ଗୋଳବାଇ
ଗୋଳବାଇ | |
---|---|
ଗୋଳବାଇ ଶାସନ, ଖୋର୍ଦ୍ଧା, ଓଡ଼ିଶା, ଭାରତ | |
Coordinates | 20°01′13″N 85°32′46″E / 20.0201648°N 85.5462152°E |
Type | ପ୍ରତ୍ନତାତ୍ତ୍ୱିକ ସ୍ଥଳୀ |
Site information | |
Open to the public | ହଁ |
ଗୋଳବାଇ ଶାସନ ବା ଗୋଳବାଇ ଖୋର୍ଦ୍ଧା ଜିଲ୍ଲା (ଅବିଭକ୍ତ ପୁରୀ ଜିଲ୍ଲା)ର ଏକ ଗ୍ରାମ । ଗୋଳବାଇର ଭୌଗୋଳିକ ଅବସ୍ଥିତି ହେଲା ୨୦°୨୫'୧୪" ଉତ୍ତର ଅକ୍ଷାଂଶ; ୮୫°୪୯'୦୩" ପୂର୍ବ ଦ୍ରାଘିମା । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ-ପୂର୍ବ ଦିଗକୁ ପ୍ରାୟ ୬୦ କି.ମି. ଦୂରରେ ଅବସ୍ଥିତ । ସଡ଼କ ପଥ ଓ ରେଳପଥଦ୍ୱାରା ଗୋଳବାଇରେ ପହଞ୍ଚିହେବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଗୋଳବାଇର ସବୁଠାରୁ ନିକଟତମ ବିମାନବନ୍ଦର । ଗୋଳବାଇର ପିନ୍ କୋଡ୍ ହେଉଛି ୭୫୨୦୨୦ ।
ଦ୍ୱାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ପର୍ଯ୍ୟନ୍ତ ଗୋଳବାଇ ଲୋକମୁଖରେ ସେତେଟା ପରିଚିତ ନଥିଲା । କିନ୍ତୁ ୧୯୯୦ ଦଶନ୍ଧିରେ ଏଠାରେ ଆବିଷ୍କୃତ ପ୍ରତ୍ନତାତ୍ତ୍ୱିକ ଓ ମଧ୍ୟଯୁଗୀୟ ମନ୍ଦିରର ଅବଶେଷ ଯୋଗୁଁ ଏହି ଗ୍ରାମ ଖ୍ୟାତି ଲାଭ କରିଛି ।[୧] ବର୍ତ୍ତମାନ ସମୟର ଗୋଳବାଇ ଗ୍ରାମର ଦକ୍ଷିଣ-ପୂର୍ବ ଦିଗରେ ପ୍ରାଚୀନ କାଳରେ ଏକ ସଭ୍ୟତା ବା ଜନବସତି ଗଢ଼ି ଉଠିଥିଲା ବୋଲି ଐତିହାସିକମାନେ ମତ ରଖିଛନ୍ତି ।
ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱ
[ସମ୍ପାଦନା]ପ୍ରତ୍ନତାତ୍ତ୍ୱିକ ବିଭାଗର ଚତୁର୍ଥ ଶାଖାରେ କାର୍ଯ୍ୟରତ ବି. କେ. ସିନ୍ହା ଗୋଳବାଇ ଶାସନରେ ଖନନ କାର୍ଯ୍ୟ ଆରମ୍ଭ କଲାପରେ ଏଠାରେ ନୂତନ ପାଷାଣ, ତାମ୍ର ପାଷାଣ ଓ ଲୌହ ଯୁଗର ବସ୍ତୁମାନ ଆବିଷ୍କୃତ ହୋଇଥିଲା । ୧୯୯୧ ମସିହାରେ ପ୍ରଥମେ ଖନନ କାର୍ଯ୍ୟ ଆରମ୍ଭ ହେବାପରେ ଖ୍ରୀ.ପୂ. ୨ୟ ଓ ପ୍ରଥମ ସହସ୍ରାବ୍ଦର ତାମ୍ର ପାଷାଣ ଓ ଲୌହ ଯୁଗୀୟ ବସ୍ତୁ ଆବିଷ୍କୃତ ହେଲା । ସିନ୍ହା ପାଉଁଶିଆ ଏବଂ ଲାଲ୍ ମାଟିପାତ୍ର ଉଦ୍ଧାର କରିଥିଲେ । ଗୋଳବାଇ ଓ ସାନଖେରଜଙ୍ଗରୁ ଉଦ୍ଧୃତ ବସ୍ତୁ ଏକା ଯୁଗର ବୋଲି ଅନୁମାନ କରାଯାଇଛି ।
