ଗୋଳବାଇ

ଉଇକିପିଡ଼ିଆ ରୁ
Jump to navigation Jump to search
ଗୋଳବାଇ
ଗୋଳବାଇ ଶାସନ, ଖୋର୍ଦ୍ଧା, ଓଡ଼ିଶା, ଭାରତ
ଗୋଳବାଇ is located in ଓଡ଼ିଶା
ଗୋଳବାଇ
ଗୋଳବାଇ
Coordinates20°01′13″N 85°32′46″E / 20.0201648°N 85.5462152°E / 20.0201648; 85.5462152Coordinates: 20°01′13″N 85°32′46″E / 20.0201648°N 85.5462152°E / 20.0201648; 85.5462152
Typeପ୍ରତ୍ନତାତ୍ତ୍ୱିକ ସ୍ଥଳୀ
Site information
Open to
the public
ହଁ
୧୯୫୯ର ଏକ ମାନଚିତ୍ରରେ ଗୋଳବାଇ ଶାସନ

ଗୋଳବାଇ ଶାସନ ବା ଗୋଳବାଇ ଖୋର୍ଦ୍ଧା ଜିଲ୍ଲା (ଅବିଭକ୍ତ ପୁରୀ ଜିଲ୍ଲା)ର ଏକ ଗ୍ରାମ । ଗୋଳବାଇର ଭୌଗୋଳିକ ଅବସ୍ଥିତି ହେଲା ୨୦°୨୫'୧୪" ଉତ୍ତର ଅକ୍ଷାଂଶ; ୮୫°୪୯'୦୩" ପୂର୍ବ ଦ୍ରାଘିମା । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ-ପୂର୍ବ ଦିଗକୁ ପ୍ରାୟ ୬୦ କି.ମି. ଦୂରରେ ଅବସ୍ଥିତ । ସଡ଼କ ପଥ ଓ ରେଳପଥଦ୍ୱାରା ଗୋଳବାଇରେ ପହଞ୍ଚିହେବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଗୋଳବାଇର ସବୁଠାରୁ ନିକଟତମ ବିମାନବନ୍ଦର । ଗୋଳବାଇର ପିନ୍ କୋଡ୍ ହେଉଛି ୭୫୨୦୨୦ ।

ଦ୍ୱାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ପର୍ଯ୍ୟନ୍ତ ଗୋଳବାଇ ଲୋକମୁଖରେ ସେତେଟା ପରିଚିତ ନଥିଲା । କିନ୍ତୁ ୧୯୯୦ ଦଶନ୍ଧିରେ ଏଠାରେ ଆବିଷ୍କୃତ ପ୍ରତ୍ନତାତ୍ତ୍ୱିକ ଓ ମଧ୍ୟଯୁଗୀୟ ମନ୍ଦିରର ଅବଶେଷ ଯୋଗୁଁ ଏହି ଗ୍ରାମ ଖ୍ୟାତି ଲାଭ କରିଛି ।[୧] ବର୍ତ୍ତମାନ ସମୟର ଗୋଳବାଇ ଗ୍ରାମର ଦକ୍ଷିଣ-ପୂର୍ବ ଦିଗରେ ପ୍ରାଚୀନ କାଳରେ ଏକ ସଭ୍ୟତା ବା ଜନବସତି ଗଢ଼ି ଉଠିଥିଲା ବୋଲି ଐତିହାସିକମାନେ ମତ ରଖିଛନ୍ତି ।ପାଇକ ବିଦ୍ରୋହରେ ଇଂରେଜମାନଙ୍କ ଉପରେ ଗୋଳା ଫୋପାଡି ବାଇ ହୋଇଥିବାରୁ ଗୋଳବାଇ ନାମ କରଣ କରାଯାଇଛି । ଏହି ଗ୍ରାମର ଯୁବ ଗବେଷକ ସୌମ୍ୟରଂଜନ ବଳିୟାରସିଂହ ମତ ଦେଇଛନ୍ତି ।

ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱ[ସମ୍ପାଦନା]

ଫାଇଲ:Golabai plan.jpg
ଗୋଳବାଇ ଶାସନ ନିକଟବର୍ତ୍ତୀ ପ୍ରତ୍ନତାତ୍ତ୍ୱିକ ଖନନ ସ୍ଥାନର ରେଖା ମାନଚିତ୍ର । ପ୍ରାକ୍-ଐତିହାସିକ ସମୟରେ ଏଠାରେ ଏକ ଜନବସତି ରହିଥିବା ଅନୁମାନ କରାଯାଏ

