇ ବ୍ୟତୀତ ତେଲୁଗୁ ମଧ୍ୟ ବ୍ୟବହାର କରନ୍ତି ।

ଘର ତିଆରି[ସମ୍ପାଦନା]

ଜାତାପୁମାନେ ସାଧାରଣତଃ ପୋଙ୍ଗଲ ପର୍ବ ପାଳନ ପରେ ସେମାନଙ୍କର ନୂଆ ଘର ତିଆରି ଆରମ୍ଭ କରନ୍ତି । ଜଣେ ଡିସାରୀ (ପୂଜାରୀ) ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଶୁଭ ମୁହୂର୍ତ୍ତ ଠିକ୍ କରିଥାନ୍ତି । ପ୍ରାୟତଃ ବୁଧବାର ଦିନ ଗୃହ କର୍ମର ଶୁଭକର୍ମ ଭାବେ ଗୃହର ବ୍ରହ୍ମ ସ୍ତମ୍ଭ (ମୁଖ୍ୟ ସ୍ତମ୍ଭ) ଗୃହ ମଧ୍ୟ ସ୍ଥଳରେ ଆନୁଷ୍ଠାନିକ ଭାବରେ ସ୍ଥାପିତ ହୁଏ । ଘର ନିର୍ମାଣ ସାମଗ୍ରୀ ଯଥା କାଠ, ବାଉଁଶ, କାଦୁଅ, ସିଆଳି ଲତାର ଦଉଡ଼ି (ଲହି) ଏବଂ ଛଣ ଆଦି ପାରମ୍ପାରିକ ଭାବେ ବ୍ୟବହାର ହୋଇଆସୁତିବା ବେଳେ ଅଧୁନା ଇଟା ବ୍ୟବହାର ହେଉଛି ।

ଦୁଇ କୋଠରୀବିଶିଷ୍ଟ ଘରଗୁଡ଼ିକ ଆକୃତିର ଆୟତାକାର ହେବା ସହ ଉଭୟ ଆଗ ଏବଂ ପଛ ପାର୍ଶ୍ୱ ଚଉଡ଼ା ବାରଣ୍ଡାଯୁକ୍ତ ଏବଂ ଉଚ୍ଚ ପିଣ୍ଡାରେ ଅବସ୍ଥିତ ହୋଇଥାଏ । ଘରଗୁଡ଼ିକ ସାଧାରଣତଃ ପୂର୍ବ ଆଡକୁ ମୁହାଁଇଥାଏ । କବାଟଗୁଡ଼ିକ କାଠରେ ତିଆରି କିମ୍ବା କାଦୁଅମଖା ବାଉଁଶରେ ତିଆରି । କାନ୍ଥଗୁଡ଼ିକ ରଙ୍ଗମାଟି ସହିତ ସଫା ଭାବରେ ପାଲିସ ହୋଇଥାଏ ।

ବଡ଼ କୋଠରୀକୁ ବାସଗୃହ ଭାବରେ ବ୍ୟବହାର କରାଯାଏ ଏବଂ ଫସଲ ସାଇତି ରଖିବା ପାଇଁ ଛୋଟଛୋଟ କୋଠରୀ ବ୍ୟବହାର କରାଯାଏ । ବାୟୁ ଚଳାଚଳ ପାଇଁ ଘରର କୌଣସି ଝରକା ନ ଥାଏ । ଜାତାପୁମାନେ ନିଜ ଗୃହପାଳିତ ପଶୁମାନଙ୍କୁ ଘର ପଛପଟରେ ଏକ ଅଲଗା ଗୁହାଳରେ ରଖନ୍ତି । ଜାତାପୁଘରେ ସେମାନେ ସ୍ତ୍ରୀମାନଙ୍କର ଋତୁସ୍ରାବ ସମୟରେ ପଛ ବାରଣ୍ଡାରେ ରହିବା ପାଇଁ ଏକ ପୃଥକ ବିଭାଗ ନିର୍ମାଣ କରିଥାନ୍ତି ।

ଜାତାପୁମାନେ ସୀମିତ ଘରୋଇ ସମ୍ପତ୍ତି ଧରି ବସବାସ କରିଥାନ୍ତି । ଘରକରଣା ସାମଗ୍ରୀ ଭାବେ କିଛି ସିଲଭର (ଆଲୁମିନିୟମ) ବାସନକୁସନ, କିଛି ମାଟି ସାମଗ୍ରୀ ଓ ଲାଉତୁମ୍ବା ବା ଡଙ୍କି ବ୍ୟବହାର କରିଥାନ୍ତି । ଚୁଲି ନିକଟରେ ଥିବା ରୋଷେଇ ଘରେ ସାଧାରଣତଃ ସେମାନେ ଏସବୁ ରଖିଥାନ୍ତି ।