ଗୋଳବାଇର ଢେପରେ ନୂତନ ପାଷାଣ, ତାମ୍ର ପାଷାଣ, ପ୍ରାକ୍-ଲୌହ, ପ୍ରାକ୍-ଐତିହାସିକ ଓ ମଧ୍ୟ ଯୁଗରେ ଜନ ବସତି ଗଢ଼ି ଉଠିଥିଲା । ଏହି ଢେପଟି ଆକାରରେ ବଡ଼ ଓ ଲଟା ବୁଦାଦ୍ୱାରା ଆଚ୍ଛନ୍ନ । ପୂର୍ବେ ଢେପଟି ଗୋଟିଏ ଉଚ୍ଚ ଛୋଟ ପାହାଡ଼ ପରି ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବିଭାଜିତ କରି ଏକ କଚ୍ଚା ସଡ଼କ ଯାଇଅଛି । ନଦୀକୁ ଯିବା ଆସିବା କଲା ବେଳେ ଏହି ରାସ୍ତାଟି ତିଆରି ହୋଇଥାଇ ପାରେ । ଶଗଡ଼, ଗୋରୁ ଓ ଲୋକ ଯିବା ଆସିବା କରୁଥିବା ଏହି ସଡ଼କ ଢେପକୁ ଏହାର ମୂଳରୁ ଦୁଇ ଭାଗରେ ବିଭକ୍ତ କରିଛି । ଏହା ବ୍ୟତୀତ ଢେପର ଅନ୍ୟ ଅଂଶ ଗୁଡ଼ିକ ସଂରକ୍ଷିତ କରାଯାଇପାରିଛି ।
ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଚତୁର୍ଥ ଖନନ ବିଭାଗଦ୍ୱାରା ଢେପର ଦକ୍ଷିଣ ପାର୍ଶ୍ୱରେ କରାଯାଇଥିବା ଖନନର ପ୍ରଥମ ପର୍ଯ୍ୟାୟରେ ପାଉଁଶ, ଅଙ୍ଗାର, ଭଙ୍ଗା ମାଟିପାତ୍ର ଓ ଅନେକ ହାତହତିଆର ଆବିଷ୍କୃତ ହୋଇଥିଲା । ଉଦ୍ଧାର ହୋଇଥିବା ମାଟିପାତ୍ରର ଭଗ୍ନାବଶେଷ ଭିନ୍ନ ଭିନ୍ନ ଯୁଗର ବୋଲି ଜଣା ପଡ଼ିଥିଲା । ସର୍ବ ପୁରାତନ କାଳର ମାଟିପାତ୍ର ଢେପରେ ଅଧିକ ଗଭୀରତାରେ ଦେଖିବାକୁ ମିଳିଥିଲା ଯାହା ହାତଗଢ଼ା ବା ଧୀରେ ବୁଲୁଥିବା ସମାନ୍ତରାଳ ପୃଷ୍ଠ ବା ଚକରେ ରଖି ତିଆରି ହୋଇଥିବା ଅନୁମାନ କରାଯାଏ । ଉପର ସ୍ତରରେ ମିଳିଥିବା ମାଟିପାତ୍ର ଅପେକ୍ଷାକୃତ ଉନ୍ନତମାନର ଯାହା ହାତଗଢ଼ା ଓ କୁମ୍ଭାର ଚକ ସାହାଯ୍ୟରେ ତିଆରି ହୋଇଥିବ ବୋଲି ଅନୁମାନ କରାଯାଏ । ଖନନର ଦ୍ୱିତୀୟ ପର୍ଯ୍ୟାୟରେ ନୂତନ ପ୍ରସ୍ତର ଯୁଗର ମାଟିପାତ୍ର ଆବିଷ୍କୃତ ହୋଇଥିଲା । ଧାତୁ ନିର୍ମିତ ଅଧିକ ସାମଗ୍ରୀ ମିଳି ନଥିଲେ ମଧ୍ୟ କେତେକ ପଥରର ନିହାଣ, ଅନ୍ୟ ହତିଆର, ଉପକରଣ ଆଦି ମିଳିଥିଲା ।