ପ୍ରତ୍ନତାତ୍ତ୍ୱିକ ବିଭାଗର ଚତୁର୍ଥ ଶାଖାରେ କାର୍ଯ୍ୟରତ ବି. କେ. ସିନ୍ହା ଗୋଳବାଇ ଶାସନରେ ଖନନ କାର୍ଯ୍ୟ ଆରମ୍ଭ କଲାପରେ ଏଠାରେ ନୂତନ ପାଷାଣ, ତାମ୍ର ପାଷାଣ ଓ ଲୌହ ଯୁଗର ବସ୍ତୁମାନ ଆବିଷ୍କୃତ ହୋଇଥିଲା । ୧୯୯୧ ମସିହାରେ ପ୍ରଥମେ ଖନନ କାର୍ଯ୍ୟ ଆରମ୍ଭ ହେବାପରେ ଖ୍ରୀ.ପୂ. ୨ୟ ଓ ପ୍ରଥମ ସହସ୍ରାବ୍ଦର ତାମ୍ର ପାଷାଣ ଓ ଲୌହ ଯୁଗୀୟ ବସ୍ତୁ ଆବିଷ୍କୃତ ହେଲା । ସିନ୍ହା ପାଉଁଶିଆ ଏବଂ ଲାଲ୍ ମାଟିପାତ୍ର ଉଦ୍ଧାର କରିଥିଲେ । ଗୋଳବାଇ ଓ ସାନଖେରଜଙ୍ଗରୁ ଉଦ୍ଧୃତ ବସ୍ତୁ ଏକା ଯୁଗର ବୋଲି ଅନୁମାନ କରାଯାଇଛି ।

ଗୋଳବାଇର ଢେପରେ ନୂତନ ପାଷାଣ, ତାମ୍ର ପାଷାଣ, ପ୍ରାକ୍-ଲୌହ, ପ୍ରାକ୍-ଐତିହାସିକ ଓ ମଧ୍ୟ ଯୁଗରେ ଜନ ବସତି ଗଢ଼ି ଉଠିଥିଲା । ଏହି ଢେପଟି ଆକାରରେ ବଡ଼ ଓ ଲଟା ବୁଦାଦ୍ୱାରା ଆଚ୍ଛନ୍ନ । ପୂର୍ବେ ଢେପଟି ଗୋଟିଏ ଉଚ୍ଚ ଛୋଟ ପାହାଡ଼ ପରି ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବିଭାଜିତ କରି ଏକ କଚ୍ଚା ସଡ଼କ ଯାଇଅଛି । ନଦୀକୁ ଯିବା ଆସିବା କଲା ବେଳେ ଏହି ରାସ୍ତାଟି ତିଆରି ହୋଇଥାଇ ପାରେ । ଶଗଡ଼, ଗୋରୁ ଓ ଲୋକ ଯିବା ଆସିବା କରୁଥିବା ଏହି ସଡ଼କ ଢେପକୁ ଏହାର ମୂଳରୁ ଦୁଇ ଭାଗରେ ବିଭକ୍ତ କରିଛି । ଏହା ବ୍ୟତୀତ ଢେପର ଅନ୍ୟ ଅଂଶ ଗୁଡ଼ିକ ସଂରକ୍ଷିତ କରାଯାଇପାରିଛି ।

