ଛାଡ଼ପତ୍ର

ଉଇକିପିଡ଼ିଆ‌ରୁ
Jump to navigation Jump to search

ବିବାହ ବିଚ୍ଛେଦ ବା ଛାଡପତ୍ର ହେଉଛି ଏକ ଆଇନଗତ ପ୍ରକ୍ରିୟା ଯେଉଁଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୈବାହିକ ସମ୍ପର୍କର ଅବସାନ ଘଟେ । ଏଥିପାଇଁ ଯେ କୋଉଣସି ପକ୍ଷ କିମ୍ବା ଉଭୟ ପକ୍ଷ (ପରସ୍ପର ସମ୍ମତି କ୍ରମେ) ଅଦାଲତର ଆଶ୍ରୟ ନେଇପାରିବେ ଏବଂ ଅଦାଲତି ପ୍ରକ୍ରୀୟା ମାଧ୍ୟମରେ ଉପଯୁକ୍ତ ସ୍ଥଳେ ଛାଡପତ୍ର ବା ବିବାହ ବିଚ୍ଛେଦର ଏକ ଡିକ୍ରୀ ହାସଲ କରିପାରିବେ ।

ଇତିହାସ[ସମ୍ପାଦନା]

ଛାଡପତ୍ର ବ୍ୟବସ୍ଥା ବିବାହ ବା ତତ୍ ସମ୍ପର୍କୀୟ ଆଇନ ସହ ଓତୋପ୍ରୋତଃ ଭାବେ ଜଡ଼ିତ । ବିଭିନ୍ନ ଧର୍ମରେ ବିବାହ ତଥା ଛାଡପତ୍ରର ମହତ୍ତ୍ୱ ଅଲଗା । ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ଏବଂ ଦଶବିଧ ସଂସ୍କାର ମଧ୍ୟରେ ଅନ୍ୟତମ ଭାବେ ମାନ୍ୟତା ଥିବାବେଳେ ଅନ୍ୟ କେତେକ ଧର୍ମରେ ବିବାହ ହେଉଛି ମାତ୍ର ଏକ ସାମାଜିକ ଅନୁବନ୍ଧ । ବ୍ରିଟିଶ ଶାସନ କାଳରେ ହିନ୍ଦୁ, ବୌଦ୍ଧ , ଶିଖ, ଜୈନ୍ ତଥା ମୁସଲିମ ଓ ପାର୍ସୀମାନଙ୍କର ପରମ୍ପରାଗତ ବୈବାହିକ ଅନୁଷ୍ଠାନରେ କୌଣସି ପ୍ରକାର ହସ୍ତକ୍ଷେପ ହୋଇ ନ ଥିଲା । ବରଂ ସ୍ୱତନ୍ତ୍ର ବିବାହ ଅଧିନିୟମ ଜରିଆରେ ସେମାନେ ଏସବୁ ପରମ୍ପରାରେ ବିଶ୍ୱାସ କରୁ ନ ଥିବା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଦିଆଗଲା । ଏହା ବ୍ୟତୀତ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ମାନଙ୍କ ପାଇଁ 'The Divorce Act, 1869'ରେ ବିବାହ ବିଚ୍ଛେଦ ବା ଛାଡପତ୍ର ବ୍ୟବସ୍ଥା ରହିଲା ।

ପ୍ରାଥମିକ ଅବସ୍ଥାରେ ସ୍ୱତନ୍ତ୍ର ବିବାହ ଅଧିନିୟମରେ ଛାଡପତ୍ରର ବ୍ୟବସ୍ଥା ନ ଥିଲେ ବି, 'The Divorce Act, 1869'ର ପ୍ରାବଧାନ ପ୍ରକାରେ ଏହିମାନେ ଛାଡପତ୍ର ଡିକ୍ରୀ ହାସଲ କରିପାରିବେ ବୋଲି ଆଇନଗତ ବ୍ୟବସ୍ଥା ରହିଲା ।

ବିଭିନ୍ନ ଆଇନରେ ବିବାହ ବିଚ୍ଛେଦ[ସମ୍ପାଦନା]

ହିନ୍ଦୁ ଆଇନରେ ବିବାହ ବିଚ୍ଛେଦ[ସମ୍ପାଦନା]

