ମାଣିକପାଟଣା

ଉଇକିପିଡ଼ିଆ ରୁ
Jump to navigation Jump to search
ମାଣିକପାଟଣା
ଗ୍ରାମ
ମାଣିକପାଟଣା is located in ଓଡ଼ିଶା
ମାଣିକପାଟଣା
ମାଣିକପାଟଣା
ମାଣିକପାଟଣା is located in India
ମାଣିକପାଟଣା
ମାଣିକପାଟଣା
Location in Odisha, India
ଅବସ୍ଥିତି: 20°36′40″N 86°38′42″E / 20.611°N 86.645°E / 20.611; 86.645Coordinates: 20°36′40″N 86°38′42″E / 20.611°N 86.645°E / 20.611; 86.645
Country ଭାରତ
Stateଓଡ଼ିଶା
Districtପୁରୀ
ଜନସଂଖ୍ୟା (୨୦୧୧)
 • ମୋଟ୪,୧୭୧[୧]
Languages
 • Officialଓଡ଼ିଆ
IST (UTC+୫:୩୦)
ଗାଡ଼ି ପଞ୍ଜିକରଣOD-୧୩

ମାଣିକପାଟଣା ପୁରୀ ଜିଲ୍ଲାର ଏକ ଗାଁ ।[୨] ଏହି ଗ୍ରାମଟି ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକରେ ଅବସ୍ଥିତ । ପୁରୀ ସଦର ମହକୁମାଠାରୁ ଏହି ଗ୍ରାମଟି ପ୍ରାୟ ୫୦କିଲୋମିଟର ଦୂରରେ ଅବସ୍ଥିତ । ୨୦୧୧ ଜନ‌ଗଣନା ଅନୁସାରେ ଏହି ଗ୍ରାମରେ ମୋଟ ୪୧୭୧ଜଣ ଲୋକ ବସବାସ କରନ୍ତି ।

କିମ୍ବଦନ୍ତୀ ଅନୁସାରେ ମାଣିକ ଗଉଡୁଣୀ ନାମକ ଜନୈକ ଦ‌ହିବିକାଳି ହାତରୁ କାଞ୍ଚି ଅଭିଯାନ ସମୟରେ ମ‌ହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଦ‌ହି ପିଇଥିଲେ । ସେ ଦୁଇଜଣ ପଇସା ଦେବା ବଦଳରେ ଏକ ମୁଦି ଦେଇ ଗଜପତି ମ‌ଜାରାଜା ପୁରୁଷୋତ୍ତମ ଦେବଙ୍କ ଠାରୁ କଉଡ଼ି ନେବାକୁ କ‌ହିଥିଲେ, ରାଜା ଯେତେବେଳେ ଏହି ମୁଦିକୁ ଦେଖିଲେ ସେ ଏହା ଜଗନ୍ନାଥଙ୍କର ମୁଦି ବୋଲି ଜାଣିପାରିଥିଲେ ଆଉ ସେହି ଗଉଡୁଣୀକୁ କଉଡ଼ି କ'ଣ ଦେଇଥାନ୍ତେ, ସେହି ଗାଁକୁ ତା'ର ନାମାନୁସାରେ ମାଣିକପାଟଣା ଭାବରେ ନାମିତ କରିଦେଇଥିଲେ । ମାଣିକ ଗଉଡୁଣୀର ନାଆଁ ଅନୁସାରେ ସେହି ଗାଁର ନାମ ରଖାଯାଇଥିଲା ମାଣିକପାଟଣା ।

କିମ୍ବଦନ୍ତୀ[ସମ୍ପାଦନା]

କାଞ୍ଚି ଅଭିଯାନ କିମ୍ବଦନ୍ତୀରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ମାଣିକ ଗଉଡୁଣୀଠାରୁ ଦହି ଖାଇବା ଏକ ପଟ୍ଟଚିତ୍ରରେ ପ୍ରଦର୍ଶିତ

ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ରାଜାଙ୍କୁ ତାଙ୍କ ଝିଅ ପଦ୍ମାବତୀକୁ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ କାଞ୍ଚି ରାଜା ସାଲ୍ୱ ନରସିଂହ ଦେବ ଗଜପତି ପୁରୁଷୋତ୍ତମ ଦେବଙ୍କୁ ଏକ ଝାଡୁଦାର ସ‌ହ ତୁଳନା କରିବା ସ‌ହ ନିଜ ଝିଅର ବିଭା ଏକ ଛାଡ଼ୁଦାର ସ‌ହ କରିବେନି ବୋଲି କ‌ହି ଅପମାନିତ କରିବା ପରେ ପୁରୁଷୋତ୍ତମ ଦେବ କାଞ୍ଚିରାଜାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ, କିନ୍ତୁ ପରାସ୍ତ ହୋଇ ପ୍ରତ୍ୟାବର୍ତ୍ତନ କଲେ । ଅପମାନିତ ଆଉ ଲଜ୍ଜିତ ହୋଇ ଜଗନ୍ନାଥଙ୍କ ସାହାଯ୍ୟ ଭିକ୍ଷା କରିବା ପରେ ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ର ଦୁଇ ଜଣ ଧଳା ଘୋଡ଼ା ଓ କଳା ଘୋଡ଼ାରେ ଚଢ଼ି କାଞ୍ଚି ଅଭିଯାନରେ ବାହାରିଥିଲେ । ସେମାନେ ବାଟରେ ଗଲାବେଳେ ମାଣିକ ନାମକ ଜନୈକ ଗଉଡ଼ୁଣୀ ପାଖରେ ଦ‌ହି ପିଇ ନିଜର ଶୋଷ ମେଣ୍ଟାଇଥିଲେ ଏବଂ ମୂଲରେ କଉଡ଼ି ବଦଳରେ ଏକ ମୁଦ୍ରିକା ଦେଇ ମ‌ହାରାଜ ପୁରୁଷୋତ୍ତମ ଦେବଙ୍କ ଠାରୁ କଉଡ଼ି ମାଗି ନେବାକୁ କ‌ହିଥିଲେ । ଯେତେବେଳେ ରାଜା ସେହି ମାର୍ଗ ଦେଇ ଗଲେ, ସେହି ଗଉଡ଼ୁଣୀ ରାଜାଙ୍କୁ ସେ ମୁଦି ଦେଖାଇ ତା'ର କଉଡ଼ି ମାଗିଥିଲା । ସେତେବେଳେ ରାଜା ସେ ଗଉଡ଼ୁଣୀ ପାଖରେ ଥିବା ସେହି ମୁଦିଟିକୁ ଦେଖି ଜାଣିପାରିଥିଲେ କି ସେ ସ୍ୱୟଂ ଜଗନ୍ନାଥଙ୍କୁ ଅର୍ପଣ କରିଥିବା ମୁଦି ହେଉଛି ସେହି ମୁଦିଟି । ତେଣୁ ସେ ଜାଣିଗଲେ କି ସେ ଗଉଡ଼ୁଣୀ ଯାହାକୁ ଦ‌ହି ପିଆଇଛି ସେ ଆଉ କେହି ନୁହ‌ନ୍ତି ସ୍ୱୟଂ ମହାପ୍ରଭୁ ଜଗନ୍ନାଥ । ଗଜପତି ପୁରୁଷୋତ୍ତମ ଦେବ ସେହି ଗଉଡ଼ୁଣୀ ରହୁଥିବା ଗ୍ରାମର ନାମକୁ ସେହିଦିନଠାରୁ ମାଣିକପାଟଣା ନାମରେ ନାମିତ କରିଥିଲେ ।

ଅବସ୍ଥିତି[ସମ୍ପାଦନା]

ମାଣିକ ପାଟଣା ପୁରୀ ଜିଲ୍ଲାର ଚିଲିକା ମୁହାଣକୁ ଲାଗିକି ଅବସ୍ଥିତ । ଏହି ଗ୍ରାମଟି ଭବକୁଣ୍ଡଳେଶ୍ୱର ମନ୍ଦିର ପାଇଁ ମଧ୍ୟ ପ୍ରସିଦ୍ଧ ।[୩]