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଚତୁର୍ଥ ଖନନ ବିଭାଗଦ୍ୱାରା ଢେପର ଦକ୍ଷିଣ ପାର୍ଶ୍ୱରେ କରାଯାଇଥିବା ଖନନର ପ୍ରଥମ ପର୍ଯ୍ୟାୟରେ ପାଉଁଶ, ଅଙ୍ଗାର, ଭଙ୍ଗା ମାଟିପାତ୍ର ଓ ଅନେକ ହାତହତିଆର ଆବିଷ୍କୃତ ହୋଇଥିଲା । ଉଦ୍ଧାର ହୋଇଥିବା ମାଟିପାତ୍ରର ଭଗ୍ନାବଶେଷ ଭିନ୍ନ ଭିନ୍ନ ଯୁଗର ବୋଲି ଜଣା ପଡ଼ିଥିଲା । ସର୍ବ ପୁରାତନ କାଳର ମାଟିପାତ୍ର ଢେପରେ ଅଧିକ ଗଭୀରତାରେ ଦେଖିବାକୁ ମିଳିଥିଲା ଯାହା ହାତଗଢ଼ା ବା ଧୀରେ ବୁଲୁଥିବା ସମାନ୍ତରାଳ ପୃଷ୍ଠ ବା ଚକରେ ରଖି ତିଆରି ହୋଇଥିବା ଅନୁମାନ କରାଯାଏ । ଉପର ସ୍ତରରେ ମିଳିଥିବା ମାଟିପାତ୍ର ଅପେକ୍ଷାକୃତ ଉନ୍ନତମାନର ଯାହା ହାତଗଢ଼ା ଓ କୁମ୍ଭାର ଚକ ସାହାଯ୍ୟରେ ତିଆରି ହୋଇଥିବ ବୋଲି ଅନୁମାନ କରାଯାଏ । ଖନନର ଦ୍ୱିତୀୟ ପର୍ଯ୍ୟାୟରେ ନୂତନ ପ୍ରସ୍ତର ଯୁଗର ମାଟିପାତ୍ର ଆବିଷ୍କୃତ ହୋଇଥିଲା । ଧାତୁ ନିର୍ମିତ ଅଧିକ ସାମଗ୍ରୀ ମିଳି ନଥିଲେ ମଧ୍ୟ କେତେକ ପଥରର ନିହାଣ, ଅନ୍ୟ ହତିଆର, ଉପକରଣ ଆଦି ମିଳିଥିଲା । [୨] ଅନ୍ୟ ଆବିଷ୍କାରମାନଙ୍କ ମଧ୍ୟରେ ହରିଣ, ଛେଳି ଓ ଗୋରୁଙ୍କ ଶିଙ୍ଗ ଓ ହାଡ଼ରୁ ତିଆରି ହତିଆର ଓ ଉପକରଣ ଖୁବ୍ ମହତ୍ତ୍ୱପୂର୍ଣ୍ଣ । ଅଧିକାଂଶ ହାଡ଼ ବା ଶିଙ୍ଗର ହତିଆର ଅପରିମାର୍ଜିତ ହୋଇଥିବା ବେଳେ କିଛି ପ୍ରସ୍ତର ଯୁଗର ଶେଷ ଆଡ଼କୁ ପାଲିସ୍ କରାଯାଇ ତିଆରି ହୋଇଥିବା ହାଡ଼ର କେତେକ ହତିଆର ମଧ୍ୟ ମିଳିଛି । ମିଳିଥିବା ଉପକରଣ ଗୁଡ଼ିକ ମୁଖ୍ୟତଃ ଭୂଷିବା, କଣା କରିବା, କୋରିବା, ଖୋଳିବା ଆଦି କାର୍ଯ୍ୟରେ ବ୍ୟବହୃତ ହେଉଥିବ ବୋଲି ଅନୁମାନ କରାଯାଏ । ମିଳିଥିବା ଉପକରଣମାନଙ୍କ ମଧ୍ୟରେ ହାଡ଼ରେ ନିର୍ମିତ ବର୍ଚ୍ଛା, ହାଡ଼ରେ ତିଆରି ଧାରୁଆ କାତି ଇତ୍ୟାଦି ମନରେ କୌତୁହଳ ସୃଷ୍ଟି କରନ୍ତି । ଦନ୍ତାହାତୀ, ଗୋରୁଗାଈ ଓ ଛେଳିପରି ପ୍ରାଣୀଙ୍କ ହାଡ଼ ମଧ୍ୟ ମିଳିପାରିଛି । [୨]

କାର୍ବନ୍-୧୪ କାଳନିର୍ଦ୍ଧାରଣ ପଦ୍ଧତିଦ୍ୱାରା ଭଙ୍ଗା ମାଟିପାତ୍ରର ଯୁଗର ଅନୁମାନ କରାଯାଇଛି ।

ନୂତନ ପାଷାଣ ଯୁଗର ସନ୍ଧାନ[ସମ୍ପାଦନା]