ହିନ୍ଦୁ ବୈଦିକ ରୀତି ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ ଏବଂ ଦଶବିଧ ସଂସ୍କାର (ଗର୍ଭାଧାନ, ପୁଂସବନ, ସୀମାନ୍ତୋନ୍ନୟନ, ଜାତକର୍ମ, ନାମକରଣ, ଅନ୍ନପ୍ରାଶନ, ମୁଣ୍ଡନ, ଉପନୟନ, ସମାବର୍ତ୍ତନ, ବିବାହ) ମଧ୍ୟରେ ଅନ୍ୟତମ । ହିନ୍ଦୁ ଶାସ୍ତ୍ରମତେ ଚାରି ପୁରୁଷାର୍ଥ ଯଥା; ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ଲାଭ କରିବା ହେଉଛି ବ୍ୟକ୍ତିର ଅନ୍ତିମ ଲକ୍ଷ ଏବଂ ପ୍ରଥମ ତିନି ପୁରୁଷାର୍ଥ ହିଁ ପରିଶେଷରେ ଶେଷ ପୁରୁଷାର୍ଥ ତଥା ଅନ୍ତିମ ଲକ୍ଷ(ମୋକ୍ଷ) ପାଇଁଁ ମାର୍ଗ ପ୍ରଶସ୍ତ କରିଥାଏ । ଏହି କ୍ରମରେ ବିବାହ ମାଧ୍ୟମରେ ହିଁ କାମ ବାସନାର ନୈତିକ ଚରିତାର୍ଥ ହେବା ସହିତ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମୋକ୍ଷ ଆଡକୁ ଗତି ସହଜ ଏବଂ ସୁଗମ ହୋଇଥାଏ । ଏହାଛଡା ବିବାହ ଏକ ବ୍ୟକ୍ତିଗତ ବ୍ୟାପାର ହୋଇଥିବା ଯୋଗୁଁଁ ସରକାରୀ ଆଇନକାନୁନ ଉର୍ଦ୍ଧ୍ୱରେ ଥିଲା । ତେବେ, ପରବର୍ତ୍ତୀ ସମୟରେ ବୈଦିକ ଧର୍ମରେ କୁସଂସ୍କାରର ପ୍ରବେଶ ଯୋଗୁଁଁ ବିବାହ ସମ୍ପର୍କିତ ବ୍ୟାପାରରେ ସ୍ୱାମୀ ଏବଂ ସ୍ତ୍ରୀର କର୍ତ୍ତବ୍ୟ ତଥା ଅଧିକାର ସ୍ପଷ୍ଟ କରିବା ସହ ଛାଡପତ୍ର ବା ବିବାହ ବିଛେଦ ବ୍ୟବସ୍ଥାର ଆବଶ୍ୟକତା ଅନୁଭୂତ ହେଲା । ହିନ୍ଦୁ ଶାସ୍ତ୍ରୀୟ ବିବାହର ଅନେକ ରୀତିନୀତିକୁ ସମ୍ମାନ ଦେବା ସହ ବିବାହ ବିଛେଦ ବ୍ୟବସ୍ଥାକୁ ଯୋଡି ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ପ୍ରଣୀତ କରାଗଲା ।[୧] ଉକ୍ତ ଅଧିନିୟମର ଧାରା ୧୩ରେ ବିବାହ ବିଚ୍ଛେଦ ପ୍ରାବଧାନ ରହିଛି । ବିବାହ ବିଚ୍ଛେଦ ନିମନ୍ତେ ଆବେଦନ ନିମନ୍ତେ ଯେଉଁଁସବୁ ଆଇନଗତ କାରଣ ଅନିବାର୍ଯ୍ୟ, ସେଗୁଡିକ ହେଉଛି;

  • ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଜଣେ ଅନ୍ୟପ୍ରତି ନିଷ୍ଠୁରତା ଆଚରଣ,
  • ବିବାହ ପରେ ଇଚ୍ଛାକୃତ ଭାବେ ଅନ୍ୟ ସ୍ତ୍ରୀ କିମ୍ବା ପୁରୁଷ ସହ ବ୍ୟଭିଚାରରେ ଲିପ୍ତ ହେବା,
  • କମ୍ ସେ କମ୍ ଦୁଇ ବର୍ଷ ପାଇଁଁ ଜୀବନସାଥୀଠାରୁ ଇଚ୍ଛାକୃତ ଭାବେ ଦୂରେଇ ରହିବା,
  • ଧର୍ମ ପରିବର୍ତ୍ତନ,
  • ଚିକିତ୍ସାଦ୍ୱାରା ଭଲ ହୋଇ ପାରୁ ନ ଥିବା ମାନସିକ ରୋଗ,
  • କୁଷ୍ଠ ତଥା ଯୌନରୋଗ ସଂକ୍ରମଣ,(ତେବେ ୨୦୧୯ ମସିହାରେ ଭାରତରେ ପାରିତ ଏକ ସଂଶୋଧନ ଅଧିନିୟମଦ୍ୱାରା ଏଣିକି କୁଷ୍ଠ ରୋଗ ବିବାହ ବିଛେଦ ନିମିତ୍ତ ଏକ ଆଇନଗତ କାରଣ ହୋଇପାରିବ ନାହିଁ ।)[୨]
  • ସନ୍ନ୍ୟାସ ଗ୍ରହଣ,
  • ଅନ୍ତତଃ ସାତ ବର୍ଷ ପର୍ଯ୍ୟନ୍ତ ଫେରାର ରହିବା ଇତ୍ୟାଦି
ଏହାଛଡା ନିକଟ ଅତୀତରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ଏକ ନିର୍ଦ୍ଦେଶ ଅନୁଯାୟୀ, ସ୍ତ୍ରୀ ଯଦି ସ୍ୱାମୀଙ୍କୁ ତାଙ୍କ ବୃଦ୍ଧ ପିତାମାତାଙ୍କଠାରୁ ଅଲଗା ହେବାପାଇଁଁ ବାଧ୍ୟ କରୁଥାଏ, ତେବେ ତାହା ମଧ୍ୟ ବିବାହ ବିଚ୍ଛେଦ ନିମନ୍ତେ ଏକ ଯୁକ୍ତିଯୁକ୍ତ କାରଣ ହୋଇପାରିବ ।[୩][୪]
ଉକ୍ତ ଅଧିନିୟମର ଧାରା ୧୩(ଖ) ଅନୁଯାୟୀ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରର ସମ୍ମତି କ୍ରମେ ବିବାହ ବିଚ୍ଛେଦ ପାଇଁଁ ଆବେଦନ କରିପାରିବେ । ତେବେ ବିବାହର ଅନ୍ତତଃ ଏକବର୍ଷ ପରେ ହିଁଁ ଏଭଳି ଆବେଦନ କରାଯାଇପାରିବ । ଆବେଦନ କରିବା ପରେ ଉଭୟ ପକ୍ଷଙ୍କୁ ନିଜ ନିଷ୍ପତ୍ତିର ପୁନଃବିଚାର କରିବା ନିମନ୍ତେ ଛଅ ମାସର ବାଧ୍ୟତାମୂଳକ ଅବଧି ଦିଆଯାଇଥାଏ । ଏହି ସମୟ ପରେ ହିଁ ପରସ୍ପର ସମ୍ମତି ସୂଚକ ବିବାହ ବିଚ୍ଛେଦ ବିଚାର କରାଯାଇଥାଏ । ତେବେ ଆବଶ୍ୟକ ସ୍ଥଳେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହି ଛଅ ମାସ ଅବଧି କମାଇ ଦିଆଯାଇପାରିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।[୫]

ସ୍ୱତନ୍ତ୍ର ବିବାହ ଅଧିନିୟମରେ ବିବାହ ବିଚ୍ଛେଦ[ସମ୍ପାଦନା]

ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪ର ଧାରା ୨୭ରେ ବିବାହ ବିଚ୍ଛେଦ ପାଇଁ ପ୍ରାବଧାନ ରହିଛି । ଏହି ଧାରା ଅନୁସାରେ ବିବାହ ବିଚ୍ଛେଦ ନିମିତ୍ତ ଆବେଦନ ନିମନ୍ତେ ଯେଉଁଁସବୁ ଆଇନଗତ କାରଣ ଅନିବାର୍ଯ୍ୟ, ସେଗୁଡିକ ହେଉଛି;

  • ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଜଣେ ଅନ୍ୟପ୍ରତି ନିଷ୍ଠୁରତା ଆଚରଣ,
  • ବିବାହ ପରେ ଇଚ୍ଛାକୃତ ଭାବେ ଅନ୍ୟ ସ୍ତ୍ରୀ କିମ୍ବା ପୁରୁଷ ସହ ବ୍ୟଭିଚାରରେ ଲିପ୍ତ ହେବା,
  • କମ୍ ସେ କମ୍ ଦୁଇ ବର୍ଷ ପାଇଁଁ ଜୀବନସାଥୀଠାରୁ ଇଚ୍ଛାକୃତ ଭାବେ ଦୂରେଇ ରହିବା,
  • ଚିକିତ୍ସାଦ୍ୱାରା ଭଲ ହୋଇ ପାରୁ ନ ଥିବା ମାନସିକ ରୋଗଦ୍ୱାରା ଆକ୍ରାନ୍ତ ହେବା,
  • କୁଷ୍ଠ ତଥା ଯୌନରୋଗ ସଂକ୍ରମଣ,(ତେବେ ୨୦୧୯ ମସିହାରେ ଭାରତରେ ପାରିତ ଏକ ସଂଶୋଧନ ଅଧିନିୟମଦ୍ୱାରା ଏଣିକି କୁଷ୍ଠ ରୋଗ ବିବାହ ବିଛେଦ ନିମିତ୍ତ ଏକ ଆଇନଗତ କାରଣ ହୋଇପାରିବ ନାହିଁ ।)[୨]
  • ଭାରତୀୟ ଦଣ୍ଡ ସଂହିତା ପ୍ରକାରେ ଏକ ଅପରାଧ ପାଇଁଁ ଦୋଷୀ ସାବ୍ୟସ୍ତ ହୋଇ ଅନ୍ତତଃ ସାତ ବର୍ଷ କିମ୍ବା ତଦୁର୍ଦ୍ଧ ସମୟ ପାଇଁଁ କାରାବଦ୍ଧ ହୋଇଥିବେ
  • ଅନ୍ତତଃ ସାତ ବର୍ଷ ପର୍ଯ୍ୟନ୍ତ ଫେରାର ରହିବା ଇତ୍ୟାଦି

ଉକ୍ତ ଅଧିନିୟମର ଧାରା ୨୮(କ୍) ଅନୁଯାୟୀ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରର ସମ୍ମତି କ୍ରମେ ବିବାହ ବିଚ୍ଛେଦ ପାଇଁଁ ଆବେଦନ କରିପାରିବେ । ତେବେ ବିବାହର ଅନ୍ତତଃ ଏକବର୍ଷ ପରେ ହିଁଁ ଏଭଳି ଆବେଦନ କରାଯାଇପାରିବ । ଆବେଦନ କରିବା ପରେ ଉଭୟ ପକ୍ଷଙ୍କୁ ନିଜ ନିଷ୍ପତ୍ତିର ପୁନଃବିଚାର କରିବା ନିମନ୍ତେ ଛଅ ମାସର ବାଧ୍ୟତାମୂଳକ ଅବଧି ଦିଆଯାଇଥାଏ । ଏହି ସମୟ ପରେ ହିଁ ପରସ୍ପର ସମ୍ମତି ସୂଚକ ବିବାହ ବିଚ୍ଛେଦ ବିଚାର କରାଯାଇଥାଏ । ତେବେ ଆବଶ୍ୟକ ସ୍ଥଳେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହି ଛଅ ମାସ ଅବଧି କମାଇ ଦିଆଯାଇପାରିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ମୁସଲିମ ବ୍ୟକ୍ତିଗତ ଆଇନରେ ବିବାହ ବିଚ୍ଛେଦ[ସମ୍ପାଦନା]

ମୁସଲିମ ବ୍ୟକ୍ତିଗତ ଆଇନ ବିବାହ ବିଚ୍ଛେଦ ପାଇଁ ଯେଉଁ ପ୍ରାବଧାନ ରହିଛି ତଦନୁସାରେ ସ୍ୱାମୀ ତାର ଇଛାନୁସାର ଅର୍ଥାତ କୋଉଣସି ଯୁକ୍ତି ଯୁକ୍ତ କାରଣ ନ ଥାଇ ବି ସ୍ତ୍ରୀକୁ ଛାଡପତ୍ର ଦେଇପାରିବ । ଏ ସମ୍ପର୍କିତ ମୁସଲିମ ଆଇନରେ ବିବାହ ବିଚ୍ଛେଦ ଦୁଇ ପ୍ରକାର ହୋଇପାରିବ, ଯଥା,[୬]

୧) ନ୍ୟାୟୀକ ବିବାହ ବିଚ୍ଛେଦ

"ମୁସଲିମ ବିବାହ ଅଧିନିୟମ ୧୯୩୯"ର ଧାରା ୨ର ବ୍ୟବସ୍ଥା ଅନୁଯାୟୀ: ଜଣେ ବିବାହିତ ମୁସଲମାନ ମହିଳା ନିମ୍ନଲିଖିତ କାରଣରୁ ଯେକୌଣସି ଗୋଟିଏ କିମ୍ବା ଅଧିକ କାରଣରୁ ତାଙ୍କ ବିବାହ ବିଚ୍ଛେଦ ବା ଛାଡପତ୍ର ପାଇଁ ଏକ ଡ଼ିକ୍ରୀ ପାଇବାକୁ ହକଦାର ହେବେ ।[୭]