ବିବାହ[ସମ୍ପାଦନା]

ଜାତାପୁ ପରିବାର ସଧାରଣତଃ ପିତୃକୈନ୍ଦ୍ରିକ ହୋଇଥାଏ । ବିବାହ ମଧ୍ୟରେ ନିର୍ବନ୍ଧ-ବିବାହ ସାଧାରଣ ଏବଂ ସମଗୋତ୍ରୀ ବିବାହ ହେଉଛି ସବୁଠାରୁ ପସନ୍ଦଯୋଗ୍ୟ ବିବାହ । ତେବେ ବିବାହ କରିବାର ଅନ୍ୟ ଉପାୟଗୁଡ଼ିକ ହେଉଛି ଇଲାରାକାଓଁ (ବର କନ୍ୟାଘରେ ରହିଯିବା), ମାଗାନାଲୀ (ବର ସହ କନ୍ୟାର ପଳାୟନ) ଏବଂ କନ୍ୟା ବଦଳରେ ଦ୍ରବ୍ୟ ବିନିମୟ କରିବା । ଜାତାପୁ ସଂପ୍ରଦାୟରେ ଛାଡ଼ପତ୍ର, ବିଧବା ବିବାହ ଏବଂ ଛାଡପତ୍ର ହୋଇଥିବା ସ୍ତ୍ରୀର ପୁନଃବିବାହ ଅନୁମତିପ୍ରାପ୍ତ ଓ ବହୁବିବାହ ବିରୋଧରେ କୌଣସି ପ୍ରତିବନ୍ଧକ ନାହିଁ । ତେବେ ଏହିପରି ଉଦାହରଣ ଖୁବ କମ । ବିବାହ ବେଳେ ଓଲି (ବର ମୂଲ୍ୟ) ନଗଦ ଆକାରରେ ଦିଆଯାଏ । ଜାତାପୁ ସମାଜରେ ଛୋଟ ପରିବାର ବହୁ ପ୍ରଚଳିତ । କେତେକ କ୍ଷେତ୍ରରେ ବହୁବିବାହ ଏବଂ ବିସ୍ତାରିତ ପରିବାର ମଧ୍ୟ ଦେଖିବାକୁ ମିଳିଥାଏ ।[୪]

ଅନ୍ତିମ ସଂସ୍କାର ପ୍ରଥା[ସମ୍ପାଦନା]

ଜାତାପୁମାନେ ସାଧାରଣତଃ ମୃତ ବ୍ୟକ୍ତିଙ୍କ ଶବଦାହ କରନ୍ତି । କିନ୍ତୁ ସାପ କାମୁଡ଼ିବା, ହଇଜା, ବସନ୍ତ ତଥା ବଣୁଆ ଜନ୍ତୁର ଆକ୍ରମଣ ଇତ୍ୟାଦି କାରଣରୁ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ସମାଧି ଦିଅନ୍ତି । ଜାତାପୁମାନଙ୍କର ବିଶ୍ୱାସ ଯେ ମୃତ୍ୟୁ କେବଳ ସମ୍ପୃକ୍ତ ପରିବାର କିମ୍ବା ବଂଶକୁ ନୁହେଁ ବରଂ ଗାଁର ସମସ୍ତ ଲୋକଙ୍କୁ ମଧ୍ୟ ପ୍ରଦୂଷିତ କରିଥାଏ । ମୃତ୍ୟୁର ତିନି ଦିନ ଯାଏଁ ଶୋକ ପାଳନ କରାଯାଏ ଏବଂ ଚତୁର୍ଥ ଦିନରେ ଅନ୍ତିମ ସଂସ୍କାର ବିଧି ପାଳିତ ହୁଏ ।

ପୂଜା ବିଧି[ସମ୍ପାଦନା]

ଜାତାପୁମାନେ ଜାକେରୀ କିମ୍ବା ସାକେରୀ ପେନୁଙ୍କୁ (କୁଇ ଭାଷାରେ ପେନୁ ଅର୍ଥ-ଦେବତା) ନିଜର ଈଷ୍ଟ ଦେବତା ଏବଂ ଗ୍ରାମ ଦେବତା ଭାବରେ ପୂଜା କରନ୍ତି । ଜାତାପୁ ସମ୍ପ୍ରଦାୟରେ ପିତୃପୁରୁଷଙ୍କ ଉପାସନା ପରମ୍ପରା ରହିଛି । ପୂଣ୍ୟ ପର୍ବରେ ସେମାନେ ଡିସାରୀ, ଜାନି (ପୂଜାରୀ) ଏବଂ ଗ୍ରାମ ସ୍ତରରେ ନାୟକ କିମ୍ବା ଦୋରାଙ୍କଦ୍ୱାରା ପାରମ୍ପାରିକ ଭାବେ କାର୍ଯ୍ୟ କରନ୍ତି ।[୫]