ଧୀରେ ବୁଲୁଥିବା ଚକରେ ତିଆରି ଲାଲ୍ ମାଟିପାତ୍ର, ପାଉଁଶିଆ ଓ ଚକଲେଟ୍ ରଙ୍ଗର ମାଟିପାତ୍ର ନୂତନ ପାଷାଣ ଯୁଗର ବୋଲି କୁହାଯାଇଛି । ଉଦ୍ଧାର କରାଯାଇଥିବା ମାଟିପାତ୍ର ବାସନ, ହାଣ୍ଡି, ପାତ୍ର, ଗମଳା ବା ଖେଳଣାର ଅଂଶ ହୋଇଥାଇପାରେ । କେତେକ ବାସନର ଉପରପଟର ଗୋଲାକାର ଓ ବର୍ଗାକାର ମୁହଁ ମଧ୍ୟ ଭଗ୍ନାବଶେଷ ମଧ୍ୟରେ ମିଳିଛି । କେତେକ ପାତ୍ରରେ ଚିତ୍ର ମଧ୍ୟ ଅଙ୍କିତ ହୋଇଛି ।

ତାମ୍ର-ପାଷାଣ ଯୁଗର ସନ୍ଧାନ[ସମ୍ପାଦନା]

ତାମ୍ର-ପାଷାଣ ଯୁଗନୂତନ ପାଷାଣ ଯୁଗର ମାଟିପାତ୍ର ମଧ୍ୟରେ ବିଶେଷ ତଫାତ୍ ଦେଖାଯାଇନଥାଏ । [୩] କେବଳ କାର୍ବନ୍ ଡେଟିଂଗ୍ (କାର୍ବନ୍-୧୪ କାଳନିରୂପଣ ପଦ୍ଧତି) ପରୀକ୍ଷଣରୁ ଭିନ୍ନ ସମୟ ମିଳିପାରେ । ଏହି ସମୟର ଚିତ୍ରିତ ମାଟିପାତ୍ରର ଅବଶେଷ ଅଧିକ ମାତ୍ରାରେ ଉଦ୍ଧାର ମଧ୍ୟ କରାଯାଇନାହିଁ । ଏହି ସମୟର ବସ୍ତୁମାନଙ୍କ ମଧ୍ୟରେ ଲାଲ୍ ରଙ୍ଗର ଚିକ୍କଣ ଓ ମସୃଣ ମୃତ୍ତିକା ପାତ୍ର ଅନ୍ୟତମ । ଗୋଲାକାର ମୁହଁ, କାରୁକାର୍ଯ୍ୟପୂର୍ଣ୍ଣ ଗୋଲ ମୁହଁ ଥିବା ହାଣ୍ଡି ଓ ପାତ୍ର, କୁଣ୍ଡ, ଉତ୍ତଳ ଗିନା ଓ ମାଟିର ବାସନକୁସନ ତାମ୍ର-ପାଷାଣ ଯୁଗର ବୋଲି ପ୍ରତ୍ନତତ୍ତ୍ୱବିତ୍ ସିନ୍ହା ମତ ପୋଷଣ କରିଥିଲେ ।[୨]

ମଧ୍ୟଯୁଗୀୟ ମନ୍ଦିର ସ୍ଥାପତ୍ୟ[ସମ୍ପାଦନା]

ଢେପ ଉପରେ କେତେକ ମଧ୍ୟଯୁଗୀୟ ମନ୍ଦିର ବା ଚାରୋଟି ପୂଜାସ୍ଥଳର ଅବଶିଷ୍ଟାଂଶ ଦେଖିବାକୁ ମିଳେ ।

ଏହି ସମୟର ମନ୍ଦିରମାନଙ୍କ ମଧ୍ୟରେ କେବଳ ଜଳେଶ୍ୱର ମନ୍ଦିରଟି ଭଲ ଅବସ୍ଥାରେ ରହିଛି । ଜଳେଶ୍ୱର ମନ୍ଦିର ମାଳଗୁଣୀ ନଦୀ କୂଳରେ ଅବସ୍ଥିତ । ଏହି ମନ୍ଦିରଟି ଖ୍ରୀ. ୧୧ଶ ବା ୧୨ଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ । ଜଳେଶ୍ୱର ମନ୍ଦିରରେ ଶିବ ପୂଜା ପାଆନ୍ତି ଓ ଏଠାରେ ସାମ୍ପ୍ରତିକ ସମୟରେ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ଓଡ଼ିଶା ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗ ମନ୍ଦିରର ସଂରକ୍ଷଣ ପାଇଁ ପଦକ୍ଷେପ ନେଇଥିଲା । [୩]