ଭବକୁଣ୍ଡଳେଶ୍ୱର ମନ୍ଦିରଟି ପୁରୀ-ସାତପଡ଼ା ୨୦୩ ନଂ ଜାତୀୟ ରାଜପଥର ଦ‌ହିଖିଆ ଛକଠାରୁ ୩.୩ କିଲୋମିଟର ଦୂରରେ ବାମ ପାର୍ଶ୍ୱରେ ଅବସ୍ଥିତ । ଏହି ମନ୍ଦିରଟି ବଙ୍ଗୋପସାଗରଠାରୁ ଅଧାକିଲୋମିଟର ଦୂରରେ ଅବସ୍ଥିତ । ଏହା ପୁରୀ ସଦର ମହକୁମା ଠାରୁ ପାଖାପାଖି ୪୪ କିଲୋମିଟର ଦୂରରେ ଅବସ୍ଥିତ । ମନ୍ଦିରଟି ପୂର୍ବମୁଖା ହୋଇଥିବା ବେଳେ, ସେଠାରେ ପୂଜାପାଉଥିବା ଶିବ ଲିଙ୍ଗଟି କଳା ମୁଗୁନି ପଥରରେ ତିଆରି ହୋଇଛି । ଏହି ମନ୍ଦିରରେ ମୁଖ୍ୟତଃ ସାବିତ୍ରି, କାର୍ତ୍ତିକ ପୂର୍ଣ୍ଣିମା, ଏକାଦଶୀ ଆଦି ପର୍ବମାନ ବ‌ହୁ ଆଡ଼ମ୍ଭରର ସ‌ହ ପାଳନ କରାଯାଏ । ବିବାହ, ବ୍ରତୋପନୟନ, ନିର୍ବନ୍ଧ ଆଦି ମଧ୍ୟ ଏହି ମନ୍ଦିରେ କରାଯାଇଥାଏ ।

ପ୍ରାଚୀନ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟରେ ମାଣିକପାଟଣାର ଭୂମିକା[ସମ୍ପାଦନା]

ଜଗନ୍ନାଥ ସଂସ୍କୃତିରେ ବେଶ୍ ଜଣାଶୁଣା ମାଣିକପାଟଣା ଏକ ପ୍ରାଚୀନ ବନ୍ଦର ଏବଂ ସାମ୍ପ୍ରତିକ ସମୟରେ ଏକ ପ୍ରତ୍ନତତ୍ତ୍ୱ ସ୍ଥଳ ମଧ୍ୟ । ଚୀନୀ ପରିବ୍ରାଜକ ହୁଏନ୍‍ସାଂଙ୍କ ବିବରଣୀରେ ଉଲ୍ଲିଖିତ ମଧ୍ୟଯୁଗୀୟ ବନ୍ଦର “ଚେଲିତାଲେ” ହିଁ ମାଣିକପାଟଣାର ପୁରାତନ ନାମ ଥିଲା ବୋଲି କେତେକ ଗବେଷକ ମତ ରଖିଛନ୍ତି । ମାଣିକପାଟଣା ଚିଲିକା ହ୍ରଦର ଉତ୍ତର ପଟକୁ ଓ କୁଶଭଦ୍ରା ନଦୀର ବାମ କୂଳରେ ରହିଛି ।[୪]