[୨] ଅନ୍ୟ ଆବିଷ୍କାରମାନଙ୍କ ମଧ୍ୟରେ ହରିଣ, ଛେଳି ଓ ଗୋରୁଙ୍କ ଶିଙ୍ଗ ଓ ହାଡ଼ରୁ ତିଆରି ହତିଆର ଓ ଉପକରଣ ଖୁବ୍ ମହତ୍ତ୍ୱପୂର୍ଣ୍ଣ । ଅଧିକାଂଶ ହାଡ଼ ବା ଶିଙ୍ଗର ହତିଆର ଅପରିମାର୍ଜିତ ହୋଇଥିବା ବେଳେ କିଛି ପ୍ରସ୍ତର ଯୁଗର ଶେଷ ଆଡ଼କୁ ପାଲିସ୍ କରାଯାଇ ତିଆରି ହୋଇଥିବା ହାଡ଼ର କେତେକ ହତିଆର ମଧ୍ୟ ମିଳିଛି । ମିଳିଥିବା ଉପକରଣ ଗୁଡ଼ିକ ମୁଖ୍ୟତଃ ଭୂଷିବା, କଣା କରିବା, କୋରିବା, ଖୋଳିବା ଆଦି କାର୍ଯ୍ୟରେ ବ୍ୟବହୃତ ହେଉଥିବ ବୋଲି ଅନୁମାନ କରାଯାଏ । ମିଳିଥିବା ଉପକରଣମାନଙ୍କ ମଧ୍ୟରେ ହାଡ଼ରେ ନିର୍ମିତ ବର୍ଚ୍ଛା, ହାଡ଼ରେ ତିଆରି ଧାରୁଆ କାତି ଇତ୍ୟାଦି ମନରେ କୌତୁହଳ ସୃଷ୍ଟି କରନ୍ତି । ଦନ୍ତାହାତୀ, ଗୋରୁଗାଈ ଓ ଛେଳିପରି ପ୍ରାଣୀଙ୍କ ହାଡ଼ ମଧ୍ୟ ମିଳିପାରିଛି ।[୨]
କାର୍ବନ୍-୧୪ କାଳନିର୍ଦ୍ଧାରଣ ପଦ୍ଧତିଦ୍ୱାରା ଭଙ୍ଗା ମାଟିପାତ୍ରର ଯୁଗର ଅନୁମାନ କରାଯାଇଛି ।
ନୂତନ ପାଷାଣ ଯୁଗର ସନ୍ଧାନ
[ସମ୍ପାଦନା]ଧୀରେ ବୁଲୁଥିବା ଚକରେ ତିଆରି ଲାଲ୍ ମାଟିପାତ୍ର, ପାଉଁଶିଆ ଓ ଚକଲେଟ୍ ରଙ୍ଗର ମାଟିପାତ୍ର ନୂତନ ପାଷାଣ ଯୁଗର ବୋଲି କୁହାଯାଇଛି । ଉଦ୍ଧାର କରାଯାଇଥିବା ମାଟିପାତ୍ର ବାସନ, ହାଣ୍ଡି, ପାତ୍ର, ଗମଳା ବା ଖେଳଣାର ଅଂଶ ହୋଇଥାଇପାରେ । କେତେକ ବାସନର ଉପରପଟର ଗୋଲାକାର ଓ ବର୍ଗାକାର ମୁହଁ ମଧ୍ୟ ଭଗ୍ନାବଶେଷ ମଧ୍ୟରେ ମିଳିଛି । କେତେକ ପାତ୍ରରେ ଚିତ୍ର ମଧ୍ୟ ଅଙ୍କିତ ହୋଇଛି ।
ତାମ୍ର-ପାଷାଣ ଯୁଗର ସନ୍ଧାନ
[ସମ୍ପାଦନା]ତାମ୍ର-ପାଷାଣ ଯୁଗ ଓ ନୂତନ ପାଷାଣ ଯୁଗର ମାଟିପାତ୍ର ମଧ୍ୟରେ ବିଶେଷ ତଫାତ୍ ଦେଖାଯାଇନଥାଏ ।