ପ୍ରାଚୀନ ନଗର ସଭ୍ୟତା[ସମ୍ପାଦନା]

ଗୋଳବାଇ ଶାସନ ନିକଟବର୍ତ୍ତୀ ତଳଗଡ଼ର ଏକ ସରଳ ରେଖାଚିତ୍ର

ଗୋଳବାଇ ଶାସନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅଧିକ ପ୍ରତ୍ନତାତ୍ତ୍ୱିକ ବସ୍ତୁର ସନ୍ଧାନ ଜାରି ରହିଥିବା ସମୟରେ ଏକ ପ୍ରାକ୍-ଐତିହାସିକ ନଗର ସଭ୍ୟତାର ପ୍ରମାଣ ମିଳିପାରିଛି । ମାଳଗୁଣୀ ନଦୀର ବାମ ପଟକୁ ଗୋଳବାଇ ପ୍ରତ୍ନତାତ୍ତ୍ୱିକ ଖନନ ସ୍ଥାନ ଓ ନଦୀର ବାମକୂଳରେ ଜଳେଶ୍ୱର ମନ୍ଦିର ରହିଛି । ନଦୀର ଡାହାଣ କୂଳରେ ଜଳେଶ୍ୱର ମନ୍ଦିରର ବିପରୀତ ପାର୍ଶ୍ୱରେ ପୋତା ପ୍ରାଚୀର ଘେରା ଏକ ସ୍ଥାନର ସନ୍ଧାନ ମିଳିଛି । ପୋତି ହୋଇଯାଇଥିବା ଏହି ଦୁର୍ଗର ଅବଶେଷ “ତଳଗଡ଼” ନାମରେ ଜଣାଶୁଣା ଓ ଏହି ଭଗ୍ନାବଶେଷରୁ ଅଳ୍ପ ଦୂରରେ ଏକ ଗ୍ରାମ ରହିଛି ଯାହାର ବର୍ତ୍ତମାନ ନାମ ହେଉଛି ତଳପଡ଼ା । ତଳଗଡ଼ ଗୋଳବାଇଠାରୁ ୫୦୦-୧୦୦୦ ମିଟର୍ ଦୂରତାରେ ନଦୀର ଅପର ପାର୍ଶ୍ୱରେ ଅବସ୍ଥିତ ।

ନଗରର ପୋତି ହୋଇଯାଇଥିବା ପାଚେରୀର ଆକାର ପ୍ରାୟତଃ ବର୍ଗକ୍ଷେତ୍ର ସଦୃଶ ଓ ଏହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ ୫୫୦ରୁ ୫୮୦ ମିଟର୍ । ପାଚେରୀ ଘେରର ଚାରି ପଟରେ ଚାରୋଟି ମୁଖ୍ୟ ଦ୍ୱାରର ଅବଶିଷ୍ଟାଂଶ ରହିଛି । ପଶ୍ଚିମ ପଟର ଦ୍ୱାର କିଛି ମାତ୍ରାରେ ଭଲ ଅବସ୍ଥାରେ ରହିଥିବା ବେଳେ ଦକ୍ଷିଣ ପଟର ଦ୍ୱାର କୃଷିକ୍ଷେତ୍ର ମାଡ଼ିଯିବା ଯୋଗୁଁ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି । ଲୋକଙ୍କ ଗମନାଗମନ ପଥରେ ଉତ୍ତର ଓ ପୂର୍ବ ପଟର ଦ୍ୱାର ରହିଛି । ପୋତି ହୋଇଯାଇଥିବା ପାଚେରୀ ଭୂମିରୁ ୨.୫ ମି. ଉଚ୍ଚତାରେ ରହିଛି । ପ୍ରତି ପଟର ମୁଖ୍ୟ ଦ୍ୱାର ପାଚେରୀର ମଧ୍ୟଭାଗରେ ଅବସ୍ଥିତ । ଏହି ମୁଖ୍ୟ ଦ୍ୱାରଗୁଡ଼ିକର ଗଠନ ଦେଖିବାକୁ ପ୍ରଚୀନ କଳିଙ୍ଗର ଅନ୍ୟ ନଗର ସଭ୍ୟତା ଯଥା ଶିଶୁପାଳଗଡ଼, ବା ରାଧାନଗର ବା ଜଉଗଡ଼ର ଦ୍ୱାରମାନଙ୍କ ପରି । ତଳଗଡ଼ର ଚାରି ପାର୍ଶ୍ୱରେ ପୂର୍ବେ ଜଳଘେରା ଖାଇ ରହିଥିବା ଅନୁମାନ କରାଯାଇପାରେ । ଏହି ଜଳ ବନ୍ଧନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପୋତି ହୋଇଗଲାଣି । କେବଳ ପଶ୍ଚିମ ପଟରେ ଏହି ଜଳ ବନ୍ଧନୀର କିଛି ଅଂଶ ଏଯାବତ୍ ରହିଛି । ତଳଗଡ଼ କ୍ଷେତ୍ରଫଳରେ ଶିଶୁପାଳଗଡ଼ର ଏକ-ଚତୁର୍ଥାଂଶ ହେବ ।[୩] ତଳଗଡ଼ରୁ ମିଳିଥିବା ମସୃଣ ଓ ଚିକ୍କଣିଆ ମାଟିପାତ୍ରର ଭଗ୍ନାବଶେଷ ଶିଶୁପାଳଗଡ଼ର ପ୍ରତ୍ନତାତ୍ତ୍ୱିକ ଅବଶେଷ ପରି । ଏପରି ଅନେକ ସାମଞ୍ଜସ୍ୟ ଯୋଗୁଁ ତଳଗଡ଼ ଓ ଶିଶୁପାଳଗଡ଼ ତଥା ଅନ୍ୟ କେତେକ ପ୍ରଚୀନ କଳିଙ୍ଗର ଗଡ଼ ସମସାମୟିକ ହୋଇଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।

