ଉତ୍କଳ ଛାତ୍ର ସାହିତ୍ୟ ସମାଜ
ଉତ୍କଳ ଛାତ୍ର ସାହିତ୍ୟ ସମାଜ ୧୯୪୩ ମସିହାରେ କଟକରେ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା[୧]। ୧୯୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ଗଠିତ ହେବାପରେ ଲୋକମାନଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି ହୋଇଥିଲା ଓ ତାହାର ଚିତ୍ରଣ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ସାଂସ୍କୃତିକ ଆତ୍ମଜୀବନୀ କୁମ୍ଭାର ଚକରେ ପରିଦୃଷ୍ଟ ହୁଏ। ଯୁବମାନସକୁ ଉପଯୁକ୍ତ ସାଂସ୍କୃତିକ ପରିଚୟ ଦେବା ଥିଲା ଏହି ଅନୁଷ୍ଠାନର ଲକ୍ଷ୍ୟ[୨]। ଅବଶ୍ୟ ୧୮୯୪ ମସିହାରେ ଚେର ବାନ୍ଧିଥିବା ଉତ୍କଳ ସାହିତ୍ୟ ସମାଜ ଏଥିପାଇଁ ପ୍ରେରଣା ଯୋଗାଇଥିଲା।
ଏତଦବ୍ୟତୀତ ଉନ୍ନବିଂଶ ଶତାବ୍ଦୀରେ ଓଡ଼ିଆ ଆନ୍ଦୋଳନର କର୍ଣ୍ଣଧାର ମାନଙ୍କର ପ୍ରଭାବ ମହତ୍ତ୍ୱପୂର୍ଣ୍ଣ। ଯଥା ବିଚିତ୍ରାନନ୍ଦ ଦାସ (୧୮୨୭), ଗୌରୀଶଙ୍କର ରାୟ (୧୮୩୮-୧୯୧୭), ହରିହର ଦାସଶର୍ମା (୧୮୪୨-୧୮୭୧), ପ୍ୟାରୀମୋହନ ଆଚାର୍ଯ୍ୟ (୧୮୫୧-୧୮୮୧), ବିଶ୍ୱନାଥ କର (୧୮୬୪-୧୯୩୪), ନୀଳମଣି ବିଦ୍ୟାରତ୍ନ (୧୮୬୭-୧୯୨୪), ଗୋପୀନାଥ ନନ୍ଦ (୧୮୬୯-୧୯୨୪), ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫), ମୃତ୍ୟୁଞ୍ଜୟ ରଥ (୧୮୮୨-୧୯୨୪), ଓ ଶଶିଭୂଷଣ ରଥ (୧୮୮୫-୧୯୪୩) ଇତ୍ୟାଦି।
ଏହି ପରିପ୍ରେକ୍ଷୀରେ, ଉତ୍କଳ ଛାତ୍ର ସାହିତ୍ୟ ସମାଜ ଥିଲା କଳିଙ୍ଗ ଭାରତୀର ଏନ୍ତୁଡ଼ିଶାଳ। କିନ୍ତୁ ସମୟକ୍ରମେ ଭଞ୍ଜ ସାହିତ୍ୟ ଓ ରୀତି ଯୁଗୀୟ କାବ୍ୟ କବିତା ପ୍ରତି ଆକର୍ଷଣ ହ୍ରାସ ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ, ଇନ୍ଦ୍ରଧନୁ ବିଜୁଳି କଳି ସନ୍ଦର୍ଭରେ ରାଧାନାଥ ଯୁଗୀୟ ସାହିତ୍ୟର ଅବସ୍ଥା କିଛି ଭିନ୍ନ ନୁହେଁ[୩]।