ପୋଷାକ[ସମ୍ପାଦନା]

ଜାତାପୁ ମହିଳାମାନେ ନିଜକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାରର ଅଳଙ୍କାରରେ ନିଜକୁ ସଜାଇଥାନ୍ତି । ସେମାନେ ପିନ୍ଧୁଥିବା ବିଭିନ୍ନ ଅଳଙ୍କାର ମଧ୍ୟରେ ପୁସ୍ତି, ପାଟିଲିତିଗି ବେକର ଅଳଙ୍କାର ଏବଂ ନାଗୁଲ, ଏବଂ ବାଗାଡୁଲୁ କାନଗହଣା ଭାବେ ଅନ୍ୟତମ । ମହିଳାମାନେ ନାକରେ କାନିଶ କାମୁଲୁ, ବିଭିନ୍ନ ପ୍ରକାରର ପୁରୁଣା ମୁଦ୍ରାରେ ତିଆରି ମୁଦି, ହାତଗୋଡ଼ରେ ରଙ୍ଗୀନ କାଚ ଏବଂ ରୂପାର ଶୃଙ୍ଖଳା ପାଟି ମଧ୍ୟ ପିନ୍ଧନ୍ତି । ଉତ୍ସବ ସମୟରେ ସେମାନେ କାମି, ଗୁଣ୍ଡୁ ଏବଂ ପୁସାପୁରୁ ଭଳି ସ୍ୱତନ୍ତ୍ର ଅଳଙ୍କାର ମଧ୍ୟ ପିନ୍ଧିଥାନ୍ତି । ମହିଳାମାନେ ନିଜ ଶରୀରରେ ହଲଦୀ ଲଗାଇବାକୁ ଭଲ ପାଆନ୍ତି ଏବଂ କେଶରେ ଜଡ଼ାତେଲ ଲଗାଇଥାନ୍ତି ।

ଜନସଂଖ୍ୟା[ସମ୍ପାଦନା]

ଓଡ଼ିଶାରେ ଜାତାପୁମାନେ ଏକ ସଂଖ୍ୟାଲଘୁ ସଂପ୍ରଦାୟ । ୨୦୦୧ ଜନଗଣନାରେ ଓଡ଼ିଶାରେ ସମୁଦାୟ ଜନସଂଖ୍ୟା ୧୩,୮୦୪ ଜଣ ଜାତାପୁ ଥିଲେ । ଏଥି ମଧ୍ୟରୁ ୬,୮୩୨ ଜଣ ପୁରୁଷ ଏବଂ ୬,୯୭୨ ଜଣ ମହିଳା ଥିବା ବେଳେ ପ୍ରତି ୧୦୦୦ ପୁରୁଷ ଅନୁପାତରେ ୧୦୨୦ ମହିଳା ଥିଲେ । ୧୯୯୧ରୁ ୨୦୦୧ ଜନଗଣନା ମଧ୍ୟରେ ଓଡ଼ିଶାରେ ଜାତାପୁମାନଙ୍କ ଜନସଂଖ୍ୟା ୫୧.୦୪% ବଢ଼ିଥିବା ପଞ୍ଜୀକରଣ ହୋଇଥିଲା । ସମ୍ଭବତଃ ରାଜ୍ୟର ସୀମା ଦେଇ ସ୍ଥାନାନ୍ତରଣ ଏହାର ଏକ କାରଣ । ଜାତାପୁ ସମାଜରେ ସାକ୍ଷରତା ହାର ୩୨.୩୨% । ଏଥିରୁ ପୁରୁଷ ସାକ୍ଷରତା ହାର ୪୬.୦୨% ଏବଂ ମହିଳା ୧୯.୦୪% ।[୫]

ଆଧାର[ସମ୍ପାଦନା]

  1. "Wayback Machine" (PDF). web.archive.org. 7 November 2013. Retrieved 3 December 2020. Cite uses generic title (help)
  2. "Odisha State Tribal Museum | Jatapu". www.ostm.in. Retrieved 2 December 2020.
  3. "Jatapu language and alphabet". omniglot.com. Retrieved 2 December 2020.
  4. "JATAPU" (PDF). www.kbk.nic.in. Retrieved 4 December 2020.
  5. ୫.୦ ୫.୧ "JATAPU" (PDF). www.tribal.nic.in. Retrieved 3 December 2020.