ତଳଗଡର ସଭ୍ୟତା ଖ୍ରୀ.ପୂ. ୧୭୦୦ରୁ ଖ୍ରୀ.ପୂ ୧୧୦୦ ମଧ୍ୟରେ ରହିଥିବା ଅନୁମାନ କରାଯାଉଛି । ଏହି ସମୟରେ ଓଡ଼ିଶା ତଥା ପୂର୍ବ ଭାରତ ଅଞ୍ଚଳରେ ତାମ୍ର, ପ୍ରସ୍ତର ଯୁଗର ସଭ୍ୟତା ଅଭ୍ୟୁତ୍ଥାନ ହୋଇଥିବା ଅନୁମାନ କରାଯାଉଛି ।[୪]

ସାମୁଦ୍ରିକ ବାଣିଜ୍ୟରେ ଗୋଳବାଇର ସ୍ଥାନ[ସମ୍ପାଦନା]

ମାଳଗୁଣୀ ନଦୀ (ବା ମନ୍ଦାକିନୀ ନଦୀ)ର ଉତ୍ତର ପଟରେ (ବାମ ତଟରେ) ଗୋଳବାଇ ଗ୍ରାମ ଅବସ୍ଥିତ । ଗୋଳବାଇ ଗ୍ରାମର ଉତ୍ତର ଦିଗରେ କିଛି ଦୂରରେ ଚିଲିକା ହ୍ରଦ ଅବସ୍ଥିତ । ମାଳଗୁଣୀ ମୁଖ୍ୟତଃ ଏକ ପାହାଡ଼ିଆ ନଦୀ ଓ ଗଞ୍ଜାମ ଜିଲ୍ଲା-ଖୋର୍ଦ୍ଧା ଜିଲ୍ଲାର ସୀମାରେ ଏହାର ଉତ୍ପତ୍ତି ହୋଇଛି । ନିଜର ଉତ୍ପତ୍ତି ସ୍ଥଳରୁ ପ୍ରଥମେ ଉତ୍ତର-ପୂର୍ବ, ତା’ ପରେ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗକୁ ପ୍ରବାହିତ ହୋଇ, ଗୋଳବାଇ ଶାସନ ଅତିକ୍ରମ କରିଛି । ପୁରୀ ଜିଲ୍ଲାର ବଳଭଦ୍ରପୁର ଗ୍ରାମର ଉତ୍ତରକୁ ପ୍ରାୟ ୧ କି.ମି. ଦୂରରେ ମାଳଗୁଣୀ ନଦୀ ଦୟାନଦୀ ସହିତ ସମ୍ମିଳିତ ହୋଇଛି । ଦୟାନଦୀ ଚିଲିକାରେ ନିଷ୍କାସିତ ହୋଇଛି ।