[୩] କେବଳ କାର୍ବନ୍ ଡେଟିଂଗ୍ (କାର୍ବନ୍-୧୪ କାଳନିରୂପଣ ପଦ୍ଧତି) ପରୀକ୍ଷଣରୁ ଭିନ୍ନ ସମୟ ମିଳିପାରେ । ଏହି ସମୟର ଚିତ୍ରିତ ମାଟିପାତ୍ରର ଅବଶେଷ ଅଧିକ ମାତ୍ରାରେ ଉଦ୍ଧାର ମଧ୍ୟ କରାଯାଇନାହିଁ । ଏହି ସମୟର ବସ୍ତୁମାନଙ୍କ ମଧ୍ୟରେ ଲାଲ୍ ରଙ୍ଗର ଚିକ୍କଣ ଓ ମସୃଣ ମୃତ୍ତିକା ପାତ୍ର ଅନ୍ୟତମ । ଗୋଲାକାର ମୁହଁ, କାରୁକାର୍ଯ୍ୟପୂର୍ଣ୍ଣ ଗୋଲ ମୁହଁ ଥିବା ହାଣ୍ଡି ଓ ପାତ୍ର, କୁଣ୍ଡ, ଉତ୍ତଳ ଗିନା ଓ ମାଟିର ବାସନକୁସନ ତାମ୍ର-ପାଷାଣ ଯୁଗର ବୋଲି ପ୍ରତ୍ନତତ୍ତ୍ୱବିତ୍ ସିନ୍ହା ମତ ପୋଷଣ କରିଥିଲେ ।[୨]
ମଧ୍ୟଯୁଗୀୟ ମନ୍ଦିର ସ୍ଥାପତ୍ୟ
[ସମ୍ପାଦନା]ଢେପ ଉପରେ କେତେକ ମଧ୍ୟଯୁଗୀୟ ମନ୍ଦିର ବା ଚାରୋଟି ପୂଜାସ୍ଥଳର ଅବଶିଷ୍ଟାଂଶ ଦେଖିବାକୁ ମିଳେ ।
ଏହି ସମୟର ମନ୍ଦିରମାନଙ୍କ ମଧ୍ୟରେ କେବଳ ଜଳେଶ୍ୱର ମନ୍ଦିରଟି ଭଲ ଅବସ୍ଥାରେ ରହିଛି । ଜଳେଶ୍ୱର ମନ୍ଦିର ମଲାଗୁଣୀ ନଦୀ କୂଳରେ ଅବସ୍ଥିତ । ଏହି ମନ୍ଦିରଟି ଖ୍ରୀ. ୧୧ଶ ବା ୧୨ଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ । ଜଳେଶ୍ୱର ମନ୍ଦିରରେ ଶିବ ପୂଜା ପାଆନ୍ତି ଓ ଏଠାରେ ସାମ୍ପ୍ରତିକ ସମୟରେ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ଓଡ଼ିଶା ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗ ମନ୍ଦିରର ସଂରକ୍ଷଣ ପାଇଁ ପଦକ୍ଷେପ ନେଇଥିଲା ।[୩]
ପ୍ରାଚୀନ ନଗର ସଭ୍ୟତା
[ସମ୍ପାଦନା]ଗୋଳବାଇ ଶାସନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅଧିକ ପ୍ରତ୍ନତାତ୍ତ୍ୱିକ ବସ୍ତୁର ସନ୍ଧାନ ଜାରି ରହିଥିବା ସମୟରେ ଏକ ପ୍ରାକ୍-ଐତିହାସିକ ନଗର ସଭ୍ୟତାର ପ୍ରମାଣ ମିଳିପାରିଛି । ମଲାଗୁଣୀ ନଦୀର ବାମ ପଟକୁ ଗୋଳବାଇ ପ୍ରତ୍ନତାତ୍ତ୍ୱିକ ଖନନ ସ୍ଥାନ ଓ ନଦୀର ବାମକୂଳରେ ଜଳେଶ୍ୱର ମନ୍ଦିର ରହିଛି । ନଦୀର ଡାହାଣ କୂଳରେ ଜଳେଶ୍ୱର ମନ୍ଦିରର ବିପରୀତ ପାର୍ଶ୍ୱରେ ପୋତା ପ୍ରାଚୀର ଘେରା ଏକ ସ୍ଥାନର ସନ୍ଧାନ ମିଳିଛି । ପୋତି ହୋଇଯାଇଥିବା ଏହି ଦୁର୍ଗର ଅବଶେଷ “ତଳଗଡ଼” ନାମରେ ଜଣାଶୁଣା ଓ ଏହି ଭଗ୍ନାବଶେଷରୁ ଅଳ୍ପ ଦୂରରେ ଏକ ଗ୍ରାମ ରହିଛି ଯାହାର ବର୍ତ୍ତମାନ ନାମ ହେଉଛି ତାଳପଡ଼ା । ତଳଗଡ଼ ଗୋଳବାଇଠାରୁ ୫୦୦-୧୦୦୦ ମିଟର୍ ଦୂରତାରେ ନଦୀର ଅପର ପାର୍ଶ୍ୱରେ ଅବସ୍ଥିତ ।