ମାଣିକପାଟଣା ଅଞ୍ଚଳରେ ଖନନରୁ ଉଦ୍ଧାର କରାଯାଇଥିବା ବସ୍ତୁମାନଙ୍କରୁ ଜଣାଯାଏ ଯେ ଏହି ସ୍ଥାନର ନାବିକମାନେ ଅନେକ ଦେଶ ସହିତ ଯୋଗାଯୋଗ ସ୍ଥାପନ କରିଥିଲେ । ମାଣିକପାଟଣାଠାରେ ହୋଇଥିବା ଖନନରୁ ମୁଖ୍ୟତଃ ଦୁଇଟି ଯୁଗର ବ୍ୟବହୃତ ଦ୍ରବ୍ୟ ଉଦ୍ଧାର କରାଯାଇଛି । ସେଗୁଡିକର ସମୟ ହେଲା ଖ୍ରୀ.ପୂ. ଦ୍ୱିତୀୟରୁ ଷଷ୍ଠ ଶତାବ୍ଦୀ ଓ ଖ୍ରୀ. ନବମରୁ ଉନବିଂଶ ଶତାବ୍ଦୀ । ମିଳିଥିବା ବିଭିନ୍ନ ପ୍ରକାରର ଚାଇନାମାଟି ପାତ୍ରର ଭଗ୍ନାବଶେଷରୁ ଏକାଧିକ ଶତାବ୍ଦୀ ବ୍ୟାପୀ ଚୀନ୍ ସହିତ ରହିଥିବା ବାଣିଜ୍ୟିକ ସମ୍ପର୍କ ବିଷୟରେ ସୂଚନା ମିଳେ (କାରଣ ଏହି ଚାଇନାମାଟିର ପାତ୍ର ସବୁ ଏକା ସମୟର ନୁହଁ) । ଧଳା ଓ ପାଉଁଶିଆ ରଙ୍ଗର ମାଟିପାତ୍ର, ଧରିବା ପାଇଁ ଘୁଣ୍ଡୀ ବା ଦସ୍ତା ଥିବା ମାଟିପାତ୍ର, ଧରିବା ବ୍ୟବସ୍ଥା ଥିବା ସୁରେଇ ଇତ୍ୟାଦିର ଅବଶେଷରୁ ରୋମାନ୍ ସାମ୍ରାଜ୍ୟ ସହିତ ମାଣିକପାଟଣା ଲୋକଙ୍କ ସାମୁଦ୍ରିକ ସମ୍ପର୍କ ଥିବା ବିଷୟ ଜଣାପଡେ । ଖନନରୁ ମିଳିଥିବା ଅନ୍ୟାନ୍ୟ ମାଟିପାତ୍ର ବ୍ରହ୍ମଦେଶ, ସିଆମ୍, ଆରବ ଦେଶର ହୋଇଥିବାର ସୂଚନା ମିଳେ । ଏକାଦଶ ଓ ଦ୍ୱାଦଶ ଶତାବ୍ଦୀ ସମୟର (ରାଜା ସହସ୍ରମଲ୍ଲଙ୍କ ଶାସନ ସମୟରେ ପ୍ରଚଳିତ) ‍‌କେତେକ ସିଂହଳୀ ମୁଦ୍ରାର ଅବଶେଷ ମଧ୍ୟ ମାଣିକପାଟଣାରୁ ମିଳିଛି । [୪]