ଗୋଳବାଇ ଓ ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଆବିଷ୍କୃତ ପଥର, ଅସ୍ଥି ଓ ତାମ୍ର ନିର୍ମିତ ବିଭିନ୍ନ ପ୍ରକାରର ନିହାଣ, ଟାଙ୍ଗିଆ ପରି ହତିଆର, ମରାମତି ଉପକରଣରୁ ଗୋଳବାଇରେ ପ୍ରଚୀନ କାଳରେ ଏକ ଡଙ୍ଗା ବା ବୋଇତ ନିର୍ମାଣ ଓ ମରାମତି କେନ୍ଦ୍ର ରହିଥିଲା ବୋଲି ଐତିହାସିକମାନେ ଅନୁମାନ କରିଛନ୍ତି ।[୫] [୬] ପୁଣି ଏହି ଅଞ୍ଚଳରେ ଖନନରୁ ମିଳିଥିବା ତାମ୍ର ନିର୍ମିତ ବନିଶୀ କଣ୍ଟା ଓ ବହୁ ସଂଖ୍ୟକ କାଠ କାମ ଉପଯୋଗୀ ନିହାଣ ଏହି ଅଞ୍ଚଳର ଅନେକ ଲୋକ ମତ୍ସ୍ୟଜୀବୀ ଓ ଡଙ୍ଗା ନିର୍ମାଣକାରୀ ହୋଇଥିବାର ସୂଚନା ଦିଏ ।[୫] ନଦୀପଥରେ ମାଳଗୁଣୀ ନଦୀ ଓ ଦୟାନଦୀ ଯୋଗେ ଚିଲିକା ଓ ବଙ୍ଗୋପସାଗର ପର୍ଯ୍ୟନ୍ତ ଗମନାଗମନ ସମ୍ଭବପର ହୋଇଥିବାରୁ ଏଠାରେ ଯାହାଜ ମରାମତି କେନ୍ଦ୍ର ରହିଥିବା ସମ୍ଭବପର । ଗୋଳବାଇର ପ୍ରାଚୀନ ଯାହାଜ ନିର୍ମାଣ କେନ୍ଦ୍ର ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟର ବିକାଶରେ ସହାୟତା କରିଥିଲା ବୋଲି ମତପୋଷଣ କରାଯାଇଛି ।[୫] ଖ୍ରୀ. ୧୬ଶରୁ ନେଇ ୧୮ଶ ଶତାବ୍ଦୀ ବେଳକୁ ଇଉରୋପୀୟ ଔପନିବେଶିକ ଶକ୍ତିମାନଙ୍କ ଆଗମନ ପରେ ପିପିଲି ଯାହାଜ ନିର୍ମାଣ କେନ୍ଦ୍ର ଭାବେ ପ୍ରସିଦ୍ଧି ଲାଭ କରିଥିଲା ।[୬]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ http://www.indiamapped.com/archeological-sites-in-india/golabai/. Missing or empty |title= (help)
  2. ୨.୦ ୨.୧ ୨.୨ ୨.୩ B K Sinha. PURATATTVA, Bulletin of The Indian Archaeological Society – Number 21 (Excavations at Golabai Sasan). Indian Archaeological Society, New Delhi.
  3. ୩.୦ ୩.୧ ୩.୨ ୩.୩ R.K. MOHANTY, P.P. JOGLEKAR, TILOK THAKURIA, SIKHASREE RAY, SHANTANU VAIDYA, MIDHUN C.S., WANNAPAT R., VARAD SABNIS, GAURI BEDEKAR, TOSABANTA PRADHAN AND YOGESH MALLINATHPUR M. Bulletin of the Deccan College (PRELIMINARY REPORT ON EXPLORATION AT GOLBAI SASAN, TALAPADA AND THE SURROUNDING AREA, DIST.KHURDA, ODISHA, 2010-11). p. 4-5.CS1 maint: Uses authors parameter (link)
  4. ୪.୦ ୪.୧ http://sarbasadharana.com/?p=5647. Missing or empty |title= (help)
  5. ୫.୦ ୫.୧ ୫.୨ ୫.୩ Benudhar Patra (2013). Maritime Trade and Overseas activities of early India – Odishan Perspective. Aryan Books International. p. 40-41.
  6. ୬.୦ ୬.୧ ୬.୨ Maritime Heritage of India. Indian Navy.