ନଗରର ପୋତି ହୋଇଯାଇଥିବା ପାଚେରୀର ଆକାର ପ୍ରାୟତଃ ବର୍ଗକ୍ଷେତ୍ର ସଦୃଶ ଓ ଏହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ ୫୫୦ରୁ ୫୮୦ ମିଟର୍ । ପାଚେରୀ ଘେରର ଚାରି ପଟରେ ଚାରୋଟି ମୁଖ୍ୟ ଦ୍ୱାରର ଅବଶିଷ୍ଟାଂଶ ରହିଛି । ପଶ୍ଚିମ ପଟର ଦ୍ୱାର କିଛି ମାତ୍ରାରେ ଭଲ ଅବସ୍ଥାରେ ରହିଥିବା ବେଳେ ଦକ୍ଷିଣ ପଟର ଦ୍ୱାର କୃଷିକ୍ଷେତ୍ର ମାଡ଼ିଯିବା ଯୋଗୁଁ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି । ଲୋକଙ୍କ ଗମନାଗମନ ପଥରେ ଉତ୍ତର ଓ ପୂର୍ବ ପଟର ଦ୍ୱାର ରହିଛି । ପୋତି ହୋଇଯାଇଥିବା ପାଚେରୀ ଭୂମିରୁ ୨.୫ ମି. ଉଚ୍ଚତାରେ ରହିଛି । ପ୍ରତି ପଟର ମୁଖ୍ୟ ଦ୍ୱାର ପାଚେରୀର ମଧ୍ୟଭାଗରେ ଅବସ୍ଥିତ । ଏହି ମୁଖ୍ୟ ଦ୍ୱାରଗୁଡ଼ିକର ଗଠନ ଦେଖିବାକୁ ପ୍ରଚୀନ କଳିଙ୍ଗର ଅନ୍ୟ ନଗର ସଭ୍ୟତା ଯଥା ଶିଶୁପାଳଗଡ଼, ବା ରାଧାନଗର ବା ଜଉଗଡ଼ର ଦ୍ୱାରମାନଙ୍କ ପରି । ତଳଗଡ଼ର ଚାରି ପାର୍ଶ୍ୱରେ ପୂର୍ବେ ଜଳଘେରା ଖାଇ ରହିଥିବା ଅନୁମାନ କରାଯାଇପାରେ । ଏହି ଜଳ ବନ୍ଧନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପୋତି ହୋଇଗଲାଣି । କେବଳ ପଶ୍ଚିମ ପଟରେ ଏହି ଜଳ ବନ୍ଧନୀର କିଛି ଅଂଶ ଏଯାବତ୍ ରହିଛି । ତଳଗଡ଼ କ୍ଷେତ୍ରଫଳରେ ଶିଶୁପାଳଗଡ଼ର ଏକ-ଚତୁର୍ଥାଂଶ ହେବ ।[୩] ତଳଗଡ଼ରୁ ମିଳିଥିବା ମସୃଣ ଓ ଚିକ୍କଣିଆ ମାଟିପାତ୍ରର ଭଗ୍ନାବଶେଷ ଶିଶୁପାଳଗଡ଼ର ପ୍ରତ୍ନତାତ୍ତ୍ୱିକ ଅବଶେଷ ପରି । ଏପରି ଅନେକ ସାମଞ୍ଜସ୍ୟ ଯୋଗୁଁ ତଳଗଡ଼ ଓ ଶିଶୁପାଳଗଡ଼ ତଥା ଅନ୍ୟ କେତେକ ପ୍ରଚୀନ କଳିଙ୍ଗର ଗଡ଼ ସମସାମୟିକ ହୋଇଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।