  • ଅନ୍ତତଃ ଚାରି ବର୍ଷ ଧରି ସ୍ୱାମୀ ଫେରାର ଅଛନ୍ତି ବା ସେ କେଉଁଠାରେ ଅଛି ତାହା ଜଣା ପଡିନାହିଁ ।
  • ଅନ୍ତତଃ ଦୁଇ ବର୍ଷ ଧରି ସ୍ୱାମୀ ସ୍ତ୍ରୀର ଭରଣ ପୋଷଣ ତଥା ରକ୍ଷଣାବେକ୍ଷଣ ପାଇଁ ଅବହେଳା କରିଛନ୍ତି କିମ୍ବା ବିଫଳ ହୋଇଛନ୍ତି ।
  • ଯଦି ସ୍ୱାମୀଙ୍କୁ ସାତ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
  • ଯୁକ୍ତିଯୁକ୍ତ କାରଣ ବିନା ସ୍ୱାମୀ ତିନି ବର୍ଷ ପାଇଁ ତାଙ୍କର ପତିଧର୍ମ ପାଳନ କରିବାରେ ବିଫଳ ହୋଇଛନ୍ତି
  • ଯଦି ବିବାହ ସମୟରେ ସ୍ୱାମୀ ଯୌନଅକ୍ଷମ ଥିଲେ ଏବଂ ସେପରି ରହିଆସିଛନ୍ତି
  • ଯଦି ସ୍ୱାମୀ ଦୁଇ ବର୍ଷ ଧରି ପାଗଳ ହୋଇଥା’ନ୍ତି କିମ୍ବା କୁଷ୍ଠରୋଗ କିମ୍ବା ଏକ ଭୂତାଣୁ ଜନିତ ରୋଗରେ ପୀଡ଼ିତ(ତେବେ ୨୦୧୯ ମସିହାରେ ଭାରତରେ ପାରିତ ଏକ ସଂଶୋଧନ ଅଧିନିୟମଦ୍ୱାରା ଏଣିକି କୁଷ୍ଠ ରୋଗ ବିବାହ ବିଛେଦ ନିମିତ୍ତ ଏକ ଆଇନଗତ କାରଣ ହୋଇପାରିବ ନାହିଁ ।)[୨]
  • ଯଦି ସ୍ୱାମୀ ତାଙ୍କୁ ନିଷ୍ଠୁର ବ୍ୟବହାର କରନ୍ତି |

୨) ଅଣ ନ୍ୟାୟୀକ ବିବାହ ବିଚ୍ଛେଦ

ମୁସଲିମ ସଂପ୍ରଦାୟରେ ଅଣନ୍ୟାୟୀକ ବିବାହ ବିଛେଦ ନିମ୍ନ ତିନି ପ୍ରକାରେ ହୋଇଥାଏ; ଯଥା

  • ସ୍ୱାମୀ ଦ୍ୱାରା- ତଲାକ୍, ଇଲା, ଏବଂ ଜିହାର

ତେବେ ତଲାକ୍‌ର ବିଭିନ୍ନ ପ୍ରକାର ମଧ୍ୟରୁ ତିନି ତଲାକ ବା 'ତଲାକ୍‌ ଏ ବିଦତ୍' ଭାରତର ଉଚ୍ଚତମ ନ୍ୟାୟାଳୟଙ୍କଦ୍ୱାରା ଆଇନଗତ ଭାବେ ଅସିଦ୍ଧ ଘୋଷଣା କରାଯାଇଛି ।[୮][୯]

  • ପତ୍ନୀଦ୍ୱାରା -ତଲାକ୍-ଇ-ତଫୱିଜ୍ ଏବଂ ଲିଆନ୍
  • ପାରସ୍ପରିକ ସହମତି ଚୁକ୍ତିଦ୍ୱାରା - ଖୁଲା ଏବଂ ମୁବାରତ୍‌

ପାର୍ସୀ ଆଇନରେ ବିବାହ ବିଚ୍ଛେଦ[ସମ୍ପାଦନା]