ଚିଲିକା କୂଳରେ ଅବସ୍ଥିତ ମାଣିକପାଟଣା ଉନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଏକ ବ୍ୟସ୍ତ ଓ ସମୃଦ୍ଧ ବନ୍ଦର ଭାବରେ ଜଣାଶୁଣା ଥିଲା । ଏହାର ପ୍ରମାଣ ଆରବ ଦେଶର ଆବୁଲ୍ ଫାଜଲ୍‍ଙ୍କ ଲିଖିତ ଆଇନ୍-ଇ-ଆକବରୀରୁ ମିଳେ । ୧୫୯୨ ମସିହାରେ ରାଜା ମାନସିଂହ ଓଡ଼ିଶା ବିଜୟ କଲାପରେ ଏହା ମୋଗଲ୍ ଶାସନାଧୀନ ହେଲା ବୋଲି ଏଥିରେ ଲିଖିତ ଅଛି । ମାଣିକପାଟଣାଠାରେ ସବୁ ବର୍ଷ ଲୁଣ ମାରିବା ପାଇଁ କର ପୈଠ ହେଉଥିବା ଆବୁଲ୍-ଫାଜଲ୍ ଲେଖିଛନ୍ତି । ମାଣିକପାଟଣାଠାରେ “ସମୁଦ୍ରକର ବନ୍ଧ” ନାମକ ଏକ ଦ୍ୱାର ରହିଥିଲା ଯେଉଁଠାରେ ବଣିକମାନଙ୍କଠାରୁ କର ଆଦାୟ କରାଯାଉଥିଲା । ଚିଲିକା ଅଞ୍ଚଳର ବନ୍ଦରମାନଙ୍କ ମଧ୍ୟରେ ମାଣିକପାଟଣାର ସ୍ୱତନ୍ତ୍ର ସ୍ଥାନ ଥିଲା । ଦହିଖିଆ ନଦୀ ମାଧ୍ୟମରେ ମାଣିକପାଟଣାରୁ ଚିଲିକା ହ୍ରଦ ଓ ପରେ ବଙ୍ଗୋପସାଗରକୁ ଜଳପଥ ଥିବା ଜଣାପଡିଛି । ଦହିଖିଆ ନଦୀର ଏପରି ନାମ ଜଗନ୍ନାଥଙ୍କ ମାଣିକ ଗଉଡୁଣୀ କିମ୍ବଦନ୍ତୀରୁ ଉଦ୍ଧୃତ । ବଙ୍ଗୋପସାଗରରୁ ଚିଲିକା ହ୍ରଦର ପ୍ରବେଶ ଦ୍ୱାର ଛୋଟ ହୋଇଥିବାରୁ ବଡ ଜାହାଜରୁ ଛୋଟ ଛୋଟ ଡଙ୍ଗାକୁ ମାଲ୍ ସ୍ଥାନାନ୍ତରିତ ହୋଇ ସ୍ଥଳଭାଗ ପର୍ଯ୍ୟନ୍ତ ନିଆଯାଉଥିଲା । ମାଣିକପାଟଣା ନିକଟବର୍ତ୍ତୀ ଗୁରୁବାଇ ନିକଟରେ ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀ ସମୟର ଅନେକ ପୁରୀ-କୁଷାଣ ମୁଦ୍ରା ମଧ୍ୟ ମିଳିଛି । ସାଧାରଣ ପାଗରେ ବଡ ଜାହାଜ, ବୋଇତ ଆଦି କୂଳକୁ ଆସିବାରେ ଅସୁବିଧା ହେଉଥିବାରୁ ଅନେକ ପାହୁଲା ଥିବା ମାସୁଲ ଡଙ୍ଗା ବ୍ୟବହାର କରାଯାଉଥିଲା ।

ମାଣିକପାଟଣାଠାରୁ ଅନତି ଦୂରରେ ଥିବା ଓ ଖ୍ରୀ. ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ମସଜିଦ୍‍ରୁ ଆରବୀୟ ଭାଷାର ଲେଖା ଉଦ୍ଧାର କରାଯାଇଛି । ଏଥିରେ ଲେଖାଅଛି ଯେ ବଣିକ ଓ ନାବିକମାନେ ଯାତ୍ରା କରିବା ପୂର୍ବରୁ ଏଠାରେ ପ୍ରାର୍ଥନା ଓ ଜଣାଣ କରୁଥିଲେ । ମାଣିକପାଟଣାରେ ଭୂଖନନ ସମୟରେ ମିଳିଥିବା ଲାଲ୍ ଓ ଈଷତ୍ କଳା ରଙ୍ଗର ମାଟିପାତ୍ର ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡରେ ପ୍ରତ୍ନତତ୍ତ୍ୱ ଖନନରୁ ମିଳିଥିବା ମାଟିପାତ୍ର ପରି । ମାଣିକପାଟଣା ନିକଟରେ ୪ଟି ମାଟିନିର୍ମିତ ଛୋଟ ନାଳ-କୂଅଁର ଅବଶେଷ ମିଳିଛି । ଅଧିକ ଜୁଆର ସମୟରେ ଏଗୁଡିକ ବୁଡିଯାନ୍ତି ଓ ପାଣି କମ୍ ଥିଲାବେଳେ ହିଁ ଦେଖାଯାନ୍ତି ।

ଆଧାର[ସମ୍ପାଦନା]

  1. "Manikapatna". VillageInfo.in. Retrieved 5 February 2017.
  2. "Manikapatna". Puri Police. Retrieved 5 February 2017.
  3. "ମାଣିକପାଟଣା". Retrieved 20 July 2016.
  4. ୪.୦ ୪.୧ Sushanta Ku. Patra & Dr. Benudhar Patra. "ARCHAEOLOGY AND THE MARITIME HISTORY OF ANCIENT ORISSA" (PDF). OHRJ, Vol. XLVII, No. 2. Retrieved 2010-11-24.