ତଳଗଡର ସଭ୍ୟତା ଖ୍ରୀ.ପୂ. ୧୭୦୦ରୁ ଖ୍ରୀ.ପୂ ୧୧୦୦ ମଧ୍ୟରେ ରହିଥିବା ଅନୁମାନ କରାଯାଉଛି । ଏହି ସମୟରେ ଓଡ଼ିଶା ତଥା ପୂର୍ବ ଭାରତ ଅଞ୍ଚଳରେ ତାମ୍ର, ପ୍ରସ୍ତର ଯୁଗର ସଭ୍ୟତା ଅଭ୍ୟୁତ୍ଥାନ ହୋଇଥିବା ଅନୁମାନ କରାଯାଉଛି ।[୪]
ସାମୁଦ୍ରିକ ବାଣିଜ୍ୟରେ ଗୋଳବାଇର ସ୍ଥାନ
[ସମ୍ପାଦନା]ମଲାଗୁଣୀ ନଦୀ (ବା ମନ୍ଦାକିନୀ ନଦୀ)ର ଉତ୍ତର ପଟରେ (ବାମ ତଟରେ) ଗୋଳବାଇ ଗ୍ରାମ ଅବସ୍ଥିତ । ଗୋଳବାଇ ଗ୍ରାମର ଉତ୍ତର ଦିଗରେ କିଛି ଦୂରରେ ଚିଲିକା ହ୍ରଦ ଅବସ୍ଥିତ । ମଲାଗୁଣୀ ମୁଖ୍ୟତଃ ଏକ ପାହାଡ଼ିଆ ନଦୀ ଓ ଗଞ୍ଜାମ ଜିଲ୍ଲା-ଖୋର୍ଦ୍ଧା ଜିଲ୍ଲାର ସୀମାରେ ଏହାର ଉତ୍ପତ୍ତି ହୋଇଛି । ନିଜର ଉତ୍ପତ୍ତି ସ୍ଥଳରୁ ପ୍ରଥମେ ଉତ୍ତର-ପୂର୍ବ, ତା’ ପରେ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗକୁ ପ୍ରବାହିତ ହୋଇ, ଗୋଳବାଇ ଶାସନ ଅତିକ୍ରମ କରିଛି । ପୁରୀ ଜିଲ୍ଲାର ବଳଭଦ୍ରପୁର ଗ୍ରାମର ଉତ୍ତରକୁ ପ୍ରାୟ ୧ କି.ମି. ଦୂରରେ ମଲାଗୁଣୀ ନଦୀ ଦୟାନଦୀ ସହିତ ସମ୍ମିଳିତ ହୋଇଛି । ଦୟାନଦୀ ଚିଲିକାରେ ନିଷ୍କାସିତ ହୋଇଛି ।
ଗୋଳବାଇ ଓ ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଆବିଷ୍କୃତ ପଥର, ଅସ୍ଥି ଓ ତାମ୍ର ନିର୍ମିତ ବିଭିନ୍ନ ପ୍ରକାରର ନିହାଣ, ଟାଙ୍ଗିଆ ପରି ହତିଆର, ମରାମତି ଉପକରଣରୁ ଗୋଳବାଇରେ ପ୍ରଚୀନ କାଳରେ ଏକ ଡଙ୍ଗା ବା ବୋଇତ ନିର୍ମାଣ ଓ ମରାମତି କେନ୍ଦ୍ର ରହିଥିଲା ବୋଲି ଐତିହାସିକମାନେ ଅନୁମାନ କରିଛନ୍ତି ।[୫] [୬] ପୁଣି ଏହି ଅଞ୍ଚଳରେ ଖନନରୁ ମିଳିଥିବା ତାମ୍ର ନିର୍ମିତ ବନିଶୀ କଣ୍ଟା ଓ ବହୁ ସଂଖ୍ୟକ କାଠ କାମ ଉପଯୋଗୀ ନିହାଣ ଏହି ଅଞ୍ଚଳର ଅନେକ ଲୋକ ମତ୍ସ୍ୟଜୀବୀ ଓ ଡଙ୍ଗା ନିର୍ମାଣକାରୀ ହୋଇଥିବାର ସୂଚନା ଦିଏ ।