Parsi Marriage and Divorce Act, I936ର ଧାରା ୩୨ରେ ବିବାହ ବିଚ୍ଛେଦ ପ୍ରାବଧାନ ରହିଛି । ବିବାହ ବିଚ୍ଛେଦ ନିମନ୍ତେ ଆବେଦନ ନିମନ୍ତେ ଯେଉଁଁସବୁ ଆଇନଗତ କାରଣ ଅନିବାର୍ଯ୍ୟ, ସେଗୁଡିକ ହେଉଛି;[୧୦]

୧) ବିବାହର ଏକବର୍ଷ ମଧ୍ୟରେ ସ୍ତ୍ରୀର ଅନିଚ୍ଛା ଯୋଗୁଁ ଉଭୟଙ୍କ ମଧ୍ୟରେ ସମ୍ଭୋଗ ହୋଇପାରିନାହିଁ ,

୨) ବିବାହ ସମୟରେ ସ୍ତ୍ରୀ ବା ପ୍ରତିବାଦୀ ମାନସିକ ବିକାରଗ୍ରସ୍ତ ଥିଲା ଏବଂ ବର୍ତ୍ତମାନ ସୁଦ୍ଧା ମାନସିକ ବିକାରଗ୍ରସ୍ତ ଅଛି,

୩) ସ୍ତ୍ରୀ ବିବାହ ସମୟରେ ସ୍ୱାମୀ ବ୍ୟତୀତ ଅନ୍ୟ କାହା ସମ୍ପର୍କ ଯୋଗୁଁ ଗର୍ଭବତୀ ଥିଲା,

୪) ସ୍ତ୍ରୀ ବିବାହ ପରେ ଯଦି ବ୍ୟଭିଚାରରେ ଲିପ୍ତ ରହେ,

୫) ସ୍ତ୍ରୀ କିମ୍ବା ପ୍ରତିବାଦୀ ଯଦି ଅନ୍ୟ ପକ୍ଷ ସହ ନିଷ୍ଠୁରତା ଆଚରଣ କରୁଥାଏ,

୬) ଭାରତୀୟ ଦଣ୍ଡ ସଂହିତାର ଅପରାଧରେ ଦଣ୍ଡିତ ହୋଇ ଯଦି ପ୍ରତିବାଦୀ ସାତ ବର୍ଷ କିମ୍ବା ତଦୁର୍ଦ୍ଧ ସମୟର ସଜା କାଟୁଥାଏ,

୭) ପ୍ରତିବାଦୀ ଯଦି ଦୁଇ ବର୍ଷରୁ ଅଧିକ ସମୟ ପାଇଁ ବାଦୀକୁ ପରିତ୍ୟାଗ କରି ଚାଲିଯାଏ

୮) ପ୍ରତିବାଦୀ ଯଦି ପାର୍ସୀ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମ ଗ୍ରହଣ କରେ....... ଇତ୍ୟାଦି

ଆଧାର[ସମ୍ପାଦନା]

  1. "Law Commission of India-75th report" (PDF). Retrieved 15 December 2017.
  2. ୨.୦ ୨.୧ ୨.୨ "'Leprosy' no more a ground for Divorce as Centre notifies the Personal Laws (Amendment) Act, 2019; Read Gazette". Latest Laws (in ଇଂରାଜୀ). Retrieved 16 September 2020.
  3. "Hindu son can divorce wife if she tries to separate him from aged parents". Retrieved 16 December 2017.
  4. "Narendra vs K.Meena on 6 October, 2016". Retrieved 16 December 2017.
  5. "Six Months Waiting Period In Section 13B(2) Of Hindu Marriage Act For Divorce By Mutual Consent Not Mandatory... Read more at: www.livelaw.in/six-months-waiting-period-in-section-13b2-of-hindu-marriage-act-for-divorce-by-mutual-consent-not-mandatory/". Retrieved 31 March 2018.
  6. "The Concept of Divorce under Muslim Law". Retrieved 17 May 2018.
  7. "The Concept of Divorce under Muslim Law". www.legalserviceindia.com. Retrieved 4 January 2022.
  8. "The Triple Talaq Case - Supreme Court Observer". web.archive.org. 27 February 2018. Retrieved 9 January 2022.
  9. DelhiAugust 22, India Today Web Desk New. "Instant triple talaq declared illegal, unconstitutional: Timeline of events before today's Supreme Court verdict". India Today (in ଇଂରାଜୀ). Retrieved 9 January 2022.
  10. "Parsi Marriage and Divorce Act, I936". Retrieved 17 May 2018.