[୭] ନଦୀପଥରେ ମଲାଗୁଣୀ ନଦୀ ଓ ଦୟାନଦୀ ଯୋଗେ ଚିଲିକା ଓ ବଙ୍ଗୋପସାଗର ପର୍ଯ୍ୟନ୍ତ ଗମନାଗମନ ସମ୍ଭବପର ହୋଇଥିବାରୁ ଏଠାରେ ଯାହାଜ ମରାମତି କେନ୍ଦ୍ର ରହିଥିବା ସମ୍ଭବପର । ଗୋଳବାଇର ପ୍ରାଚୀନ ଯାହାଜ ନିର୍ମାଣ କେନ୍ଦ୍ର ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟର ବିକାଶରେ ସହାୟତା କରିଥିଲା ବୋଲି ମତପୋଷଣ କରାଯାଇଛି ।[୫] ଖ୍ରୀ. ୧୬ଶରୁ ନେଇ ୧୮ଶ ଶତାବ୍ଦୀ ବେଳକୁ ଇଉରୋପୀୟ ଔପନିବେଶିକ ଶକ୍ତିମାନଙ୍କ ଆଗମନ ପରେ ପିପିଲି ଯାହାଜ ନିର୍ମାଣ କେନ୍ଦ୍ର ଭାବେ ପ୍ରସିଦ୍ଧି ଲାଭ କରିଥିଲା ।[୬]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଆର୍କାଇଭ୍ କପି". Archived from the original on 2021-01-18. Retrieved 2017-12-23.
{{cite web}}
: Cite has empty unknown parameter:|1=
(help) - ↑ ୨.୦ ୨.୧ ୨.୨ ୨.୩ B K Sinha. PURATATTVA, Bulletin of The Indian Archaeological Society – Number 21 (Excavations at Golabai Sasan). Indian Archaeological Society, New Delhi.
- ↑ ୩.୦ ୩.୧ ୩.୨ ୩.୩ Bulletin of the Deccan College (PRELIMINARY REPORT ON EXPLORATION AT GOLBAI SASAN, TALAPADA AND THE SURROUNDING AREA, DIST.KHURDA, ODISHA, 2010-11). p. 4-5.
{{cite book}}
: Cite uses deprecated parameter|authors=
(help) - ↑ ୪.୦ ୪.୧ http://sarbasadharana.com/?p=5647.
{{cite web}}
: Missing or empty|title=
(help)[permanent dead link] - ↑ ୫.୦ ୫.୧ ୫.୨ Benudhar Patra (2013). Maritime Trade and Overseas activities of early India – Odishan Perspective. Aryan Books International. p. 40-41.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Ptra
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।